spot_img
Home Blog Page 4194

ବନ୍ଧୁକ ମୁନରେ ମଦ ଦୋକାନରୁ ଲୁଟ୍

କେନ୍ଦୁଝର: ବିଦେଶୀ ମଦ ଦୋକାନରେ ବୁଲିଲା କଳାକନା । ବନ୍ଧୁକ ମୁନରେ ଲୁଟି ନେଲେ ଏକ ଲକ୍ଷ ୫୬ ହଜାର ଟଙ୍କା । ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ନାରଦପୁରରେ । ଦୁଇଟି ବାଇକରେ ୫ ଦୁର୍ବୃତ୍ତ ଆସି ଏଠାରେ ଥିବା ମଦ ଦୋକାନରୁ ଲୁଟ କରିଛନ୍ତି । ଖବର ପାଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ, ଗତକାଲି ରାତି ୧୦ ଟାରେ ୨ଟି ବାଇକରେ ୫ ଜଣ ଦୁର୍ବୃତ୍ତ ମଦ ଦୋକାନରେ ପହଞ୍ଚିଥିଲେ । ଜଣେ ବାହାରେ ଥିବା ବେଳେ, ଅନ୍ୟ ୪ ଜଣ ମଦ ଦୋକାନ ଭିତରେ ପଶି ବନ୍ଧୁକ ଦେଖାଇ ଭୟଭୀତ କରିବା ସହ କର୍ମଚାରୀଙ୍କୁ ମାରପିଟ୍ କରି ୧ ଲକ୍ଷ ୫୬ ହଜାର ଟଙ୍କା ନେଇ ଯାଇଥିଲେ । ଏଥିସହ ଜଣେ କର୍ମଚାରୀଙ୍କ ମୋବାଇଲ୍ ମଧ୍ୟ ନେଇ ଯାଇଥିଲେ । ଯିବା ସମୟରେ ଦୁର୍ବୃତ୍ତମାନେ ସିସିଟିଭି କ୍ୟାମେରାର ତାର ଛିଡ଼ାଇ ଫେରାର୍ ହୋଇଯାଇ ଥିବା ସୂଚନା ମିଳିଛି ।

ସାପ କାମୁଡାରେ ନନ୍ଦନକାନନ ସିଂହୀର ମୃତ୍ୟୁ

ଭୁବନେଶ୍ବର: ସାପ କାମୁଡିବାରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଫ୍ରିକୀୟ ସିଂହୀ ଗଙ୍ଗାର ମୃତ୍ୟୁ । ମୃତ୍ୟୁ ବେଳକୁ ସିଂହୀକୁ ୧୫ ବର୍ଷ ହୋଇଥିଲା । ଏବେ ନନ୍ଦନକାନନରେ ସିଂହ ସଂଖ୍ୟା ୧୬କୁ ହ୍ରାସ ପାଇଛି । ସିଂହ ଖୁଆଡ଼ ୨୯ (ଖ)ରେ ରହୁଥିଲା ଏହି ସିଂହୀ । ବିଷାକ୍ତ ରଣା ସାପ କାମୁଡ଼ାରେ ସିଂହୀର ମୃତ୍ୟୁ ଘଟିଛି । ୨୦୧୫ରେ ସିଂହୀକୁ ଇସ୍ରାଏଲରୁ ଅଣାଯାଇଥିଲା ।

ସିଂହୀ ଖୁଆଡରୁ ଏକ ବିଷଧର ସାପ ଦେଖିବାକୁ ମିଳିଥିଲା । ତେବେ ସାପଟି କେମିତି ସିଂହୀ ଖୁଆଡକୁ ଆସିଲା ତାହାର ତଦନ୍ତ କରାଯାଉଛି ।

ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ହାତରୁ ଯିବ ଅସୀମ କ୍ଷମତା

କଲମ୍ବୋ: ଭୋକରେ ପୂରା ଶ୍ରୀଲଙ୍କା ଛଟପଟ ହେଉଥିବା ବେଳେ ଜଳୁଛି ନିଆଁ । ଭୋକ ବିକଳରେ ତ୍ରାହୀ ତ୍ରାହୀ ଡାକୁଛନ୍ତି ଲୋକେ । ସୁନାର ଲଙ୍କା ଆଜି କାଙ୍ଗାଳ । ଏଥିପାଇଁ କେବଳ ଆଉ କେବଳ ଦାୟୀ ଶ୍ରୀଲଙ୍କାର ପରିବାର କେନ୍ଦ୍ରୀକ କ୍ଷମତା ଓ ଭାରତ ବିରୋଧୀ ମନୋଭାବ । ରାଷ୍ଟ୍ରପତିଙ୍କ ଅସୀମ କ୍ଷମତା ତାଙ୍କ ପରିବାରକୁ ଶ୍ରୀଲଙ୍କର ଭାଗ୍ୟ ବିଧାତା କରିଦେବା ସହ ଚୀନ ପ୍ରଲୋଭନରେ ଫସି ଭାରତ ବିରୋଧରେ ଯିବା ଦେଶବାସୀଙ୍କ ପାଇଁ ସଜ୍ଜା ପାଲଟିଛି । ତଥାପି ଭାରତ ପଡୋଶୀ ଶ୍ରୀଲଙ୍କାକୁ ଉଦ୍ଧାର କରିବାକୁ ସହାୟତା ଯୋଗାଇ ଆସୁଛି । ଯେଉଁ କ୍ଷମତା ପାଇଁ ଆଜି ଶ୍ରୀଲଙ୍କାର ଏହି ସ୍ଥିତି, ତାହା କମିବାକୁ ଯାଉଛି ।

ଏବେ ରାଷ୍ଟ୍ରପତି ହାତରେ ଥିବା ଅସୀମ କ୍ଷମତା କମିବ । ଏଥିପାଇଁ ସମ୍ବିଧାନରେ କରାଯିବ ସଂଶୋଧନ । ଏନେଇ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେଙ୍କୁ ଭେଟିଛନ୍ତି ଶ୍ରୀଲଙ୍କାର ଅଧିକାଂଶ ଦଳର ନେତା । ୨୧ତମ ସମ୍ବିଧାନ ସଂଶୋଧନ ଜରିଆରେ ଏହି ପ୍ରସ୍ତାବ କାର୍ଯ୍ୟକାରୀ କରିବାକୁ ପ୍ରଧାନମନ୍ତ୍ରୀ ମଧ୍ୟ ସହମତି ପ୍ରକାଶ କରିଥିବା ଜଣାପଡିଛି ।

ସୂଚନାଯୋଗ୍ୟ, ୨୦ତମ ସମ୍ବିଧାନ ସଂଶୋଧନ ଜରିଆରେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ନିଜ ହାତରେ ବିପୁଳ କ୍ଷମତା ଠୁଳ କରିବାରେ ସକ୍ଷମ ହୋଇଥିଲେ । ମାତ୍ର ୨୧ତମ ସଂଶୋଧନ ହେବା ପରେ ତାଙ୍କ କ୍ଷମତା ହ୍ରାସ ପାଇବ । ଅଧିକାଂଶ ଦଳର ଦାବି ପରେ ସରକାର ବାଧ୍ୟ ହୋଇ ଏହି ସଂଶୋଧନ ଆଣିବା ନିଶ୍ଚିତ ହୋଇଛି । ଏହି ପ୍ରସଙ୍ଗରେ ଆସନ୍ତା ଜୁନ ୩ ତାରିଖରେ ଚୂଡ଼ାନ୍ତ ବୈଠକ ବସିବ । ସମ୍ବିଧାନ ସଂଶୋଧନ ପ୍ରସଙ୍ଗରେ କ୍ଷେତ୍ର ପ୍ରସ୍ତୁତ କରିବା ଲାଗି ଆଇନମନ୍ତ୍ରୀ ଓ୍ବିଜଦାସା ରାଜପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଗତ ମେ’ ୧୨ ତାରିଖରେ ପ୍ରଧାନମନ୍ତ୍ରୀ ଭାବେ ରାନିଲ ଦାୟିତ୍ବ ନେବା ପରେ ଏହି ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଥିଲା । ଦେଶରେ ଦେଖା ଦେଇଥିବା ଅଶାନ୍ତି ପରିପ୍ରେକ୍ଷୀରେ ସମ୍ବିଧାନ ସଂଶୋଧନ ଲାଗି ଆନ୍ଦୋଳନକାରୀ ଦାବି କରି ଆସୁଛନ୍ତି । ସେପଟେ ଦୁର୍ଦ୍ଦିନ କାଳରେ ଭାରତର ସହାୟତାକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ରାନିଲ ।

କଟକ ଗୁପଚୁପ ଖାଉଛନ୍ତି କି, ସାବଧାନ !

କଟକ: ନକଲି ହେଉ କି ଦୂଷିତ ଖାଦ୍ୟ, କଥା ଉଠିଲେ ଆଗ ଆସେ କଟକର ନାଁ । ପାଣି ହେଉ କି ତେଲ, ମସଲା ହେଉ କି ଘିଅ, ଏମିତି କି ସିମେଣ୍ଟ ପର୍ଯ୍ୟନ୍ତ ନକଲି ଆକୁ ନକଲି । ସେହିପରି ଦୂଷିତ ଖାଦ୍ୟ ବିକ୍ରିରେ ବି ଆଗରେ କହିଲେ ଭୁଲ ହେବ ନାହିଁ । ଏଠି ନକଲି ସହ ଦୂଷିତ ଖାଦ୍ୟ କଟକବାସୀଙ୍କ ଚିନ୍ତା ବଢାଉଛି । ଖାଲି ସାଧାରଣ ଲୋକ ନୁହଁନ୍ତି, ଏମିତି ଦୋ-ନମ୍ବରୀ କାମ ପ୍ରଶାସନ ପାଇଁ ବି ମୁଣ୍ଡବିନ୍ଧାର କାରଣ ପାଲଟିଛି । ଦୂଷିତ ପରିବେଶରେ ଗୁପଚୁପ ପ୍ରସ୍ତୁତି ବେଳେ ସିଏମସି ଚଢାଉ କରିଛି । ଶଙ୍କରପୁର ଅଞ୍ଚଳରେ ଥିବା ଗୁପଚୁପ ପଟିରେ ଚଢାଉ କରିଛନ୍ତି ସିଏମସି ସ୍ବାସ୍ଥ୍ୟ ଅଧିକାରୀ ଏବଂ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ସ୍ବତନ୍ତ୍ର ଟିମ୍ ।

ଚଢାଉ ପରେ ଗୁପଚୁପ ପଟି ଅଞ୍ଚଳ ଏକ ପ୍ରକାର ଜନଶୂନ୍ୟ ହୋଇଯାଇଛି । ବହୁ ଲୋକ ନିଜ ଝୁମ୍ପୁଡି ଛାଡି କେଉଁ ଆଡେ ଚାଲିଯାଇଛନ୍ତି । କିଛି ଝୁମ୍ପୁଡିରେ କେବଳ ମହିଳାଙ୍କୁ ଦେଖିବାକୁ ମିଳୁଛି । ଚଢାଉ ବେଳେ ଗୁପଚୁପ ଗୁଡିକ ତଳେ ପଟିରେ ଥୁଆ ହୋଇଥିବା ବେଳେ ଏହା ଉପରେ ଜରି ଢଙ୍କା ଯାଇଥିବା ଦେଖିବାକୁ ମିଳିଥିଲା । ଯାଞ୍ଚ ପରେ ପ୍ରସ୍ତୁତ ଗୁପଚୁପ, ନିମ୍ନମାନର ଜଣାପଡିବା ପରେ ସିଏମସି କର୍ମଚାରୀ ଏହାକୁ ଗାଡିରେ ଭରି ନେଇ ଯାଇଛନ୍ତି ।

ଗୁରୁତ୍ବପୂର୍ଣ୍ଣ କଥା ହେଲା ଗୁପଚୁପ ପଟିରେ ରହୁଥିବା ଲୋକେ କଟକ ସହରରେ ପ୍ରାୟ ସବୁ ଗଳିକନ୍ଦିରେ ବୁଲି ବେପାର କରିଥାନ୍ତି । ଏଠାରେ ରହୁଥିବା ଅଧିକାଂଶ ଲୋକ ଅଣ ଓଡ଼ିଆ । ବାହାର ରାଜ୍ୟରୁ ଆସି ବସ୍ତିରେ ରହି ଗୁପଚୁପ ବେପାର କରିଥାନ୍ତି । ପ୍ରଶାସନିକ ଅଧିକାରୀଙ୍କ ପକ୍ଷରୁ ଗୁପଚୁପର ମାନ ପରୀକ୍ଷା ସମୟେ ସମୟେ ହେଉ ନଥିବାରୁ ଏମାନେ ମନଇଚ୍ଛା ନିମ୍ନମାନର ଦୂଷିତ ଗୁପଚୁପ ପ୍ରସ୍ତୁତ କରି ବିକ୍ରି କରୁଥିବା ଅଭିଯୋଗ ହେଉଛି ।

ମୃତ ଛୁଆକୁ ଶୁଣ୍ଢରେ ଧରି ବୁଲୁଛି ମାଆ ହାତୀ

କୋଲକାତା: ମାଆ ପାଇଁ ନିଜ ପିଲା କେତେ ପ୍ରିୟ ସବୁ ଜାଣନ୍ତି । ଆମ ଭଳି ମଣିଷ ହେଉ କି କୌଣସି ଜୀବ, ନିଜ ଛୁଆ ପାଇଁ ବଡରୁ ବଡ ବିପଦ ଆଗରେ ଛିଡା ହୋଇଯାଇଥାନ୍ତି । ଏମିତି ବି ହୋଇଛି ପିଲାର ମୃତ୍ୟୁ ପରେ ବି ମାଆ ତା’ର ମୃତଦେହ ଛାଡି ନଯିବାର ବହୁ ଉଦାହରଣ ରହିଛି । ଏମିତି କିଛି ଦେଖିବାକୁ ମିଳିଛି ପଶ୍ଚିମବଙ୍ଗରେ । ଏକ ହାତୀ ନିଜ ମଲା ଛୁଆକୁ ଶୁଣ୍ଢରେ ଧରି ପ୍ରାୟ ଏକ କିମି ଚାଲିବା ନଜରକୁ ଆସିଛି ।

ଘଟଣାଟି ପଶ୍ଚିମବଙ୍ଗ ଜଲପାଇଗୁଡିର । ବାନାର ଘାଟିରେ ଏକ ହାତୀ ନିଜ ମଲା ଛୁଆକୁ ଶୁଣ୍ଢରେ ଟେକି ବୁଲୁଥିବା ଦେଖିବାକୁ ମିଳିଛି । ପିଲାଟିକୁ ଧରି ମାଆ ହାତୀଟି ଘାଟି ଜଙ୍ଗଲରେ ଏଣେ ତେଣେ ବୁଲୁଥିବା ବେଳେ ତାକୁ ଜଗ ରହିଛନ୍ତି ଦଳର ଅନ୍ୟ ୩୫ ହାତୀ । ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଥିଲେ ମଧ୍ୟ ମୃତ ହାତୀ ଛୁଆକୁ ଉଦ୍ଧାର କରିବାକୁ ସକ୍ଷମ ହୋଇପାରିନାହିଁ । ଛୁଆ ବଞ୍ଚିଥିବା ଆଶାରେ ମାଆ ହାତୀ ଓ ଦଳର ଅନ୍ୟ ହାତୀ ତାକୁ ଛାଡି ଯାଉ ନଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି । ମାଆ ହାତୀଟି ଛୁଆକୁ ଛାଡିବାକୁ ନାରାଜ ଥିବାରୁ ବନ କର୍ମଚାରୀ ଉଦ୍ଧାର କରିପାରୁନାହାନ୍ତି ।

ଘଟଣାର ଭିଡିଓ ପଦାକୁ ଆସିବା ପରେ ଯିଏ ଦେଖୁଛନ୍ତି, ସେମାନଙ୍କ ଆଖିରେ ଲୁହ ଆସିଯାଉଛି । ପିଲା ଜୀବିତ ଥାଉ କି ମୃତ, ମାଆର ମମତା ଓ ଭଲ ପାଇବା କେବେ କମିନଥାଏ  । ଯାହାର ଏହା ଏକ ଜ୍ବଳନ୍ତ ଉଦାହରଣ ।

୨୦ ଦେଶକୁ ବ୍ୟାପିଲା ମଙ୍କିପକ୍ସ, ଚିହ୍ନଟ ହେଲେଣି ୨୦୦ରୁ ଅଧିକ ସଂକ୍ରମିତ

ନୂଆଦିଲ୍ଲୀ: ୨୦ ଦେଶକୁ ବ୍ୟାପିଲା ମଙ୍କିପକ୍ସ । ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହେଲେଣି ୨୦୦ରୁ ଅଧିକ ସଂକ୍ରମିତ । ପ୍ରାୟ ୧୦୦ ଜଣ ସନ୍ଦିଗ୍ଧ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ମଙ୍କିପକ୍ସ ଏପରି ଏକ ଭାଇରସ ଯାହାକି ଦନ୍ତଯୁକ୍ତ ପ୍ରାଣୀ ଓ ବାନରଜାତୀୟ ପ୍ରାଣୀଙ୍କ କ୍ଷେତ୍ରରେ ଦେଖାଯାଇଥାଏ । ଏହି ୨୦୦ ସଂକ୍ରମିତଙ୍କ ମଧ୍ୟରୁ ଅଧିକାଂଶ ରୋଗୀ କେନ୍ଦ୍ର ଓ ପଶ୍ଚିମ ଆଫ୍ରିକାର ବୋଲି ବିଶ୍ବବ୍ୟାଙ୍କ କହିଛି । ୧୯୭୦ ଦଶକରେ ପ୍ରଥମ ଥର ଲାଗି କଙ୍ଗୋରେ ଏହି ସଂକ୍ରମଣ ଦେଖାଦେଇଥିଲା । ପରେ ଏହାକୁ ନିର୍ମୂଳ କରାଯାଇଥିଲା ବୋଲି ଘୋଷଣା କରାଯାଇଥିଲା ।

ମାତ୍ର ପ୍ରାୟ ୩ ଦଶନ୍ଧି ପରେ ପୁନର୍ବାର ମଙ୍କିପକ୍ସ ଚିହ୍ନଟ ହୋଇଛି । ତେବେ ମଙ୍କିପକ୍ସ ନିୟନ୍ତ୍ରଣକ୍ଷମ ବୋଲି ବିଶେଷଜ୍ଞ କହିଛନ୍ତି । ତେବେ ମଙ୍କିପକ୍ସ ସଂକ୍ରମଣ ରୋକିବା ଲାଗି ସର୍ଭେଲାନ୍ସ କରାଯିବା ସହ ସତର୍କ ରହିବା ଲାଗି ପରାମର୍ଶ ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ଏହି ସଂକ୍ରମଣ ଏବେ କାମେରନ, କଙ୍ଗୋ ଓ ନାଇଜେରିଆରେ ନିଜର କାୟା ବିସ୍ତାର କରିଛି । ମଙ୍କିପକ୍ସ ବ୍ୟାପିବ ନେଇ ବିଭିନ୍ନ ରାଷ୍ଟ୍ର ପକ୍ଷରୁ ଉଦବେଗ ପ୍ରକାଶ କରାଯାଇଛି ।

ରାଜନୀତିରେ ସାମିଲ ହୋଇପାରନ୍ତି ପାରଳା ମହାରାଜାଙ୍କ ଆଉ ଜଣେ ଦାୟାଦ

ବ୍ରହ୍ମପୁର: ରାଜନୀତିରେ ସାମିଲ ହୋଇପାରନ୍ତି ପାରଳା ମହାରାଜାଙ୍କ ଆଉ ଜଣେ ଦାୟାଦ ।  ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜକୁମାରୀ ଗଜପତି ନବନୀତା ଦେବୀ । ଦୀର୍ଘ ବର୍ଷ ପରେ ନିଜ ପିତୃପୁରୁଷଙ୍କ ମାଟିରେ ପହଞ୍ଚିବା ପରେ ସହର ପରିକ୍ରମା କରିଥିଲେ ।

ପାରଳାଖେମୁଣ୍ଡିରେ ପହଞ୍ଚି ପ୍ରଥମେ ଜଗନ୍ନାଥ ମନ୍ଦିର ପରିଦର୍ଶନ କରିବା ସହ ତହସିଲ କାର୍ଯ୍ୟାଳୟ ଗସ୍ତ କରି ନିଜର ଉତ୍ତରାଧିକାରୀ ସମ୍ପର୍କରେ ଆଲୋଚନା କରିଥିଲେ । ତେବେ ସୁଯୋଗ ମିଳିଲେ ରାଜନୀତିକୁ ଆସିପାରନ୍ତି ବୋଲି କହିଥିଲେ ରାଜକୁମାରୀ ନବନୀତା ଦେବୀ ।

ପୁଣି ଫେରିଲା ତାତି, ୪୦ ଡିଗ୍ରୀ ଉପରେ ପାରଦ

ଭୁବନେଶ୍ବର: ରାଜ୍ୟକୁ ପୁଣି ଫେରିଛି ତାତି । ବିଭିନ୍ନ ଜିଲ୍ଲାରେ ୪୦ ଡିଗ୍ରୀ ଉପରେ ପାରଦ ରହୁଛି  । ବିଶେଷକରି ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ବାଭାବିକ ଠାରୁ ଉପରମୁହାଁ ହେବାରେ ଲାଗିଛି ପାରଦ । ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ହୀରାକୁଦ, ଟିଟିଲାଗଡ଼, ସୋନପୁରରେ ଅଧିକ ତାପମାତ୍ରା ଅନୁଭୁତ ହେଉଛି ।

ସେପଟେ ଧୀରେ ଧୀରେ ସକ୍ରିୟ ହେଉଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଆସନ୍ତା ଦିନେ କି ୨ଦିନ ମଧ୍ୟରେ କେରଳ ଛୁଇଁବା ସମ୍ଭାବନା ରହିଛି । ମୌସୁମୀ କେରଳ ଛୁଇଁବା ନେଇ ଏବେ ପାଗ ଅନୁକୂଳ ରହିଛି । ଦକ୍ଷିଣ ଆରବସାଗର ଏବଂ ଏହାର ଆଖପାଖରେ ପଶ୍ଚିମା ପବନ ଶକ୍ତିଶାଳୀ ହେଉଛି । ଏହାର ପ୍ରଭାବରେ କେରଳ ଉପକୂଳ ଏବଂ ଦକ୍ଷଣ ଆରବସାଗରରେ ମେଘଖଣ୍ଡ ଠୁଳ ହୋଇଛି । ଏହା ସହ ମୌସୁମୀ ସକ୍ରିୟ ହେବା ପାଇଁ ଆନୁଷଙ୍ଗିକ ପାଣିପାଗ ନିୟାମକ ସହାୟକ ହେଉଛି । ଆଜି ଆରବସାଗର ଏବଂ ଲାକ୍ଷାଦୀପରେ ଦକ୍ଷିଣ ପଶ୍ଚିମ ମୌସୁମୀବାୟୁ ସକ୍ରିୟ ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଋଷ ହାତକୁ ଯାଉଛି ୟୁକ୍ରେନର ଗୋଟିଏ ପରେ ଗୋଟିଏ ଅଞ୍ଚଳ

କିଭ୍: ଋଷ ହାତକୁ ଯାଉଛି ୟୁକ୍ରେନର ଗୋଟିଏ ପରେ ଗୋଟିଏ ଅଞ୍ଚଳ । ପୂର୍ବ ୟୁକ୍ରେନର ରେଲଓ୍ବେ ହବ୍ ଲିମାନକୁ ଋଷ ସମର୍ଥିତ ବିଦ୍ରୋହୀ ସମ୍ପୂର୍ଣ୍ଣ କବଜା କରିବା ପରେ ଏବେ ସିଭିରୋଡୋନେସ୍କ ସହରକୁ ଘେରାବନ୍ଦୀ କରିଛନ୍ତି ଋଷ ସୈନ୍ୟ ।

ସହରର ଚାରିପଟୁ ଗୋଳବର୍ଷଣ ସହ ଏୟାରଷ୍ଟ୍ରାଇକ ଜାରି ରହିଛି । ଲିମାନକୁ ୟୁକ୍ରେନ ହାତଛଡ଼ା କରିଛି ବୋଲି ବିଧିବଦ୍ଧ ଘୋଷଣା କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତିଙ୍କ ପରାମର୍ଶଦାତା ଓଲେକସି ଆରସ୍ତୋଭିଚ । ସମଗ୍ର ପୂର୍ବ ୟୁକ୍ରେନର ଅଧିକାଂଶ ଅଞ୍ଚଳରେ ଋଷ ସୈନ୍ୟ ଆଧିପତ୍ୟ ବିସ୍ତାର କରିବାରେ ଲାଗିଛନ୍ତି ।

ଋଷ ସୈନ୍ୟ ସିଭିରୋ ଡୋନେସ୍କ ଓ ଲିସିକାନସ୍କରେ ନିଜର ପ୍ରାଧାନ୍ୟ ବିସ୍ତାର କରିବାରେ ଲାଗିଛନ୍ତି । ସିଭିରୋ ଡୋନେସ୍କ ମେୟର କହିଛନ୍ତି, ସହରର ୯୦ ପ୍ରତିଶତ କୋଠା ଧ୍ବଂସ ହୋଇଗଲାଣି । କେବଳ ଏହି ସହରରେ ୧୫ଶହରୁ ଅଧିକ ଲୋକ ପ୍ରାଣ ହରାଇଲେଣି ବୋଲି ସେ କହିଛନ୍ତି । ଗତ ଫେବ୍ରୁଆରୀରେ ସହରର ଲୋକସଂଖ୍ୟା ୧ ଲକ୍ଷ ଥିବା ବେଳେ, ବର୍ତ୍ତମାନ ମାତ୍ର ୧୨ ହଜାର ଲୋକ ରହିଥିବା ସେ କହିଛନ୍ତି । ପାଶ୍ଚାତ୍ୟ ରାଷ୍ଟ୍ରରୁ ଅସ୍ତ୍ର ଆସିବାରେ ବିଳମ୍ବର ସୁଯୋଗ ଋଷ ନେଉଛି ବୋଲି ୟୁକ୍ରେନ ପକ୍ଷରୁ କୁହାଯାଇଛି ।

ଯୁଦ୍ଧକୁ ଅଧିକ ଶକ୍ତିଶାଳୀ କରିବା ଲାଗି ଋଷ ଆଉ ୧୨ ବାଟାଲିୟନ ସୈନ୍ୟ ମୁତୟନ କରିଛି । ସେପଟେ ବ୍ରିଟେନ ବୈଦେଶିକ ମନ୍ତ୍ରୀ ଲିଜ ଟ୍ରସ କହିଛନ୍ତି, ମସ୍କୋ ସହ କୌଣସି ପ୍ରକାର କଥାବାର୍ତ୍ତା କରାଯିବ ନାହି । ଏହି ଯୁଦ୍ଧରେ ୟୁକ୍ରେନର ବିଜୟ ହେବ ।

ଆଗକୁ ଆସିପାରେ ଅଧିକ ସୁପରସାଇକ୍ଲୋନ, ଭାରତରେ ପଡ଼ିବ ଗଭୀର ପ୍ରଭାବ

ଭୁବନେଶ୍ବର: ଆଗକୁ ଆସିପାରେ ଅଧିକ ସୁପରସାଇକ୍ଲୋନ । ବିଶ୍ବ ତାପାୟନ ଓ ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ଗଭୀର ପ୍ରଭାବର ସମ୍ମୁଖୀନ ହେବ ଭାରତ । ଦେଶରେ ପ୍ରଳୟଙ୍କାରୀ ବାତ୍ୟାର ତାଣ୍ଡବ ବଢ଼ିପାରେ ବୋଲି ଚେତାବନୀ ଦେଇଛନ୍ତି ଗବେଷକ । ୨୦୨୦ରେ ଆସିଥିବା ସୁପରସାଇକ୍ଲୋନ ଅମ୍ଫନକୁ ଗବେଷଣା କରି ଏହି ତଥ୍ୟ ଜାରି କରିଛନ୍ତି ବ୍ରିଟେନର ବ୍ରିଷ୍ଟଲ ବିଶ୍ବବିଦ୍ୟାଳୟର ଗବେଷକ ।

ସାରା ଦକ୍ଷିଣ ଏସିଆରେ ତାଣ୍ଡବ ରଚିଥିବା ଅମ୍ଫନ ସବୁଠାରୁ ଅଧିକ କ୍ଷତି ଘଟାଇଥିଲା । ଜଳବାୟୁ ପରିବର୍ତ୍ତନ ଯୋଗୁ ସମୁଦ୍ର ପତ୍ତନ ବଢିବ ବୋଲି ସେମାନେ ସତର୍କ କରାଇଛନ୍ତି । କ୍ଲାଇମେଟ ରେଜିଲିନସ ଆଣ୍ଡ ସଷ୍ଟେନବିଲିଟି ଜର୍ଣ୍ଣାଲରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ବର୍ତ୍ତମାନ ଯେପରି ଗ୍ରୀନହାଉସ ଗ୍ୟାସ ନିର୍ଗତ ଘଟୁଛି ସେହି ଅନୁପାତ ଯଦି ଜାରି ରହେ ତେବେ ଭାରତ ଜନସଂଖ୍ୟାର ଅଢେଇ ଗୁଣ ଅର୍ଥାତ ବିଶ୍ବର ପ୍ରାୟ ୩୦୦ କୋଟି ଲୋକ ବନ୍ୟାର ଶିକାର ହେବେ ।

ଦକ୍ଷିଣ ଏସିଆ ସାଧାରଣତଃ ଜଳବାୟୁ ପରିବର୍ତ୍ତନର ସବୁଠାରୁ ସ୍ପର୍ଶକାତର ଇଲାକା, ଯେଉଁଥିରେ ସୁପରସାଇକ୍ଲୋନ ବାରମ୍ବାର ପରିଲକ୍ଷିତ ହୋଇଆସିଛି । ବିଶ୍ବ ତାପାୟନ ୨ ଡିଗ୍ରୀରୁ ୧ ଦଶମିକ ୫ ଡିଗ୍ରୀକୁ ହ୍ରାସ କରିବା ଲାଗି ଘୋଷଣାନାମା ଜାରି  ହୋଇଥିଲେ ମଧ୍ୟ ତାହା ସଠିକ କାର୍ଯ୍ୟକାରୀ ହୋଇପାରୁନାହିଁ । ଉଭୟ ବାଂଲାଦେଶ ଓ ଭାରତରେ ଏହି ପରିବର୍ତ୍ତନର ପ୍ରଭାବ ଯଥେଷ୍ଟ ପଡ଼ିବ ଏବଂ ୩ ମିଟରରୁ ଅଧିକ ଉଚ୍ଚତାର ଜୁଆର ମାଡିଆସିପାରେ ବୋଲି ସେମାନେ ସତର୍କ କରାଇଛନ୍ତି ।