spot_img
Home Blog Page 4104

ରାଜ୍ୟରେ ଜାରି ରହିଛି ବର୍ଷା, ୮ ଜିଲ୍ଲାକୁ ୟେଲୋ ଆଲର୍ଟ

ପୁରୀ: ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ବର୍ଷା । ଉପାନ୍ତରୁ ଉପକୂଳ ସବୁଠି ବର୍ଷିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପୂର୍ବ ରାଜସ୍ଥାନରୁ ମଧ୍ୟପ୍ରଦେଶ, ଛତିଶଗଡ, ଦକ୍ଷିଣ ଓଡ଼ିଶା ଦେଇ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ପର୍ଯ୍ୟନ୍ତ ଏକ ନିମ୍ନ ଚାପରେଖା ରହିଛି । ଏହା ସହ ଦକ୍ଷିଣ ଛତିଶଗଡ଼ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ହେଉଛି । ଆଜି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ପାଇଁ ୮ଟି ଜିଲ୍ଲାକୁ ଜାରି ହୋଇଛି ୟେଲୋ ଆଲର୍ଟ । ବିଶେଷ କରି କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡ଼ା, କଳାହାଣ୍ଡି, ନୂଆପଡ଼ା ଆଦି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ସେହିପରି ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ସମାନ ପାଗ ଜାରି ରହିବ । ଜୁନ୍ ୧୬ ତାରିଖରୁ ୨୬ ତାରିଖ ମଧ୍ୟରେ ୯୪.୮ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଏହି ସମୟ ମଧ୍ୟରେ ୯୬.୧ ମିଲିମିଟର ବର୍ଷା ରେକର୍ଡ ହେବା କଥା । ଯାହା ସ୍ୱାଭାବିକ ବର୍ଷାଠାରୁ ୧ ପ୍ରତିଶତ କମ୍ । ୬ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ୩ଟି ଜିଲ୍ଲାରେ ଅତ୍ୟଧିକ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ତେବେ ଆଗାମୀ ଦିନରେ ହେବାକୁ ଥିବା ପ୍ରବଳ ବର୍ଷା ନିଅଣ୍ଟିଆ ବର୍ଷା ଭରଣ କରିବାର ଆଶା କରାଯାଉଛି ।

 

ରାଜଧାନୀରେ ବାଇକ ସହ ଜଳିଗଲେ ଯୁବକ

ଭୁବନେଶ୍ୱର: ଭୁବନେଶ୍ୱରରେ ବାଇକ ସହ ଜୀଅନ୍ତା ଜଳିଗଲେ ଯୁବକ । ସହିଦନଗର ଥାନା ନିକଟ ମହାରାଜା ସିନେମା ହଲର ବିପରୀତ ପାର୍ଶ୍ଵ ରାଜପଥରେ ଘଟିଛି ଏହି ଦୁର୍ଘଟଣା । ତେବେ ଏହି ଦୁର୍ଘଟଣାର କାରଣ ଅସ୍ପଷ୍ଟ ଥିବା ବେଳେ ଯୁବକଙ୍କ ପରିଚୟ ମିଳିପାରିନାହିଁ । ଗତକାଲି ରାତି ୧୨.୩୦ରେ ଘଟିଛି ଏଭଳି ଘଟଣା । ଗାଡ଼ି ନମ୍ବରରୁ ଯୁବକଙ୍କ ପରିଚୟ ଖୋଜୁଛି ପୋଲିସ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ଅଗ୍ନିଶମ ବାହିନୀ ଓ ସହିଦନଗର ଥାନା ପୋଲିସ ।

ନିଆଁକୁ ଆୟତ୍ତ କରିବା ସହ ବାଇକ ଓ ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି ସହିଦନଗର ଥାନା ପୋଲିସ । ଗାଡିଟି କଟକ RTOରେ ରେଜିଷ୍ଟ୍ରେସନ ହୋଇଥିବାରୁ ଯୁବକ ଜଣଙ୍କ କଟକର ହୋଇଥିବା ଅନୁମାନ କରାଯାଉଛି । ଯୁବକଙ୍କ ଶରୀରର ୮୦ ପ୍ରତିଶତ ଜଳି ଯାଇଥିବା ଯୋଗୁଁ ଯୁବକ ଜଣଙ୍କର ମୃତ୍ୟୁ ହୋଇଛି । ଯୁବକଙ୍କୁ କେହି ହତ୍ୟା କରିଥିବା ଅନୁମାନ କରାଯାଉଛି ।

ଆଜିଠୁ ଏକକ ପିଜି ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ, ୨୦ ତାରିଖରୁ ମିଳିବ ଆଡମିଟ କାର୍ଡ

ଭୁବନେଶ୍ୱର: ଆଜିଠୁ ଏକକ ପିଜି ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ ଆରମ୍ଭ । SAMS ଜରିଆରେ ଆବେଦନ କରିପାରିବେ ଛାତ୍ରଛାତ୍ରା । ଏଥିପାଇଁ ଶେଷ ତାରିଖ ରହିଛି ଜୁଲାଇ ୧୨ । ଜୁଲାଇ ୧୩ ଓ ୧୪ ତାରିଖରେ ଆବେଦନ ଦରଖାସ୍ତରେ ଆବଶ୍ୟକ ସଂଶୋଧନ କରାଯାଇପାରିବ । ଜୁଲାଇ ୨୦ ତାରିଖରୁ ଆଡମିଟ କାର୍ଡ ପାଇପାରିବେ ଛାତ୍ରଛାତ୍ରା । ଅଗଷ୍ଟ ୧ ତାରିଖରୁ ୧୩ ତାରିଖ ମଧ୍ୟରେ ସବୁ ବିଷୟ ପାଇଁ ପ୍ରବେଶିକା ପରୀକ୍ଷା କରାଯିବ । ଅଗଷ୍ଟ ୨୫ ତାରିଖରେ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ।

ସେହି ମାସ ୩୦ ତାରିଖ ସୁଦ୍ଧା ଚଏସ୍ ଫିଲିଂ ଓ ସେପ୍ଟେମ୍ବର ୫ ତାରିଖରେ ସିଟ୍ ଆଲଟମେଣ୍ଟ କରାଯିବ । ସେପ୍ଟେମ୍ବର ୬ ଓ ୭ ତାରିଖରେ ପ୍ରଥମ ପର୍ଯ୍ୟାୟ ନାମଲେଖା ହେବ। ୧୩ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରୋଭିଜନାଲ ସିଟ୍ ଆଲଟମେଣ୍ଟ କରାଯିବ। ଏହାପରେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ହେବ । ସେପ୍ଟେମ୍ବର ୨୦ରେ ଖାଲି ସିଟ୍ ନେଇ ତଥ୍ୟ ଆସିବା ପରେ ୨୩ ତାରିଖରେ ପ୍ରକାଶ ପାଇବ ସ୍ପଟ ମେରିଟ୍ ଲିଷ୍ଟ । ପରେ ୨୬ ତାରିଖ ପର୍ଯ୍ୟନ୍ତ ସ୍ପଟ୍ ଆଡମିଶନ କରାଯିବ ।

ଆଜି ଶ୍ରୀଜିଉଙ୍କ ବନକଲାଗି, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ପୁରୀ: ଆଜି ଶ୍ରୀଜିଉଙ୍କ ବନକଲାଗି । ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ନୀତିକାନ୍ତି । କଳା, ଧଳା, ନାଲି, ହରିତାଳ ଆଦି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତ ମହାପାତ୍ର ସେବକ । ଗତକାଲି ତ୍ରୟୋଦଶୀ ତିଥିରେ ଶ୍ରୀଜିଉଙ୍କ ଘଣା ଲାଗି ନୀତି ଅନୁଷ୍ଠିତ ହୋଇଛି । ଆଜି ଚତୁର୍ଦ୍ଦଶୀ ତିଥିରେ ବନକଲାଗି ଅନୁଷ୍ଠିତ ହେବ । ସେପଟେ ରଥ ଖଳାରେ ଶେଷ ପର୍ଯ୍ୟାୟରେ ନିର୍ମାଣ କାମ । ଚିତ୍ରକର ସେବକ ରଙ୍ଗ କାର୍ଯ୍ୟ ଜାରି ରଖିଥିବା ବେଳେ ଆଜି ରଥରେ ପାର୍ଶ୍ୱଦେବାଦେବୀ ଲଗାଯିବା ସହ ଅନ୍ୟାନ୍ୟ କାର୍ଯ୍ୟ କରାଯିବ ।

ଦୁବାଇରେ ମୁଖ୍ୟମନ୍ତ୍ରୀ, ୨୯ରେ ମଧ୍ୟପ୍ରାଚ୍ୟର ପୁଞ୍ଜିପତିଙ୍କ ସହ କଥା ହେବେ ନବୀନ

ଦୁବାଇ: ଦୁବାଇରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁବାଇ ମେକ୍ ଇନ୍ ଓଡ଼ିଶା କନକ୍ଲେଭ ପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ୍ । ୨୯ ତାରିଖରେ ମଧ୍ୟପ୍ରାଚ୍ୟର ପୁଞ୍ଜିପତିଙ୍କ ସହ ସିଧାସଳଖ କଥାହେବେ ମୁଖ୍ୟମନ୍ତ୍ରୀ । ଦୁବାଇରେ ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ ସହିତ ପେଟ୍ରୋ କେମିକାଲ, ପେଟ୍ରୋଲିୟମ ସେକ୍ଟର ଏବଂ ଡାଉନଷ୍ଟ୍ରିମ ଇଣ୍ଟଷ୍ଟ୍ରୀ ଉପରେ ଫୋକସ ରହିବ। ଦୁବାଇର ହୋଟେଲ ଓବେରାଇରେ ହେବାକୁ ଥିବା ପୁଞ୍ଜିପତି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ, ଶିଳ୍ପ ସଚିବ, ଖାଦ୍ୟ ଯୋଗାଣ ସଚିବ, ଆବାସିକ କମିଶନର ଏବଂ 5-T ସଚିବ ଯୋଗ ଦେବେ ।

ରାଜ୍ୟରେ ସଫଳତାର ସହ ପୁଞ୍ଜିନିବେଶ କରିଥିବା ଶିଳ୍ପପତିଙ୍କ ଏକ ପ୍ରତିନିଧି ଦଳ ମଧ୍ୟ କନକ୍ଲେଭରେ ଯୋଗଦେବେ । ଓଡ଼ିଶାରେ ଶିଳ୍ପ ପାଇଁ ଥିବା ଅପାର ସୁଯୋଗ, ସମ୍ଭାବନା ସହିତ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ନେଇ ମୁଖ୍ୟମନ୍ତ୍ରୀ ଓ ଟିମ୍ ଓଡ଼ିଶା ମିଡଲ-ଇଷ୍ଟର ଇନଭେଷ୍ଟରଙ୍କ ସହ ଆଲୋଚନା କରିବେ । ଶିଳ୍ପାୟନ କ୍ଷେତ୍ରରେ ଓଡ଼ିଶାରେ ହୋଇଛି ଦ୍ରୁତ ଅଭିବୃଦ୍ଧି । ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି, ସ୍ଥିର ସରକାର, ଦୃଢ ଇଚ୍ଛାଶକ୍ତି ଯୋଗୁଁ ଓଡ଼ିଶାକୁ ମୁହାଁଇଛନ୍ତି ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ବଡ଼ ବଡ଼ କର୍ପୋରେଟ କମ୍ପାନୀ । ଓମାନ, ଦୋହା, ଦୁବାଇ ଭଳି ଗଲ୍ଫ ଦେଶର ଶିଳ୍ପପତି ଓଡ଼ିଶାରେ ପୁଞ୍ଜିନିବେଶ କରିବାକୁ ଚାହୁଁଛନ୍ତି । ମୁଖ୍ୟମନ୍ତ୍ରୀ ଓ ଟିମ୍ ଓଡ଼ିଶାର ଦୁବାଇ ଗସ୍ତ ରାଜ୍ୟକୁ ଅଧିକ ପୁଞ୍ଜି ଆଣିବାରେ ସକ୍ଷମ ହେବ ବୋଲି ବିଶେଷଜ୍ଞ ଆଶା କରିଛନ୍ତି ।

ଭାରତ ପାଇଁ ସୀମାରେ ପାକିସ୍ତାନ, ଚୀନ୍ ବିପଦ ସୃଷ୍ଟି କରିପାରନ୍ତି : ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ମୁଖ୍ୟ ଭି ଆର ଚୌଧୁରୀ ଭାରତର ସୁରକ୍ଷାକୁ ନେଇ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଭାରତକୁ ପଶ୍ଚିମ ଏବଂ ଉତ୍ତର ସୀମାରେ ଉପୁଜିଥିବା ସ୍ଥିତିକୁ ଦୁଇଟି ଭାଗରେ ଦେଖିବାର ଆବଶ୍ୟକ ଏବଂ ଏହାର ଅନୂରୁପ କାର୍ଯ୍ୟ କରାଯିବା ଆବଶ୍ୟକ  । ଭବିଷ୍ୟତରେ ଭାରତ ଉପରେ ସବୁ ଦିଗରୁ ଆକ୍ରମଣ ହୋଇପାରେ, ଯେଉଁଥିରେ ସୈନ୍ୟ ଅଚଳାବସ୍ଥାଟୁ ଆରମ୍ଭ କରି ମିଥ୍ୟା ପ୍ରଚାର ଏବଂ ବ୍ଲାକଆଉଟ୍ ପର୍ଯ୍ୟନ୍ତ ସାମିଲ ଅଛି  । ଏପରି ସ୍ଥିତିରେ ଭାରତର ସୁରକ୍ଷା ସିଦ୍ଧାନ୍ତ ଏବଂ କ୍ଷମତାକୁ ଏହି ସବୁ ଆଶଙ୍କାର ମୁକାବିଲା କରିବାରେ ସଶକ୍ତ କରାଯିବାର ଆବଶ୍ୟକ  । ସେ ଏହି କଥା ଚୀନ ଏବଂ ପାକିସ୍ତାନର ଦ୍ୱିବିଧ ସୈନ୍ୟ ବିପଦରୁ ଉତ୍ପନ୍ନ ହେବାକୁ ଥିବା ସମ୍ଭାବିତ ଚ୍ୟାଲେଞ୍ଜକୁ ଦୃଷ୍ଟିରେ ରଖି କହିଛନ୍ତି  ।

ବାୟୁସେନା ମୁଖିଆ ଏକ ଜାତୀୟ ଖବର ସରବରାହ ସଂସ୍ଥାକୁ ସ୍ୱତନ୍ତ୍ର ସାକ୍ଷାତକାରରେ କହିଛନ୍ତି ଭବିଷ୍ୟତରେ ଭାରତ ଉପରେ ସବୁ ପଟୁ ଆକ୍ରମଣ ହୋଇପାରେ  । ଏପରି ସ୍ଥିତିରେ ଭାରତର ସୁରକ୍ଷା ସିଦ୍ଧାନ୍ତ ଏବଂ କ୍ଷମତାକୁ ସଶକ୍ତ କରାଯାଇ ଏହି ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ପଡିବ  । ସେ ଆଗକୁ କହିଥିଲେ, ଏକ ରାଷ୍ଟ୍ର ଭାବେ ଆମେ ନିଜର ବର୍ତ୍ତମାନର ସ୍ଥିତି ଏବଂ ଭବିଷ୍ୟତର ବିପଦକୁ ଚିହ୍ନଟ କରିବାର ଆବଶ୍ୟକ ରହିଛି । ଯାହାଫଳରେ ଏଗୁଡିକର ମୁକାବିଲା କରିବା ପାଇଁ ଶକ୍ତିର ବିକାଶ କରାଯାଇ ପାରିବ  । ସେ କହିଥିଲେ ଆମ ସମ୍ମୁଖରେ ପଶ୍ଚିମ ଏବଂ ଉତ୍ତର ସୀମାରେ କିଛି ଚ୍ୟାଲେଞ୍ଜ ରହିଛି  । ଏପରି ସ୍ଥିତିରେ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ହେଉଛି ସେ ଦୁଇଟି ଅସ୍ଥିର ସୀମାକୁ ଦୁଇଟି ଆକସ୍ମିକ ଯୁଦ୍ଧକ୍ଷେତ୍ର ଭାବେଦେଖୁ ଏବଂ ଏହାର ଅନୁସାରେ ପ୍ରସ୍ତୁତି କରୁ  । ଆମର ଦୁଇ ପାରମ୍ପରିକ ଶତ୍ରୁ ପାକିସ୍ତାନ ଏବଂ ଚୀନ ଲଗାତାର ଭାରତୀୟ ସୀମାରେ ସୈନ୍ୟ ଗିତିବିଧି ବଢାଇ ଚାଲିଛନ୍ତି ।

ବାୟୁସେନା ଏଭଳି ଆହ୍ୱାନ ସହ ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି  । ପୂର୍ବରୁ ମଧ୍ୟ ପୂର୍ବତନ ସିଡିଏସ ଦିବଙ୍ଗତ ବିପିନ ରାୱତ ଏବଂ ପୂର୍ବତନ ସେନାଧ୍ୟକ୍ଷ ଏମଏମ ନରଭାଣେ ଏହି ଦୁଇ ସୀମାକୁ ନେଇ ଚିନ୍ତା ପ୍ରକଟ କରିଥିଲେ  । ଦୀର୍ଘକାଳୀନ ଆଭିମୁଖ୍ୟ ଆପଣାଇବା ଏବଂ ବର୍ତ୍ତମାନ ସ୍ଥିତିର ଆଧାରରେ ବିପଦର ଆକଳନ କରିବା ପରିବର୍ତ୍ତେ ଶତ୍ରୁ ବଳର ପ୍ରସ୍ତୁତି ଦ୍ୱାରା ଆମର ରାଷ୍ଟ୍ରୀୟ ସୁରକ୍ଷା ଉପରେ ପଡିବାକୁ ଥିବା ପ୍ରଭାବକୁ ଆକଳନ କରିବାର ଆବଶ୍ୟକ ରହିଛି  । ବାୟୁସେନା ମୁଖିଆ ଶ୍ରୀ ଚୌଧୁରୀ ଭରସା ଦେଇଛନ୍ତି ଯେ ଭାରତୀୟ ସଶସ୍ତ୍ର ବଳ ପାଖରେ ସୀମାରେ କୌଣସି ବି ଦୁଃସାହସିକର ମୁକାବିଲା କରିବା ପାଇଁ ପର୍ଯ୍ୟାପ୍ତ ପ୍ରତିରୋଧ କ୍ଷମତା ରହିଛି  । ଚୀନ୍ ଏଲଏସି ପାଖରେ ନିଜ ସୈନ୍ୟ ଶକ୍ତି ବୃଦ୍ଧି କରୁଛି  । ତେଣୁ ଆମେ ସଦାସର୍ବଦା ଏଭଳି ସ୍ଥିତି ପାଇଁ ପ୍ରସ୍ତୁତ ଅଛୁ  । ଚିନୁକ ହେଲିକପ୍ଟରର ପରିଚାଳନା ପୂର୍ବରୁ ନିର୍ଦ୍ଧାରିତ ଦୁଇଟି ସ୍ଥାନରେ ଆରମ୍ଭ ହୋଇସାରିଛି ଏବଂ ଅନ୍ୟ ସ୍ଥାନରେ ଭିତ୍ତିଭୂମି ବିକାଶର କାର୍ଯ୍ୟ ସରିବା ଉପରେ  । ରାଫେଲ ସ୍କ୍ୱାଡ୍ରନ ପାଇଁ ଭିତ୍ତିଭୂମି ନିର୍ମାଣ ଏବଂ ପରିଚାଳନା କ୍ଷମତ ସମ୍ପନ୍ନ ହୋଇ ସାରିଛି ।

ବିଦ୍ରୋହୀଙ୍କ ଉପରେ ବର୍ଷିଲେ ଆଦିତ୍ୟ ଠାକରେ; କହିଲେ ମୁମ୍ବାଇ ଆସି ସାହସ ଦେଖାଅ

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ନୂଆ ନୂଆ ଘଟଣାକ୍ରମ ସାମ୍ନାକୁ ଆସୁଛି  । ଅସନ୍ତୁଷ୍ଟ ବିଦ୍ରୋହୀ ଏକନାଥ ସିନ୍ଦେ ବିଜେପି ସହ ମିଶି ସରକାର ଗଢିବାକୁ ଜୋରଦାର ପ୍ରସ୍ତୁତି କରୁଛନ୍ତି  । ଏମିତିକି ଉଦ୍ଧବଙ୍କ ବିରୋଧରେ ସୁପ୍ରିମକୋର୍ଟ ଯାଇଛନ୍ତି । ଏହାରି ମଧ୍ୟରେ ଉଦ୍ଧବଙ୍କ ପୁଅ ଆଦିତ୍ୟଙ୍କ ଏକ ବୟାନ ସାମ୍ନାକୁ ଆସିଛି  । ଆଦିତ୍ୟ ବିଦ୍ରୋହୀଙ୍କୁ ଟାର୍ଗେଟ କରି ବର୍ଷିଛନ୍ତି  । ଯୁବ ଶିବସେନାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକକୁ ସମ୍ବୋଧିତ କରିବା ସମୟରେ ବିରୋଧୀଙ୍କୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି, ଆମର ପ୍ରକୃତ ଶକ୍ତି ହେଉଛନ୍ତି ଶିବସୈନିକ  । ଯେଉଁମାନେ ଗତଦିନରେ ମୋ ଗାଡିରେ ବସୁଥିଲେ ଆଜି ସେମାନେ ଆମକୁ ଛାଡି ଚାଲି ଯାଇଛନ୍ତି  । ଉଦ୍ଧବ ଠାକରେ ଅସୁସ୍ଥ ଅଛନ୍ତି ଏବଂ ଏପରି ସମୟରେ ଏହି ସ୍ଥିତି ଆମ ଉପରକୁ ଆସିଛି  । ଆଜି ବାଲାସାହେବ ଠାକରେ କିମ୍ବା ଆନନ୍ଦ ଦିଘେ ଯଦି ଥାନ୍ତେ ତାଙ୍କ ସାମ୍ନାରେ ଏମିତି ସବୁ ହୋଇଥିଲେ ସେମାନେ ବିଦ୍ରୋହୀଙ୍କୁ ନିଜ ଭାଷାରେ ବୁଝାଇଥାନ୍ତେ  ।

ସେ ଆଗକୁ କହିଛନ୍ତି, ମୋର ଦିଲାୱାଲେ ଫିଲ୍ମର ଏକ ଡାଇଲଗ ମନେପଡୁଛି ‘ହମ ସରିଫ କ୍ୟା ହୁଏ, ସାରି ଦୁନିଆ ବଦମାସ ହୋ ଗେଇ’  । ସେ ଯୁବ ସେନାର କାର୍ଯ୍ୟକର୍ତ୍ତାଙ୍କୁ କହିଥିଲେ ମୁଁ ରାସ୍ତାକୁ ଓହ୍ଲାଉଛି, କିନ୍ତୁ ଆପଣମାନେ ଘରକୁ ଘର ଯାଇ ବିଦ୍ରୋହୀଙ୍କ ସତକୁ ଲୋକମାନଙ୍କ ପାଖରେ ପହଞ୍ଚାନ୍ତୁ। ଆଦିତ୍ୟ ଆଗକୁ କହିଥିଲେ, ଆଜି ଏ ସମସ୍ତ ନୂଆ ପିଢୀ ସାହସ ଦେଖାଇ ଏଠାକୁ ଆସିଛନ୍ତି  । ମୁଁ ଆପଣମାନଙ୍କ ସହ ଅଛି  । ଯେତିକି ଭଲପାଇବା ଏବଂ ବିଶ୍ୱାସ ବିଦ୍ରୋହୀଙ୍କ ଉପରେ କରିଥିଲି ସେତେ କାହା ଉପରେ କରିନାହିଁ  । ଯେଉଁ ବିଭାଗ ଗତ ୫୦ ବର୍ଷ ହେବ କୌଣସି ମୁଖ୍ୟମନ୍ତ୍ରୀ ଛାଡିନଥିଲେ, ସେ ବିଭାଗ ତାଙ୍କୁ ଦିଆଯାଇଥିଲା  । ଏହା ପରେ ବି ସେମାନେ କହିବା ପାଇଁ ସାହସ କଲେ ନାହିଁ ଏବଂ ସୁରଟ ଯାଇ ବିଦ୍ରୋହ କଲେ ।

ଯେଉଁ ରାଜ୍ୟର ସ୍ଥିତି ବନ୍ୟା କାରଣରୁ ବିକଟ ରହିଛି ସେଇ ରାଜ୍ୟରେ ଏମାନେ ଯାଇ ମଉଜ ମସଲିଜ କରୁଛନ୍ତି  । ଯଦି ସାହସ ଥିଲା ମୁମ୍ବାଇରେ ରହି କହିଥାନ୍ତେ  । ଏବେ ତ ଏମାନଙ୍କୁ ସିଆରପିଏଫର ସୁରକ୍ଷା ଦିଆଯାଇଛି  । ଏହି ସୁରକ୍ଷା ଆମର କାଶ୍ମୀର ପଣ୍ଡିତଙ୍କୁ ଦିଆଯିବାର ଥିଲା  । ଏହାର ଦାବି ଆମେ ଗତ ମାସରେ ମଧ୍ୟ କରିଥିଲୁ  । କିନ୍ତୁ ହୀନ ରାଜନୀତି ପାଇଁ ଆମ କଥାକୁ ଗୁରୁତ୍ବ ଦିଆଯାଇନଥିଲା ଆଉ ଏବେ ନିଜ ରାଜନୈତିକ ଇଚ୍ଛା ପୂରଣ ପାଇଁ ସୁରକ୍ଷା ଦିଆଯାଉଛି ବୋଲି ଆଦିତ୍ୟ ଠାକରେ କହିଛନ୍ତି  ।

ଭାରତ-ଆୟରଲ୍ୟାଣ୍ଡ ପ୍ରଥମ ଟି-୨୦; ଟସ୍ ଜିତି ଭାରତର ବୋଲିଂ ନିଷ୍ପତି

ଡବ୍ଲିନ: ଆୟରଲ୍ୟାଣ୍ଡ-ଭାରତ ପ୍ରଥମ ଟି-୨୦ ମ୍ୟାଚ ଆଜି ଆୟରଲ୍ୟାଣ୍ଡର ଡବ୍ଲିନସ୍ଥିତ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି  । ଟସ୍ ଜିତି ଭାରତ ବୋଲିଂ ନିଷ୍ପତ୍ତି ନେଇଛି । ବର୍ଷା ଯୋଗୁଁ ମ୍ୟାଚ୍ ଆରମ୍ଭ ହେବାରେ ବିଳମ୍ବ ହେଉଛି  । ଭାରତୀୟ କ୍ରିକେଟ ଟିମର ନେତୃତ୍ୱ ନେଉଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ଆଜିର ମ୍ୟାଚରେ ଜମ୍ମୁ ପେସର ଉମ୍ରାନ ମଲ୍ଲିକ ଡେବ୍ୟୁ କରୁଛନ୍ତି  । ଅଧିନାୟକ ହାର୍ଦ୍ଦିକ କହିଛନ୍ତି ଆମେ ବ୍ୟାଟିଂ କରିବାକୁ ଚାହୁଁଥିଲୁ କିନ୍ତୁ ବର୍ଷା ଯୋଗୁଁ ପିଚ୍ ଧିମା ରହିବ ଏହି କାରଣରୁ ବୋଲିଂ ନିଷ୍ପତ୍ତି ନେବାକୁ ପଡିଲା  । ସମ୍ପୂର୍ଣ୍ଣ ଜୋଶର ସହ ଆମ ଯୁବ ଖେଳାଳି ମାନେ ପଡିଆକୁ ଓହ୍ଲାଉଛନ୍ତି  ।

ସେହିପରି ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଉମ୍ରାନ ମଲ୍ଲିକ ଓ ୟୁଜବେନ୍ଦ୍ର ଚହଲ ସମ୍ଭାଳିବେ ଟିମ୍ ଇଣ୍ଡିଆର ବୋଲିଂ ଭାର । ଅନ୍ୟପଟେ ଭ୍ରମଣକାରୀ ଦଳକୁ ଟକ୍କର ଦେବାକୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ଘରୋଇ ଆୟରଲ୍ୟାଣ୍ଡ । ଆଜି ଦୁଇ ଟିକିଆ ସିରିଜର ପ୍ରଥମ ମ୍ୟାଚ୍ ଖେଳାଯାଉଛି  । ଭାରତୀୟ ସମୟ ଅନୁସାରେ ରାତି ୯ ଟାରେ ଖେଳ ଆରମ୍ଭ ହୋଇଛି  । ପୂର୍ବରୁ ନିର୍ଦ୍ଧାରିତ ସମୟ ଅନୁସାରେ ବର୍ଷା ଯୋଗୁଁ ଖେଳ ଆରମ୍ଭ ହୋଇପାରିନଥିଲା   । ସେପଟେ ଟେଷ୍ଟ ମ୍ୟାଚ୍ ପାଇଁ  ଇଂଲଣ୍ଡ ଯାଇଛି ଭାରତର ଆଉ ଏକ ଟିମ୍ । ଆସନ୍ତା ୧ ତାରିଖରେ ଇଂଲଣ୍ଡ ବିରୋଧରେ ଖେଳାଯିବ ବାକିଥିବା ଟେଷ୍ଟ ମ୍ୟାଚ୍  ।

ଭାରତୀୟ ଦଳ- ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଦୀନେଶ କାର୍ତ୍ତିକ (ୱିକେଟକିପର), ଋତୁରାଜ ଗାୟକ୍ୱାଡ଼, ଇଶାନ କିଷାନ, ଦୀପକ ହୁଡା, ସୂର୍ଯ୍ୟକୁମାର ଯାଦବ, ଅକ୍ସର ପଟେଲ, ଭୁବନେଶ୍ୱର କୁମାର, ଆଭେସ ଖାନ, ଯୁଜବେନ୍ଦ୍ର ଚହଲ, ଉମ୍ରାନ ମଲ୍ଲିକ  ।

ଆୟରଲ୍ୟାଣ୍ଡ ଦଳ- ପଲ ଷ୍ଟିରଲିଙ୍ଗ, ଆଣ୍ଡ୍ରିଉ ବଲବିର୍ନି (ଅଧିନାୟକ), ଗରେଥ ଡେଲାନି, ହାରି ଟେକ୍ଟର, ଲୋର୍କାନ ଟକର (ୱିକେଟ କିପର), ଜର୍ଜ ଡକରେଲ, ମାର୍କ ଆଡେର, ଆଣ୍ଡି ଏମସିବ୍ରାଇନ, କ୍ରେଜ ୟୋଙ୍ଗ, ଜୋସୁଆ ଲିଟିଲ, କୋନର ଓଲଫର୍ଟ  ।

ସେୟାର କରନ୍ତୁ ନାହିଁ ଏପରି ପୋଷ୍ଟ , ନଚେତ୍ ବ୍ୟାନ୍ ହୋଇଯିବ ଆକାଉଣ୍ଟ

ନୂଆଦିଲ୍ଲୀ: ହ୍ବାଟ୍ସଆପରେ ଭୁଲରେ ସେୟାର କରନ୍ତୁ ନାହିଁ ଏପରି ପୋଷ୍ଟ , ନଚେତ୍ ବ୍ୟାନ୍ ହୋଇଯିବ ଆପଣଙ୍କ ହ୍ବାଟ୍ସଆପ ।ବର୍ତ୍ତମାନ ସୋସିଆଲ ମିଡିଆ ଆମ ଦୈନଦିନ ଜୀବନର ଗୋଟିଏ ଅଂଶ ପାଲଟିଗଲାଣି । ଏମିତି କେହି ନାହାନ୍ତି ଯେ ସୋସିଆଲ ମିଡ଼ିଆ ବ୍ୟବହାର କରୁନଥିବେ । ଅନେକ ସମୟରେ ଆମେ ସୋସିଆଲ ମିଡିଆରେ ଦେଖୁଥିବା ଜିନିଷ ଆମ ସହ ମଧ୍ୟ ଘଟିପାରେ ତାହା କଳ୍ପନା ମଧ୍ୟ କରିନଥାଉ। ଏମିତି କିଛି ହାନୀକାରକ ଜିନିଷ ଜିନିଷ ଆମେ ଜାଣତ ହେଉ ବା ଅଜାଣରେ ଶେୟାର କରିଥାଉ । ଫଳରେ ଅନେକ ସମୟରେ ଏହାର ଫଳମଧ୍ୟ ଆମକୁ ଭୋଗିବାକୁ ପଡ଼ିଥାଏ । ଏବେ ହ୍ବାଟ୍ସଆପ ମଧ୍ୟ ଏପରି ୟୁଜର୍ସ ମାନଙ୍କ ବିରୋଦ୍ଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ନେଉଛି ।

ଏପ୍ରିଲ ମାସରେ ହ୍ବାଟ୍ସଆପ ପାଖାପାଖି ୧୬ ଲକ୍ଷରୁ ଅଧିକ ଆକାଉଣ୍ଟ ବ୍ୟାନ୍ କରିସାରିଛି । ଆକାଉଣ୍ଟ ବ୍ୟାନ୍ କରିବା ପରେ ଏହାର ସ୍ପଷ୍ଟୀକରଣ ମଧ୍ୟ ଦେଇଥିଲା ହ୍ବା ଯାହା ମଧ୍ୟରୁ ୧୨୨ଟି ଆକାଉଣ୍ଟ କାହାର ଅଭିଯୋଗ ଅନୁଯାୟୀ ବ୍ୟାନ କରାଯାଇଥିଲା ଏବଂ ୧୬.୬୬ ଲକ୍ଷ ଆକାଉଣ୍ଟ ସ୍ବତଃପୃତ ଭାବେ ବନ୍ଦ ହୋଇଯାଇଥିଲା । ହାନିକାରକ ଗତିବିଧି ଲିପ୍ତ ୟୁଜର୍ସଙ୍କ ଆକାଉଣ୍ଟ ଏପରି ବ୍ୟାନ୍ କରିଥିଲା ହ୍ବାଟ୍ସଆପ୍ । ଥରେ ଆକାଉଣ୍ଟ ବ୍ୟାନ୍ ହେବାପରେ ଏହି ୟୁଜର ଆଉ ହ୍ବାଟ୍ସଆପ ଡାଉନଲୋଡ୍ କରିପାରିବେ ନାହିଁ ।

ସ୍କାମ୍, ଘୋଟାଲ ଏବଂ ଅନ୍ୟ ହାରିକାରକ ଜିନିଷ ସେୟାର କରୁଥିବା ବ୍ୟକ୍ତି ମାନଙ୍କ ଆକାଉଣ୍ଟ ବ୍ୟାନ କରିବାର ପୁରା ଅଧିକାର ହ୍ବାଟ୍ସଆପ ପାଖରେ ଅଛି । ଏବେ ମଧ୍ୟ ଏପରି ୟୁଜର ମାନଙ୍କ ଉପରେ ଲଗାତାର ନଜର ରଖିଛି କମ୍ପାନୀ। ଯଦି ଆପଣଙ୍କ ଆକାଉଣ୍ଟ ଥରେ ସସପେଣ୍ଡ ହୁଏ, ତାହାଲେ ୟୁଜର ମୋବାଇଲ ସ୍କ୍ରିନ୍ ଉପରେ ଏକ ନୋଟିଫିକଶନ ଆସିଥାଏ । ଏବଂ ହ୍ବାଟ୍ସଆପ୍ ଖୋଲିଲା ମାତ୍ରେ ‘This Account is not allows to WhatsApp’ ଲେଖା ହୋଇଥିବା ଦେଖିବାକୁ ମିଳିବ । ସେଥିପାଇଁ ଏବେ ଠାରୁ ସାବଧାନ ହୋଇଯାଆନ୍ତୁ ।

ଓଡ଼ିଶାର ସବୁ ଭୋଟ ମିଳିବା ଦିଗରେ କରିବୁ କାମ, ରାଷ୍ଟ୍ରପତି ପ୍ରାର୍ଥୀ ମୁର୍ମୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶୃତି

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶା ମାଟିର ଝିଅ ତଥା ଏନଡିଏ  ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ଫୋନ ଯୋଗେ କଥା ହୋଇ ରାଷ୍ଟ୍ରପତି ନିର୍ବାଚନ ପାଇଁ  ଶୁଭେଚ୍ଛା ଜଣାଇଛନ୍ତି । କଥା ହୋଇଥିବା ନେଇ ଟ୍ବିଟ୍ କରି ସୂଚନା ଦେଲେ ମୁଖ୍ୟମନ୍ତ୍ରୀ । ମୁର୍ମୁଙ୍କ  ପ୍ରାର୍ଥୀତ୍ବ ଓଡ଼ିଶା ବାସୀଙ୍କ ପାଇଁ ଗର୍ବର ବିଷୟ । ମୁର୍ମୁଙ୍କୁ ଓଡ଼ିଶାରୁ ସବୁ ଭୋଟ୍ ମିଳିବା ଦିଗରେ କାମ କରିବୁ ବୋଲି କହିଛନ୍ତି ନବୀନ ।

NDA ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଗତ ୨୪ ତାରିଖରେ ନାମାଙ୍କନ ଭରି ସାରିଛନ୍ତି ଦ୍ରୌପଦୀ ମୁର୍ମୁ । ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଷ୍ଟ୍ରପତି ନିର୍ବାଚନରେ ମୁର୍ମୁଙ୍କୁ ସମର୍ଥନ ଦେବେ ବୋଲି ଘୋଷଣା କରିସାରିଛନ୍ତି  । ମୁର୍ମୁଙ୍କ ପ୍ରାର୍ଥୀ ପତ୍ର ଦାଖଲ ଦିନ ଓଡିଶାର ଦୁଇ ମନ୍ତ୍ରୀ ଜଗନ୍ନାଥ ସରକା ଓ ଟୁକୁନି ସାହୁ ଉପସ୍ଥିତ ରହି ପ୍ରସ୍ତାବକ ଭାବେ ହସ୍ତାକ୍ଷର କରିଥିଲେ  । ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ୨୯ ଜୁନ ଥିବା ବେଳେ ୩୦ ତାରିଖ ଯାଞ୍ଚ କରାଯିବ । ଆସନ୍ତା ଜୁଲାଇ ୨ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ସୁଯୋଗ ରହିଛି ।  ପୂର୍ବରୁ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ ଦ୍ରୌପଦୀ  ।