spot_img
Home Blog Page 3918

ପ୍ରଧାନମନ୍ତ୍ରୀ ହେବା ପରେ ଆକ୍ସନରେ ସୁନକ, ଅନେକ ମନ୍ତ୍ରୀଙ୍କୁ କଲେ ବହିସ୍କାର

ଲଣ୍ଡନ: ବ୍ରିଟେନ ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିବାର କିଛି ଘଣ୍ଟା ପରେ ଋଷି ସୁନକ ଆକ୍ସନ ମୋଡରେ ଦେଖାଯାଇଛନ୍ତି । ଅନେକ ମନ୍ତ୍ରୀଙ୍କୁ ସେ ବହିସ୍କାର କରିଛନ୍ତି । ଅବଶ୍ୟ ଜେରେମି ହଣ୍ଟ ବ୍ରିଟେନର ଅର୍ଥମନ୍ତ୍ରୀ ରହିବେ । ପ୍ରକାଶଯୋଗ୍ୟ, ମନ୍ତ୍ରୀମାନଙ୍କୁ ବହିସ୍କାର କରିବା ପୂର୍ବରୁ ସୁନକ ଏହି କଥାର ସଙ୍କେତ ଦେଇଥିଲେ । ସେ ସ୍ପଷ୍ଟ ଅନ୍ଦାଜରେ କହିଥିଲେ ଯେ ପୂରୁଣା ଲୋକମାନଙ୍କ ଦ୍ୱାରା ହୋଇଥିବା ଭୁଲକୁ ସୁଧାରିବା ପାଇଁ ତାଙ୍କୁ ଚୟନ କରାଯାଇଛି ।

ସୁନକ କିଙ୍ଗ ଚାର୍ଲସଙ୍କ ସହ ବୈଠକର ଏକ ଘଣ୍ଟା ଭିତରେ ନିଜ ପ୍ରତିଶ୍ରୁତି ପୂରଣ କରିବା ଆରମ୍ଭ କରିଦେଇଛନ୍ତି ।  ସେ କହିଥିଲେ ଯେ ବିନା କୌଣସି ବିଳମ୍ବରେ କାର୍ଯ୍ୟ ତୁରନ୍ତ ଆରମ୍ଭ ହେବ । ନିଜର ନୂଆ ମନ୍ତ୍ରୀମଣ୍ଡଳ ଘୋଷଣା ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଲିଜ ଟ୍ରସ୍ ଙ୍କ ମନ୍ତ୍ରୀଙ୍କ ଟିମର ଅନେକ ସଦସ୍ୟଙ୍କୁ ଇସ୍ତଫା ଦେବାକୁ କହିଥିଲେ । ଏପର୍ଯ୍ୟନ୍ତ ସୁଦ୍ଧା ୩ ମନ୍ତ୍ରୀଙ୍କୁ ପଦ ଛାଡ଼ିବା ପାଇଁ କୁହାଯାଇ ସାରିଛି ।

ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଏମାନଙ୍କ ମଧ୍ୟରେ ବ୍ୟାପାର ସଚିବ ଜ୍ୟାକବ ରିସ-ମୋଗ, ଆଇନ ସଚିବ ବ୍ରାଣ୍ଡନ ଲୁଇସ ଏବଂ ବିକାସ ମନ୍ତ୍ରୀ ଭିକ୍କି ଫୋର୍ଡ ସାମିଲ ଅଛନ୍ତି । ସଙ୍କେତ ମିଳିଛି ଯେ ଜେରେମି ହଣ୍ଟ ଅର୍ଥମନ୍ତ୍ରୀ ଭାବରେ କାର୍ଯ୍ୟ ଜାରି ରଖିବେ । ବ୍ରିଟିସ ମିଡିଆ ରିପୋର୍ଟ ମୁତାବିକ ଋଷି ସୁନକ ନିଜ ନୂଆ ଟପ ଟିମ ବନାଇବା ପୂର୍ବରୁ କ୍ୟାବିନେଟର ପୂରୁଣା ଲୋକଙ୍କୁ ବାହାର କରୁଛନ୍ତି । ଏହି କ୍ରମରେ ଜ୍ୟାକବ ରିସ-ମୋଗ ସରକାରରୁ ଇସ୍ତଫା ଦେଇ ଦେଇଛନ୍ତି ।

୧୦୦ ଜଣ କ୍ରୀଡାବିତଙ୍କୁ ସମ୍ବର୍ଦ୍ଧିତ କଲେ ଓଡ଼ିଶା ସରକାର

ଭୁବନେଶ୍ୱର: ୩୬ତମ ଜାତୀୟ କ୍ରୀଡ଼ାରେ ସଫଳ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କଲା ଓଡ଼ିଶା । ୧୦୦ଜଣ ଆଥଲେଟଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ସ୍ବର୍ଣ୍ଣ ବିଜେତାଙ୍କୁ ୫ଲକ୍ଷ, ରୌପ୍ୟ ବିଜେତାଙ୍କୁ ୩ ଓ ବ୍ରୋଞ୍ଜ ବିଜେତାଙ୍କୁ ୨ଲକ୍ଷ ଟଙ୍କା ଲେଖାଏ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି । କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୋଟ ୩କୋଟି ୧୬ଲକ୍ଷ୍ୟ ଟଙ୍କା ପ୍ରଦାନ କରାଯାଇଛି ।

କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ, କ୍ରୀଡ଼ା ସଚିବ ଆର. ଭିନିଲ କ୍ରୀଷ୍ଣା ପଦକ ବିଜେତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ୧୦୦ଜଣଙ୍କ ମଧ୍ୟରେ ରହିଛନ୍ତି ଓଡ଼ିଶାର ଦିନେଶ କୁମାର ଓ ମୁନା ନାୟକ । ସାଇକେଲିଂରେ ୩ଟି ସ୍ବର୍ଣ୍ଣ ହାସଲ କରିଛନ୍ତି ଦିନେଶ । ସେହିପରି ଓ୍ବେଟଲିପ୍ଟିଂରେ ଗୋଟିଏ ରୌପ୍ୟ ଜିତିଛନ୍ତି ମୁନା ।

ଏହା ସହିତ ସ୍ବର୍ଣ୍ଣ ପଦକ ବିଜେତା ଓଡ଼ିଶା ମହିଳା ରଗବି ଟିମକୁ ୬୦ ଓ ମହିଳା ଖୋ ଖୋ ଟିମକୁ ରୌପ୍ୟ ପଦକ ପାଇଁ ୪୫ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଜାତୀୟ କ୍ରୀଡ଼ାରେ ପଦକ ଜିତି ସମସ୍ତେ ଗୌରବ ଆଣିଛନ୍ତି । ଯୁବ ବିଜେତାଙ୍କୁ ସମ୍ବର୍ଦ୍ଧିତ କରି ଆମେ ଗୌରବାନ୍ବିତ ବୋଲି କହିଛନ୍ତି କ୍ରୀଡ଼ାମନ୍ତ୍ରୀ । ଆଗକୁ ଲକ୍ଷ୍ୟ ପଥରେ ଯାଇ ଅଧିକ ସଫଳତା ହାସଲ କରିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ହକି ଇଣ୍ଡିଆ ସଭାପତି । ଖେଳାଳିଙ୍କୁ ପ୍ରୋତ୍ସାହିତ କରୁଥିବାରୁ ଓଡ଼ିଶା ସରକାରଙ୍କୁ ପ୍ରଶଂସା କରିଛନ୍ତି ଆଥଲେଟ୍ ।

ଧାମନଗର ଉପନିର୍ବାଚନରେ ଶୃଙ୍ଖଳିତ ଭୋଟ ଗ୍ରହଣ ନେଇ ଡିଜିଙ୍କ ସମୀକ୍ଷା

ଭୁବନେଶ୍ୱର: ଧାମନଗର ଉପନିର୍ବାଚନ ନେଇ ସମୀକ୍ଷା କରିଛନ୍ତି ପୋଲିସ ଡିଜି । ଶୃଙ୍ଖଳିତ ଭୋଟ ଗ୍ରହଣ ନେଇ ଭିସିରେ ସମୀକ୍ଷା କରିଛନ୍ତି ଡିଜି ସୁନୀଲ ବଂଶଲ । ବୈଠକରେ ଏଡିଜି, ଆଇଜି, ଡିଆଇଜି ଓ ଭଦ୍ରକ ଏସପି ଉପସ୍ଥିତ ଥିଲେ । ଇସିଆଇଙ୍କ ଗାଇଡଲାଇନ ଅନୁପାଳନକୁ ଗୁରୁତ୍ୱ ଦେବାକୁ କୁହାଯାଇଛି ।

ସ୍ବଚ୍ଛ ଓ ନିରପେକ୍ଷ ଭୋଟ ଗ୍ରହଣ ଓ ଆଦର୍ଶ ଆଚରଣ ବିଧି କାର୍ଯ୍ୟକାରୀ ଉପରେ ଗୁରୁତ୍ୱାରୋପ କରାଯାଇଛି । ଉପନିର୍ବାଚନରେ ୪ ପ୍ଲାଟୁନ ସିଆରପିଏଫ୍ ମୁତୟନ ହେବେ । ଏହାସହ ୨୦ପ୍ଲାଟୁନ ଫୋର୍ସ, ୪୬ ମୋବାଇଲ ପାଟ୍ରୋଲିଂ ୟୁନିଟ ମୁତୟନ ହେବେ । ୮୩ ଅବକାରୀ ମାମଲା ରୁଜୁ ସହ ୧ ହଜାର ୩୫ ଲିଟର ମଦ ଜବତ କରିଛି ପୋଲିସ ।

ସରିଲା ବର୍ଷର ଶେଷ ସୂର୍ଯ୍ୟ ପରାଗ

ନନ୍ଦିଘୋଷ ବ୍ୟୁରୋ: ଢାଙ୍କିହେଲେ ସକଳ ଶକ୍ତିର ଆଧାର । ଦୃଶ୍ୟମାନ ହେଲା ବର୍ଷର ଶେଷ ସୂର୍ଯ୍ୟୋପରାଗ । ବର୍ଷର ଶେଷ ସୂର୍ଯ୍ୟପରାଗ ସରିଛି । ୪ ଟା ୫୬ ମିନିଟ ୫୨ ସେକେଣ୍ଡରୁ ପରାଗ ସ୍ପର୍ଶ ହୋଇ ସଂଧ୍ୟା ୬ ଟା ୨୬ ମିନିଟ ୫୨ ସେକେଣ୍ଡରେ ସର୍ବମୋକ୍ଷ ହୋଇଛି । ସର୍ବମୋକ୍ଷ ପରେ ସ୍ନାନଠୁ ଆରମ୍ଭ କରି ଦେବାନୀତି ଓ ଅନ୍ନ ଭୋଜନ କରାଯାଇପାରିବେ । ହିନ୍ଦୁ ରୀତିନୀତି ଅନୁସାରେ ପରାଗ ଲାଗିବାର ୧୨ ଘଣ୍ଟା ପୂର୍ବରୁ ପାକ ତ୍ୟାଗ ଓ ଦେବନୀତି ନିଷେଧ କରାଯାଇଥିଲା।

ବିଳମ୍ବିତ ରାତିରେ ସିଂହଦ୍ବାର ଫିଟାଯାଇ କରାଯାଇଥିଲା ମହାପ୍ରଭୁଙ୍କ ମଙ୍ଗଳଆଳତି । ସକାଳୁ ଭିତର କାଠ ପାଖରୁ ଶ୍ରୀଜୀଉଙ୍କ ଦର୍ଶନ କରିଥିଲେ ଭକ୍ତ । ସର୍ବମୋକ୍ଷ ପରେ ନୀତିକାନ୍ତି ସହିତ ଶ୍ରଦ୍ଧାଳୁଙ୍କୁ ମିଳୁଛି ଦର୍ଶନ ସୁଯୋଗ । ସେପଟେ ଅନ୍ୟାନ୍ୟ ପୀଠରେ ମଧ୍ୟ ଭୋର ପୂର୍ବରୁ ସମସ୍ତ ନୀତିକାନ୍ତି ସମାପନ ହୋଇଛି ।

ବ୍ରିଟେନରେ ସୁନକ ଶାସନ ଆରମ୍ଭ; କହିଲେ ଏବେ ଦେଶ ସମସ୍ୟାରେ ଅଛି, ଏହାକୁ ସୁଧାରିବି

ଲଣ୍ଡନ: ଭାରତୀୟ ବଂଶୋଦ୍ଧବ ଋଷି ସୁନକ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି । କିଙ୍ଗ ଚାର୍ଲସ ତାଙ୍କୁ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଦେଇଛନ୍ତି । କିଙ୍ଗ ଚାର୍ଲସଙ୍କୁ ଭେଟିବା ପାଇଁ ନିଜର ବ୍ୟକ୍ତିଗତ କାରରେ ବକଂହାମ ପାଲେସରେ ପହଞ୍ଚିଥିଲେ ସୁନକ । ଏହାପରେ କିଙ୍ଗ ଚାର୍ଲସ ତାଙ୍କୁ ନିଯୁକ୍ତ ପତ୍ର ହସ୍ତାନ୍ତର କରିଥିଲେ । କିଙ୍ଗ ଏବଂ ସୁନକଙ୍କ ଭେଟଘାଟ ବକିଂହାମ ପାଲେସର ରୁମ ନଂ ୧୮୪୪ରେ ହୋଇଥିଲା । ଏହିଠାରେ ହିଁ ଚାର୍ଲସ ଋଷିଙ୍କୁ ନୂଆ ସରକାର ଗଠନ କରିବାକୁ ଆମନ୍ତ୍ରଣ କରିଛନ୍ତି, ତାଙ୍କୁ ଆପଏଣ୍ଟମେଣ୍ଟ ଲେଟର ହସ୍ତାନ୍ତର କରିଥିଲେ। ଏହାପରେ ଋଷି ସୁନକ ପ୍ରାଇମ ମିନିଷ୍ଟରର ଅଫିସିଆଲ କାରରେ ଅଫିସିଆଲ ରେସିଡେନ୍ସ ୧୦ ଡାଉନିଂଷ୍ଟ୍ରିଟ ପହଞ୍ଚିଥିଲେ ।

ପ୍ରଧାନମନ୍ତ୍ରୀ ଭାବରେ ଦେଶକୁ ସମ୍ବୋଧନ କରିଛନ୍ତି । ନିଜ ସମ୍ବୋଧନରେ ସୁନକ କହିଛନ୍ତି, ଦେଶର ଆର୍ଥିକ ସ୍ଥିତି ଖୁବ ଶୀଘ୍ର ସୁଧୁରିବ । ଶିକ୍ଷା ଓ ଆର୍ଥିକ ସ୍ଥିତି ସୁଦୃଢ ପାଇଁ କାମ କରିବି । ସାଧାରଣ ଲୋକଙ୍କ ଜୀବନ ସୁରକ୍ଷା କରିବା ମୋର ବଡ଼ ଦାୟିତ୍ୱ । ରୁଷ୍-ୟୁକ୍ରେନ ଯୁଦ୍ଧ ଦ୍ୱାରା ଦେଶର ଅର୍ଥନୀତି ଆହୁରି ଖରାପ ହୋଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଲିଜ ଟ୍ରସ୍ ସ୍ଥିତି ସୁଧାରିବାକୁ ଚାହୁଁଥିଲେ, ସେ ବିନା ଥକି କାମ କରିଥିଲେ, କିନ୍ତୁ ତାଙ୍କଦ୍ୱାରା ମଧ୍ୟ ଭୁଲ ହୋଇଛି । ଏବେ ସେ ଭୁଲକୁ ସୁଧାରିବାର ସମୟ ଆସିଛି । ପୁଣିଥରେ ଦେଶକୁ ଏକଜୁଟ କରିବି । କେବଳ ଏହା କଥା ନୁହେଁ ଏହା ମୁଁ ପୂରଣ କରି ଦେଖାଇବି ।

ଏହା ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ୍ ବକିଂହାମ ପ୍ୟାଲେସ ପହଞ୍ଚିଥିଲେ ଏବଂ କିଙ୍ଗ ଚାର୍ଲସଙ୍କୁ ଭେଟି ନିଜର ଇସ୍ତଫା ପତ୍ର ତାଙ୍କୁ ହସ୍ତାନ୍ତର କରିଥିଲେ । ବକିଂହାମ ପ୍ୟାଲେସ ପହଞ୍ଚିବା ପୂର୍ବରୁ ଲିଜ ଟ୍ରସ୍ ମଧ୍ୟାହ୍ନରେ କ୍ୟାବିନେଟ ମନ୍ତ୍ରୀମାନଙ୍କ ସହ ବୈଠକ କରିଥିଲେ । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ସେ ଦେଶକୁ ପ୍ରଧାନମନ୍ତ୍ରୀ ଭାବରେ ବିଦାୟୀ ଭାଷଣ ଦେଇଥିଲେ ।

ଏହି ଅବସରରେ ସେ କହିଥିଲେ, ଆମ ସରକାର ରାଜନୈତିକ ସଙ୍କଟ ମଧ୍ୟରେ ଲୋକଙ୍କ ସହାୟତା ପାଇଁ ତୁରନ୍ତ ପଦକ୍ଷେପ ନେଇଛି । ସୂଚନାଥାଉକି, ଋଷି ସୁନକ ବ୍ରିଟେନର ପ୍ରଥମ ହିନ୍ଦୁ ଏବଂ ଅଣ ଗୋରା ପ୍ରଧାନମନ୍ତ୍ରୀ ଅଟନ୍ତି । ଭାରତୀୟ ସଫ୍ଟୱେୟାର କମ୍ପାନୀ ଇନଫୋସିସର କୋ ଫାଉଣ୍ଡର ନାରାୟଣ ମୂର୍ତ୍ତିଙ୍କ ଜ୍ୱାଇଁ ହେଉଛନ୍ତି ସୁନକ । ସେ ପ୍ରଧାନମନ୍ତ୍ରୀ ହେବା ପରେ ମୂର୍ତ୍ତି କହିଛନ୍ତି, ଋଷିଙ୍କୁ ଶୁଭେଚ୍ଛା ।

ଆମେ ତାଙ୍କୁ ନେଇ ଗର୍ବିତ ଏବଂ ତାଙ୍କ ସଫଳତାର କାମନା କରୁଛୁ । ଆମକୁ ବିଶ୍ୱାସ ରହିଛି ଯେ ବ୍ରିଟେନର ଲୋକମାନଙ୍କ ପାଇଁ ସେ ନିସ୍ୱାର୍ଥପର ଭାବେ କାର୍ଯ୍ୟ କରିବେ । ତେବେ ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିବା ପରେ ସୁନକଙ୍କ ସମ୍ନାରେ ଅନେକ ଚ୍ୟାଲେଞ୍ଜ ରହିବ । ସବୁଠୁ ମୁସ୍କିଲ ଚ୍ୟାଲେଞ୍ଜ ହେଉଛି ବ୍ରିଟେନର ଅର୍ଥନୀତିକୁ ସୁଧାରିବା ।

୧୩ ଶହ ବର୍ଷ ପରେ ଏମିତି ସୂର୍ଯ୍ୟପରାଗ, ଭାରତର ଏହି ସ୍ଥାନର ଲୋକ ରୁହନ୍ତୁ ସତର୍କ !

ନନ୍ଦିଘୋଷ ବ୍ୟୁରୋ: ଆଉ କିଛି ସମୟ ପରେ ବର୍ଷର ଶେଷ ସୂର୍ଯ୍ୟ ପରାଗ ଲାଗିବ । ତେବେ ଏହି ସୂର୍ଯ୍ୟ ଗ୍ରହଣ ତୁଳା ରାଶିରେ ଲାଗିବ । ଏହି ସୂର୍ଯ୍ୟପରାଗରେ ୧୩୦୦ ବର୍ଷ ପରେ ଏକ ବହୁତ ଦୁର୍ଲଭ ସଂଯୋଗ ବନୁଛି । ଜ୍ୟୋତିର୍ବିଦଙ୍କ କହିବା ଅନୁସାରେ, ସୂର୍ଯ୍ୟପରାଗ ସମୟରେ ଚାରି ପ୍ରମୁଖ ଗ୍ରହ ବୁଦ୍ଧ, ଗୁରୁ, ଶୁକ୍ର ଏବଂ ଶନି ସ୍ୱରାଶିରେ ବିରାଜମାନ ରହିବେ । ସୂର୍ଯ ଗ୍ରହଣ ସମୟରେ ବୁଧ କନ୍ୟା ରାଶିରେ, ଗୁରୁ ମୀନ ରାଶିରେ, ଶୁକ୍ର ତୁଳା ରାଶିରେ ଏବଂ ଶନି ମକର ରାଶିରେ ରହିବେ ।

ଦୀପାବଳିର ଆଗାମୀ ଦିନ ଏହି ଚାରି ଗ୍ରହର ଯୋଗରେ ୧୩୦୦ ବର୍ଷ ପରେ ସୂର୍ଯ୍ୟ ପରାଗ ଲାଗିବାକୁ ଯାଉଛି । ବର୍ଷର ସେଷ ସୂର୍ଯ୍ୟପରାଗ ଅପରାହ୍ନ ୨ ଟା ବାଜି ୨୯ ମିନିଟରୁ ଆଇସଲ୍ୟାଣ୍ଡରେ ଆରମ୍ଭ ହେବ ଏବଂ ସନ୍ଧ୍ୟା ୬ ଟା ୨୦ ମିନିଟରରେ ଆରବ ସାଗରରେ ସମାପ୍ତ ହେବ । ଭାରତରେ ଏହି ସୂର୍ଯ୍ୟ ପରାଗ ଅପରାହ୍ନ ୪ ଟା ୨୯ରୁ ସନ୍ଧ୍ୟା ୬ ଟା ୯ ମିନିଟ ପର୍ଯ୍ୟନ୍ତ ଦେଖାଯିବ । ଅର୍ଥାତ ଭାରତରେ ପରାଗ ଦେଖିବାକୁ ମୋଟ ଅବଧି ପ୍ରାୟ ୧ ଘଣ୍ଟା ୪୦ ମିନିଟ ରହିବ । ଏହା ଭାରତରେ ଦେଖାଯିବାକୁ ଥିବା ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଅଟେ ।

ବର୍ଷର ଶେଷ ସୂର୍ଯ୍ୟ ପରାଗ ରାଜଧାନୀ ଦିଲ୍ଲୀଠୁ ନେଇ କୋଲକାତା, ମୁମ୍ବାଇ, ଚେନ୍ନାଇ, ପାଟନା, ଜୟପୁର, ଲକ୍ଷ୍ନୌ, ହାଇଦ୍ରାବାଦ, ବେଙ୍ଗାଲୁରୁ, ଅହମ୍ମଦାବାଦ, ପୁଣେ, ନାଗପୁର, ଭୋପାଳ, ଚଣ୍ଡିଗଡ଼, ମଥୁରା, ଲେହ, ଲଦାଖ, ଜମ୍ମୁ କାଶ୍ମୀର, ଶ୍ରୀନଗର, ଉତ୍ତରାଖଣ୍ଡ, ପଞ୍ଜାବ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ଦେଖାଯିବ । ସୂର୍ଯ୍ୟପରାଗ ଅବଧିରେ ଏହି ସ୍ଥାନରେ ରହୁଥିବା ଲୋକମାନଙ୍କୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ହେବ । ଏହି ସୂର୍ଯ୍ୟଗ୍ରହଣ ଭାରତର ଉତ୍ତର-ପୂର୍ବ  ରାଜ୍ୟଗୁଡ଼ିକରେ ଦେଖାଯିବ ନାହିଁ ।

ଆସାମ, ଅରୁଣାଚଳପ୍ରଦେଶ, ମଣିପୁର ଏବଂ ନାଗାଲାଣ୍ଡ ଭଳି ରାଜ୍ୟରେ ଦେଖାଯିବନି । ସୂର୍ଯ୍ୟପରାଗ ସମୟରେ ଗର୍ଭବତୀ ମହିଳା, ଶିଶୁ, ବୃଦ୍ଧବୃଦ୍ଧା ଏବଂ ଆକ୍ରାନ୍ତ ଲୋକଙ୍କୁ ବିଶେଷ ଭାବେ ସତର୍କତା ଅବଲମ୍ବନ କରିବା ଆବଶ୍ୟକ । ସୂର୍ଯ୍ୟ ପରାଗ ସମୟରେ ରାହୁ କେତୁ ଏବଂ ସୂର୍ଯ୍ୟର ପ୍ରଭାବ ଅଧିକ ହୋଇଯାଇଥାଏ, ଏଥିପାଇଁ ଗର୍ଭରେ ବଢ଼ୁଥିବା ଶିଶୁର କୁଣ୍ଡଳୀରେ ଏହି ଗ୍ରହ ସହ ସମ୍ବନ୍ଧିତ ଦୋଷ ଆସିବାର ସମ୍ଭାବନା ଥାଏ ।

ପରାଗ ପୂର୍ବରୁ ଖାଇବା ପିଇବା ଜିନିଷରେ ତୁଳସୀ ପତ୍ର ପକାଇ ଦେବା ଉଚିତ । ଏପରି କରିବା ଦ୍ୱାରା ଗ୍ରହଣର ନକରାତ୍ମକ କିରଣର ପ୍ରଭାବ ଖାଇବା ପିଇବା ଜିନିଷ ଉପରେ ପଡ଼ିନଥାଏ । ସୂର୍ଯ୍ୟ ପରାଗକୁ ଖାଲି ଆଖିରେ ଦେଖିବା କ୍ଷତିକାରକ ବୋଲି କୁହାଯାଇଥାଏ । ଏଥିପାଇଁ ସାଧାରଣ ଚଷମାର ବ୍ୟବହାର କରନ୍ତୁ । ଟେଲିସ୍କୋପ ଜରିଆରେ ମଧ୍ୟ ସୂର୍ଯ୍ୟପରାଗ ନଦେଖିବା ଉଚିତ । ସବୁଠୁ ଭଲ ହେବ ଯେ ଏହି ସମୟରେ ବାହାରକୁ ନଯିବା । ସୂର୍ଯ୍ୟପରାଗ ସମୟରେ ନଖ, ଚୁଟି ଓ ଦାଢ଼ି କାଟନ୍ତୁନାହିଁ । ଗ୍ରହଣ ଅବଧିରେ କିଛି ନଖାଇବା ଉଚିତ । ପରାଗ ଅବଧି ସରିବା ପରେ ସ୍ନାନ କରିସାରି ଖାଇପାରିବେ ।

ସ୍ୱାଭାବିକ ହେଲା ହ୍ୱାଟ୍ସଆପ୍

ନୂଆଦିଲ୍ଲୀ: ପ୍ରାୟ ୨ ଘଣ୍ଟା ପରେ ସ୍ୱାଭାବିକ ହେଲା ହ୍ୱାଟ୍ସଆପ୍ । ସାରା ଦେଶରେ ପାଖାପାଖି ୧୨ଟା ୩୦ମି. ବେଳକୁ ହ୍ୱାଟ୍ସଆପରେ ମେସେଜ ଓ କଲିଂରେ ସମସ୍ୟା ଦେଖାଯାଇଥିଲା । ପରେପରେ ଡାଉନ୍ ହୋଇଯାଇଥିଲା ଏହି ମେସେଜିଂ ଆପ୍ । ସିଷ୍ଟମ୍ ଡାଉନ୍ ଥିବା ନେଇ ମେଟା ପକ୍ଷରୁ ସ୍ପଷ୍ଟ ମଧ୍ୟ କରାଯାଇଥିଲା ।

ରିପୋର୍ଟ ଅନୁସାରେ ହ୍ୱାଟ୍ସଆପ୍ ସେବା ଠପ୍ ହୋଇଯାଇଥିବା ନେଇ ପାଖାପାଖି ୧୧ ହଜାରରୁ ଅଧିକ ୟୁଜର୍ସ ସୋସିଆଲ୍ ମିଡିଆଣେ ଅଭିଯୋଗ କରିସାରିଛନ୍ତି । ସେବା ଠପ୍ ଯୋଗୁଁ ୟୁଜର୍ସ ଖୁବ୍ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

ଏନେଇ ମେଟା କମ୍ପାନୀର ପ୍ରବକ୍ତା କହିଛନ୍ତି ଯେ, ହ୍ୱାଟ୍ସଆପକୁ ସ୍ୱାଭାବିକ କରିବା ଲାଗି ପ୍ରୟାସ ଚାଲିଛି । ଟିମ୍ ମେମ୍ବର ଏହା ଉପରେ କାର୍ଯ୍ୟ କରୁଛନ୍ତି ।

ଅରୁଣାଚଳପ୍ରଦେଶ ଇଟାନଗରରେ ଭୟାବହ ଅଗ୍ନିକାଣ୍ଡ

ଇଟାନଗର: ଅରୁଣାଚଳପ୍ରଦେଶ ଇଟାନଗରରେ ଭୟାବହ ଅଗ୍ନିକାଣ୍ଡ। ନଗରଲାଗୁନ ଓ ଇଟାନଗରର ପ୍ରାୟ ୧୩ କିଲୋମିଟର ଅଞ୍ଚଳରେ ଥିବା ଡେଲି ମାର୍କେଟରେ ନିଆଁ ଲାଗି ପ୍ରାୟ ୭ଶହ ଦୋକାନ ଜଳିଯାଇଛି। ଆଜି ଭୋରରୁ ପ୍ରାୟ ଦୁଇଟି ଦୋକାନରେ ନିଆଁ ଲାଗିଯାଇଥିଲା ।

ଏହାପରେ ନିଆଁ ଅନ୍ୟ ଦୋକାନକୁ ବ୍ୟାପିଥିଲା । ଭୋରରୁ ନିଆଁ ଲାଗିଥିବାରୁ କେହି ମୃତାହତ ହୋଇଥିବାର ସୂଚନା ମିଳିନାହିଁ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ ବୋଲି ଅଗ୍ନିଶମ ଅଧିକାରୀ ସୂଚନା ଦେଇଛନ୍ତି ।

ବିଜେପି ବିରୋଧରେ ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡି

ଭୁବନେଶ୍ୱର: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡିର ୭ ଜଣିଆ ପ୍ରତିନିଧି ଦଳ । ଧାମନଗର ଉପନିର୍ବାଚନକୁ ନେଇ ସିଇଓଙ୍କ ନିକଟରେ ଫେରାଦ ହୋଇଛି ବିଜେଡି ଟିମ୍ । ଧାମନଗର ଉପନିର୍ବାଚନରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଅପଚେଷ୍ଟା କରାଯାଉଛି ବୋଲି କହିଛନ୍ତି ବିଜେଡି ନେତା ଲେନିନ ମହାନ୍ତି ।

ତେଣୁ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାକୁ ସିଇଓଙ୍କୁ ଅନୁରୋଧ କରିଛି ବିଜେଡି । ଏହାସହ ଭୋଟ ହାତେଇବା ପାଇଁ ଟଙ୍କା ଦିଆଯାଉଥିବା ଅଭିଯୋଗ କରିଛି ବିଜେଡି । ଅନ୍ୟପଟେ ଆସନ୍ତା ୩୧ ତାରିଖରେ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ଡାଉନ ହେଲା ହ୍ୱାଟ୍ସଆପ୍, ଚିନ୍ତାରେ ୟୁଜର୍ସ

ନୂଆଦିଲ୍ଲୀ: ଅଧା ଘଣ୍ଟା ଧରି ଡାଉନ୍ ରହିଛି ହ୍ବାଟ୍ସ ଆପ୍ । ନା ମେସେଜ୍ ଯାଉଛି, ନା ଆସିପାରୁଛି । ଗ୍ରୁପ ଏବଂ ବ୍ୟକ୍ତିଗତ ମେସେଜ୍ ସେବା ଠପ୍ । ହ୍ବାଟ୍ସ ଆପ୍ ସର୍ଭର ଠପ୍, ସିଷ୍ଟମ ମଧ୍ୟ କ୍ରାସ୍ ହୋଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ଭାରତରେ ଅଧା ଘଣ୍ଟା ଧରି ଡାଉନ୍ ରହିଛି ହ୍ବାଟ୍ସ ଆପ୍  ଓ ଫେସବୁକ୍ ଭଳି ସୋସିଆଲ୍ ମିଡ଼ିଆ ପ୍ଲାଟଫର୍ମ।ସେପଟେ ମେସେଜିଂ ଆପ୍ ଡାଉନ ନେଇ ସ୍ପଷ୍ଟୀକରଣ ରଖିଛି ମୂଳ କମ୍ପାନୀ ମେଟା । କମ୍ପାନୀ ପକ୍ଷରୁ ସିଷ୍ଟମ କ୍ରାସର କାରଣ କୁହାଯାଇ ନଥିବା ବେଳେ ୟୁଜର୍ସ ସାମନା କରୁଥିବା ସମସ୍ୟା ସମ୍ପର୍କରେ ଅବଗତ ଅଛୁ ବୋଲି କୁହାଯାଇଛି । ଯଥାଶୀଘ୍ର ସମସ୍ୟା ସମାଧାନ ପାଇଁ ଚେଷ୍ଟା ଜାରି ରହିଛି ବୋଲି ମେଟା କହିଛି । ସିଷ୍ଟମରେ ବି ହ୍ବାଟସଆପ୍ କ୍ୟୁ-ଆର କୋର୍ଡ ସ୍କାନ ହେଉ ନଥିବା ଅନେକ ୟୁଜର୍ସ ଅଭିଯୋଗ କରିଛନ୍ତି । ହ୍ବଟସଆପ୍ କାମ କରୁନଥିବା ଖବର ଟ୍ବିଟରରେ ଟ୍ରେଣ୍ଡ କରୁଛି ।