କଟକ: ବାରବାଟୀ ଷ୍ଟାଡିୟମରେ ହେବାକୁଥିବା ଲିଜେଣ୍ଡସ୍ ଲିଗ କ୍ରିକେଟ ଟି-୨୦ ପାଇଁ ଆଜିଠୁ କାଉଣ୍ଟରରେ ବିକ୍ରି ହେବ ଟିକେଟ । ଅଫଲାଇନ କାଉଣ୍ଟରରେ ୮ହଜାର ୪୨୧ ଟି ଟିକେଟ ବିକ୍ରି ହେବ । ୨ ନମ୍ବର ଗ୍ୟାଲେରୀର ୩ହଜାର ୭୩୯ ଟିକେଟ ୪ ନମ୍ବର ଗ୍ୟାଲେରୀର ୪୨୩୨, କ୍ଲବ ହାଉସର ୩୫୦ ଓ କର୍ପୋରେଟ ବକ୍ସର ୬୦ ଟି ଟିକେଟ୍ ବିକ୍ରି ହେବ । ଗ୍ୟାଲେରୀ ଟିକେଟ ଦାମ ୩୫୦ ଟଙ୍କା ଥିବା ବେଳେ କ୍ଲବ ହାଉସ ଟିକେଟ ୧୨୦୦ ଓ କର୍ପୋରେଟ ବକ୍ସ ଟିକେଟ ଦାମ ୪୮୦୦ ରହିଛି । ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଟିକେଟ ବିକ୍ରି ହେବ । ଆସନ୍ତା ୨୬, ୨୭ ଓ ୨୯ ତାରିଖରେ ଲିଜେଣ୍ଡସ କ୍ରିକେଟ T-20 ମ୍ୟାଚ୍ ଖେଳାଯିବ।
ଆଜି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଟି-୨୦ ସିରିଜ୍ର ନିର୍ଣ୍ଣାୟକ ମ୍ୟାଚ୍
ନାଗପୁର: ଆଜି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ର ଦ୍ଵିତୀୟ ମୁକାବିଲା । ନାଗପୁରର ବିଦର୍ଭ କ୍ରିକେଟ୍ ଆସୋସିଏସନ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ୍ । ମୋହାଲିରେ ଶୋଚନୀୟ ପରାଜୟ ପରେ ଟିମ୍ ଇଣ୍ଡିଆ ନାଗପୁରରେ କର ବା ମର ପରିସ୍ଥିତିର ସାମ୍ନା କରିବ। ମ୍ୟାଚ୍ ହାରିଲେ ଦଳ ଘରୋଇ ମାଟିରେ ସିରିଜ୍ ହାରିବ। ଏହି ନିର୍ଣ୍ଣାୟକ ମ୍ୟାଚ୍ ପୂର୍ବରୁ ଭାରତୀୟ ପ୍ରଶଂସକଙ୍କ ପାଇଁ କିଛିଟା ଚିନ୍ତାର ବିଷୟ ରହିଛି। ଭାରତୀୟ ଅଧିନାୟକ ରୋହିତ ଶର୍ମା ବହୁ ସମୟରୁ ବଡ ଇନିଂସର ସନ୍ଧାନରେ ଅଛନ୍ତି। ଗତ କିଛି ମ୍ୟାଚ୍ରେ ସେ ଭଲ ଆରମ୍ଭ କରୁଥିଲେ ବି ବଡ଼ ସ୍କୋର କରିବାରେ ବିଫଳ ହୋଇଛନ୍ତି । ମୋହାଲିରେ ହିଟ୍ ମ୍ୟାନ୍ କେବଳ ୧୧ ରନ କରି ଆଉଟ୍ ହୋଇଥିଲେ। ନାଗପୁରରେ ତାଙ୍କର ବ୍ୟାଟିଂ ରେକର୍ଡ ନିରାଶଜନକ ରହିଛି। ଏବେ ସିରିଜ୍ ୧-୦ରେ ଆଗୁଆ ଅଛି ଅଷ୍ଟ୍ରେଲିଆ।
ଆଜି ଜାତୀୟ ସିନେମା ଦିବସ, ଯେକୌଣସି ସିନେମା ହଲରେ ମାତ୍ର ୭୫ ଟଙ୍କାରେ ଦେଖିପାରିବେ ଫିଲ୍ମ
ନୂଆଦିଲ୍ଲୀ: ଆଜି ଜାତୀୟ ସିନେମା ଦିବସ । ଏହି ଅବସରରେ ଆଜି ଆପଣ ଯେକୌଣସି ସିନେମା ହଲରେ ଯେକୌଣସି ଫିଲ୍ମ ମାତ୍ର ୭୫ ଟଙ୍କାରେ କିଣିପାରିବେ। ମଲ୍ଟିପ୍ଲେକ୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ ସମେତ ସାରା ଦେଶରେ ସିନେମା ଆଜି ଭାରତରେ ଜାତୀୟ ସିନେମା ଦିବସ ପାଳନ କରୁଛି । ଏଥିପାଇଁ ୭୫ ଟଙ୍କାରେ ଟିକେଟ ମିଳିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଜାତୀୟ ସିନେମା ଦିବସ ପୂର୍ବରୁ ପାଳନ କରାଯାଇନଥିଲା । ଏହି ବର୍ଷ ଏହି ଧାରା ଆରମ୍ଭ ହୋଇଛି । କୋଭିଡ କାରଣରୁ ଦୁଇ ବର୍ଷର ଥିଏଟର ବନ୍ଦ ପରେ ପୁନଃ ଆରମ୍ଭ ହେବାର ଆନନ୍ଦରେ ଏହି ଦିନ ପାଳନ କରାଯାଉଛି। ପ୍ରେକ୍ଷାଳୟ ଦ୍ୱାରା କରାଯାଇଥିବା ଏହି ଘୋଷଣା ଦର୍ଶକଙ୍କୁ ସିନେମା ହଲକୁ ଫେରାଇ ଆଣିବା ପାଇଁ ଏକ ବଡ଼ ପଦକ୍ଷେପ। ଯେଉଁମାନେ ଲକଡାଉନ୍ ପରଠାରୁ ପ୍ରେକ୍ଷାଳୟକୁ ଯାଇ ନାହାଁନ୍ତି, ସେମାନଙ୍କୁ ସିନେମା ହଲକୁ ଯିବା ପାଇଁ ଆଜି ବଡ଼ ଦିନ । PVR, INOX, ସିନେପୋଲିସ୍, କାର୍ନିଭାଲ୍, ମିରାଜ୍ ଓ ସିଟିପ୍ରିଡ୍, ଏସୀୟ, ମୁଭିଟାଇମ୍ ସମେତ ଦେଶର ପ୍ରାୟ ୪ ହଜାର ସିନେମା ହଲରେ ୭୫ ଟଙ୍କାରେ ଟିକେଟ୍ କିଣି ଦର୍ଶକ ବିଭିନ୍ନ ଫିଲ୍ମ ଦେଖିପାରିବେ ।
ଗିରଫ ହେଲେ ଟାଙ୍ଗରପାଲି ଅତିରିକ୍ତ ତହସିଲଦାର କୁଳମଣି ପଟେଲ
ସୁନ୍ଦରଗଡ଼: ଗିରଫ ହେଲେ ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ଅତିରିକ୍ତ ତହସିଲଦାର କୁଳମଣି ପଟେଲ । ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ । କୁଳମଣିଙ୍କୁ ସୁନ୍ଦରଗଡ଼ ସ୍ପେଶାଲ ଜଜ ଭିଜିଲାନ୍ସ କୋର୍ଟ ଚାଲାଣ କରାଯାଇଛି । ଅତିରିକ୍ତ ତହସିଲଦାରଙ୍କ ଆୟର ଉତ୍ସ ଠାରୁ 253% ଅଧିକ ସମ୍ପତ୍ତି ଥିବା ଭିଜିଲାନ୍ସ ତଦନ୍ତରୁ ଜଣାପଡ଼ିଛି । ଏନେଇ ଅତିରିକ୍ତ ତହସିଲଦାର ଓ ତାଙ୍କ ପତ୍ନୀଙ୍କ ନାମରେ ମାମଲା ରୁଜୁ କରାଯାଇଛି ।
ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ପରେ ଗତକାଲି ଅତିରିକ୍ତ ତହସିଲଦାରଙ୍କ ଘର ସମେତ ୮ଟି ସ୍ଥାନରେ ରେଡ କରିଥିଲା ଭିଜିଲାନ୍ସ । ସୁନ୍ଦରଗଡ଼ର ପ୍ରାଇମ ଏରିଆରେ ରହିଛି ମୋଟ୍ ୨୧ଟି ପ୍ଲଟ୍, ୨ଟି ବହୁତଳ କୋଠା ଓ ୪ଟି ଘର ଥିବା ଜାଣିବାକୁ ପାଇଥିଲା ଭିଜିଲାନ୍ସ । କେବଳ ଏତିକି ନୁହେଁ, ୨ଟି ଚାରି ଚକିଆ ଯାନ, ୨ଟି ଟ୍ରାକ୍ଟର, ୩ଟି ଦୁଇ ଚକିଆ ଯାନ ଠାବ ହୋଇଥିଲା । ଚଢ଼ାଉ ବେଳେ ଘରୁ ନଗଦ ଟଙ୍କା ମଧ୍ୟ ଜବତ ହୋଇଥିଲା ।

