spot_img
Home Blog Page 4053

ଶ୍ରୀଲଙ୍କାରେ ଉଗ୍ର ହେଲା ଜନ ଅସନ୍ତୋଷ; ସଂସଦ ଓ ପ୍ରଧାନମନ୍ତ୍ରୀ ବାସଭବନ ଅଭିମୁଖେ ବିକ୍ଷୋଭକାରୀ

କଲମ୍ବୋ: ଜଟିଳ ହେଉଛି ଶ୍ରୀଲଙ୍କା ସଙ୍କଟ । ଶ୍ରୀଲଙ୍କାରେ ଜାରି ହେଲା ଏମର୍ଜେନସି । ସାରା ଦେଶରେ ଜାରି ରହିଛି ଜୋରଦାର ଆନ୍ଦୋଳନ । ଜୋର ଧରିଛି ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ଓ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଙ୍ଘେଙ୍କ ଇସ୍ତଫା ଦାବି । ହଜାର ହଜାର ଆନ୍ଦୋଳନକାରୀ ସଂସଦ ଅଭିମୁଖେ ଆଗେଇ ଚାଲିଥିବା ସୂଚନା ମିଳିଛି । ପୂର୍ବରୁ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଙ୍ଘେଙ୍କ ଘରେ ଲୋକେ ନିଆଁ ଲଗାଇଦେଇଥିବାବେଳେ ଗତ ସପ୍ତାହରେ ରାଷ୍ଟ୍ରପତି ଭବନକୁ କବଜା କରିଥିଲେ ଆନ୍ଦୋଳନକାରୀ । ଏବେ ସଂସଦ ଭବନ ଅଭିମୁଖେ ଆନ୍ଦୋଳନକାରୀ ମାଡ଼ି ଚାଲିବା ପରେ ପ୍ରଶାସନର ଚିନ୍ତା ବଢ଼ିଛି ।

ସେପଟେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ଗତକାଲି ବିଳମ୍ବିତ ରାତିରେ ଶ୍ରୀଲଙ୍କା ଛାଡ଼ି ମାଲଦୀପ ପଳାୟନ କରିଛନ୍ତି । ଶ୍ରୀଲଙ୍କା ଏୟାରଫୋର୍ସର ସ୍ୱତନ୍ତ୍ର ବିମାନରେ ପତ୍ନୀ ଓ ଦୁଇ ବଡିଗାର୍ଡଙ୍କ ସହ ସେ ଫେରାର ହୋଇଯାଇଛନ୍ତି । ସେମାନେ ମାଲଦୀପ ରାଜଧାନୀରେ ଲ୍ୟାଣ୍ଡ କରିଥିବା କଲମ୍ବୋ ମିଡିଆ ରିପୋର୍ଟ କରିଛି । ଦ୍ୱୀପରାଷ୍ଟ୍ରରେ ଅର୍ଥନୈତିକ ସଙ୍କଟ ନେଇ ରାଜପକ୍ଷ ପରିବାର ବିରୋଧରେ ଜନ ଆକ୍ରୋଶ ଚରମସୀମାରେ ପହଞ୍ଚିଛି । ପରିବାରକୁ ସୁରକ୍ଷିତ ଭାବେ ଦେଶ ବାହାରକୁ ଯିବାକୁ ଦିଆ ନଗଲେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବେନାହିଁ ବୋଲି ପୂର୍ବରୁ ସୂଚନା ଦେଇଥିଲେ ଗୋଟାବାୟା ।

ରିୟା ଚକ୍ରବର୍ତ୍ତୀଙ୍କ ନାଁରେ ଚାର୍ଜସିଟ ଦାୟର କଲା ଏନସିବି

ମୁମ୍ବାଇ: ଅଡ଼ୁଆରେ ଫସିଲେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ । ପରଲୋକଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଲାଗି ସେ ବେଆଇନ ସାମଗ୍ରୀ ଯୋଗାଇବା ସହ ସୁଶାନ୍ତଙ୍କୁ ଅତ୍ୟଧିକ ନିଶାସକ୍ତ କରାଇବା ଲାଗି ସେ ଚେଷ୍ଟା କରିଥିଲେ ବୋଲି ଦର୍ଶାଇଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ଗତ ୨୦୨୦ ଜୁନ ୧୪ରେ ନିଜର ବାସଭବନରେ ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିବା ପରେ ଏହାର ତଦନ୍ତ ଜାରି ରହିଥିଲା । ତଦନ୍ତ ପ୍ରକ୍ରିୟାରେ ଏନସିବି ୩୫ ଅଭିଯୁକ୍ତଙ୍କ ବିରୋଧରେ ୩୮ଟି ଅଭିଯୋଗ ଆଣିଥିଲା । ଆଜି ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟରେ ଚାର୍ଜସିଟ ଦାୟର କରିଛି ଏନସିବି ।

ଦାୟର ହୋଇଥିବା ଚାର୍ଜସିଟରେ ଦର୍ଶାଯାଇଛି- ରିୟା ହେଉଛନ୍ତି ୧୦ନମ୍ବର ଅଭିଯୁକ୍ତ । ସେ ସାମୁଏଲ ମିରାଣ୍ଡା, ସୌଭିକ  ଚକ୍ରବର୍ତ୍ତୀ ଓ ଦୀପେଶ ସାଓ୍ୱନ୍ତଙ୍କଠାରୁ ଗଞ୍ଜେଇ ଆଣି ଅଭନେତା ସୁଶାନ୍ତ ସିଂ ରାଜପୁତଙ୍କୁ  ଦେଇଥିଲେ ବୋଲି ଚାର୍ଜସିଟରେ ଦର୍ଶାଯାଇଛି । ଏହି ନିଶାଦ୍ରବ୍ୟ ଯୋଗାଣ ଲାଗି ରିୟା ଅର୍ଥ ନେଉଥିଲେ । ମାର୍ଚ୍ଚ ୨୦୨୦ରୁ ସେପ୍ଟେମ୍ବର ୨୦୨୦ ଯାଏ ଏହି ନିଶାଦ୍ରବ୍ୟକୁ ରିୟା ଯୋଗାଇଆସୁଥିଲେ । ରିୟାଙ୍କ ବିରୋଧରେ ଏନଡିପିଏସ ଆକ୍ଟର ଧାରା ୮ସି, ୨୦ବି, ୨୭ଏ, ୨୮, ୨୯ ଓ ୩୦ ରୁଜୁ ହୋଇଛି । ଏହି ସବୁ ଆଇନ ଅନୁସାରେ ନିଶାଦ୍ରବ୍ୟ ହାସଲ କରିବା, ପ୍ରସ୍ତୁତ କରିବା, ବିକ୍ରି କରିବା, ପରିବହନ କରିବା, ସଞ୍ଚିତ ରଖିବା, ରପ୍ତାନି କରିବା ଆଦି ବେଆଇନ । ଚାର୍ଜସିଟରେ ଦର୍ଶାଯାଇଛି ମାର୍ଚ୍ଚ ୨୦୨୦ରୁ ଡିସେମ୍ବର ୨୦୨୦ ମଧ୍ୟରେ ଏହି ସମସ୍ତ ୩୫ ଅଭିଯୁକ୍ତ ଅପରାଧ ଷଡ଼ଯନ୍ତ୍ର କରିଥିଲେ ଏବଂ ବେଆଇନ ସାମଗ୍ରୀ ହାସଲ କରିବା, ବିକ୍ରି କରିବା, ବଣ୍ଟନ କରିବା ଆଦି କାର୍ଯ୍ୟରେ ଲିପ୍ତ ରହିଥିଲେ ।

ରାଜ୍ୟରେ ୭୦୦ ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ୭୪୩ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଉପରମୁହାଁ କରୋନା ସଂକ୍ରମଣ । ୭ ଶହ ପାର୍‌ କଲା ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ୨୭ ଜିଲ୍ଲା ଓ ଷ୍ଟେଟପୁଲରୁ ୭୪୩ ପଜିଟିଭ ଚିହ୍ନଟ ହୋଇଥିବା ବେଳେ, ଜନ୍ମରୁ ୧୮ ବର୍ଷ ବୟସ ମଧ୍ୟରେ ୮୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୪୩୬ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୩୦୭ । ଆଜି ବି ଖୋର୍ଦ୍ଧାରୁ ସର୍ବାଧିକ ୩୦୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, କଟକରୁ ୧୧୫, ସୁନ୍ଦରଗଡ଼ରୁ ୬୫, ଷ୍ଟେଟପୁଲରୁ ୬୦ ଜଣ ସଂକ୍ରମିତ ଠାବ ହୋଇଛନ୍ତି ।

ସେହିପରି ପୁରୀରୁ ୩୬, ମୟୂରଭଞ୍ଜରୁ ୧୬, ସମ୍ବଲପୁରରୁ ୧୪, ବାଲେଶ୍ୱର ଓ ଯାଜପୁରରୁ ୧୨ ଜଣ, ଜଗତସିଂହପୁର, ନୟାଗଡ଼, ନୂଆପଡ଼ାରୁ ୧୧ ଜଣ, କୋରାପୁଟରୁ ୧୦, ଭଦ୍ରକ, ବୌଦ୍ଧ, ଦେବଗଡ଼ରୁ ୮ ଜଣ, ସୋନପୁର ଓ ନବରଙ୍ଗପୁରରୁ ୭ ଜଣ, ଝାରସୁଗୁଡ଼ାରୁ ୬, କେନ୍ଦୁଝରରୁ ୫, ବଲାଙ୍ଗୀର ଓ କେନ୍ଦ୍ରାପଡ଼ାରୁ ୪ ଜଣ, ରାୟଗଡ଼ାରୁ ୩, ଗଜପତି, କଳାହାଣ୍ଡିରୁ ୨ ଜଣ, ଅନୁଗୁଳ, ବରଗଡ଼, ଗଞ୍ଜାମରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ୪୦୪ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ କେସ୍ ଏବେ ୩୮୭୮ ରହିଛି ।

ଜେଲରେ ମହିଳା ଅନ୍ତେବାସୀ ନେବେ ବିୟୁଟି ତାଲିମ

ଭୁବନେଶ୍ୱର: ଝାରପଡ଼ା ଜେଲରେ ଦିଆଯିବ ବିୟୁଟି ତାଲିମ । ମହିଳା ଅନ୍ତେବାସୀ ନେବେ ବିୟୁଟି ତାଲିମ । ୩୦ ମହିଳା କଏଦୀ ଜେଲରେ ଏହି ପାଠ ପଢ଼ିବେ । ଝାରପଡ଼ା ଜେଲରେ ସମୁଦାୟ ୪୦ ମହିଳା ଅନ୍ତେବାସୀ ଅଛନ୍ତି । ମହିଳାଙ୍କୁ ସ୍ୱାବଲମ୍ବୀ କରିବାର ଏହା ଏକ ପ୍ରୟାସ । ପୂର୍ବରୁ ହସ୍ତଶିଳ୍ପ, ଫୁଡ ପ୍ରୋସେସିଂ ଭଳି ତାଲିମ ଦିଆଯାଇଛି । ମାଛ ଚାଷ ପାଇଁ ବାୟୋ ଫ୍ଲକ ୟୁନିଟ କାମ ଚାଲିଛି । ଝାରପଡ଼ା ଜେଲରେ ତିଆରି କମ୍ବଳ ଜିଲ୍ଲା ବାହାରକୁ ଯାଉଛି । 5-T ଅଧୀନରେ ଜେଲ ବିଭାଗ ଆସିବା ପରେ ଅନେକ ଉନ୍ନତି ଆସିଛି । ଏନେଇ ସୂଚନା ଦେଇଛନ୍ତି ଜେଲ ସୁପରିଟେଣ୍ଡେଣ୍ଟ ସତ୍ୟପ୍ରକାଶ ସ୍ୱାଇଁ ।

କ୍ରାଇମବ୍ରାଞ୍ଚକୁ ସଫଳତା, ୧୫ ଲକ୍ଷରୁ ଅଧିକ ଟଙ୍କାର ଜାଲ୍ ନୋଟ୍ ଜବତ

‌ସମ୍ବଲପୁର: ପୁଣି ଜାଲ ନୋଟ ରାକେଟ ଠାବ । ୧୫ ଲକ୍ଷରୁ ଅଧିକ ଟଙ୍କାର ଜାଲ୍‌ ନୋଟ୍ ଜବତ । ସମ୍ବଲପୁର ଯୁଜୁମାରରେ କ୍ରାଇମବ୍ରାଞ୍ଚ STFର ଚଢ଼ାଉ । ଦୁଇ ଆନ୍ତଃରାଜ୍ୟ ଜାଲ ନୋଟ୍ ମାଫିଆ ଗିରଫ କରିଥିବା ସୂଚନା ମିଳିଛି । ଦୀର୍ଘଦିନ ଧରି ଏମାନେ ଏହି ନେଟୱାର୍କ ଚଳାଇ ଆସୁଥିଲେ । ନିକଟରେ ବରଗଡ଼ ବରପାଲିରୁ ୧୪ ଲକ୍ଷରୁ ଅଧିକ ଟଙ୍କାର ଜାଲ ନୋଟ୍ ଜବତ୍ ହେବା ସହ ଦୁଇ ଜଣ ଧରାପଡ଼ିଥିଲେ । କ୍ରାଇମବ୍ରାଞ୍ଚ ତଥ୍ୟ ଅନୁସାରେ ଗତ ୧୦ ବର୍ଷ ଭିତରେ ୧୦ କୋଟିରୁ ଅଧିକ ଜାଲ ନୋଟ ଜବତ ହୋଇଛି । ଜାଲ ନୋଟ ଲିଙ୍କରେ ୩୨୦ରୁ ଅଧିକ ଅଭିଯୁକ୍ତ ଧରାପଡ଼ିବା ସହ ୧୮୦ରୁ ଅଧିକ ମାମଲା ରୁଜୁ ହୋଇଛି । ତଥାପି ଥମୁନି ଜାଲ ନୋଟ୍ କାରବାର ।

ବରପାଲିରୁ ଧରା ପଡ଼ିଥିବା ଜାଲ ନୋଟ୍ ବେପାରୀଙ୍କ ବିହାର, ଛତିଶଗଡ, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ ଲିଙ୍କ୍ ଥିଲା। ଓଡ଼ିଶାର ସମ୍ବଲପୁର, ବରଗଡ଼ ଆଦି ଜିଲ୍ଲାରେ ଅଧିକ ପରିମାଣର ଜାଲ ନୋଟ୍ କାରବାର ହେଉଛି । ତେବେ ସମ୍ବଲପୁରରୁ ଧରାପଡ଼ିଥିବା ଏହି ଜାଲ ନୋଟ୍ ରାକେଟ ସହ ନିକଟରେ ଧରାପଡ଼ିଥିବା ବରପାଲି ମାଫିଆ ଶହ କିଛି ଲିଙ୍କ୍ ଅଛି କି ? କେଉଁଠୁ ଆଣିଲେ ଏତେ ପରିମାଣର ଜାଲ ନୋଟ୍ ? କେତେ ଦୂର ପର୍ଯ୍ୟନ୍ତ ଲମ୍ବିଛି ଏହି ରାକେଟ ? ଏସବୁ ଏବେ କ୍ରାଇମବ୍ରାଞ୍ଚ ପାଇଁ ବଡ଼ ଚାଲେଞ୍ଜ ପାଲଟିଛି ।

ପରକିୟା ପ୍ରୀତି ଯୋଗୁ ପତ୍ନୀ ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ, ଅଭିଯୁକ୍ତ ଗିରଫ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିରିକେଲା ଥାନା କରୁଆବାହଲ ଗାଁରେ ସ୍ତ୍ରୀର ତଣ୍ଟିଚିପି ହତ୍ୟା କଲା ସ୍ୱାମୀ । ପରକିୟାପ୍ରୀତି ସନ୍ଦେହରେ ପତ୍ନୀର ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଗିରଫ ଅଭିଯୁକ୍ତ ସ୍ୱାମୀ ମିଶ୍ରିଲାଲ ବିଲୁଙ୍ଗଙ୍କ ପ୍ରେମିକାକୁ କିଞ୍ଜିରିକେଲା ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି।

ସୂଚନା ଅନୁସାରେ ପତ୍ନୀ ଶୁଶୁଲା ବିଲୁଙ୍ଗଙ୍କୁ ଗତ ୧୦ ତାରିଖରେ ତଣ୍ଟିଚିପି ହତ୍ୟା କରିବା ପରେ ପଥର ବାନ୍ଧି ବିଲ ପାଣିରେ ଫୋପାଡି ଦେଇଥିଲା ସୈତାନ ସ୍ୱାମୀ । ପରଦିନ ପତ୍ନୀଙ୍କ ମୃତଦେହ ଉଦ୍ଧାର କରାଯିବା ସହ ଗିରଫ ଅଭିଯୁକ୍ତ ସ୍ଵାମୀ ଓ ପ୍ରେମିକାଙ୍କୁ କିଞ୍ଜିରିକେଲା ଥାନାରେ ରଖି ପଚରାଉଚରା କରାଯାଉଛି । ତେବେ ଆଜି ଗିରଫ ସ୍ୱାମୀଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଆଠଗଡ଼ ନୂଆପାଟଣାରେ ମହିଳାଙ୍କୁ ଏସିଡ ମାଡ଼, ଉଦ୍ଧାର କରି ବଡ଼ ମେଡିକାଲ ସ୍ଥାନାନ୍ତର କଲା ପୋଲିସ

ଆଠଗଡ଼: ଆଠଗଡ଼ ନୂଆପାଟଣାରେ ମହିଳାଙ୍କୁ ଏସିଡ ମାଡ଼ ଅଭିଯୋଗ । ଏସିଡି ମାଡ଼ ପରେ ମହିଳାଙ୍କୁ ଉଦ୍ଧାର କରିଛି ତିଗିରିଆ ପୋଲିସ । ଉକ୍ତ ମହିଳାଙ୍କୁ ପ୍ରଥମେ ତିଗିରିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁସାରେ ଆଜି ଭୋର ୪ଟା ସମୟରେ ଏଭଳି ଘଟଣା ଘଟିଛି । ମହିଳା ଜଣଙ୍କ ଘରୁ ବାହାରକୁ ଆସିବା ବେଳେ ହଠାତ୍‌ ତାଙ୍କୁ କେହି ଦୁର୍ବୃତ୍ତ ଏସିଡ ମାଡ଼ କରି ଖସି ପଳାଇଥିଲେ । ଏସିଡ ମାଡ଼ରେ ମହିଳାଙ୍କ ଶରୀରର ୫୦ ଭାଗ ପୋଡ଼ି ଯାଇଥିବା ଜଣାପଡ଼ିଛି । ତେବେ କାହିଁକି ଏବଂ କିଏ ଏସିଡ ମାଡ଼ କରିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବାବେଳେ ପୋଲିସ ତଦନ୍ତ ଜାରି ରଖିଛି ।

ଲଘୁଚାପ ଓ ମୌସୁମୀ ବର୍ଷାରେ ଭିଜୁଛି ଓଡ଼ିଶା, ୧୬ ଯାଏ ସାରା ରାଜ୍ୟରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ସାରା ରାଜ୍ୟରେ ଜାରି ରହିଛି ବର୍ଷା । ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ବର୍ଷା ଜାରି ରହିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ମାଲକାନାଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ବଲାଙ୍ଗୀର ଓ ନୟାଗଡ଼ା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି ।

ଏହାସହ ପୁରୀ, କଟକ, ଜଗତସିଂହପୁର, ରାୟଗଡ଼ା, ଖୋର୍ଦ୍ଧା, ଗଜପତି, ବୌଦ୍ଧ, ସୋନପୁର, ବରଗଡ଼, କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ୟଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ସମୟରେ କିଛି କିଛି ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ନେଇ ମଧ୍ୟ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଆଜି ଇସ୍ତଫା ଦେବେ ଶ୍ରୀଲଙ୍କା ରାଷ୍ଟ୍ରପତି, ୨୦ରେ ନୂଆ ରାଷ୍ଟ୍ରପତି ପାଇଁ ନିର୍ବାଚନ

କଲମ୍ବୋ: ଇସ୍ତଫା ଦେବା ପୂର୍ବରୁ ମାଳଦୀପରେ ପହଞ୍ଚିଲେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ । ବିଳମ୍ବିତ ରାତିରେ ଦେଶ ଛାଡ଼ିଛନ୍ତି ଗୋଟାବାୟା । ଆଜି ସାର୍ବଜନିକ ଭାବେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟାଙ୍କ ଇସ୍ତଫା ସମ୍ପର୍କରେ ଘୋଷଣା କରିବେ ବାଚସ୍ପତି । ଗତକାଲି ସେ ଇସ୍ତଫା ପତ୍ର ବାଚସ୍ପତିଙ୍କ ନିକଟକୁ ପଠାଇ ଦେଇଥିଲେ । ଏହାପରେ ଗୋଟାବାୟା ଦେଶ ଛାଡ଼ି ଚାଲିଯିବା ନେଇ ଚର୍ଚ୍ଚା ହେଉଛି । ପୂର୍ବତନ ମନ୍ତ୍ରୀ ବାସିଲ ରାଜପକ୍ଷ ଆମେରିକା ଯିବା ପାଇଁ ସ୍ୱତନ୍ତ୍ର ବିମାନର ବ୍ୟବସ୍ଥା କରୁଥିଲେ । ଏଥିପାଇଁ ଦେଢ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିଲା ।

ଗୋଟାବାୟା ରାଜପକ୍ଷ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ପରେ ଶ୍ରୀଲଙ୍କାରୁ ରାଜପକ୍ଷେ ପରିବାରର ଶାସନ ହଟିଯିବ । ଆସନ୍ତା ୨୦ରେ ଶ୍ରୀଲଙ୍କାରେ ନୂଆ ରାଷ୍ଟ୍ରପତି ନିର୍ବାଚନ ହେବ । ଗୋଟାବାୟଙ୍କ ଇସ୍ତଫା ପରେ ରାଣିଲ ବିକ୍ରମ ସିଙ୍ଘେଙ୍କୁ ତତକାଳ ରାଷ୍ଟ୍ରପତି କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ଆସନ୍ତା ୧୫ରେ ସଂସଦରେ ସର୍ବଦଳୀୟ ବୈଠକ ହେବ । ଏହାପରେ ୧୯ରେ ରାଷ୍ଟ୍ରପତି ପଦର ନାମାଙ୍କନ ହେବ । ୨୦ରେ ରାଷ୍ଟ୍ରପତି ନିର୍ବାଚନ ହେବ । ନୂଆ ସରକାର ଗଠନ ପାଇଁ ଗୋଟାବାୟାଙ୍କ ସହ ଅନ୍ୟ ସବୁ ମନ୍ତ୍ରୀ ଇସ୍ତଫା ଦେବେ । ଏହାପରେ ବାଚସ୍ପତି କାମଚଳା ରାଷ୍ଟ୍ରପତି ଭାବେ ନିଯୁକ୍ତ ହେବେ । ୩୦ ଦିନ ଭିତରେ ସଂସଦରେ ନୂଆ ରାଷ୍ଟ୍ରପତି ନିର୍ବାଚନ କରିବ ।

ଆଜିଠୁ ଆରମ୍ଭ ଦ୍ୱିତୀୟ ପର୍ଯ୍ୟାୟ ମୌସୁମୀ ଅଧିବେଶନ, ଗୃହରେ ଉପସ୍ଥାପିତ ହେବ ଷ୍ଟାଣ୍ଡିଂ କମିଟି ରିପୋର୍ଟ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ମୌସୁମୀ ଅଧିବେଶନ । ଆଜି ଗୃହରେ ବିଭିନ୍ନ ବିଭାଗର ଷ୍ଟାଣ୍ଡିଂ କମିଟି ରିପୋର୍ଟ ଉପସ୍ଥାପନ ହେବ । ୧୪ରୁ ୨୮ତାରିଖ ଯାଏଁ ବିଭିନ୍ନ ବିଭାଗର ଖର୍ଚ୍ଚଦାବି ଉପରେ ଆଲୋଚନା ହେବ । କୌଣସି ବିଭାଗର ଖର୍ଚ୍ଚଦାବି ଉପରେ ଆଲୋଚନା ହୋଇନପାରିଲେ ୨୯ ତାରିଖରେ ତାହା ଗିଲୋଟିନ ଜରିଆରେ ପାରିତ କରାଯିବ । ଆସନ୍ତା ୩୦ ତାରିଖରେ ପାରିତ ହେବ ୨୦୨୨-୨୩ ଆର୍ଥିକ ବର୍ଷର ବ୍ୟୟମଞ୍ଜୁରୀ ବିଲ୍‌ । ସକାଳ ୧୦ଟା ୩୦ରୁ ୧ ଘଣ୍ଟାର ପ୍ରଶ୍ନକାଳକୁ ସୁରୁଖୁରୁରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।

ଆଜିଠାରୁ ଆରମ୍ଭ ହେଉଥିବା ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନରେ ଆଇନଶୃଙ୍ଖଳା, ଚାଷୀ, ବେକାରୀ, ଦରଦାମ ଆଦି ପ୍ରସଙ୍ଗ ଉଠାଇବେ ବିରୋଧୀ । ଯାହାକୁ ନେଇ ଗୃହ ବେଶ୍‌ ଉଷ୍ମ ହେବ । ବିରୋଧୀ ଯେଉଁ ପ୍ରସଙ୍ଗ ଉଠାଇବେ, ତାହା ଆଲୋଚନା ମାଧ୍ୟମରେ ସମାଧାନ କରାଯିବ ବୋଲି ଶାସକ ଦଳ କହିଛି । କଂଗ୍ରେସ ଓ ବିଜେପି ଯେଉଁ ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆଣିବେ, ତାହା ଆଲୋଚନା କରାଯିବ ବୋଲି ସରକାରୀ ଦଳ ମୁଖ୍ୟ ସଚେତକ କହିଛନ୍ତି ।