spot_img
Home Blog Page 3872

ବେନାମୀ ଚିଠି ହତ୍ୟା ଗୁମର: ଗର୍ଭନଷ୍ଟ ନକରିବାକୁ ହତ୍ୟା କରି ପୋତିଥିଲା ପ୍ରେମିକ !

ନୂଆପଡ଼ା: ବେନାମୀ ଚିଠି ଆଧାରରେ ନାବାଳିକାଙ୍କୁ ମୃତଦେହେ ମିଳିବା ପରେ ପଦାକୁ ଆସୁଛି ଗୋଟିଏ ପରେ ଗୋଟିଏ ଛାତି ଥରାଇବା ଭଳି ସତ । ପ୍ରେମଜନିତ କାରଣରୁ ନାବାଳିକାଙ୍କୁ ପ୍ରେମିକ ହତ୍ୟା କରିଥିଲା । ମୃତ୍ୟୁ ବେଳକୁ ନାବାଳିକା ଥିଲେ ୪ ମାସର ଗର୍ଭବତୀ । ଗର୍ଭ ନଷ୍ଟ କରିବାକୁ ନାବାଳିକା ରାଜି ନହେବାରୁ ଅଭିଯୁକ୍ତ ପ୍ରେମିକ ପରମାନନ୍ଦ ସାହୁ ସାଙ୍ଗମାନଙ୍କ ସହ ମିଶି ନାବାଳିକାଙ୍କୁ ହତ୍ୟା କରିବା ପରେ ଏକ ବିଲରେ ପୋତି ଦେଇଥିଲା । ଘଟଣାରେ ପୋଲିସ ଦୁଇ ନାବାଳକଙ୍କ ସମେତ ୬ ଜଣଙ୍କୁ ଗିରଫ କରିଛି ।

ମୃତ ନାବାଳିକା ଏକ ଘରୋଇ ସ୍କୁଲରେ ଯୁକ୍ତଦୁଇର ପ୍ରଥମବର୍ଷ ଛାତ୍ରୀ ଥିଲେ । ଜାନୁଆରୀ ୧ ତାରିଖରେ ସେ ରାତିରେ ଘରେ ଖାଇ ପିଇ ଶୋଇଥିଲେ। ସକାଳୁ ତାଙ୍କର ପତ୍ତା ମିଳିନଥିଲା । ବହୁତ ଖୋଜାଖୋଜି ପରେ ବି ଝିଅକୁ ପାଇନଥିଲେ ପରିବାର ଲୋକେ । ଏନେଇ ପରିବାର ଲୋକେ ନୂଆପଡ଼ା ଥାନାରେ ଅଭିଯୋଗ କରିଥିଲେ ।

ପୋଲିସ ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ନାବାଳିକାଙ୍କୁ କେହି ହତ୍ୟା କରି ମାଟିତଳେ ପୋତି ଦେଇଥିବା ନେଇ ଗତ ୨ ତାରିଖରେ ଏକ ବେନାମୀ ଚିଠି ଆସିଥିଲା । ପରିବାର ଲୋକେ ଚିଠି ଆଧାରରେ ପୁଣି ଏକ ଲିଖିତ ଅଭିଯୋଗ କରିଥିଲେ । ଗତକାଲି ସଦର ପୋଲିସ, ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ସାଇଣ୍ଟିଫିକ୍ ଟିମ୍ ଓ ଅନୁସନ୍ଧାନୀ କୁକୁର ସାହାଯ୍ୟରେ ଘଟଣାସ୍ଥଳରେ ଛାନଭିନ୍ ଆରମ୍ଭ କରିଥିଲା । ନାବାଳିକାଙ୍କୁ ପୋତାଯାଇଥିବା ଧାନ ବିଲରୁ ଧାନ କାଟି ପୋଲିସ ଜେସିବି ସାହାଯ୍ୟରେ ମାଟି ଖୋଳିବା ପରେ ଦେହାବଶେଷ ଉଦ୍ଧାର କରାଯାଇଥିଲା ।

ଭାରତ ଫେରିବ ପଳାତକ ନୀରବ ମୋଦି !

ନୂଆଦିଲ୍ଲୀ: ଶୀଘ୍ର ବର୍ଷର ପ୍ରତୀକ୍ଷା ପରେ ପଳାତକ ନୀବର ମୋଦି ଭାରତ ଫେରିବାର ବାଟ ଫିଟିଛି । ବ୍ରିଟେନ ହାଇକୋର୍ଟ ଏଥିପାଇଁ ସବୁଜ ସଙ୍କେତ ଦେଇଛନ୍ତି । ନୀରବ ମୋଦିଙ୍କ ପ୍ରତ୍ୟାର୍ପଣକୁ ଅଟକାଇବାକୁ ହୋଇଥିବା ଆବେଦନକୁ ସ୍ଥାନୀୟ ହାଇକୋର୍ଟ ରଦ୍ଦ କରି ଦେଇଛନ୍ତି । କୋର୍ଟ ତାଙ୍କ ରାୟରେ କହିଛନ୍ତି, ‘ନୀରବ ମୋଦିଙ୍କ ପ୍ରତ୍ୟାର୍ପଣ ରଦ୍ଦ କରିବା ନ୍ୟାୟୋଚିତ ହେବ ନାହିଁ ।’

ସୂଚନାଯୋଗ୍ୟ, ନୀରବ ମୋଦିଙ୍କୁ ହସ୍ତାନ୍ତର କରିବାକୁ ଭାରତ ସରକାର ଦୀର୍ଘ ବର୍ଷ ହେଲା ଦାବି କରି ଆସୁଛନ୍ତି । ଏଥିରୁ ବର୍ତ୍ତିବା ପାଇଁ ଇଂଲଣ୍ଡରେ ଥାଇ ନୀରବ ନୂଆ ନୂଆ ପଇଁତରାବାଜି ଖେଳୁଛନ୍ତି । ନୀରବଙ୍କ ଓକିଲ ଦଲିଲ ଦେଇଥିଲେ, ‘ସେ (ନୀରବ) ଡିପ୍ରେସନର ଶିକାର ହୋଇଛନ୍ତି । ଭାରତୀୟ ଜେଲର ସ୍ଥିତି ଯେମିତି, ସେଠାରେ ସେ ଆତ୍ମହତ୍ୟା କରିପାରନ୍ତି ।’ ହେଲେ ବ୍ରିଟେନ ହାଇକୋର୍ଟ ଦଲିଲ ଶୁଣିବା ପରେ ନୀରବ ମୋଦିଙ୍କ ଉକ୍ତ ଆବେଦନକୁ ନାକଚ କରିଦେଇଛନ୍ତି ।

ଏହା ପୂର୍ବରୁ ମଧ୍ୟ ଏହି ମାମଲାର ଶୁଣାଣି ହୋଇଥିଲା । ସେତେବେଳେ ଜଷ୍ଟିସ୍ ରବର୍ଟ ଜୋ ଜୋର ଦେଇ କହିଥିଲେ, ଭାରତ ଓ ଇଂଲଣ୍ଡ ମଧ୍ୟରେ ବହୁତ ଭଲ ସମ୍ପର୍କ ରହିଛି । ତେଣୁ ବ୍ରିଟେନକୁ ୧୯୯୨ ଇଣ୍ଡିଆ-ୟୁକେ ପ୍ରତ୍ୟାର୍ପଣ ଚୁକ୍ତିକୁ ସମ୍ମାନ ଦେବା ଉଚିତ ।

କୋର୍ଟ ତାଙ୍କ ଆଦେଶରେ ଏହା ସ୍ପଷ୍ଟ କରିଛନ୍ତି ଯେ, ଓ୍ବେଷ୍ଟମିନିଷ୍ଟର କୋର୍ଟ ଗତବର୍ଷ ହସ୍ତାନ୍ତରକୁ ନେଇ ଯେଉଁ ରାୟ ଶୁଣାଇଥିଲେ, ତାହା ଠିକ ଥିଲା । ଏହାସହ କୋର୍ଟ କହିଛନ୍ତି, ଆତ୍ମହତ୍ୟା କରିବା ଦଲିଲ ଦେବା ପ୍ରତ୍ୟାର୍ପଣ ରଦ୍ଧ କରିବାର ଆଧାର ହୋଇପାରିବନି ।

ହାଇକୋର୍ଟଙ୍କ ରାୟକୁ ନେଇ ନୀରବ ମୋଦିଙ୍କ ଟିମ୍ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଆସିନି । କୁହାଯାଉଛି ହାଇକୋର୍ଟଙ୍କ ରାୟ ବିରୋଧରେ ନୀରବଙ୍କ ଟିମ୍ ସୁପ୍ରିମକୋର୍ଟ ଯାଇପାରନ୍ତି । ଯଦି ନୀରବ ମୋଦି ସୁପ୍ରିମକୋର୍ଟ ଯାଆନ୍ତି ତେବେ ତାଙ୍କୁ ୧୪ ଦିନ ଭିତରେ ଆବେଦନ କରିବାକୁ ପଡ଼ିବ ।

ନ୍ୟୁଜିଲାଣ୍ଡକୁ ହରାଇ T-20 ବିଶ୍ବକପ୍ ଫାଇନାଲରେ ପାକିସ୍ତାନ

ସିଡନୀ: ୨୦୨୨ ଟି-୨୦ ବିଶ୍ବକପକୁ ପ୍ରଥମ ଫାଇନାଲିଷ୍ଟ ମିଳିଯାଇଛି । ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ହରାଇ ପାକିସ୍ତାନ ପ୍ରଥମ ଟିମ୍ ଭାବେ ଫାଇନାଲକୁ ଟିକେଟ୍ କାଟିଛି । ୧୫୩ ରନର ବିଜୟ ଲକ୍ଷ୍ୟକୁ ପାକିସ୍ତାନ ୧୯.୧ ଓଭରରେ ୩ ଓ୍ବିକେଟ ହରାଇ ହାସଲ କରି ନେଇଛି ।

ଆଜିର ମ୍ୟାଚରେ ପାକିସ୍ତାନ ବ୍ୟାଟ୍ସମ୍ୟାନ ରିଜଓ୍ବାନଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ୪୩ ବଲର ସମ୍ମୁଖୀନ ହୋଇ ରିଜଓ୍ବାନ ୫ ଚୌକା ସହାୟତାରେ ୫୭ ରନ କରିଥିଲେ । ଅନ୍ୟତମ ଓପନର ଅଧିନାୟକ ବାବର ଆଜମ ୪୩ ବଲ ଖେଳି ୭ ଚୌକା ସହାୟତାରେ ୫୩ ରନ୍ କରିଥିଲେ । ଉଭୟ ଆଉଟ ହେବା ପରେ ବଳକା କାମ ମହମ୍ମଦ ହାରିସ୍ ସାରି ଦେଇଥିଲେ । ସେ ୨୬ ବଲର ସମ୍ମୁଖୀନ ହୋଇ ୨ ଚୌକା ଓ ଗୋଟିଏ ଛକା ସହାୟତାରେ ୩୦ ରନ୍ କରିଥିଲେ । ସାନ ମସୁଦ ୩ ରନ କରି ଅପରାଜିତ ରହିଥିଲେ ।

ନ୍ୟୁଜିଲାଣ୍ଡ ତରଫରୁ ଟି. ବୋଲ୍ଟ ଦୁଇଟି ଓ୍ବିକେଟ ନେଇଥିବା ବେଳେ ଏମ. ସ୍ନାଟନର୍ ଗୋଟିଏ ଓ୍ବିକେଟ ନେଇଥିଲେ । ନ୍ୟୁଜିଲାଣ୍ଡର ଅନ୍ୟ କୌଣସି ବୋଲର ପାକିସ୍ତାନ ବ୍ୟାଟ୍ସମ୍ୟାନଙ୍କ ଉପରେ କୌଣସି ପ୍ରଭାବ ପକାଇ ପାରି ନଥିଲେ ।

ପ୍ରଥମେ ନ୍ୟୁଜିଲାଣ୍ଡ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଏହି ହାଇପ୍ରୋଫାଇଲ୍ ମ୍ୟାଚ୍ ଦେଖିବାକୁ ଖଚାଖଚ ଭିଡ଼ ଦେଖିବାକୁ ମିଳିଥିଲା । ତେବେ ନ୍ୟୁଜିଲାଣ୍ଡର ଆରମ୍ଭ ଭଲ ହୋଇ ନଥିଲା । ଫିନ୍ ଏଲିନ୍ ମାତ୍ର ୪ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । ଓ୍ବିକେଟକିପର ବ୍ୟାଟ୍ସମ୍ୟାନ କନଓ୍ବେ ୨୧ ରନ୍ କରିଥିବା ବେଳେ ଅଧିନାୟକ ଓ୍ବିଲିୟମସନ୍ ୪୬ ରନ୍ କରିଥିଲେ । ଡି. ମିଚେଲଙ୍କ ବ୍ୟାଟରୁ ଧୂଆଁଧାର ବ୍ୟାଟିଂ ଦେଖିବାକୁ ମିଳିଥିଲା । ମାତ୍ର ୩୫ ବଲରେ ସେ ୩ ଚୌକା ଓ ଗୋଟିଏ ଛକା ସହାୟତାରେ ଦଳ ତରଫରୁ ସର୍ବାଧିକ ୫୩ ରନ୍ କରିଥିଲେ । ଫଲିପ୍ସ ୯ ରନ୍ କରିଥିବା ବେଳେ ଶେଷ ସମୟରେ ନିଶାମ ୧୬ ରନର ଛୋଟ ପାରି ଖେଳିଥିଲେ ।

ପାକିସ୍ତାନ ତରଫରୁ ସାହିନ ଆଫ୍ରିଦ ୨ ଓ୍ବିକେଟ ନେଇଥିବା ବେଳେ ନଓ୍ବାଜ ଗୋଟିଏ ଓ୍ବିକେଟ ନେଇଥିଲେ । କନଓ୍ବେ, ସଦବ ଖାନଙ୍କ ଦ୍ବାରା ରନ୍ ଆଉଟ୍ ହୋଇଥିଲେ । ଦଳ ୨୦ ଓଭରରେ ୪ ଓ୍ବିକେଟ ହରାଇ ୧୫୨ ରନ୍ କରିଥିଲା । ଯାହାକୁ ପାକିସ୍ତାନ ୧୯.୧ ଓଭରରେ ୩ ଓ୍ବିକେଟ୍ ହରାଇ ହାସଲ କରି ନେଇଥିଲା ।

ସୂଚନାଯୋଗ୍ୟ, ଦୀର୍ଘ ୧୩ ବର୍ଷ ପରେ ପାକିସ୍ତାନ T20 ବିଶ୍ବକପ୍ ଫାଇନାଲକୁ ଯାଇଛି । ୨୦୦୯ରେ ପାକିସ୍ତାନ, ଶ୍ରୀଲଙ୍କାକୁ ହରାଇ ଚଟାପଟ୍ କ୍ରିକେଟର ତାଜ୍ ପିନ୍ଧିଥିଲା ।

ଆସନ୍ତାକାଲି ଦ୍ବିତୀୟ ସେମିଫାଇନାଲରେ ଭାରତ, ଇଂଲଣ୍ଡକୁ ଭେଟିବ । ଏହି ମ୍ୟାଚ୍ ଆଡିଲେଡରେ ଭାରତୀୟ ସମୟ ସାଢେ ଗୋଟାଏରେ ଖେଳାଯିବ ।

ଫିଲ୍ମ ’ଦ କେରଳ ଷ୍ଟୋରୀ’ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି

ନୂଆଦିଲ୍ଲୀ: ଚଳିତ ମାସରେ ରିଲିଜ୍‌ ହୋଇଛି ଫିଲ୍ମ ‘ଦ କେରଳ ଷ୍ଟୋରୀ’ର ଟିଜର । କିନ୍ତୁ ଟିଜର ରିଲିଜ୍‌ ହେବାପରେ ଏହାକୁ ନେଇ ବିବାଦ ଦେଖିବାକୁ ମିଳିଛି । ବିଭିନ୍ନ ମହଲରୁ ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି ହେଉଛି । ବିଶେଷକରି କଂଗ୍ରେସ ଏହାକୁ ବ୍ୟାନ୍‌ କରିବାକୁ ଦାବି କରୁଛି । ୩୨ ହଜାର ମହିଳା ବାଧ୍ୟତାମୂଳକ ଭାବରେ ଧର୍ମ ପରିବର୍ତ୍ତନ କରିଛନ୍ତି ଏବଂ ସେଥି ମଧ୍ୟରୁ କିଛି ମହିଳାଙ୍କୁ ସିରିୟା ଏବଂ ଆଫଗାନିସ୍ତାନର ଇସଲାମିକ୍‌ ଷ୍ଟେଟକୁ ନିଆଯାଇଛି ବୋଲି ଟିଜରରେ ଦର୍ଶାଯାଇଛି ।

ତେବେ ଆତଙ୍କବାଦୀଙ୍କ ପାଇଁ ଏହି ସ୍ଥାନ ଏକ ସୁରକ୍ଷିତ ସ୍ଥାନ ବୋଲି ଚିତ୍ରଣ ହୋଇଥିବାରୁ ଫିଲ୍ମ କ୍ରିଉ ସଦସ୍ୟଙ୍କ ବିରୋଧରେ ଏକ ମାମଲା ରୁଜୁ କରିବାକୁ କେରଳ ଡିଜିପି ଥିରୁବନନ୍ଥପୂରମର କମିଶନରଙ୍କୁ କହିଛନ୍ତି । ତେବେ ଟିଜରକୁ ଦେଖିବା ପରେ କଂଗ୍ରେସ ନେତା ତଥା ବିରୋଧୀ ଦଳ ନେତା ଭି.ଡି. ସତୀଶାନ୍‌ କହିଛନ୍ତିଯେ, ସିନେମା ମାଧ୍ୟମରେ ଭୁଲ୍‌ ତଥ୍ୟ ଉପସ୍ଥାପନା କରାଯାଇଛି, ତେଣୁ ଏହା ଉପରେ ପ୍ରତିବନ୍ଧକ ଲଗାଇବା ଉଚିତ୍‌ । ଏହି ଭୁଲ୍‌ ତଥ୍ୟ ଅନ୍ୟ ରାଜ୍ୟଗୁଡ଼ିକ ସମ୍ମୁଖରେ କେରଳର ଛବିକୁ ବିଗାଡ଼ିବ ।  ଏହା ସହିତ ସେ କହିଛନ୍ତିଯେ, ଉକ୍ତ ଫିଲ୍ମ ଘୃଣାଭାବ ସୃଷ୍ଟି କରୁଛି ।  ଏଭଳି କୌଣସି ତଥ୍ୟ ରାଜ୍ୟ ପୋଲିସ୍‌ ନିକଟରେ ନଥିବା ସେ କହିଛନ୍ତି ।

https://www.youtube.com/watch?v=udoCRDjqxv8

ସୂଚନାଯୋଗ୍ୟ, ଟିଜରରେ ଆଦା ଶର୍ମାଙ୍କୁ ଦେଖିବାକୁ ମିଳିଛି ।  ଯେଉଁଥିରେ ଜଣେ ମହିଳା ନର୍ସ ହେବାକୁ ସ୍ୱପ୍ନ ଦେଖିଛି କିନ୍ତୁ ତା’ର ସ୍ୱପ୍ନ , ଆଶା, ଆକାଂକ୍ଷା ସବୁ ଭାଙ୍ଗିରୁଜି ଚୁରମାର ହୋଇଯାଇଛି । ମହିଳାଙ୍କୁ ଘରୁ ଅପହରଣ କରି ନିଆଯାଇଛି ଏବଂ ଆଫଗାନିସ୍ତାନର ଏକ ଜେଲରେ ଆତଙ୍କବାଦୀ ଭାବରେ ବନ୍ଦୀ କରାଯାଇଛି ।

ନେପାଳରେ ଭୂକମ୍ପ, ଥରିଲା ଉତ୍ତର ଭାରତ

ନୂଆଦିଲ୍ଲୀ: ଭୂକମ୍ପ ଝଟକାରେ ଥରିଲା ଉତ୍ତର ଭାରତ । ବିଳମ୍ବିତ ରାତି ପ୍ରାୟ ୨ଟା ବେଳେ ଜୋରଦାର ଝଟକା ଅନୁଭୂତ ହୋଇଛି । ରାଜଧାନୀ ଦିଲ୍ଲୀରେ ଏହାର ତୀବ୍ରତା ୬.୩ ରେକର୍ଡ ହୋଇଛି । ଦିଲ୍ଲୀ ସମେତ ଦିଲ୍ଲୀ-ଏନସିଆର୍, ୟୁପି, ବିହାର, ଉତ୍ତରାଖଣ୍ଡରେ ବି ଝଟକା ଅନୁଭୂତ ହୋଇଛି ।

ଭୂକମ୍ପର କେନ୍ଦ୍ରସ୍ଥଳୀ ନେପାଳ ରହିଥିବା ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ସେସମୋଲୋଜୀ ପକ୍ଷରୁ କୁହାଯାଇଛି । ୧୦ ମିନିଟ ଧରି ରହି ରହି ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ଭୟରେ ଲୋକେ ରାଜଧାନୀର ଲୋକେ ଘରୁ ବାହାରକୁ ପଳାଇ ଆସିଥିଲେ ।

ସେପଟେ ପଡୋଶୀ ଦେଶ ନେପାଳରେ ମଧ୍ୟ ଭୂକମ୍ପର ଝଟକା ପରେ ଝଟକା ଅନୁଭୂତ ହୋଇଥିଲା । ଲଗାତାର ତିନିଟି ଝଟକା ଅନୁଭୂତ ହୋଇଥିବା ବେଳେ ଏକାଧିକ ବିଲ୍ଡିଂ ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି । ଏବେ ସୁଦ୍ଧା ଭୂମିକମ୍ପ ଯୋଗୁଁ ୬ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି ।

ହେତୁବାଦୀ-ପରମ୍ପରାବାଦୀ ସଂଘର୍ଷ ଘଟଣାରେ ୮ ଗିରଫ

ଭୁବନେଶ୍ବର: ଚନ୍ଦ୍ରଗ୍ରହଣରେ ଖାଇବାକୁ ନେଇ ହେତୁବାଦୀ ଓ ପରମ୍ପରାବାଦୀଙ୍କ ସଂଘର୍ଷରେ ପୋଲିସ ଆକ୍ସନ ମୁଡ଼ରେ । ଆକ୍ରମଣ, ପ୍ରତିଆକ୍ରମଣ ଘଟଣାରେ ୮ ଜଣଙ୍କୁ ଗିରଫ କଲା ପୋଲିସ୍ । ଗତକାଲି ଚନ୍ଦ୍ରଗ୍ରହଣ ସମୟରେ ଲୋହିଆ ଏକାଡେମୀରେ ହେତୁବାଦୀଙ୍କ ପକ୍ଷରୁ ସଭା ଚାଲିଥିବା ବେଳେ ହୋଇଥିଲା ଗଣ୍ଡଗୋଳ ।

ପୋଲିସ ଉପସ୍ଥିତିରେ ଉଭୟ ପକ୍ଷ ମାଡ଼ ମରାମରି ହୋଇଥିଲେ । ଏହାସହ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ଅଭିଯୋଗ ଆଧାରରେ ଖାରବେଳ ଥାନା ପୋଲିସ ୮ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ସେପଟେ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ହେତୁବାଦୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି ଅନ୍ୟ ଗୋଷ୍ଠୀ ।

ସୂଚନାଯୋଗ୍ୟ, ଗତକାଲି ଚନ୍ଦ୍ରଗ୍ରହଣ ସମୟରେ ହେତୁବାଦୀଙ୍କ ପକ୍ଷରୁ ସଭାର ଆୟୋଜନ କରାଯାଇଥିଲା । ଏହାକୁ ପରମ୍ପରାବାଦୀମାନେ ବିରୋଧ କରିଥିଲେ । ଏକାଧିକ ସଂଗଠନର କର୍ମକର୍ତ୍ତା ଶୋଭାଯାତ୍ରା କରି ଲୋହିଆ ଏକାଡେମୀ ପାଖରେ ପହଞ୍ଚି ଥିଲେ । ପରେ ସେଠାରେ ଉଭୟ ପକ୍ଷ ମଧ୍ୟରେ ବସଚସା ହୋଇଥିଲା । ପରେ ଏହା ହାତାହାତି ଓ ସଂଘର୍ଷର ରୂପ ନେଇଥିଲେ । ପଥରଠାରୁ ଆରମ୍ଭ କରି ଗୋବର ମାଡ଼ ପର୍ଯ୍ୟନ୍ତ ହୋଇଥିଲା । ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ ପୋଲିସକୁ ମୃଦୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା ।

ରାଜଧାନୀରେ ବସ୍ତି ବାସିନ୍ଦାଙ୍କୁ ମିଳିବ ଜମି, ଉପକୃତ ହେବେ ୯୦ ହଜାରରୁ ଊର୍ଦ୍ଧ୍ବ ପରିବାର

ଭୁବନେଶ୍ବର: ସହରରେ ନିଜ ଜମିର ମାଲିକ ହେବେ ବସ୍ତିବାସିନ୍ଦା । କାଲିଠାରୁ ରାଜ୍ୟର ୫ଟି ମହାନଗର ନିଗମରେ ବସ୍ତିବାସିନ୍ଦାଙ୍କ ସର୍ଭେ ଆରମ୍ଭ ହେବ। ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିବେ । ଜାଗା ମିଶନ ଜରିଆରେ ଭୁବନେଶ୍ୱର, ବ୍ରହ୍ମପୁର, କଟକ, ରାଉରକେଲା ଓ ସମ୍ବଲପୁରରେ ସର୍ଭେ କରାଯିବ । ଟାଟା ଟ୍ରଷ୍ଟ ଫାଉଣ୍ଡେସନ ଓ ସୂତ୍ର ଏଜେନ୍ସି ସହ ରାଜ୍ୟ ସରକାର ଏମଓୟୁ ସ୍ୱାକ୍ଷର କରିଛନ୍ତି ।

ଏରିଏଲ ଡ୍ରୋନ ସର୍ଭେ ସହ ଡୋର ଟୁ ଡୋର ସର୍ଭେ କରାଯିବ । ଭୁବନେଶ୍ୱରରେ 436ଟି ପଞ୍ଜିକୃତ ବସ୍ତିର 91ହଜାର 842 ପରିବାରଙ୍କୁ ଏହି ଜାଗା ମିଶନରେ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି। ସର୍ଭେ ତଥ୍ୟ ସଂଗ୍ରହ ପରେ ଯୋଗ୍ୟ ହିତାଧିକାରୀଙ୍କୁ ସର୍ବନିମ୍ନ 30ବର୍ଗ ମିଟରରୁ ସର୍ବାଧିକ 45ବର୍ଗ ମିଟର ପର୍ଯ୍ୟନ୍ତ ଜମି ପଟ୍ଟା ପ୍ରଦାନ କରାଯିବ । ପୂର୍ବରୁ ରାଜ୍ୟର ସମସ୍ତ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପୌର ପାଳିକାରେ ସର୍ଭେ ଶେଷ ହୋଇଥିବା ବେଳେ ଏବେ 5ଟି ମହାନଗର ନିଗମରେ ସର୍ଭେ ଆରମ୍ଭ ହେବ।

କାର ସହ କେନାଲକୁ ଡେଇଁଲେ ପରିବାର, ପତ୍ନୀଙ୍କ ବିରୋଧରେ ଆଣିଲେ ସାଙ୍ଘାତିକ ଅଭିଯୋଗ

ଚଣ୍ଡିଗଡ: ପଞ୍ଜାବରେ ସୁଇସାଇଡର ହୃଦୟ ବିଦାରକ ଚିତ୍ର ସାମନାକୁ ଆସିଛି । ଫିରୋଜପୁର ଜିଲ୍ଲାରେ ଜସବିନ୍ଦର ସିଂ ନାମକ ବ୍ୟକ୍ତି ଝିଅ, ପୁତୁରା ଓ ଭାଇଙ୍କୁ କାରରେ ନେଇ କେନାଲକୁ ଡେଇଁଛନ୍ତି । ଘଟଣାସ୍ଥଳରେ ୪ ଜଣ ପ୍ରାଣ ହରାଇଛନ୍ତି । ପୋଲିସ ଘଟଣାସ୍ଥଳରୁ ୪ ଜଣଙ୍କ ମୃତଦେହ ଜବତ କରିବା ସହ କେନାଲରୁ କାରଟି ଉଦ୍ଧାର କରିଛି । ତେବେ ମୃତ୍ୟୁ ପୂର୍ବରୁ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଛି । ଗାଡି ଚଲାଇବା ସମୟରେ ସେ କାନ୍ଦି କାନ୍ଦି ପତ୍ନୀଙ୍କୁ ଗାଳି କରୁଥିବା ଦେଖିବାକୁ ମିଳିଛି ।

ପତ୍ନୀଙ୍କ ଅବୈଧ ସମ୍ପର୍କକୁ ନେଇ ବ୍ୟକ୍ତି ଜଣଙ୍କ ଭିଡିଓରେ ବାରମ୍ବାର ଅଭିଯୋଗ କରୁଛନ୍ତି । ପତ୍ନୀଙ୍କ ଏଭଳି ସମ୍ପର୍କକୁ ବି ତାଙ୍କ ମା ଓ ଭଉଣୀ ପ୍ରୋତ୍ସାହନ ଦେଉଥିବା ସେ କହିଛନ୍ତି । ଜସବିନ୍ଦରଙ୍କ ସହ ଗାଡିରେ ବସିଥିବା ଝିଅ ଓ ପୁତୁରା ବି ବଞ୍ଚିବାକୁ ଚାହୁଁନଥିବା କହୁଥିବା ଦେଖିବାକୁ ମିଳିଛି ।

ଜସବିନ୍ଦରଙ୍କ ପତ୍ନୀ କାଲା ସିନ୍ଧୁ ନାମକ ବ୍ୟକ୍ତିଙ୍କ ସହ ଦୀର୍ଘ ତିନି ବର୍ଷ ଧରି ଆସୁଛନ୍ତି । ସବୁବେଳେ ସୌଖୀନ ଜୀବନ ବିତାଇବାକୁ ପସନ୍ଦ କରୁଥିବା ତାଙ୍କ ପତ୍ନୀ ସେଥିପାଇଁ କାଲା ସିନ୍ଧୁ ଠାରୁ ଦାମୀ ଉପହାର ମଧ୍ୟ ଗ୍ରହଣ କରୁଥିଲେ । ଯେଉଁଥିପାଇଁ ଦୀର୍ଘ ଦିନ ସମ୍ପର୍କରେ ରହିବା ପରେ ସେ ପିଲାଛୁଆ ଓ ପରିବାରକୁ ଛାଡି କାଲା ସିନ୍ଧୁ ପାଖକୁ ଚାଲି ଯାଇଥିଲେ ।

ବିମାନ ବନ୍ଦରରେ ବଗିଚା ଭ୍ରମ, ୫ ହଜାର କୋଟିରେ ନିର୍ମାଣ ହୋଇଛି କେମ୍ପାଗୋଡାର ଟର୍ମିନାଲ ୨

ବେଙ୍ଗାଲୁରୁ: ନଭେମ୍ବର ୧୧ରେ କେମ୍ପାଗୋଡା ବିମାନ ବନ୍ଦରର ନବନିର୍ମିତ ଟର୍ମିନାଲ ୨ର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୫ ହଜାର କୋଟି ଟଙ୍କାରେ ନିର୍ମିତ ଏହି ଏୟାରପୋର୍ଟ ଯାତ୍ରୀଙ୍କ ପାଇଁ ଲାଭଦାୟକ ରହିବ । ଯାତ୍ରୀଙ୍କ ଚେକ୍‌ ଇନ ଓ ଇମିଗ୍ରେସନ ବ୍ୟତୀତ ବିମାନ ବନ୍ଦରରେ କ୍ଷମତା ଧାରଣ ଦୁଇଗୁଣ ହୋଇଯିବ ।
ପ୍ରତିବର୍ଷ ଯାତ୍ରୀ ଧାରଣ କରିବାର କ୍ଷମତା କେମ୍ପାଗୋଡା ବିମାନ ବନ୍ଦରରେ ୨.୫ କୋଟି ରହିଛି । ଟର୍ମିନାଲ ୨ ଉଦଘାଟନ ପରେ ଏହା ୫ରୁ ୬ କୋଟିରେ ପହଞ୍ଚିବ ।

ସେହପରି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବେଙ୍ଗାଲୁରୁ ସହରର ସଂସ୍ଥାପକଙ୍କ ୧୦୮ ଫୁଟ ଉଚ୍ଚ କାଂସ୍ୟ ପ୍ରତିମାର ଉଦଘାଟନ କରିବେ । ହ୍ୟାଙ୍ଗିଙ୍ଗ ଗାର୍ଡେନ, ସବୁଜ ଘାସ ନିର୍ମିତ କରିଡର, ଫୁଲ ସଜ୍ଜିତ କାନ୍ଥ ନିଶ୍ଚିତ ରୂପେ କେମ୍ପାଗୋଡାରେ ଯାତ୍ରୀଙ୍କୁ ଆକର୍ଷିତ କରିବ ।

ବେଙ୍ଗାଲୁରୁର ଗାର୍ଡନ ସିଟି ଭାବେ କେମ୍ପାଗୋଡା ବିମାନ ବନ୍ଦରକୁ ସଜ୍ଜିତ କରାଯାଇଛି । ଏଠାକୁ ଆସୁଥିବା ପ୍ରତ୍ୟେକ ଯାତ୍ରୀଙ୍କୁ ବଗିଚାରେ ବୁଲିବା ସଦୃଶ ଅନୁଭବ ହେବ । ୧୦ ହଜାର ବର୍ଗମିଟରରୁ ଅଧିକ ଏରିଆରେ ସବୁଜ କାନ୍ଥ, ଝୁଲୁଥିବା ବଗିଚା ଉଦ୍ଦ୍ୟାନକୁ ଯାତ୍ରୀ ମାନେ କେମ୍ପାଗୋଡାରେ ଉପଭୋଗ କରିପାରିବେ । ସ୍ବଦେଶୀ ଟେକନିକରେ ଏହି ବଗିଚା ଗୁଡିକୁ ଭାରତରେ ନିର୍ମାଣ କରାଯାଇଛି ।

ଅପହରଣ କରି ନେଇଥିଲେ, ସକାଳୁ ଥାନା ସାମନାରେ ଫୋପାଡି ଦେଇଗଲେ ମୃତଦେହ

ସମ୍ବଲପୁର: ଅପରାଧୀଙ୍କ କବଳରେ ବୁର୍ଲା ସହର । ଯୁବକଙ୍କୁ ଅପହରଣ ପରେ ନିର୍ମମ ହତ୍ୟା । ପୋଲିସକୁ ଅପରାଧୀଙ୍କ ଖୋଲା ଚ୍ୟାଲେଞ୍ଜ । ଆଜି ସକାଳୁ ବୁର୍ଲା ଥାନା ସମ୍ମୁଖରୁ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି । ଯୁବକଙ୍କ ଶରୀରରେ ଗଭୀର କ୍ଷତ ଚିହ୍ନ ଥିବା ବେଳେ ଡାହଣ ଗୋଡ଼ର ସବୁ ନଖ ଓପାଡ଼ି ଦିଆଯାଇଥିବା ଦେଖାଯାଇଛି ।

ସକାଳ ୮ଟା ବେଳେ ଏକ ଲାଲ ରଙ୍ଗର ଗାଡ଼ିରେ ଦୁର୍ବୃତ୍ତମାନେ ଆସି ଯୁବକଙ୍କ ମୃତଦେହ ଫିଙ୍ଗି ଦେଇଥିଲେ । ସ୍ପଷ୍ଟ ଦିବାଲୋକରେ ଥାନା ଆଗରେ ରକ୍ତାକ୍ତ ମୃତଦେହ ଫିଙ୍ଗି ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଅପରାଧୀ । ମୃତଦେହ ଫୋପାଡ଼ି ଦେବା ପରେ ସେଠାରୁ ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି । ମୃତ ଯୁବକ ହେଲେ ସମ୍ବଲପୁର ବିଶ୍ଵବିଦ୍ୟାଳୟ ନିକଟ ବସନ୍ତ ବିହାର ଅଞ୍ଚଳର ରାମ ମେହେର । ତେବେ ରାମଙ୍କୁ କିଏ ଅପହରଣ କରିଥିଲା ?

କେଉଁ କାରଣରୁ ତାଙ୍କୁ ଏପରି ନିର୍ମମ ଭାବେ ହତ୍ୟା କରାଗଲା ? ସେ ସମ୍ପର୍କରେ ଜଣାପଡ଼ି ନଥିବା ବେଳେ ପୋଲିସକୁ ଅପରାଧୀଙ୍କ ଭୟ ନଥିବାରୁ ଏଭଳି ଅପରାଧ ବଢୁଛି ବୋଲି ସହରରେ ଚର୍ଚ୍ଚା ହେଉଛି । ଅନ୍ୟପଟେ ବୁର୍ଲା ସହରର ମୁଖ୍ୟ ଛକରେ ଗୋଟିଏ ହେଲେ ସିସିଟିଭି କ୍ୟାମେରା ଲଗାଯାଇନାହିଁ । ଯାହାକୁ ନେଇ ଜନଅସନ୍ତୋଷ ତୀବ୍ର ହେଉଛି ।