spot_img
Home Blog Page 3898

ଜେଲରେ ସୁରକ୍ଷା ପାଇଁ ଆପ୍ ମନ୍ତ୍ରୀଙ୍କୁ ଦେଇଛି ୧୦ କୋଟି: ସୁକେଶ ଚନ୍ଦ୍ରଶେଖର

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ଜେଲଦଣ୍ଡ ଭୋଗୁଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ଆପ୍ ନାଁରେ ସାଂଘାତିକ ଅଭିଯୋଗ ଆଣିଛି । ସୁକେଶ କହିଛି ଯେ, ଆପ୍ ନେତା ସତ୍ୟେନ୍ଦ୍ର ଜୈନକଙ୍କୁ ସେ ୧୦ କୋଟି  ଜେଲରେ ସୁରକ୍ଷା ପାଇଁ ଦେଇଛି । ସୁକେଶ ଚନ୍ଦ୍ର ଜେଲରୁ ଦିଲ୍ଲୀ ଏଲଜି ବିକେ ସକ୍ସେନାଙ୍କୁ ଏକ ଚିଠି ଲେଖି ଏ ସମ୍ପର୍କରେ ଅବଗତ କରାଇଛଇ । ସୁକେଶ ଏହି ମାମଲାର ତଦନ୍ତ କରିବା ପାଇଁ ଏଲଜିଙ୍କୁ ନିବେଦନ କରିଛି ।

ସୁକେଶ ନିଜ ଚିଠିରେ ଲେଖିଛି ଯେ, ସତ୍ୟେନ୍ଦ୍ର ଜୈନ ମୋତେ ଲଗାତାର ପଇସା ଦେବା ପାଇଁ ବାଧ୍ୟ କରିଥିଲେ । ଚାପ କାରଣରୁ ୨-୩ ଦିନର ବ୍ୟବଧାନରେ ୧୦ କୋଟି ଅର୍ଥରାଶି ଦେଇଥିଲି । ସୁକେଶ ଦାବି କରିଛି ଯେ, ସତ୍ୟେନ୍ଦ୍ର ଜୈନଙ୍କ ସମ୍ପର୍କୀୟଙ୍କ ଦ୍ୱାରା ସମ୍ପୂର୍ଣ୍ଣ ପଇସା ନିଆଯାଇଛି । ମୋଟ ୧୦ କୋଟି ଟଙ୍କା ସତ୍ୟେନ୍ଦ୍ର ଜୈନଙ୍କୁ ପଇଠ କରିଥିବା କଥା କହିଛି । ସୁକେଶ କହିଛି ଯେ ମୁଁ ସତ୍ୟେନ୍ଦ୍ର ଜୈନଙ୍କୁ ୨୦୧୫ରୁ ଜାଣିଛି ।

ମୋତେ ୨୦୧୭ରେ ଗିରଫ କରାଯାଇଥିଲା । ମୁଁ ତିହାର ଜେଲରେ ବନ୍ଦ ଥିଲି । ସତ୍ୟେନ୍ଦ୍ର ସେ ସମୟରେ ଜେଲ ମନ୍ତ୍ରୀ ଥିଲେ । ସେ ଅନେକ ଥର ଜେଲ ଆସିଥିଲେ ଏବଂ ମୋତେ କହିଥିଲେ ଯେ ତଦନ୍ତକାରୀ ଅଧିକାରୀଙ୍କ ସାମ୍ନାରେ ଆପ୍ କୁ ଦେଇଥିବା ଚାନ୍ଦା ସମ୍ପର୍କରେ କିଛି ନକହିବା ପାଇଁ । ଏଲଜିଙ୍କୁ ଲେଖିଥିବା ଚିଠିରେ ଚନ୍ଦ୍ରଶେଖର ଆଗକୁ କହିଛି ଯେ, ୨୦୧୯ରେ ସତ୍ୟେନ୍ଦ୍ର ଜୈନ ପୁଣିଥରେ ଜେଲକୁ ଆସିଥିଲେ ।

ସେ ସମୟରେ ତାଙ୍କ ସହ ତାଙ୍କ ସଚିବ ଏବଂ ବନ୍ଧୁ ସୁଶୀଲ ଥିଲେ । ସତ୍ୟେନ୍ଦ୍ର ଜୈନ ମୋତେ ପ୍ରତି ମାସରେ ୨ କୋଟି ଟଙ୍କା ପ୍ରୋଟେକ୍ସନ ମନି ଆଧାରରେ ମାଗିଥିଲେ । ଯାହାଫଳରେ ମୁଁ ଜେଲରେ ସୁରକ୍ଷିତ ରହିପାରିବି ଏବଂ ମୋତେ ଜେଲରେ ସବୁ ପ୍ରକାର ସୁବିଧା ମିଳିପାରିବ । ତେବେ ସୁକେଶର ଏହି ଆରୋପକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲ ମିଛ ବୋଲି କହିଛନ୍ତି ।

ଅରବିନ୍ଦ କେଜରିୱାଲ କହିଛନ୍ତି, ବିଜେପି ମୋରବି ଦୁର୍ଘଟଣାରୁ ଧ୍ୟାନ ହଟେଇବା ପାଇଁ ସୁକେଶର କାହାଣୀ ରଚିଛି । ବିଜେପି ସୁକେଶ କାନ୍ଧରେ ବନ୍ଧୁକ ରଖି ଚଳାଇବାକୁ ଉଦ୍ୟମ କରୁଛି । ଉଲ୍ଲେଖଯୋଗ୍ୟ, ୨୦୦ କୋଟି ଟଙ୍କାର ମନିଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ବର୍ତ୍ତମାନ ଦିଲ୍ଲୀ ମଣ୍ଡୋଲି ଜେଲ୍‌ରେ ଅଛି । ପୂର୍ବରୁ ସେ ତିହାର ଜେଲ୍‌ରେ ଥିଲା ।

୫୦ ହଜାର ଟଙ୍କାରେ ୩ ଦିନର ଶିଶୁକୁ ବିକ୍ରି !

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ବାଲିଅନ୍ତାରେ ଅଭାବନୀୟ ଘଟଣା । ରାଜଧାନୀରେ ପୁଣି ଆସିଲା ପିଲା ବିକ୍ରି ଅଭିଯୋଗ । ୫୦ ହଜାର ଟଙ୍କାରେ ୩ ଦିନର ଶିଶୁକୁ ବିକ୍ରି କରିଥିବା ନେଇ ସୂଚନା ମିଳିଛି । ବାଲିଅନ୍ତା ଥାନା ଭଇଁଚୁଆରେ ଘଟିଛି ଏଭଳି ଘଟଣା । ସାମାନ୍ୟ ଟଙ୍କା ପାଇଁ ନିଜ ପିଲାକୁ ବିକ୍ରି ବାପାମାଆ ବିକ୍ରି କରିଥିବା ଅଭିଯୋଗ । ଅଭିଯୋଗ ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଛି ଚାଇଲ୍ଡ ଲାଇନ ।

ନହରକଣ୍ଟାରୁ ଶିଶୁକୁ ଉଦ୍ଧାର କରିଛି ଚାଇଲ୍ଡଲାଇନ୍ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିବା କାରଣରୁ ବାପା-ମାଆ ବିକ୍ରି କରିଥିବା ନେଇ ସନ୍ଦେହ । କିଣିଥିବା ବ୍ୟକ୍ତିଙ୍କୁ ପଚରାଉଚରା ପଚରା ଉଚରା କରୁଛି ବାଲିଅନ୍ତା ପୋଲିସ । ତେବେ ଏଠି ପ୍ରଶ୍ନ ଉଠୁଛି ଯେ, ସାମାନ୍ୟ ଟଙ୍କା ପାଇଁ ଜନ୍ମକଲା ବାପା ମାଆ ଏତେ ନିର୍ଦ୍ଦୟୀ କେମିତି ହେଲେ । ନା ପିଲା ବିକ୍ରି ପଛରେ ଆଉ କିଛି କାରଣ ରହିଛି । ତଦନ୍ତ ପରେ ସମ୍ପୂର୍ଣ୍ଣ ଘଟଣା ସାମ୍ନାକୁ ଆସିବ ।

ଚପଲ ଫ୍ୟାକ୍ଟ୍ରିରେ ଭୀଷଣ ଅଗ୍ନିକାଣ୍ଡ, ଦୁଇ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ: ଦିଲ୍ଲୀର ନରେଲା ଇଣ୍ଡଷ୍ଟ୍ରିଆଲ ଅଞ୍ଚଳରେ ଏକ ଚପଲ ଇଣ୍ଡଷ୍ଟ୍ରିରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ଦୁଇଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଅନେକ ଆହତ ହୋଇଥିବା ସୂଚନା । ନିଆଁ ଲିଭାଇବା ପାଇଁ ଦମକଳ ୧୦ଟି ଗାଡ଼ି ଘଟଣା ସ୍ଥଳରେ ରହିଛି । ଦମକଳ ବାହିନୀ ନିଆଁ ଲିଭା କାର୍ଯ୍ୟ ଜାରି ରଖିଛି । ନିକଟସ୍ଥ ହସ୍ପିଟାଲରେ ଆହତମାନଙ୍କୁ ଭର୍ତ୍ତି କରାଯାଇଛି । ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା କୁହାଯାଉଛି ।

ତେବେ କେଉଁ କାରଣରୁ ନିଆଁ ଲାଗିଛି ସେନେଇ କିଛି ସ୍ପଷ୍ଟ କାରଣ ଜଣାପଡ଼ିନାହିଁ । କିଛି ଲୋକ ବିଲ୍ଡିଂରେ ଫସିରହିଥିବା ଆଶଙ୍କା କରାଯାଉଛି । ତିନି ମହଲା ବିଶିଷ୍ଟ ଫ୍ୟାକ୍ଟ୍ରିର ଦ୍ୱିତୀୟ ଓ ତୃତୀୟ ମହଲାରେ ନିଆଁ ଲାଗିଛି । ଦମକଳବାହିନୀ ଅଧିକାରୀଙ୍କ କହିବା ଅନୁସାରେ  ସକାଳ ୯ ଟା ୩୫ ମିନିଟରେ ଫ୍ୟାକ୍ଟ୍ରିରେ ନିଆଁ ଲାଗିଥିଲା । ସୂଚନା ପାଇଁ ଦମକକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

ସାବଧାନ! ଆପଣଙ୍କ ଅଜାଣତରେ ମୋବାଇଲରୁ ଡାଟା ଚୋରି କରୁଛି ଏହି ୫ଟି ଆଣ୍ଡ୍ରଏଡ୍ ଆପ୍

ନନ୍ଦିଘୋଷ ବ୍ୟୁରୋ: ସାଇବର ଫ୍ରଡ ମାମଲା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ନୂଆ ନୂଆ ତରିକାରେ ସାଇବର ଠକ ଲୋକଙ୍କୁ ଚୂନ ଲଗାଉଛନ୍ତି । ଏବେ ଆଣ୍ଡ୍ରଏଡ ଆପ୍ ଲୋକଙ୍କୁ ଠକିବାର ନୂଆ ମାଧ୍ୟମ ସାଜିଛି ।  ଆଣ୍ଡ୍ରଏଡ ପ୍ଲାଟଫର୍ମରେ ୟୁଜର୍ସଙ୍କୁ ବିପୁଳ ମାତ୍ରାରେ ଆପ୍ ଡାଉନଲୋଡ ଏବଂ ବ୍ୟବହାର କରିବାର ବିକଳ୍ପ ମିଳିଥାଏ, ସେହି ଆପ୍ ଗୁଡିକ ସହାୟତାରେ ଭିନ୍ନ ଭିନ୍ନ ପ୍ରକାରର କାମ ଫୋନ ସହାୟତାରେ କରାଯାଇ ଥାଏ । ଅନେକ ଥର ଆପ୍ ଜରିଆରେ ୟୁଜର୍ସଙ୍କୁ କ୍ଷତି ପହଞ୍ଚାଇବାକୁ ଉଦ୍ୟମ କରାଯାଇଥାଏ ।  ପୁଣି ଗୋଟେଥର ଏପରି ଏକ ମାମଲା ସାମ୍ନାକୁ ଆସିଛି ।

ଗୁଗୁଲ ଏପରି ଆପଗୁଡ଼ିକୁ ପ୍ଲେ ଷ୍ଟୋରରୁ ହଟାଇବାକୁ ଲଗାତାର ଉଦ୍ୟମ ଜାରି ରଖିଛି । ଏହାରି ମଧ୍ୟରେ ଏବେ ପାଞ୍ଚଟି ବିପଦଜନ୍ନକ ଆପ୍ସ ଜରିଆରେ ଡାଟା ଚୋରିର ମାମଲା ସାମ୍ନାକୁ ଆସିଛି । ଆମଷ୍ଟର୍ଡାମ ସାଇବର ସୁରକ୍ଷା କମ୍ପାନୀ ଥ୍ରେଟ୍ ଫେବ୍ରିକ ପକ୍ଷରୁ ଚେତାବନୀ ଦିଆଯାଇଛି ଯେ ସାମାନ୍ୟ ଆପ୍ ଭଳି ଦେଖାଯାଉଥିବା ୫ଟି ଆଣ୍ଡ୍ରଏଡ ଆପ୍ ୟୁଜରଙ୍କ ଅଜାଣତରେ ସେମାନଙ୍କ ଡାଟା ଚୋରି କରୁଛି ।

ଟ୍ରୋଜନ ମାଲୱେୟାର ଆଧିରିତ ଏହି ଡ୍ରପର ଆପ୍ସ ୟୁଜରଙ୍କ ଲଗଇନ୍ ଇନଫର୍ମେସନ, ଆକାଉଣ୍ଟ ନମ୍ବର ଏବଂ ବ୍ୟାଙ୍କ ସହ ସମ୍ବନ୍ଧିତ ସୂଚନା ୟୁଜର୍ସଙ୍କ ଅଜାଣତାରେ ଚୋରାଇବାରେ ସକ୍ଷମ । ଏହି ଆପ୍ ପ୍ରଡକ୍ଟିଭିଟି ଫଙ୍କ୍ସନ ଦେଉଥିବା ଦାବି କରିଥାଏ । ମାଲୱେର ଡ୍ରପର ଆପ୍ ନିକଟ ଦିନରେ ସ୍କାମର୍ସଙ୍କ ପକ୍ଷରୁ ବହୁଳ ବ୍ୟବହାର କରାଯାଉଛି ଏବଂ ଏହା ସିଧାସଳଖ ଡିଭାଇସକୁ କୌଣସି କ୍ଷତି ପହଞ୍ଚାଇନଥାଏ ।

ଏହି କାରଣରୁ ଏହି ଆପ୍ସ କୌଣସି ବି ପ୍ରକାରର ମାଲୱେୟାର ଚେକିଂ ପ୍ଲାଟଫର୍ମର ସ୍କାନରରେ ଆସିନଥାଏ ଏବଂ ଖସିଯାଇଥାଏ । ଗୋଟେଥର ଇନଷ୍ଟଲ ହେବା ପରେ ୟୁଜରଙ୍କୁ ଅପଡେଟ ଇନଷ୍ଟଲ କରିବା ପାଇଁ କହିଥାଏ ଏବଂ ଅପଡେଟ ସହ ହିଁ ଫୋନରେ ମାଲୱେୟାର ମଧ୍ୟ ଇନଷ୍ଟଲ କରି ଦିଆଯାଇଥାଏ ।

ଯଦି ଆପଣଙ୍କ ସ୍ମାର୍ଟ ଫୋନରେ ଏହି ୫ଟି ଆପ୍ ମଧ୍ୟରୁ କେହି ବି ଇନଷ୍ଟଲ ଅଛି ତେବେ ସେଗୁଡ଼ିକୁ ତୁରନ୍ତ ଅନଇନଷ୍ଟର କରିଦିଅନ୍ତୁ । ସେହି ୫ ଆପ୍ ଗୁଡିକ ହେଲା ଫାଇଲ୍ ମ୍ୟାନେଜର ସ୍ମଲ ଲାଇଟ୍, ମାଇ ଫିଟନେସ୍ ଟ୍ରାକର, ଜେଟର ଅଥେଣ୍ଟିକେସନ, କୋଡାଇସ ଫିସ୍କଲ ୨୦୨୨, ରିକଭର ଅଡିଓ, ଇମେଜେସ ଆଣ୍ଡ ଭିଡିଓ ।

ମୋରବି ପୋଲ ଦୁର୍ଘଟଣା ମାମଲା: ୧୪ରେ ଜନସ୍ୱାର୍ଥ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଗୁଜରାଟ ମୋରବି ଝୁଲାପୋଲ ଦୁର୍ଘଟଣା ମାମଲା । ଜନସ୍ବାର୍ଥ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ । ଆସନ୍ତା ୧୪ ତାରିଖରେ ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । ପୋଲ ଭୁଶୁଡ଼ିବା ଯୋଗୁ ୧୩୪ ଜଣଙ୍କ ସଲୀଳ ସମାଧୀ ପଛରେ ଠିକା ସଂସ୍ଥାର ଅବହେଳା । ବିନା ଟେଣ୍ଡରରେ ଏଲଇଡି ବଲକ ନିର୍ମାଣକାରୀ କମ୍ପାନୀ ଅଜନ୍ତା ଓରବେକୁ ଦିଆଯାଇଥିଲା ମରାମତି ଦାୟିତ୍ବ ।

ଶତାୟୁ ପୋଲର ରକ୍ଷଣାବେକ୍ଷଣ, ମରାମତି ପାଇଁ ଓରେଭା କମ୍ପାନୀ ସହ ଚୁକ୍ତି କରିଥିଲା ମୋରବି ନଗର ନିଗମ । ୨୦୩୭ ପର୍ଯ୍ୟନ୍ତ ପୋଲର ରକ୍ଷଣାବେକ୍ଷଣ ଦାୟିତ୍ବ ନେଇଥିଲା ଓରେଭା । ୭ମାସ ଧରି ବ୍ରିଜ ମରାମତି କାମ ଚାଲିଥିବାରୁ ଏହାକୁ ବନ୍ଦ ରଖାଯାଇଥିଲା । ହେଲେ ମରାମତି କାମ କରୁଥିବା କମ୍ପାନୀ ପୋଲର ପୁରୁଣା ତାର ମଧ୍ୟ ବଦଳାଇ ନଥିଲା ।

କିନ୍ତୁ ପୋଲର ଆୟୂଷ ଆହୁରି ୮ବର୍ଷ ବଢ଼ିଯାଇଛି ବୋଲି କମ୍ପାନୀ କହିଥିଲା । ମାତ୍ର ୫ ଦିନ ତଳେ ପୋଲ ସର୍ବସାଧଧାରଣଙ୍କ ପାଇଁ ଖୋଲା ଯାଇଥିବା ବେଳେ କମ୍ପାନୀକୁ ଫିଟନେସ ସାର୍ଟିଫିକେଟ ପ୍ରଦାନ କରାଯାଇ ନଥିବା ଜଣାପଡ଼ିଛି । ଘଟଣାରେ ଠିକା ସଂସ୍ଥା ନାଁରେ ହତ୍ୟା ମାମଲା ରୁଜୁ ହୋଇଛି । ଓରେଭା ଫାର୍ମର ୨ ମ୍ୟାନେଜର, ୨ ଜଣ କଣ୍ଟ୍ରାକ୍ଟର, ୨ ଜଣ ଟିକେଟ କ୍ଲର୍କ, ୩ ସିକ୍ୟୁରିଟି ଗାର୍ଡଙ୍କୁ ଗିରଫ କରାଯାଇଛି ।

ମରାମତି କାର୍ଯ୍ୟରେ ଓରେଭା କର୍ତ୍ତୃପକ୍ଷ ଅନେକ ଗାଇଡଲାଇନ ଉଲ୍ଲଂଘନ କରିଥିବା ସୂଚନା ମିଳିଛି । ଓରେଭା ମରାମତି କାମ ନିଜେ ନକରି ଦେବପ୍ରକାଶ ସଲ୍ୟୁସନ ନାମକ ଏକ ସଂସ୍ଥାକୁ କାର୍ଯ୍ୟଭାର ଦେଇଥିଲା । ୨୦୩୭ ମସିହା ଯାଏ ଓରେଭାକୁ ଏହି ବ୍ରିଜ ଦାୟିତ୍ବ ଦିଆଯାଇଥିବାବେଳେ ପ୍ରତିବର୍ଷ ଟିକେଟ ଦର ବଢାଇବା ଲାଗି ମଧ୍ୟ କୁହାଯାଇଥିଲା ।

ଫରେନସିକ ଲାବରେଟୋରୀର ରିପୋର୍ଟ ଅନୁସାରେ ବ୍ରିଜ ଉପରେ ପ୍ରବଳ ଜନସମାଗମ ହେବାରୁ ପୋଲଟି ଖସି ପଡିଥିଲା । ବଡ଼ କଥା ହେଉଛି ପୋଲର ଉଭୟ ମୁଣ୍ଡରେ ଠିଆ ହୋଇଥିବା ଲୋକଙ୍କ ମଧ୍ୟରୁ ଅଧିକାଂଶଙ୍କ ମୃତ୍ଯୁ ଘଟିଥିଲା । କାରଣ ସେଠାରେ ପାଣି ନଥିବାରୁ ଲୋକ ଗୁରୁତର ଆହତ ହୋଇ ପ୍ରାଣ ହରାଇଥିଲେ ।

ବନ ଅଧିକାରୀଙ୍କ ମାଡ଼ରେ ଲହୁ ଲୁହାଣ ଯୁବକ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ଟଙ୍ଗୀ: ବନ ଅଧିକାରୀଙ୍କ ମାଡରେ ଲହୁ ଲୁହାଣ ଯୁବକ । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି । ଏଭଳି ସଂଗୀନ ଅଭିଯୋଗ ଆସିଛି ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଂଜର ବନ କର୍ମଚାରୀଙ୍କ ବିରୋଧରେ । ସୂଚନା ଅନୁସାରେ, ବେଗୁନିଆ ସିକୋ ଫଣ୍ଡା ଗଉଡ଼ିଆପଡ଼ା ଅଞ୍ଚଳରୁ ମୋରମ ଓ ପଥର ଚାଲାଣ ଖବର ପାଇ ଭୁଷଣ୍ଡପୁର ଫରେଷ୍ଟର ରାକେଶ ପଣ୍ଡାଙ୍କ ସହ ବନ କର୍ମଚାରୀ ମାନେ ଚଢାଉ କରିଥିଲେ ।

ଚଢ଼ାଉ ବେଳେ ଗାଁର ମନୋରଂଜନ ଦାସଙ୍କୁ ଉଠାଇ ନେଇଥିଲେ ବନ କର୍ମଚାରୀ । ମନୋରଞ୍ଜନ ଚାଲାଣରେ ସାମିଲ ନଥିଲେ ବରଂ ଶୌଚ ହେବାକୁ ଯାଇଥିଲେ ବୋଲି ପରିବାର ଲୋକ କହିଥିଲେ । ହେଲେ ବନ କର୍ମଚାରୀ କଥା ନଶୁଣି ବିଟ୍ ହାଉସରେ କବାଟ ବନ୍ଦ କରି ଲୁହା ରଡ୍ ଓ ଠେଙ୍ଗାରେ ନିର୍ମମ ଭାବେ ପିଟିଥିବା ଅଭିଯୋଗ ହୋଇଛି । ବନ ଅଧିକାରୀଙ୍କ ମାଡରେ ମନୋରଂଜନଙ୍କର ପିଠି, ହାତ ଓ ଦେହରେ ଗଭୀର କ୍ଷତ ଚିହ୍ନ ଦେଖିବାକୁ ମିଳିଛି ।

ସେପଟେ ରେଞ୍ଜର କହିଛନ୍ତି ମନୋରଞ୍ଜନଙ୍କୁ ମାଡ଼ ହୋଇନି । କିଛି ଦିନ ପୂର୍ବରୁ ସମାନ ସ୍ଥାନରୁ ମୋରମ ଚାଲାଣ ଖବର ପାଇ ଚଢ଼ାଉ ବେଳେ, ମାଫିଆ ମାନେ ଖସି ଯାଇଥିଲେ । ସେତେବେଳେ ବନ କର୍ମଚାରୀ ଜଙ୍ଗଲରେ ଯାହାକୁ ଦେଖିଲେ, ତାଙ୍କୁ ମାଡ ମାରିବାରୁ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ବନ କର୍ମଚାରୀଙ୍କୁ ଅଟକ ରଖିଥିଲେ । ସିକୋ ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାରୁ ବନ କର୍ମଚାରୀ ଘଟଣାସ୍ଥଳରୁ ପଳାଇଥିଲେ ।

ପୋଲ ଦୁର୍ଘଟଣାକୁ ନେଇ ଆସନ୍ତାକାଲି ଗୁଜୁରାଟରେ ରାଜକୀୟ ଶୋକ

ଗାନ୍ଧିନଗର: ମୋରବି ପୋଲ ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ବିଳମ୍ବିତ ରାତିରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି । ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ, ଗୃହ ରାଷ୍ଟ୍ରମନ୍ତ୍ରୀ ହର୍ଷ ସାଂଘବୀ ଏବଂ ଉଚ୍ଚ ଅଧିକାରୀଙ୍କଠାରୁ ଦୁର୍ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ । ଲୋକମାନଙ୍କୁ ସମ୍ପୂର୍ଣ୍ଣ ସହାୟତା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଆସନ୍ତାକାଲି ଅର୍ଥାତ ୨ ନଭେମ୍ବରରେ ରାଜ୍ୟରେ ରାଜକୀୟ ଶୋକ ପାଳନ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ସମସ୍ତ ସରକାରୀ ଭବନରେ ତ୍ରିରଙ୍ଗା ଅର୍ଦ୍ଧନମିତ ରହିବ । ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀ ମୋଦୀ ମୋରବି ପୀଡିତ ପରିବାରକୁ ଭେଟିବା ପାଇଁ ଯିବେ । ସୋମବାର ପିଏମ ମୋଦି ନିଜ ରୋଡ୍ ଶୋ ମଧ୍ୟ ରଦ୍ଦ କରିଥିଲେ । ଅନ୍ୟପକ୍ଷରେ କଂଗ୍ରେସ ମଧ୍ୟ ପରିବର୍ତ୍ତନ ଯାତ୍ରା ଗୋଟିଏ ଦିନ ପାଇଁ ସ୍ଥଗିତ କରିଛି ।

ସୂଚନାଥାଉକି ଗତ ରବିବାର ସନ୍ଧ୍ୟାରେ ଗୁଜୁରାଟର ମୋରବିରେ କେବୁଲ ପୋଲ ଭୁଶୁଡ଼ି ପଡ଼ିଥିଲା । ଏହି ପୋଲ ଉପରେ ପ୍ରାୟ ୫୦୦ ଲୋକ ଛିଡା ଥିଲେ । ଏହି ମାଚ୍ଛୁ ନଦୀରେ ଝୁଲନ୍ତା ପୋଲ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୧୩୪ ହୋଇଥିବା ବେଳେ ନିଖୋଜ ଅଛନ୍ତି ଆହୁରି ଅନେକ । ବାୟୁସେନା, ନୌସେନା,  ଏନଡିଆରଏଫ, ଏସଡିଆରଏଫ ପକ୍ଷରୁ ଚାଲିଛି ଉଦ୍ଧାର କାର୍ଯ୍ୟ । ଦୁର୍ଘଟଣାରେ ୪୭ ପିଲାଙ୍କ ବି ମୃତ୍ୟୁ ଘଟିଛି ।

ଆଜିଠାରୁ ଆରମ୍ଭ ହେବ ଭାରତର ପ୍ରଥମ ଡିଜିଟାଲ କରେନ୍ସି

ମୁମ୍ବାଇ: ଭାରତର ପ୍ରଥମ ଡିଜିଟାଲ କରେନ୍ସି ଆଜିଠାରୁ ଆରମ୍ଭ ହେବାକୁ ଯାଉଛି । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ପରୀକ୍ଷାମୂଳକ ଭାବେ ଏହି କରେନ୍ସିର ଶୁଭାରମ୍ଭ ହେବ । ଏଥିରେ ୯ଟି ବ୍ୟାଙ୍କକୁ ସାମିଲ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ହୋଲସେଲ ସେଗମେଣ୍ଟରେ ଏହି କରେନ୍ସିର ବ୍ୟବହାର ହେବ । ମାସେ ମଧ୍ୟରେ ଖୁଚୁରା କ୍ଷେତ୍ର ଲାଗି ଏହାକୁ ପ୍ରସ୍ତୁତ କରିବାକୁ ଆରବିଆଇ ଯୋଜନା ପ୍ରସ୍ତୁତ କରିଛି ।

ଆନ୍ତଃବ୍ୟାଙ୍କ କାରବାର ଖର୍ଚ୍ଚ କମାଇବା, ଭାରତରେ ବିଦେଶୀ ନାଗରିକଙ୍କ ଲାଗି ସହଜ କାରବାର, ବିଭିନ୍ନ ସରକାରୀ ବ୍ୟାଙ୍କ ଗ୍ୟାରେଣ୍ଟି ପାଇଁ ଏହି କରେନ୍ସି ସହାୟକ ହୋଇପାରିବେ । ଦିନକୁ ଦିନ ବଢ଼ିଚାଲିଥିବା ଡିଜିଟାଲ ଇକୋନୋମି ସହ ତାଳ ଦେଇ ଆରବିଆଇ ନିଜର ଏହି କରେନ୍ସିକୁ ସାମନାକୁ ଆଣିଛି । ବଡ ବଡ଼ କାରବାରରେ ଅର୍ଥ ପରିବର୍ତ୍ତେ ଡିଜିଟାଲ କରେନ୍ସିକୁ ପ୍ରାଧାନ୍ୟ ଦେବାକୁ ଲକ୍ଷ୍ୟ ରଖିଛି କେନ୍ଦ୍ରୀୟ ବ୍ୟାଙ୍କ ।

ଏହି ପ୍ରକ୍ରିୟାରେ ଏସବିଆଇ, ବ୍ୟାଙ୍କ ଅଫ ବରୋଦା, ୟୁନିଅନ ବ୍ୟାଙ୍କ ଅଫ ବରୋଦା, ଏଚଡିଏଫସି, ଆଇସିଆଇସିଆଇ, କୋଟାକ ମହିନ୍ଦ୍ରା, ୟେଶ ବ୍ୟାଙ୍କ, ଆଇଡିଏଫସି ଫାଷ୍ଟ ବ୍ୟାଙ୍କ, ଏଚଏସବିସିକୁ ପ୍ରଥମ ପର୍ଯ୍ୟାୟରେ ସାମିଲ କରାଯିବ । ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ କରେନ୍ସି ବା ସିବିଡିସି ହେଉଛି ଏକ ଡିଜିଟାଲ ବା ଭର୍ଚୁଆଲ କରେନ୍ସି । ମାତ୍ର ଏହା ପ୍ରାଇଭେଟ ଭର୍ଚୁଆଲ କରେନ୍ସି ବା ବିଟକଏନ, ଏଥିରିୟମ ପରି କ୍ରିପ୍ଟୋକରେନ୍ସି ପରି ହେବନାହିଁ ।

ଧବଳେଶ୍ୱର ପୋଲ ମରାମତି ପାଇଁ ପୀଠରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ୧୪୪ ଧାରା ଜାରି

କଟକ: ଆଗକୁ ଆସୁଛି ବଡ଼ଓଷା । ପବିତ୍ର ଧବଳେଶ୍ବରଙ୍କ ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ଗୁଜୁରାଟ ଝୁଲା ପୋଲ ଭୁଶୁଡିବା ପରେ ପ୍ରଶାସନକୁ ଘାରିଛି ଧବଳେଶ୍ବର ପୋଲ ସୁରକ୍ଷା ଚିନ୍ତା । ମରାମତି ପାଇଁ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୪୪ ଧାରା ଜାରି କରିଛି ପ୍ରଶାସନ । ଆଜିଠୁ ପୀଠକୁ ଯିବା ପାଇଁ ଭକ୍ତଙ୍କୁ ବାରଣ କରାଯାଇଛି ।

ଧବଳେଶ୍ବର ପୀଠକୁ ଯିବା ପାଇଁ ଗୋଟିଏ ମାତ୍ର ମାଧ୍ୟମ ପାଲଟିଥିବା ଝୁଲା ପୋଲ ଏବେ ଦୁର୍ବଳ ଅବସ୍ଥାରେ ରହିଛି । ବିଶେଷଜ୍ଞ ଟିମଙ୍କ ଦ୍ବାରା ସ୍ଥିତି ଅନୁଧ୍ୟାନ ପରେ ମରାମତି ପାଇଁ ପୀଠରେ ୧୪୪ ଧାରା ଲାଗୁ ହୋଇଛି । ଆଜିଠୁ ଝୁଲା ପୋଲର ମରାମତି କାମ ଆରମ୍ଭ ହୋଇଛି । କାର୍ତ୍ତିକ ମାସରେ ବାବା ଧବଳେଶ୍ବରଙ୍କୁ ଦର୍ଶନ ପାଇଁ ଭକ୍ତଙ୍କ ଗହଳି ଲାଗିଥାଏ ।

ହେଲେ ଝୁଲା ପୋଲ ମରାମତି ପାଇଁ ପୀଠରେ ୧୪୪ ଧାରା ଲାଗୁ ହୋଇଥିବାରୁ ନିରାଶ ହୋଇଛନ୍ତି ଭକ୍ତ । ପୀଠରେ ଖାଁ ଖାଁ ପରିବେଶ ଥିବା ବେଳେ, ନୀତି କାନ୍ତି କିନ୍ତୁ ଜାରି ରହିଛି । ୨୦୦୬ ମସିହାରେ ନିର୍ମିତ ହୋଇଥିବା ଏହି ପୋଲର ଧାରଣ କ୍ଷମତା ଧୀରେ ଧୀରେ କମି ୨୦୦ରେ ପହଞ୍ଚିଛି ।

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ

ବାରିପଦା: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ । ଶିମିଳିପାଳ ଜାତୀୟ ଅଭୟାରଣ୍ୟର ସୌନ୍ଦର୍ଯ୍ୟକୁ ଉପଭୋଗ ପାଇଁ ଆଜି ସକାଳୁ ରାଜ୍ୟ ତଥା ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ଓ ଝାରଖଣ୍ଡରୁ ପର୍ଯ୍ୟଟକଙ୍କ ଭିଡ଼ ଲାଗିଛି । ପ୍ରଥମ ଦିନରେ ପୀଠବଟା ଗେଟ ବନବିଭାଗ ପକ୍ଷରୁ ପର୍ଯ୍ୟଟକଙ୍କୁ ଗୋଲାପ ଫୁଲ ଦେଇ ସ୍ୱାଗତ କରାଯାଇଛି । ସକାଳ ୬ଟାରୁ ୯ଟା ଭିତରେ ପ୍ରବେଶ ଅନୁମତି ରହିଛି ।

ଶିମିଳିପାଳ ଅଭୟାରଣ୍ୟକୁ କେଵଳ ପରିଭ୍ରମଣ କରି ଫେରିବାକୁ ଚାହୁଁଥିବା ପର୍ଯ୍ୟଟକମାନେ ଉଭୟ ଲୁଲୁଙ୍ଗ ଏବଂ ଯଶୀପୁର ଫାଟକ ଦେଇ ଅନୁମତି ପାଶ ନେଇ ଯାଇପାରିବେ । ରାତ୍ରୀ ଯାପନ କରିବାକୁ ଚାହୁଁଥିବା ପର୍ଯ୍ୟଟକମାନେ OTDC କିମ୍ବା www.ecotourodisa.com ୱେବସାଇଟରେ ଅନଲାଇନରେ କଟେଜ ବୁକିଙ୍ଗ କରି ଏହି ସୁବିଧା ନେଇ ପାରିବେ ।

ଦେଶର ଅଷ୍ଟମ ଜୈବମଣ୍ଡଳ ଶିମିଳିପାଳର ଜୈବବିଭିଧତାକୁ ଉପଭୋଗ କରିବାକୁ ଶିମିଳିପାଳ ଅଭୟାରଣ୍ୟ ଭିତରେ 5 ଟି ଇକୋଟୁରିଜିମ କପ୍ଲେକ୍ସ ଯଥା ରାମତୀର୍ଥ, ଗୁଡୁଗୁଡିଅ।, କୁମାରୀ, ଜାମୁଅଣି ଏବଂ ବରେହିପାଣିରେ ରାତ୍ରୀ ରହଣୀର ବ୍ୟବସ୍ଥା ରଖାଯାଇଛି । ଚଳିତ ବର୍ଷ ପର୍ଯ୍ୟଟକମାନଙ୍କ ପାଇଁ ଶିମିଳିପାଳକୁ ଅଧିକ ଉପଭୋଗ୍ୟ କରିବାକୁ ସାଇକେଲ ରାଇଡିଂ ଏବଂ ପିଲାମାନଙ୍କ ପାଇଁ ଇନଡୋର ଗେମ ଇତ୍ୟାଦିର ବ୍ୟବସ୍ଥା କରାଯାଇଛି ।

ୱାଚ ଟାୱାରରୁ ବନ୍ୟଜନ୍ତୁକୁ ଦେଖିବାର ସୁଯୋଗ ପାଇବେ ପର୍ଯ୍ୟଟକ । ତେବେ ପର୍ଯ୍ୟଟକଙ୍କ ପାଇଁ ପ୍ରତ୍ୟେକ ଦିନ ଯଶୀପୁର ତନଖି ଫାଟକ ଦେଇ ୩୫ଟି ଓ ବାରିପଦା ପୀଠାବଟା ତନଖି ଫାଟକ ଦେଇ ୨୫ଟି ପର୍ଯ୍ୟଟକଙ୍କ ଗାଡିକୁ ପ୍ରବେଶ ପାଇଁ ଅନୁମତି ମିଳିବ । ଅନ୍ୟପକ୍ଷରେ ପ୍ରଥମ ଦିନରେ ଶିମିଳିପାଳ ଅଭୟାରଣ୍ୟକୁ ପ୍ରବେଶ ସୁଯୋଗ ପାଇ ଥିବାରୁ ପର୍ଯ୍ୟଟକଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି ।