spot_img
Home Blog Page 4070

ଭାରତ-ଇଂଲଣ୍ଡ ମଧ୍ୟରେ ଆଜିଠୁ ଟି-୨୦ ସିରିଜ୍, ଦଳକୁ ଫେରିଛନ୍ତି ରୋହିତ ଶର୍ମା

ଲଣ୍ଡନ: ଆଜିଠାରୁ ଆରମ୍ଭ ହେଉଛି ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍ । ହମ୍ପସାୟାରର ଏଜେସ୍ ବାଓ୍ୱେଲରେ ଖେଳାଯିବ ଏହି ମ୍ୟାଚ । ଆଜିର ମ୍ୟାଚରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା କରୋନା ସଂକ୍ରମଣ ପରେ ପୁଣି ଥରେ ଦଳକୁ ଫେରିବେ । ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପକୁ ଆଉ ମାତ୍ର ଦୁଇ ମାସ ବାକିଥିବା ବେଳେ ଭାରତ ପରୀକ୍ଷା ନିରୀକ୍ଷା ବନ୍ଦ କରି ଏହି ମେଗା ଇଭେଣ୍ଟ ପାଇଁ ନିଜର ଶ୍ରେଷ୍ଠ ଟିମ୍ ଚୂଡ଼ାନ୍ତ କରିବା ଲକ୍ଷ୍ୟରେ ରହିଛି । ଆଉ ଇଂଲଣ୍ଡ ବିପକ୍ଷ ସିରିଜ ଏ ଦିଗରେ ଏକ ସୁଯୋଗ ଆଣିଛି ।

ଏହାଛଡ଼ା ପଞ୍ଚମ ଟେଷ୍ଟରେ ଖେଳିଥିବା ବିରାଟ କୋହଲି, ଯଶପ୍ରୀତ ବୁମ୍ରା, ରବୀନ୍ଦ୍ର ଜାଡେଜା, ଶ୍ରେୟସ ଆୟର ଓ ଋଷଭ ପନ୍ତ ଦ୍ୱିତୀୟ ମ୍ୟାଚରୁ ଉପଲବ୍ଧ ହେବେ । ଏସବୁ ଷ୍ଟାର ଖେଳାଳିଙ୍କ ଅନୁପସ୍ଥିତି ଋତୁରାଜ ଓ ସଞ୍ଜୁ ସାମସନଙ୍କ ଭଳି ରିଜର୍ଭ ଖେଳାଳିଙ୍କ ପାଇଁ ବିଶ୍ୱକପ ସମ୍ଭାବ୍ୟ ଦଳରେ ସ୍ଥାନ ପାଇବା ଲାଗି ଦାବି ଉପସ୍ଥାପନ କରିବାକୁ ସୁଯୋଗ ହେବ । ସେପଟେ ଇୟାମ ମୋର୍ଗାନଙ୍କ ଅବସର ପରେ ଏହି ସିରିଜରୁ ଜୋସ ବଟଲରଙ୍କ ନେତୃତ୍ୱରେ ଇଂଲଣ୍ଡ ଟି-୨୦ ଦଳର ନୂଆ ଯୁଗ ଆରମ୍ଭ ହେବ ।

ଭିଜିଲାନ୍ସ ଜାଲରେ DIC ଅଫିସ ସୁପରଭାଇଜର, ୧୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ ନାରାୟଣ

ପୁରୀ: ଭିଜିଲାନ୍ସ ଜାଲରେ ପୁରୀ DIC ଅଫିସରେ କାର୍ଯ୍ୟରତ ସୁପରଭାଇଜର ନାରାୟଣ ପଟ୍ଟନାୟକ । ଖଦି ଓ ଗ୍ରାମ ଉଦ୍ୟୋଗ ବିଭାଗର ସୁପରଭାଇଜର ଭାବେ କାର୍ଯ୍ୟରତ । ୧୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ ନାରାୟଣ । ରତ୍ନାକର ସାହୁଙ୍କଠାରୁ ଅର୍ଥ ନେବାବେଳେ ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି ନାରାୟଣ ପଟ୍ଟନାୟକ । ସବସିଡ୍ ଟଙ୍କା ରିଲିଜ୍ ପାଇଁ ଲାଞ୍ଚ ନେଉଥିବା ବେଳେ, ତାଙ୍କ ଗିରଫ କରାଯାଇଛି । ସମସ୍ତ ଟଙ୍କାକୁ ସିଜ୍ କରାଯାଇଥିବାବେଳେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ଭିଜିଲାନ୍ସ ।

ଭାରତରେ ଚିହ୍ନଟ ହେଲା କରୋନାର ନୂଆ ଭାରିଆଣ୍ଟ, ସତର୍କ କଲା WHO

ନୂଆଦିଲ୍ଲୀ: ଭାରତରେ କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛି । ଓମିକ୍ରନର ସବ୍ ଭାରିଆଣ୍ଟ BA.2.75କୁ ନେଇ ସତର୍କ କରାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଭାରତରେ ଓମିକ୍ରନର ସବ୍ ଭାରିଆଣ୍ଟ ଠାବ ହେବାକୁ ନେଇ ଚିନ୍ତା ବ୍ୟକ୍ତ କରିଛି WHO । ଏହାସହ ବିଶେଷଜ୍ଞ ଏହା ଉପରେ ନଜର ରଖିଛନ୍ତି ବୋଲି ଏକ ପ୍ରେସମିଟରେ WHOର ମହାନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଗତ ଦୁଇ ସପ୍ତାହ ମଧ୍ୟରେ ପୂରା ବିଶ୍ୱରେ କରୋନା ସଂକ୍ରମଣ ୩୦ ପ୍ରତିଶତ ବୃଦ୍ଧି ପାଇଛି । ୟୁରୋପରେ BA-4, ଆମେରିକାରେ BA.5 ଭାରିଆଣ୍ଟ ଯୋଗୁ ସଂକ୍ରମଣ ବଢ଼ୁଥିବା ବେଳେ ଭାରତରେ ଓମିକ୍ରନର ସବ୍ ଭାରିଆଣ୍ଟ BA.2.75 ଠାବ ହୋଇଛି ବୋଲି WHO ପକ୍ଷରୁ କୁହାଯାଇଛି । ପ୍ରଥମେ ଭାରତରେ ଚିହ୍ନଟ ହେବା ପରେ ଏହି ଭାରିଆଣ୍ଟ ଅନ୍ୟ ୧୦ ଦେଶରେ ମଧ୍ୟ ଚିହ୍ନଟ ହୋଇଛି ।

ପୁଣି ବିଜେବି କଲେଜରେ ରାଗିଂ ଅଭିଯୋଗ, ବଡ଼ଗଡ଼ ଥାନାରେ ଅଭିଯୋଗ କଲେ ସଂପୃକ୍ତ ଛାତ୍ର

ଭୁବନେଶ୍ୱର: ପୁଣି ବିଜେବି କଲେଜରୁ ଆସିଲା ରାଗିଂ ଅଭିଯୋଗ । ଏଥର ଛାତ୍ରୀ ନୁହନ୍ତି, ଜଣେ ଛାତ୍ରଙ୍କୁ ରାଗିଂ ଅଭିଯୋଗ ଆସିଛି । କୌଣସି ସିନିୟର ଛାତ୍ର ନୁହନ୍ତି, ସହପାଠୀ ରାଗିଂ କରିଥିବା ଜଣେ ଛାତ୍ର ଅଭିଯୋଗ କରିଛନ୍ତି । ରାଗିଂର ଶିକାର ହୋଇଛନ୍ତି ବାଣିଜ୍ୟ ବିଭାଗର ଦ୍ୱିତୀୟ ବର୍ଷ ଛାତ୍ର ରୁଦ୍ର ନାରାୟଣ ପାତ୍ର । ହଷ୍ଟେଲରେ ରହୁଥିବା ତାଙ୍କ ସହପାଠୀ ତାଙ୍କୁ ଗାଡ଼ି କାହିଁକି ଆଣୁଛୁ ବୋଲି କହି କଲେଜରେ ଉଠବସ କରାଇବା ସହ ମାରଧର କରୁଥିବା ରୁଦ୍ର ଅଭିଯୋଗ କରିଛନ୍ତି ।

ରୁଦ୍ର ଜଣେ ଡେସ୍କଲାର ହୋଇଥିବା ବେଳେ ଆମ୍ବେଦକର ହଷ୍ଟେଲ୍‌ରେ ରହୁଥିବା ତାଙ୍କ ସହପାଠୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ଅଧ୍ୟାପକଙ୍କ ସାମ୍ନାରେ ରାଗିଂ କରାଯାଉଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ଛାତ୍ର ରୁଦ୍ର ନାରାୟଣ ପାତ୍ର । ବଡ଼ଗଡ଼ ଥାନାରେ ଅଭିଯୋଗ କଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଛାତ୍ର ଜଣଙ୍କ ଅଭିଯୋଗ କରିଛନ୍ତି । ଛାତ୍ରୀ ରୁଚିକା ମହାନ୍ତି ରାଗିଂର ଶିକାର ହୋଇ ଆତ୍ମହତ୍ୟା କରିଥିବା ନେଇ ଉଦବେଗ ପ୍ରକାଶ ପାଇଥିବା ବେଳେ ଜଣେ ଛାତ୍ରୀଙ୍କୁ ରାଗିଂ ଅଭିଯୋଗ ଜଟିଳ ସ୍ଥିତି ସୃଷ୍ଟି କରିଛି ।

୪୧ ବର୍ଷରେ ପାଦ ଦେଲେ ମହେନ୍ଦ୍ର ସିଂ ଧୋନୀ

ଲଣ୍ଡନ: ୪୧ ବର୍ଷରେ ପାଦ ଥାପିଛନ୍ତି ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ । ଧୋନୀଙ୍କୁ ଚାରିଆଡୁ ଛୁଟିଛି ଜନ୍ମଦିନର ଶୁଭେଚ୍ଛାର ସୁଅ । ତେବେ ଚଳିତ ବର୍ଷ ଇଂଲଣ୍ଡରେ ଜନ୍ମଦିନ ମନାଇଛନ୍ତି ଧୋନୀ । ପତ୍ନୀ ସାକ୍ଷୀ ଧୋନୀଙ୍କ ସହ ଟିମ୍ ଇଣ୍ଡିଆର ଷ୍ଟାର ଓ୍ୱିକେଟ କିପର ଋଷଭ ପନ୍ତ ଓ ଅନ୍ୟ ବନ୍ଧୁଗଣଙ୍କ ଉପସ୍ଥିତିରେ ମାହି କେକ୍ କାଟିଥିଲେ । ବର୍ଥଡେ ସେଲିବ୍ରେସନ ବେଳର ଭିଡିଓ ସାକ୍ଷୀ ଧୋନୀ ନିଜ ଇନଷ୍ଟା ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ଭାରତୀୟ କ୍ରିକେଟ ଟିମର ଜଣେ ସଫଳ ଅଧିନାୟକ ହେଉଛନ୍ତି ମହେନ୍ଦ୍ର ସିଂ ଧୋନୀ । ଧୋନୀଙ୍କ ନେତୃତ୍ୱରେ ଟିମ୍ ୨୦୦୭ରେ ଟି-୨୦ ବିଶ୍ୱକପ୍, ୨୦୧୧ରେ ଦିନିକିଆ ବିଶ୍ୱକପ୍ ଓ ୨୦୧୩ରେ ଚାମ୍ପିୟନ୍ସ ଟ୍ରଫି ଜିତିଥିଲା ଟିମ୍ ଇଣ୍ଡିଆ ।

ଧୋନୀ ୩୫୦ଟି ଅନ୍ତରାଷ୍ଟ୍ରୀୟ ଦିନିକିଆରେ ୫୦.୫୭ ଆଭରେଜରେ ୧୦ ହଜାର ୭୭୩ ରନ୍ କରିଥିଲେ । ଏଥିରେ ୧୦ଟି ଶତକ ଓ ୭୩ଟି ଅର୍ଦ୍ଧଶତକ ରହିଛି । ତାଙ୍କର ସର୍ବାଧିକ ସ୍କୋର ହେଉଛି ୧୮୩ । ସେ ଓ୍ୱିକେଟ କିପର୍ ଭାବେ ୪୪୪ ଜଣଙ୍କୁ ଆଉଟ୍ କରିଛନ୍ତି । ତାଙ୍କସହ ସେ ୯୦ଟି ଟେଷ୍ଟରେ ୪ ହଜାର ୮୭୬ ରନ୍ କରିଥିବା ବେଳେ ୯୮ଟି ଟି୨୦ରେ ୧୬୧୭ ରନ୍ କରିଛନ୍ତି ।

 

ବର୍ଷାରେ ବେହାଲ ମାୟାନଗରୀ ମୁମ୍ବାଇ, ସ୍ଥିତି ମୁକାବିଲା ପାଇଁ ଏକନାଥ ସିନ୍ଦେଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ମୁମ୍ବାଇ: ମୌସୁମୀ ବର୍ଷାରେ ବେହାଲ ଅଧିକାଂଶ ରାଜ୍ୟ । ମୁଶଳଧାରାରେ ବର୍ଷା, ଲ୍ୟାଣ୍ଡସ୍ଲାଇଡ, ବନ୍ୟା ଯୋଗୁ ସ୍ଥିତି ସଙ୍ଗୀନ । ମହାରାଷ୍ଟ୍ରରେ ଅତି ପ୍ରବଳ ବର୍ଷା ଯୋଗୁ ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି । ଜୁଲାଇ ୮ ତାରିଖ ଯାଏ ପୂରା ରାଜ୍ୟରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଲଗାଣ ବର୍ଷା ଯୋଗୁ ଅନେକ ଅଞ୍ଚଳ ଜଳାର୍ଣ୍ଣବ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଘର ଆଗରେ ବର୍ଷା ପାଣି ଜମି ରହିଛି । ରେଲଓ୍ୱେ ଟ୍ରାକଗୁଡ଼ିକ ବର୍ଷା ପାଣିରେ ବୁଡ଼ି ରହିଥିବାରୁ ସେଣ୍ଟ୍ରାଲ ରେଲଓ୍ବେର କେତେକ ଟ୍ରେନ ବିଳମ୍ବରେ ଚାଲୁଛି । ଅନେକ ବସର ରୁଟ ବଦଳାଇ ଦିଆଯାଇଛି ।

ମୁମ୍ବାଇ ସମେତ ଦିଲ୍ଲୀ, ପଞ୍ଜାବ, ହରିୟାଣାରେ ମଧ୍ୟ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ମହାରାଷ୍ଟ୍ରରେ ବର୍ଷା, ଲ୍ୟାଣ୍ଡସ୍ଲାଇଡ ଯୋଗୁ ଗତ ୭ ଦିନ ମଧ୍ୟରେ ୬୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୫ ଶହ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ଉଦ୍ଧାର କାର୍ଯ୍ୟ ପାଇଁ ୧୦ ଜିଲ୍ଲାରେ ୧୩ଟି NDRF ଓ ଦୁଇଟି SDRF ଟିମ୍ ମୁତୟନ ହୋଇଛନ୍ତି । ସେପଟେ କର୍ଣ୍ଣାଟକର ଉପକୂଳବର୍ତ୍ତୀ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି । ଆଗାମୀ ୨୪ ଘଣ୍ଟା ପାଇଁ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସମ୍ଭାବନା ଥିବାରୁ ସୁରକ୍ଷା ଦୃଷ୍ଟିରୁ ସମସ୍ତ ସ୍କୁଲ କଲେଜ ଆଜି ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ମାଙ୍ଗାଲୁରୁରେ ଲ୍ୟାଣ୍ଡସ୍ଲାଇଡ ଯୋଗୁ ଜଣଙ୍କର ମୃତ୍ୟୁ ହୋଇଛି । ରେସ୍କ୍ୟୁ ଅପରେସନ ଜୋରଦାର କରିବାକୁ ଏନଡିଆରଏଫ ଓ ଏସଡିଆରଏଫ ଟିମକୁ ଆଲର୍ଟ କରାଯାଇଛି ।

ପିଟି ଉଷା, ଇଲାଇୟାରାଜାଙ୍କ ସମେତ ଏହି ଚାରି ଜଣ ଯିବେ ରାଜ୍ୟସଭା

ନୂଆଦିଲ୍ଲୀ: ରାଜ୍ୟସଭା ପାଇଁ ମନୋନୀତ ହେଲେ ଦୌଡ଼ରାଣୀ ପିଟି ଉଷା । ତାଙ୍କ ସହ ସଙ୍ଗୀତକାର ଇଲାଇୟାରାଜା, ଫିଲ୍ମର କାହାଣୀ ଲେଖକ ଭି. ରାଜେନ୍ଦ୍ର ପ୍ରସାଦ ଗାରୁ ଏବଂ ବୀରେନ୍ଦ୍ର ହେଗଡେଙ୍କୁ ରାଜ୍ୟସଭାକୁ ମନୋନୀତ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରି ବୁଧବାର ଏହାର ସୂଚନା ଦେଇଛନ୍ତି। ଚାରି ଜଣଙ୍କୁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ପିଟି ଉଷାଙ୍କ ପାଇଁ ଲେଖିଛନ୍ତି, ପିଟି ଉଷାଜୀ ପ୍ରତିଟି ଭାରତୀୟଙ୍କ ପାଇଁ ପ୍ରେରଣା । କ୍ରୀଡାରେ ତାଙ୍କ ଉପଲବ୍ଧିକୁ ଲୋକେ ବ୍ୟାପକ ଭାବେ ଜାଣିଛନ୍ତି। ଗତ ଅନେକ ବର୍ଷରେ ଉଦୀୟମାନ ଆଥଲେଟ୍‌ଙ୍କୁ ମାର୍ଗଦର୍ଶନ ଦେବାରେ ପ୍ରଶଂସନୀୟ କାମ କରିଛନ୍ତି। ତାଙ୍କୁ ରାଜ୍ୟସଭା ପାଇଁ ମନୋନୀତ କରାଯିବା ନେଇ ଅଭିନନ୍ଦନ। ସେହିପରି ଇଲାଇୟାରାଜାଙ୍କ ସୃଜନଶୀଳ ପ୍ରତିଭା ପିଢ଼ି ପରେ ପିଢ଼ିକୁ ଆକର୍ଷିତ କରିଛି । ତାଙ୍କ କାର୍ଯ୍ୟ ଅନେକ ଭାବନାକୁ ସୁନ୍ଦର ଭାବେ ପ୍ରତିଫଳିତ କରେ ବୋଲି ମୋଦି ଟ୍ୱିଟ୍ କରି କହିଛନ୍ତି ।

ସୂଚନା ଅନୁସାରେ ୨୪୫ ଆସନ ବିଶିଷ୍ଟ ରାଜ୍ୟସଭାକୁ ୨୩୩ ଜଣ ନିର୍ବାଚିତ ହୁଅନ୍ତି ଏବଂ ଅନ୍ୟ ୧୨ ଜଣ ରାଷ୍ଟ୍ରପତିଙ୍କ ଦ୍ୱାରା ନିଯୁକ୍ତ ହୁଅନ୍ତି । ସମ୍ବିଧାନର ନିୟମ ଅନୁସାରେ ରାଜ୍ୟସଭା ସଦସ୍ୟ ସଂଖ୍ୟା ୨୫୦ରୁ ଅଧିକ ହୋଇପାରିବ ନାହିଁ । ଯେଉଁ ୧୨ ଜଣଙ୍କୁ ରାଷ୍ଟ୍ରପତି ନିଯୁକ୍ତ କରନ୍ତି ସେମାନଙ୍କୁ ବିଜ୍ଞାନ, ସମାଜସେବା, ସାହିତ୍ୟ, କଳା ପ୍ରଭୃତି କ୍ଷେତ୍ରରୁ ମନୋନୀତ କରାଯାଏ । ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ପୂର୍ବରୁ ମନୋନୀତ କରାଯାଇସାରିଛି ।

 

 

ଆଜି ଦ୍ୱିତୀୟ ବିବାହ କରିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ, ଚଣ୍ଡିଗଡ଼ରେ ଡକ୍ଟର ଗୁରପ୍ରୀତ କୌରଙ୍କୁ କରିବେ ବିବାହ

ଚଣ୍ଡିଗଡ଼: ଆଜି ବିବାହ ବନ୍ଧନରେ ଆବଦ୍ଧ ହେବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ସିଂହ ମାନ୍ । ଭଗବନ୍ତ ମାନଙ୍କ ଏହା ହେବ ଦ୍ୱିତୀୟ ବିବାହ । ପ୍ରଥମ ପତ୍ନୀଙ୍କ ସହ ମାନ୍ ଙ୍କ ବିବାହ ବିଚ୍ଛେଦ ହୋଇସାରିଛି । ଡକ୍ଟର ଗୁରପ୍ରୀତ କୌରଙ୍କୁ ବାହା ହେବେ ପଞ୍ଜାବ ମୁଖ୍ୟମନ୍ତ୍ରୀ । ଚଣ୍ଡିଗଡ଼ର ସେକ୍ଟର ୮ ସ୍ଥିତ ଗୁରୁଦ୍ୱାରା ସାହିବରେ ଉଭୟେ ବିବାହ ବନ୍ଧନରେ ଆବଦ୍ଧ ହେବେ । ବିବାହ ଉତ୍ସବରେ ଆମ୍ ଆଦମୀ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ୱାଲ ଓ ମନୀଷ ସିସୋଦିଆ ସପରିବାର ଯୋଗ ଦେବେ ।

ମାନ୍ ଓ ପ୍ରଥମ ପତ୍ନୀଙ୍କ ମଧ୍ୟରେ ୨୦୧୫ରେ ବିବାହ ବିଚ୍ଛେଦ ହୋଇଥିଲା । ପ୍ରଥମ ବିବାହରୁ ଭଗଓ୍ୱନ୍ତଙ୍କ ଦୁଇ ସନ୍ତାନ ଅଛନ୍ତି । ମାଆଙ୍କ ସହ ସେମାନେ ଏବେ ଆମେରିକାରେ ରହୁଛନ୍ତି । ମାନ୍ ରାଜନୀତିକୁ ଆସିଥିବାରୁ ସେ ଖୁସି ନ ଥିଲେ ବୋଲି କୁହାଯାଉଛି । ପରିବାର ଛାଡ଼ି ସେ ପଞ୍ଜାବକୁ ବାଛିଛନ୍ତି ବୋଲି ପ୍ରଥମ ପତ୍ନୀଙ୍କ ସହ ବିବାହ ବିଚ୍ଛେଦ ପରେ ମାନ୍ କହିଥିଲେ । ଦ୍ୱିତୀୟ ବିବାହ ପାଇଁ ମାନଙ୍କ ପରିବାର ହିଁ କନ୍ୟା ଚୟନ କରିଛନ୍ତି । ବିବାହ ଖର୍ଚ୍ଚ ନିଜେ ମାନ୍ ବହନ କରିବେ । ଏଥିପାଇଁ ସରକାରୀ ଖର୍ଚ୍ଚରେ କୌଣସି ବ୍ୟବସ୍ଥା ହେବ ନାହିଁ ।

ଭିତ୍ତିଭୂମି ବଢ଼ିବ, ବିକାଶ ଆଗକୁ ଦୌଡ଼ିବ

ଭୁବନେଶ୍ୱର: ଚାଷୀ, ଗରୀବ, ମହିଳା ଓ ତଳସ୍ତରର ଲୋକମାନଙ୍କ ପାଇଁ ରାଜ୍ୟ ବଜେଟରେ ଅଧିକ ଧ୍ୟାନ ଦିଆଯାଇଛି । ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରି ରାଜ୍ୟ ବିକାଶରେ ଲମ୍ବା ପାହୁଣ୍ଡ ପାଇଁ ବଢ଼ିଛି ପୁଞ୍ଜି ବ୍ୟୟ । ଶିଳ୍ପାୟନ, ଜଳସେଚନ, କୃଷି, ସ୍ୱାସ୍ଥ୍ୟ ଓ ଗୁଣାତ୍ମକ ଶିକ୍ଷାକୁ ଅଗ୍ରାଧିକାର ଦେଇ ସରକାର ବଜେଟରେ ପାଣ୍ଠି ବରାଦ କରିଛନ୍ତି । ୨୦୨୨-୨୩ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଓଡ଼ିଶା ବିକାଶର ଇଞ୍ଜିନ ପାଲଟିବ । ବିଧାନସଭାରେ ବଜେଟ ଆଲୋଚନାରେ ଜବାବ୍ ରଖି ଏହା କହିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।

ମନ୍ତ୍ରୀ ଶ୍ରୀ ପୂଜାରୀ କହିଲେ ୨୦୨୨-୨୩ ଆର୍ଥିକ ବର୍ଷରେ ମୋଟ କାର୍ଯ୍ୟକ୍ରମ ବ୍ୟୟ ୧ ଲକ୍ଷ କୋଟି ଟଙ୍କା ଆକଳନ କରାଯାଇଛି । ଯାହା କି ୨୦୨୧-୨୨ ଆର୍ଥିକ ବର୍ଷ ତୁଳନାରେ ୩୩ ପ୍ରତିଶତ ଅଧିକ ଅଟେ । ପୁଞ୍ଜି ବ୍ୟୟ ବାବଦକୁ ୩୮ ହଜାର ୭ ଶହ ୩୨ କୋଟି ଟଙ୍କା ଅଟକଳ ହୋଇଛି ଯାହାକି ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦର ୫.୪ ପ୍ରତିଶତ ଅଟେ । ଚଳିତ ଆର୍ଥିକ ବର୍ଷରେ ଏହି ବାବଦକୁ ଥିବା ଆବଣ୍ଟନ ବିଗତ ବର୍ଷଠାରୁ ୫୬ ପ୍ରତିଶତ ଅଧିକ ।

ଚଳତି ବଜେଟରେ ଅନେକଗୁଡ଼ିଏ ସଂସ୍କାର ମୂଳକ ପଦକ୍ଷେପ ନିଆଯାଇଛି । ବିଗତ ବର୍ଷ ପରି ଚଳିତ ଆର୍ଥିକ ବର୍ଷର ବଜେଟକୁ National e-Vidhan Application ଜରିଆରେ ସଂପୂର୍ଣ୍ଣ ଇଲେଟ୍ରୋନିକ ମାଧ୍ୟମରେ ଉପସ୍ଥାପନ ହୋଇଛି । ବିଗତ କିଛି ବର୍ଷ ମଧ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ସରକାରୀ ବ୍ୟୟ ବୃଦ୍ଧି ପାଇଛି । ଜନସ୍ୱାସ୍ଥ୍ୟ ସେବା ପାଇଁ ୧୨ ହଜାର ୬ ଶହ ୨୪ କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ରହିଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୨ ହଜାର ୬ ଶହ ୬୪ କୋଟି, ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା ମିଶନରେ ୨ ହଜାର ୩ ଶହ ୨୫ କୋଟି, ଜାତୀୟ ସ୍ୱାସ୍ଥ୍ୟ ମିଶନ ୨ ହଜାର ୧ ଶହ ୫୬ କୋଟି ଏବଂ ସ୍ୱାସ୍ଥ୍ୟ ଓ ଭେଷଜ ଶିକ୍ଷାରେ ୩ ଶହ ୧୨ କୋଟି ଟଙ୍କା ବ୍ୟୟ ବରାଦର ପ୍ରସ୍ତାବ ରଖାଯାଇଛି ।

୨୦୨୨-୨୩ ଆର୍ଥିକ ବର୍ଷ ପାଇଁ କୃଷି ବଜେଟ ନିମନ୍ତେ ୨୧ ହଜାର ୧ ଶହ ୬୬ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଚାଷୀ ମାନଙ୍କର ସାମଗ୍ରିକ କଲ୍ୟାଣ ନିମନ୍ତେ ’କାଳିଆ ଯୋଜନା’ରେ ୧ ହଜାର ୮୭୪ କୋଟି ଟଙ୍କାର ବ୍ୟୟ କରାଯାଇଛି । ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ମୋଟ ୨୭ ହଜାର ୩୨୪ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ପୁଞ୍ଜି ବ୍ୟୟ ବରାଦ ଅଟକଳ ୩୮ ହଜାର ୭ ଶହ ୩୨ କୋଟି ଟଙ୍କା: ଯାହା ସାମଗ୍ରିକ ରାଜ୍ୟ ଘଜରୋଇ ଉତ୍ପାଦର ୫.୪ ପ୍ରତିଶତ ଅଟେ ।

ସେହିପରି ’ମିଶନ ଶକ୍ତି’ ଅଭିଯାନର ଗତି ବଜାୟ ରଖିବା ପାଇଁ ମିଶନ ଶକ୍ତି ବିଭାଗ ପାଇଁ ୨ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଯେଉଁଥିରେ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ ଓ ସେମାନଙ୍କର ସଂଘକୁ ଆର୍ଥିକ ସହାୟତା ପାଇଁ ୭ ଶହ ୭୩ କୋଟି ଓ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀମାନଙ୍କ ପାଇଁ ଗୃହ ନିର୍ମାଣ ଲାଗି ୧ ଶହ ୭୬ କୋଟି ଟଙ୍କା ରହିଛି ।

୨୦୨୨-୨୩ ଆର୍ଥିକ ବର୍ଷରେ ଐତିହ୍ୟ ସହର ପୁରୀର ବିକାଶ ପାଇଁ ABADHA ଯୋଜନାରେ ୧ ହଜାର ୩ ଶହ ୨୫ କୋଟି ଟଙ୍କା, ଲିଙ୍ଗରାଜ ମନ୍ଦିରର ଚତୁଃପାର୍ଶ୍ୱରେ ପ୍ରାୟ ୬୫ ଏକରରୁ ଉର୍ଦ୍ଧ୍ୱ ଜମି ପଥଚାରୀଙ୍କ ଲାଗି ଉନ୍ମୁକ୍ତ କରିବା ନିମନ୍ତେ EKAMRA ଯୋଜନାରେ ୨ ଶହ କୋଟି ଏବଂ SAMALEI ଯୋଜନାରେ ୨ ଶହ କୋଟି ଟଙ୍କା ବ୍ୟୟ ବରାଦର ପ୍ରସ୍ତାବ ରହିଛି ।

ବିଶ୍ୱସ୍ତରୀୟ ଭିତ୍ତିଭୂମି ପ୍ରତିଷ୍ଠା, ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ଷ୍ଟାର୍ଟ ଅପକୁ ପ୍ରୋତ୍ସାହିତ କରିବା ପାଇଁ ମୋଟ ୧ ହଜାର ୨୬୯ କୋଟି ଆବଣ୍ଟନ ପ୍ରସ୍ତାବ ଦିଆଯାଇଛି । IPICOLକୁ ଅନୁଦାନ ଭାବରେ ୯୫ କୋଟି, ଶିଳ୍ପ ଭିତ୍ତିଭୂମି ବିକାଶ ପାଇଁ IDCOକୁ ୧୯୭ କୋଟି, ଚଳଚ୍ଚିତ୍ର ବିକାଶ ପାଇଁ OFDCକୁ ୫୦ କୋଟି ସହାୟତା ଦିଆଯାଇଛି ।

ଯଦି ମୁଣ୍ଡପିଛା ଋଣ କଥା କହିବା ତାହାଲେ ୩୧ ମାର୍ଚ୍ଚ, ୨୦୨୨ ଶେଷ ସୁଦ୍ଧା ରାଜ୍ୟର ମୁଣ୍‌ଡ ପିଛା ଋଣ ୨୨,୦୪୨ ଟଙ୍କା ଥିବାବେଳେ ମୁଣ୍ଡ ପିଛା ଆୟ ୧ ଲକ୍ଷ ୨୭ ହଜାର ଟଙ୍କା । ତେବେ ୧୯୯୯-୨୦୦୦ ବର୍ଷରେ ରାଜ୍ୟର ମୁଣ୍ଡପିଛା ଋଣ ୪ ହଜାର ୯୧୮ ଟଙ୍କା ଥିବାବେଳେ ମୁଣ୍ଡପିଛା ଆୟ ୧୩,୦୧୨ ଟଙ୍କା ଥିଲା । ଏହା ସ୍ପଷ୍ଠ ଦୃଶ୍ୟମାନ ଯେ ୧୯୯୯-୨୦୦୦ ମସିହାରେ ଆମର ମୁଣ୍ଡ ପିଛା ଆୟ ମୁଣ୍ଡ ପିଛା ଋଣର ୨.୬୫ ଗୁଣ ଥିବା ବେଳେ, ବର୍ତ୍ତମାନ ମୁଣ୍ଡ ପିଛା ଆୟ ବୃଦ୍ଧି ପାଇ ମୁଣ୍ଡ ପିଛା ଋଣର ୫.୮ ହେଲାଣି । ମୁଣ୍ଡ ପିଛା ଋଣର ଓଡ଼ିଶା ସମସ୍ତ ରାଜମାନଙ୍କ ମଧ୍ୟରେ ନିମ୍ନତମ ଅଟେ । ଏହା RBIର ପ୍ରକାଶନ “State Finance: A Study of Budget, 2021-22”ରେ ପ୍ରକାଶିତ ହୋଇଛି ।

୨୦୨୨-୨୩ ଆର୍ଥିକ ବର୍ଷର ମୋଟ ରାଜସ୍ୱ ପ୍ରାପ୍ତି ୧ ଲକ୍ଷ ୬୩ ହଜାର ୯ ଶହ ୬୭ କୋଯି ଟଙ୍କା ଏବଂ ରାଜସ୍ୱ ବ୍ୟୟ ୧ ଲକ୍ଷ ୪୫ ହଜାର ୭ ଶହ ୨୭ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ରାଜସ୍ୱ ବଳକା ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦର ୨.୫ ପ୍ରତିଶତ ହେବ ଓ ବିତ୍ତୀୟ ନିଅଣ୍ଟ ୩ ପ୍ରତିଶତରେ ସୀମିତ ରହିବ । ବର୍ଷ ଶେଷରେ ଋଣ ଭାର ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦର ୧୫.୬ ପ୍ରତିଶତ ହେବାର ଆକଳନ କରାଯାଇଛି ।

ରାଜ୍ୟ ସରକାର ବହୁ ବର୍ଷୀୟ ବଜେଟ୍ ପ୍ରସ୍ତୁତି ପ୍ରକ୍ରିୟାର ଅଂଶ ସ୍ୱରୂପ ଏକ “Medium-Term Fiscal Framework-MTFF” ପ୍ରସ୍ତୁତ କରୁଛି ଏବଂ ଏହା ସହ ବିଭିନ୍ନ Disclosure ଦସ୍ତାବିଜ ଯଥା- Fiscal Strategy Report, Status Paper On public debt ଏବଂ Comprehensive Fiscal Risk Statement ଅନ୍ତର୍ଭୁକ୍ତ । ଯାହା ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଦ୍ୱାରା ବ୍ୟାପକ ଭାବରେ ପ୍ରଶଂସିତ ହୋଇଛି । ରାଜ୍ୟର ଆର୍ଥିକ ପରିଚାଳନକୁ ପଞ୍ଚଦଶ ଅର୍ଥ କମିଶନ ମଧ୍ୟ ଭୂୟସୀ ପ୍ରଶଂସା କରିଛନ୍ତି । ଏହି ସମସ୍ତ ପ୍ରକ୍ରିୟାକୁ ସମଗ୍ର ଦେଶରେ best practices ଏବଂ ସୁଶାସନ ପଦକ୍ଷେପ ଭାବରେ ସ୍ୱୀକୃତି ମିଳିଛି ।

ଗଜପତି ମୋହନା ଢେପ ସାହିରେ ଅଘଟଣ, ଚାଓମିନ୍ ଫ୍ୟାକ୍ଟ୍ରିରେ ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକ ମୃତ

ଗଜପତି: ଗଜପତି ମୋହନାରେ ଅଭାବନୀୟ ଘଟଣା । ଢେପ ସାହିରେ ଥିବା ଏକ ଚାଉମିନି ଫ୍ୟାକଟ୍ରିରେ ଶ୍ୱାସରୁଦ୍ଧ ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଅଭାବନୀୟ ଘଟଣା ପରେ ଘଟଣାସ୍ଥଳରେ ମୋହନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ରାତିରେ ଫ୍ୟାକଟ୍ରିରେ ଶୋଇଥିବା ବେଳେ ଗ୍ୟାସ୍ ଲିକେଜ୍ରୁ ଶ୍ୱାସରୁଦ୍ଧ ହୋଇଥିଲେ । ମୃତ୍ୟୁବରଣ କରିଥିବା ୩ ଜଣ ହେଉଛନ୍ତି ବ୍ରହ୍ମପୁରର ଅରୁଣ ସାହୁ, ମୋହନା ଥାନା କାମ୍ପଗୁଡା ଗାଁର ପ୍ରଭାକର ଦଳାଇ ଓ ଅନ୍ୟ ଜଣେ ସୁନିଲ ଦଳାଇ ବୋଲି ଜଣାପଡ଼ିଛି । ପୋଲିସ୍ ଓ ଅଗ୍ନିଶମ ବାହିନୀ ଘଟଣସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ କରୁଛି ।