spot_img
Home Blog Page 4199

ଅର୍ଥନୈତିକ ସଙ୍କଟକୁ ନେଇ ଇସ୍ତଫା ଦେଲେ ଇଟାଲୀ ପ୍ରଧାନମନ୍ତ୍ରୀ ମାରିଓ ଦ୍ରାଘି

ରୋମ୍: ଇଟାଲୀ ପ୍ରଧାନମନ୍ତ୍ରୀ ମାରିଓ ଦ୍ରାଘି ଦେଲେ ଇସ୍ତଫା । ଦେଶରେ ଅର୍ଥନୈତିକ ସଂକଟକୁ ନେଇ ସହଯୋଗୀ ଦଳ ଫାଇଭ ଷ୍ଟାର ଦଳର ସମର୍ଥନ ପ୍ରତ୍ୟାହାର ପରେ ଇସ୍ତଫା ଦେଇଛନ୍ତି ଦ୍ରାଘି । ଇସ୍ତଫା ପତ୍ରକୁ ରାଷ୍ଟ୍ରପତିଙ୍କୁ ସେ ଦେଇଛନ୍ତି । କିଛି ଦିନ ଧରି ଅର୍ଥନୈତିକ ପ୍ୟାକେଜକୁ ନେଇ ବିବାଦ ଚାଲିବା ପରେ ସେ  ଇସ୍ତଫା ଦେଇଛନ୍ତି । ଗତବର୍ଷ ଫେବ୍ରୁଆରୀରୁ ମାରିଓ ଦ୍ରାଘି ଥିଲେ ଇଟାଲିର ପ୍ରଧାନମନ୍ତ୍ରୀ । ଏକ ବାର୍ତ୍ତାରେ ସେ କହିଛନ୍ତି ଦେଶରେ ଏକ ମିଳିତ ସରକାର ଲାଗି ସେ ସମସ୍ତ ଚେଷ୍ଟା କରିଥିଲେ ବି ତାହା ବିଫଳ ହୋଇଛି । ଦେଶବାସୀ ଓ ବ୍ୟବସାୟୀଙ୍କ ଲାଗି ୨୩ ବିଲିୟନ ୟୁରୋର ପ୍ୟାକେଜକୁ ନେଇ ଅସନ୍ତୁଷ୍ଟ ଥିଲେ ଫାଇଭ୍ ଷ୍ଟାର ଦଳ ନେତା ଗୁଏସେପେ କୋଣ୍ଟେ । ଲୋକଙ୍କ ଜୀବନର ମାନବୃଦ୍ଧି ଲାଗି ସରକାର ଅକ୍ଷମ ବୋଲି ଦର୍ଶାଇଥିଲେ କୋଣ୍ଟେ ।

ଆଜିଠୁ ମାଗଣା ବୁଷ୍ଟର ଡୋଜ, ୧୮ରୁ ୫୯ ବର୍ଷ ବୟସ୍କଙ୍କୁ ମିଳିବ ମାଗଣା ପ୍ରିକସନ୍ ଭ୍ୟାକସିନ୍

ଭୁବନେଶ୍ୱର: ଆଜିଠୁ ମିଳିବ ମାଗଣା ବୁଷ୍ଟର ଡୋଜ୍ । ୧୮ରୁ ୫୯ ବର୍ଷ ବୟସ୍କଙ୍କୁ ମିଳିବ ମାଗଣା ବୁଷ୍ଟର ଡୋଜ୍ । ଆଗାମୀ ୭୫ ଦିନ ପର୍ଯ୍ୟନ୍ତ ଏହି ଡ୍ରାଇଭ ଜାରି ରହିବ । ଏବେ ରାଜ୍ୟରେ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଛି ତେଣୁ ସମସ୍ତ ବର୍ଗର ଲୋକଙ୍କୁ ଟିକାକରଣ ଉପରେ ଗୁରୁତ୍ୱ ଦେଉଛି ସ୍ୱାସ୍ଥ୍ୟ ବିଭାଗ । ରାଜ୍ୟରେ ପାଖାପାଖି ୩ ହଜାର ସରକାରୀ ଟିକାକରଣ କେନ୍ଦ୍ର ରହିଛି । ସେଠାରେ ମାଗଣାରେ ବୁଷ୍ଟର ଡୋଜ୍ ପ୍ରଦାନ କରାଯିବ ।

ବୁଷ୍ଟର ଡୋଜ୍ ଟିକା ପଞ୍ଜିକରଣ ପାଇଁ ଉଭୟ ଅନଲାଇନ ଓ ଅଫଲାଇନ ବ୍ୟବସ୍ଥା କରାଯାଇଛି । ଟିକାକରଣ କେନ୍ଦ୍ରଗୁଡ଼ିକରେ ଟିକା ଦେବା ପାଇଁ ପ୍ରଯ୍ୟାପ୍ତ ପରିମାଣରେ ସ୍ୱାସ୍ଥ୍ୟକର୍ମୀ ରହିଛନ୍ତି । ରାଜ୍ୟରେ ଏହି ବର୍ଗର ମୋଟ ୨ କୋଟି ୬୫ ଲକ୍ଷ ୮୫ ହଜାର ଲୋକ ଅଛନ୍ତି । ସେଥିମଧ୍ୟରୁ ମାତ୍ର ୧ ଲକ୍ଷ ୫୦ ହଜାର ହିତାଧିକାରୀ ପ୍ରିକସନ୍ ଡୋଜ ନେଇଛନ୍ତି । ଅର୍ଥାତ ୯୯ ପ୍ରତିଶତ ଲୋକ ବୁଷ୍ଟରଡୋଜ୍ ନେଇନାହାନ୍ତି ।

୧୦ ଜିଲ୍ଲାରେ ସୀମିତ ରହିଛି ମାଓବାଦୀ କାର୍ଯ୍ୟକଳାପ

ଭୁବନେଶ୍ବର: ରାଜ୍ୟର ୧୦ଟି ଜିଲ୍ଲାରେ ମାଓବାଦୀଙ୍କ କାର୍ଯ୍ୟକଳାପ ସୀମିତ ରହିଛି । ମାଲକାନଗିରି ସ୍ବାଭିମାନ ଅଞ୍ଚଳଠୁ ଆରମ୍ଭ କରି କଳାହାଣ୍ଡି, ରାୟଗଡା, କନ୍ଧମାଳ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ପ୍ରଶାସନର ଲୋକଭିମୁଖୀ କାର୍ଯ୍ୟ ଯୋଗୁଁ ମାଓ କାର୍ଯ୍ୟକଳାପ ହ୍ରାସ ପାଇଛି । ବିଧାନସଭା ଗୃହ ବିଭାଗ ସମ୍ପର୍କିତ ଷ୍ଟାଣ୍ଡିଂ କମିଟି ରିପୋର୍ଟରେ ଏହି ତଥ୍ୟ ଦିଆଯାଇଛି । ୨୦୨୧ରେ ୨୮ଟି ମାଓବାଦୀ କାର୍ଯ୍ୟକଳାପ ସଙ୍ଗଠିତ ହୋଇଥିବା ବେଳେ ଦୁଇଜଣ ସାଧାରଣ ନାଗରିକ ଓ ଜଣେ ସୁରକ୍ଷାକର୍ମୀଙ୍କ ପ୍ରାଣହାନୀ ଘଟିଥିଲା । ୮ ହାର୍ଡକୋର ମାଓବାଦୀ ଗିରଫ ହୋଇଥିଲେ ।

ମାଲକାନଗିରି, କଳାହାଣ୍ଡି, ବଲାଙ୍ଗୀର ଓ ବରଗଡରେ ମାଓବାଦୀଙ୍କ ସହ ସମ୍ପର୍କ ଅଭିଯୋଗରେ ୨୩୬ ଜଣଙ୍କୁ ଗିରଫ କରାଯାଇଛି । ୨୦୨୧ରେ ମୋଟ ଏକ ଲକ୍ଷ ୫୫ ହଜାର ୪୨୦ଟି ଧର୍ତ୍ତବ୍ୟ ମାମଲା ପଞ୍ଜିକୃତ ହୋଇଛି । ୨୦୨୧ରେ ମୋଟ୍ ୧୩୯୪ଟି ହତ୍ୟା ୫୫୫୨ଟି ଡକାୟତି, ୨୮୨୬ଟି ଲୁଟ, ୫୧୩୩ ସିନ୍ଧିଚୋରି, ୧୩ ହଜାର ୨୪ଟି ଚୋରି, ୩୩୦୦ ଦୁଷ୍କର୍ମ ମାମଲା ପଞ୍ଜିକୃତ ହୋଇଛି । ମହିଳାଙ୍କ ବିରୋଧରେ ହୋଇଥିବା ଅପରାଧକୁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ବ ଦେଉଥିବାରୁ ୨୦୨୧ରେ ୧୧୬ଟି ମାମଲାକୁ ରେଡପ୍ଲାଗ ମାମଲା ଭାବେ ବିବେଚନା କରି ତଦନ୍ତ କରିଥିଲା । ଏହିସବୁ ମାମଲାର ତଦନ୍ତ ପାଇଁ ସ୍ବତନ୍ତ୍ର ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଥିଲା । ରେଡଫ୍ଲାଗ ମାମଲାରେ ୨୦୨୧ରେ ଅପରାଧ ସାବ୍ୟସ୍ତ ହାର ୪୫.୨୮ ପ୍ରତିଶତ ଥିଲା । ନାବାଳକ ଶିଶୁଙ୍କ ଅପହରଣକୁ ନେଇ ରାଜ୍ୟ ସରକାର ସ୍ବତନ୍ତ୍ର ଭାବେ ଆଣ୍ଟି ହ୍ୟୁମନ ଟ୍ରାଫିକିଂ ୟୁନିଟ୍ ସ୍ଥାପନ କରିଛନ୍ତି ।  ଏହାଦ୍ବାରା ୨୫୮ ପୁଅ ଓ ୧୫୦୬ ଝିଅଙ୍କୁ ଉଦ୍ଧାର କରାଯାଇପାରିଛି ।

୨୦୨୧ରେ ୭୭ଟି ସାଇବର ଅପରାଧ ପଞ୍ଜିକୃତ ହୋଇଛି । ଏଥିରେ ୧୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୩ଟି ଘଟଣାରେ ଆନ୍ଥଃରାଜ୍ୟ ଅପରାଧୀଙ୍କ ସମ୍ପୃକ୍ତି ରହିଥିଲା । ସେହିଭଳି ୨୦୨୧ରେ ୧୭ଟି ଅର୍ଥନୌତିକ ଅପରାଧୀକ ମାମଲାରେ ୨୬ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କୁ ମୋଟ ୪ କୋଟି ୭୦ ଲକ୍ଷ ଟଙ୍କା ଜବତ କରାଯାଇଛି । ସେହିଭଳି ରାଜ୍ୟରେ ୨୦୨୧ରେ ୨୮ଟି ବେଆଇନ ମାଦକ ଦ୍ରବ୍ୟ ଚୋରା ଚାଲଣ ମାମଲା ପଞ୍ଜିକୃତ ହୋଇଛି ।

ଏଣିକି ରାଜ୍ୟରେ ହେବ ଶିଶୁଙ୍କ ଲିଭର୍ ଟ୍ରାନ୍ସପ୍ଲାଣ୍ଟ

ଭୁବନେଶ୍ବର: ଶିଶୁମାନଙ୍କ କ୍ଷେତ୍ରରେ ଲିଭର ଟ୍ରାନ୍ସପ୍ଲାଣ୍ଟ କରିବା ପାଇଁ ଆଜି ବେଙ୍ଗଳୁରୁ ଆସ୍ତର ସିଏମଆଇ ହସପିଟାଲ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସ୍ବାକ୍ଷର ହେଲା ବୁଝାମଣାପତ୍ର । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ଓ ବିଭାଗୀୟ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳଙ୍କ ଉପସ୍ଥିତିରେ, ଆସ୍ତର ସିଏମଆଇ ହସପିଟାଲ ପକ୍ଷରୁ ଆଞ୍ଚଳିକ ନିର୍ଦ୍ଦେଶକ ଡାକ୍ତର ନିତିଶ ସେଟ୍ଟୀ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଡିଏମଇଟି ଡାକ୍ତର ଉମାରମଣ ମହାନ୍ତି ଏହି ବୁଝାମଣାପତ୍ରରେ ସ୍ବାକ୍ଷର କରିଛନ୍ତି । ଏହି ସୁବିଧା ପ୍ରଥମ ଥର ପାଇଁ ଏସସିବି ମେଡିକାଲରେ ଉପଲବ୍ଧ ହେବ । ଏଠାରେ ଆସ୍ତର ହସ୍ପିଟାଲ ଡାକ୍ତରମାନେ ଯକୃତ ରୋଗରେ ପୀଡିତ ଶିଶୁମାନଙ୍କ ପରୀକ୍ଷା କରିବା ପରେ ଅସ୍ତ୍ରୋପଚାରର ଅବଶ୍ୟକତା ପଡ଼ିଲେ ସେମାନଙ୍କୁ ଉନ୍ନତ ଚିକିତ୍ସାସେବା ଯୋଗାଇଦେବେ ।

ଏହାସହ ଆସ୍ତର ପକ୍ଷରୁ ଡାକ୍ତର, ନର୍ସ, ପାରାମେଡିକ୍ସମାନଙ୍କୁ ଲିଭର ଟ୍ରାନ୍ସପ୍ଲାଣ୍ଟ ସମ୍ପର୍କିତ ସମସ୍ତ ପ୍ରକାର ତାଲିମ ପ୍ରଦାନ କରାଯିବ । ଏହି ବୁଝାମଣାପତ୍ର ସ୍ବାକ୍ଷରିତ ହେବାଦ୍ବାରା ରାଜ୍ୟରେ ସୁପରସ୍ପେସିଆଲିଟି ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ ହୋଇଛି ବୋଲି କହିଛନ୍ତି ମନ୍ତ୍ରୀ । ଏହାଦ୍ବାରା ପ୍ରକୃତ ରୋଗୀ ବିନାମୂଲ୍ୟରେ ଅତ୍ୟାଧୁନିକ ଚିକିତ୍ସା ସୁବିଧା ପାଇପାରିବ । ଏଥିପାଇଁ ଆଉ ଖର୍ଚ୍ଚାନ୍ତ ହୋଇ ରାଜ୍ୟ ବାହାରକୁ ଯିବାକୁ ପଡ଼ିବ ନାହିଁ । ସରକାରଙ୍କ ଯୋଜନା ଅନୁଯାୟୀ ଆଗାମୀ ଦିନରେ ବୟସ୍କମାନଙ୍କୁ ମଧ୍ୟ ଲିଭର ଟ୍ରାନ୍ସପ୍ଲାଣ୍ଟ ସୁବିଧା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି । ଏହି ଅବସରରେ ଅତିରିକ୍ତ ଡିଏମଇଟି ଡାକ୍ତର ଉମାକାନ୍ତ ଶତପଥୀ, ଆସ୍ତର ସିଇଓ ରମେଶ କୁମାର ଏସ୍, ଡାକ୍ତର ସୋନାଲ ଆସ୍ଥାନା ପ୍ରମୁଖ ଉପସ୍ଥିତ ଥିଲେ ।

ଇସ୍ତଫା ଦେଲେ ଗୋଟାବାୟା

କଲମ୍ବୋ: ଶେଷରେ ଇସ୍ତଫା ଦେଲେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ । ମାଳଦ୍ବୀପରୁ ଯାଇ ସିଙ୍ଗାପୁରରେ ପହଞ୍ଚିବା ପରେ ସେ ଦେଇଛନ୍ତି ଇସ୍ତଫା । ଗୋଟାବାୟା ଇସ୍ତଫା ଦେବା ପରେ ଲୋକେ ବାଣ ଫୁଟାଇବା ସହ ନାଚକୁଦ କରି ଖୁସି ମନାଇଛନ୍ତି । ଗୋଟାବାୟାଙ୍କ ଇସ୍ତଫା ନେଇ ସୂଚନା ଦେଇଛନ୍ତି ବାଚସ୍ପତି । ଫଳରେ ଶ୍ରୀଲଙ୍କାରେ ରାଷ୍ଟ୍ରପତିଙ୍କ ଇସ୍ତଫା ନେଇ ଚାଲିଥିବା ସସପେନ୍ସର ଅବସାନ ଘଟିଛି ।

ସେପଟେ ସିଙ୍ଗାପୁର ସରକାର କହିଛନ୍ତି ଗୋଟାବାୟଙ୍କ ସିଙ୍ଗାପୁର ଗସ୍ତ ସମ୍ପୂର୍ଣ୍ଣ ବ୍ୟକ୍ତିଗତ । ସରକାରଙ୍କ ସହ ଏହାର ସମ୍ପର୍କ ନାହିଁ । ସେ ଶରଣପ୍ରାର୍ଥୀ ହେବା ଲାଗି ଆବେଦନ କରି ନଥିବା କହିଚନ୍ତି ସିଙ୍ଗାପୁର ସରକାର । ଦେଶରେ ଆନ୍ଦୋଳନ, ଅରାଜକତା ତୀବ୍ର ହେଉଥିବା ପରିପ୍ରେକ୍ଷୀରେ ଦେଶ ଛାଡ଼ି ପଳାୟନ କରିଥିଲେ ରାଜପକ୍ଷେ । ତାଙ୍କ ପଳାୟନ ପରେ ରାଷ୍ଟ୍ରପତି ଭବନରେ ହଜାର ହଜାର ଆନ୍ଦୋଳନକାରୀ ପ୍ରବେଶ କରି ହଙ୍ଗାମା ସୃଷ୍ଟି କରିଥିଲେ ।

୨୭ ବର୍ଷ ପରେ ଫେରିଲେ ସ୍ବାମୀ, ବିଧବା ପତ୍ନୀଙ୍କୁ ପୁଣି କଲେ ସଧବା

କଟକ: ୩ ବର୍ଷ ତଳେ ଶୁଦ୍ଧିକ୍ରିୟା ସରିଥିଲା । ହେଲେ ହଠାତ ଘରକୁ ଫେରିଲେ ମୃତ ବୋଲି ଭାବି ନିଆଯାଇଥିବା ବ୍ୟକ୍ତି । ସ୍ବାମୀ ଲେଉଟିବା ପରେ ପୁଣି ସିନ୍ଦୂର ପିନ୍ଧିଲେ ସ୍ତ୍ରୀ । ହାତରେ ଶଙ୍ଖା ପିନ୍ଧି ସଧବା ସାଜିଲେ । କଟକ ଜିଲ୍ଲା ସଦର ଥାନା ସଇଁଦା ଗାଁରେ ଘଟିଛି ଏଭଳି ଘଟଣା । ୨୭ ବର୍ଷ ହେଲା ନିଖୋଜ ଥିବା ସ୍ବାମୀ ଫେରି ଆସିବା ପରେ ଘରେ ଖେଳିଯାଇଛି ଖୁସିର ଲହରୀ । ବିଧବା ସାଜିଥିବା ପତ୍ନୀଙ୍କୁ ନିଜ ହାତରେ ଶଙ୍ଖା ଓ ସିନ୍ଦୂର ଦେଇ ସ୍ବାମୀ ସଜାଇଛନ୍ତି ସଧବା ।

ଆନନ୍ଦ ଓ ହୁଳହୁଳିର କୋଳାହଳରେ ଭରିଲା ହାତ, ପୂରିଲା ମଥା । ୨୭ ବର୍ଷ ପରେ ଫେରିଲା ସୁହାଗ ସିନ୍ଦୂର । ଇଏ ସେହି ଦମ୍ପତି, ସ୍ବପ୍ନାରାଣୀ ଓ ସ୍ବପ୍ନେଶ୍ବର । ଯାହାଙ୍କ ପାଇଁ ଆଜି ପରିବାରରେ ଖୁସି, ଗାଁରେ ଉଲ୍ଲାସ । କାରଣ ୩ ବର୍ଷ ତଳେ ମୃତ ଭାବି ଶୁଦ୍ଧକ୍ରିୟା ସରିଥିବା ସ୍ବାମୀଙ୍କର ହୋଇଛି ଘର ବାହୁଡ଼ା । ପୁଣି ବିଧବା ପତ୍ନୀଙ୍କ ହାତକୁ ଫେରିଛି ଶଙ୍ଖା । ସ୍ବପ୍ନାରାଣୀଙ୍କ ସିନ୍ଥିରେ ଦାଉଦାଉ ହୋଇଛି ସ୍ବପ୍ନେଶ୍ବର ପିନ୍ଧାଇ ଦେଇଥିବା ସିନ୍ଦୂର ।

ସଇଁଦା ଗାଁର ସ୍ବପ୍ନାରାଣୀ ଓ ସ୍ବପ୍ନେଶ୍ବର । ପରସ୍ପରର ହାତ ଧରି ସଂସାର ଗଢ଼ିଥିଲେ । ହେଲେ ୨୭ ବର୍ଷ ତଳେ ମାନସିକ ରୋଗରେ ଆକ୍ରାନ୍ତ ହୋଇ କେଉଁ ଆଡ଼େ ଚାଲିଯାଇଥିଲେ ସ୍ବପ୍ନେଶ୍ବର । ସ୍ବାମୀଙ୍କ ଫେରିବା ବାଟକୁ ଚାହିଁ ଚାହିଁ ସ୍ତ୍ରୀ ବିତାଇ ଦେଇଥିଲେ ୨୪ବର୍ଷ । ପରେ ସ୍ବପ୍ନେଶ୍ବରଙ୍କୁ ମୃତ ଭାବି ହିନ୍ଦୁ ରୀତିନୀତି ଅନୁସାରେ ଶୁଦ୍ଧିକ୍ରିୟା କରିଥିଲେ । ମାତ୍ର ପରେ ସ୍ବପ୍ନେଶ୍ବର ରାଜସ୍ଥାନର ଭରତପୁରରେ ଥିବା ଜଣାପଡ଼ିଥିଲା । ସେଠାରୁ ସ୍ବେଚ୍ଛାସେବୀଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରିଥିଲେ ପରିବାର ଲୋକେ ।

ଖୋଲୁଛି ମଣିଷ ମରା ଲେଡି ଇନ୍ସପେକ୍ଟରଙ୍କ ଦୁର୍ଘଟଣା ଗୁମର

ନୟାଗଡ଼: ସୁବର୍ଣ୍ଣପୁର ଜିଲ୍ଲା ଖାରୀ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାର ଖୋଲୁଛି ଗୁମର । ଇନ୍ସପେକ୍ଟର ମ୍ୟାଡାମଙ୍କ ଗାଡ଼ି ଚଳାଉଥିଲେ ଲାଇସେନ୍ସ ନଥିବା ଡ୍ରାଇଭର । ଦୁର୍ଘଟଣା ଘଟାଇଥିବା ପୋଲିସ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନାଙ୍କ ଡ୍ରାଇଭରଙ୍କର ନଥିଲା ଲାଇସେନ୍ସ ।  ଡ୍ରାଇଭର ଅଜୟ ଜଟିଙ୍କୁ ଗିରଫ କରି ପଚରାଉଚରା ପରେ ସାମ୍ନାକୁ ଆସିଛି ସତ ।

ଦୁର୍ଘଟଣା ସମୟରେ ଗାଡ଼ିରେ ସ୍ନିଗ୍ଧାରାଣୀଙ୍କ ସହିତ କେବଳ ଡ୍ରାଇଭର ହିଁ ଥିଲେ । ଲାଇସେନ୍ସ ନଥିବା ଜାଣି ମଧ୍ୟ ଅଜୟଙ୍କୁ ଗାଡ଼ି ଚଳାଇବାକୁ ଦେଇଥିଲେ ସ୍ନିଗ୍ଧାରାଣୀ । ଅଜୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବାବେଳେ ଇନ୍ସପେକ୍ଟଙ୍କ ନାଁରେ ରୁଜୁ ହୋଇଛି ମାମଲା । ବିନା ଲାଇସେନ୍ସରେ ନିଜ ଗାଡି ଅନ୍ୟକୁ ଚଳାଇବାକୁ ଦେବା ଓ ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଫେରାର ହେବା ଅଭିଯୋଗରେ ତାଙ୍କ ନାଁରେ ୧୮୦ ଓ ୧୮୭ ଏଭି ଆକ୍ଟରେ ମାମଲା ରୁଜୁ ହୋଇଥିବା ଏସପି କହିଛନ୍ତି ।

ଗତ ୧୨ତାରିଖରେ ବଲାଙ୍ଗୀର-ସୋନପୁର ଜାତୀୟ ରାଜପଥ ବଡ଼ବାହାଲ ନିକଟରେ ଘଟିଥିଲା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରଙ୍ଗ ରୁଟରେ ଆସି ଏକ ଅଟୋକୁ ଧକ୍କା ଦେଇଥିଲା ଇନ୍ସପେକ୍ଟର ସ୍ନିଗ୍ଧାରାଣୀଙ୍କ କାର୍ ।   ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୬ ଜଣ ଗୁରୁତର ହୋଇଥିଲେ ।

ବିଏସକେୱାଇ ସ୍ମାର୍ଟ କାର୍ଡ ବଞ୍ଚାଇ ଦେଲା ୨ ଦିନ ଶିଶୁର ଜୀବନ

ନୟାଗଡ଼: ଜନ୍ମ ପରେ ପିଲାଟି କାନ୍ଦିଲା ନାହିଁ । ନିଶ୍ବାସ ପ୍ରଶ୍ବାସରେ କଷ୍ଟ ହେଲା । ତା’ ସାଙ୍ଗକୁ ବାହାରିଲା ବାତ । ଶରୀର ନୀଳ ପଡ଼ିଗଲା । ଗୁରୁତର ହୋଇପଡ଼ିଲା ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ାର ୨ ଦିନର ଶିଶୁ । ପର ଅଟୋ ଚଳାଇ ପରିବାର ସମ୍ଭାଳୁଥିବା ବାପା ପୁରୁଷୋତ୍ତମଙ୍କ ମୁଣ୍ଡ କାମ କଲା ନାହିଁ । ପୁଅର ଚିକିତ୍ସା ପାଇଁ ନୟାଗଡ଼, ଖୋର୍ଦ୍ଧା, ଭୁବନେଶ୍ବର ଓ କଟକ ଘୂରି ବୁଲିଲେ ବାପାମାଆ । କଟକର ଏକ ଘରୋଇ ହସ୍ପିଟାଲରେ ଆଡମିଶନ କରିଥିଲେ ମଧ୍ୟ ଅର୍ଥ ସାଜିଲା ବାଧକ । ସେମାନଙ୍କ ସଂଘର୍ଷ ଜାଣିବା ପରେ ଭୁବନେଶ୍ବରରେ ରହୁଥିବା ସମ୍ବଲପୁରର ନନ୍ଦ ପ୍ରଧାନ ଏ ବାବଦରେ ମୁଖ୍ୟମନ୍ତ୍ରୀ ଓ ଫାଇଭ-ଟି ସଚିବଙ୍କୁ ଟ୍ବିଟ୍‌ କଲେ । ଦୁବାଇରେ ସରକାରୀ କାର୍ଯ୍ୟକ୍ରମରେ ଥିବା ଫାଇଭ୍‌-ଟି ସଚିବ ଭି.କେ. ପାଣ୍ଡିଆନ ତୁରନ୍ତ ପିଲାର ଚିକିତ୍ସା ପାଇଁ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ୨୪ ଘଣ୍ଟା ଭିତରେ ଖବର ଆସିଲା, ହସ୍ପିଟାଲ ସହ ଆଇସିୟୁ ପ୍ରସ୍ତୁତ । ବିଏସକେଓ୍ବାଇ ଜରିଆରେ ମାଗଣା ଚିକିତ୍ସାର ପ୍ରତିଶ୍ରୁତି ମଧ୍ୟ ମିଳିଲା । ଆଜି ପିଲାଟି ସୁସ୍ଥ ହୋଇ ଘରକୁ ଫେରିଛି । ପିଲାଟି ନୂଆ ଜୀବନ ପାଇଥିବାରୁ ଫାଇଭ-ଟି ସଚିବ ଓ ମୁଖ୍ୟମନ୍ତ୍ରୀଙ୍କୁ ଶିଶୁର ପରିବାର କୃତଜ୍ଞତା ଜଣାଇଛନ୍ତି ।

ପିଲାଟି ଭୁବନେଶ୍ବର କିମ୍ସରେ ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ସ୍ବତନ୍ତ୍ର ଚିକିତ୍ସା । ଗଢ଼ା ହୋଇଥିଲା ସ୍ବତନ୍ତ୍ର ଡାକ୍ତରୀ ଟିମ୍ । ପ୍ରତି ମୁହୂର୍ତ୍ତ ସ୍ବାସ୍ଥ୍ୟ ଉପରେ ନଜର ରଖାଯାଇଥିଲା । ଏବେ ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ ଅଛି । ପିଲା ଭଲ ହୋଇଯିବା ଦେଖି କୋହ ସମ୍ଭାଳି ପାରିନଥିଲେ ପରିବାର ଲୋକେ । ଆଖିରୁ ଝରି ଯାଇଥିଲା ଆନ୍ଦ ଅଶ୍ରୁ । ଏସବୁ କେବଳ ମୁଖ୍ୟମନ୍ତ୍ରୀ ଓ ଫାଇଭ୍-‌ ଟି ସଚିବଙ୍କ ସମୟ ଉପଯୋଗୀ ପଦକ୍ଷେପ ଏବଂ ମହାନତା ଯୋଗୁଁ ସମ୍ଭବ ହୋଇପାରିଛି ।

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ଗରିବ ଲୋକଙ୍କ ପାଇଁ ଆଶୀର୍ବାଦ ସାଜିଛି । ଆଗରୁ ମଧ୍ୟ ଏହା ଅନେକ ବାର ପ୍ରମାଣିତ ହୋଇଛି ।

ସୁସ୍ମିତାଙ୍କ ବିବାହ ଚର୍ଚ୍ଚା: ପ୍ରଥମେ ବେଟର ହାଫ୍ ପରେ କେବଳ ଡେଟ୍ କରୁଥିବା କହିଲେ ଲଳିତ

ନୂଆଦିଲ୍ଲୀ: ବିଜନେସମ୍ୟାନ ଓ ଆଇପିଏଲର ପୂର୍ବତନ ଅଧ୍ୟକ୍ଷ ଲଳିତ ମୋଦୀଙ୍କ ସହ ବଲିଉଡ ଅଭିନେତ୍ରୀ ତଥା ପୂର୍ବତନ ବ୍ରହ୍ମାଣ୍ଡ ସୁନ୍ଦରୀ ସୁସ୍ମିତା ସେନଙ୍କ ସମ୍ପର୍କ ଘଟଣା ସାମ୍ନାକୁ ଆସିଛି । ଲଳିତ ଟ୍ୱିଟ କରି ନିଜ ବିବାହ ସମ୍ପର୍କରେ ଘୋଷଣା କରିଛନ୍ତି । ହେଲେ ଏହାର କିଛି ସମୟ ପରେ ଆଉ ଏକ ଟ୍ୱିଟ କରି ସଫେଇ ଦେଇଛନ୍ତି ଲଳିତ । ପ୍ରଥମ ଟ୍ୱିଟରେ ସୁସ୍ମିତାଙ୍କୁ ବେଟର ହାଫ ବୋଲି ସମ୍ବୋଧନ କରିବା ସହ ନୂଆ ଜୀବନ ଆରମ୍ଭ କରିବା କଥା କହିଥିଲେ । ହେଲେ ଏବେ ସଫେଇ ଦେଇ କହିଛନ୍ତି ବର୍ତ୍ତମାନ ଡେଟ କରୁଛୁ, ଖୁବଶୀଘ୍ର ବିବାହ କରିବୁ ।

ପ୍ରଥମ ଟ୍ୱିଟରେ ଲଳିତ ଲେଖିଥିଲେ, ସେମାନେ ୱାର୍ଲଡ ଟୁର୍ ସାରିବା ପରେ ଲଣ୍ଡନ ଫେରିଛନ୍ତି । ପରିବାର ସମେତ ମାଲଦୀପ ଏବଂ ସର୍ଦିନିଆ ଯାଇଥିଲେ । ସୁସ୍ମିତା ସେନଙ୍କୁ ସେ ନିଜର ବେଟର ହାଫ୍ କହି ଉଲ୍ଲେଖ କରିଛନ୍ତି । ନୂଆ ଜୀବନ ଏବଂ ନୂଆ ଆରମ୍ଭ ପାଇଁ ସେ ବହୁତ ଏକ୍ସାଇଟେଡ ଥିବା ନଜର ଆସିଥିଲେ । ଏଥିସହ ଉଭୟଙ୍କ କିଛି ରୋମାଣ୍ଟିକ ଫଟୋ ସେୟାର କରିଥିଲେ  ।

କିଛି ସମୟ ପରେ ଆଉ ଏକ ଟ୍ୱିଟ କରି ଲଳିତ ସଫେଇ ଦେଇଥିଲେ  । ଲଳିତ ମୋଦୀ ଟ୍ୱିଟରେ ଲେଖିଛନ୍ତି, କ୍ଲାରିଟି ପାଇଁ କହୁଛି । ଆମେ ଦୁହେଁ ଦୁହିଁଙ୍କୁ ଡେଟ କରୁଛୁ  । ଏପର୍ଯ୍ୟନ୍ତ ସୁଦ୍ଧା ବିବାହ କରିନାହୁଁ  । କିନ୍ତୁ ଖୁବଶୀଘ୍ର ଏପରି କରିପାରୁ । ଏଥିସହିତ ଲଳିତ ସୁଷ୍ମିତାଙ୍କ ସହ କିଛି ଫଟୋ ସେୟାର କରିଛନ୍ତି ।

ସୁସ୍ମିତା ସେନ ବିବାହ ଉପରେ ନିକଟରେ ଏକ ସାକ୍ଷାତକାରରେ ଟିପ୍ପଣୀ ଦେଇ ଚର୍ଚ୍ଚା ପରିସରକୁ ଆସିଥିଲେ  । ସୁସ୍ମିତା ଅନେକ ରିଲେସନସିପରେ ରହିସାରିଛନ୍ତି, କିନ୍ତୁ ବିବାହ ବନ୍ଧରେ ଏପର୍ଯ୍ୟନ୍ତ ସୁଦ୍ଧା ବାନ୍ଧି ହୋଇନଥିଲେ । ବିବାହ ନକରିବା ଉପରେ ସେ କହିଥିଲେ ମୁଁ ୩ଥର ବିବାହ କରିବାର ବହୁତ ନିକଟତର ଥିଲି ହେଲେ ଭଗବାନ ମୋତେ ବଞ୍ଚାଇ ଦେଇଛନ୍ତି । ଆଉ ଏବେ ଲଳିତ ମୋଦୀଙ୍କ ସହ ସମ୍ପର୍କ ଖବର ସାମ୍ନାକୁ ଆସିବା ପରେ ପୁଣିଥରେ ଚର୍ଚ୍ଚା ପରିସରକୁ ଆସିଛନ୍ତି  । ସୂଚନାଥାଉକି ଲଳିତ ମୋଦୀ ୧୯୯୧ ମସିହାରେ ତାଙ୍କଠାରୁ ୯ ବର୍ଷ ବଡ଼ ମୀନଲଙ୍କୁ ବିବାହ କରିଥିଲେ  ।

ନିକଟରେ ସୁସ୍ମିତା ସେନ ରୋହମାନ ଶଲଙ୍କୁ ଅଢେଇ ବର୍ଷ ଡେଟ୍ କରିଥିଲେ । ରୋହମାନ ଏବଂ ସୁଷ୍ମିତାଙ୍କ ବୟସ ମଧ୍ୟରେ ୧୫ ବର୍ଷ ଅନ୍ତର ରହିଛି । ସୁସ୍ମିତାଙ୍କୁ ୪୬ ବର୍ଷ ହୋଇଥିବା ବେଳେ ରୋହମାନଙ୍କୁ ୩୦ ବର୍ଷ  । ଉଭୟ ଲିଭ୍ ଇନ ରିଲେସନରେ ରହିଥିଲେ ।

ଲଳିତ ଓ ରୋହମନଙ୍କ ବ୍ୟତୀତ ସୁସ୍ମିତା ଅନ୍ୟମାନଙ୍କ ସହ ମଧ୍ୟ ଆଫେୟାର ଥିଲା  । ମିସ୍ ୟୁନିଭର୍ସ ହେବା ପରେ ସୁସ୍ମିତାଙ୍କ ନାଁ ସର୍ବ ପ୍ରଥମେ ଫିଲ୍ମମେକର ବିକ୍ରମ ଭଟ୍ଟଙ୍କ ସହ ଯୋଡି ହୋଇଥିଲା  । ସୁସ୍ମିତା ଏବଂ ବିକ୍ରମ ଫିଲ୍ମ ଦସ୍ତକ (୧୯୯୬)ର ଶୁଟିଂ ସମୟରେ ନିକଟତର ହୋଇଥିଲେ  । କିଛି ସମୟ ରିଲେସନରେ ରହିବା ପରେ ବ୍ରେକଅପ୍ ହୋଇଯାଇଥିଲା  । ରଣଦୀପ ହୁଡ୍ଡାଙ୍କ ସମ୍ପର୍କ ମଧ୍ୟ ସୁସ୍ମିତାଙ୍କ ସହ ଥିବା ଚର୍ଚ୍ଚା ହୋଇଥିଲା  । ସେହିପରି ପୂର୍ବତନ ପାକିସ୍ତାନୀ କ୍ରିକେଟର ୱାସିମ ଅକରମଙ୍କ ସହ ୨୦୧୩ରେ ରିଲେସନରେ ଥିଲେ  । ଏମିତି କି କୁହାଯାଉଥିଲା ଯେ ଉଭୟ ବିବାହ କରିବେ  । କିନ୍ତୁ ସୁସ୍ମିତା ଖବରକୁ ସେ ସମୟରେ ଖଣ୍ଡନ କରିଥିଲେ  । ୨୦୧୫ ମସିହାରେ ମୁମ୍ବାଇର ଏକ ରେଷ୍ଟୁରାଣ୍ଟ ମାଲିକ ଋତିକ ଭସୀନଙ୍କ ସହ ମଧ୍ୟ ଆଫେୟାର କଥା ସାମ୍ନାକୁ ଆସିଥିଲା  । ହେଲେ ପରେ ଉଭୟଙ୍କ ମଧ୍ୟରେ ଦୂରତା ବଢିଯାଇଥିଲା  । ନିର୍ଦ୍ଦେଶକ ମୁଦ୍ଦସର ଅଜୀଜଙ୍କ ସହ ସୁସ୍ମିତାଙ୍କ ଆଫେୟାର କଥା ମଧ୍ୟ ଚର୍ଚ୍ଚା ହୋଇଥିଲା  ।

ସାବଧାନ ! ବର୍ଷା ବଢ଼ିବା ସହ ବଢୁଛି ସାପ କାମୁଡ଼ା

ଭୁବନେଶ୍ବର: ଘର ପାଖରେ ଜମିଛି କି ବର୍ଷା ପାଣି ? ବନ୍ୟା ଘେରରେ ଅଛନ୍ତି କି ? ସାବଧାନ ହୋଇଯାଆନ୍ତୁ ।  ପାଣିରେ ଥାଇ ପାରନ୍ତି ବିଷଧର ସାପ । ଯେକୌଣସି ମୁହୂର୍ତ୍ତରେ ବି ମାରିପାରେ ଚୋଟ । ସାପ କାମୁଡ଼ିଲେ ରୋଗୀଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲ ନିଅନ୍ତୁ । ସାପର ପ୍ରଜାତି ଅନୁସାରେ ଆଣ୍ଟି ସ୍ନେକ ଭେନମ ଟିକା ଦିଆଯିବ । ପର୍ଯ୍ୟାପ୍ତ ପରିମାଣରେ ଏହି ଟିକା ସମସ୍ତ ହସ୍ପିଟାଲକୁ ପଠାଇବାକୁ ଔଷଧ ନିଗମକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସମୀକ୍ଷା କରିବେ ସିଡିଏମଓ । ଏଥିସହ ବନ୍ୟା ଅଞ୍ଚଳରେ ଥଣ୍ଡାଜ୍ବର, ହଇଜା, ଝାଡ଼ାବାନ୍ତି ପରି ରୋଗ ପାଇଁ ହସ୍ପିଟାଲରେ ଔଷଧ ମହଜୁଦ ରହିଛି କି ନାହିଁ, ସେ ନେଇ ଅନୁଧ୍ୟାନ କରିବେ । କେନ୍ଦ୍ରାପଡ଼ା, ପୁରୀ, ଜଗତସିଂହପୁର, ବାଲେଶ୍ବର ପରି ଉପକୂଳ ଜିଲ୍ଲାକୁ ଫୋକସ କରାଯାଇଛି ।

ସବୁ ହସ୍ପିଟାଲରେ ଆଣ୍ଟି ସ୍ନେକ ଭେନମ ମହଜୁଦ୍ ରଖିବାକୁ ପ୍ରୟାସ ଆରମ୍ଭ ହୋଇଛି । ଏପରିକି ଅନେକ ହସ୍ପିଟାଲରେ ପର୍ଯ୍ୟାପ୍ତ ପରିମାଣର ଆଣ୍ଟି ସ୍ନେକ ଭେନମ ଟିକା ମହଜୁଦ୍ ଥିବା ରିପୋର୍ଟ ରହିଛି । ଏଥିସହ ଅନ୍ୟ ରୋଗ ପାଇଁ ଔଷଧ ମଧ୍ୟ ପଠାଯାଉଛି । ହଇଜା ପାଇଁ ସ୍ବତନ୍ତ୍ର ଓ୍ବାର୍ଡ ଖୋଲାଯାଇଛି ।

ଗତ ୭ ବର୍ଷ ଭିତରେ ରାଜ୍ୟରେ ୫ ହଜାର ୯୬୪ ଜଣ ସାପ କାମୁଡ଼ାରେ ପ୍ରାଣ ହରାଇଛନ୍ତି । ୨୦୧୫-୧୬ରେ ୫୨୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୨୦-୨୧ରେ ଏହି ସଂଖ୍ୟା ଦୁଇଗୁଣା ହୋଇ ୧୧ ଶହ ୭ରେ ପହଞ୍ଚିଛି । ୨୦୧୮ରୁ ଲଗାତର ତିନି ବର୍ଷ ଯାଏଁ ସାପ କାମୁଡ଼ା ମୃତ୍ୟୁ ହଜାର ପାର କରିଛି । ୨୦୧୫ରେ ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସାପ କାମୁଡ଼ାକୁ ଷ୍ଟେଟ୍ ସ୍ପେସିଫିକ୍ ଡିଜାଷ୍ଟର ଘୋଷଣା କରିଥିଲା ।