ସୋର: ସୋରରେ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ । ଗତକାଲି ବିଳମ୍ବିତ ରାତିରେ ମହିଳାଜଣକ କେଉଁଆଡେ ଚାଲି ଯାଇଥିବା ବେଳେ ଆଜି ଗାଁ ପାଖରେ ଥିବା ଏକ ପୋଖରୀରୁ ଉଦ୍ଧାର ହୋଇଛି ମହିଳାଙ୍କ ମୃତଦେହ । ମୃତ ମହିଳା ହେଲେ ଖଇରା ଥାନା କଇଁଥଗଡ଼ିଆ ଗାଁର ବୁଦ୍ଧଦେବ ପାତ୍ରଙ୍କ ସ୍ତ୍ରୀ ଜୟନ୍ତୀ ପାତ୍ର । ମୃତ୍ୟୁ ପୂର୍ବରୁ ନିଜ ଇନଷ୍ଟାଗ୍ରାମରେ କାଲି ମୁଁ ହୁଏତ ନଥିବି, ହେଲେ ସମୟ ବଡ ବଳବାନ ବୋଲି ଲେଖିଥିଲେ ଜୟନ୍ତୀ । ଏବଂ ଏହି ଭିଡିଓ ତାଙ୍କର ଶେଷ ଭିଡିଓ ହୋଇପାରେ ବୋଲି ରିଲ୍ସ ଭିଡିଓ ଛାଡ଼ିଥିଲେ ଜୟନ୍ତୀ । ଅନ୍ୟପଟେ ଜୟନ୍ତୀ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ତାଙ୍କ ପରିବାର ଲୋକ । ଟିକଟକ୍ ଭିଡିଓ ଓ ରିଲ୍ସ କରି ବେଶ୍ ଜଣାଶୁଣା ଥିଲେ ଜୟନ୍ତୀ ।
ଇସ୍ତଫା ଦେଲେ ଓଡ଼ିଶା ରଣଜୀ ଟିମର ମୁଖ୍ୟ କୋଚ୍ ଓ୍ୱାସିମ ଜାଫର
କଟକ: ଇସ୍ତଫା ଦେଲେ ଓଡ଼ିଶା ରଣଜୀ ଟିମ୍ ମୁଖ୍ୟ କୋଚ ୱାସିମ ଜାଫର । ଭାରତୀୟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ ଓ୍ୱାସିମ୍ ଜାଫରଙ୍କ ଇସ୍ତଫାକୁ ଗ୍ରହଣ କରିଛି କ୍ରିକେଟ ପରାମର୍ଶଦାତା । ବାଙ୍ଗଳାଦେଶ ୧୯ ବର୍ଷରୁ କମ୍ ଟିମର କୋଚ୍ ଦାୟିତ୍ୱ ତାଙ୍କୁ ମିଳିବା ପରେ ସେ ଗୋଟିଏ ସିଜିନ୍ ଆଗରୁ ଓଡ଼ିଶା ମୁଖ୍ୟ କୋଚ୍ ପଦ ଛାଡ଼ିଛନ୍ତି । ଓସିଏ ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରିବା ସହିତ ଆର. ଶ୍ରୀକାନ୍ତଙ୍କୁ ଆଗାମୀ ୨୨-୨୩ ସିଜିନ ପାଇଁ କୋଚ୍ ଦାୟିତ୍ୱ ଦେଇଛି । ଶ୍ରୀକାନ୍ତ ପୂର୍ବରୁ ଓଡ଼ିଶା ପାଇଁ ରଣଜୀ ମ୍ୟାଚ୍ ଖେଳିଥିଲା ବେଳେ ୨୦ ବର୍ଷର ପ୍ରଶିକ୍ଷକ ଅଭିଜ୍ଞତା ରଖିଛନ୍ତି । ଶ୍ରୀକାନ୍ତ ଏବେ ଓଡ଼ିଶା କ୍ରିକେଟ ଏକାଡେମୀର ବୈଷୟକ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି । ଶ୍ରୀକାନ୍ତ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ଲେଭଲ-୩ ସାର୍ଟିଫାଏଡ କୋଚ୍ ଭାବେ ମାନ୍ୟତା ପାଇଛନ୍ତି ।
ଆସନ୍ତାକାଲି ହୀରାକୁଦ ଛାଡ଼ିବ ବର୍ଷର ପ୍ରଥମ ବନ୍ୟାଜଳ, ତଳମୁଣ୍ଡରେ ଥିବା ଜିଲ୍ଲାକୁ ସତର୍କତା
ସମ୍ବଲପୁର: ଆସନ୍ତାକାଲି ଖୋଲିବ ହୀରାକୁଦ ଜଳଭଣ୍ଡାର । ଦିନ ୧୧ଟାରେ ହୀରାକୁଦରୁ ଛଡ଼ାଯିବ ବର୍ଷର ପ୍ରଥମ ବନ୍ୟାଜଳ । ଗେଟ୍ ଖୋଲିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । କାଲି ସକାଳେ ପୂଜାର୍ଚ୍ଚନା କରାଯାଇ ପ୍ରଥମେ ୭ ନମ୍ବର ସ୍ଲୁଇସ ଗେଟ ଖୋଲାଯିବ । ଜଳପତ୍ତନ ଓ ପ୍ରବେଶକୁ ଦୃଷ୍ଟିରେ ରଖି ପର୍ଯ୍ୟାୟକ୍ରମେ ୫ଟି ଗେଟ ଖୋଲାଯିବ ବୋଲି ହୀରାକୁଦ ଜଳଭଣ୍ଡାରର ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।
ଗେଟ୍ ଖୋଲାଯାଉଥିବାରୁ ତଳମୁଣ୍ଡରେ ଥିବା ୧୨ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗେଟ୍ ଖୋଲିବା ପରେ ମହାନଦୀ ଓ ଶାଖାନଦୀ ଗୁଡ଼ିକରେ ଜଳସ୍ତର ବଢ଼ିବ । ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ବୋଲି କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି । ଏହି ସମୟରେ ମହାନଦୀ ଭିତରେ ବୁଲାବୁଲି ନକରିବା, ଗାଈଗୋରୁଙ୍କୁ ମହାନଦୀ ଶଯ୍ୟାକୁ ନଛାଡ଼ିବା, ମାଛ ମାରିବା ପାଇଁ ନଯିବାକୁ ପରାମର୍ଶ ଦିଆଯାଇଛି ।
ମୋଟୁରେ ବନ୍ୟା ପରିସ୍ଥିତିରେ ଆସୁଛି ସୁଧାର, ଏବେ ବି ପୁରୁଣା ମୋଟୁ ଜଳମଗ୍ନ
ମାଲକାନଗିରି: ମାଲକାନଗିରି ଜିଲ୍ଲାର ମୋଟୁରେ ବନ୍ୟା ପରିସ୍ଥିତିରେ ଆସୁଛି ସୁଧାର । ଆଜି ଧିରରେ ଧିରେ ବନ୍ୟା ଜଳ କମିବାରେ ଲାଗିଛି । ଗତକାଲି ବନ୍ୟା ପାଣି ମୋଟୁ ସ୍କୁଲ ପର୍ଯ୍ୟନ୍ତ ଆସିଥିବା ବେଳେ ଆଜି ପାଣି କମିବାରେ ଲାଗିଛି । କିନ୍ତୁ ଏବେ ବି ପୁରୁଣା ମୋଟୁ ସମ୍ପୂର୍ଣ୍ଣ ବୁଡ଼ି ରହିଛି । ଗୋଦାବରୀ ନଦୀରେ ବନ୍ୟା ଜଳ କମିବା ସହିତ ବର୍ଷା ମଧ୍ୟ କମିଛି । ଆଜି ମୋଟୁରୁ ପାଣି କମିବ ବୋଲି ଆଶା କରାଯାଉଛି ।
ଗତ ଦୁଇ ଦିନ ଧରି ମୋଟୁ ଅଂଚଳରେ ବନ୍ୟା ଜଳ ପ୍ରବାହିତ ହେବାରୁ ପ୍ରାୟ ୮୦ଟି ଘର ଭିତରେ ପାଣି ପ୍ରବେଶ କରିଥିଲା । ୪୦୦ ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର କରାଯାଇଛି । ଏହାସହ ୩୨୮ ଜଣ ହଷ୍ଟେଲ ଛାତ୍ର ଛାତ୍ରୀଙ୍କୁ MV-88 ବିଦ୍ୟାଳୟକୁ ନିଆଯାଇଛି । ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ରନ୍ଧାଖାଦ୍ୟ ସହ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଇଛି । ବନ୍ୟା ଯୋଗୁଁ ଓଡ଼ିଶା ଓ ଆନ୍ଧ୍ରକୁ ଯୋଗାଯୋଗ ମଧ୍ୟ ପ୍ରଭାବିତ ହୋଇଛି ।

