spot_img
Home Blog Page 4063

ଜ୍ୟାକଲିନଙ୍କ ପାଇଁ ଶ୍ରୀଲଙ୍କା ଓ ବାହାରିନରେ ଘର କିଣିଥିଲେ ସୁକେଶ

ମୁମ୍ବାଇ: ବଢିବାରେ ଲାଗିଛି ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଅଡୁଆ। ଜ୍ୟାକଲିନଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦାଖଲ କରିଥିବା ଚାର୍ଜସିଟରେ କରାଯାଇଛି ଚାଞ୍ଚଲ୍ୟକର ଖୁଲାସା। ଜ୍ୟାକଲିନଙ୍କ ଲାଗି ଦଲାଲ ସୁକେଶ ଚନ୍ଦ୍ରଶେଖର ଶ୍ରୀଲଙ୍କାରେ ଏକ ଘର କିଣିଥିଲେ ଏବଂ ମୁମ୍ବାଇର ଜୁହୁ ଅଞ୍ଚଳରେ ଏକ ବଙ୍ଗଳା ଲାଗି ଅଗ୍ରୀମ ଅର୍ଥ ଦେଇଥିଲେ। ଘର କିଣିବା ସମ୍ପର୍କରେ ସୁକେଶ ତାଙ୍କର ଜଣେ ସହଯୋଗୀ ପିଙ୍କି ଇରାନୀଙ୍କୁ ସୂଚନା ଦେଇଥିଲେ । ସୁକେଶଙ୍କ ସହ ଜ୍ୟାକଲିନଙ୍କୁ ଭେଟ କରାଇଦେବା ସକାଶେ ପ୍ରବର୍ତ୍ତାଇବା ଲାଗି ପିଙ୍କିଙ୍କୁ ସୁକେଶ କହିଥିଲେ। ଜୁହୁରେ ଘର କିଣିବା ଲାଗି ଅଗ୍ରୀମ ଅର୍ଥ ପ୍ରଦାନ କରାଯାଇଥିବା ତଥା ବାହାରିନରେ ଜ୍ୟାକଲିନଙ୍କ ବାପାମାଙ୍କୁ ଏକ ଘର ଉପହାର ଦେଇଥିବା ନେଇ ପିଙ୍କିଙ୍କୁ କହିଥିଲେ ସୁକେଶ।

ତେବେ ଏହି ସବୁ ଘର କିଣିବାର ସତ୍ୟତା ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଯାଞ୍ଚ କରୁଛି । ପିଙ୍କିଙ୍କ ସହ ହ୍ୱାଟସଆପ୍ ଚାଟ୍ ବେଳେ ଶ୍ରୀଲଙ୍କାର ୱେଲିଗାମାରେ ଏକ ଘର କିଣାଯାଇଥିବା ସମ୍ପର୍କରେ ଜ୍ୟାକଲିନ ସ୍ୱୀକାର କରାଯାଇଥିବା ସୂଚନା ମିଳିଛି । ତେବେ ସେହି ଘରକୁ ଦିନେ ବି ଜ୍ୟାକଲିନ ଯାଇ ନଥିବା ଇଡି ଦର୍ଶାଇଛି। ଜ୍ୟାକଲିନଙ୍କ ଲାଗି ସୁକେଶ ବାସ୍ତବରେ ଆଉ କ’ଣ କ’ଣ ଉପହାର ଦେଇଛନ୍ତି ତାହାର ତଦନ୍ତ ଜାରି ରହିଛି। ଜ୍ୟାକଲିନଙ୍କୁ ସୁକେଶ ପ୍ରାୟ ୭ କୋଟି ଟଙ୍କାର ଅଳଙ୍କାର ଉପହାର ଦେଇଥିଲେ ବୋଲି ସୂଚନା ମିଳିଛି। ପୂର୍ବରୁ ୨ଶହ କୋଟି ଟଙ୍କା ଠକେଇ ମାମଲାରେ ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଜ୍ୟାକଲିନଙ୍କୁ ସମନ ଜାରି କରି ଆସନ୍ତା ୨୬ରେ ହାଜର ହେବା ଲାଗି ନିର୍ଦ୍ଦେଶ ଦେଇଥିଲେ।

ହାତୀମୃତ୍ୟୁ ଘଟଣାରେ ବିଦ୍ୟୁତ୍ ବିଭାଗ ସୁପରଭାଇଜର୍ ବହିଷ୍କୃତ

0

କେନ୍ଦୁଝର: କେନ୍ଦୁଝର ହାତୀମୃତ୍ୟୁ ଘଟଣାରେ ବିଦ୍ୟୁତ୍ ବିଭାଗ ସୁପରଭାଇଜର୍ ବହିଷ୍କୃତ। କେନ୍ଦୁଝର ଜିଲ୍ଲା ସଦର ରେଞ୍ଜ ଜୁଡ଼ିଆ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଗତ ୨୫ ତାରିଖରେ ୨ଟି ମାଈହାତୀଙ୍କର ମୃତ୍ୟୁ ହୋଇଥିଲା। ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ଜିଭି ଇଲେକ୍ଟ୍ରିକାଲସ୍‌ର ସୁପରଭାଇଜର୍ ଜୟଦେବ ସ୍ୱାଇଁଙ୍କୁ ବିଭାଗ ପକ୍ଷରୁ ବହିଷ୍କାର କରାଯାଇଛି।

ସୂଚନା ଅନୁସାରେ ୯ଟିକିଆ ହାତୀପଲଙ୍କ ମଧ୍ୟରୁ ୨ଟି ମାଈହାତୀ ଗଛ ପତ୍ର ଖାଇବା ବେଳେ ଭୂଇଁଠାରୁ କମ୍ ଉଚ୍ଚତାରେ ଯାଇଥିବା ବିଦ୍ୟୁତ୍ ତାର ସ୍ଂସ୍ପର୍ଶରେ ଆସି ୨ଟି ହାତୀଙ୍କର ମୃତ୍ୟୁ ଘଟିଥିଲା। ଏହି ଲାଇନ୍ କେବଲିଂ କରାନଯିବା ଓ ହାତୀ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବା ବେଳେ, ତୁରନ୍ତ ଲାଇନ୍ ନକଟିବାରୁ ହାତୀଙ୍କର ମୃତ୍ୟୁ ଘଟିଥିଲା। ଏଥିପାଇଁ ବନ ବିଭାଗ ପକ୍ଷରୁ ବିଦ୍ୟୁତ୍ ବିଭାଗର ନିର୍ବାହୀ ଯନ୍ତ୍ରୀ, ଉପଖଣ୍ଡ ଯନ୍ତ୍ରୀ ଓ କନିଷ୍ଟ ଯନ୍ତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା।

ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ, ମା ସମଲେଶ୍ୱରୀଙ୍କ ନିକଟରେ ଲାଗି ହେଲା ନବାନ୍ନ

ସମ୍ବଲପୁର: ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଚଳଚଞ୍ଚଳ ପଶ୍ଚିମ ଓଡ଼ିଶାର ଗାଁଠୁ ସହର। ମା ସମଲେଶ୍ୱରୀଙ୍କ ନିକଟରେ ଲାଗି ହୋଇଛି ନବାନ୍ନ । ନୀତି ନିର୍ଘଣ୍ଟ ମୁତାବକ ମା’ଙ୍କ ଠାରେ ପୂଜାର୍ଚ୍ଚନା ପରେ ନବାନ୍ନ ଲାଗି ହୋଇଛି। ପରେ ପରିବାର ସହ ଏକାଠି ନୂଆ ଖାଇବେ ସମଗ୍ର ପଶ୍ଚିମ ଓଡ଼ିଶାବାସୀ। ମା ସମଲେଶ୍ୱରୀଙ୍କ ନିକଟରେ ନୂଆଲାଗି ହେବାପରେ ଦିନ ୧୨ଟା ୩୦ ପରେ ସମଲେଶ୍ୱରୀ ମାଙ୍କ ଦର୍ଶନ ଶ୍ରଦ୍ଧାଳୁ କରିପାରିବେ।

ସେହିପରି ନୂଆଁଖାଇ ପାଇଁ ଗତକାଲି ନିଶାର୍ଦ୍ଧ ପରେ ଆଜି ପାହାନ୍ତିଆ ପୂର୍ବରୁ ବରଗଡ଼ର ମା’ ସମଲେଇଙ୍କ ପୀଠରେ ଲାଗି ହୋଇଛି ନବାନ୍ନ। ଆଜି ମାହେନ୍ଦ୍ର ବେଳାରେ ଦିନ ୧୦.୩୩ ରୁ ୧୧.୦୮ ମଧ୍ୟରେ ପଶ୍ଚିମ ଓଡ଼ିଶାବାସୀ ନିଜ ନିଜ ଇଷ୍ଟ ଦେବାଦେବୀଙ୍କ ଠାରେ ନବାନ୍ନ ଭୋଗ ଲାଗି କରିବା ସହ ନବାନ୍ନ ଭକ୍ଷଣ କରିଛନ୍ତି।

ଅନ୍ୟପଟେ କଳାହାଣ୍ଡିରେ ବି ଆରମ୍ଭ ହୋଇଛି ନୂଆଁଖାଇ ପର୍ବ l ଜୁନାଗଡ଼ ସହରରେ ଥିବା ଦଧିବାମନ ମନ୍ଦିରରେ ନବାନ୍ନ ଲାଗି ହେବା ପରେ ଆରମ୍ଭ ହୋଇଛି ନୂଆଖାଇ l ମନ୍ଦିରରୁ ଲୋକେ ଅନ୍ନ ପ୍ରସାଦ ନେବା ପରେ ନିଜ ଇଷ୍ଟ ଦେବୀକୁ ସମର୍ପଣ ପରେ ଘରେ ଘରେ ଆରମ୍ଭ ହେବ ନୂଆଁଖାଇ l ସେହିପରି ସୁବର୍ଣ୍ଣପୁରରେ ପାଳିତ ହୋଇଛି ଗଣପର୍ବ ନୂଆଁଖାଇ । ସୋନପୁର ଗଡଜାତରେ ନିର୍ଦ୍ଧାରିତ ଲଗ୍ନରେ ଇଷ୍ଟଦେବୀ ମା’ ସୁରେଶ୍ୱରୀଙ୍କ ପାଖରେ ଲାଗି ହୋଇଛି ନାନାଦି ଭୋଗ । ଆଉ ଏହି ଭୋଗ ପାହୁର ଯାତ୍ରାରେ ଯାଇ ଅଷ୍ଟଚଣ୍ଡୀଙ୍କ ପାଖରେ ଲାଗି ହୋଇଛି । ମା’ ସମଲେଇଙ୍କ ମନ୍ଦିରରେ ପାହୁର ପ୍ରସ୍ତୁତ ହୋଇ ସମସ୍ତ ଦେବୀଙ୍କ ପାଖରେ ଲାଗି ହେଲା ପରେ ସୋନପୁର ଗଡଜାତବାସୀ ନବାନ୍ନ ଭକ୍ଷଣ କରିଛନ୍ତି।

ବୌଦ୍ଧରେ ମଧ୍ୟ ଧୁମଧାମରେ ପାଳନ ହେଉଛି ନୂଆଁଖାଇ। ବୌଦ୍ଧ ଜିଲ୍ଲାରେ ପ୍ରଥମେ ଇଷ୍ଟଦେବୀ ମା ଭୈରବୀଙ୍କ ନିକଟରେ ଆଜି ଦିନ ସାଢ଼େ ୧୧ଟାରେ ନବାନ୍ନ ଲାଗି ହେବା ପରେ ଅଂଚଳ ବାସୀ ନୂଆ ଖାଇବେ। ଏଥିପାଇଁ ମା’ଙ୍କ ନିକଟରେ ପହଞ୍ଚିଛି ସରିଆ ଧାନ। ଏହାସହ ଭୈରବୀ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି।

୨୪ ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ବିଜୁଳି ସହ ହେବ ବର୍ଷା! ୧୧ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ନିଷ୍କ୍ରିୟ ଥିବାରୁ ବଢୁଛି ଦିନର ତାପମାତ୍ରା। ଉଚ୍ଚ ଆର୍ଦ୍ରତା ଯୋଗୁ ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ଗୁଳୁଗୁଳି ଅନୁଭୂତ ହେଉଛି। ପ୍ରଭାବରେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବଜ୍ରପାତ ବର୍ଷା ନେଇ ୧୧ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ବିଶେଷ କରି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ପରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଏବଂ ମୟୂରଭଞ୍ଜକୁ ସତର୍କତା ଜାରି କରାଯାଇଛି । ସେପଟେ ମେଘମୁକ୍ତ ଆକାଶ ପାଇଁ ରାଜ୍ୟରେ ବଢୁଛି ତାପମାତ୍ରା । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରା ବୃଦ୍ଧି ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦ ସହରର ତାପମାତ୍ରା ୩୫ ଡିଗ୍ରୀ କିମ୍ବା ତାଠାରୁ ଅଧିକ ରହିଛି । ୩୬.୨ ଡିଗ୍ରୀ ସହ ଚାନ୍ଦବାଲି ସବୁଠୁ ଉତ୍ତପ୍ତ ସହର ହୋଇଥିବା ବେଳେ, ମାଲକାନଗିରିରେ ୩୬ ଡିଗ୍ରୀ ତାପମାତ୍ରା ରହିଥିଲା । ଭୁବନେଶ୍ବରରେ ୩୫.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ଅଲଟିମେଟ ଖୋ ଖୋ ଲିଗ୍: ତେଲଗୁ ଯୋଦ୍ଧା ଠାରୁ ୬୫-୩୬ ପଏଣ୍ଟରେ ପରାସ୍ତ ହେଲା ଓଡ଼ିଶା ଜଗରନଟ୍ସ

ପୁଣେ: ମହାରାଷ୍ଟ୍ରରେ ଚାଲିଥିବା ଅଲଟିମେଟ ଖୋ ଖୋ ଲିଗରେ ତେଲଗୁ ଯୋଦ୍ଧା ଠାରୁ ୬୫-୩୬ ପଏଣ୍ଟରେ ପରାସ୍ତ ହେଲା ଓଡ଼ିଶା ଜଗରନଟ୍ସ। ପରାସ୍ତ ସ୍ୱତେ ବି ଓଡିଶା ପଏଣ୍ଟ ଟେବୁଲରେ ଦ୍ୱୀତୀୟ ସ୍ଥାନରେ ରହିଛି। ଏଥିସହ ପ୍ରଥମ କ୍ୱାଲିଫାଏର ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି । ଲିଗ ପର୍ଯ୍ୟାୟ ଶେଷ ପରେ ଓଡ଼ିଶା ଜଗରନଟ୍ସ ପଏଣ୍ଟ ଟେବୁଲ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଗୁଜରାଟ ପ୍ରଥମ, ଓଡ଼ିଶା ଦ୍ଵିତୀୟ, ତେଲଗୁ ଯୋଦ୍ଧା ତୃତୀୟ ଓ ଚେନ୍ନାଇ ଚତୁର୍ଥ ସ୍ଥାନରେ ରହିଛି ।

ଓଡ଼ିଶା ଜଗରନଟ୍ସର ଲିଗରେ ୧୦ଟି ମ୍ୟାଚରୁ ୭ ବିଜୟ ସହ ୨୧ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି। । ସେପ୍ଟେମ୍ବର ୨ରେ ପ୍ଲେ ଅଫ ଆରମ୍ଭ ହେବ । ପ୍ରଥମ ପ୍ଲେ ଅଫରେ ଗୁଜୁରାଟ ଜାଏଂଟସକୁ ଭେଟିବ ଓଡ଼ିଶା। ଯେଉଁ ଟିମ ଜିତିବ ସିଧା ଫାଇନଲ ଖେଳିବ ଓ ହାରିବା ଟିମ ଏଲିମିନେଟର ମ୍ୟାଚ ଖେଳିବ । ସେପ୍ଟେମ୍ବର ୪ ତାରିଖରେ ଗ୍ରାଣ୍ଡ ଫିନାଲେ ଅନୁଷ୍ଠିତ ହେବ ।

ସେପଟେ ଗତକାଲିର ମ୍ୟାଚ ହାରିବା ନେଇ ଓଡ଼ିଶା କୋଚ କହିଛନ୍ତି ଯେ ଆମେ ପ୍ଲାନିଂ ସହ ଖେଳିଛୁ । ଯେହେତୁ ଆମେ ପ୍ରଥମ ପ୍ଲେ ଅଫ ପାଇଁ ଯୋଗ୍ୟତା ଅର୍ଜନ କରିସାରିଥିଲୁ ତେଣୁ ଆମେ ମୁଖ୍ୟ ପ୍ଲେୟାରଙ୍କୁ ବିଶ୍ରାମ ଦେଇଥିଲୁ । ତେବେ ପ୍ଲେ ଅଫ ମ୍ୟାଚ ପାଇଁ ଆମେ ସ୍ୱତନ୍ତ୍ର ରଣ କୌଶଳ ସହ ପଡିଆକୁ ଓହ୍ଲାଇବୁ ବୋଲି ଓଡ଼ିଶା କୋଚ କହିଛନ୍ତି ।

ଓଡ଼ିଶାବାସୀଙ୍କୁ ନୂଆଁଖାଇର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଚଳଚଞ୍ଚଳ ପଶ୍ଚିମ ଓଡ଼ିଶାର ଗାଁଠୁ ସହର। ନୂଆଁଖାଇର ଶୁଭେଚ୍ଛା ଜଣାଇଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଓଡ଼ିଶାର ଭାଇ ଭଉଣୀ ବିଶେଷକରି ପଶ୍ଚିମା଼୍ଚଳର ଭାଇ ଭଉଣୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରପତି । ସ୍ନେହ, ଶ୍ରଦ୍ଧା ଓ ସୌହାର୍ଦ୍ୟର ଅନନ୍ୟ ପର୍ବ ସମସ୍ତଙ୍କ ପାଇଁ ସୁଖ, ଶାନ୍ତି ଓ ସମୃଦ୍ଧି ଆଣୁ ବୋଲି ସେ ଆନ୍ତରିକ  କାମନା କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ନୂଆଁଖାଇ ଜୁହାର ଜଣାଇଛନ୍ତି । ସମସ୍ତଙ୍କୁ ବିଶେଷ ଦିନର ଶୁଭେଚ୍ଛା ଜଣାଇବା ସହ କଟିନ ପରିଶ୍ରମ କରି ଦେଶବାସୀଙ୍କୁ ଖାଦ୍ୟାନ୍ନ ଯୋଗାଉଥିବା ଚାଷୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ସମାଜ ପ୍ରଗତିର ନୂଆ ଉଚ୍ଚତାରେ ପହଞ୍ଚୁ । ସମସ୍ତଙ୍କ ସୁଖ, ସମୃଦ୍ଧି ଓ ଉଦ୍ଦମ ସ୍ୱାସ୍ଥ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ।

୨୦୨୧ରେ ଜବତ ହୋଇଛି ସର୍ବାଧିକ ନକଲି ଦୁଇ ହଜାର ଟଙ୍କିଆ ନୋଟ୍: ଏନସିଆରବି

ନୂଆଦିଲ୍ଲୀ: ୨୦୨୧ରେ ସର୍ବାଧିକ ନକଲି ଦୁଇ ହଜାର ଟଙ୍କିଆ ନୋଟ୍ ଜବତ ହୋଇଛି। ନ୍ୟାସନାଲ କ୍ରାଇମ ରେକର୍ଡସ ବ୍ୟୁରୋ ରିପୋର୍ଟ ଅନୁସାରେ ୬୦ ପ୍ରତିଶତ ଦୁଇ ହଜାର ଟଙ୍କିଆ ନକଲି ନୋଟ୍ ଜବତ ହୋଇଛି। ୨୦୨୧ରେ ୨୦ କୋଟିରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ ହୋଇଛି। ଏଥିପାଇଁ ବଜାରରୁ ୨ ହଜାର ଟଙ୍କାଙ୍କୁ ଆରବିଆଇ ଫେରାଇ ନେଉଥିବା ଚର୍ଚ୍ଚା ହୋଇଛି।

ଏଥିସହ ଏନସିଆରବି ରିପୋର୍ଟ ଅନୁସାରେ ୨୦୧୬ରେ ହୋଇଥିବା ବିମୁଦ୍ରିକରଣର ଲକ୍ଷ୍ୟ ମଧ୍ୟ ବିଫଳ ହୋଇଛି । ନକଲି ନୋଟର ଚେରକୁ ଧ୍ୱଂଶ କରିବା ପାଇଁ ସରକାର ବିମୁଦ୍ରିକରଣ କରିଥିଲେ। ହେଲେ ୨୦୧୬ ପରଠୁ ନକଲି ନୋଟ୍ କାରବାର ଅଧିକ ବଢିଛି। ବିଶେଷ କରି ନୂଆ କରି ଆରମ୍ଭ ହୋଇଥିବା ୨ ହଜାର ଟଙ୍କିଆ ନୋଟର ଅଧିକ ନକଲି କାରବାର ହେଉଛି। ୨୦୧୬ରୁ ୨୦୨୧ ପର୍ଯ୍ୟନ୍ତ ନକଲି ନୋଟର କାରବାର ଓ ଆକାର ପ୍ରତିବର୍ଷ ବଢୁଥିବା ଏନସିଆବି ରିପୋର୍ଟ ପ୍ରକାଶ କରିଛି ।

ମାଡ଼ି ଆସୁଛି ବଡ଼ ବାତ୍ୟା ‘ହିନ୍ନାମନୋର’, ୫୦ ଫୁଟ ଉଚ୍ଚକୁ ଉଠିବ ସମୁଦ୍ର ଜୁଆର!

ଟୋକିଓ: ଚଳିତ ବର୍ଷର ସବୁଠାରୁ ବଡ଼ ବାତ୍ୟା ପୂର୍ବ ଚାଇନା ସମୁଦ୍ର ଦେଇ ସ୍ଥଳ ଭାଗକୁ ମାଡ଼ି ଆସୁଛି । ଏହି ବାତ୍ୟା ଜାପାନର ଦକ୍ଷିଣପୂର୍ବ ଦ୍ୱୀପପୁଞ୍ଜ ଗୁଡ଼ିକ ପ୍ରତି ବିପଦ ସୃଷ୍ଟି କରିଛି। ଏଥିସହ ଚାଇନାର ପୂର୍ବ ଉପକୂଳରେ ଥିବା ସହରଗୁଡ଼ିକ ପ୍ରତି ମଧ୍ୟ ବାତ୍ୟାର ବିପଦ ରହିଛି। ଏହି ସୁପର ଟାଇଫୁନ ‘ହିନ୍ନାମନୋର’ ପ୍ରଭାବରେ ସମୁଦ୍ର ମଧ୍ୟରେ ଘଣ୍ଟାପ୍ରତି ୨୫୭ କିମି ବା ୧୬୦ ମାଇଲ୍ସ ବେଗରେ ପବନ ବହିବାରେ ଲାଗିଛି।

ଏହାର ଝଟକା ଘଣ୍ଟା ପ୍ରତି ୧୯୫ ମାଇଲ୍ସ ରହିଥିବା ଆମେରିକା ଜଏଣ୍ଟ ଟାଇଫୁନ ୱାର୍ଣ୍ଣିଂ ସେଣ୍ଟର ପକ୍ଷରୁ ସୂଚନା ଦିଆଯାଇଛି । ହିନ୍ନାମନୋର ପ୍ରଭାବରେ ସମୁଦ୍ର ଜୁଆର ୫୦ ଫୁଟ ବା ୧୫ ମିଟର ଉଚ୍ଚକୁ ଉଠିପାରେ । ଏହି ସୁପର ଟାଇଫୁନ ପ୍ରଭାବରେ ବହୁଥିବା ପବନକୁ ଦେଖି ଏବେ ଠୁ ଭୟାବହ ସ୍ଥିତି ସୃଷ୍ଟି ହୋଇଛି । ଜାପାନ ମେଟ୍ରୋଲଜିକାଲ ଏଜେନ୍ସି ଏହାକୁ ୨୦୨୨ର ସବୁଠାରୁ ବଡ଼ ବାତ୍ୟା ବୋଲି ଆଖ୍ୟା ଦେଇଛି । ଏଭଳି ଅବସ୍ଥାରେ ବାତ୍ୟା ସ୍ଥଳ ଭାଗରେ ମାଡ଼ ହୁଏ, ତାହେଲେ ଭୟଙ୍କର କ୍ଷୟକ୍ଷତି ହେବାର ଆଶଙ୍କା ପ୍ରକାଶ ପାଇଛି ।

ଆଜି ଚାଷୀଙ୍କୁ ମୁଖ୍ୟମନ୍ତ୍ରୀ ଦେବେ ନୂଆଖାଇ ଭେଟି, ବ୍ୟାଙ୍କ ଖାତାକୁ ଯିବ କାଳିଆ ଟଙ୍କା

0

ଭୁବନେଶ୍ୱର: କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ । ଆଜି ଚାଷୀଙ୍କୁ ମିଳିବ କାଳିଆ ସହାୟତା । ୪୧ ଲକ୍ଷରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଯିବ ୮୬୯ କୋଟି ଟଙ୍କା । ଚାଷୀଙ୍କୁ ସହଯୋଗ ଉପରେ ନବୀନଙ୍କ ଫୋକସ୍। ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ମଜଭୁତ କରିବା ପାଇଁ ଅଷ୍ଟମ ଥର ପାଇଁ ରାଜ୍ୟ ସରକାର କାଳିଆ ଯୋଜନାରେ ଅର୍ଥ ପ୍ରଦାନ କରିବେ।

ବର୍ଷକୁ ଦୁଇଟି କିସ୍ତିରେ ୨ ହଜାର ଟଙ୍କା ଲେଖାଏ ଦିଆଯାଉଛି । କାଳିଆ ଯୋଜନାରେ କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀ ଉପକୃତ ହେଉଛନ୍ତି । ଏହି ଯୋଜନା ଦେଶ ପାଇଁ ରୋଲ୍ ମଡେଲ ସାଜିଛି । ରାଜ୍ୟ ସରକାର କାଳିଆ ଯୋଜନା ସହ ବିନା ସୁଧରେ ଚାଷୀଙ୍କୁ ଋଣ ପ୍ରଦାନ, ନୂଆ କୃଷିନୀତି ଓ ସ୍ବତନ୍ତ୍ର କୃଷି ବଜେଟ୍ କରି ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ସୁଦୃଢ଼ କରିଛନ୍ତି । ୨୦୧୮-୧୯ରୁ ଚାଷୀଙ୍କୁ କାଳିଆ ଯୋଜନାରେ ସହାୟତା ପ୍ରଦାନ କରାଯାଉଛି।

ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ, ହାର୍ଦ୍ଦିକ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଚଳଚଞ୍ଚଳ ପଶ୍ଚିମ ଓଡ଼ିଶାର ଗାଁଠୁ ସହର। ପବିତ୍ର ନୂଆଁଖାଇର ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମା ସମଲେଇଙ୍କ ନିକଟରେ ପଶ୍ଚିମଓଡ଼ିଶା ତଥା ରାଜ୍ୟବାସୀଙ୍କ ମଙ୍ଗଳ କାମନା କରିଛନ୍ତି ନବୀନ । ମା ସମଲେଇ ସମସ୍ତଙ୍କୁ ଖୁସିରେ ରଖନ୍ତୁ ଏହାହିଁ କାମନା କରିଛନ୍ତି ।

ସୁଖ, ଶାନ୍ତି, ମୈତ୍ରୀ ଓ ଆନନ୍ଦର ପରମ୍ପରା ଏବଂ ପର୍ବ ‘ନୂଆଁଖାଇ’ ପାଳନ ଅବସରରେ ମାନ୍ୟବର ରାଜ୍ୟପାଳ ସମଗ୍ର ରାଜ୍ୟ ବିଶେଷ କରି ପଶ୍ଚିମ ଓଡିଶାର ଭାଇ ଭଉଣୀଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି।

ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ ମଧ୍ୟ ଟ୍ୱିଟ୍ କରି ନୂଆଁଖାଇର ଶୁଭେଚ୍ଛା ଜଣାଇଛନ୍ତି । ସେ ଲେଖିଛନ୍ତି, ‘ନୂଆ ଆଶା, ନୂଆ ଉତ୍ସାହ, ନୂଆ ଆନନ୍ଦ ଓ ଉଦ୍ଦୀପନା ନେଇ ଆସିଥିବା କୃଷିଭିତ୍ତିକ ଗଣପର୍ବ ପବିତ୍ର ନୂଆଁଖାଇ ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ମା’ ସମଲେଶ୍ଵରୀଙ୍କ କୃପା ସଭିଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଭରିଦେଉ।’

ଆଜି ଦିନ ୧୦ଟା ୫୬ ରୁ ୧୧ଟା ୧୦ ମଧ୍ୟରେ ମା ସମଲେଶ୍ୱରୀଙ୍କ ନିକଟରେ ନୂଆଁ ଲାଗି ହେବ। ପରେ ପରିବାର ସହ ଏକାଠି ନୂଆ ଖାଇବେ ସମଗ୍ର ପଶ୍ଚିମ ଓଡ଼ିଶାବାସୀ। ମା ସମଲେଶ୍ୱରୀଙ୍କ ନିକଟରେ ନୂଆଲାଗି ହେବାପରେ ଦିନ ୧୨ଟା ୩୦ ପରେ ସମଲେଶ୍ୱରୀ ମାଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ।