spot_img
Home Blog Page 3900

ମେକ୍‌ ଇନ୍‌ ଓଡିଶା ୱେବସାଇଟ ଓ ମୋବାଇଲ ଆପ୍‌ ଲଞ୍ଚ୍‌ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମେକ୍‌ ଇନ ଓଡିଶା ୱେବସାଇଟ ଓ ମୋବାଇଲ ଆପ୍‌ ଲଞ୍ଚ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରତିନିଧିମାନେ ସର୍ବଦଳୀୟ ଅଧିବେଶନ, ଥିମେଟିକ୍ ଅଧିବେଶନ, ବ୍ୟବସାୟ ନେତୃତ୍ୱ ଆଲୋଚନା, ସେକ୍ଟରାଲ୍ ଅଧିବେଶନ ଏବଂ ପୋର୍ଟାଲରେ ବକ୍ତାମାନଙ୍କ ସବିଶେଷ ତଥ୍ୟ ପାଇପାରିବେ । ସେହିପରି କନକ୍ଲେଭ ପାଇଁ ପ୍ରତିନିଧି ମାନେ ପଞ୍ଜୀକୃତ କରି ଭ୍ରମଣ ସମୟରେ ସେମାନଙ୍କର ଯାତ୍ରା ଏବଂ ରହଣି ବୁକ୍ କରିପାରିବେ । ଆଣ୍ଡ୍ରଏଡ୍ ୟୁଜର ମାନେ ପ୍ଲେଷ୍ଟୋରରୁ ଏହି ମୋବାଇଲ ଆପ୍‌ ଡାଉନଲୋଡ କରିପାରିବେ । ସେହିପରି ଆପଲ୍ ଆପଷ୍ଟୋରରେ ଆପଲ୍‌ ୟୁଜର ମାନଙ୍କ ପାଇଁ ଏହି ମୋବାଇଲ ଆପ୍‌ ଉପଲବ୍ଧ ରହିଛି ।

ଓଡ଼ିଶା ପୋର୍ଟାଲରେ ମେକ୍ ଇନ ଓଡିଶା କନକ୍ଲେଭ ୨୦୨୨ ସମ୍ବନ୍ଧୀୟ ସମସ୍ତ ତଥ୍ୟ ମିଳିପାରିବ । ପାଞ୍ଚ ଦିନିଆ ମେକ ଇନ ଓଡିଶା କନକ୍ଲେଭ କାର୍ଯ୍ୟକ୍ରମରେ ୨୦ ଟି ଅଧିବେଶନ ସହିତ ୩ ଟି କନକ୍ଲେଭ ହେବ। କାର୍ଯ୍ୟକ୍ରମରେ ନିବେଶକମାନେ ରାଜ୍ୟର ଶିଳ୍ପ ଦକ୍ଷତା ଏବଂ ଭବିଷ୍ୟତର ସମ୍ଭାବନା ଜାଣିବାର ସୁଯୋଗ ପାଇବେ । ମୁଖ୍ୟମନ୍ତ୍ରୀ ନବୀନଙ୍କ ନେତୃତ୍ବରେ ସରକାର ଦୁବାଇ, ମୁମ୍ବାଇ, ନୂଆଦିଲ୍ଲୀ, ହାଇଦ୍ରାବାଦ ଏବଂ ବେଙ୍ଗାଲୁରୁରେ ୧୦ ଟି ରୋଡ୍ ସୋର ଆୟୋଜନ କରିଛନ୍ତି ।

ଓଡିଶା ଶିଳ୍ପାୟନରେ ମେକ୍‌ ଇନ୍‌ ଓଡିଶା ପ୍ରମୁଖ ଭୂମିକା ଗ୍ରହଣ କରିବା ଉଦ୍ଦେଶ୍ୟରେ ସମସ୍ତ ବିଭାଗକୁ ଦାୟିତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଉତ୍ପାଦନ ପୁଞ୍ଜି ବିନିଯୋଗରେ ଓଡିଶା ଆଜି ଭାରତର ଶୀର୍ଷ ରାଜ୍ୟମାନଙ୍କ ମଧ୍ୟରେ ସ୍ଥାନିତ ହୋଇଛି । ଇଜ୍‌ ଅଫ ଡୁଇଙ୍ଗ ବିଜନେସ୍‌ରେ ଓଡିଶାକୁ ଆଚିଭର୍‌ ମାନ୍ୟତା ମିଲିଛି । ଯାହା କି ରାଜ୍ୟ ପାଇଁ ଗୌରବର ବିଷୟ । ଫଳରେ ମେକ୍ ଇନ୍ ଓଡିଶା କନକ୍ଲେଭ୍ ୨୨ରେ ଓଡିଶାର ଶିଳ୍ପ ଅଭିବୃଦ୍ଧି କାହାଣୀ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ହେବା ନିଶ୍ଚିତ କରିବାକୁ ସେ ସଭିଙ୍କୁ ଆହ୍ୱାନ କରିଛନ୍ତି।

ଓଡିଶାର ଅଭିବୃଦ୍ଧି କାହାଣୀ ପ୍ରଦର୍ଶନ କରି ସାରା ବିଶ୍ୱରେ ନିବେଶକଙ୍କ ସାମନାରେ ଉପସ୍ଥାପନ କରିବା ପାଇଁ ମେକ୍ ଇନ୍ ଓଡିଶା କନକ୍ଲେଭ, ୨୦୨୨ ଏକ ପ୍ଲାଟଫର୍ମ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଆଗାମୀ ୩୦ ଦିନ ମଧ୍ୟରେ ଏହି ବର୍ଷର ଇଭେଣ୍ଟ ଆହୁରି ଭଲ ହେବା ପାଇଁ ସମସ୍ତ ଉଦ୍ୟମ କରିବାକୁ ପଡିବ ବୋଲି ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । FICCI କୁ ଜାତୀୟ ଶିଳ୍ପ ସହଭାଗିତା କରିଛି ଓଡିଶା । ଏହି କାର୍ଯ୍ୟକ୍ରମ ପାଇଁ ସରକାର ଅଧିବେଶନର ସମସ୍ତ ବିବରଣୀ ଚୂଡାନ୍ତ କରିଛନ୍ତି ।

ଗିରଫ କରିବାକୁ ଯାଇଥିଲେ ଥାନା ଅଧିକାରୀ, ଭ୍ୟାନ୍‌ ଭିତରୁ ଘୋଷାଡି ଆଣି ମାଡ ମାରିଲେ ଦୁର୍ବୃତ୍ତ

ଢେଙ୍କାନାଳ: ରାସ୍ତା ଉପରେ ଥାନା ଅଧିକାରୀଙ୍କୁ ନିର୍ଦ୍ଧୁମ ମାଡ । ଟେଣ୍ଟ ଲାଇଟ୍ ଭଙ୍ଗା ଘଟଣାକୁ ନେଇ ଦୁଇ ଯୁବକ ଘଟାଇଲେ ତୁମୁଳ କାଣ୍ଡ । ଢେଙ୍କନାଳ ଜିଲ୍ଲା କଣ୍ଟାବଣିଆ ବଜାରରେ ଘଟିଛି ଏହି ଅଭାବନୀୟ ଘଟଣା । କଣ୍ଟାବଣିଆ ବଜାରରେ ଲକ୍ଷ୍ମୀପୂଜା ପାଇଁ ଲାଇଟସେଟିଂ ଚାଲିଥିଲା ବେଳେ କଣ୍ଟାବଣିଆ ଗାଁର ବାବୁଲି ରାଉତ ଓ ତାଙ୍କ ଭିଣୋଇ ମନୋଜ ବେହେରା ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ପରେ ଲାଇଟ୍ ସବୁ ଭାଙ୍ଗିଥିଲେ ।

ଟେଣ୍ଟ ହାଉସ ମାଲିକ ଦାଶରଥୀ ସେଠୀଙ୍କ ଅଭିଯୋଗ ପରେ କଣ୍ଟାବଣିଆ ଭାରାପ୍ରାପ୍ତ ଅଧିକାରୀ ସବିତା ପାତ୍ର ଘଟଣାସ୍ଥଳକୁ ଯାଇ ବାବୁଲିକୁ କାବୁ କରି ଥାନାକୁ ନେଉଥିଲେ । ହଠାତ୍ ବୋଲେରୋ ମଧ୍ୟରେ ଥାନାଧିକାରୀଙ୍କୁ ଅଭିଯୁକ୍ତ ଅତର୍କିତ ଆକ୍ରମଣ କରି ମାରିଦେବାକୁ ଉଦ୍ୟମ କରିଥିଲା । ଏଥିରେ ଥାନାଧିକାରୀ ଓ ଜଣେ ASI ଆହତ ହୋଇଥିଲେ । ପରେ ଦୁଇ ଦୁର୍ବୃତ୍ତ ଜଣଙ୍କୁ କାବୁ କରି ନେଇଥିଲେ ପୋଲିସ। ଘଟଣାକୁ ନେଇ ୨ଟି ମାମଲା ରୁଜୁ ହୋଇଛି ।

ଘରକୁ ଆସିଲେ ଏକାଠି ଖାଇଲେ, କେହି ନଥିବା ବେଳେ ଝୁଲି ପଡିଲେ ପ୍ରେମିକ

ସୋନପୁର: ବିବାହିତ ମହିଳାଙ୍କ ସହ ଅବୈଧ ପ୍ରେମ ସମ୍ପର୍କ ନେଇଗଲା ଜୀବନ । ଯୁବକ ହାରିଲେ ଜୀବନ । ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଚି଼ଙ୍ଗିରିକଣ୍ଟା ଗାଁର ଏହି ଘଟଣା ଏବେ ପୂରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଗାଁର ଚିନ୍ମୟ କୁମ୍ଭାରଙ୍କ ମୃତଦେହ ହୀରାକୁଦ ଟାଙ୍କିପଡ଼ାରୁ ଉଦ୍ଧାର ହୋଇଛି । ଗତ ୨୯ ତାରିଖ ଚିନ୍ମୟ ନିଜ ପିଉସୀଙ୍କ ଘର ବରଗଡ଼ ଯିବାକୁ କହି ଘରୁ ଆସିଥିଲେ ।

ହେଲେ ସେଠାକୁ ସେ ନଯାଇ ହୀରାକୁଦ ଟାଙ୍କିପଡ଼ାରେ ଥିବା ମହିଳାଙ୍କ ଘର ତଥା ରାଜେଶ ପେରାଙ୍କ ଘରେ ପହଞ୍ଚିଥିଲେ । ଗତକାଲି ଚିନ୍ମୟଙ୍କ ମୃତଦେହ ରାଜେଶଙ୍କ ଘରୁ ଉଦ୍ଧାର ହୋଇଥିଲା । ସେ ଆତ୍ମହତ୍ୟା କରିଥିବା ନେଇ ମହିଳାଙ୍କ ସ୍ବାମୀ ରାଜେଶ କହିଛନ୍ତି । ସେପଟେ ଚିନ୍ମୟଙ୍କ ପରିବାର ହୀରକୁଦରେ ପହଞ୍ଚି ପୁଅକୁ ହତ୍ୟା କରା ଯାଇଥିବା ଅଭିଯୋଗ ଆଣିଛନ୍ତି । ଏନେଇ ହୀରାକୁଦ ଥାନାରେ ଲିଖିତ ଅଭିଯୋଗ ହୋଇଛି ।

ମୃତ ଚିନ୍ମୟ ଦୀର୍ଘ ଦିନ ହେବ ଵିବାହିତ ମହିଳାଙ୍କୁ ପ୍ରେମ ନିବେଦନ କରିବା ସହିତ ତାଙ୍କୁ ବିବାହ କରିବା ପାଇଁ ବାଧ୍ୟ କରୁଥିଲେ । ତେବେ ଗତ ୨୯ ତାରିଖ ଦିନ ଚିନ୍ମୟ ମହିଳାଙ୍କ ଘରେ ଆସି ପହଞ୍ଚିଥିଲେ । ତାଙ୍କୁ ଘରକୁ ଆସିବାକୁ ଅନୁମତି ଦେଇ ମହିଳା ଜଣକ ଖାଇବାକୁ ଦେଇଥିବା ମଧ୍ୟ ସେ ସ୍ବୀକାର କରିଛନ୍ତି । ହେଲେ ଚିନ୍ମୟ ଆତ୍ମହତ୍ୟା କରିଛନ୍ତି ବୋଲି ମହିଳା ସୂଚନା ଦେଇଛନ୍ତି ।

ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ନବୀନ, ୧୮ ମାସରେ ହେବ ୫ ବର୍ଷର କାମ

ଧାମନଗର: ‘ଧାମନଗରର ବିକାଶ ଆହୁରି ଆଗକୁ ବଢିବ। ସାଧାରଣ ନିର୍ବାଚନ ଆଉ ମାତ୍ର ୧୮ ମାସ ରହିଲା । ଏ ସମୟ ଭିତରେ ପାଞ୍ଚ ବର୍ଷର କାମ କରିବୁ । ଏହା ମୁଁ ନିଜେ ଦେଖିବି। ଧାମନଗରର ବିକାଶ ଆହୁରି ଆଗକୁ ବଢିବ ’। ଏ ନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀଙ୍କୁ ଶଂଖ ଚିହ୍ନରେ ଭୋଟ ଦେଇ ଆଶୀର୍ବାଦ କରନ୍ତୁ । ଧାମନଗର ନିର୍ବାଚନ ମଣ୍ଡଳୀର ବିକାଶ ଦାୟିତ୍ବ ମୋର କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।

ବିଜୁ ଜନତା ଦଳ ସବୁବେଳେ ଆପଣମାନଙ୍କ ସାଥିରେ ଅଛି । ସୁଖଦୁଃଖ ସବୁବେଳେ ଆପଣମାନଙ୍କ ପାଖରେ ଅଛି । ଆପଣମାନଙ୍କ ପାଇଁ କାମ କରିଆସୁଛି । ସବୁବର୍ଗର ଲୋକଙ୍କ କଲ୍ୟାଣ ପାଇଁ କାମ କରୁଛି ।ଧାମନଗର ହେଉଛି ଶାନ୍ତି, ସଦ୍ଭାବର ଭୂମି। ଭାଇଚାରାର ଭୂମି। ଏହା ଧାମନଗରର ସବୁଠାରୁ ବଡ ପରିଚୟ। ଏହି ପରିଚୟର ସୁରକ୍ଷା ପାଇଁ ଆମେ ସମସ୍ତେ କାମ କରୁଛୁ । କାଳିଆ ଯୋଜନା ହେଉ ବା ମିଶନ ଶକ୍ତି ବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା – ସବୁ ଯୋଜନାର ସୁବିଧା ଆପଣ ମାନଙ୍କ ପାଖରେ ପହଞ୍ଚି ପାରିଛି । ମା ମାନେ ସଶକ୍ତ ହେଉଛନ୍ତି। ମିଶନ ଶକ୍ତି ସେମାନଙ୍କ ନୂଆ ପରିଚୟ ହୋଇଛି । ମା ମାନଙ୍କ ଭଲ କାମ ହିଁ ମୋତେ ବହୁତ ଖୁସି ଦେଇଛି । ତେଣୁ ଜଣେ ମା’କୁ ଆପଣଙ୍କ ବିଧାୟକ ଭାବରେ ଦେଖିବାକୁ ଚାହେଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ମା’ ମାନେ ସବୁ ଦାୟିତ୍ବକୁ ସୁନ୍ଦର ଭାବରେ ନିର୍ବାହ କରିପାରୁଛନ୍ତି। ଆପଣଙ୍କ ସହଯୋଗରେ ଓଡିଶା ଆଜି ବିକାଶ କ୍ଷେତ୍ରରେ ସାରା ଦେଶରେ ସୁନାମ କରିଛି । ଆପଣାନଙ୍କ ସହଯୋଗରେ ଏ ଧାରା ଆହୁରି ଆଗକୁ ବଢିବ ବୋଲି ବିଶ୍ବାସ ଜନ୍ମାଇଛନ୍ତି ନବୀନ ।

2019 ନିର୍ବାଚନରେ ଆପଣମାନେ ଯେଉଁ ମତ ରଖିଥିଲେ, 2022 ପଞ୍ଚାୟତ ଓ ପୌର ନିର୍ବାଚନରେ ସେଥିରେ ପରିବର୍ତ୍ତନ କରିଛନ୍ତି। ଶଙ୍ଖ ଚିହ୍ନରେ ବିଶ୍ବାସ ରଖିଛନ୍ତି। ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ଆପଣମାନେ ବିଜୁ ଜନତା ଦଳକୁ, ଶଙ୍ଖ ଚିହ୍ନକୁ ଯେଭଳି ବିପୁଳ ସମର୍ଥନ ଦେଇଛନ୍ତି, ସେବାର ସୁଯୋଗ ଦେଇଛନ୍ତି, ସେଥିପାଇଁ ଋଣୀ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଧାମନଗରର ୬ଟି ଜିଲ୍ଲା ପରିଷଦ ଆସନରୁ ସବୁ ଆସନରେ ବିଜୁ ଜନତା ଦଳକୁ ସେବାର ସୁଯୋଗ ଦେଇଛନ୍ତି। ସେହିପରି ଧାମନଗର ଏନ.ଏ.ସିର ୧୧ଟି ୱାର୍ଡରୁ ୯ଟି ୱାର୍ଡ ସହିତ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଦାୟିତ୍ବ ମଧ୍ୟ ଆପଣମାନେ ବିଜେଡିକୁ ଦେଇଛନ୍ତି। ଦଳୀୟ ପ୍ରାର୍ଥୀଙ୍କ ପାଇଁ ଆଜି ଏଭଳି ଭୋଟ୍ ମାଗିଲେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅବନ୍ତୀ ଦାସଙ୍କ ପାଇଁ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ।

୧୩ଟି ସଭାରେ ଧାମନଗରବାସୀଙ୍କୁ ଉଦବୋଧନ ଦେଇଛନ୍ତି ନବୀନ । ଏହା ପୂର୍ବରୁ ଗ୍ରାଉଣ୍ଡରେ ବଢିଛି କ୍ରେଜ୍ । ନବୀନଙ୍କ ପ୍ରଚାର ଲାଗି ବିଜେଡି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଅଧିକ ଲୋକଙ୍କ ସୁବିଧା ପାଇଁ କରାଯାଇଛି ଏଲଇଡି ବ୍ୟବସ୍ଥା । ନବୀନଙ୍କ ପ୍ରଚାର ପରେ ସବୁଥର ପରି ବିଜେଡିର ସ୍ଥିତି ଆହୁରି ସୁଦୃଢ଼ ହେବ ବୋଲି ରାଜନୈତିକ ସମୀକ୍ଷକ ଆକଳନ କରିଛନ୍ତି ।

ଗାଁ ଗାଁରେ ବିଜେଡି କର୍ମୀ ପ୍ରଚାର ଜାରି ରଖିଛନ୍ତି । ବିକାଶ ପାଇଁ ବିଜେଡିକୁ ବାଛିବାକୁ ଲୋକଙ୍କୁ ବୁଝାଉଛନ୍ତି ଦଳୀୟ ନେତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନହିତକର ଯୋଜନାର ସଫଳତା ଭୋଟରଙ୍କ ଆଗରେ ରଖୁଛନ୍ତି । ସେପଟେ ବିରୋଧୀ ବିଜେପି ଓ କଂଗ୍ରେସ ମଧ୍ୟ ଶେଷ ମୁହୂର୍ତ୍ତରେ ପ୍ରଚାରକୁ ଜୋରଦାର କରିଛନ୍ତି ।

ପରିବାରର ୪ ଜଣଙ୍କ ମୃତଦେହ ମିଳିବା ଘଟଣା, ରହସ୍ୟମୟ କରୁଛି ପାରିପାର୍ଶ୍ବିକ ସ୍ଥିତି

ବରଗଡ଼: ଗୋଟିଏ ପରିବାରର ୪ ଜଣଙ୍କ ମୃତଦେହ ମିଳିବାର ପାରିପାର୍ଶ୍ବିକ ସ୍ଥିତି ଘଟଣାକୁ ଆହୁରି ରହସ୍ୟମୟ କରିବାରେ ଲାଗିଛି । ପ୍ରାଥମିକ ତଦନ୍ତ ପରେ ହତ୍ୟା ମାମଲା ରୁଜୁ କରିଛି ପୋଲିସ । ମାଆ, ବାପା ଓ ଭଉଣୀକୁ ହତ୍ୟା କରିବା ପରେ ପୁଅ ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି । ଶେଷଦେବ, କ୍ଷୀରେଶ୍ବର ଓ ଶିବାନୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଅରବିନ୍ଦଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା । ଗତକାଲି ଭେଡେନ ବ୍ଲକ ଜାଣ୍ଡୋଲ ଗାଁରେ ବନ୍ଦ ଘରୁ ପରିବାରର ୪ ଜଣଙ୍କ ମୃତଦେହ ମିଳିଥିଲା ।

ପାରିପାର୍ଶ୍ବିକ ସ୍ଥିତିକୁ ଦେଖି ପୋଲିସ ହତ୍ୟା ମାମଲା ରୁଜୁ କରିଛି ବୋଲି ବରଗଡ଼ ଏସପି ପି ସ୍ମିଥ ପରମାର କହିଛନ୍ତି । ବାପା, ମାଆ ଓ ଝିଅଙ୍କ ଶରୀରରେ ଗଭୀର କ୍ଷତ ଚିହ୍ନ ମଧ୍ୟ ରହିଛି । ଆଜି ସକାଳୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କବାଟ ଖୋଲାଯାଇ ପୋଲିସ ପୁଣି ତଦନ୍ତ ଆରମ୍ଭ କରିଛି । ଡଗ୍ ସ୍କ୍ବାଡ ଓ ଫରେକସିକ ଟିମ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଛାନବିନ ଚଳାଇଛନ୍ତି । ଗତକାଲି ବନ୍ଦ ଘରୁ ଦୁର୍ଗନ୍ଧ ବାହାରୁଥିବା ନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦଦେଇଥିଲେ । ପୋଲିସ କବାଟ ଖୋଲି ଶେଷଦେବ ମେହେର, ସ୍ତ୍ରୀ କ୍ଷୀରେଶ୍ବରୀ ମେହେର, ପୁଅ ଅରବିନ୍ଦ ଓ ଝିଅ ଶିବାନୀ ମେହେରଙ୍କ ମୃତଦେହ ଉଦ୍ଧାର କରିଥିଲା ।

ଭୁବନେଶ୍ବରରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା, ଭଣ୍ଡୁର କରିବାକୁ ବିଜେପିର ଚକ୍ରାନ୍ତ

ଭୁବନେଶ୍ବର: କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରାକୁ ଭଣ୍ଡୁର କରିବାକୁ ବିଜେପିର ଚକ୍ରାନ୍ତ । ଆଜି ସମାନ୍ତରାଳ ଭାବେ ବିଜେପି ରାଲି ଓ ବିକ୍ଷୋଭ ପ୍ରଦର୍ଶନ କରୁଛି । ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ଅଭିଯାନକୁ ସାରା ଦେଶରେ ବିପୁଳ ଜନସମର୍ଥନ ମିଳୁଛି । ଏହି କ୍ରମରେ ଆଜି ଓଡ଼ିଶାରେ କେନ୍ଦ୍ରର ବରିଷ୍ଠ ନେତାଙ୍କୁ ନେଇ ରାଜ୍ୟ କଂଗ୍ରେସ ଭାରତ ଯୋଡ଼ୋ ପଦଯାତ୍ରା ଆରମ୍ଭ କରିଛି ।

କାଳେ କଂଗ୍ରେସ ଏଥିରୁ ମାଇଲେଜ୍ ନେଇଯିବ ସେହି ଭୟରେ ଆଜି କଂଗ୍ରେସ ଭୁବନେଶ୍ବରରେ ଚକା ଜାମ୍ କରିବାକୁ ଚକ୍ରାନ୍ତ କରିଛି । ଦୁଇ ରାଜନୈତିକ ଦଳ ମୁହାଁମୁହିଁ ହେଲେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇପାରେ । ଫଳରେ ପାଣିକୁ ଗୋଳିଆ କରି କଂଗ୍ରେସର ପଦଯାତ୍ରାକୁ ଚେକ୍ ଦେବାକୁ ବିଜେପି ଭିତିରିଆ ରଣନୀତି ପ୍ରସ୍ତୁତ କରିଥିବା କୁହାଯାଉଛି । କେନ୍ଦ୍ରର ଜନମାରଣ ନୀତିକୁ ବିରୋଧ କରି କଂଗ୍ରେସ ରଣହୁଙ୍କାର ଦେଉଛି, ଯାହାକୁ ନେଇ ବିଜେପି ବ୍ୟାକଫୁଟରେ ରହିଛି ।

ଆଜି ଠାରୁ ଓଡ଼ିଶାରେ କଂଗ୍ରେସ ଆରମ୍ଭ କରିଛି ଭାରତ ଯୋଡୋ ଯାତ୍ରା । ଭୁବନେଶ୍ୱର ଇନ୍ଦିରା ଗାନ୍ଧୀ ପାର୍କରେ ସକାଳ ସାଢେ ୮ଟା ବେଳେ ଯାତ୍ରା ଆରମ୍ଭ ହୋଇଛି । କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ଓ ଏଆଇସିସି ସମ୍ପାଦକ ରୁଦ୍ର ରାଜୁଙ୍କ ସହ ଅନ୍ୟ ନେତାମାନେ ମଧ୍ୟ ସାମିଲ ହୋଇଛନ୍ତି । କେନ୍ଦ୍ର ସରକାର ଦରଦାମ ବୃଦ୍ଧି କରି କିପରି ଲୋକଙ୍କୁ ହନ୍ତସନ୍ତ କରୁଛନ୍ତି ସେନେଇ ଘରକୁ ଘର ଯାଇ କଂଗ୍ରେସ ଲୋକଙ୍କୁ ଅବଗତ କରାଇଛି । ଗତକାଲି ସାମ୍ବାଦିକ ସମ୍ମିଳନୀ କରି ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକ ସୂଚନା ଦେଇଥିଲେ ।

୧୫୦ ଯିବା ସ୍ଥାନରେ ଯାଇଥିଲେ ୬୭୫, ସ୍କାନରରେ ଘରୋଇ କମ୍ପାନୀ

ଗାନ୍ଧୀନଗର: ମୋରବି ବ୍ରିଜ ଟ୍ରାଜେଡି ପାଇଁ କିଏ ଉତ୍ତରଦାୟୀ? ପ୍ରାୟ ୨ଶହ ଲୋକଙ୍କ ମୃତ୍ୟୁ ପାଇଁ ଦାୟୀ କିଏ? ସ୍କାନରରେ ଘରୋଇ କମ୍ପାନୀ। ପ୍ରଶ୍ନଘେରରେ ରହିଛି ପ୍ରଶାସନର ଅବହେଳା। ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଥିବା ଝୁଲା ପୋଲର ଫିଟନେସ ସାର୍ଟିଫିକେଟ୍ ନଥିଲା। ୧୪୩ ବର୍ଷର ପୋଲ ମରାମତି ପାଇଁ ଦାୟିତ୍ବ ନେଇଥିଲା ଘରୋଇ କମ୍ପାନୀ ଓରେବୋ। ନଗର ନିଗମ ପକ୍ଷରୁ ଫିଟନେସ ସାର୍ଟିଫିକେଟ ନପାଇ ପୋଲ ଖୋଲାଗଲା କାହଁକି? ଝୁଲାପୋଲ ଉପରେ ୧୫୦ଜଣ ଯିବା କ୍ଷମତା ଥିବା ବେଳେ ୬୭୫ଟି ଟିକେଟ୍‌ ବିକ୍ରି କରାଯାଥିଲା । ଏତେ ଅଧିକ ଲୋକଙ୍କୁ କାହିଁକି ଛଡ଼ାଗଲା?

ଲୋକଙ୍କୁ କାହିଁକି ପ୍ରଶାସନ ପକ୍ଷରୁ ଅଟକା ଯାଇନଥିଲା? ଅଧିକ ଟିକେଟ ବିକ୍ରି ଏତେ ବଡ଼ ଅଘଟଣକୁ ନିମନ୍ତ୍ରଣ କରିଛି । ଛଟ୍‌ ପୂଜା ପାଇଁ ତରବରିଆ ଭାବେ ପୋଲ ଖୋଲି ଦିଆଯାଇଥିଲା। ୭ ମାସ ଧରି ଏକ ଘରୋଇ କମ୍ପାନୀ ଓରେବା ପୋଲ ମରାମତି କାର୍ଯ୍ୟ କରୁଥିଲା । ମରାମତି କାମରେ ୮କୋଟିରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହୋଇଥିଲା ।

ଗୁଜୁରାଟ ନବବର୍ଷ ଅବସରରେ ସାଧାରଣ ଲୋକଙ୍କ ଯା’ଆସ ପାଇଁ ପୋଲ ଖୋଲାଯାଇଥିଲା। ଭିଡ଼ ଉପରେ ନଜର ନରଖି ଟିକେଟ ବିକ୍ରିରେ ବ୍ୟସ୍ତ ଥିଲେ କର୍ତ୍ତୃପକ୍ଷ। ଅଧିକ ଲାଭ ପାଇଁ ଲୋକଙ୍କ ଜୀବନ ସହ ଖେଳାଯାଇଥିଲା କି ଖେଳ?

କୋହଲିଙ୍କ ହୋଟେଲ ରୁମ୍ ଭିଡିଓ ଭାଇରାଲ ଘଟଣା: କ୍ଷମା ମାଗିଲା କ୍ରାଉନ ହୋଟେଲ୍

ପର୍ଥ: ବିରାଟ କୋହଲିଙ୍କ ହୋଟେଲ ରୁମ୍ ଭିଡିଓ ଭାଇରାଲ କରିବା ଘଟଣାରେ କ୍ଷମା ପ୍ରାର୍ଥନା କରିଛି ହୋଟେଲ କ୍ରାଉନ୍ । ହୋଟେଲ କର୍ତ୍ତୃପକ୍ଷ କହିଛନ୍ତି, ‘ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ କାର୍ଯ୍ୟରୁ ହଟାଇ ଦିଆଯାଇଛି । ଆଗକୁ ଏମିତି ଘଟଣା ଯେମିତି ନ ଘଟେ ସେଥିପ୍ରତି ସଜାଗ ରହିବୁ ।’

କ୍ରାଉନ୍ କମ୍ପାନୀର ପ୍ରବକ୍ତା କହିଛନ୍ତି, ‘ଏହି ଘଟଣାରେ ଆମେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରୁଛୁ । ଏହା ନିଶ୍ଚିତ କରୁଛି କି ଘଟଣାକୁ ନେଇ ଉଚିତ ପଦକ୍ଷେପ ନିଆଯାଉଛି । ଆମ ଟିମ୍ ସଦସ୍ୟ ଓ କଣ୍ଟାଟରଙ୍କ ପାଇଁ କାମର ଯେଉଁ ଷ୍ଟାଣ୍ଡର୍ଡ କୋଡ ବନାଇଛୁ, ଏହା ତାହାକୁ ପାଳନ କରୁନାହିଁ । ଏହି ଘଟଣାକୁ ନେଇ ଆମେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଛୁ । ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ କ୍ରାଉନ୍ କମ୍ପାନୀରୁ ହଟାଇ ଦିଆଯାଇଛି । ଏମିତି ଘଟଣା ଆଗକୁ ଯେମିତି ନହେବ ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେଉଛୁ ।’

ସୂଚନାଯୋଗ୍ୟ, ପର୍ଥରେ କୋହଲି ରହୁଥିବା ହୋଟେଲ କ୍ରାଉନର ତାଙ୍କ ରୁମ ଭିଡିଓ କେହି ଜଣେ ସୋସିଆଲ ମିଡ଼ିଆରେ ସେୟାର କରିଦେଇଥିଲା । ଯାହାକୁ ନେଇ କୋହଲି ଅସନ୍ତୋଷ ପ୍ରକାଶ କରିବା ସହ ଏହା ତାଙ୍କୁ ବ୍ୟକ୍ତିଗତ ଜୀବନ ଉପରେ ହସ୍ତକ୍ଷେପ ବୋଲି କୋହଲି ଅଭିଯୋଗ କରିଥିଲେ । କୋହଲି ନିଜେ ଏହାର ଭିଡିଓ ସେୟାର କରି ଏମିତି ହେବାର ନଥିଲା ବୋଲି ଉଲ୍ଲେଖ କରିଥିଲେ ।

ସେ ଉଲ୍ଲେଖ କରିଥିଲେ, ‘ମୁଁ ଜାଣିଛି, ଫ୍ୟାନମାନେ ନିଜ ପସନ୍ଦର ଖେଳାଳିଙ୍କୁ ଦେଖିବା ପରେ ଉତ୍ସାହିତ ହୋଇଯାଇଥାନ୍ତି । ତାଙ୍କୁ ଭେଟିବାକୁ ସବୁ ବେଳେ ଚାହିଁଥାନ୍ତି । ମୁଁ ସବୁବେଳେ ସେମାନଙ୍କୁ ଉତ୍ସାହିତ କରିଛି । ହେଲେ ଏ ଭିଡିଓ ଡରାଇ ଦେବା ଭଳି । ସେ ମୋ ବ୍ୟକ୍ତିଗତ ଜୀବନକୁ ନେଇ ଚିନ୍ତାରେ ପକାଇ ଦେଇଛି । ଯଦି ମୁଁ ହୋଟେଲ ରୁମରେ ନିଜ ବ୍ୟକ୍ତିଗତ ଜୀବନକୁ ସୁରକ୍ଷିତ ରଖି ପାରୁନି, ଅନ୍ୟ ସ୍ଥାନରେ ନିଜକୁ ସୁରକ୍ଷିତ କେମିତି ମଣିବି । ଦୟାକରି ଅନ୍ୟର ପ୍ରାଇଭେସିକୁ ସମ୍ମାନ ଦିଅନ୍ତୁ ଓ ଏହାକୁ ନିଜର ମନୋରଞ୍ଜନ ବୋଲି ଭାବନ୍ତୁ ନାହିଁ ।’

ସାତ ମାସ ପରେ ଖୋଲିଥିଲା ଗୁଜୁରାଟର ଐତିହ୍ୟ ପୋଲ, କାହିଁକି ଭୁଶୁଡିଲା କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗାନ୍ଧୀନଗର: କାଳ ସାଜିଲା ଐତିହ୍ୟ ପୋଲ। ଏକଦା ୟୁରୋପୀୟ କାରିଗରୀର ନମୁନାକୁ ବିଶ୍ବରେ ଚର୍ଚ୍ଚିତ କରିଥିବା ପୋଲର ଇତିହାସ ଶେଷରେ ମର୍ମନ୍ତୁଦ ଦୁର୍ଘଟଣାରେ ଶେଷ ହୋଇଛି । ଗୁଜୁରାଟର ମୋର୍ବିସ୍ଥିତ ମଚ୍ଛୁ ନଦୀରେ ନିର୍ମିତ ଐତିହାସିକ ଝୁଲାପୋଲ ପ୍ରାୟ ୭ମାସ ବନ୍ଦ ରହିବା ପରେ ସର୍ବସାଧାରଣଙ୍କ ଲାଗି ଖୋଲାଯାଇଥିଲା। ଖୋଲା ଯିବାର ମାତ୍ର ୫ ଦିନ ପରେ ଏହା ଖସି ପଡ଼ିଥିଲା ।

ଏକ ପ୍ରାଇଭେଟ ଫାର୍ମ ଦ୍ବାରା ଏହାର ମରାମତି ହୋଇଥିବା ବେଳେ ପୋଲର ବ୍ୟବହାର ନେଇ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ମଗାଯାଇ ନଥିଲା । ପୋଲର ବ୍ୟବହାର ଓ ରକ୍ଷଣାବେକ୍ଷଣ ଲାଗି ଓରେବା କମ୍ପାନିକୁ ୧୫ବର୍ଷ ପାଇଁ ଅନୁମତି ମିଳିଥିଲା। ଗତ ମାର୍ଚ୍ଚ ମାସରେ ଏହାକୁ ମରାମତି ଲାଗି ବନ୍ଦ କରିଦିଆଯାଇଥିଲା। ଅକ୍ଟୋବର ୨୬ରେ ଗୁଜୁରାଟୀ ନବବର୍ଷ ଉପଲକ୍ଷେ ପୋଲ ଖୋଲାଯାଇଥିଲା।

ତେବେ ପୋଲର ବ୍ୟବହାର ନେଇ ପୌର କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ନିଆଯାଇ ନଥିଲା ବୋଲି କହିଛନ୍ତି ମୋର୍ବି ମ୍ୟୁନିସିପାଲିଟି ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ଦୀପସିଂ ଜାଲା। ରାଜଧାନୀ ଗାନ୍ଧୀନଗର ଠାରୁ ୨୪୦କିଲୋମିଟର ଦୂରରେ ଅବସ୍ଥିତ ମୋର୍ବି ସହର ନିକଟରେ ପ୍ରବାହିତ ମଚ୍ଛୁ ନଦୀରେ ଏହି ପୋଲି ନିର୍ମିତ ହୋଇଥିଲା । ତତକାଳୀନ ବିଜ୍ଞାନର ଉତ୍କର୍ଷତା ଥିଲା ଏହି ପୋଲ ।

1922 ଯାଏ ମୋର୍ବିକୁ ଶାସନ କରିଥିବା ସାର୍ ଓ୍ବାଗଜି ଠାକୁର ଦର୍ବାଗଡ଼ ପ୍ୟାଲେସ ସହ ନଜରବାଗ ପ୍ୟାଲେସକୁ ଯୋଡିବା ଲାଗି ଏହି ଝୁଲାପୋଲ ନିର୍ମାଣ କରିଥିଲେ । ସେହି ସମୟରେ ଏହି ପୋଲର ଆକର୍ଷଣ, କାରିଗରି ବିଶ୍ବରେ ଚର୍ଚ୍ଚାର କାରଣ ହୋଇଥିଲା । ପୋଲର ଓସାର ମାତ୍ର 1 ଦଶମିକ 25 ମିଟର ଓ ଲମ୍ବ 233 ମିଟର । ସେହି ସମୟରେ ୟୁରୋପରେ ଏହି କାରିଗରି ବ୍ୟବହୃତ ହେଉଥିବାବେଳେ ମୋର୍ବିରେ ଏପରି ଏକ ବ୍ରିଜ ନିର୍ମାଣ ଲାଗି ଚାହିଁଥିଲେ ସାର୍ ଓ୍ବାଗଜି ଠାକୁର ।

ବର୍ଷ ବର୍ଷ ଧରି ଏହା ରାଜ୍ୟର ଏକ ପର୍ଯ୍ୟଟନ କ୍ଷେତ୍ର ଭାବେ ପରିଗଣିତ ହୋଇଆସୁଥିଲା । ଶତାଧିକ ବର୍ଷର ପୋଲକୁ ହଜାର ହଜାର ପର୍ଯ୍ୟଟକ ବ୍ୟବହାର କରୁଥିଲେ ବି ଗୁଜୁରାଟ ସରକାର ଥିଲେ ବେଖାତିର । ଏହି ମର୍ମନ୍ତୁଦ ଘଟଣାରେ ନିଜ ଉପରକୁ ଦୋଷ ନେଇଛନ୍ତି ରାଜ୍ୟ ସରକାର । ରାଜ୍ୟ ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ବ୍ରିଜେଶ ମେର୍ଜା କହିଛନ୍ତି ଗତ ସପ୍ତାହରେ ଏହାର ମରାମତି କାର୍ଯ୍ୟ ଶେଷ ହୋଇଥିଲା । ଏଭଳି ଘଟଣାରେ ସରକାର ଗଭୀର ଦୁଃଖିତ । ସେପଟେ ପୋଲ ଧସିବାର କାରଣ ବି ଜଣାପଡିଛି । ପୋଲ ଉପରେ ଶତାଧିକ ଲୋକେ ଥିବା ସତ୍ତ୍ବେ କିଛି ଲୋକ ଜାଣିଶୁଣି ପୋଲକୁ ହଲାଇଥିଲେ ।

ଝୁଲନ୍ତା ପୋଲର ମଜା ନେବା ଲାଗି ସେମାନେ ପୋଲକୁ ମନଇଚ୍ଛା ଦୋହଲାଇବାରୁ ତାହା ସମ୍ଭାଳି ପାରି ନଥିଲା । ନିଜ ରାଜ୍ୟ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୃତକଙ୍କ ପରିବାରକୁ 2 ଲକ୍ଷ ଲେଖାଏଁ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ।

ଶୋଷଣ ଆଉ କେତେ ଦିନ ? ସଫେଇ କମର୍ଚାରୀଙ୍କୁ ଦିଅ ସ୍ଥାୟୀ ନିଯୁକ୍ତି

ଭୁବନେଶ୍ବର: ଜନସାଧାରଣଙ୍କ ସ୍ବାସ୍ଥ୍ୟର ସୁରକ୍ଷା ପାଇଁ ସେମାନେ କାମ କରୁଛନ୍ତି । ମାତ୍ର ତାଙ୍କ ଅବସ୍ଥା ବୁଝିବାକୁ କେହି ନାହାନ୍ତି । ବାପ-ମାଆ ଛେଉଣ୍ଡ ଭଳି ସେମାନଙ୍କ ବର୍ତ୍ତମାନ ଓ ଭବିଷ୍ୟତ ବିପନ୍ନ । ରାଜ୍ୟର ସଫେଇ କର୍ମଚାରୀମାନେ ବହୁବିଧ ଅସୁବିଧା ଦେଇ ଗତି କରୁଛନ୍ତି ।  ନା ସେମାନଙ୍କୁ ହକ୍ ପ୍ରାପ୍ୟ ମିଳୁଛି ନା ମିଳୁଛି ସାମାଜିକ ସୁରକ୍ଷା । ଢୋକେ ପିଇ ଦଣ୍ଡେ ଜିଇଁବା ନୀତିରେ ଏମିତି ଛଟପଟ ହୋଇ ଜୀବନ କାଟୁଛନ୍ତି ହଜାର ହଜାର ସଫେଇ କର୍ମଚାରୀ । ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବାକୁ ଏବେ ସବୁ ମହଲରୁ ଦାବି ହେଉଛି ।

ରାଜ୍ୟର ସମସ୍ତ ସହରାଞ୍ଚଳକୁ ପରିଷ୍କାର ପରିଚ୍ଛନ୍ନ ରଖିବା ସହ ଜନସାଧାରଣଙ୍କ ସ୍ବାସ୍ଥ୍ୟ ସୁରକ୍ଷାରେ ଏହି ଚୁକ୍ତିଭିତ୍ତିକ ସଫେଇ କର୍ମଚାରୀମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇ ଆସୁଛନ୍ତି । ମାତ୍ର ସେମାନଙ୍କୁ ପରିଶ୍ରମ ଅନୁସାରେ ହକ୍ ମିଳୁନି  । ଅଣକୁଶଳୀ ଶ୍ରମିକଙ୍କ ପାଇଁ ଧାର୍ଯ୍ୟ ମଜୁରୀ ମିଳୁଛି । ଏକରକମ ଗୋତି ଖଟୁଛନ୍ତି । ସ୍ବାସ୍ଥ୍ୟ ସୁରକ୍ଷାରେ ସବୁଠାରୁ ବଡ଼ ଭୂମିକା ତୁଲାଉଥିବା ଏହି ସଫେଇ କର୍ମଚାରୀମାନଙ୍କ ପ୍ରାପ୍ୟର ସିଂହଭାଗ ଠିକାସଂସ୍ଥା ହଡ଼ପ କରୁଛନ୍ତି । ବର୍ଷ ବର୍ଷ ଧରି ଶୋଷଣର ଶିକାର ହେଉଛନ୍ତି କର୍ମଚାରୀ । ମାତ୍ର ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁନି ।

ରାଜଧାନୀ ଭୁବନେଶ୍ବର ମହାନଗର ନିଗମରେ ହଜାର ହଜାର ଚୁକ୍ତିଭିତ୍ତିକ ସଫେଇ କର୍ମଚାରୀ ସବୁ ପ୍ରକାର ସୁବିଧା ସୁଯୋଗରୁ ବଞ୍ଚିତ । ଏ ନେଇ ଓଡ଼ିଶା ଚୁକ୍ତିଭିତ୍ତିକ ଠିକା ସଫେଇ କର୍ମଚାରୀ ସଂଘ ପକ୍ଷରୁ ଭୁବନେଶ୍ବର ଶ୍ରମ ଆୟୁକ୍ତଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ମହାନଗର ନିଗମ କର୍ତ୍ତୃପକ୍ଷ କିମ୍ବା ସରକାର ଏ ଦିଗ ପ୍ରତି ଧ୍ୟାନ ଦେଉନାହାନ୍ତି । ସଂଘର ସଭାପତି ମୋହନ ନାୟକଙ୍କ ନେତୃତ୍ବରେ ପ୍ରାୟ ୩ ଶହ ସଫେଇ କର୍ମଚାରୀ ଏକାଠି ହୋଇ ଆଗକୁ ଆନ୍ଦାଳନକୁ ଓହ୍ଲାଇବାକୁ ଧମକ ଦେଇଛନ୍ତି । ଏହି ବୈଠକରେ ସଂଘ ସଂପାଦକ ମନୋଜ ନାୟକ,କୁନ୍ତଲା ଦିଗାଲ, ଶୁକଦେବ ନାୟକ, ନବ ନାୟକ, ବିକାଶ ନାୟକ, ଗୋଲାପ ନାୟକ ଓ ରଂଜିତା ନାୟକ ପ୍ରମୁଖ ସାମିଲ ହୋଇଥିଲେ ।

ସଂଘ ପକ୍ଷରୁ ଦର୍ଶାଯାଇଛି, କରୋନା ମହାମାରୀ ସମୟରେ ଏହି ସଫେଇ କର୍ମଚାରୀମାନେ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ସେବା କରିଥିଲେ । ସହରାଞ୍ଚଳକୁ ପରିଷ୍କାର ପରିଚ୍ଛନ୍ନ କରିଥିଲେ । ସ୍ବଚ୍ଛ ଭାରତ ମିଶନରେ ଏମାନଙ୍କର ଅବଦାନ ସର୍ବାଧିକ । ପୌରାଞ୍ଚଳ ବର୍ଜ୍ୟବସ୍ତୁ ପରିଚାଳନାରେ ଏହି କର୍ମଚାରୀମାନେ ସବୁବେଳେ ବଡ଼ ଭୂମିକା ତୁଲାଇ ଆସୁଛନ୍ତି । ଫିକାଲ ସ୍କଜ କାର୍ଯ୍ୟକ୍ରମରେ ଓଡ଼ିଶା ଜାତୀୟସ୍ତରରେ ପୁରସ୍କୃତ ହୋଇଛି । ଏ କ୍ଷେତ୍ରରେ ଚୁକ୍ତିଭିତ୍ତିକ ସଫେଇ କର୍ମଚାରୀଙ୍କ ଭୂମିକା ସର୍ବାଧିକ । ତେଣୁ ସରକାର ଏମାନଙ୍କୁ ତୁରନ୍ତ ବେଠି ଖଟାଇବା ବନ୍ଦ କରନ୍ତୁ । ଚୁକ୍ତିଭିତ୍ତିକ ବଦଳରେ ସ୍ଥାୟୀ ନିଯୁକ୍ତି ପାଇଁ ପଦକ୍ଷେପ ନିଅନ୍ତୁ । ନଚେତ ଆଗକୁ ସଫେଇ କର୍ମଚାରୀମାନେ ନିଜ ହକ୍ ପାଇଁ ରାଜରାସ୍ତାକୁ ଓହ୍ଲାଇବେ ।