spot_img
Home Blog Page 4105

ରଣଜୀ ଟ୍ରଫି: ଫାଇନାଲରେ ମୁମ୍ବାଇକୁ ହରାଇ ପ୍ରଥମଥର ମଧ୍ୟପ୍ରଦେଶ ଚମ୍ପିୟାନ

ନୂଆଦିଲ୍ଲୀ: ୪୧ ଥର ରଣଜୀ ଟ୍ରଫି ଜିତିଥିବା ମୁମ୍ବାଇ ଚଳିତଥର ଫାଇନାଲରେ ପରାଜିତ ହୋଇଛି  । ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ମଧ୍ୟପ୍ରଦେଶ ମୁମ୍ବାଇକୁ ୬ୱିକେଟରେ ପରାଜିତ କରିଛି  । ରଣଜୀ ଟ୍ରଫି ଫାଇନାଲ ମ୍ୟାଚର ଅନ୍ତିମ ଦିନରେ କେହି ଭାବି ନଥିଲେ ଯେ ମଧ୍ୟପ୍ରଦେଶ ମୁମ୍ବାଇ ବିରୋଧରେ ସିଧାସଳଖ ବିଜୟ ହାସଲ କରିବ  । ଚତୁର୍ଥ ଦିନ ଶେଷ ହେଲା ବେଳକୁ ଯେତବେଳେ ମୁମ୍ବାଇ ଦ୍ବିତୀୟ ଇନିଂସରେ ୨ ୱିକେଟରେ ୧୧୩ ରନ୍ କରିଥିଲା, ସମସ୍ତେ ଭାବୁଥିଲେ ଯେ ଶେଷ ଦିନରେ ମୁମ୍ବାଇ ବଡ ସ୍କୋର ଛିଡା କରିବ  । କିନ୍ତୁ ମୁମ୍ବାଇ ୨୬୯ ରନରେ ହିଁ ସୀମିତ ରହିଥିଲା  ।

ମଧ୍ୟପ୍ରଦେଶ ଆଗରେ ୧୦୮ ରନର ଟାର୍ଗେଟ ରହିଥିଲା  । ଯାହାକୁ ମଧ୍ୟପ୍ରଦେଶ ୪ ୱିକେଟ ବିନିମୟରେ ଟାର୍ଗେଟ ହାସଲ ସହ ଚମ୍ପିୟାନ ହୋଇଛି  । ମଧ୍ୟପ୍ରଦେଶର ଆଜିର ବିଜୟରେ ୟଶ ଦୁବେ, ରଜତ ପଟିଦାର ଏବଂ ଶୁଭମ ଶର୍ମା ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥିଲେ  । ଏମାନେ ପ୍ରଥମ ଇନିଂସରେ ଶତକ ମାରିଥିଲେ  । ୮୮ ବର୍ଷ ପରେ ରଣଜୀ ଟାଇଟଲ ମଧ୍ୟପ୍ରଦେଶ ଜିତିବାରେ ପରେ ଟିମରେ ଖୁସିର ଲହରି ଖେଳିଯାଇଛି । ପୂର୍ବରୁ ମଧ୍ୟପ୍ରଦେଶ ଟ୍ରଫି ଜିତିଛି ସତ ହେଲେ ସେତବେଳେ ହୋଲ୍କର ନାଁରେ ମ୍ୟାଚ ଖେଳୁଥିଲା  । ତେବେ ଏହା ଔପଚାରିକ ଭାବେ ମଧ୍ୟପ୍ରଦେଶର ଏହା ପ୍ରଥମ ବିଜୟ  । ସେହିପରି ମୁମ୍ବାଇ ଦଳ ୨୦୧୫-୧୬ ପରଠୁ ଲଗାତାର ରଣଜୀ ଟ୍ରଫି ଫାଇନାଲ ଜିତିବାରେ ବିଫଳ ରହିଛି  ।

ମୁମ୍ବାଇ ଚଳିତ ବର୍ଷ ପରାଜିତ ହୋଇଛି ସତ ହେଲେ ପୂର୍ବରୁ ୪୧ଥର ଟ୍ରଫି ଜିତିବାର ରେକର୍ଡ ତା ନାଁରେ ଅଛି  । ଯାହାକୁ ଅନ୍ୟ ଟିମ୍ ମାନଙ୍କ ପକ୍ଷରେ ଭାଙ୍ଗିବା ଏକପ୍ରକାର ଅସମ୍ଭବ  । ମୋଟ ମିଶାଇ ୮ଟି ଟିମ୍ ରଣଜୀ ଟ୍ରଫି ଗୋଟେ ଥର ଲେଖାଏଁ ଜିତିଛନ୍ତି  । ଯେତବେଳେ କି ୧୨ଟି ଟିମ୍ ଏକରୁ ଅଧିକ ଥର ଟ୍ରଫି ଜିତିଛନ୍ତି  । ଭାରତର ଘରୋଇ ରଣଜୀ ଇତିହାସରେ ସବୁ ରାଜ୍ୟ ପ୍ରାୟ ରଣଜୀ ଟ୍ରଫି ଜିତି ସାରିଛନ୍ତି କେବଳ ଦୁଇଟି ରାଜ୍ୟକୁ ଛାଡି  । ବିହାର ରାଜ୍ୟ ଯିଏକି ଏପର୍ଯ୍ୟନ୍ତ ସୁଦ୍ଧା ଟ୍ରଫି ଜିତିବାରେ ସଫଳ ହୋଇପାରି ନାହିଁ  । ଏହା ବ୍ୟତିତ ଝାଡ଼ଖଣ୍ଡ ଟିମ୍ ମଧ୍ୟ ଟ୍ରଫି ଜିତି ପାରିନାହିଁ  ।

ଶିବସେନାର ୧୫ ବିଦ୍ରୋହୀ ବିଧାୟକଙ୍କୁ ଓ୍ବାଇ ପ୍ଲସ୍ ସୁରକ୍ଷା

ମୁମ୍ବାଇ: ମହାରାଷ୍ଟ୍ରରେ ବର୍ତ୍ତମାନ ଚାଲିଥିବା ରାଜନୌତିକ ଲଢେଇ ମଧ୍ୟରେ କେନ୍ଦ୍ର ସରକାରଙ୍କ ଏକ ବଡ଼ ନିଷ୍ପତ୍ତି ଘୋଷଣା କରିଛନ୍ତି। ଉଦ୍ଧବ ଠାକରେଙ୍କ ନେତୃତ୍ବରେ ଅଘାଡି ସରକାରଙ୍କ ବିରୋଧରେ ବିଦ୍ରୋହ କରୁଥିବା ଶିବସେନାର ୧୫ଜଣ ବିଦ୍ରୋହୀ ବିଧାୟକଙ୍କୁ ଓ୍ବାଇ ପ୍ଲସ୍  ସୁରକ୍ଷା ପ୍ରଦାନ କରାଯାଇଛି । ଏବେ ଏହି ବିଧାୟକ ମାନଙ୍କ ଘର ଆଗରେ CRPF ଯବାନଙ୍କୁ ନିୟୋଜିତ କରାଯାଇଛି । ସୂଚନା ଅନୁସାରେ ବିଦ୍ରୋହର ନେତୃତ୍ବ ନେଇଥିବା ଏକନାଥ ସିନ୍ଧେଙ୍କୁ ସମର୍ଥନ କରୁଥିବା ବିଧାୟକ ମାନଙ୍କ ଘର ଏବଂ ଅଫିସ୍ ଆଦିରେ ବିଭିନ୍ନ ସ୍ଥାନ ମାନଙ୍କରେ ଆକ୍ରମଣ ଓ ଭଙ୍ଗାରୁଜା ହେଉଥିବାରୁ ସେମାନଙ୍କୁ ସୁରକ୍ଷା ପ୍ରଦାନ କରାଯାଇଛି ।

ଉଦ୍ଧବ ଠାକରେଙ୍କ ସମର୍ଥକ ମାନେ ଶନିବାର ଅନେକ ବିଦ୍ରୋହୀ ବିଧାୟକଙ୍କ ଘରେ ଓ ଅଫିସରେ ଭଙ୍ଗାରୁଜା କରିଥିଲେ । ଏହା ପରେ ଗୌହାଟୀରେ ଥିବା ଶିବସେନା କର୍ମୀ ମାନେ ବିଦ୍ରୋହୀ ବିଧାୟକଙ୍କ ସୁରକ୍ଷା ପାଇଁ ଦାବି କରିଥିଲେ ।ସେପଟେ କେନ୍ଦ୍ର ସରକାରଙ୍କ ଦ୍ବାରା ଦିଆଯାଇଥିବା ଓ୍ବାଇ ପ୍ଲସ୍ ସୁରକ୍ଷା ଭିତରେ ସିନ୍ଧେଙ୍କ ନାଁ ନାହିଁ । କିଛି ବିଧାୟକଙ୍କ ଘର ଆଗରେ CRPF ଯବାନ ନିୟୋଜିତ ଥିବା ବେଳେ ଆଉକିଛି ବିଧାୟକଙ୍କ ଘର ଆଗରେ କମାଣ୍ଡୋଙ୍କ ସହ ସୁରକ୍ଷାକର୍ମୀ ନିୟୋଜିତ ରହିଛନ୍ତି । ଅନ୍ୟପଟେ ବିଦ୍ରୋହୀଙ୍କୁ ସୁରକ୍ଷା ଦିଆଯିବା ପ୍ରସଙ୍ଗକୁ ନେଇ କେନ୍ଦ୍ରସରକାରଙ୍କ ଉପରେ ବର୍ଷିଛନ୍ତି ଶିବସେନା ନେତା ଆଦିତ୍ୟ ଠାକରେ ।

ସିନ୍ଦେ ଶିବିରରେ ଆଉଜଣେ ମନ୍ତ୍ରୀଙ୍କ ଏଣ୍ଟ୍ରି

ମୁମ୍ବାଇ: ମହାରାଷ୍ଟ୍ରରେ ରାଜନୀତିରେ ଚାଲିଥିବା ସଙ୍କଟ ଥମିବାର ନାଁ ନେଉନାହିଁ  । ଶିବସେନା ଦଳର ଦୁଇ ଗୋଷ୍ଠୀ ଶକ୍ତି ପ୍ରଦର୍ଶନ କରିବା ପଛରେ ଲାଗିଛନ୍ତି  । ଗୋଟିଏ ପଟେ ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେ ସରକାରରୁ ଅଲଗା ହୋଇ ଦଳକୁ ନିଜ କବଜାକୁ ନେବା ପାଇଁ ଲାଗିଥିବା ବେଳେ ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ତଥା ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ ଦଳକୁ ନିଜ ଅକ୍ତିଆରରେ ରଖିବା ଏବଂ ସରକାର ବଞ୍ଚାଇବା ପାଇଁ ଲାଗିଛନ୍ତି  । ଦଳର କିଛି ସଦସ୍ୟ ଏକନାଥଙ୍କୁ ନିଜ ନେତା ମାନୁଥିବା ବେଳେ ଅନ୍ୟ କିଛି ଉଦ୍ଧବଙ୍କୁ ନିଜ ନେତା ମାନୁଛନ୍ତି  ।

କ୍ରମାଗତ ଭାବେ ବିଦ୍ରୋହୀ ଏକନାଥ ସିନ୍ଦେଙ୍କ ଶକ୍ତି ବୃଦ୍ଧି ପାଇବାରେ ଲାଗିଛି  । ମୋଟ ୫୫ ବିଧାୟକଙ୍କ ମଧ୍ୟରୁ ତାଙ୍କ ସମର୍ଥନରେ ୪୦ରୁ ଉର୍ଦ୍ଧ୍ବ ବିଧାୟକ ରହିଛନ୍ତି  । ଉଦ୍ଧବ ସରକାରର ଆଉ ଜଣେ ମନ୍ତ୍ରୀ ଉଦୟ ସାମନ୍ତ ଏକନାଥ ସିନ୍ଦେଙ୍କ ଶିବିରରେ ସାମିଲ ହେବା ପାଇଁ ଗ୍ୱୌହ୍ୱାଟି ଅଭିମୁଖେ ଗସ୍ତ କରିଛନ୍ତି  । ପୂର୍ବରୁ ମହାରାଷ୍ଟ୍ର ସରକାରର ୭ ମନ୍ତ୍ରୀ ଉଦ୍ଧବଙ୍କୁ ଛାଡି ବିଦ୍ରୋହ କରିଥିଲେ  । ତେବେ ସିନ୍ଦେଙ୍କ ବିଦ୍ରୋହ ପଛରେ ବିଜେପି ଥିବା କଥା ଅନୁମାନ କରାଯାଉଥିଲା  । ଆଜି ତାହା ପ୍ରମାଣିତ ହୋଇଯାଇଛି । କାରଣ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୫ ବିଦ୍ରୋହୀ ବିଧାୟକଙ୍କୁ ସିଆରପିଏଫର ୱାଇ ପ୍ଲସ ସୁରକ୍ଷା ଦିଆଯାଇଛି  ।

ଶିବସେନା ମଧ୍ୟ ବିଦ୍ରୋହୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଦେଇଛି  । ବିଧାନସଭା ଡେପୁଟି ସ୍ପିକର ୧୬ ବିଦ୍ରୋହୀ ବିଧାୟକଙ୍କୁ  ଲିଖିତ ଜବାବ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ସଦସ୍ୟତା ରଦ୍ଦ କରିବାକୁ ମଧ୍ୟ ଚେତାବନୀ ଦେଇଥିଲେ  । ଆସନ୍ତାକାଲି ଜବାବ ଦେବାର ଶେଷ ତାରିଖ  । ବର୍ତ୍ତମାନ ସୁଦ୍ଧା ବିଦ୍ରୋହୀ ବିଧାୟକଙ୍କ ପକ୍ଷରୁ କୌଣସି ଜବାବ ମିଳିନାହିଁ  ।

ଗଙ୍ଗା ନଦୀରେ ଭାସୁଛି ୭ କିଲୋ ଓଜନର ପଥର

କୋଲକାତା: ପୌରାଣିକ କଥାରେ ରାମାୟଣରେ ଆମେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଦ୍ବାରା ନିର୍ମିତ ରାମସେତୁ ବିଷୟରେ ସମସ୍ତେ ଅଳ୍ପ ବହୁତେ ଜାଣିଥିବା । ସେ ଯୁଗରେ ଶ୍ରୀରାମ ଲେଖାଥିବା ପଥର ପାଣିରେ ଭାସୁଥିଲା ଏବଂ ଯାହା ଦ୍ବାରା ଲଙ୍କାପୁର ଯାଏଁ ସେତୁ ମଧ୍ୟ ନିର୍ମାଣ କରାଯାଇଥିଲା । ସେହିପରି ଏବେ ପଶ୍ଚିମବଙ୍ଗରେ ଦୁଇଟି ଭାସମାନ ପଥର ଗଙ୍ଗାନଦୀ କୂଳରେ ଭାସୁଥିବାର ଦେଖିବାକୁ ମିଳିଛି  ।

ଆଜ୍ଞା ହଁ  ଏହା ବିଶ୍ବାସ ନହେଉଥିଲେ ମଧ୍ୟ ସତ ।  ପଶ୍ଚିମବଙ୍ଗର ହୁଗଲୀ ଜିଲ୍ଲାରେ ଶ୍ରୀରାମପୁରର ଗଙ୍ଗା ଘାଟରେ ଦେଖିବାକୁ ମିଳିଛି ଏପରି ୨ଟି ଅଦ୍ଭୁତ ଭାସମାନ ପଥର । ପ୍ରତ୍ୟେକ୍ଷଦର୍ଶୀଙ୍କ ମତରେ ସେହି ପଥରରେ ଶ୍ରୀରାମ ଲେଖାଥିବା ସେମାନେ ଦେଖିଛନ୍ତି । ଯେତେବେଳେ ଏହି ପଥରକୁ ହାତରେ ଉଠାଇ ଦେଖିଲେ, ତାହା ୬ରୁ ୭ କିଲୋ ଓଜନ ବିଶିଷ୍ଟ ହୋଇଥିବା ଅନୁମାନ କରିଥିଲେ ।  ପଥରଟି ଚିକ୍କଣ କଳା ରଙ୍ଗର ଥିଲା । ଏହାକୁ ଦେଖିବାକୁ ଗଙ୍ଗା ଘାଟରେ ପ୍ରବଳ ମାତ୍ରାରେ ସ୍ଥାନୀୟ ଲୋକଙ୍କର ଭିଡ଼ ଲାଗିଗଲା । ଏହା ପରେ ଏହି ପଥରକୁ ଗଙ୍ଗାରେ ଭସାଇ ଦେଇଥିଲେ ।

ସ୍ଥାନୀୟ ଲୋକଙ୍କ ମତରେ ରାମାୟଣ କାଳରେ ଶ୍ରୀରାମଙ୍କ ଦ୍ବାରା ପଥରରେ ତିଆରି ସେତୁ ବିଷୟରେ ଶୁଣିଥିଲେ, କିନ୍ତୁ ସେମାନେ ବାସ୍ତବରେ ଏପରି ପଥର ଦେଖିବାକୁ ପାଇଲେ ଏହା ପାଣି ଉପରେ ଭାସୁଥିଲା  । ଏହି ବିଷୟରେ ବୈଜ୍ଞାନିକତଥ୍ୟ  ଦେବାକୁ ଯାଇ ପଶ୍ଚିମବଙ୍ଗର ଜଣେ ବୈଜ୍ଞାନିକ  କହିଛନ୍ତି ଯେ, ଯଦି ପଥରର ଘନତ୍ବ ପାଣିର ଘନତ୍ବ ଠାରୁ ଅଧିକ ଥାଏ , ତେବେ ପଥର ପାଣିରେ ଭାସିଥାଏ । ଏହାଛଡ଼ା ଯଦି କିଛି ପୂଜା ପାଠ ସମୟରେ ଥର୍ମୋକଲରେ ସିମେଣ୍ଟର ଆବରଣ ପ୍ରୟୋଗ କରି ଏପରି ଏକ ବସ୍ତୁ ନଦୀରେ ଭସାଇ ଦିଆଯାଇଥିବ ତେବେ ସେହି ବସ୍ତୁର ଭିତର ଅଂଶ ହାଲୁକା ଥିବା ହେତୁ ଏହା ପାଣିରେ ଭାସିବ ।

 

ଆସିଲା ଉପନିର୍ବାଚନ ଫଳାଫଳ, ୟୁପିରେ ବିଜେପିକୁ ସଫଳତା

ନୂଆଦିଲ୍ଲୀ:  ଦୁଇ ରାଜ୍ୟ ଉତ୍ତରପ୍ରଦେଶ ଏବଂ ପଞ୍ଜାବର ମୋଟ ତିନି ଲୋକସଭା ଆସନ ପାଇଁ ହୋଇଥିବା ନିର୍ବାଚନର ଫଳାଫଳ ଆସିଯାଇଛି  । ସେହିପରି ଚାରି ଅନ୍ୟ ରାଜ୍ୟର ୭ ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନର ଫଳାଫଳ ମଧ୍ୟ ଆସିଯାଇଛି  । ଏହି ସମସ୍ତ ୧୦ ଆସନ ପାଇଁ ଗତ ଜୁନ୍ ୨୩ ତାରିଖରେ ନିର୍ବାଚନ ହୋଇଥିଲା । ଉତ୍ତରପ୍ରଦେଶର ରାମପୁର ଲୋକସଭା ଆସନ ସମାଜବାଦୀ ପାର୍ଟି ଠାରୁ ବିଜେପି ଛଡାଇନେଇଛି  । ବିଜେପି ପ୍ରାର୍ଥୀ ଘନଶ୍ୟାମ ଲୋଧି ପ୍ରାୟ ୪୦ ହଜାର ଭୋଟ ବ୍ୟବଧାନରେ ଏହି ଆସନରେ ବିଜୟ ଲାଭ କରିଛନ୍ତି  ।

ସମାଜବାଦୀ ପାର୍ଟିର ଗଡ ଭାବେ ପରିଚିତ ଆଜମଗଡ଼ରେ ଦଳକୁ ପରାଜୟ ମିଳିଛି  । ଆଜମଗଡ଼ ଆସନରେ ବିଜେପି ପ୍ରାର୍ଥୀ ଦିନେଶ ଲାଲ ଯାଦବ ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ଭାଇ ଧର୍ମେନ୍ଦ୍ରଙ୍କୁ ପଛରେ ପକାଇ ବିଜୟୀ ହୋଇଛନ୍ତି  । ଅନ୍ୟପକ୍ଷରେ ପଞ୍ଜାବର ସଙ୍ଗରୁର ଲୋକସଭା ଆସନରେ ଶିରୋମଣୀ ଅକାଳି ଦଳର ପ୍ରାର୍ଥୀ ସିମରଣଜୀତ ସିଂ ମାନ ବିଜୟ ଲାଭ କରିଛନ୍ତି  । ୭୭ ବର୍ଷୀୟ ମାନ ଆମ ଆଦମୀ ପାର୍ଟି (ଏଏପି) ଠାରୁ ଏହି ଆସନ ଛଡାଇ ନେଇଛନ୍ତି  । ଏଏପି ପ୍ରାର୍ଥୀ ଗୁରମେଲ ସିଂହଙ୍କୁ ହରାଇଛନ୍ତି  । ୨୦୧୯ ରେ ଏହି ଆସନରୁ ଭଗବନ୍ତ ମାନ ନିର୍ବାଚିତ ହୋଇଥିଲେ  । ସେ ମୁଖ୍ୟମନ୍ତ୍ରୀ ହେବା ପରେ ଏହି ଆସନ ଖାଲି ପଡିଥିଲା  ।

ଦିଲ୍ଲୀ ରାଜିନ୍ଦର ନଗର ବିଧାନସଭା ଆସନରୁ ଆମ ଆଦମି ପାର୍ଟି (ଏଏପି) ପ୍ରାର୍ଥୀ ଦୁର୍ଗେଶ ପାଠକ ୧୧,୫୫୫ ଭୋଟ ବ୍ୟବଧାନରେ ନିର୍ବାଚନ ଜିତିଛନ୍ତି  । ଅନ୍ୟପକ୍ଷରେ ତ୍ରିପୁରା ଟାଉନ ବାରଦୋୱାଲି ଆସନରୁ ବିଜୟୀ ହୋଇ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିଛନ୍ତି ମାଣିକ ଶାହ । ଯଦି ପରାଜିତ ହୋଇଥାନ୍ତେ ତେବେ ମୁଖ୍ୟମନ୍ତ୍ରୀ ପଦ ମଧ୍ୟ ଚାଲିଯାଇଥାନ୍ତା  । ତ୍ରିପୁରାର ଅଗରତାଲାରୁ କଂଗ୍ରେସର ସୁଦୀପ ରାୟ ବର୍ମନ ଏହି ଉପନିର୍ବାଚନରେ ବିଜୟୀ ହୋଇଛନ୍ତି  । ତ୍ରିପୁରାର ସୁର୍ନା ବିଧାନସଭା ଆସନରେ ବିଜେପିର ସ୍ୱପ୍ନା ଦାସ ପଲ ଆଗୁଆ ଅଛନ୍ତି । ସେହିପରି ଆନ୍ଧ୍ରପ୍ରଦେଶର ଆତ୍ମାକୁର ବିଧାନସଭା ଆସନରୁ କ୍ଷମତାସୀନ ୱାଇଏସଆର କଂଗ୍ରେସର ଏମ ବିକ୍ରମ ରେଡ୍ଡୀ ବିଜୟ ଲାଭ କରିଛନ୍ତି  । ଝାଡଖଣ୍ଡର ମନ୍ଦାର ବିଧାନସଭା ଆସନରେ କଂଗ୍ରେସର ଶିଳ୍ପୀ ନେହା ତିର୍କୀ ଆଗୁଆ ଅଛନ୍ତି  ।

ରାଇମୋହନଙ୍କ ଆତ୍ମହତ୍ୟା ମାମଲା: ୟୁଡି କେସ୍ ରୁଜୁ କରି ତଦନ୍ତ କରୁଛି ପୋଲିସ୍

ଭୁବନେଶ୍ୱର: ବରିଷ୍ଠ ଅଭିନେତା ରାଇମୋହନ ପରିଡ଼ାଙ୍କ ଆତ୍ମହତ୍ୟା ମାମଲା । ୟୁଡ଼ି କେସ ରୁଜୁ କରି ତଦନ୍ତ କରୁଛି ପୋଲିସ । ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ସ୍ପଷ୍ଟ ହୋଇଛି । ଏହି ମାମଲାରେ ପରିବାର ଲୋକଙ୍କୁ ମଧ୍ୟ ପଚରାଉଚରା କରାଯାଇଛି । ସିଡିଆର ଯାଞ୍ଚ ଚାଲିଛି, କାହା ସହ କଥା ହୋଇଛନ୍ତି ତାହା ଜଣାପଡ଼ିବ । ତେବେ ଆତ୍ମହତ୍ୟା ପୂର୍ବରୁ ପତ୍ନୀ ଓ ଦୁଇ ଝିଅକୁ ବାଏ ମେସେଜ ଲେଖିଥିଲେ ରାଇମୋହନ । ରାଇମୋହନ ଆତ୍ମହତ୍ୟା ମାମଲାରେ ପଡ଼ୋଶୀଙ୍କୁ ମଧ୍ୟ ପଚରାଉଚରା କରିବ ପୋଲିସ ।

ସେହିପରି ହତ୍ୟା ଆଙ୍ଗଲକୁ ନେଇ ମଧ୍ୟ ତଦନ୍ତ ଚାଲିଛି ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଜୋନ-୫ ଏସିପି ଦାୟିତ୍ବରେ ଥିବା ହିମାଂଶୁ ସ୍ବାଇଁ । ମୃତ୍ୟୁ ପୂର୍ବରୁ ପାରିବାରିକ ଝଗଡା ଥିଲା । ଘଟଣା ଦିନ ଘରେ ଏକୁଟିଆ ଥିଲେ ରାଇମୋହନ । ସକାଳ ସାଢ଼େ ୧୦ଟାରେ ଡ୍ରାଇଭର ଅଶୋକର ବାହାଘର ପାଇଁ ପତ୍ନୀ ଓ ବଡ଼ ଝିଅ କଟକ ଯାଇଥିଲେ । ୧୧ଟା ୫୭ରେ ପତ୍ନୀଙ୍କୁ ଶେଷ କଲ୍ କରିଥିଲେ ରାଇମୋହନ । ୧୨ଟା ପରେ ହିଁ ଆତ୍ମହତ୍ୟା କରିଥିଲେ ରାଇମୋହନ । ଦିନ ୧୨ଟା ୩୦ରେ ପ୍ରଥମେ ପୁତୁରା ଆସିଥିଲେ । ୧୨ଟା ୪୫ରେ ପତ୍ନୀ ଓ ବଡ଼ ଝିଅ ପହଞ୍ଚି ଥିଲେ । ମେ ୩୦ରେ ପରିବାର ମଧ୍ୟରେ ଝଗଡ଼ା ହୋଇଥିଲା । ସପ୍ତାହ ତଳେ କୌଣସି କଥାକୁ ନେଇ ପରିବାର ଲୋକଙ୍କ ସହ ରାଇମୋହନ ଥାନାକୁ ଆସିଥିଲେ ବୋଲି ପୋଲିସ କହିଛି ।

ଆସାମରେ ପ୍ରଳୟଙ୍କାରୀ ବନ୍ୟା , ମୃତ୍ୟୁସଂଖ୍ୟା ୧୨୧ ପାର୍‌

ଦିସପୁର: ଆସାମରେ ପ୍ରଳୟଙ୍କାରୀ ବନ୍ୟା । ବନ୍ୟା, ଭୂସ୍ଖଳନ ଯୋଗୁ ସ୍ଥିତି ସଙ୍ଗୀନ ହୋଇଛି । ଚାରିଆଡ଼େ ପାଣି ଆଉ ପାଣି । ବନ୍ୟାପାଣି ଘେରରେ ରହିଛନ୍ତି ୩୩ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ । ଚଳିତବର୍ଷ ବନ୍ୟା ଓ ଭୂସ୍ଖଳନରେ ମୃତକଙ୍କ  ସଂଖ୍ୟା ୧୨୧ ଛୁଇଁଛି । ଗତକାଲି ଅପେକ୍ଷା ସ୍ଥିତିରେ ସାମାନ୍ୟ ସୁଧାର ଆସିଥିଲେ ବି ଦୁର୍ଦ୍ଦଶା ଭୋଗୁଛନ୍ତି ଲକ୍ଷ ଲକ୍ଷ ଲୋକ । ବନ୍ୟା ଯୋଗୁ ୨୮ ଜିଲ୍ଲାର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଛି । ସବୁଠାରୁ ଅଧିକ ଧ୍ୱସ୍ତବିଧ୍ୱସ୍ତ ହୋଇଛି ସିଲଚର । ସହରର ପ୍ରାୟ ୮୦ ଭାଗ ଅଞ୍ଚଳ ଜଳମଗ୍ନ ହୋଇଛି । ରାଜ୍ୟରେ ବ୍ୟାପକ ପାନୀୟ ଜଳ, ଖାଦ୍ୟ ଓ ମେଡିସିନର ଅଭାବ ଦେଖାଦେଇଛି । ହେଲିକପ୍ଟର ଯୋଗେ ବିଚ୍ଛିନ୍ନାଞ୍ଚଳକୁ ରିଲିଫ ଯୋଗାଣ ଜାରି ରହିଛି । ବନ୍ୟା ପୀଡ଼ିତଙ୍କୁ ଉଦ୍ଧାର ଓ ରିଲିଫ ଯୋଗାଣ ପାଇଁ  ଏନଡିଆରଏଫ, ଏସଫିଆରଫ ମୁତୟନ କରାଯାଇଛି । କେତେକ ସ୍ଥାନରେ ଭାରତୀୟ ବାୟୁସେନା ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛି ।

SBI ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଖୁସି ଖବର, ଗୋଟିଏ କଲରେ ପାଇ ପାରିବେ ସମସ୍ୟାର ସମାଧାନ

ନୂଆଦିଲ୍ଲୀ: ଆପଣଙ୍କର SBIରେ ଆକାଉଣ୍ଟ ଅଛି କି? ତାହେଲେ ଏବେ ଗୋଟିଏ ନମ୍ବର ମନେ ରଖିଲେ ହେବ ସବୁ ସମସ୍ୟାର ସମାଧାନ । ଯଦି ଆପଣଙ୍କର ଦେଶର ସବୁଠୁ ବଡ଼ ବ୍ୟାଙ୍କ SBIରେ ଖାତା ଅଛି ତାହାଲେ, ଆପଣଙ୍କ ପାଇଁ ଏହା ଏକ ଖୁସି ଖବର । ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ସମସ୍ତ ଗ୍ରାହକ ମାନଙ୍କୁ ଫୋନରେ ସମସ୍ତ ବ୍ୟାଙ୍କିଙ୍ଗ୍ ସେବା ଯୋଗାଇ ଦେବା ପାଇଁ ଦୁଇଟି ଟୋଲ ଫ୍ରି ନମ୍ବର ଜାରି କରିଛି । ଯେଉଁଥିରେ ଆପଣ ବ୍ୟାଙ୍କ ସହ ଜଡ଼ିତ ସମସ୍ତ ପ୍ରକାର ସମସ୍ୟାର ସମାଧାନ ପାଇ ପାରିବେ ।

ଆପଣ ଜାଣନ୍ତି କି, ଭାରତରେ  ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ SBIର ଅଂଶ ୨୩ ପ୍ରତିଶତରୁ ଅଧିକ ଅଟେ । ପୂରା ଦେଶରେ ଏହାର ୨୨ହଜାରରୁ ଅଧିକ ଶାଖା ରହିଛି ଏବଂ ପାଖାପାଖି ୬୨ ହଜାରରୁ ଅଧିକ ଏଟିଏମ ମେସିନର ନେଟଓ୍ବାର୍କ ମଧ୍ୟ ରହିଛି । ଏବେ SBI ତାର ଗ୍ରାହକ ମାନଙ୍କୁ  ୨୪/୭ ବ୍ୟାଙ୍କିଙ୍ଗ ସର୍ଭିସ୍ ଦେବା ପାଇଁ ଯୋଗାଯୋଗ କେନ୍ଦ୍ର ମଧ୍ୟ ଖୋଲିଛି । ସେଥିପାଇଁ  ମନେ ରଖିହେବା ପରି ୨ଟି ଟୋଲ ଫ୍ରି ନଂ ୧୮୦୦ ୧୨୩୪ ଏବଂ ୧୮୦୦ ୨୧୦୦ ଜାରି କରିଛି । ଏହି ନଂରେ କଲ୍ କରିକି ଆପଣ ଯେକୌଣସି ସମୟରେ ଯେକୌଣସି ସ୍ଥାନରୁ SBI ବ୍ୟାଙ୍କ ଖାତା ସମ୍ବନ୍ଧୀୟ ସମସ୍ୟାର ସମାଧାନ କରି ପାରିବେ ଏବଂ ସମସ୍ତ ପ୍ରକାର ବ୍ୟାଙ୍କିଙ୍ଗ ସେବାର ଫାଇଦା ଉଠାଇ ପାରିବେ ।

ଏବେ ଆପଣଙ୍କ ଆକାଉଣ୍ଟ ବାଲାନ୍ସ,, ଶେଷ ୫ଦିନର ଟଙ୍କା କାରବାରର ସୂଚନା, ଏଟିଏମ୍ କାର୍ଡ ବ୍ଲକ୍ କରିବା ପରି କାମ ଆଦି ଏହି ଟୋଲ ଫ୍ରି ନମ୍ବରରେ କଲ୍ କରି ସମାଧାନ କରିପାରିବେ । ଏହା ଛଡ଼ା ଏଟିଏମ୍ କାର୍ଡ ବ୍ଲକ୍ କରିବା ପରେ ନୂଆ କାର୍ଡ ପାଇଁ ଆପଣ ପଞ୍ଜୀକରଣ ମଧ୍ୟ କରିପାରିବେ । ଏତିକି ନୁହେଁ  ଆପଣ ଏଟିଏମ୍ କାର୍ଡ ଏବଂ ଚେକ୍ ବୁକରେ ଡିପୋଜିଟ୍ ଷ୍ଟାଟସ୍ ମଧ୍ୟ ଜାଣିପାରିବେ । ଆହୁରି ମଧ୍ୟ ଏହି ନମ୍ବର ଦ୍ବାରା ଆପଣ ଟିଡିଏସ୍ ସମ୍ବନ୍ଧୀୟ ସମସ୍ତ ସୂଚନା ଏବଂ ଋଣ ବିବରଣୀ ମଧ୍ୟ ପାଇପାରିବେ ।

 

ଇସ୍ତଫା ଦେଲେ ବସନ୍ତ ରଥ, ଖୁବଶୀଘ୍ର ରାଜନୀତିରେ ଦେବେ ଯୋଗ

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରର ପୂର୍ବତନ ଟ୍ରାଫିକ ଆଇଜିପି ବସନ୍ତ ରଥ ଖୁବଶୀଘ୍ର ରାଜନୀତିରେ ଯୋଗ ଦେବେ । ଏଥିପାଇଁ ସେ ଆଇପିଏସ ଛାଡ଼ିବାକୁ ଚାହୁଁଛନ୍ତି ବୋଲି ସୋସିଆଲ ମିଡିଆ ଜରିଆରେ ଜଣାଇଛନ୍ତି । ସେ ଇସ୍ତାଫ ମଧ୍ୟ ଦେଇସାରିଛନ୍ତି ।  ଜାମ୍ମୁ ଓ କାଶ୍ମୀରର ଟ୍ରାଫିକ ଆଇଜିପି ଥିବା ବେଳେ ବେଶ୍ ଚର୍ଚ୍ଚିତ ଥିଲେ ବସନ୍ତ ରଥ । ଓଡିଶା ଜନ୍ମିତ ବସନ୍ତ ରଥ ଟ୍ରାଫିକ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଯୋଗୁଁ ବେଶ୍ ପ୍ରଶଂସିତ ହୋଇଥିଲେ । ୨୦୦୦ ମସିହା ବ୍ୟାଚର ଜାମ୍ମୁ ଓ କାଶ୍ମୀର କ୍ୟାଡର ଆଇପିଏସ ବସନ୍ତଙ୍କୁ ସିଂଘମ ବୋଲି କୁହାଯାଉଥିଲା । ତେବେ ବିଶୃଙ୍ଖଳିତ ଆଚରଣ ଯୋଗୁଁ ତାଙ୍କୁ ସସପେଣ୍ଡ କରାଯାଇଥିଲା ।

ନିଷ୍ପତ୍ତି ବଦଳାଇଲେ ସୁର ରାଉତରାୟ, ଦ୍ରୌପଦୀଙ୍କୁ ସମର୍ଥନ ପାଇଁ ଆଉ ସୋନିଆଙ୍କୁ ଲେଖିବେନି ଚିଠି

ଭୁବନେଶ୍ୱର: NDAର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ପ୍ରସଙ୍ଗ ନେଇ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପ୍ରତିକ୍ରିୟା । ଦ୍ରୌପଦୀ ମୁର୍ମୁ ଓଡ଼ିଶା ମାଟିରେ ଜନ୍ମ ହୋଇଥିବାରୁ ଗର୍ବ କରୁଛୁ । ହେଲେ ଏହା ମାଟିର ଲଢ଼େଇ ନୁହେଁ ପାର୍ଟିର ଲଢ଼େଇ। ମାଟି ପାଇଁ ଲଢେଇ ହେଲେ ଜୀବନ ଦେଇଦେବୁ । ଉଭୟ UPA ଓ NDA ପ୍ରାର୍ଥୀ ଦେଇଛନ୍ତି । ସୁରେଶ ରାଉତରାୟ ବରିଷ୍ଠ ଲୋକ । ସେ ବୁଦ୍ଧିଜୀବୀ, ପାର୍ଟି ଲାଇନରେ ରହିବେ ବୋଲି ଶରତ କହିଛନ୍ତି । କଂଗ୍ରେସ ହାଇକମାଣ୍ଡ ଯାହାକୁ କହିବେ, ତାଙ୍କୁ ଭୋଟ୍ ଦେବେ । ବିହାର ମାଟିର ଯଶଓ୍ୱନ୍ତ ସିହ୍ନା, ବିହାର ବିଜେପି ତାଙ୍କୁ ଭୋଟ ଦେବ କି ବୋଲି ଶରତ ପ୍ରଶ୍ନ କରିଛନ୍ତି ।

ସେପଟେ ନିଷ୍ପତ୍ତି ବଦଳାଇଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ଦ୍ରୌପଦୀଙ୍କୁ ସମର୍ଥନ ପାଇଁ ଆଉ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିବେ ନାହିଁ ବୋଲି ସୁର ରାଉତରାୟ କହିଛନ୍ତି । ଦଳର ନିଷ୍ପତ୍ତି ମାନିବେ ଓ ଯଶଓ୍ୱନ୍ତ ସିହ୍ନାଙ୍କୁ ହିଁ ଭୋଟ ଦେବେ । ପାର୍ଟି ଆଗ । ତେବେ ଯଶଓ୍ୱନ୍ତଙ୍କ ପାଇଁ କ୍ରସ ଭୋଟିଂ ହୋଇପାରେ ବୋଲି ସୁର କହିଛନ୍ତି ।