spot_img
Home Blog Page 4193

ପ୍ରବଳ ବର୍ଷାରେ ଭିଜୁଛି ଓଡ଼ିଶା, କାଲି ଯାଏ ଅବିଶ୍ରାନ୍ତ ବର୍ଷାରୁ ନାହିଁ ନିସ୍ତାର

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ପ୍ରବଳ ବର୍ଷା । ଲଗାଣ ବର୍ଷାରେ ବେହାଲ ଉପକୂଳ ଓଡ଼ିଶା । ଆସନ୍ତାକାଲି ପର୍ଯ୍ୟନ୍ତ ପ୍ରବଳ ବର୍ଷାରୁ ମିଳିବନି ନିସ୍ତାର । ସକ୍ରିୟ ଲଘୁଚାପ ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ଜାରି ରହିଛି ଅବିଶ୍ରାନ୍ତ ବର୍ଷା । ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୯ଟି ଜିଲ୍ଲାକୁ ଅରେଞ୍ଜ ଓ ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ବୌଦ୍ଧ, ସୋନପୁର, ବରଗଡ଼, ଗଞ୍ଜାମ, ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲାରେ ୭୦ରୁ ୨ଶହ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ । ଉପକୂଳ ଏବଂ ଉତ୍ତର ଓଡ଼ିଶାର ଜିଲ୍ଲା ଗୁଡ଼ିକରେ ୭୦ରୁ ୧୦୦ ମିମି ପର୍ଯ୍ୟନ୍ତ ବର୍ଷା ହେବା ସମ୍ଭାବନା ରହିଛି ।

ତେବେ ପ୍ରବଳ ବର୍ଷାରେ ତଳି ଅଞ୍ଚଳ ଜଳମଗ୍ନ ହେବ । ବର୍ଷା ସମୟରେ ଘଣ୍ଟାପ୍ରତି ୪୫ରୁ ୫୫ କିମି ବେଗରେ ପବନ ବହିବ । ଏଥିପାଇଁ ସମୁଦ୍ର ମଧ୍ୟକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ମନା କରାଯାଇଛି । ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ବର୍ଷା ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ମଙ୍ଗଳବାର ବସିବ ରାଜ୍ୟ କ୍ୟାବିନେଟ

ଭୁବନେଶ୍ୱର: ମଙ୍ଗଳବାର ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ  ଉପରେ କ୍ୟାବିନେଟ ମୋହର ବାଜିପାରେ । ଲୋକସେବା ଭବନରେ ସକାଳ ୧୦ଟାରେ ଏହି ବୈଠକ  ବସିବାକୁ ସମୟ ଧାର୍ଯ୍ୟ ହୋଇଛି । ବିଧାନସଭା ଚାଲିଥିବା ବେଳେ କ୍ଯାବିନେଟ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତିରେ ମୋହର ମାରିବା ନେଇ ଅନୁମାନ କରାଯାଉଛି  ।

 

 

ଧାମରାରେ ବନ୍ଦରରେ ପୁଳା ପୁଳା ଇଲିସି, କିଲୋ ପିଛା ୨ ହଜାର

ଭଦ୍ରକ: ଧାମରାରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡୁଛନ୍ତି ଟନ୍ ଟନ୍ ଇଲିସି ମାଛ । ହେଲେ ଚଢା ଦର ଯୋଗୁଁ ହାତ ମାରି ହେଉନି । କିଲୋ ପିଛା ଦର ରହିଛି ୧୫ ଶହ ରୁ ୨ ହଜାର ଟଙ୍କା । ଗତବର୍ଷ ମାନଙ୍କରେ ଇଲିସି ଏତେଟା ଦେଖା ଦେଇନଥିବା ବେଳେ ଏବେ କିଛିଦିନ ହେଲା ଲଗାଣ ବର୍ଷା ଆଉ ପୂର୍ବାଳି ପବନ ଯୋଗୁଁ ମତ୍ସ୍ୟଜୀବୀଙ୍କ ଜାଲରେ ୩ ଦିନ ହେଲା ଟନ୍ ଟନ୍ ଇଲିସି ପଡୁଛି । ବଡ଼ ଇଲିସିର ଚାହିଦା ଥିବାରୁ ଏହା ଦର ମଧ୍ୟ ଆକାଶ ଛୁଆଁ । ଏହି ସମୟରେ ଇଲିସି ଆମଦାନୀ ହେଉଥିବାରୁ ଖାଇବାକୁ ସମସ୍ତଙ୍କର ଇଚ୍ଛାଥାଏ ।

ତେବେ ଚଢା ଦର ଯୋଗୁଁ ଗ୍ରାହକ ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳିଛି । ପୂର୍ବାଳି ପବନ ଯୋଗୁଁ ସମୁଦ୍ରରେ ଇଲିସି ମିଠା ପାଣିକୁ ଉଠି ଆସୁଛନ୍ତି । ଆଗାମୀ ଦିନରେ ଯଦି ଏମିତି ପାଗ ରୁହେ ତେବେ ଆହୁରି ଅଧିକ ଇଲିସି ଆଦାୟ ହେବ ଓ ଦର ମଧ୍ୟ ସାମାନ୍ୟ ଶସ୍ତା ହେବ ବୋଲି ଆଶା କରିଛନ୍ତି ମତ୍ସ୍ୟଜୀବୀ । ଧାମରା ଚନ୍ଦନୀପାଳ ଅଞ୍ଚଳରେ ପାଖାପାଖି ୫ ହଜାରରୁ ଉର୍ଦ୍ଧ୍ବ ମତ୍ସ୍ୟଜୀବୀ ପରିବାର ଓ ୧୨ଶହ ବୋଟ୍ ପ୍ରତିଦିନ ସମୁଦ୍ରକୁ ମାଛ ମାରିବାକୁ ଯାଇଥାନ୍ତି । ଇଲିସି ଜାଲରେ ପଡୁଥିବାରୁ ମତ୍ସ୍ୟଜୀବୀ ଓ ଟଲର ମାଲିକ ବେସ୍ ଖୁସି ଅଛନ୍ତି । ରାଜ୍ୟ ବାହାରକୁ ରପ୍ତାନି କରି ଦୁଇ ପଇସା ରୋଜଗାର କରୁଛନ୍ତି ।

କେଜ୍ରିୱାଲ କହିଲେ, କାହିଁକି ନିର୍ବାଚନରେ ଦିଅନ୍ତି ଲୋଭନୀୟ ଉପହାର

ନୂଆଦିଲ୍ଲୀ: ଲୋକମାନଙ୍କୁ ଦିଆଯାଉଥିବା ଲୋଭନୀୟ ପ୍ରତିଶ୍ରୁତିକୁ ନେଇ ମତ ରଖିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ନିର୍ବାଚନ ସମୟରେ ଭୋଟରଙ୍କ ଉଦ୍ଦେଶ୍ୟରେ ଯେଉଁ ପ୍ରତିଶ୍ରୁତି ଦିଆଯାଉଛି ତାହା ଲାଞ୍ଚ ନୁହେଁ ବରଂ ରାଷ୍ଟ୍ରର ଦାୟିତ୍ବବୋଧ ବୋଲି ସେ କହିଛନ୍ତି । କେଜ୍ରିଓ୍ବାଲ କହିଛନ୍ତି- ଦିଲ୍ଲୀରେ ସେ ଛାତ୍ରଛାତ୍ରୀଙ୍କୁ ମାଗଣା ଶିକ୍ଷା ଦେବାର ବ୍ୟବସ୍ଥା କରିଛନ୍ତି । ଦିଲ୍ଲୀର ସରକାରୀ ବିଦ୍ୟାଳୟଗୁଡ଼ିକରେ ୧୮ ଲକ୍ଷ ଛାତ୍ରଛାତ୍ରୀ ଶିକ୍ଷାଲାଭ କରୁଛନ୍ତି । ସମସ୍ତ ସରକାରୀ ବିଦ୍ୟାଳୟଗୁଡିକର ସ୍ଥିତି ଅତି ଖରାପ ଥିଲା ।

ମାତ୍ର ବର୍ତ୍ତମାନ ସମସ୍ତ ସରକାରୀ ସ୍କୁଲର ଚିତ୍ର ବଦଳିଛି । ସେ ମାଗଣା ସୁବିଧାଗୁଡ଼ିକୁ ଗୁରୁତ୍ବ ଦେଉନାହାନ୍ତି ବରଂ ଦେଶର ଭବିଷ୍ୟତ ପ୍ରତି ଗୁରୁତ୍ବ ଦେଉଛନ୍ତି । ଦିଲ୍ଲୀରେ ମହଲା ଜରିଆରେ ମାଗଣା ସ୍ବାସ୍ଥ୍ୟସେବା ଚାଲିଛି । ସବୁବର୍ଗର ଲୋକ ଏହି ସୁବିଧା ପାଇଛନ୍ତି । ମାଗଣା ପାନୀୟଜଳ, ବିଦ୍ୟୁତ ବା ବିଶ୍ବସ୍ତରୀୟ ପ୍ରାଥମିକ ଶିକ୍ଷା ରାଷ୍ଟ୍ରର ଦାୟିତ୍ବ ବୋଲି ସେ କହିଛନ୍ତି । ଦିଲ୍ଲୀରେ ମାଗଣା ୨୦୦ ୟୁନିଟ ଓ ପଞ୍ଜାବରେ ମାଗଣା ୩୦୦ ୟୁନିଟ ବିଦ୍ୟୁତ ପ୍ରଦାନକୁ ଯଥାର୍ଥ କହିଛନ୍ତି କେଜ୍ରିଓ୍ବାଲ ।

ତରବରିଆ ଗିରଫ ଠାରୁ ଜାମିନ ମିଳିବାରେ ସମସ୍ୟା ପର୍ଯ୍ୟନ୍ତ ପ୍ରକ୍ରିୟା ଦଣ୍ଡ ସଦୃଶ: ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ଦେଶରେ ଅପରାଧ ବଢ଼ିବା ସହ ସେଗୁଡିକର ଶୁଣାଣିରେ ମଧ୍ୟ ବିଳମ୍ବ ହେବାରେ ଲାଗିଛି । ଏବେବି ଅନେକ ମାମଲା ବିଚାରଧୀନ ରହିଛି । ଏହାକୁ ନେଇ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏନଭି ରମନ୍ନା ଚିନ୍ତା ପ୍ରକଟ କରିଛନ୍ତି । ସେ କହିଛନ୍ତି ଦେଶର ୧୩୭୮ଜେଲରେ ୬.୧୦ ଲକ୍ଷ କଏଦୀଙ୍କ ମଧ୍ୟରୁ ପ୍ରାୟ ୮୦ପ୍ରତିଶତ ବିଚାରଧୀନ କଏଦୀ ରହିଛନ୍ତି । ଜୟପୁରରେ ଆୟୋଜିତ ଅଲ ଇଣ୍ଡିଆ ଲିଗାଲ ସର୍ଭିସେଜର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏହି କଥା କହିଛନ୍ତି ପ୍ରଧାନ ବିଚାରପତି ।  ବିନା ବିଚାର କରି ଗିରଫ କରିବା କାରଣରୁ ବିଚାରଧୀନ ମାମଲା ସଂଖ୍ୟା ବୃଦ୍ଧି ପାଉଛି । ତରବରିଆ ଗିରଫ ଓ ବେଲ୍ ପାଇବାରେ ସମସ୍ୟା କଏଦୀଙ୍କ ପାଇଁ ଦଣ୍ଡ ସଦୃଶ  ।

ସେ କହିଛନ୍ତି, ଭେଦଭାବପୂର୍ଣ୍ଣ ଗିରଫଠାରୁ ଆରମ୍ଭ କରି ଜାମିନ ପାଇବା ପର୍ଯ୍ୟନ୍ତ ଏବଂ ବିଚାରଧୀନ ବନ୍ଦୀଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଜେଲରେ ବନ୍ଦ ରଖିବା ସମସ୍ୟା ଉପରେ ଯଥାଶୀଘ୍ର ଧ୍ୟାନ ଦେବାର ଆବଶ୍ୟକତା ରହିଛି । ଦେଶର ଅପରାଧିକ ନ୍ୟାୟ ପ୍ରଣାଳୀର ପ୍ରଶାସନିକ ଦକ୍ଷତାକୁ ବଢାଇବାର ଆବଶ୍ୟକତା ରହିଛି । ଅପରାଧିକ ନ୍ୟାୟ ପ୍ରଣାଳୀରେ ସମ୍ପୂର୍ଣ୍ଣ ପ୍ରକ୍ରିୟା ଏକ ଦଣ୍ଡ ସଦୃଶ ଅଟେ । ବିନା କୌଣସି ମକଦ୍ଦମାରେ ଦୀର୍ଘ ସମୟ ହେବ ଜେଲରେ ବନ୍ଦ ଥିବା କଏଦୀଙ୍କ ସଂଖ୍ୟା ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି । କେବଳ ବିଚାରଧୀନ କଏଦୀଙ୍କୁ ଶୀଘ୍ର ମୁକୁଳାଇବାକୁ ସକ୍ଷମ କରିବା ପର୍ଯନ୍ତ ଲକ୍ଷ୍ୟ ସୀମିତ ନରହିବା ଆବଶ୍ୟକ । ବିନା କୌଣସି ମକଦ୍ଦମାରେ ଅଧିକ ସଂଖ୍ୟାରେ କଏଦୀ ଦୀର୍ଘ ସମୟ ପର୍ଯ୍ୟନ୍ତ ବନ୍ଦୀ ରହୁଛନ୍ତି  । ସେଦିଗରେ ପ୍ରଶ୍ନ ଉଠାଇବାର ଜରୁରୀ ।

ଜେଲ ବ୍ୟବସ୍ଥାରେ ମଧ୍ୟ ଆଧୁନୀକରଣ କରାଯିବା ଜରୁରୀ । ନ୍ୟାସନାଲ ଲିଗାଲ ସର୍ଭିସ ଅଥରିଟି ଜରିଆରେ ବିଚାରଧୀନ କଏଦୀମାନେ ମୁକୁଳିବା ପାଇଁ ଯୋଗ୍ୟ ଅଟନ୍ତି । ଯେତବେଳେ ପୋଲିସ ଗିରଫ କରୁଛି ସେ ସମୟରେ ଗିରଫ ଏକମାତ୍ର ବିକଳ୍ପ ବୋଲି ମାନୁଛି ହେଲେ ଦୁଇପକ୍ଷକୁ ସମାନ ବିଚାର କରି କାର୍ଯ୍ୟାନୁଷ୍ଠାନ ନେବା ଉଚ୍ଚିତ । ଅନେକ କଏଦୀ ବିନା କୌଣସି ଦୋଷରେ ବନ୍ଦୀ ଅଛନ୍ତି । ସେମାନେ ନିର୍ଦ୍ଦୋଶ ସାବ୍ୟସ୍ତ ହେଲା ବେଳକୁ ଦୀର୍ଘ ବର୍ଷ ବିତିଯାଉଛି । ଯାହାଫଳରେ ସେମାନଙ୍କ ମନ ଉପରେ ଏକ ନକରାତ୍ମକ ପ୍ରଭାବ ପଡୁଛି । ଅନେକ ଲୋକଙ୍କର ନ୍ୟାୟିକ ବ୍ୟବସ୍ଥା ଉପରୁ ଭରସା ତୁଟୁଛି ।

ଲୋକମାନଙ୍କ ଭରସା ହାସଲ କରିବା ଏବଂ ସେମାନଙ୍କୁ ଉଚ୍ଚିତ ନ୍ୟାୟ ଦେବା ଦିଗରେ କାର୍ଯ୍ୟ ଜାରି ଥିବା କଥା କହିଛନ୍ତି ପ୍ରଧାନ ବିଚାରପତି । ଆମେ ଧୀରେ ଧୀରେ ନ୍ୟାୟପାଳିକାରେ ସୁଧାର ଆଣିବାକୁ ଚେଷ୍ଟା କରୁଛୁ । ଏନଏଲଏସଏ ଏହାର ଏକ ଉଦାହରଣ । ଜାମିନ ଆବେଦନ ଓ ପାରୋଲ ପାଇଁ ଅନଲାଇନ ମାଧ୍ୟମରେ ବ୍ୟବସ୍ଥା କରାଯାଇଛି । ଆଶା କରାଯାଉଛି ବିଚାରଧୀନ ମାମଲା ସଂଖ୍ୟା ହ୍ରାସ ପାଇବ  ।

ଜୟପୁରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜ୍ଜୁ ମଧ୍ୟ ଉପସ୍ଥିତ ଥିଲେ । କେନ୍ଦ୍ରମନ୍ତ୍ରୀ ଏହି ଅବସରରେ କହିଥିଲେ, ଦେଶର ସମସ୍ତ କୋର୍ଟରେ ପ୍ରାୟ ୫ କୋଟି ମାମଲା ବିଚାରଧୀନ ରହିଛି । ଏହି ମାମଲାକୁ କମ୍ କରିବା ପାଇଁ ସରକାର ଏବଂ ନ୍ୟାୟପାଳିକାକୁ ମିଶି କାମ କରିବାର ଆବଶ୍ୟକତା ରହିଛି । ସେ କହିଛନ୍ତି, ଗତକାଲି ମୁଁ ବିଭାଗୀୟ ଅଧିକାରୀଙ୍କ ସହ ଏସ୍ପର୍କରେ ଆଲୋଚନା କରିଛି । ୨କୋଟି ମାମଲା ପ୍ରତି ୨ବର୍ଷରେ କିପରି ଶେଷ କରାଯିବ ସେ ଉପରେ ଆଲୋଚନା କରିଛୁ । ସବୁ ରାଜ୍ୟ ଗସ୍ତ ସମୟରେ ସବୁବେଳେ ସରକାରଙ୍କୁ ବିଚାରଧୀନ ମାମଲାକୁ ଶେଷ କରିବା ପାଇଁ କଣ ପଦକ୍ଷେପ ନେଉଛନ୍ତି ସେ ସମ୍ପର୍କରେ ପଚାରିଥାଏ ।

ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ଏନଡିଏ କଲା ଉପରାଷ୍ଟ୍ରପତି ପ୍ରାର୍ଥୀ

ନୂଆଦିଲ୍ଲୀ: ବିଜେପି ନେତୃତ୍ୱାଧୀନ ଏନଡିଏ ପକ୍ଷରୁ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି । ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ଼ଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି । ଏନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଦିଲ୍ଲାରେ ଆଜି ବିଜେପି ସଂସଦୀୟ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ନଡ୍ଡା । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ବୋର୍ଡର ଅନ୍ୟ ସଦସ୍ୟ ସାମିଲ ଥିଲେ । ସୂଚନାଯୋଗ୍ୟା ଘୋଷଣା ପୂର୍ବରୁ ଶ୍ରୀ ଧନଖଡ଼ ଆଜି ସକାଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଥିଲେ । ଉଲ୍ଲେଖଯୋଗ୍ୟ, ଉପରାଷ୍ଟ୍ରପତି ନିର୍ବାଚନରେ କେବଳ ରାଜ୍ୟସଭା ଓ ଲୋକସଭା ସାଂସଦ ଭୋଟ ଦେଇଥାନ୍ତି । ଏକାକି ବିଜେପି ପାଖରେ ମ୍ୟାଜିକ ନମ୍ବରଠାରୁ ଅଧିକ ଭୋଟ ରହିଛି ।

ଜୁଲାଇ ୧୯ ତାରିଖରେ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି  । ସେହିପରି ଆଗାମୀ ମାସ ୬ ତାରିଖରେ ନିର୍ବାଚନ ହେବାର କାର୍ଯ୍ୟକ୍ରମ ରହିଛି । ବର୍ତ୍ତମାନ ଉପରାଷ୍ଟ୍ରପତି ଥିବା ଭେଙ୍କୟା ନାଇଡୁଙ୍କ କାର୍ଯକାଳ ୧୦ ଆଗଷ୍ଟରେ ଶେଷ ହେବାକୁ ଯାଉଛି । ପୂର୍ବରୁ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ସରିଛି । ଏନଡିଏ ପକ୍ଷରୁ ଓଡିଶାର ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁ ପ୍ରାର୍ଥୀ ହୋଇଥିବା ବେଳେ ମିଳିତ ବିରୋଧୀ ପ୍ରାର୍ଥୀ ଜଶୱନ୍ତ ସିହ୍ନା ହୋଇଛନ୍ତି । ଆଗାମୀ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହେବ ଏବଂ ୨୧ ତାରିଖରେ ଫଳାଫଲ ପ୍ରକାଶ ପାଇବ ।

ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ପାଇଁ ସଂସଦରେ ସ୍ୱର ଶାଣିତ କର

ଭୁବନେଶ୍ୱର: ଓଡିଶାକୁ କେନ୍ଦ୍ର ସରକାର ସବୁ କ୍ଷେତ୍ରରେ ଅବହେଳା କରିଆସୁଛନ୍ତି । ଲୋକସଭା ଓ ରାଜ୍ୟସଭାରେ ବିଜୁ ଜନତା ଦଳର ସାଂସଦମାନେ ରାଜ୍ୟ ସ୍ୱାର୍ଥ ପାଇଁ ଗୃହରେ ସ୍ୱରକୁ ତେଜିଆନ୍ କରନ୍ତୁ । ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାକୁ ଆମ ସାଂସଦମାନେ ମିଳିତ ଭାବେ ସ୍ୱର ଉତ୍ତଳନ କରନ୍ତୁ । ବିଜେଡି ସଂସଦୀୟ ଦଳ ବୈଠକରେ ଏହି ପରାମର୍ଶ ଦେଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ସହ ରାଜ୍ୟ ସ୍ୱାର୍ଥ ସମ୍ବଳିତ ପ୍ରଶ୍ନ ନେଇ ଗତ ମେ ୩୦ରେ ମୁଁ ଏକ ବୈଠକରେ ଏକାଠି ହୋଇଥିଲି । ଏବେ ଏ ପ୍ରସଙ୍ଗଗୁଡିକୁ ଆପଣମାନେ ସଂସଦର ଆଗାମୀ ଅଧିବେଶନରେ ଦୃଢତାର ସହ ଉଠାନ୍ତୁ । ଧାର୍ଯ୍ୟ ସମୟସୀମାରେ ଓଡିଶା କିଭଳି ତାର ନାର୍ଯ୍ୟ ହକ୍ ପାଇ ପାରିବ ସେ ଦିଗରେ ଧ୍ୟାନ ଦେବାକୁ ନବୀନ କହିଛନ୍ତି । ରାଜ୍ୟରେ ପଡିରହିଥିବା ଅତିରିକ୍ତ ୫ ଲକ୍ଷ ମେଟ୍ରିକ ବଳକା ଚାଉଳ ଉଠାଣ ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ଫନି ପ୍ରଭାବିତ ଜିଲ୍ଲାଗୁଡିକରେ ୧.୮୪ ଲକ୍ଷ ଘର ଯୋଗାଣ ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ।

ଜିଲ୍ଲା ଖଣିଜ ପାଣ୍ଠିକୁ ଆୟକର ସ୍ଲାବରୁ ବାଦ୍ ଦେବାକୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛି । ବିଜେଡି ଏମପି ମାନେ ବେସ୍ ଗମ୍ଭୀରତାର ସହ ଏ ପ୍ରସଙ୍ଗକୁ ଉଭୟ ଗୃହରେ ଉଠାନ୍ତୁ । ସାଂସଦମାନଙ୍କୁ ନବୀନ କହିଲେ ରାଜ୍ୟରେ ପଡ଼ିରହିଥିବା ରେଳବାଇ ପ୍ରକଳ୍ପଗୁଡିକୁ ତୁରନ୍ତ କାର୍ଯ୍ୟକାରୀ କରିବା, ଧାନର ସର୍ବନିମ୍ନ ସହାୟକ ମୂଲ୍ୟରେ ବୃଦ୍ଧି ପାଇଁ ସ୍ୱମୀନାଥନ କମିଟିର ସୁପାରିଶକୁ ଲାଗୁ କରିବା, ବିଧାନସଭା ଓ ସଂସଦରେ ମହିଳାଙ୍କ ପାଇଁ ୩୩ପ୍ରତିଶତ ଆସନ ସଂରକ୍ଷଣ ଏବଂ ଓଡିଶା ବିଧାନ ପରିଷଦ ଗଠନ ଭଳି ପୂରଣା ଦାବିଗୁଡିକୁ ବିଜେଡି ସାଂସଦମାନେ ଗୃହରେ ଜୋରଦାର କରନ୍ତୁ ।

ରେଳ ବାଇ, ବ୍ୟାଙ୍କିଂ, ଟେଲି ସାନ୍ଦ୍ରତା, କୋଇଲା ରୟାଲିଟି, ସ୍ୱଚ୍ଛ ଶକ୍ତି ସେସ୍, ଉପକୂଳ ରାଜପଥ ନିର୍ମାଣ ଭଲି ପ୍ରସଙ୍ଗରେ କେନ୍ଦ୍ର ଓଡିଶାକୁ କ୍ରମାଗତ ଭାବେ ଅବହେଳା କରିଆସିଛି । ତେଣୁ ଆମ ସାଂସଦମାନେ ଏହାକୁ ଦୃଢ ସ୍ୱରରେ ସଂସଦରେ ଉଠାଇବାର ଆବଶ୍ୟକତା ରହିଛି । ଏହାଛଡା ମୁଖ୍ୟମନ୍ତ୍ରୀ କହିଲେ ଆମ ମାଟିର ଝିଅ ଦ୍ରୌପଦୀ ମୁର୍ମୁ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି । ଏହା ଆମ ପାଇଁ ଗୌରବର ବିଷୟ । ଓଡିଶାବାସୀ ଓ ବିଜେଡି ପକ୍ଷରୁ ଦ୍ରୌପଦୀଙ୍କୁ ସବୁ ପ୍ରକାର ସମର୍ଥନ ଯୋଗାଇବାକୁ ନବୀନ ଉଭୟ ଲୋକସଭା ଓ ରାଜ୍ୟସଭାର ଦଳୀୟ ସାଂସଦମାନଙ୍କୁ ଅପିଲ କରିଛନ୍ତି ।

ନକଲିକୁ ଅସଲି କହି ୪୦ ଲକ୍ଷରେ ବିକିଲେ

ଫରିଦାବାଦ : ଅସଲି କହି ନକଲି ମୁଦ୍ରାକୁ ୪୦ ଲକ୍ଷରେ ବିକ୍ରି କଲେ ଗୋଟିଏ ପରିବାରର ୫ ସଦସ୍ୟ । ବାପା, ମାଆ ସମେତ ୩ ପୁଅ କରୁଥିଲେ ଏଭଳି ଲୁଟ୍ । ଦୀର୍ଘ ଦିନ ଧରି ଏଭଳି କାରନାମା କରୁଥିଲା ପୂରା ପରିବାର । ଏଭଳି ଲୁଟର ମୁଖ୍ୟଧାର ଥିଲେ ପନ୍ନା ଲାଲ । ଏହି ଠକେଇରେ ପନ୍ନା ଲାଲଙ୍କ ସମେତ, ତାଙ୍କ ପତ୍ନୀ ରମା, ୩ ପୁଅ ଧର୍ମେନ୍ଦ୍ର, ରାଜନ ଓ ନିତିନ୍ ମଧ୍ୟ ସାମିଲ ଥିବା କୁହାଯାଉଛି । ସମସ୍ତ ଅଭିଯୁକ୍ତ ବଲ୍ଲଭଗଡ଼ର ଉଚ୍ଚାଗ୍ରାମର ବାସିନ୍ଦା ।

ଫରିଦାବାଦର ଗ୍ରୀନ ଫିଲ୍ଡ କଲୋନୀ ବାସିନ୍ଦା ଡାକ୍ତର ନିଶାନ୍ତଙ୍କୁ ଏକ ପରିବାର ନକଲି ସ୍ୱର୍ଣ୍ଣ ମୁଦ୍ରା ଦେଇ ଠକିଥିବା କହିଛନ୍ତି । ଏନେଇ ସେ ଜୁନ୍ ୨୮ ତାରିଖରେ ଥାନାରେ ଅଭିଯୋଗ କରିଥିଲେ । ଡାକ୍ତର ନିଶାନ୍ତ ଏମବିବିଏସ କରିଥିବା ବେଳେ କଲୋନୀରେ ତାଙ୍କର ଏକ କ୍ଲିନିକ୍ ମଧ୍ୟ ରହିଛି । ଫେବୃଆରୀ ୮ ତାରିଖ ଦିନ ଜଣେ ବ୍ୟକ୍ତି ସପରିବାର ସହ ଚିକିତ୍ସା ପାଇଁ ତାଙ୍କ କ୍ଲିନିକକୁ ଆସିଥିଲେ । ଚିକିତ୍ସା କରିବା ସମୟରେ ସେହି ବ୍ୟକ୍ତି ଜଣକ ଘୋର ଅସୁବିଧାରେ ଥିବା କହିଥିଲେ ଏବଂ ଏଥିପାଇଁ ତାଙ୍କୁ ଟଙ୍କାର ଆବଶ୍ୟକତା ରହିଛି । ତାଙ୍କ ପାଖରେ ଅନେକ ସ୍ୱର୍ଣ୍ଣ ମୁଦ୍ରା ଥିବା ସେ କହିଥିଲେ ଓ ଏହା ପ୍ରତିବଦଳରେ ଡାକ୍ତରଙ୍କଠାରୁ ସେ ଟଙ୍କା ନେବେ । ସେ ଏହା ମଧ୍ୟ କହିଥିଲେ ଯେ ଏହି ମୁଦ୍ରାଗୁଡ଼ିକ ତାଙ୍କ ପୂର୍ବପୁରୁଷଙ୍କର ଏବଂ ଏହା ସେମାନଙ୍କୁ ତାଙ୍କ ଜମି ଖୋଳିବା ସମୟରେ ମିଳିଥିଲା । ଏଥିସହ ତାଙ୍କୁ କମ୍ ଟଙ୍କାରେ ଅଧିକ ମୁଦ୍ରା ଦେବାର ଲୋଭ ଦେଖାଇଲେ । ପ୍ରଥମେ ତାଙ୍କୁ ଅଳ୍ପ କିଛି ମୁଦ୍ରା ଦେଇଥିଲେ ଯାହାକୁ ନେଇ ଡାକ୍ତର ଜଣକ ସୁନାରୀକୁ ଦେଖାଇଥିଲେ । ଏହି ମୁଦ୍ରାଗୁଡ଼ିକ ଅସଲି ଥିବା ସେ ଜାଣିବାକୁ ପାଇଲେ । ଏଭଳି ବିଶ୍ୱାସ ଜିତିବା ପରେ ବଳକା ମୁଦ୍ରାଗୁଡ଼ିକ ନକଲି ଦେଇଥିଲେ । ପନ୍ନା ଲାଲଙ୍କୁ ଡାକ୍ତର ଏହି ମୁଦ୍ରା ପ୍ରତିବଦଳରେ ୪୦ ଲକ୍ଷ ଟଙ୍କା ଦେଇଥିଲେ । ଦ୍ୱିତୀୟ ଥର ଦେଇଥିବା ସମସ୍ତ ମୁଦ୍ରା ନକଲି ଥିବା ସେ ପରେ ଜାଣିବାକୁ ପାଇଲେ ।

IICଙ୍କ ଗାଡି ଧକ୍କାରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା, ନିଲମ୍ବନ କଲେ DGP

ଭୁବନେଶ୍ୱର:  ସୋନପୁର କାର୍ ଦୁର୍ଘଟଣା ଘଟଣାରୋ ରାଜ୍ୟ ପୋଲିସର କଡା କାର୍ଯ୍ୟାନୁଷ୍ଠାନ ।  ଆଇଆଇସି ସ୍ନିଗ୍ଧାରାଣୀ ସୁନାକୁ ନିଲମ୍ବିତ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ସୁନିଲ ବଂଶଲ  । ଆଆଇସିଙ୍କ କାର୍ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିଲା  । ଏଥି ସହିତ କାର୍ ଚଲାଉଥିବା ଡ୍ରାଇଭରଙ୍କ ଲାଇସେନ୍, ନଥିବା ମଧ୍ଯ ଜଣାପଡିଥିଲା  । ସେପଟେ ପୋଲିସ ଅଧିକାରୀ ଜଣଙ୍କ ମଧ୍ୟ ଦୁର୍ଘଟମା ଘଟାଇ ଫେରାର ହୋଇଯାଇଥିଲେ  ।

ମିଳିଥିବା ସୂଚନା ମୁତାବକ  ମଙ୍ଗଳବାର ଭୋର ପ୍ରାୟ ୪ଟା ବେଳେ ବଲାଙ୍ଗିର ଜିଲ୍ଲା ରାଘବପାଲିରୁ ଅଟୋରେ ପରିବା ଧରି ୮ ଜଣ ବ୍ୟବସାୟୀ ସୋନ୍‌ପୁର ହାଟକୁ ଆସୁଥିଲେ । ସେମାନେ ୫୭ ନମ୍ୱର ଜାତୀୟ ରାଜପଥର ବଡ଼ବାହାଲି ଛକରେ  ଜଣେ ବାଇକ୍‌ ଚାଳକ ସହିତ କଥା ହେଉଥିଲେ । ଠିକ୍‌ ଏହି ସମୟରେ ସମ୍ମୁଖରୁ ଆସୁଥିବା କାର୍‌ ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ପରିବା ବୋଝେଇ ଅଟୋରେ ବସିଥିବା କୁଆବତୀ ନାୟକ, ସତ୍ୟ ପ୍ରଧାନ ଓ ପ୍ରାଣନାଥ ବିଶ୍ୱାଳଙ୍କ ମୃତ୍ୟୁ ଘଟିଥିଲା। ଏହା ସହିତ ବାଇକ୍‌ ଚାଳକ ଓ ଅଟୋରେ ଥିବା ୬ ଜଣ ଗୁରୁତର ଆହତ ହୋଇଥିଲେ ।

ପୁରୀରୁ ସୁନାବେଶ ଡ୍ୟୁଟିସାରି ଫେରିବା ବେଳେ ଦୁର୍ଘଟଣା ଘଟାଇଥିଲେ IIC ସ୍ନିଗ୍ଧାରାଣୀ ସୁନା । ଇନ୍ସପେକ୍ଟର ସୁନାଙ୍କ ନାଁରେ ଥିବା କାର ଦୁର୍ଘଟଣା ଘଟାଇଥିଲା । ସେପଟେ ପୋଲିସ ଅଧିକାରୀ ଜଣଙ୍କ  ଆହତଙ୍କୁ ହସ୍ପିଟାଲ ନେବା ପରିବର୍ତ୍ତେ ଖସି ପଳାଇଥିଲେ । ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ବାଇକ୍‌ ଚାଳକଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଭୀମଭୋଇ ମେଡ଼ିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା ।

 

ମାସ୍କ ନପିନ୍ଧିଲେ, ଭୁବନେଶ୍ୱରରେ ଜିନିଷ ମିଳିବନି

ଭୁବନେଶ୍ୱର: ମାସ୍କ ନଥିଲେ ସବୁ ମନା  । ଏମିତିକି ସାମଗ୍ରୀ ବି ମିଳିବ ନାହିଁ  । ଭୁବନେସ୍ୱର ମହାନଗର ନିଗମର କଡା ନିର୍ଦ୍ଦେଶନାମା ଜାରି ହୋଇଛି  ।  ନୋ ମାସ୍କ ନୋ ଏଣ୍ଟ୍ରି, ନୋ ମାସ୍କ ନୋ ଗୁଡ୍ସ । ବିଏମସିରେ ଏଣିକି ମାସ୍କ ବାଧ୍ୟତାମୂଳକ । କଟକଣା କଡାକଡ଼ି କରିଛି ପ୍ରଶାସନ । ମାସ୍କ ନାହିଁ ତ ପ୍ରବେଶ ନାହିଁ ଏବଂ ମାସ୍କ ନାହିଁ ତ ସାମଗ୍ରୀ ନାହିଁ ।  ପୂର୍ବ ନିୟମାବଳୀ ସହିତ ଏହି ନିର୍ଦ୍ଦେଶନାମା ପାଳନ ହେବ । ଏନେଇ ସବୁ ବ୍ୟବସାୟିକ ପ୍ରତିଷ୍ଠାନ, ସରକାରୀ ଓ ବେସରକାରୀ ସମସ୍ତ କାର୍ଯ୍ୟାଳୟ ଏପରିକି ଭୁବନେଶ୍ୱରରେ ପ୍ରବେଶ କରୁଥିବା ଯାତ୍ରୀ, ପର୍ଯ୍ୟଟକ ଓ ବ୍ୟକ୍ତିବିଶେଷଙ୍କ ପାଇଁ ଏହି ନିୟମ କଡାକଡି ଭାବେ ଲାଗୁ କରାଯାଇଛି ।

ଏପରିକି ପେଟ୍ରୋଲ ଟାଙ୍କିରେ ବି ମାସ୍କ ନପିନ୍ଧିଲେ ପେଟ୍ରୋଲ ମିଳିବ ନାହିଁ ବୋଲି ଜାରି ହୋଇଛି ନିୟମ । ପୂର୍ବଭଳି ସାମାଜିକ ଦୂରତା, ହାତ ବିଶୋଧନ, ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ବାରଣ କରାଯାଇଛି । ଏଥିରେ ଖିଲାପ କଲେ କୋଭିଡ-୧୯ ପ୍ରତିଷେଧ ଆଇନ ଅନୁଯାଇ ଜୋରିମାନା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଭୁବନେଶ୍ୱରରେ ଦିନକୁ ଦିନ ବୃଦ୍ଧି ପାଉଥିବା ସଂକ୍ରମନକୁ ପ୍ରତିହତ କରିବାକୁ ଯାଇ ବିଏମସି ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।