spot_img
Home Blog Page 3921

ଭାରତରୁ ଦକ୍ଷିଣଆଫ୍ରିକା.. ପରେ ଇଂଲଣ୍ଡ ପହଞ୍ଚିଥିଲା ସୁନକଙ୍କ ପରିବାର…ଜାଣନ୍ତୁ ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତର ଯାତ୍ରା

ନନ୍ଦିଘୋଷ ବ୍ୟୁରୋ: ଭାରତୀୟ ବଂଶୋଦ୍ଧବ ଋଷି ସୁନକ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହେବେ । କଞ୍ଜରଭେଟିବ ଦଳର ନେତା ଭାବେ ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ ହେବା ନେଇ ଘୋଷଣା ହୋଇଛି । ସୁନକଙ୍କୁ ସବୁଠୁ ଅଧିକ ସାଂସଦଙ୍କ ସମର୍ଥନ ମିଳିଛି ଯେତବେଳେ କି ପେନୀ ମୋରଡାଣ୍ଟ ସମର୍ଥନରେ ବହୁତ ପଛରେ ରହିଯାଇଥିଲେ, ଏହାପରେ ସେ ନିଜ ନାଁ ପ୍ରତ୍ୟାହର କରିନେଇଥିଲେ ।

ସୂଚନାଥାଉକି, ୪୫ ଦିନ ପର୍ଯ୍ୟନ୍ତ ବ୍ରିଟେନର ପ୍ରଧାନମନ୍ତ୍ରୀ ରହିଥିବା ଲିଜ୍ ଟ୍ରସ୍ ଙ୍କ ଇସ୍ତଫା ପରେ ପୁଣିଥରେ ନିର୍ବାଚନ କରାଯାଇଥିଲା । ଆରମ୍ଭରୁ ହିଁ ଋଷି ସୁନକଙ୍କୁ ମଜବୁତ ପ୍ରାର୍ଥୀ ଭାବେ ଜଣାଯାଉଥିଲା । ଆଜି ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ନାଁ ଘୋଷଣା ପରେ ଭାରତରେ ମଧ୍ୟ ଖୁସିର ଲହର ଖେଳିଯାଇଛି । ଦିନେ ଯେଉଁ ଇଂରେଜ ଭାରତ ଉପରେ ୨୦୦ ବର୍ଷ ପର୍ଯ୍ୟନ୍ତ ଶାସନ କରିଥିଲେ, ଆଜି ଜଣେ ଭାରତୀୟ ବଂଶୋଦ୍ଭବ ସେମାନଙ୍କୁ ଶାସନ କରିବେ । ଏହାକୁ ନେଇ ଭାରତୀୟ ବେସ୍ ଗର୍ବ ଅନୁଭବ କରୁଛନ୍ତି ।

ତେବେ ଆଜି ଆମେ ଜାଣିବା ଋଷିଙ୍କ ଭାରତ ସହ ସମ୍ବନ୍ଧର କଥା । ଭାରତ ଛାଡ଼ିବା ପରେ ତାଙ୍କ ପରିବାର କେଉଁଠିକୁ ଯାଇଥିଲେ ଏବଂ ଇଂଲଣ୍ଡରେ ସୁନକଙ୍କ ରାଜନୈତିକ ଯାତ୍ରା ସମ୍ପର୍କରେ ସବୁକିଛି ଜାଣିବା । ଋଷି ସୁନକଙ୍କ ଜନ୍ମ ୧୨ ମଇ ୧୯୮୦ରେ ବ୍ରିଟେନର ସାଉଥମ୍ପଟନରେ ହୋଇଥିଲା । ତାଙ୍କ ମାଆଙ୍କ ନାଁ ଉଷା ସୁନକ ଏବଂ ପିତାଙ୍କ ନାଁ ଯଶବୀର ସୁନକ । ସେ ତିନି ଭାଇ ଭଉଣୀଙ୍କ ମଧ୍ୟରେ ସବୁଠୁ ବଡ଼ ଅଟନ୍ତି । ତାଙ୍କ ଜେଜେ ବାପା ଓ ଜେଜେ ମାଆ ପଞ୍ଜାବର ବାସିନ୍ଦା ଥିଲା । ୧୯୬୦ରେ ସେ ନିଜ ପିଲାଙ୍କ ସହ ପୂର୍ବ ଆଫ୍ରିକା ଚାଲିୟାଇଥିଲେ ।

ପରେ ଏହିଠାରୁ ତାଙ୍କ ପରିବାର ଇଂଲଣ୍ଡ ସ୍ଥାନାନ୍ତର ହୋଇଯାଇଥିଲା । ସେବେଠୁ ସୁନକଙ୍କ ପରିବାର ଇଂଲଣ୍ଡରେ ରହିଆସୁଛି । ଭାରତରେ ବଡ଼ ଉଦ୍ୟୋଗପତିମାନଙ୍କ ମଧ୍ୟରେ ଜଣାଶୁଣା ଇନଫୋସିସର ସଂସ୍ଥାପକ ନାରାୟଣମୂର୍ତ୍ତିଙ୍କ ଝିଅ ଅକ୍ଷତା ମୂର୍ତ୍ତିଙ୍କୁ ବିବାହ କରିଛନ୍ତି ଋଷି । ସୁନକ ଓ ଅକ୍ଷତାଙ୍କ ଦୁଇଝଣ ଝିଅ ଅଛନ୍ତି । ତାଙ୍କ ଝିଅମାନଙ୍କ ନାଁ ଅନୁଷ୍କା ସୁନକ ଓ କୃଷ୍ଣା ସୁନକ ଅଟେ । ଋଷି ସୁନକଙ୍କ ପ୍ରାଥମିକ ପାଛପଢ଼ା ଇଂଲଣ୍ଡର ୱିନଚେଷ୍ଟର କଲେଜରେ ହୋଇଥିଲା । ସେ ଆଗାମୀ ପାଠପଢ଼ା ଅକ୍ସଫୋର୍ଡରୁ କରିଥିଲେ । ୨୦୦୬ରେ ସେ ଷ୍ଟାନପୋର୍ଡ ବିଶ୍ୱବିଦ୍ୟାଳୟରୁ ଏମବିଏର ଡିଗ୍ରୀ ମଧ୍ୟ ପ୍ରାପ୍ତ କରିଥିଲେ ।

ଏମବିଏ ପାଠ ପଢ଼ା ସମୟରେ ଋଷି ଓ ଇନପୋସିସ ସଂସ୍ଥାପକ ନାରାୟଣମୂର୍ତ୍ତିଙ୍କ ଝିଅ ଅକ୍ଷତାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ୨୦୦୯ରେ ଉଭୟଙ୍କ ବିବାହ ବେଙ୍ଗାଲୁରୁରେ ଭାରତୀୟ ରୀତିନୀତିରେ ହୋଇଥିଲା । ଅକ୍ଷତା ଇଂଲଣ୍ଡରେ ନିଜର ଫେସନ ବ୍ରାଣ୍ଡ ମଧ୍ୟ ଚଳାଉଛନ୍ତି । ଆଜିର ତାରିଖରେ ସେ ଇଂଲଣ୍ଡର ସବୁଠୁ ଧନୀ ମହିଳାମାନଙ୍କ ମଧ୍ୟରୁ ଜଣେ  । ଷ୍ଟାନପୋର୍ଡ ବିଶ୍ୱବିଦ୍ୟାଳୟରୁ ଏମବିଏ କରିବା ପରେ ଋଷି ଗୋଲ୍ଡମ୍ୟାନ ସ୍କାକ୍ସରେ ଚାକିରି କରିଥିଲେ । ୨୦୦୯ରେ ସେ ଚାକିରି ଛାଡି ବ୍ୟବସାୟ ଆରମ୍ଭ କରିଥିଲେ । ଏହାପରେ ତାଙ୍କର ବ୍ୟବସାୟ ବଢ଼ିବାରେ ଲାଗିଥିଲା ।

୨୦୧୩ରେ କ୍ୟାଟାମାରନ ଭେଞ୍ଚର୍ସ ୟୁକେ ଲିମିଟେଡରେ ତାଙ୍କୁ ଏବଂ ତାଙ୍କ ପତ୍ନୀଙ୍କୁ ନିର୍ଦ୍ଦେଶକ ନିଯୁକ୍ତ କରାଯାଇଥିଲା । ୨୦୧୫ରେ ସେ ଏହି ପାର୍ମରୁ ଇସ୍ତଫା ଦେଇଥିଲେ କିନ୍ତୁ ତାଙ୍କ ପତ୍ନୀ ଏହାସହ ଯୋଡ଼ିହୋଇ ରହିଥିଲେ । ଏହି କମ୍ପାନୀ ଅକ୍ଷତାଙ୍କ ବାପା ଏନ ନାରାୟଣ ମୂର୍ତ୍ତିଙ୍କର ଅଟେ । ଋଷି ସୁନକ ପ୍ରଥମଥର ୨୦୧୪ରେ ରାଜନୀତିରେ ପାଦ ଥାପିଥିଲେ । ୨୦୧୫ରେ ସେ ରିଚମଣ୍ଡରୁ ନିର୍ବାଚନ ଲଢ଼ିଥିଲେ ଏବଂ ବିଜୟୀ ମଧ୍ୟ ହୋଇଥିଲେ । ୨୦୧୭ରେ ତାଙ୍କୁ ପୁଣିଥରେ ବିଜୟ ମିଳିଥିଲା । ଏହାପରେ ୧୩ ଫେବ୍ରୁଆରୀ ୨୦୨୦ରେ ତାଙ୍କୁ ଇଂଲଣ୍ଡର ଅର୍ଥମନ୍ତ୍ରୀ ଘୋଷଣା କରାଯାଇଥିଲା ।

ଚଳିତ ବର୍ଷ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଉପରେ ଆରୋପ ଲାଗିବା ପରେ ଋଷି ସୁନକ ଇସ୍ତଫା ଦେଇ ଦେଇଥିଲେ । ଏହାପରେ ଲଗାତାର ଜନସନ କ୍ୟାବିନେଟର ଅନେକ ମନ୍ତ୍ରୀ ଇସ୍ତଫା ଦେଇ ଦେଇଥିଲେ । ଏହାପରେ ନୂଆ ପ୍ରଧାନମନ୍ତ୍ରୀ ପାଇଁ ନିର୍ବାଚନ ଆରମ୍ଭ ହୋଇଥିଲା । ଏଥିରେ ଋଷି ସୁନକ ମଜବୁତ ପ୍ରାର୍ଥୀ ଭାବେ ସାମ୍ନାକୁ ଆସିଥିଲେ । ଏ

ହାପରେ ମୁଖ୍ୟ ଲଢ଼େଇ ଋଷି ଓ ଲିଜଙ୍କ ମଧ୍ୟରେ ହୋଇଥିଲା । କିନ୍ତୁ ଲିଜ ଟ୍ରସ ପ୍ରଧାନମନ୍ତ୍ରୀ ବନିଯାଇଥିଲେ । ଅବଶ୍ୟ, ଲିଜ ଟ୍ରସ୍ ଛଅ ସପ୍ତାହ ପରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦେଇଥିଲେ । ଏହାପରେ ଋଷି ସୁନକ ମଧ୍ୟ ପ୍ରଧାନମନ୍ତ୍ରୀ ଦୌଡ଼ରେ ଆସିଯାଇଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଦୌଡ଼ରୁ ଓହରି ଯିବା ପରେ ସୁନକଙ୍କ ପ୍ରଧାନମନ୍ତ୍ରୀ ହେବା ରାସ୍ତା ସଫା ହୋଇଯାଇଥିଲା । ଆଜି ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ନାଁ ଘୋଷଣା କରାଯାଇଛି ।

ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହେବେ ଋଷି ସୁନକ, ୨୮ରେ ନେବେ ଶପଥ

ଲଣ୍ଡନ: ବ୍ରିଟେନ ରାଜନୈତିକ ସଙ୍କଟରେ ପଡ଼ିଲା ପୂର୍ଣ୍ଣଚ୍ଛେଦ । ଇଂରେଜଙ୍କ ଉପରେ ରାଜ୍ କରିବେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ । ଇତିହାସ ରଚି ବ୍ରିଟେନର ପ୍ରଧାନମନ୍ତ୍ରୀ ହୋଇଛନ୍ତି । ଋଷି ସୁନକ ହାଉସ ଅଫ କମନ୍ସର ଲିଡର ପେନୀ ମରଡୋଣ୍ଟଙ୍କୁ ମାତ୍ ଦେଇ ନିର୍ବାଚନ ଜିତିଛନ୍ତି । ଋଷି ସୁନକଙ୍କୁ ମିଳିଛି ଅଧାରୁ ଅଧିକ ସାଂସଦଙ୍କ ସମର୍ଥନ ।

ଗୃହ ସଚିବ ଗ୍ରାଣ୍ଟ ଶାପ୍ସ, ଅନ୍ତର୍ଜାତୀୟ ବାଣିଜ୍ୟ ସଚିବ କେମି ବାଡେନୋଚ୍ ଏବଂ ପୂର୍ବତନ ଗୃହ ସଚିବ ସୁଏଲା ବ୍ରାଭରମ୍ୟାନ ମଧ୍ୟ ସୁନକଙ୍କ ପ୍ରତି ସମର୍ଥନ ଘୋଷଣା କରିଛନ୍ତି । ଋଷିଙ୍କ ଏକମାତ୍ର ପ୍ରତିଦ୍ବନ୍ଦ୍ବୀ ତଥା ହାଉସ ଅଫ କମନ୍ସର ସାଂସଦ ପେନ୍ନି ମରଡୋଣ୍ଟ ରେସରୁ ଆଉଟ ହୋଇଯାଇଛନ୍ତି । ଶହେ ସାଂସଦଙ୍କ ସମର୍ଥନ ନମିଳିବାରୁ ସେ ସେ ପ୍ରଧାନମନ୍ତ୍ରୀ ଦୌଡ଼ରୁ ଓହରିଯାଇଛନ୍ତି । ଏହାପରେ କଞ୍ଜରଭେଟିବ ଦଳର ସାଂସଦମାନେ ସୁନକଙ୍କୁ ନେତା ଭାବେ ଚୟନ କରିଛନ୍ତି ।

ପ୍ରଥମ ଭାରତୀୟ ବଂଶୋଦ୍ଭବ ଏବଂ ଅଶ୍ୱେତ ଭାବେ ସେ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ସେପଟେ ଶହେ ସାଂସଦଙ୍କ ସମର୍ଥନ ଥାଇ ବି ରେସରେ ସାମିଲ ନ ହେବାକୁ ସରପ୍ରାଇଜ ଘୋଷଣା କରିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ଦଳ ଭିତରେ ଏକତା ନରହିଲେ ପ୍ରଭାବିତ ଢଙ୍ଗରେ ସରକାର ଚଳାଇ ହେବ ନାହିଁ । ତେଣୁ ଯିଏ ଜିତିବ ତାକୁ ସମର୍ଥନ ଦେବେ ବେଲି ଜନସନ କହିଥିଲେ ।

ସୂଚନାନୁଯାୟୀ, ଋଷି ସୁନକ ୨୮ ଅକ୍ଟୋବରରେ ଶପଥ ନେଇପାରନ୍ତି । ୨୯ରେ ବ୍ରିଟିସ କ୍ୟାବିନେଟର ନୂଆ ମନ୍ତ୍ରୀମଣ୍ଡଳ ଗଠନ ହେବ । ସୂଚନାଥାଉକି ୪୫ ଦିନ ପର୍ଯ୍ୟନ୍ତ ବ୍ରିଟେନର ପ୍ରଧାନମନ୍ତ୍ରୀ ରହିଥିବା ଲିଜ୍ ଟ୍ରସଙ୍କ ଇସ୍ତଫା ପରେ ପୁଣିଥରେ ନିର୍ବାଚନ କରାଯାଇଥିଲା । ଏଥିରେ ଋଷି ମଜବୁତ ପ୍ରାର୍ଥୀ ଜଣାଯାଉଥିଲେ ।  ସୋମବାର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ମଧ୍ୟ ପ୍ରଧାନମନ୍ତ୍ରୀ ଦୌଡର ନିଜକୁ ଅଲଗା କରିଦେଇଥିଲେ । ଯାହାପରେ ସ୍ପଷ୍ଟ ହୋଇଯାଇଥିଲା ଯେ ଋଷି ହିଁ ଆଗାମୀ ପ୍ରଧାନମନ୍ତ୍ରୀ ହେବେ ।

ସୁନକଙ୍କ ବିଜୟର ଏକ ବଡ଼ କାରଣ ହେଉଛି ତାଙ୍କର ବ୍ୟାଙ୍କର ଛବି । ପ୍ରଧାନମନ୍ତ୍ରୀ ଭାବେ ଲିଜ୍ ଟ୍ରସ୍ ବିଫଳ ହେବାର ସବୁଠୁ ବଡ଼ କାରଣ ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳ ନଆଣିପାରିବା । ବ୍ରିଟେନରେ ଦରଦାମ ବୃଦ୍ଧି ବଡ଼ ପ୍ରସଙ୍ଗ ରହିଥିଲା । ବ୍ରିଟେନରେ ଆର୍ଥିକ ଅସ୍ଥିରତା ମଧ୍ୟ ରହିଥିଲା, ଯାହାପରେ ଜନସନ ସରକାରରେ ଅର୍ଥ ମନ୍ତ୍ରୀ ରହିଥିବା ଋଷି ସୁନକ ଇକୋନମିକ ବେଲ୍ ଆଉଟ୍ ପ୍ଲାନ ଆଣିଥିଲେ । ଏହାପରେ ଲୋକମାନଙ୍କ ମଧ୍ୟରେ ତାଙ୍କ ଲୋକପ୍ରିୟତା ବଢ଼ିଯାଇଥିଲା ।

ଭାରତକୁ ଟ୍ରୋଲ କରୁଥିଲେ ପାକିସ୍ତାନୀ ପ୍ରଶଂସକ, ଏମିତି ଜବାବ ଦେଲେ ଗୁଗଲ ସିଇଓ

ନନ୍ଦିଘୋଷ ବ୍ୟୁରୋ: ଗତକାଲି ଅର୍ଥାତ ରବିବାର ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷ ମ୍ୟାଚରେ ଭାରତ ରୋମାଞ୍ଚକର ବିଜୟ ହାସଲ କରିଥିଲା । ପାରମ୍ପରିକ ପ୍ରତିଦ୍ୱନ୍ଦୀ ଟିମ୍ ପାକିସ୍ତାନକୁ ହରାଇ ଭାରତୀୟ କ୍ରିକେଟ ଦଳ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିଛି । ପାକିସ୍ତାନ ବିପକ୍ଷ ମ୍ୟାଚରେ ବିରାଟ କୋହଲିଙ୍କ ଜବରଦସ୍ତ ବ୍ୟାଟିଂ ଦେଖିବାକୁ ମିଳିଥିଲା ।

ମ୍ୟାଚ୍ ପରେ ଭାରତକୁ ସବୁଆଡ଼ୁ ଶୁଭେଚ୍ଛାର ସୁଅ ଛୁଟୁଛି ଏବଂ ପାକିସ୍ତାନକୁ ଟ୍ରୋଲ କରାଯାଇଛି । ଖାସ କଥା ଏହା ଯେ ଗୁଗଲ ସିଇଓ ସୁନ୍ଦର ପିଚାଇ ମଧ୍ୟ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଜଣେ ପାକିସ୍ତାନୀ ପ୍ରଶଂସକଙ୍କ ମୁହଁ ବନ୍ଦ କରିଦେଇଛନ୍ତି । ସୂଚନାଯୋଗ୍ୟ, ସୁନ୍ଦର ପିଚାଇ ସାମାଜିକ ଗଣମାଧ୍ୟମରେ ଦୀପାବଳିର ଶୁଭେଚ୍ଛା ଜଣାଇ ଭାରତ-ପାକିସ୍ତାନ ମ୍ୟାଚର ଶେଷ ତିନି ଓଭରର ଉଲ୍ଲେଖ କରିଥିଲେ ।

ଏହି ଟ୍ୱିଟର ଜବାବରେ ଜଣେ ପାକିସ୍ତାନୀ ପ୍ରଶଂସକ ସୁନ୍ଦର ପିଚାଇଙ୍କୁ ପ୍ରଥମ ତିନି ଓଭର ମ୍ୟାଚ୍ ଦେଖିବାକୁ ପରାମର୍ଶ ଦେଇଥିଲେ, ଯେଉଁଥିରେ କେଏଲ ରାହୁଲ, ରୋହିତ ଶର୍ମା ଆଉଟ୍ ହୋଇଥିଲେ । ସୁନ୍ଦର ପିଚାଇ ତାଙ୍କୁ ଏପରି ଜବାବ ଦେଇଥିଲେ ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସୁନ୍ଦର ଜବାବରେ ଲେଖିଥିଲେ ଯେ, ମୁଁ ମଧ୍ୟ ଦେଖିଛି, ଭୁବନେଶ୍ୱର ଏବଂ ଅର୍ଶଦୀପ ସିଂହ କମାଲର ସ୍ପେଲ ପକାଇଥିଲେ ।

ପାକିସ୍ତାନୀ ୟୁଜର ଏଠାରେ ଇଣ୍ଡିଆକୁ ଟ୍ରୋଲ କରୁଥିଲା, କିନ୍ତୁ ସୁନ୍ଦର ପିଚାଇ ସେହି ପାକିସ୍ତାନୀ ପାଳିର ମନେପକାଇ ତାଙ୍କ ଟିମକୁ ଟ୍ରୋଲ କରିଦେଇଥିଲେ । ସୁନ୍ଦର ପିଚାଇ ନିଜ ଟ୍ୱିଟରେ ଲେଖିଥିଲେ ଯେ ହାପି ଦିୱାଲି, ଆଶା କରୁଛି ଯେ, ସମସ୍ତେ ନିଜ ପରିବାର ଏବଂ ବନ୍ଧୁଙ୍କ ସହ ମିଶି ଦୀପାବଳି ପାଳନ କରୁଥିବେ । ମୁଁ ଏହି ଦୀପାବଳି ଗତକାଲିର ଶେଷ ତିନି ଓଭର ଦେଖି ପାଳନ କରିଛି, ଚମତ୍କାର ମ୍ୟାଚ ଏବଂ ପ୍ରଦର୍ଶନ ଥିଲା, ହାପି ଦିୱାଲୀ ।

ଏହି ଟ୍ୱିଟରେ ଜଣେ ପାକିସ୍ତାନୀ ୟୁଜର ଜବାବ ଦେଇଥିଲେ ଯେ ଆପଣଙ୍କୁ ପ୍ରାରମ୍ଭିକ ତିନି ଓଭର ଦେଖିବାର ଥିଲା । ଏହାର ଜବାବରେ ପିଚାଇ ଲେଖିଥିଲେ ମୁଁ ତାହା ମଧ୍ୟ ଦେଖିଛି, ଭୁବନେଶ୍ୱର ଏବଂ ଅର୍ଶଦୀପ ଚମତ୍କାର ସ୍ପେଲ ପକାଇଥିଲେ । ଭାରତୀୟ ଟିମକୁ ଟ୍ରୋଲ କରୁଥିବା ପାକିସ୍ତାନୀ ପ୍ରଶଂସକ ପିଚାଇଙ୍କ ଏହି ଜବାବରେ ନିଜେ ଟ୍ରୋଲର ଶିକାର ହୋଇଗଲେ । ପିଚାଇଙ୍କ ଏପରି ଜବାବକୁ ନେଇ ଭାରତରେ ଚର୍ଚ୍ଚା ହେଉଛି । ଭାରତୀୟ ବଂଶୋଦ୍ଭବଙ୍କ ଭାରତ ପ୍ରତି ପ୍ରେମ ଦେଖି ପ୍ରଶଂସା କରାଯାଇଛି ।

ବାଣ ଦୋକାନରେ ବିସ୍ଫୋରଣ, ୪ ଜଣ ଗୁରୁତର ଆହତ

କାମାକ୍ଷାନଗର: ଦୀପାବଳିରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରେ ଅଘଟଣ । ବଡ଼ସୁଆଁଳ ଗାଁରେ ବାଣ ଦୋକାନରେ ବିସ୍ଫୋରଣ । ବିସ୍ଫୋରଣରେ ୪ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ମାନେ ହେଲେ ବଡ଼ସୁଆଁଳ ଗାଁର ଜଗବନ୍ଧୁ ନାୟକ, ଦୁଷ୍ମନ୍ତ ନାୟକ, ୯ ବର୍ଷର ଶିଶୁପୁତ୍ର ପ୍ରତୀକ ନାୟକ ଏବଂ ୧୧ ବର୍ଷର ଝିଅ ଅନ୍ୱେଷା ପାଲ ।

ଗୁରୁତରଙ୍କୁ ପ୍ରଥମେ କାମାକ୍ଷାନଗର ଓ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି । ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା । ତେବେ କେଉଁ କାରଣରୁ ବିସ୍ଫୋରଣ ହୋଇଛି ସେନେଇ କିଛି ସ୍ପଷ୍ଟ ହୋଇନାହିଁ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ସ୍ଥାନୀୟ ପୋଲିସ  ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବାଣ କିଣିବା ପାଇଁ ଯାଇଥିବା ବେଳେ ଏହି ଅଘଟଣ ଘଟିଥିଲା ।

ଭାରତୀୟ ବଂଶୋଦ୍ଭବ ଋଷି ସୁନକ ବ୍ରିଟେନ ପ୍ରଧାନମନ୍ତ୍ରୀ ହେବା ଥୟ

ଲଣ୍ଡନ: ବ୍ରିଟେନ ରାଜନୈତିକ ସଙ୍କଟ । ପ୍ରଧାନମନ୍ତ୍ରୀ ପଦ ପାଇଁ ରନର ଅପ୍‌ ରୁ ଫ୍ରଣ୍ଟ ରନର ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ ଋଷି ସୁନକ । ପିଏମ ପଦକୁ ନେଇ ଛକାପଞ୍ଝା ଜାରି ରହିଥିବା ବେଳେ ରେସରୁ ଓହରି ଯାଇଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ । କଞ୍ଜରଭେଟିଭ ପାର୍ଟିର ଦୁଇ ନେତା ବୋରିସ ଓ ଋଷି ପିଏମ ପଦ ପାଇଁ ଦାବିଦାର ହୋଇପାରନ୍ତି ବୋଲି ଚର୍ଚ୍ଚା ଜାରି ରହିଥିଲା ।

ତମାମ ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି ବୋରିସ । ବୋରିସଙ୍କ ଏହି ସରପ୍ରାଇଜ ଘୋଷଣା ପରେ ସୁନକଙ୍କ ରାସ୍ତା ସଫା ହୋଇଯାଇଛି । ହାଉସ ଅଫ କମନ୍ସର ଲିଡର ପେନୀ ମରଡୋଣ୍ଟଙ୍କୁ ଯଦି ୧୦୦ ସାଂସଦଙ୍କ ସମର୍ଥନ ନମିଳେ, ତେବେ ପ୍ରଥମ ଥର ପାଇଁ ବ୍ରିଟେନ ପ୍ରଧାନମନ୍ତ୍ରୀ ଭାବେ ଜଣେ ଭାରତୀୟ ଶପଥ ନେବେ । ଏବେ ସୁଦ୍ଧା ପେନ୍ନୀଙ୍କ ପାଖରେ ପାଖରେ ୨୫ ସାଂସଦଙ୍କ ସମର୍ଥନ ରହିଛି । ଯେତବେଳେ କି ସୁନକଙ୍କ ପାଖରେ ୧୮୫ ସାଂସଦଙ୍କ ସମର୍ଥନ ରହିଛି ।

ସନ୍ଧ୍ୟା ୬ଟା ୩୦ରେ ସ୍ଥିତି ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି । ସୂଚନା ଥାଉକି ବ୍ରିଟେନର ସଂସଦରେ କଞ୍ଜରଭେଟିବ ଦଳର ୩୫୭ ସାସଂଦ ରହିଛନ୍ତି । ଏମାନେ ଅନଲାଇନ ଭୋଟିଂ କରି ଦଳ ଲିଡର ଏବଂ ପ୍ରଧାନମନ୍ତ୍ରୀ ବାଛିବେ । ନିର୍ବାଚନର ନୂଆ ନିୟମ ଅନୁଯାୟୀ ପ୍ରଧାନମନ୍ତ୍ରୀ ହେବା ପାଇଁ ୧୦୦ରୁ ଅଧିକ ସାଂସଦଙ୍କ ସମର୍ଥନ ରହିବା ଆବଶ୍ୟକ ।

ପିଏମ ରେସରୁ ଓହରିବା ପରେ ଜନସନ କହିଛନ୍ତି, ସାଧାରଣ ନିର୍ବାଚନ ଜିତିବା ପାଇଁ ସେ ସକ୍ଷମ । ତାଙ୍କ ପାଖରେ ଆବଶ୍ୟକ ସାଂସଦଙ୍କ ସମର୍ଥନ ମଧ୍ୟ ରହିଛି । ମାତ୍ର ସେ ଋଷି ସୁନକଙ୍କ ଠାରୁ ଢେର ପଛରେ ରହିଛନ୍ତି । ଦଳ ଭିତରେ ଏକତା ନରହିଲେ ପ୍ରଭାବିତ ଢଙ୍ଗରେ ସରକାର ଚଳାଇ ହେବ ନାହିଁ ।  ତେଣୁ ଯିଏ ଜିତିବ ତାକୁ ସମର୍ଥନ ଦେବେ ବେଲି ଜନସନ କହିଛନ୍ତି ।  ଲିଜ୍‌ଙ୍କ ସରକାରରେ ଗୃହମନ୍ତ୍ରୀ ଥିବା ସୁଏଲା ବ୍ରାଭରମନ ମଧ୍ୟ ସୁନକଙ୍କ ସମର୍ଥନରେ ଓହ୍ଲାଇଛନ୍ତି ।

ଦୀପାବଳିରେ ଅଶାନ୍ତ ପିପିଲି, ପୂର୍ବ ଶତ୍ରୁତାରୁ ଫୁଟିଲା ଗୁଳି

ପୁରୀ: ଦୀପାବଳିରେ ଅଶାନ୍ତ ପିପିଲି । ପୂର୍ବ ଶତ୍ରୁତାରୁ ଫୁଟିଲା ଗୁଳି । ପିପିଲି ବଜାରରେ ଯୁବକଙ୍କୁ ଗୁଳିମାଡ଼ । ଗୁଳିମାଡ଼ରେ ଉଜାଣିପଡ଼ାର ସନାତନ ପ୍ରଧାନ ଗୁରୁତର । ତାଙ୍କ ଜଙ୍ଘରେ ଗୁଳି ବାଜିଥିବା ସୂଚନା ମିଳିଛି । ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ବର କ୍ୟାପିଟାଲ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି ।

କିଛିଦିନ ତଳେ କମେଣ୍ଟମରାକୁ ନେଇ ପିପିଲିରେ ଜଣେ ଯୁବକକୁ ଆକ୍ରମଣ ଓ ବୋମା ମାଡ଼ ହୋଇଥିଲା । ସେହି ଶତ୍ରୁତାରୁ ଆଜି ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଉତ୍ତେଜନା ଲଗିରହିଥିବାବେଳେ ପୋଲିସ ପହଞ୍ଚି ତଦନ୍ତ କରୁଛି ।

ଲ୍ୟାଣ୍ଡିଂ ସମୟରେ ରନୱେରୁ ଖସିଲା କୋରିଆନ ବିମାନ, ଅଳ୍ପକେ ବର୍ତ୍ତିଲା ୧୬୨ ଯାତ୍ରୀଙ୍କ ଜୀବନ

ମନିଲା: ଫିଲିପିନରେ ସୋମବାର ଏକ ବଡ଼ ବିମାନ ଦୁର୍ଘଟଣା ଟଳିଯାଇଛି । କୋରିଆନ ଏୟାରଲାଇନ୍ସର ଏକ ବିମାନ ଫିଲିପିନ ବିମାନବନ୍ଦରରେ ରନୱେ ଟ୍ରାକରୁ ଖସିପଡ଼ିଥିଲା ଏବଂ ପାଖରେ ଥିବା ଘାଷ ପଡ଼ିଆରେ ଫସିଯାଇଥିଲା । ସୌଭାଗ୍ୟବସତଃ ବିମାନରେ ଯାତ୍ରା କରୁଥିବା ୧୬୨ ଯାତ୍ରୀ ଏବଂ ଚାଳକ ଦଳର ୧୧ ସଦସ୍ୟଙ୍କ ମଧ୍ୟରୁ କାହାକୁ ବି ଆଘାତ ଆସିନାହିଁ ।

ଇମରଜେନ୍ସି ଡୋର ଦେଇ ଯାତ୍ରାମାନେ ବାହାରକୁ ସୁରକ୍ଷିତ ବାହାରିଥିଲେ । ଦେଶର ସବୁଠୁ ବ୍ୟସ୍ତ ବିମାନବନ୍ଦର ମଧ୍ୟରୁ ଏକ ମ୍ୟାକ୍ଟିନ ଅନ୍ତର୍ଜାତୀୟ ବିମାନବନ୍ଦର ନିଜର ଏକମାତ୍ର ରନୱେରେ ବିମାନ ଫସିଥିବା କାରଣରୁ ବନ୍ଦ ରହିଛି ଏବଂ ୧୨ରୁ ଅଧିକ ଉଡ଼ାଣ ରଦ୍ଦ କରିଦିଆଯାଇଛି ।

କୋରିଆନ ଏୟାରଲାଇନ୍ସର ଅଧ୍ୟକ୍ଷ ଲୋକମାନଙ୍କୁ କ୍ଷମା ମାଗିଛନ୍ତି ଏବଂ ଏପରି ଘଟଣା ଭବିଷ୍ୟତରେ ହେବାରୁ ରୋକିବା ପାଇଁ ଏସିଆର ସବୁଠୁ ପ୍ରତିଷ୍ଠିତ ଏୟାରଲାଇନ୍ସ ମଧ୍ୟରୁ ଏକ କୋରିଆନ ଏୟାର ଦ୍ୱାରା ପଦକ୍ଷେପ ଉଠାଯିବ ବୋଲି ପ୍ରତିଜ୍ଞା କରିଛନ୍ତି । ଏହି ଘଟଣାରେ ବିମାନକୁ ମଧ୍ୟ କ୍ଷତି ପହଞ୍ଚିଛି । ଫିଲିପିନ ଏୟାରଲାଇନ୍ସ ଘଟଣାର ତଦନ୍ତ କରୁଛି ।

ଆଖି ହରାଇଲେ ବିଶିଷ୍ଟ ଲେଖକ ସଲମାନ ରଶଦି

ନ୍ୟୁୟର୍କ: ଆକ୍ରମଣର ଶିକାର ହୋଇଥିବା ଭାରତୀୟ ବଂଶୋଦ୍ଭବ ଲେଖକ ସଲମାନ ରଶଦି ଏକ ଆଖି ହରାଇଛନ୍ତି । ତାଙ୍କର ଗୋଟିଏ ହାତ ମଧ୍ୟ ଅକାମୀ ହୋଇଯାଇଛି । ଏନେଇ ତାଙ୍କ ଏଜେଣ୍ଟ ପକ୍ଷରୁ ସୂଚନା ଦିଆଯାଇଛି । ଗତ ଅଗଷ୍ଟରେ ଆମେରିକାର ନ୍ୟୁୟର୍କ ସହରରେ ଏକ ସାହିତ୍ୟ କାର୍ଯ୍ୟକ୍ରମ ବେଳେ ରଶଦିଙ୍କ ଉପରେ ହିଂସକ ଆକ୍ରମଣ ହୋଇଥିଲା ।

ବୁକର୍ ପୁରସ୍କାର ବିଜେତା ତଥା ଭାରତୀୟ ବଂଶୋଦ୍ଭବ ଆମେରିକୀୟ ଲେଖକ ସଲମାନ ରଶଦିଙ୍କୁ ଷ୍ଟେଜ ଉପରେ ଜଣେ ଦୁର୍ବୃତ୍ତ ଛୁରାମାଡ କରିଥିଲା । ଏଥିରେ ସଲମାନଙ୍କ ବେକରେ ୩ଟି ଗମ୍ଭୀର ଆଘାତ ଲାଗିଥିଲା ହାତର ସ୍ନାୟୁ କଟିଯାଇଥିବାରୁ ତାଙ୍କର ଏକ ହାତ ଅକାମୀ ହୋଇଯାଇଛି । ଆକ୍ରମଣ ପରେ ତାଙ୍କ ଛାତି ଓ ଶରୀରରେ ୧୫ ଟି ଆଘାତ ହୋଇଥିଲା । ସଲମାନ ରଶଦି ନିଜ ଲେଖା ପାଇଁ ସାରା ବିଶ୍ବରେ ପରିଚିତ । ରଶଦିଙ୍କ ପୁସ୍ତକ The Satanic Versesକୁ ୧୯୮୮ ମସିହାରେ ଇରାନରେ ବ୍ୟାନ କରାଯାଇଥିଲା ।

ଦୀପାବଳିରେ କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା, ହଷ୍ଟେଲରେ ଝୁଲୁଛି ମୃତଦେହ

ପୁରୀ: ଦୀପାବଳିରେ କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା  । ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ଜୁନିୟର କଲେଜର ଯୁକ୍ତ ୨ ଦ୍ୱିତୀୟ ବର୍ଷ ଛାତ୍ରୀ କଲେଜ ହଷ୍ଟଲେରେ ଆତ୍ମହତ୍ୟା କରିଥିବା ଜଣା ପଡିଛି । ସୁକନ୍ୟା ହଷ୍ଟେଲରେ ନିଜ ଓଢଣୀରେ ଆତ୍ମହତ୍ୟା କରିଥିବାର ସୂଚନା ମିଳିଛି। ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଁଚି ମୃତ ଯୁବତୀଙ୍କୁ ଜବତ କରିବା  ସହ ପୋଷ୍ଟମର୍ଟମ ପାଇଁ ମେଡିକାଲ ନେଇଛନ୍ତି  ।

ସୂଚନା ମୁତାବକ ଦୀପାବଳୀ ପାଇଁ ସାଙ୍ଗମାନେ ତାଙ୍କୁ ଯେତେବେଳେ ଡାକିବାକୁ ଆସିଥିଲେ, ସେ କବାଟ ଖୋଲିନଥିଲେ । ବାରମ୍ବାର ଫୋନ କରିଥିଲେ ମଧ୍ୟ ସେ କଲ୍ ରିସିଭ କରିନଥିଲେ  । ପରେ ସାଥି ସାଙ୍ଗଙ୍କ ମନରେ ସନ୍ଦେହ ଦୃଢୀଭୂତ ହୋଇଥିଲା  ।  ସୁପରିଟେଣ୍ଡଙ୍କୁ ଖବର ଦେବା ପରେ ସେ ପୋଲିସକୁ ଖବର ତଦେଇଥିଲେ  । ଛାତ୍ରୀ ଜଣଙ୍କ ନିଜ ଓଢଣାରେ ଆତ୍ମହତ୍ୟା କରିଥିବା ଜଣପଡିଥିଲା  ।

ମାଡି ଆସୁଛି ବାତ୍ୟା ସି-ତ୍ରଙ୍ଗ, ହାଇ ଆଲର୍ଟରେ ପଶ୍ଚିମବଙ୍ଗ

କୋଲକାତା: ବାତା ସି-ତ୍ରଙ୍ଗ ପାଇଁ ପଶ୍ଚିମବଙ୍ଗରେ ହାଇଆଲର୍ଟ ଜାରି କରାଯାଇଛି । ଉଚ୍ଚ ଜୁଆର ଯୋଗୁ ସମୁଦ୍ର ଅଞ୍ଚଳରେ ଜୁଆର ମାଡି ଆସୁଛି  ।  ଜୁଆରର ଉଚ୍ଚତା ବେଳକୁ ବେଳ ବଢ଼ିବାରେ ଲାଗିଛି  ।  ଅନ୍ୟ ଆଦେଶ ପର୍ଯ୍ୟନ୍ତ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ରକୁ ଯିବାକୁ  ମନା କରାଯାଇଛି । ବାତ୍ୟା କାରଣରୁ ସମୁଦ୍ର ଅଶାନ୍ତ ରହିବା ସହିତ ଉଚ୍ଚ ଜୂଆର ମଧ୍ୟ ଆରମ୍ଭ ହୋଇଛି ପଶ୍ଚିମବଙ୍ଗ ଓ ଓଡ଼ିଶା ସୀମାନ୍ତ ଦିଘା ପ୍ରଶାସନ ପକ୍ଷ ରୁ ସାଧାରଣ ଲୋକଙ୍କୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନ କରାଯାଉଛି ।

ଅନ୍ୟପଟେ ନିଉ ଦିଘା, ଦିଘା ଉପକୂଳରେ ଥିବା ଦୋକାନ ବଜାର ସହ ହୋଟେଲକୁ ମଧ୍ୟ ସତର୍କ କରିଛି ପଶ୍ଚିମବଙ୍ଗ ପ୍ରଶାସନ  । ପ୍ରଶାସନ ପକ୍ଷରୁ  ହଲଦିଆ ଡକ୍ ରେ ମଧ୍ୟ ମାଇକ ଜରିଆରେ ସଚେତନ କରାଯାଉଛି  । କୋଷ୍ଟାଲା ଗାର୍ଡ ଟିମ୍ ମୁତୟନ ରହିଛନ୍ତି  ।  ସି ତ୍ରଙ୍ଗକୁ ନେଇ ମତ୍ସ୍ୟଜୀବୀଙ୍କୁ ସଚେତନ କରାଯିବା ସହ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଉଛ  ।