spot_img
Home Blog Page 4191

ସିଙ୍ଗାପୁର ଓପନରେ ଇତିହାସ ରଚିଲେ ପିଭି ସିନ୍ଧୁ, ଚିନର ଓ୍ୱାଙ୍ଗ ଝିଙ୍କୁ ପରାସ୍ତ କରି ଜିତିଲେ ଟାଇଟଲ

ସିଙ୍ଗାପୁର: ସିଙ୍ଗାପୁର ଓପନରେ ବିଜୟୀ ହେଲେ ପି.ଭି. ସିନ୍ଧୁ । ଚୀନର ଓ୍ୱାଙ୍ଗ ଝିଙ୍କୁ ୨୧-୯, ୧୧-୨୧, ୨୧-୧୫ ସେଟରେ ପରାସ୍ତ କରି ଟାଇଟଲ ହାସଲ କରିଛନ୍ତି ପି.ଭି. ସିନ୍ଧୁ । ପ୍ରଥମ ସେଟରେ ବିଜୟୀ ହୋଇଥିବା ସିନ୍ଧୁ ଦ୍ୱିତୀୟ ସେଟରେ ୧୧-୨୧ରେ ପରାସ୍ତ ହୋଇଥିଲେ । ଓ୍ୱାଙ୍ଗ ଝି ରକ୍ଷଣାତ୍ମକ ଶୈଳୀରେ ମ୍ୟାଚ ଜିତିବାକୁ ଚେଷ୍ଟା କରିଥିଲେ ବି ବିଫଳ ହୋଇଥିଲେ ।

ପୂର୍ବରୁ ଜାପାନର ସାଏନା କାଓ୍ୱାକାମିଙ୍କୁ ୨୧-୧୫, ୨୧-୭ର ପରାସ୍ତ କରିଥିଲେ ସିନ୍ଧୁ । ଏହି ଟାଇଟଲ ହାସଲ କରିବା ସହ ୨୦୨୨ର ତୃତୀୟ ଟାଇଟଲ ହାସଲ କରିଛନ୍ତି ସିନ୍ଧୁ । ପୂର୍ବରୁ ସେ ସୟିଦ ମୋଦି ଇଣ୍ଟର ନ୍ୟାସନାଲ ଓ ସୁଇସ ଓପନ ବିଡବ୍ଲୁଏଫ ସୁପର ୩୦୦ ଟାଇଟଲ ହାସଲ କରିଥିଲେ ।

ଇଣ୍ଡିଗୋ ବିମାନର ଜରୁରୀ ଅବତରଣ, ଯାନ୍ତ୍ରିକ ତ୍ରୁଟି ପରେ କରାଚିରେ ଲ୍ୟାଣ୍ଡିଂ

ନୂଆଦିଲ୍ଲୀ: ୟୁଏଇର ସାରଜାରୁ ହାଇଦ୍ରାବାଦ ଆସୁଥିବା ଇଣ୍ଡିଗୋ ବିମାନର ଜରୁରୀ ଅବତରଣ । ବିମାନରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହେବା ପରେ ବିମାନକୁ କରାଚି ବିମାନବନ୍ଦରରେ ଅବତରଣ କରାଯାଇଛି । ବିମାନରେ ଥିବା ସମସ୍ତ ଯାତ୍ରୀ ନିରାପଦ ଅଛନ୍ତି । କରାଚିକୁ ଅନ୍ୟ ଏକ ବିମାନ ପଠାଯିବା ପରେ ସେଠାରୁ ଯାତ୍ରୀମାନେ ହାଇଦ୍ରାବାଦ ଫେରିବେ ବୋଲି ସୂଚନା ମିଳିଛି । ସାରଜାରୁ ହାଇଦ୍ରାବାଦ ଉଡ଼ାଣ କରୁଥିବା ଇଣ୍ଡିଗୋ ଫ୍ଲାଇଟ ୬E-୧୪୦୬ରେ ମଝି ଆକାଶରେ ଯାନ୍ତ୍ରିକ ତ୍ରୁଟି ନେଇ ପାଇଲଟ ସୂଚନା ପାଇଥିଲେ । ପରେ କରାଚି ବିମାନବନ୍ଦର କର୍ତ୍ତୃପକ୍ଷଙ୍କଠାରୁ ଗ୍ରୀନ୍ ସିଗନାଲ ପାଇବା ପରେ ସେଠାରେ ବିମାନକୁ ଅବତରଣ କରାଯାଇଥିଲା । ବିମାନର ଇଞ୍ଜିନ ନମ୍ବର ୨ରେ ଏହି ତ୍ରୁଟି ପରିଲକ୍ଷିତ ହୋଇଥିଲା ।

କିଛିଦିନ ତଳେ ଦିଲ୍ଲୀରୁ ଦୁବାଇ ଯାଉଥିବା ସ୍ପାଇସ ଜେଟର ଏକ ବିମାନ ମଧ୍ୟ କରାଚିରେ ଲ୍ୟାଣ୍ଡିଂ କରିଥିଲା । ଏହି ବିମାନରେ ୧୫୦ ଯାତ୍ରୀ ଥିଲେ । ତେବେ ସ୍ପାଇସ ଜେଟଙ୍କଠାରୁ ଏନେଇ ସ୍ପଷ୍ଟୀକରଣ ମାଗିଥିଲେ ଡିଜିସିଏ । ପୂର୍ବରୁ ଗତ ମେ’ ୪ରେ ଚେନ୍ନାଇ-ଦୁର୍ଗାପୁର ସ୍ପାଇସ ଜେଟରେ ତ୍ରୁଟି ପରିଲକ୍ଷିତ ହୋଇଥିବାବେଳେ ମେ’ ୨୮ରେ ମୁମ୍ବାଇରୁ ଗୋରଖପୁର ଯାଉଥିବା ସ୍ପାଇସ ଜେଟରେ ତ୍ରୁଟି ଦେଖାଦେଇଥିଲା । ଜୁନ ୧୯ରେ ଦିଲ୍ଲୀରୁ ଜବଲପୁର ଯାଉଥିବା ସ୍ପାଇସ ଜେଟ, ଜୁଲାଇ ୨ରେ ଜବଲପୁର ଯାଉଥିବା ସ୍ପାଇସ ଜେଟ, ଜୁଲାଇ ୫ରେ କୁଣ୍ଡଲା-ମୁମ୍ବାଇ ସ୍ପାଇସ ଜେଟ, ଜୁଲାଇ ୫ରେ ଦିଲ୍ଲୀ-ଦୁବାଇ ସ୍ପାଇସଜେଟରେ ବି ତ୍ରୁଟି ପରିଲକ୍ଷିତ ହୋଇଥିଲା ।

ବିଶ୍ବର ଡେଙ୍ଗା ପୋଲିସ, ଦୂରରୁ ଦେଖିଲେ ଭୟରେ ଥରୁଛନ୍ତି ଅପରାଧୀ…

ଅମୃତସର:  ୭ଫୁଟ୍ ୬ଇଞ୍ଚ ଉଚ୍ଚତା । ଏହା କୌଣସି ସିଢି କିମ୍ବା ଟିଭି ଆଣ୍ଟିନା ନୁହେଁ । ଏହା ଏକ ମଣିଷର ଉଚ୍ଚତା । ବିଶ୍ବରେ ଅନେକ ଡେଙ୍ଗା ମଣିଷ ଅଛନ୍ତି ହେଲେ କେବେ ଡେଙ୍ଗା ପୋଲିସ ଅଫିସର ଥିବା ଦେଖିଛନ୍ତି କି?  ଆଜ୍ଞା ହଁ ଏପରି ଏକ ଡେଙ୍ଗା ବ୍ୟକ୍ତି ଅଛନ୍ତି ଯେ ସାଧାରଣ ଡେଙ୍ଗା ମଣିଷ ନୁହଁନ୍ତି ବିଶ୍ବର ସବୁଠାରୁ ଡେଙ୍ଗା ପୋଲିସ କର୍ମଚାରୀ । ଏହି ଡେଙ୍ଗା ବ୍ୟକ୍ତି ହେଉଛନ୍ତି  ପଞ୍ଜାବର ଜଗଦୀପ୍  ସିଂ। ବର୍ତ୍ତମାନ ସେ ଅମୃତସରର ଟ୍ରାଫିକ୍ କର୍ମଚାରୀ ଭାବେ କାମ କରିବା ସହ ସେହି ଅଞ୍ଚଳର ଜଣେ ଲୋକାଲ ସେଲିବ୍ରେଟି ଏବଂ ସେ ୨୦ ବର୍ଷ ଧରି ପୋଲିସ ଅଫିସର ଭାବେ କାର୍ଯ୍ୟରତ ।

କାନୁନର ହାତ ଲମ୍ବା କଥାଟି ତାଙ୍କ ପାଖରେ ପ୍ରଜୁର୍ଯ୍ୟ ବୋଲି କହିଲେ ଭୁଲ୍ ହେବ ନାହିଁ । ଏଠାରେ କାନୁନର ଉଭୟ ହାତ ଏବଂ ଗୋଡ଼ ଲମ୍ବା । ଏହା କଥା ଶୁଣିବାକୁ ମଜା ଲାଗିଲେ ବି ସତ । ଯେହେତୁ ସେ ଡେଙ୍ଗା ସେଥିପାଇଁ ତାଙ୍କୁ ଦେଖି ସବୁ ଅପରାଧୀ ଭୟରେ ଥରି ଉଠନ୍ତି ।

ଯଦି ଆପଣ ଜଗଦୀପଙ୍କ ସହ ସେଲଫି ଉଠାଇବାକୁ ଚାହିଁବେ ତାହେଲେ ଆପଣଙ୍କୁ ଏକ ସିଢିର ଆବଶ୍ୟକତା ପଡିବ ।  ତାଙ୍କୁ ପିଲା ଦିନରୁ ହିଁ ତାଙ୍କ ଉଚ୍ଚତା ଡେଙ୍ଗା କାରଣରୁ ତାଙ୍କୁ ସମସ୍ତେ ଟିଭି ଟାଓ୍ବାର ବୋଲି ଡାକୁଥିଲେ । ତାଙ୍କ ଉଚ୍ଚତାରେ ଏତେ ଲମ୍ବା ଯେ, ତାଙ୍କୁ ଦେଖି ଯେକେହି ଅପରାଧୀ ଭୟ କରିଯିବେ । ମୁଖ୍ୟତଃ ସେ ରୋଡରେ ନିଜର ଡ୍ୟୁଟି କରିଥାନ୍ତି କାରଣ ତାଙ୍କ ଉଚ୍ଚତା ଦେଖି ଭୟରେ ଲୋକେ କୌଣସି ପ୍ରକାର ଗଣ୍ଡୋଗୋଳ କରିନଥାନ୍ତି ।

ସବୁ ମୁଦ୍ରାର ୨ଟି ପାର୍ଶ୍ବ ଥାଏ  । ସେହିପରି ଜଗଦୀପଙ୍କ ଉଚ୍ଚତାର ମଧ୍ୟ ଉଭୟ ଭଲ ଏବଂ ଖରାପ ପାଶ୍ବ ରହିଛି । ସକରାତ୍ମକ ଦୃଷ୍ଟିରୁ  ବିଶ୍ବର ସବୁଠାରୁ ଡେଙ୍ଗା ମଣିଷ ହୋଇଥିବା ଯୋଗୁଁ ପଞ୍ଜାବରେ ତାଙ୍କର ଏକ ଭିନ୍ନ ପରିଚୟ ରହିଛି । ସବୁଠି ତାଙ୍କୁ ସେଲିବ୍ରେଟି ପରି ବ୍ୟବହାର କରାଯାଏ ଏବଂ  ସମସ୍ତେ ତାଙ୍କ ସହ ଫୋଟୋ ଉଠାନ୍ତି ଏବଂ ଭିଡ଼ ଭିତରେ ସେ ପାଲଟି ଯାଆନ୍ତି ଆକର୍ଷଣର କେନ୍ଦ୍ରବିନ୍ଦୁ ।

କିନ୍ତୁ ସେହି ଲମ୍ବା ଉଚ୍ଚତା ହିଁ ଅନେକ ସମୟରେ ତାଙ୍କୁ ଅସୁବିଧାରେ ପକାଇଥାଏ  । ଦୈନଦିନ ଜୀବନରେ ପୋଷାକ ଠାରୁ ଆରମ୍ଭ କରି ବାଇକ ଚଲାଇବାରେ ଆଦି କାର୍ଯ୍ୟରେ ତାଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ସବୁ ଜିନିଷ ପାଇଁ ତାଙ୍କୁ ସ୍ବତନ୍ତ୍ର ଡିଜାଇନ ତିଆରି କରିବାକୁ ପଡେ । ଏପରି ତାଙ୍କ ଡେଙ୍ଗାପଣ ଯୋଗୁଁ ଏଯାଏଁ ତାଙ୍କ ବିବାହ ହୋଇପାରୁ ନାହିଁ ଏବଂ କେହି ତାଙ୍କୁ ବାହା ହେବାକୁ ପସନ୍ଦ କରୁନାହାନ୍ତି ବୋଲି ସେ କହିଛନ୍ତି ।

 

ପାରିବାରିକ କଳହରୁ କରୁଣ ପରିଣତି, କାକାକୁ ହତ୍ୟା କଲା ପୁତୁରା

କଳାହାଣ୍ଡି: ସମ୍ପତ୍ତି ପାଇଁ କାକାକୁ ହତ୍ୟା କଲା ପୁତୁରା । ଏଭଳି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରରେ । କେସିଙ୍ଗାର ଭୂଷଣ ପ୍ରସାଦ କଶ୍ୟପ ଗତ ୧୨ ତାରିଖରୁ ନିଖୋଜ ଥିଲେ । ତେବେ ଆଜି ତାଙ୍କ ମୃତଦେହ ମଶାଣିମୁଣ୍ଡା ମଦଭାଟି ନିକଟରୁ ମିଳିଛି । ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଭୂଷଣଙ୍କୁ ହତ୍ୟା ଅଭିଯୋଗରେ ତାଙ୍କ ପୁତୁରା ଦୌଲତ କଶ୍ୟପକୁ ଗିରଫ କରିଛି । ପୁତୁରା ଦୌଲତ କଶ୍ୟପ ଦୋଷ ସ୍ୱୀକାର କରିବା ପରେ ତାକୁ କୋର୍ଟ ଚାଲାଣ କରାଯାଇଛି ।

ପୈତୃକ ସମ୍ପତ୍ତିକୁ ନେଇ ବିବାଦରୁ ହତ୍ୟାକାଣ୍ଡ ଘଟିଥିବା କେସିଙ୍ଗା ପୋଲିସ ସୂତ୍ରରୁ ଜଣାପଡ଼ିଛି । ଇଟା କିମ୍ବା ପଥରରେ ମୁହଁକୁ ଛେଚି ଓ ବେକରେ ଛିଡ଼ା ହୋଇ ହତ୍ୟା କରାଯାଇଥିବା ସୂଚନା ଦେଇଛି ପୋଲିସ ।

ଆସନ୍ତାକାଲିଠାରୁ ସଂସଦର ମୌସୁମୀ ଅଧିବେଶନ, ସୁରୁଖୁରୁରେ ଗୃହ ଚଳାଇବା ନେଇ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ସଂସଦର ମୌସୁମୀ ଅଧିବେଶନ । ସୁରୁଖୁରୁରେ ଗୃହ ଚଳାଇବା ନେଇ ଆଜି ସର୍ବଦଳୀୟ ବୈଠକରେ ହୋଇଛି ଆଲୋଚନା । ଚଳିତ ଅଧିବେଶନରେ ୨୪ଟି ବିଲ୍ ଆଣିବେ କେନ୍ଦ୍ର ସରକାର । କିଛିଦିନ ତଳେ କେନ୍ଦ୍ର ସରକାର ଆରମ୍ଭ କରିଥିବା ଅଗ୍ନିପଥ ଯୋଜନାକୁ ନେଇ ହୁଲସ୍ତୁଲ ହେବ ଗୃହ । ସେହିପରି ଦରଦାମ୍ ବୃଦ୍ଧି, ବେକାରୀ ସମସ୍ୟା ନେଇ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହୋଇଛନ୍ତି ବିରୋଧୀ । ଅଗଷ୍ଟ ୧୨ ତାରିଖ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ ।

ଚଳିତ ଅଧିବେଶନରେ କାଣ୍ଟନମେଣ୍ଟ ବିଲ୍, ମଲ୍ଟିଷ୍ଟେଟ କୋ-ଅପରେଟିଭ ସୋମାଇଟିଜ ବିଲ୍, କଫି ପ୍ରୋତ୍ସାହନ ଓ ବିକାଶ ବିଲ୍ ପରି କେତେକ ବିଲ୍ ଆସିବ । ଏହା ସହ ପୂର୍ବରୁ ଉଭୟ ଗୃହରେ ପଡ଼ି ରହିଥିବା ୮ଟି ବିଲ୍ ନେଇ ଆଲୋଚନା ହେବା ସମ୍ଭାବନା ଅଛି । ଗୃହକାର୍ଯ୍ୟ ସୁରୁଖୁରୁରେ ଚଳାଇବା ଲାଗି ସମସ୍ତ ଦଳଙ୍କୁ ଅନୁରୋଧ କରିଛନ୍ତି ବାଚସ୍ପତି ଓମ ବିର୍ଲା । ସଂସଦ ଆରମ୍ଭ ହେବା ସହ ଆସନ୍ତାକାଲି ରାଷ୍ଟ୍ରପତି ନିର୍ବାଚନ ହେବ । ଉଭୟ ଗୃହର ସଦସ୍ୟମାନେ ଭୋଟ ଦେବେ ।

ଜାକିର ହୁସେନ ମାର୍ଗରେ ନିର୍ମାଣ ହେବ ଓଡ଼ିଶା ଭବନ

ଭୁବନେଶ୍ୱର: ଲୋକସଭା ଓ ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ । ଓଡ଼ିଶାର ସମସ୍ୟା ନେଇ ପ୍ରଧାନମନ୍ତ୍ରୀଙ୍କୁ ଅନେକ ଚିଠି ଲେଖଛନ୍ତି ମୁଖ୍ୟମନ୍ତ୍ରୀ । ଏହି ସବୁ ସମସ୍ୟା ସଂସଦ ଅଧିବେଶନରେ ଉଠାଯିବ । ସେହିପରି NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ବିଜେଡିର ସମସ୍ତ ଭୋଟ ଯିବ ବୋଲି କହିଛନ୍ତି ବିଜେଡି ସାଂସଦ ପିନାକୀ ମିଶ୍ର । ଶତ ପ୍ରତିଶତ ଭୋଟ ଦ୍ରୌପଦୀଙ୍କୁ ଦେବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଏସବୁକୁ ବାଦ ଦେଲେ ଜାକିର ହୁସେନ ମାର୍ଗରେ ନିର୍ମାଣ ହେବ ନୂଆ ଓଡ଼ିଶା ଭବନ । ଓଡ଼ିଶା ଭବନ ପାଇଁ ୨.୭ ଏକର ଜମି ଦେଇଛନ୍ତି ହରଦୀପ ପୁରୀ । ଏନେଇ ସୂଚନା ଦେଇଛନ୍ତି ବିଜେଡି ସାଂସଦ ପିନାକୀ ମିଶ୍ର ।

ଗାଧେଇବା ହେଲା କାଳ, ବଢ଼ି ପାଣିରେ ଭାସିଗଲେ ନାବାଳକ

ଟାଙ୍ଗି: ନଦୀରେ ଗାଧେଇବା ହେଲା କାଳ । ବଢ଼ି ପାଣିରେ ଭାସିଗଲେ ନାବାଳକ । ଭାସି ଯାଇଥିବା ନାବାଳକ ହେଉଛନ୍ତି ଟାଙ୍ଗି ଛକଡିପୁ ଗାଁର ବିଜୁ ସାସମଲ । ୪ ଜଣ ସାଙ୍ଗ ଭରତ ଦାସ ବନ୍ଧକୁ ଗାଧୋଇବାକୁ ଯାଇଥିବା ବେଳେ ଭାସିଯାଇଥିଲେ ବିଜୁ । ୪ ଜଣ ସାଙ୍ଗଙ୍କ ମଧ୍ୟରୁ ବିଜୁ ପ୍ରଥମେ ପାଣିଲେ ପଶିଥିଲେ । ଏହି ସମୟରେ ବିଜୁ ପାଣିର ସୁଅରେ ଭାସି ଯିବାରୁ ଅନ୍ୟମାନେ ପାଣିକୁ ପଶିନଥିଲେ । ତେବେ ବହୁ ଖୋଜା ଖୋଜି ପରେ ମଧ୍ୟ ଏପର୍ଯ୍ୟନ୍ତ ନାବାଳକର ପତ୍ତା ମିଳିପାରିନାହିଁ ।

ରାଜଧାନୀରୁ ଧରାପଡ଼ିଲା ଆଉ ଜଣେ ରସିକିଆ, ମିଛ କହି ଏକାଧିକ ମହିଳାଙ୍କୁ କରୁଥିଲେ ବିବାହ

ଭୁବନେଶ୍ୱର: ରାଜଧାନୀରୁ ଧରପଡ଼ିଲେ ଆଉ ଜଣେ ରସିକିଆ । ମିଛ କହି ଏକାଧିକ ମହିଳାଙ୍କୁ କରୁଥିଲେ ବିବାହ । ଅନ୍ୟ ଜଣେ ମହିଳାଙ୍କ ସହ ରହୁଥିବାବେଳେ ଧରିଲେ ସ୍ତ୍ରୀ । ଏହି ରସିକିଆ ପ୍ରେମିକ ହେଉଛି ରମ୍ଭା ଅଞ୍ଚଳର ସମୀର ବେଜ୍ । ନିଜକୁ ସଫ୍ଟୱେର ଇଞ୍ଜିନିୟର କହି ଭାରତ ମାଟ୍ରିମୋନିରେ ମିଛ ତଥ୍ୟ ଦେଇ ଏକାଧିକ ବିବାହ କରିଥିବା ନେଇ ସମୀର ବେଜ୍‌ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ । ବିବାହ ପରେ ସ୍ତ୍ରୀଙ୍କୁ ନିର୍ଯାତନା ଦେଉଥିଲା ଏବଂ ତା’ପରେ ଟଙ୍କା ଓ ସୁନା ଗହଣା ହଡ଼ପ କରୁଥିଲା ।

https://www.youtube.com/watch?v=bw_Vqh-NsrY

ସମୀର ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ବାହାନା କରି ଦିଲ୍ଲୀ ଓ ରାଜସ୍ଥାନ ଯାଉଥିଲା । ସେଠାରେ ମଧ୍ୟ ସେ ଦୁଇଜଣ ମହିଳାଙ୍କୁ ବିବାହ କରିଥିବା ଅଭିଯୋଗ ରହିଛି । ସ୍ତ୍ରୀ ବାପଘରକୁ ଯିବା ପରେ ଅନ୍ୟ ଯୁବତୀଙ୍କ ସହ ରହୁଥିଲା ସମୀର । ଗତକାଲି ରାତିରେ ସମୀର ଅନ୍ୟ ଜଣେ ମହିଳାଙ୍କ ସହ ରହିଥିବା ଖବର ପାଇ ଭୁବନେଶ୍ୱର ଓଲ୍ଡ ଟାଉନ୍ ଅଞ୍ଚଳରେ ପହଞ୍ଚିଥିଲେ ତାଙ୍କ ସ୍ତ୍ରୀ । ସ୍ତ୍ରୀଙ୍କୁ ଦେଖି ଯୁବତୀଙ୍କୁ ଖସାଇ ଦେଇଥିଲା ଅଭିଯୁକ୍ତ ସମୀର ବେଜ୍ । ପୋଲିସ ପହଞ୍ଚି ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ଏୟାରଫିଲ୍ଡ ଥାନାକୁ ନେଇଛି । ପୂର୍ବରୁ କଟକ ସଦର ଥାନା ଓ ରମ୍ଭା ଥାନାରେ ଅଭିଯୋଗ କରିଥିଲେ ପତ୍ନୀ ।

ଖଇରାରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ମୃତ୍ୟୁ ପୂର୍ବରୁ ଇନଷ୍ଟାଗ୍ରାମରେ ଲେଖିଥିଲେ ଶେଷ କଥା

ସୋର: ସୋରରେ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ । ଗତକାଲି ବିଳମ୍ବିତ ରାତିରେ ମହିଳାଜଣକ କେଉଁଆଡେ ଚାଲି ଯାଇଥିବା ବେଳେ ଆଜି ଗାଁ ପାଖରେ ଥିବା ଏକ ପୋଖରୀରୁ ଉଦ୍ଧାର ହୋଇଛି ମହିଳାଙ୍କ ମୃତଦେହ । ମୃତ ମହିଳା ହେଲେ ଖଇରା ଥାନା କଇଁଥଗଡ଼ିଆ ଗାଁର ବୁଦ୍ଧଦେବ ପାତ୍ରଙ୍କ ସ୍ତ୍ରୀ ଜୟନ୍ତୀ ପାତ୍ର । ମୃତ୍ୟୁ ପୂର୍ବରୁ ନିଜ ଇନଷ୍ଟାଗ୍ରାମରେ କାଲି ମୁଁ ହୁଏତ ନଥିବି, ହେଲେ ସମୟ ବଡ ବଳବାନ ବୋଲି ଲେଖିଥିଲେ ଜୟନ୍ତୀ । ଏବଂ ଏହି ଭିଡିଓ ତାଙ୍କର ଶେଷ ଭିଡିଓ ହୋଇପାରେ ବୋଲି ରିଲ୍ସ ଭିଡିଓ ଛାଡ଼ିଥିଲେ ଜୟନ୍ତୀ । ଅନ୍ୟପଟେ ଜୟନ୍ତୀ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ତାଙ୍କ ପରିବାର ଲୋକ । ଟିକଟକ୍ ଭିଡିଓ ଓ ରିଲ୍ସ କରି ବେଶ୍ ଜଣାଶୁଣା ଥିଲେ ଜୟନ୍ତୀ ।

ଇସ୍ତଫା ଦେଲେ ଓଡ଼ିଶା ରଣଜୀ ଟିମର ମୁଖ୍ୟ କୋଚ୍ ଓ୍ୱାସିମ ଜାଫର

କଟକ: ଇସ୍ତଫା ଦେଲେ ଓଡ଼ିଶା ରଣଜୀ ଟିମ୍ ମୁଖ୍ୟ କୋଚ ୱାସିମ ଜାଫର । ଭାରତୀୟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ ଓ୍ୱାସିମ୍ ଜାଫରଙ୍କ ଇସ୍ତଫାକୁ ଗ୍ରହଣ କରିଛି କ୍ରିକେଟ ପରାମର୍ଶଦାତା । ବାଙ୍ଗଳାଦେଶ ୧୯ ବର୍ଷରୁ କମ୍ ଟିମର କୋଚ୍ ଦାୟିତ୍ୱ ତାଙ୍କୁ ମିଳିବା ପରେ ସେ ଗୋଟିଏ ସିଜିନ୍ ଆଗରୁ ଓଡ଼ିଶା ମୁଖ୍ୟ କୋଚ୍ ପଦ ଛାଡ଼ିଛନ୍ତି । ଓସିଏ ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରିବା ସହିତ ଆର. ଶ୍ରୀକାନ୍ତଙ୍କୁ ଆଗାମୀ ୨୨-୨୩ ସିଜିନ ପାଇଁ କୋଚ୍ ଦାୟିତ୍ୱ ଦେଇଛି । ଶ୍ରୀକାନ୍ତ ପୂର୍ବରୁ ଓଡ଼ିଶା ପାଇଁ ରଣଜୀ ମ୍ୟାଚ୍ ଖେଳିଥିଲା ବେଳେ ୨୦ ବର୍ଷର ପ୍ରଶିକ୍ଷକ ଅଭିଜ୍ଞତା ରଖିଛନ୍ତି ।  ଶ୍ରୀକାନ୍ତ ଏବେ ଓଡ଼ିଶା କ୍ରିକେଟ ଏକାଡେମୀର ବୈଷୟକ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି । ଶ୍ରୀକାନ୍ତ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ଲେଭଲ-୩ ସାର୍ଟିଫାଏଡ କୋଚ୍ ଭାବେ ମାନ୍ୟତା ପାଇଛନ୍ତି ।