spot_img
Home Blog Page 4059

ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ଲିଜ୍ ଟ୍ରସ, ଆସନ୍ତା ସୋମବାର ଫଳାଫଳ ଘୋଷଣା

ଲଣ୍ଡନ: ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ଲିଜ୍ ଟ୍ରସ । କଞ୍ଜରଭେଟିଭ ପାର୍ଟିର ନେତ୍ରୀ ବର୍ତ୍ତମାନ ସୁଦ୍ଧା ଆଗରେ ଥିବା ସୂଚନା ମିଳିଛି । ଶୁକ୍ରବାର ସୁଦ୍ଧା ସରିଥିବା ପୋଲିଂରେ ଲିଜ୍ ସୁବିଧାଜନକ ସ୍ଥିତିରେ ଅଛନ୍ତି । ପୂର୍ବତନ ଚାନସେଲର ରିଷି ସୁନାକଙ୍କଠାରୁ ବୈଦେଶିକ ମନ୍ତ୍ରୀ ଲିଜ୍ ଯଥେଷ୍ଟ ଆଗରେ ରହିଛନ୍ତି । ଆସନ୍ତା ସୋମବାର ଫଳାଫଳ ଘୋଷଣା ହେବାକୁ ଯାଉଥିବାବେଳେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀଙ୍କ ନାମ ରାଣୀ ଏଲିଜେବେଥ ଘୋଷଣା କରିବେ । ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ନିଜର ଇସ୍ତଫା ପତ୍ର ବିଧିବଦ୍ଧ ଭାବେ ରାଣୀଙ୍କୁ ପ୍ରଦାନ କରିବେ ।

ଗତ ଅଗଷ୍ଟରୁ ଆରମ୍ଭ ହୋଇଥିବା ଭୋଟରେ ସଦସ୍ୟମାନେ ଭାଗ ନେଇଥିବାବେଳେ ପୋଷ୍ଟାଲ ଓ ଅନଲାଇନ ଭୋଟିଂ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବିଭିନ୍ନ କ୍ଷେତ୍ରରେ ଶୁଳ୍କ ହ୍ରାସ ଓ ଗରିବ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରିବା ଲାଗି ପ୍ରତିଶ୍ରୁତି ଦେଇଛନ୍ତି ଲିଜ୍ ।

ଦେଶରେ ଅତ୍ୟଧିକ ମୂଲ୍ୟବୃଦ୍ଧି, ମୁଦ୍ରାସ୍ଫୀତି, ବିଦ୍ୟୁତ ଦର ବୃଦ୍ଧି କାରଣରୁ ବୋରିସ ଜନସନଙ୍କ ବିରୋଧର ଜନମତ ତୀବ୍ର ହୋଇଥିଲା । କୋଭିଡ କାଳରେ ପାର୍ଟି ଆୟୋଜନ କରି ବେଶ୍ ନିନ୍ଦାର ପାତ୍ର ହୋଇ ଜୁଲାଇ ୭ରେ ଇସ୍ତଫା ଦେଇଥିଲେ ଜନସନ । ଆସନ୍ତା ୨୦୨୫ ଜାନୁଆରୀରେ ହେବ ବ୍ରିଟେନ ସାଧାରଣ ନିର୍ବାଚନ ।

ସାବଧାନ ଅମାନିଆ: ସେପ୍ଟେମ୍ବରରେ ବିନା ହେଲମେଟରେ ଘରୁ ବାହାରିଲେ…

ଭୁବନେଶ୍ବର: ସେପ୍ଟେମ୍ବର ମାସରେ ଆହୁରି କଡ଼ାକଡ଼ି ହୋଇଛି ଟ୍ରାଫିକ ନିୟମ । ବିନା ହେଲମେଟରେ ଗାଡି ଚଲାଇଲେ କରାଯାଉଛି ଦୃଢ଼ କାର୍ଯ୍ୟାନୁଷ୍ଠାନ । ଆଗାମୀ ପୂଜା ଓ ଶୀତ ଋତୁକୁ ଦୃଷ୍ଟିରେ ରଖି ଟ୍ରାଫିକ ଏନଫୋର୍ସମେଣ୍ଟ ଡ୍ରାଇଭକୁ ଆହୁରି ଅଧିକ କଠୋର କରାଯାଇଛି । ଏନେଇ ଏନଫୋର୍ସମେଣ୍ଟ ଓ ସଡ଼କ ସୁରକ୍ଷା ଅତିରିକ୍ତ କମିଶନର ପରିବହନ ଲାଲମୋହନ ସେଠୀ ସୂଚନା ଦେଇଛନ୍ତି । ଚଳିତମାସ ଟ୍ରାଫିକ ନିୟମ ଉଲ୍ଲଂଘନ ଓ ମୋଟରଯାନ ନିୟମ ଭଙ୍ଗୁଥିବା ଅମାନିଆଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ଦେଖାଯିବ ବୋଲି ସେ ଚେତାବନୀ ଦେଇଛନ୍ତି । ଏହାସହ ଏନଫୋର୍ସମେଣ୍ଟ ଡ୍ରାଇଭରେ ମଦ୍ୟପାନ କରି ଗାଡ଼ି ଚଲାଇବା, ହେଲମେଟ ଯାଞ୍ଚ, ସ୍କୁଲ ବସ୍, ଓଭର ଲୋଡିଂ ଓ ଫିଟନେସ୍ ଯାଞ୍ଚ କରାଯିବ ।

ସୂଚନାଯୋଗ୍ୟ, ଅଗଷ୍ଟ ୧୬ରୁ ୩୦ ତାରିଖ ଦୁଇ ସପ୍ତାହ ଧରି ବାଇକ୍ ଆରୋହୀଙ୍କ ବିରୋଧରେ ସ୍ବତନ୍ତ୍ର ଡ୍ରାଇଭ କରାଯାଇଥିଲା । ଜାତୀୟ ଓ ରାଜ୍ୟ ରାଜପଥରେ କଡ଼ା ଚେକିଂ କରାଯିବା ସହ ବିନା ହେଲମେଟରେ ଡ୍ରାଇଭିଂ ପାଇଁ ୨୪ ହଜାର ୪୭୪ ଇ-ଚାଲାଣ ଜାରି କରାଯାଇଛି । ଡ୍ରାଇଭିଂ ଲାଇସେନ୍ସ ବିନା ଗାଡ଼ି ଚଲାଇବା ପାଇଁ ମୋଟ ୮୮୮ଟି ଗାଡ଼ି ଜବତ କରାଯାଇଛି । ରାଜ୍ୟ ପରିବହନ ପ୍ରାଧିକରଣର ଟ୍ରାଫିକ୍ ଏନଫୋର୍ସମେଣ୍ଟ ଟିମ୍ ୬୩ ଲକ୍ଷ ୯୮ ହଜାର ୧୧୬ ଟଙ୍କା ଜରିମାନା ବାବଦକୁ ଆଦାୟ କରିଥିବା ବେଳେ ବିନା ହେଲମେଟରେ ଗାଡ଼ି ଚଲାଇବା କାରଣରୁ ୧୨ ହଜାର ୫୪୫ ଜଣଙ୍କ ଲାଇସେନ୍ସ ରଦ୍ଦ କରାଯାଇଛି ।

ସୂଚନାଯୋଗ୍ୟ, ୨୦୨୧ରେ ସଡ଼କ ଦୁର୍ଘଟଣାରେ ୮୬୮ ଜଣ ବାଇକ ଚାଳକ ଓ ୪୪୦ ଜଣ ବାଇକ ଆରୋହୀଙ୍କୁ ମିଶାଇ ମୋଟ ୧୩୦୮ ଜଣଙ୍କ ମୃତ୍ୟୁ ଘଟିଛି । ଏମାନଙ୍କ ମଧ୍ୟରୁ ଅଧିକାଂଶ ହେଲମେଟ ପିନ୍ଧି ନଥିବା କାରଣରୁ ମୃତ୍ୟୁବରଣ କରିଛନ୍ତି । ସମୁଦାୟ ୧୨୮୦ ଜଣ ଗୁରୁତର ଆହତ ହୋଇଥିବା ବେଳେ ୭୪୭ ଜଣ ସାମାନ୍ୟ ଆହତ ହୋଇଥିଲେ ।

ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି ଲାଲମୋହନ ସେଠୀ କହିଛନ୍ତି, ‘ବାଇକ ଚାଳକଙ୍କ ବିରୋଧରେ ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସଡ଼କ ଦୁର୍ଘଟଣା ଓ ମୃତ୍ୟୁହାର ରୋକିବା ପାଇଁ ଚାଳକଙ୍କ ମଧ୍ୟରେ ଦାୟିତ୍ବବୋଧ ସୃଷ୍ଟି କରିବା । ଲୋକମାନେ ସହରାଞ୍ଚଳରେ ହେଲମେଟ ବ୍ୟବହାର କରୁଥିଲେ ମଧ୍ୟ ରାଜପଥରେ ହେଲମେଟ ନପିନ୍ଧି ଗାଡ଼ି ଚଲାଇବା କାରଣରୁ ଦୁର୍ଘଟଣା ଘଟୁଛି ।’

ଆଘାତ କାରଣରୁ ଚଳିତ ଏସିଆ କପରୁ ବାଦ ପଡ଼ିଲେ ରବୀନ୍ଦ୍ର ଜାଡେଜା

ଦୁବାଇ: ୟୁଏଇରେ ଚାଲିଥିବା ଚଳିତ ଏସିଆ କପରେ ଟିମ୍ ଇଣ୍ଡିଆକୁ ଲାଗିଛି ବଡ଼ ଝଟକା । ଆହତ କାରଣରୁ ଭାରତୀୟ ଦଳର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଚଳିତ ଏସିଆ କପରୁ ବାଦ୍ ପଡ଼ିଛନ୍ତି । ଜାଡେଜାଙ୍କ ଡାହାଣ ଆଣ୍ଠୁରେ ଆଘାତ ଲାଗିଛି ଯାହା ଫଳରେ ସେ ଏହି ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛନ୍ତି । ଆହତ ପରେ ଜାଡେଜା ଏବେ ବିସିସିଆଇ ମେଡିକାଲ ଟିମର ତତ୍ତ୍ୱାବଧାନରେ ଅଛନ୍ତି । ତେବେ ଚଳିତ ଏସିଆ କପରେ ଜାଡେଜାଙ୍କ ସ୍ଥାନରେ ଅକ୍ସର ପଟେଲଙ୍କୁ ଦଳରେ ସାମିଲ କରାଯାଇଛି ।

ଜାଡେଜା ଚଳିତ ଏସିଆ କପର ପ୍ରଥମ ମ୍ୟାଚରେ ପାକିସ୍ତାନ ବିପକ୍ଷରେ ୨୯ ବଲରେ ୩୫ ରନ କରି ଭାରତକୁ ବିଜୟ ଭେଟି ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ । ସେହିପରି ଦ୍ୱିତୀୟ ମ୍ୟାଚରେ ହଂକଂ ବିପକ୍ଷରେ ୪ ଓଭରରେ ୧୫ ରନ ଦେଇ ଗୋଟିଏ ଓ୍ୱିକେଟ ଅକ୍ତିଆର କରିଥିଲେ ।

 

ନାବାଳିକାଙ୍କୁ ଯୌନ ନିର୍ଯାତନା ମାମଲାରେ ଗିରଫ ପରେ ମେଡିକାଲରେ ଭର୍ତ୍ତି ହେଲେ ଶିବମୂର୍ତ୍ତି

ବେଙ୍ଗାଲୁରୁ: ନାବାଳିକାଙ୍କୁ ଯୌନ ନିର୍ଯାତନା ମାମଲା । ମୁରଗା ରାଜେନ୍ଦ୍ର ବିଦ୍ୟାପୀଠ ମଠର ଲିଙ୍ଗାୟତ ମଠାଧୀଶ ଶିବମୂର୍ତ୍ତି ମୁରୁଗା ସାରାନାରୁ  ଗିରଫ ପରେ ମେଡିକାଲରେ ଭର୍ତ୍ତି । ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବାରୁ ତାଙ୍କୁ ଚିତ୍ରଦୁର୍ଗା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ICU ଓ୍ବାର୍ଡରେ ଭର୍ତ୍ତି କରାଯାଇଛି । ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଲେ କୋର୍ଟ ଚାଲାଣ କରାଯିବ । ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ରଶ୍ମୀଙ୍କୁ ଗିରଫ କରାଯାଇଛି ବୋଲି ଚିତ୍ରଦୁର୍ଗା ଏସପି ସୂଚନା ଦେଇଛନ୍ତି । ଲିଙ୍ଗାୟତ ମଠର ମଠାଧୀଶ ଶିବମୂର୍ତ୍ତି ଦୁଇ ଜଣ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେଇଥିବା ମହୀଶୂର ସିଟି ପୋଲିସ ନିକଟରେ ଅଭିଯୋଗ ହୋଇଥିଲା । ଏସସି ଓ ଏସଟି ଆଇନ ଏବଂ ପୋକସୋ ଆଇନ ବଳରେ ତାଙ୍କୁ ଗିରଫ କରାଯାଇଛି ।

ଏହି ମାମଲାରେ ଶିବମୂର୍ତ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ଆଜି ଫ୍ରିଡମ୍ ପାର୍କଠାରେ ଦଳିତ ମହିଳା ଓ ବିଭିନ୍ନ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଶିବମୂର୍ତ୍ତି ଦୁଇ ନାବାଳିକାଙ୍କୁ ମଠ ଦ୍ବାରା ପରିଚାଳିତ ଆଶ୍ରମରେ ସାଢ଼େ ୩ ବର୍ଷ ଧରି ଯୌନ ଶୋଷଣ କରିଥିଲେ ବୋଲି ଅଭିଯୋଗ ରହିଛି । ଗତ ଜୁଲାଇ ୨୪ରେ ଦୁଇ ନାବାଳିକା ଛାତ୍ରୀ ନିବାସ ପରିତ୍ୟାଗ କରିଥିଲେ ଏବଂ ପରଦିନ ସେମାନେ କଟୋନପେଟ ପୋଲିସ ଷ୍ଟେସନରେ ପହଞ୍ଚିଥିଲେ । ୨୬ତାରିଖରେ ନଜରାବାଦ ପୋଲିସ ଷ୍ଟେସନରେ ଏକ ଏଫଆଇଆର ରୁଜୁ ହୋଇଥିଲା ।

କୃତି ମାଟ୍ରିକ ଛାତ୍ରଛାତ୍ରୀଙ୍କୁ ୧୭ କୋଟି ଟଙ୍କା ଛାତ୍ରବୃତ୍ତି ପ୍ରଦାନ

କେନ୍ଦୁଝର:  କେନ୍ଦୁଝର ଜିଲ୍ଲାରେ ଡିଏମଏଫ ତରଫରୁ ମାଟ୍ରିକ ପରୀକ୍ଷାର କୃତି ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଇଛି ଛାତ୍ରବୃତ୍ତି । ୩ୟ ବର୍ଷ ପାଇଁ ଚଳିତଥର ୧୧ ହଜାର ୬୦୫ ଛାତ୍ରଛାତ୍ରୀଙ୍କୁ ୧୭ କୋଟି ଟଙ୍କା ଛାତ୍ରବୃତ୍ତି ପ୍ରଦାନ କରାଯାଇଛି । ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗଚୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃତି ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ପ୍ରଦାନ କରିଥିଲେ ।

ଜିଲ୍ଲା ସଂସ୍କୃତି ଭବନରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ତରଫରୁ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲାର ସରକାରୀ ତଥା ଆଦର୍ଶ ବିଦ୍ୟାଳୟର କୃତି ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଛାତ୍ରବୃତ୍ତି ଗ୍ରହନ କରିବା ସହ, ଏଭଳି ଏକ ନିଆରା କାର୍ଯ୍ୟକ୍ରମରେ ଯୋଗଦେଇ ଆନନ୍ଦ ଅନୁଭବ କରୁଥିବା ଛାତ୍ରଛାତ୍ରୀ କହିଛନ୍ତି ।

ପିଲାମାନଙ୍କ ସହ ଭାବ ବିନିମୟ କରିବା ସମୟରେ ଭାବୁକ ହୋଇ ଯାଇଥିଲେ ବାଗଚୀ । ସେ କେନ୍ଦୁଝର ଡିଏନ ହାଇସ୍କୁଲର ଛାତ୍ର ଥିବା କହିବା ସହ ନିଜର ପିଲା ଦିନେ ସେ ବିତାଇଥିବା କଠିନ ସମୟ କିଭଳି ତାଙ୍କୁ ବଡ ଦେଖାଇଥିଲା କହିଥିଲେ । ଏହାସହ ଉଚ୍ଚ ହେବା ପାଇଁ ଛାତ୍ରଛାତ୍ରୀଙ୍କୁ କିଭଳି ପ୍ରୟାସ କରିବାକୁ ହେବ ସେ ସମ୍ପର୍କରେ ଗୁରୁମନ୍ତ୍ର ଦେଇଥିଲେ ।

୩ୟ ବର୍ଷ ପାଇଁ ଡିଏମଏଫ୍ ଛାତ୍ରବୃ୍ତ୍ତି ପ୍ରଦାନ କରାଯାଇଛି । ୪୦ହଜାର ଟଙ୍କାରୁ ଆରମ୍ଭ କରି ପିଲାଙ୍କୁ ୨୫ ହଜାର, 1୫ ହଜାର ଓ ସର୍ବନିମ୍ନ ୧୦ ହଜାର ଟଙ୍କା ଲେଖାଏଁ ବୃତ୍ତି ପ୍ରଦାନ କରାଯାଇଥିବା ଦିଆଯାଉଥିବା ଜିଲ୍ଲାପାଳ ଆଶିଷ ଠାକରେ କହିଛନ୍ତି ।  ଚଳିତବର୍ଷ ଜିଲ୍ଲାର ୧୧ ହଜାର ୬୦୫ ଜଣ କୃତି ଛାତ୍ରଛାତ୍ରୀଙ୍କୁ ୧୭ କୋଟି ଟଙ୍କା ପ୍ରଦାନ କରାଯାଇଥିବା ସେ କହିଛନ୍ତି ।

ଶୁଭଶ୍ରୀ ମୃତ୍ୟୁ ମାମଲା: ପୋଲିସ ହାତରେ ଠୋସ୍ ପ୍ରମାଣ

ଭୁବନେଶ୍ବର: ଶାସ୍ତ୍ରୀନଗର ଶୁଭଶ୍ରୀ ମହାପାତ୍ର ମୃତ୍ୟୁ ମାମଲାରେ ପୋଲିସ ହାତରେ ଲାଗିଛି ଠୋସ ପ୍ରମାଣ । ଏହି ପ୍ରମାଣ ଆଧାରରେ ପୋଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । କଲ୍ ଡିଟେଲ୍ସ ଅନୁଧ୍ୟାନ ପରେ ସାମନାକୁ ଆସିଛି ସାଂଘାତିକ ତଥ୍ୟ । ମୃତ୍ୟୁ ପୂର୍ବରୁ ସଂପୃକ୍ତ ଯୁବକଙ୍କୁ ଶେଷ କଲ୍ କରିଥିଲେ ଶୁଭଶ୍ରୀ । ସେହିଦିନ ହିଁ  ୭ ଥର କଲ୍ କରିଥିଲେ । ଯୁବକ ଜଣକ ଆଗରୁ ବାରମ୍ବାର ଘରକୁ ଆସୁଥିବା ଶୁଭଶ୍ରୀଙ୍କ ସ୍ବାମୀ କହିଛନ୍ତି ।

ସେପଟେ ଶୁଭଶ୍ରୀଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିଛି । ଶ୍ବାସରୁଦ୍ଧ ହୋଇ ତାଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛି । ଝୁଲନ୍ତା ଅବସ୍ଥାରେ ଶୁଭଶ୍ରୀଙ୍କ ଜୀବନ ଯାଇଛି । ହତ୍ୟା ନୁହେଁ, ଶୁଭଶ୍ରୀ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି । ଝୁଲନ୍ତା ଅବସ୍ଥାରେ କେହି ତାଙ୍କ ମୃତଦେହକୁ ତଳକୁ କାଢ଼ି ଥାଇପାରେ ବୋଲି ସନ୍ଦେହ କରାଯାଉଛି । ଏଫଏମଟି ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା ସରିଛି । ଶୀଘ୍ର ମୃତ୍ୟୁ ସସପେନ୍ସରୁ ପର୍ଦ୍ଦା ହଟିବ ବୋଲି ପୋଲିସ କହିଛି ।

ପାଇଲଟଙ୍କ ଷ୍ଟ୍ରାଇକ୍ ପାଇଁ ବାତିଲ ହେଲା ୮ ଶହ ବିମାନ

ନୂଆଦିଲ୍ଲୀ: ପାଇଲଟଙ୍କ ହରତାଳ, ଏୟାରପୋର୍ଟରେ ହନ୍ତସନ୍ତ ଯାତ୍ରୀ । ଜର୍ମାନୀର ଲୁଫଥାନସା ଏୟାରପୋର୍ଟକୁ ଯିବାକୁ ଥିବା ବିମାନ ବାତିଲ ଯୋଗୁ ଦିଲ୍ଲୀ ବିମାନବନ୍ଦରରେ ଯାତ୍ରୀଙ୍କ ହଙ୍ଗାମା । ପାଇଲଟଙ୍କ ଷ୍ଟ୍ରାଇକ ଯୋଗୁ ଭାରତ ସମେତ ବିଭିନ୍ନ ରାଷ୍ଟ୍ରରେ ପ୍ରାୟ ୮ ଶହ ବିମାନ ବାତିଲ ହୋଇଛି । ଯାହାଫଳରେ ପ୍ରାୟ ଦେଢ଼ ଲକ୍ଷ ଯାତ୍ରୀ ପ୍ରଭାବିତ ହୋଇଛନ୍ତି ।

ତେବେ ବିମାନ ବାତିଲ ହେବା ଜଣାପଡ଼ିବା ପରେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତିକ ବିମାନ ବନ୍ଦରରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖାଯାଇଥିଲା । ବିମାନବନ୍ଦର ପରିସରରେ ଧାରଣା ଦେବା ସହ ଟିକେଟ ବାବଦ ଟଙ୍କା ଫେରସ୍ତ କରିବାକୁ ଯାତ୍ରୀମାନେ ଦାବି କରି ହୋହଲ୍ଲା କରିଥିଲେ । ଖବରପାଇ ପୋଲିସ ସେଠାରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା ।

ପକ୍ସୋ କୋର୍ଟ ବିଚାରପତିଙ୍କ ଆତ୍ମହତ୍ୟା !

କଟକ: କଟକ ପକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀଙ୍କ ଆତ୍ମହତ୍ୟା । ସିଡିଏ ସେକ୍ଟର 9 ସରକାରୀ କ୍ବାର୍ଟର୍ସରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ସୁବାସ । ଗୁରୁତର ଅବସ୍ଥାରେ ତାଙ୍କୁ ଘରୋଇ ହସ୍ପିଟାଲ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଏସସିବିକୁ ନିଆଯାଇଛି ।

ସୁବାସ ଦୁଇ ଦିନ ଛୁଟିରେ ଥିବା ସହ ଆଜି ସକାଳେ ପୁଣି ଫୋନ୍ କରି ଛୁଟି ନେଇଥିଲେ । ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ତଦନ୍ତ ଜାରି ରଖିଛି ପୋଲିସ । ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି କହିଛନ୍ତି ଏସିପି । ଘଟଣାସ୍ଥଳରୁ ଏକ ରଶି ଜବତ କରାଯାଇଛି ।

ସ୍ତ୍ରୀ ଓ ଝିଅ ଘରେ ନଥିବା ବେଳେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଭୁବନେଶ୍ବରରୁ ଫେରିବା ପରେ ସୁବାସ ରଶିରେ ଝୁଲୁଥିବା ଦେଖିଥିଲେ ପତ୍ନୀ । ରଶି କାଟି ସୁବାସଙ୍କୁ ହସ୍ପଟିଲା ନେଇଥିଲେ । ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ତଦନ୍ତ କରି ଫେରିଛି । ପାଖ ଲୋକଙ୍କୁ ପଚରାଉଚରା କରାଯିବ ବୋଲି ଏସିପି ତାପସ ପ୍ରଧାନ କହିଛନ୍ତି ।

ସେପଟେ ୮ ଦିନ ତଳେ ସୁବାସ ଗାଁକୁ ଯାଇଥିଲେ । ମାଆଙ୍କ ଦେହ ଭଲ ନଥିବାରୁ ତାଙ୍କୁ ଭୁବନେଶ୍ବର ଆଣି ଚିକିତ୍ସା କରିବେ ବୋଲି ସୁବାସ କହିଥିବା ତାଙ୍କ ଭଉଣୀ କହିଛନ୍ତି ।

ବାପାଙ୍କ ଶ୍ରାଦ୍ଧ ଦିବସରେ ଜୀବନ ହାରି ଦେଇଛନ୍ତି ବିଚାରପତି ସୁବାସ କୁମାର ବିହାରୀ । ସୁବାସଙ୍କ ଆତ୍ମହତ୍ୟା ପରେ ଯାଜପୁର ଜିଲ୍ଲା ପଞ୍ଚାୟତ ମଠ ଗାଁରେ ଶୋକାକୁଳ ପରିବେଶ  ସୃଷ୍ଟି ହୋଇଛି । ଆଜି ବାପାଙ୍କ ଶ୍ରାଦ୍ଧ ଦେବାକୁ ଗାଁକୁ ଯିବାର ଥିଲା । ହେଲେ ଏମତି ଅଘଟଣ ଘଟିବ ବୋଲି କେହି ଭାବି ନଥିଲେ । ହେଲେ ହଠାତ୍ ଆତ୍ମହତ୍ୟା ଘଟଣାକୁ  କେହି ବିଶ୍ବାସ କରି ପାରୁନାହାଁନ୍ତି । ଶେଷଦେବ ବାସନ୍ତୀ ସରକାରୀ ବିଦ୍ୟାଳୟରେ ପାଠ ପଢ଼ିଥିଲେ । ବିରଜା ଲ’ କଲେଜରେ ପାଠ ପଢିବା ପରେ ଯାଜପୁରରେ ଲ’ ପ୍ରାକ୍ଟିସ କରିଥିଲେ । ୨୦୦୪ରେ ଓଜେଏସ୍ ପାଇ ବିଚାରପତି ଭାବେ କ୍ୟାରିୟର ଆରମ୍ଭ କରିଥିଲେ । ଗାଁରେ ତାଙ୍କ ମାଆ ଓ ସାନ ଭାଇ ରହୁଥିଲେ ।

ଏପଟେ ବିଚାରପତିଙ୍କ ଶେଷ ବିଚାରକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସୁବାସ କାହିଁକି ଆତ୍ମହତ୍ୟା କଲେ ? ଅନ୍ୟକୁ ନ୍ୟାୟ ଦେଉଥିବା ଜଜ୍ ସାହେବ କାହିଁକି ନିଜ ପ୍ରତି କଲେ ଏମିତି ଅନ୍ୟାୟ ? କେଉଁ ପରିସ୍ଥିତି ତାଙ୍କୁ ବାଧ୍ୟ କରିଥିଲା ଜୀବନ ସାରି ଦେବାକୁ ? ପାରିବାରିକ, ବୃତ୍ତିଗତ ନା ବ୍ୟକ୍ତିଗତ ସମସ୍ୟାକୁ ନେଇ ଲଢୁଥିଲେ ସୁବାସ ? କେଉଁ ଜଟିଳ ପରିସ୍ଥିତିର ସମାଧାନ ପାଇଁ ସୁତ୍ର ପାଇ ନଥିଲେ ବିଚାରପତି ? ପୋଲିସ୍ ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଥିବା ବେଳେ ମୃତ ସୁବାସଙ୍କ ପତ୍ନୀ ଓ ଦୁଇଝିଅଙ୍କ ବୟାନ ହିଁ ଘଟଣା ଉପରୁ ପରଦା ହଟାଇବ ବୋଲି ଆଶା କରାଯାଉଛି । କାରଣ ଆଜି ଥିଲା ବାପାଙ୍କ ଶ୍ରାଦ୍ଧ । ଏଭଳି ଏକ ଦିନରେ ସେ କଟକରେ ରହିବା କଥା ନହେଲେ ସପରିବାରେ ଘରକୁ ଯିବା କଥା । ହେଲେ ଆଜି ସେ ଘରେ ଥିଲେ ଏକା । ସ୍ତ୍ରୀ ଓ ପିଲାମାନେ ଆସିଥିଲେ ଭୁବନେଶ୍ବର । ତେଣୁ ଏଭଳି ଏକ ଦିନରେ ସୁବାସଙ୍କ ଆତ୍ମହତ୍ୟା ସସପେନ୍ସକୁ ବଢ଼ାଇ ଦେଇଛି ।

ସଇତାନ ସ୍ୱାମୀର ନାରକୀୟ କାଣ୍ଡ; ସ୍ତ୍ରୀକୁ ସାନିଟାଇଜର ଢ଼ାଳି ଲଗାଇଲା ନିଆଁ !

ଗଞ୍ଜାମ: ସଇତାନ ସ୍ୱାମୀର ଜଘନ୍ୟ କାଣ୍ଡ । ସାନିଟାଇଜର ପକାଇ ନିଆଁ ଲଗାଇ ସ୍ତ୍ରୀକୁ ପୋଡ଼ି ହତ୍ୟା କରିବାକୁ ଉଦ୍ୟମ କରିଛି ସ୍ୱାମୀ। ସ୍ତ୍ରୀକୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ମହୁଡ଼ା ଗାଁର ମାଝି ସାହିରେ।

ଅଭିଯୋଗ ଅନୁସାରେ ରୀତା ପ୍ରଧାନଙ୍କୁ ତାଙ୍କ ସ୍ୱାମୀ ସଞ୍ଜୟ ପ୍ରଧାନ ନିର୍ଯାତନା ଦେଉଥିଲେ। ଏବଂ ରୀତାଙ୍କୁ ସଞ୍ଜୟ ଜୀବନରୁ ମାରିବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ୨୦୧୮ରେ ରୀତା ଏବଂ ସଞ୍ଜୟଙ୍କ ବିବାହ ହୋଇଥିଲା। ବିବାହ ପରଠାରୁ ସଞ୍ଜୟ ଯୌତୁକ ପାଇଁ ନିର୍ଯାତନା ଦେଉଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଏ ନେଇ ୨୦୧୯ରେ ମହିଳା ଥାନାରେ ଅଭିଯୋଗ ହୋଇଥିଲା। ତେବେ ଆଜି ରୀତାଙ୍କୁ ନିଆଁରେ ପୋଡ଼ି ହତ୍ୟା କରିବାକୁ ସଞ୍ଜୟ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ରୀତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାର ତଦନ୍ତ କରୁଛି।

ଟେଲିଭିଜନ ଦୁନିଆର ବରିଷ୍ଠ ପ୍ରଯୋଜକ ଅକ୍ଷୟ କୁମାର ମହାନ୍ତିଙ୍କ ପରଲୋକ

0

ଭୁବନେଶ୍ୱର: ଟେଲିଭିଜନ ଦୁନିଆର ବରିଷ୍ଠ ପ୍ରଯୋଜକ ଅକ୍ଷୟ କୁମାର ମହାନ୍ତିଙ୍କର ଆଜି ପରଲୋକ ଘଟିଛି। ଆଜି ସକାଳ ପ୍ରାୟ ୭ଟାରେ ଭୁବନେଶ୍ୱର ଚନ୍ଦ୍ରଶେଖରପୁରସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକକୁ ତାଙ୍କୁ ୮୦ ବର୍ଷ ହୋଇଥିଲା । ସେ ପ୍ରଯୋଜକ ଭାବେ ଦୂରଦର୍ଶନ ଏବଂ ଇଟିଭିରେ କାର୍ଯ୍ୟ କରିଥିଲେ ।

ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରଯୋଜନା କରି ନିଜ ଦକ୍ଷତାର ପ୍ରମାଣ ଦେଇଥିଲେ ଅକ୍ଷୟ। ଅନେକ ନାଟକ ଓ ଉପନ୍ୟାସ ମଧ୍ୟ ସେ ଲେଖିଛନ୍ତି। ସମ୍ବିତ, ଚନ୍ଦ୍ରମାଳିକା, ମଧ୍ୟରାତ୍ରିର କାହାଣୀ ରଚନା କରିଛନ୍ତି । ପ୍ରଯୋଜକ ଅକ୍ଷୟ କୁମାର ମହାନ୍ତି କଟକରେ ସ୍କୁଲ ଓ କଲେଜ ପଢିବା ପରେ ୧୯୭୩ ମସିହାରେ ଟେଲିଭିଜନ ଦୁନିଆକୁ ଆସିଥିଲେ। ସେ କିଛିଦିନ ହେଲା ଅସୁସ୍ଥ ଥିଲେ।