ନ୍ୟୁଜିଲାଣ୍ଡକୁ ହରାଇ T-20 ବିଶ୍ବକପ୍ ଫାଇନାଲରେ ପାକିସ୍ତାନ

1 min read

ସିଡନୀ: ୨୦୨୨ ଟି-୨୦ ବିଶ୍ବକପକୁ ପ୍ରଥମ ଫାଇନାଲିଷ୍ଟ ମିଳିଯାଇଛି । ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ହରାଇ ପାକିସ୍ତାନ ପ୍ରଥମ ଟିମ୍ ଭାବେ ଫାଇନାଲକୁ ଟିକେଟ୍ କାଟିଛି । ୧୫୩ ରନର ବିଜୟ ଲକ୍ଷ୍ୟକୁ ପାକିସ୍ତାନ ୧୯.୧ ଓଭରରେ ୩ ଓ୍ବିକେଟ ହରାଇ ହାସଲ କରି ନେଇଛି ।

ଆଜିର ମ୍ୟାଚରେ ପାକିସ୍ତାନ ବ୍ୟାଟ୍ସମ୍ୟାନ ରିଜଓ୍ବାନଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ୪୩ ବଲର ସମ୍ମୁଖୀନ ହୋଇ ରିଜଓ୍ବାନ ୫ ଚୌକା ସହାୟତାରେ ୫୭ ରନ କରିଥିଲେ । ଅନ୍ୟତମ ଓପନର ଅଧିନାୟକ ବାବର ଆଜମ ୪୩ ବଲ ଖେଳି ୭ ଚୌକା ସହାୟତାରେ ୫୩ ରନ୍ କରିଥିଲେ । ଉଭୟ ଆଉଟ ହେବା ପରେ ବଳକା କାମ ମହମ୍ମଦ ହାରିସ୍ ସାରି ଦେଇଥିଲେ । ସେ ୨୬ ବଲର ସମ୍ମୁଖୀନ ହୋଇ ୨ ଚୌକା ଓ ଗୋଟିଏ ଛକା ସହାୟତାରେ ୩୦ ରନ୍ କରିଥିଲେ । ସାନ ମସୁଦ ୩ ରନ କରି ଅପରାଜିତ ରହିଥିଲେ ।

ନ୍ୟୁଜିଲାଣ୍ଡ ତରଫରୁ ଟି. ବୋଲ୍ଟ ଦୁଇଟି ଓ୍ବିକେଟ ନେଇଥିବା ବେଳେ ଏମ. ସ୍ନାଟନର୍ ଗୋଟିଏ ଓ୍ବିକେଟ ନେଇଥିଲେ । ନ୍ୟୁଜିଲାଣ୍ଡର ଅନ୍ୟ କୌଣସି ବୋଲର ପାକିସ୍ତାନ ବ୍ୟାଟ୍ସମ୍ୟାନଙ୍କ ଉପରେ କୌଣସି ପ୍ରଭାବ ପକାଇ ପାରି ନଥିଲେ ।

ପ୍ରଥମେ ନ୍ୟୁଜିଲାଣ୍ଡ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଏହି ହାଇପ୍ରୋଫାଇଲ୍ ମ୍ୟାଚ୍ ଦେଖିବାକୁ ଖଚାଖଚ ଭିଡ଼ ଦେଖିବାକୁ ମିଳିଥିଲା । ତେବେ ନ୍ୟୁଜିଲାଣ୍ଡର ଆରମ୍ଭ ଭଲ ହୋଇ ନଥିଲା । ଫିନ୍ ଏଲିନ୍ ମାତ୍ର ୪ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । ଓ୍ବିକେଟକିପର ବ୍ୟାଟ୍ସମ୍ୟାନ କନଓ୍ବେ ୨୧ ରନ୍ କରିଥିବା ବେଳେ ଅଧିନାୟକ ଓ୍ବିଲିୟମସନ୍ ୪୬ ରନ୍ କରିଥିଲେ । ଡି. ମିଚେଲଙ୍କ ବ୍ୟାଟରୁ ଧୂଆଁଧାର ବ୍ୟାଟିଂ ଦେଖିବାକୁ ମିଳିଥିଲା । ମାତ୍ର ୩୫ ବଲରେ ସେ ୩ ଚୌକା ଓ ଗୋଟିଏ ଛକା ସହାୟତାରେ ଦଳ ତରଫରୁ ସର୍ବାଧିକ ୫୩ ରନ୍ କରିଥିଲେ । ଫଲିପ୍ସ ୯ ରନ୍ କରିଥିବା ବେଳେ ଶେଷ ସମୟରେ ନିଶାମ ୧୬ ରନର ଛୋଟ ପାରି ଖେଳିଥିଲେ ।

ପାକିସ୍ତାନ ତରଫରୁ ସାହିନ ଆଫ୍ରିଦ ୨ ଓ୍ବିକେଟ ନେଇଥିବା ବେଳେ ନଓ୍ବାଜ ଗୋଟିଏ ଓ୍ବିକେଟ ନେଇଥିଲେ । କନଓ୍ବେ, ସଦବ ଖାନଙ୍କ ଦ୍ବାରା ରନ୍ ଆଉଟ୍ ହୋଇଥିଲେ । ଦଳ ୨୦ ଓଭରରେ ୪ ଓ୍ବିକେଟ ହରାଇ ୧୫୨ ରନ୍ କରିଥିଲା । ଯାହାକୁ ପାକିସ୍ତାନ ୧୯.୧ ଓଭରରେ ୩ ଓ୍ବିକେଟ୍ ହରାଇ ହାସଲ କରି ନେଇଥିଲା ।

ସୂଚନାଯୋଗ୍ୟ, ଦୀର୍ଘ ୧୩ ବର୍ଷ ପରେ ପାକିସ୍ତାନ T20 ବିଶ୍ବକପ୍ ଫାଇନାଲକୁ ଯାଇଛି । ୨୦୦୯ରେ ପାକିସ୍ତାନ, ଶ୍ରୀଲଙ୍କାକୁ ହରାଇ ଚଟାପଟ୍ କ୍ରିକେଟର ତାଜ୍ ପିନ୍ଧିଥିଲା ।

ଆସନ୍ତାକାଲି ଦ୍ବିତୀୟ ସେମିଫାଇନାଲରେ ଭାରତ, ଇଂଲଣ୍ଡକୁ ଭେଟିବ । ଏହି ମ୍ୟାଚ୍ ଆଡିଲେଡରେ ଭାରତୀୟ ସମୟ ସାଢେ ଗୋଟାଏରେ ଖେଳାଯିବ ।