spot_img
Home Blog Page 4083

ପ୍ରକାଶ ପାଇଲା ରାଜ୍ୟର ୫ଟି ଖଣି ନିଲାମୀ ପାଇଁ ବିଜ୍ଞପ୍ତି

ଭୁବନେଶ୍ୱର: ରାଜ୍ୟର ୫ଟି ଖଣି ନିଲାମୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଖଣି ବିଭାଗ ପକ୍ଷରୁ କେନ୍ଦୁଝର, କଳାହାଣ୍ଡି, ବୌଦ୍ଧ, ମୟୁରଭଞ୍ଜ ଜିଲ୍ଲାର ୫ଟି କ୍ୱାର୍ଜବ ଓ କ୍ୱାର୍ଜାଇଟ ଖଣି ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି । ଏହି ସବୁ ଖଣିରେ ପ୍ରାୟ ୩୦ ଲକ୍ଷ ଟନ କ୍ୱାର୍ଜ ଓ କ୍ୱାର୍ଜାଇଟ ମହଜୁଦ ରହିଛି । ଟେଣ୍ଡର ଆବେଦନ କରିବାର ଶେଷ ତାରିଖ ଅକ୍ଟୋବର ୧୭ ରଖାଯାଇଛି । ଏହି ୫ ଖଣି ବ୍ୟତୀତ ଆହୁରି ୧୨ଟି ସ୍ୱତନ୍ତ୍ର ପଥର ଥିବା ଖଣି ନିଲାମୀ ପାଇଁ ଖୁବ ଶୀଘ୍ର ଟେଣ୍ଡର ଆହ୍ୱାନ କରାଯିବ । ଚଳିତ ବର୍ଷ ୧୨ଟି ଲୁହାପଥର, ବକ୍ସାଇଟ ଓ ମାଙ୍ଗାନିଜ ଖଣି ନିଲାମୀ ପାଇଁ ପ୍ରସ୍ତୁତ ଥିବା ବେଳେ ଏହାର ପ୍ରକ୍ରିୟା ମଧ୍ୟ କରାଯାଇଛି।

 

ହୀରାକୁଦ ବନ୍ଧର ସୁରକ୍ଷା ପ୍ରସଙ୍ଗରେ ପୂର୍ଣ୍ଣଛେଦ, ବନ୍ଧ ପାଇଁ ଏବେ କୌଣସି ବିପଦ ନାହିଁ

ସମ୍ବଲପୁର: ହୀରାକୁଦ ବନ୍ଧର ସୁରକ୍ଷାକୁ ନେଇ ଉଠୁଥିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଛନ୍ତି ମହାନଦୀ ବେସିନ ମୁଖ୍ୟଯନ୍ତ୍ରୀ। ବନ୍ଧ ପାଇଁ ଏବେ କୌଣସି ବିପଦ ନାହିଁ । ସୁରକ୍ଷା ପାଇଁ ବିଭାଗ ପକ୍ଷରୁ ହେଉଥିବା ନିୟମିତ ଚିଠି ଆଦାନପ୍ରଦାନ ପ୍ରକ୍ରିୟାକୁ ଭିନ୍ନ ଢଙ୍ଗରେ ଉପସ୍ଥାପନ କରାଯାଉଛି। ନଦୀବନ୍ଧର ଯାଞ୍ଚ ପାଇଁ ଡ୍ୟାମ ସେଫଟି ରିଭ୍ୟୁ ପ୍ୟାନେଲକୁ କରାଯାଇଥିବା ଅନୁରୋଧ ଉପରେ ଡ୍ୟାମ ସେଫ୍ଟି ମୁଖ୍ୟଯନ୍ତ୍ରୀ କିଛି ତଥ୍ୟ ମାଗିଛନ୍ତି। ମହାନଦୀ ବେସିନ ପକ୍ଷରୁ ଏହିସବୁ ତଥ୍ୟ ଉପସ୍ଥାପନା କରାଯିବା ପରେ ଡିଏସଆରପି ଟିମ୍ ଯାଞ୍ଚ ପାଇଁ ଅନୁମତି ଦେବେ। ୧୯୯୫ ପରେ ନଦୀବନ୍ଧରେ ଆଉ କୌଣସି ବଡ ଫାଟ ଦେଖାଦେଇନାହିଁ। ତେଣୁ ଯାଞ୍ଚର ଆବଶ୍ୟକତା ପଡିନଥିଲା। ତେବେ ୨୦୧୫ ଓ ୨୦୧୬ରେ ମୁମ୍ବାଇର ଏକ ବିଶେଷଜ୍ଞ ଟିମ ଜରିଆରେ ସ୍ପିଲୱେ ଓ ଉଭୟ ପାର୍ଶ୍ୱ ଫାଟକର ଯାଞ୍ଚ କରାଯାଇଥିଲା। ସେ ସମୟରେ ଫାଟ ନୁହେଁ ବନ୍ଧରେ ଚୁନ ଖସିଥିବା ଜଣାପଡିଥିଲା।

ଗତ ୧୬ ତାରିଖରେ ହୀରାକୁଦ ନଦୀବନ୍ଧ ସୁରକ୍ଷା ନେଇ ମହାନଦୀ ବେସିନ ମୁଖ୍ୟଯନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଡ୍ୟାମ ସୁରକ୍ଷା ମୁଖ୍ୟଯନ୍ତ୍ରୀ। ୧୯୯୯ରେ ଶେଷ ଥର ପାଇଁ ରୋବଟ୍ ମାଧ୍ୟମରେ ନଦୀବନ୍ଧ ଫାଟର ତଦାରଖ କରାଯାଇଥିଲା। ସେତେବେଳେ ଜଳଭଣ୍ଡାର ଭିତରୁ ରୋବଟ୍ ମାଧ୍ୟମର ଭିଡିଓଗ୍ରାଫି କରାଯାଇଥିଲା। ଜାନୁଆରୀ ୨୦୨୦ରେ ଡ୍ୟାମ ସେଫ୍ଟି ରିଭ୍ୟୁ ପ୍ୟାନେଲ ହୀରାକୁଦ ନଦୀବନ୍ଧ ପରିଦର୍ଶନ କରିଥିଲେ। ସେ ସମୟରେ ଡିଏସ୍ଆରପି ବନ୍ଧର ଅପରେସନ୍ ଗ୍ୟାଲେରୀରେ ଫାଟ, ଫାଉଣ୍ଡେସନ୍ ସ୍ଲୁଇସ ବ୍ୟାରେଲ୍ ଏବଂ ଉଭୟ ବାମ ଓ ଦକ୍ଷିଣ ପାର୍ଶ୍ବର ଅଧିକ ଅନୁଧ୍ୟାନ ପାଇଁ ପ୍ରସ୍ତାବ ଦେଇଥିଲେ। ବନ୍ଧରେ ଥିବା ଫାଟ ମ୍ୟାପିଂ କରି ମରାମତି ସମ୍ପର୍କିତ ରେକର୍ଡ ରଖିବାକୁ ପରାମର୍ଶ ଦେଇଛନ୍ତି ନଦୀବନ୍ଧ ସୁରକ୍ଷା ମୁଖ୍ୟ ଯନ୍ତ୍ରୀ ଶିବାଶିଷ ପାଢୀ। ପ୍ରତି ୫ବର୍ଷରେ ଥରେ ସର୍ଭେ ମାଧ୍ୟମରେ ଫାଟ ସମ୍ପର୍କରେ ଯାଞ୍ଚ କରି ତାର ରେକର୍ଡ ରଖିବା ପାଇଁ କୁହାଯାଇଛି। ନଦୀବନ୍ଧର ଡ୍ରୋନ ସର୍ଭେ ସହିତ ଡାଇନଷ୍ଟ୍ରିମରେ ଫାଟ ଅଛି କି ନାହିଁ ତାର ଅନୁଧ୍ୟାନ କରିବାକୁ ପରାମର୍ଶ ଦିଆଯାଇଥିଲା। ସ୍ପିଲ୍ ଓ୍ବେର ପାଣି ତଳେ ଭିଡିଓଗ୍ରାଫି କରିବା ପାଇଁ କୁହାଯାଇଥିଲା। ଗେଟ୍ ଅପରେସନ୍ ଗ୍ୟାଲେରୀ ନିକଟରେ ଯେଉଁ ଫାଟ ସୃଷ୍ଟି ହୋଇଥିଲା ତାର ନିୟମିତ ଯାଞ୍ଚ ସାଙ୍ଗକୁ ନଦୀବନ୍ଧରେ ଜମା ହେଉଥିବା ପଟୁ ନେଇ ସର୍ଭେ କରିବାକୁ ପରାମର୍ଶ ଦିଆଯାଇଛି । ତେବେ ହୀରାକୁଦ ଡ୍ୟାମ ପ୍ରତି ବିପଦ ନାହିଁ। ସୁରକ୍ଷା ଯାଞ୍ଚ ଏକ ନିୟମିତ ପ୍ରକ୍ରିୟା। ଡ୍ୟାମରେ ଛୋଟ ଛୋଟ ଫାଟ ହୁଏ । ତାହାକୁ ମରାମତି ମଧ୍ୟ କରାଯାଏ। ପ୍ରତି ୫ବର୍ଷରେ ଡ୍ୟାମର ସର୍ଭେ ହୁଏ । ଆଗରୁ ମଧ୍ୟ ସର୍ଭେ କରାଯାଇଛି ଏବେ ଆଉଥରେ ଡ୍ରୋନ୍ ମାଧମରେ କରାଯିବା ଉଚିତ ବୋଲି ଜଳସମ୍ପଦ ବିଭାଗର ପୂର୍ବତନ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି।

ଘୋଷଣା ହେଲା ବିଜୁ ପଟ୍ଟନାୟକ କ୍ରୀଡା ସମ୍ମାନ ୨୦୨୧, କ୍ରିକେଟ ତାରକା ଦେବାଶିଷ ମହାନ୍ତିଙ୍କୁ ଜୀବନବ୍ୟାପୀ ଅବଦାନ ପୁରସ୍କାର

ଭୁବନେଶ୍ୱର: ୨୦୨୧ ପାଇଁ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ଘୋଷଣା ହୋଇଛି । କ୍ରିକେଟ ତାରକା ଦେବାଶିଷ ମହାନ୍ତିଙ୍କୁ ଜୀବନବ୍ୟାପୀ ଅବଦାନ ପାଇଁ ପୁରସ୍କାର ଘୋଷଣା ହୋଇଛି । ସେହିପରି କ୍ରୀଡାରେ ଉତ୍ତମ ପ୍ରଦର୍ଶନ ପାଇଁ ଝିଲ୍ଲୀ ଦଳବେହେରା, କୋଚିଂ ପାଇଁ ବିଷ୍ଣୁ ପ୍ରସାଦ ମିଶ୍ର, କ୍ରୀଡା ସାମ୍ବାଦିକତା ପାଇଁ ବେଣୁଧର ଦାସଙ୍କୁ ପୁରସ୍କାର ମିଳିବ । କ୍ରୀଡାକୁ ପ୍ରୋତ୍ସାହନ ପାଇଁ ରାଉରକେଲା ଷ୍ଟିଲ ପ୍ଲାଣ୍ଟକୁ ପୁରସ୍କାର ମିଳିବ । ଆସନ୍ତା ୨୯ ତାରିଖରେ କ୍ରୀଡା ଦିବସ ଉପଲକ୍ଷେ ପୁରସ୍କାର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆସ୍ଥା ଭୋଟରେ ବାଜି ମାରିଲେ ନୀତୀଶ କୁମାର, ୧୬୪ ବିଧାୟକ ଦେଲେ ସମର୍ଥନ

ପାଟଣା: ଫ୍ଲୋର ଟେଷ୍ଟରେ ବାଜି ମାରିଲେ ନୀତୀଶ କୁମାର। ଆଜି ବିହାର ବିଧାନସଭାରେ ମୁଖ୍ୟମନ୍ତ୍ରୀ ଭାବେ ନୀତୀଶ କୁମାର ଆସ୍ଥା ଭୋଟରେ ବିଜୟ ଲାଭ କରିଛନ୍ତି। ନୀତୀଶ କୁମାରଙ୍କ ନେତୃତ୍ଵାଧୀନ ଜେଡିୟୁ-ଆରଜେଡି ମହାମେଣ୍ଟ ସରକାର ବିଧାନସଭାରେ ଆସ୍ଥା ଭୋଟ୍ ଜିତିଛି। ୨୪୩ ସଦସ୍ୟ ବିଶିଷ୍ଟ ବିହାର ବିଧାନସଭାରେ ନୀତୀଶ କୁମାରଙ୍କ ସରକାରକୁ ୧୬୪  ଜଣ ବିଧାୟକ ସମର୍ଥନ କରିଥିବା ବେଳେ ସଂଖ୍ୟାଗରିଷ୍ଠତା ପ୍ରାମାଣ କରିଥିଲେ ନୀତିଶ। ନିକଟରେ ସେ ବିଜେପି ହାତ ଛାଡ଼ି ରାଷ୍ଟ୍ରୀୟ ଜନତା ଦଳ ସହ ସରକାର ଗଠନ କରିଥିଲେ। ଏବଂ ଅଷ୍ଟମ ଥର ପାଇଁ ସେ ବିହାରର ମୁଖ୍ୟମନ୍ତ୍ରୀ ହୋଇଥିଲେ।

ବିଧାନସଭାରେ ଆସ୍ଥା ଭୋଟ୍ ଉପ ସ୍ଥାପନ କରି ନୀତୀଶ କୁମାର କାହିଁକି ବିଜେପି ସହ ସମ୍ପର୍କ ଭାଙ୍ଗିଛନ୍ତି ସେ ସମ୍ପର୍କରେ ସ୍ପଷ୍ଟୀକରଣ ଦେଇଥିଲେ। ନରେନ୍ଦ୍ର ମୋଦୀଙ୍କ ନାମ ନ ନେଇ ସେ କେନ୍ଦ୍ର ସରକାର ଏବଂ ବିଜେପିର କେନ୍ଦ୍ରୀୟ ନେତୃତ୍ୱକୁ ଟାର୍ଗେଟ କରିଥିଲେ। ବିଜେପିର ବର୍ତ୍ତମାନର କେନ୍ଦ୍ରୀୟ ନେତୃତ୍ୱକୁ ସମାଲୋଚନା କରି ଅଟଳ ବିହାରୀ ବାଜପେୟୀ, ଏଲ.କେ ଆଡଭାନୀ ଏବଂ ମୁରଲୀ ମନୋହର ଯୋଶୀଙ୍କ ପ୍ରଶଂସା କରିଥିଲେ ନୀତୀଶ। ତେବେ ନୀତୀଶଙ୍କ ଅଭିଭାଷଣ ବେଳେ ବିଜେପି ବିଧାୟକମାନେ ଏହାକୁ ବିରୋଧ କରି ଅନେକ ହୋ ହାଲ୍ଲା କରିଥିଲେ ଓ ପରେ କକ୍ଷ ତ୍ୟାଗ କରିଥିଲେ।

ଏହାପୂର୍ବରୁ ତେଜସ୍ୱୀ ଯାଦବ ମଧ୍ୟ ତାଙ୍କ ସମ୍ବୋଧନରେ ବିଜେପିକୁ ଟାର୍ଗେଟ କରି କହିଥିଲେ ଯେ ଯେଉଁଠାରେ ବିଜେପି କ୍ଷମତାରେ ନାହିଁ ସେଇଠି ସିବିଆଇ, ଇଡି ଏବଂ ଆଇଟିକୁ ଅସ୍ତ୍ର ଭାବେ ବ୍ୟବହାର କରାଯାଏ।  ଆଜି କନଫିଡେନ୍ସ ମୋସନରେ ହୋଇଥିବା ବିତର୍କରେ ଆରଜେଡି ମୁଖ୍ୟ ତେଜସ୍ୱୀ ଯାଦବ ଭାଗ ନେଇ ନୂଆ ପାର୍ଟନରସିପ ଏକ ଐତିହାସିକ ସାବ୍ୟସ୍ତ ହେବ ବୋଲି କହିଥିଲେ। ଏହି ଇନିଂସ କେବେ ଶେଷ ହେବନି। ଏହା ଐତିହାସିକ ହେବ।  ଆମ ଯୋଡ଼ି ଲମ୍ବା ସମୟ ଧରି କାଏମ ରହିବ ବୋଲି କହିଥିଲେ ତେଜସ୍ୱୀ।

ସ୍ୱାମୀକୁ ହତ୍ୟା କରି ପ୍ରେମିକ ସହ ପଳାଇଲେ ସ୍ତ୍ରୀ !

କେନ୍ଦ୍ରାପଡ଼ା: ଶ୍ମଶାନରେ ଜଳୁଛି ସ୍ୱାମୀଙ୍କ ଜୁଈ । କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ । ବାପାଙ୍କୁ ହରାଇ କାନ୍ଦୁଛନ୍ତି ପୁଅ ଝିଅ । ହେଲେ ପିଲା ଛୁଆଙ୍କ ସହିତ ସମ୍ପର୍କ ଛିନ୍ନ କରି ପ୍ରେମିକ ହାତ ଧରି ପଳାଇଗଲେ ସ୍ତ୍ରୀ । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଭାମଣ୍ଡ ଅଞ୍ଚଳରେ ଘଟିଛି ଏଭଳି ଘଟଣା । ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ୍ ହୋଇଛି ।

ସୂଚନା ଅନୁସାରେ, ଭାମଣ୍ଡ ଗାଁର ରଙ୍ଗାଧର ଦାସ ଜଣେ ପୂଜକ । ସ୍ତ୍ରୀ ଓ ପିଲା ଛୁଆଙ୍କୁ ନେଇ ଚାଲୁଥିଲା ପରିବାର । ହେଲେ ରଙ୍ଗାଧରଙ୍କ ପତ୍ନୀଙ୍କ ସହ ସେହି ଗାଁର ଅସିତ ଶତପଥିଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ରଙ୍ଗାଧରଙ୍କ ଅନୁପସ୍ଥିତିରେ ବାରମ୍ବାର ଘରକୁ ଆସୁଥିଲେ ଅସିତ୍ । ମା’ର ଏଭଳି ଅନୈତିକ ସମ୍ପର୍କକୁ ପୁଅ ଓ ଝିଅ ଜାଣିବା ପରେ ପ୍ରତିବାଦ କରିଥିଲେ । ଯେଉଁଥିପାଇଁ ମା’ ଓ ପ୍ରେମିକ ମିଶି ସେମାନଙ୍କୁ ମାଡ଼ ମାରିବା ସହ ବାପା ରଙ୍ଗାଧରଙ୍କୁ ମାରିଦେବା ପାଇଁ ଧମକ ଦେଇ ଆସୁଥିଲେ । ଗତ ୧୭ ତାରିଖ ଦିନ ରଙ୍ଗାଧର ମନ୍ଦିରକୁ ପୂଜା କରିବାକୁ ଯାଇଥିବା ବେଳେ ପତ୍ନୀ ତାଙ୍କ ସହ ଝଗଡ଼ା କରୁଥିବା ଲୋକେ ଦେଖିବାକୁ ପାଇଥିଲେ । ଏହା ପରେ ରଙ୍ଗାଧରଙ୍କ ଖୋଜଖବର ମିଳିନଥିଲା । ଏନେଇ ରଙ୍ଗାଧରଙ୍କ ଭାଇ ଗଙ୍ଗାଧର ରାଜକନିକା ଥାନାରେ ଅଭିଯୋଗ କରିଥିଲେ । ଆଉ ଏହାର ୫ ଦିନ ପରେ ଗାଁ ନିକଟସ୍ଥ ଜୋର ନିକଟରୁ କ୍ଷତାକ୍ତ ମୃତ ଦେହକୁ ଉଦ୍ଧାର କରିଥିଲା ପୋଲିସ ।

ସବୁଠୁ ବଡ଼କଥା, ଗୋଟିଏ ପଟେ ମଶାଣିରେ ସ୍ୱାମୀର ଚିତା ଲିଭିନଥିବା ବେଳେ ସ୍ତ୍ରୀ ୪ ପିଲାଙ୍କୁ ଛାଡି ପ୍ରେମିକର ହାତଧରି ପଳାଇଥିଲା। ଘଟଣାରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପୋଲିସ ତଦନ୍ତକୁ ଜୋରଦାର କରିବ ବୋଲି କହିଛନ୍ତି ରାଜକନିକା ଆଇଆଇସି।

ମିଟିଂ ବେଳେ ହସିଦେଲେ ବୋଲି ଜେଇଙ୍କୁ କାରଣ ଦର୍ଶାଅ ନୋଟିସ !

ବାଲେଶ୍ୱର: ହସିଦେଲେ ବୋଲି କାରଣ ଦର୍ଶାଅ ନୋଟିସ। ପ୍ରତିବାଦରେ ଧାରଣାରେ ବସିଲେ ଜେଇ। ବାଲିଆପାଳ ବ୍ଲକ୍‌ର କାର୍ଯ୍ୟରତ ଜେଇ ମିହିର ପଣ୍ଡାଙ୍କୁ ଡ଼ିଆରଡ଼ିଏର ପିଡି କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିବାରୁ ଆଜି ବ୍ଲକ୍‌ କାର୍ଯ୍ୟାଳୟ ସମ୍ମୁଖରେ ସେ ଧାରଣାରେ ବସିଛନ୍ତି। କୌଣସି କାରଣ ନଥାଇ କାରଣ ଦର୍ଶାଅ ନୋଟିସ୍‌ କାହିଁକି ଜାରି କରାଗଲା ବୋଲି କହିଛନ୍ତି ଜେଇ ମିହିର।

ସୂଚନା ମୁତାବକ ବନ୍ୟା ପରିସ୍ଥିତିକୁ ନେଇ ବୈଠକ ଚାଲିଥିବାବେଳେ, ଖାଇବା ମିଲ୍‌କୁ ନେଇ ଆଲୋଚନା ହେଉଥିଲା। ଏହି ସମୟରେ ଜେଇ ମିହିର ପଣ୍ଡା ହସି ଦେଇଥିଲେ । ଏହି କାରଣକୁ ନେଇ ତାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ମିଛରେ ସେ ନିଶାସକ୍ତ ହୋଇ ବୈଠକକୁ ଆସିଥିବା ଦର୍ଶାଇ ତାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଥିବା ଅଭିଯୋଗ କରିଛନ୍ତି ମିହିର।

ସେପଟେ ବନ୍ୟା ଭଳି ଜରୁରୀକାଳୀନ ପରିସ୍ଥିତିରେ ଜେଇ ମିହିର ପଣ୍ଡା ସରକାରୀ କାର୍ଯ୍ୟରେ ଅବହେଳା ଓ ଦାୟିତ୍ୱହୀନ ମନ୍ତବ୍ୟ ଦେଇଥିବାରୁ ତାଙ୍କ ବିରୁଦ୍ଧରେ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଥିବା ପ୍ରକଳ୍ପ ନିର୍ଦ୍ଦେଶକ କହିଛନ୍ତି। ଧାରଣାରେ ବସିବାର ଘଣ୍ଟାକ ପରେ ମିହିର ଅଫିସ୍‌ ଛାଡ଼ି ପଳାଇ ଯାଇଥିଲେ ।

ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ଘଟଣା, ଥାନାରେ ହାଜର ହେଲେନି ସୌମ୍ୟଜିତ୍

ଭୁବନେଶ୍ୱର: ରାଜଧାନୀରେ ସଫ୍ଟଓୟାର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀ ଆତ୍ମହତ୍ୟା ଘଟଣା ।  ଆଜି ଥାନାରେ ହାଜର ହୋଇନାହାଁନ୍ତି ଶ୍ୱେତାଙ୍କ ବୟଫ୍ରେଣ୍ଡ ସୌମ୍ୟଜିତ୍ ।ତେବେ ସୌମ୍ୟଙ୍କ ମାନସିକ ସ୍ଥିତି ଠିକ ନାହିଁ । ତେଣୁ ଥାନାରେ ହାଜର ହୋଇନାହାନ୍ତି, ଓକିଲଙ୍କ ଜରିଆରେ ଆଉ କିଛି ସମୟ ମାଗିଥିବା ସୂଚନା ମିଳିଛି। ସୌମ୍ୟଙ୍କ ପରିବାର ପୋଲିସ ସହ ଯୋଗାଯୋଗରେ ଅଛନ୍ତି ବୋଲି ଡିସିପି ପ୍ରତୀକ ସିଂ କହିଛନ୍ତି।

ତେବେ ଘଟଣା ପରଦିନ ସୌମ୍ୟଜିତ୍‌ଙ୍କୁ ଥାନାରେ ପଚରାଉଚରା ହୋଇଥିଲା। ସେତବେଳେ ଶ୍ଵେତାଙ୍କ ପରିବାର ଲୋକଙ୍କୁ ପଚରାଉଚରା କରାଯାଇଥିଲା। ପରେ ତାଙ୍କ ପରିବାର ଅଲଗା ଅଭିଯୋଗ ଆଣିଥିଲେ। ସେହି ଅନୁସାରେ ତଦନ୍ତ କରାଯାଉଛି। କମିଶନରେଟ ପୋଲିସ ଘଟଣା ଉପରେ ନଜର ରଖିଛି। ଯଦି ଶ୍ଵେତାଙ୍କ ପରିବାର ନିକଟରେ କିଛି ପ୍ରମାଣ ଅଛି, ତେବେ ସେମାନେ ଦିଅନ୍ତୁ । ଯିଏ ବି ଦୋଷୀ ପ୍ରମାଣିତ ହେବ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି କହିଛନ୍ତି ।

ସେପଟେ ଆସିଛି ଶ୍ଵେତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ । ଏହା ଏକ ଆତ୍ମହତ୍ୟା ଘଟଣା । ଶ୍ଵାସରୁଦ୍ଧ ହୋଇ ଶ୍ବେତାଙ୍କ ମୃତ୍ୟୁ ହୋଇଛି। ବେକ ବ୍ୟତୀତ ଶରୀରର ଅନ୍ୟ କୌଣସି ସ୍ଥାନରେ କ୍ଷତ ଚିହ୍ନ ନାହିଁ ବୋଲି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ କହିଛନ୍ତି । ବ୍ୟବଛେଦ ରିପୋର୍ଟ ପ୍ରସ୍ତୁତ ହୋଇଛି ଏବଂ ତଦନ୍ତକାରୀ ପୋଲିସକୁ ଦିଆଯିବ । ଫର୍ମାଟ ହୋଇଥିବା ଶ୍ଵେତାଙ୍କ ଫୋନ ରିଟ୍ରାଇଭ ହୋଇଛି । କଲରେକର୍ଡ, ଭିଡିଓ, ଫଟୋ ପୋଲିସ ହାତରେ ଲାଗିଛି।

ଚିକିତ୍ସା ବାହାନାରେ ସ୍ୱାମୀ ବିକିଦେଲା ସ୍ତ୍ରୀ କିଡନୀ

ମାଲକାନଗିରି: ସ୍ୱାମୀ ବିକିଦେଲା ସ୍ତ୍ରୀ କିଡନୀ । ମାଲକାନଗିରି ଟାଉନଥାନା ଅଞ୍ଚଳରୁ ଆସିଛି ଏପରି ସଂଗୀନ ଅଭିଯୋଗ। ଚିକିତ୍ସା ବାହାନାରେ ଡାକ୍ତରଖାନା ନେଇ ସ୍ୱାମୀ କିଡନୀ ବିକ୍ରି କରିଦେଇଥିବା ଅଭିଯୋଗ କରିଛନ୍ତି ପତ୍ନୀ।

ଅଭିଯୋଗ ଅନୁସାରେ ୧୨ବର୍ଷ ତଳେ କୋତାମେଟା ଗାଁର ପ୍ରଶାନ୍ତ କୁଣ୍ଡୁ ରଞ୍ଜିତା କୁଣ୍ଡୁଙ୍କୁ ବିବାହ କରିଥିଲେ। ଉଭୟଙ୍କର ଦୁଇଟି ସନ୍ତାନ ରହିଛନ୍ତି । ତେବେ ଉଭୟଙ୍କ ମଧ୍ୟରେ ପାରିବାରିକ କଳହ ଲାଗିରହିଥିଲା । ୨୦୧୮ ମସିହାରେ ଚିକିତ୍ସା କରିବାକୁ କହି ରଞ୍ଜିତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନା ନେଇଥିଲେ ପ୍ରଶାନ୍ତ। ଡାକ୍ତରଖାନାରୁ ଫେରିବା ପରେ ସେ ବାପଘରେ ରହିଆସୁଥିଲେ। ପରେ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ଡାକ୍ତରଖାନାରେ ଦେଖାଇବା ପରେ ତାଙ୍କର ଏକ କିଡନୀ ନଥିବା ଜଣାପଡ଼ିଥିଲା । ଯୋଜନା ମୁତାବକ MV 38 ଗାଁର ଜଣେ ବ୍ୟକ୍ତିଙ୍କୁ ସ୍ୱାମୀ ପ୍ରଶାନ୍ତ କିଡନୀ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି। ଏନେଇ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ବିଲରେ କାମ କରୁଥିବା ବେଳେ ବଜ୍ରପାତରେ ୨ ମହିଳାଙ୍କର ମୃତ୍ୟୁ

ମାଲକାନଗିରି: ବିଲରେ କାମ କରୁଥିବା ବେଳେ ବଜ୍ରପାତରେ ୨ ମହିଳାଙ୍କର ମୃତ୍ୟୁ । ମାଲକାନଗିରି ଥାନା ପାଣ୍ଡ୍ରିପାଣି ଗାଁରେ ଘଟିଛି ଏହି ଅଘଟଣ । ସୂଚନା ମୁତାବକ ବଜ୍ରପାତରେ ୨ ଜଣ ମହିଳା ଚାଷୀଙ୍କର ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ବାଉଁଶଗୁଡା ଗାଁର ଦଇମତି ଖିଲ ଓ ରାଉଳିଗୁଡ଼ା ଗାଁର ଦୀପା ପାଞ୍ଜି । ତେବେ ଅନ୍ୟ ୩ଜଣଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟଜଣେ ପ୍ରାଥମିକ ଚିକିତ୍ସା ପରେ ସୁସ୍ଥ ଅଛନ୍ତି ।

୨ ବର୍ଷ ପରେ ଜମିବ ଗଣେଶ ପୂଜା, ଶତାଧିକ ଲୋକଙ୍କୁ ନେଇ ଭୁବନେଶ୍ବରରେ ହେବ ପୂଜାର୍ଚ୍ଚନା

ଭୁବନେଶ୍ୱର: ଏଥର ରାଜଧାନୀରେ ଜମିବ ଗଣେଶ ପୂଜା । ଶତାଧିକ ଲୋକଙ୍କୁ ନେଇ ରାଜଧାନୀରେ ହେଇପାରିବ ଗଣେଶ ପୂଜା । ପରଦା ଆଢ଼ୁଆଳରେ ନୁହେଁ ଭକ୍ତ କରିବେ ସିଧାସଳଖ ଦର୍ଶନ । ତେବେ କୋଭିଡ୍ କଟକଣା ଉଠିଛି କିନ୍ତୁ ମୁହଁରେ ମାସ୍କ ଓ ସାନିଟାଇଜର ବ୍ୟବହାର କରିବାକୁ ଅନୁରୋଧ କଲେ BMC କମିଶନର । ମୂର୍ତ୍ତୀ ବିସର୍ଜନ ପାଇଁ ରାଜଧାନୀର କୁଆଖାଇ ଓ ଦୟାନଦୀ କୂଳରେ ହୋଇଛି ୨ଟି ଅସ୍ଥାୟୀ ପୋଖରୀ । ସେଥିରେ ଭୁବନେଶ୍ୱରର ସମସ୍ତ ମୂର୍ତ୍ତି ବିସର୍ଜନ କରିବାକୁ କମିଶନର ଅପିଲ କରିଛନ୍ତି । ଚଳିତ ବର୍ଷ ରାଜଧାନୀରେ ୫୦ରୁ ଅଧିକ ମଣ୍ଡପରେ ପୂଜା ପାଇବେ ଗଣେଶ । ପୂଜାରେ ବ୍ୟବହାର ହେଉଥିବା ସମସ୍ତ ସାମଗ୍ରୀକୁ ଅସ୍ଥାୟୀ ପୋଖରୀରେ ପକାଇବାକୁ ଅନୁରୋଧ କରିଛନ୍ତି କମିଶନର ବିଜୟ ଅମୃତା କୁଲାଙ୍ଗେ ।