spot_img
Home Blog Page 4198

ଅନ୍ତରୀଣ ରାଷ୍ଟ୍ରପତି ଭାବେ ଶପଥ ନେଲେ ରାନିଲ ବିକ୍ରମସିଂଘେ

କଲମ୍ବୋ: ଶ୍ରୀଲଙ୍କା ସଙ୍କଟ ଭିତରେ ଅନ୍ତରୀଣ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ରାନିଲ ବିକ୍ରମସିଂଘେ । ଗତକାଲି ଗୋଟାବାୟା ରାଜପକ୍ଷ ଇସ୍ତଫା ଦେଇଥିବା ବେଳେ ଆଜି ଏହାକୁ ବିଧିବଦ୍ଧ ଘୋଷଣା କରିଥିଲେ ବାଚସ୍ପତି ମହିନ୍ଦା ୟାପା ଆବେଓ୍ୱେରଦାନା । ଗୋଟାବାୟାଙ୍କ ଇସ୍ତଫା ପରେ ଅନ୍ତରୀଣ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ରାନିଲ । ଶ୍ରୀଲଙ୍କା ପ୍ରଧାନ ବିଚାରପତି ଜୟନ୍ତ ଜୟସୁରିୟା ରାନିଲଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ।

ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ସେ ଅନ୍ତରୀଣ ରାଷ୍ଟ୍ରପତି ଦାୟିତ୍ୱରେ ରହିବେ । ଜୁଲାଇ ୨୦ରେ ଶ୍ରୀଲଙ୍କାର ରାଷ୍ଟ୍ରପତି ନିର୍ବାଚନ ହେବ । ଆସନ୍ତାକାଲି ସଂସଦ ଭବନରେ ଏ ନେଇ ସର୍ବଦଳୀୟ ବୈଠକ ବସିବ । ବାଚସ୍ପତିଙ୍କ ବୈଠକ ଡାକିଥିବା ବେଳେ ଆଗାମୀ ରାଷ୍ଟ୍ରପତିଙ୍କୁ ନେଇ ବହୁମତ ସଂଗ୍ରହ କରାଯିବ ବୋଲି କୁହାଯାଉଛି ।

ଡଲାର ତୁଳନାରେ ଦୁର୍ବଳ ହେଉଛି ଭାରତୀୟ ଟଙ୍କା

ନୂଆଦିଲ୍ଲୀ: ଡଲାର ତୁଳନାରେ ଦୁର୍ବଳ ହେଉଛି ଭାରତୀୟ ଟଙ୍କା । ଏକ ଆମେରିକୀୟ ଡଲାର ପିଛା ଭାରତୀୟ ଟଙ୍କା ୭୯ ଟଙ୍କା ୯୯ ପଇସାକୁ ଖସିଛି । ଭାରତରୁ ବିଦେଶୀ ନିବେଶକମାନେ ଷ୍ଟକ୍ ବଜାରରୁ ପୁଞ୍ଜି ପ୍ରତ୍ୟାହର କରୁଥିବାରୁ ଟଙ୍କା ଉପରେ ଚାପ ରହିଛି । ଏହା ବ୍ୟତୀତ ରପ୍ତାନି ତୁଳନାରେ ଆମଦାନି ଅଧିକ ରହିଥିବାରୁ ଡଲାରର ମୂଲ୍ୟ ଅଧିକ ରହିଛି । ଦୁର୍ବଳ ଟଙ୍କା ଭାରତୀୟ ଅର୍ଥନୀତି ପାଇଁ ସମସ୍ୟା ସୃଷ୍ଟି କରିବ ।

ଯେଉଁମାନେ ଡଲାର ଆବଶ୍ୟକ କରୁଛନ୍ତି ସେମାନଙ୍କୁ ପୂର୍ବାପେକ୍ଷା ଅଧିକ ଟଙ୍କା ଦେବାକୁ ପଡ଼ିବ । ଗତ ଫେବ୍ରୁଆରୀ ପରଠାରୁ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ୨୭ ଥର ହ୍ରାସ ପାଇଲାଣି । ପ୍ରଥମ ଥର ପାଇଁ ମାର୍ଚ୍ଚରେ ଡଲାର ମୂଲ୍ୟ ୭୭ ଟଙ୍କାରୁ ଅଧିକ ହୋଇଥିଲା । ଏହା ପରେ ପ୍ରତିଦିନ ଟଙ୍କା ଦୁର୍ବଳ ହେଉଥିବାବେଳେ ଡଲାର ଶକ୍ତିଶାଳୀ ହେଉଛି । ଡଲାର ଜରିଆରେ ଯେଉଁ ସବୁ ସାମଗ୍ରୀ ଆମଦାନି କରାଯାଉଛି ତାହା ଆହୁରି ମହଙ୍ଗା ହେବ । ଯାହାଫଳରେ ଦରଦାମ୍ ଆହୁରି ବୃଦ୍ଧି ପାଇବ ।

ଅତୀତରେ ବହୁବାର ଟଙ୍କା ଡଲାର ତୁଳନାରେ ଦୁର୍ବଳ ହୋଇଥିଲା । ଭାରତ ସ୍ୱାଧୀନ ହେବା ପରଠାରୁ ଟଙ୍କାର ମୂଲ୍ୟ ନିର୍ଧାରଣ ହୋଇଥିଲା। ସେତେବେଳେ ଏକ ଡଲାର ଦାମ୍ ୪ ଟଙ୍କା ୭୬ ପଇସା ଥିଲା । ୧୯୬୭ ପର୍ଯ୍ୟନ୍ତ ଦାମ୍ ସେହିଭଳି ସ୍ତରରେ ରହିଥିଲା । ୧୯୯୦ ବେଳକୁ ଡଲାର ଦାମ୍ ୧୭ ଟଙ୍କା ୫୦ ପଇସା ହୋଇଯାଇଥିଲା । ତେବେ ୧୯୯୨ ବେଳକୁ ଏକ ଡଲାର ମୂଲ୍ୟ ୨୫ ଟଙ୍କା ୯୨ ପଇସା ହୋଇଯାଇଥିଲା । ତା’ ପରଠାରୁ ଡଲାର ତୁଳନାରେ ଭାରତୀୟ ମୁଦ୍ରା ଲଗାତାର ହ୍ରାସ ପାଉଛି। ୨୦୦୪ରେ ଡଲାର ମୂଲ୍ୟ ୪୫ ଟଙ୍କା ୩୨ ପଇସା ଥିଲା । ୨୦୧୬ ସୁଦ୍ଧା ତାହା ୬୮ ଟଙ୍କା ୮୦ ପଇସା ହୋଇଯାଇଥିଲା। ୨୦୨୧ରେ ଏକ ଡଲାର ମୂଲ୍ୟ ୭୪ ଟଙ୍କା ୫୭ ପଇସା ଭଳି ଉଚ୍ଚ ସ୍ତରରେ ପହଞ୍ଚିଯାଇଥିଲା ।

 

 

ଭୁବନେଶ୍ୱର ଓ ସମ୍ବଲପୁରରେ ମାଟ୍ରିକ ଉତ୍କର୍ଷ ସମ୍ମାନ-୨୦୨୨ରେ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ମିଳିଛି ଅଭୂତପୂର୍ବ ସଫଳତା । ଏଥର ଭଲ ହୋଇଛି ରେଜଲ୍ଟ । କଠିନ ପରିଶ୍ରମ ଓ ଅଧ୍ୟାବସାୟ ବଳରେ ଉତ୍ତମ ପ୍ରଦର୍ଶନ କରିଛନ୍ତି ଛାତ୍ରଛାତ୍ରୀ । ସେମାନଙ୍କୁ ଉତ୍ସାହିତ କରିବାକୁ ଦୈନିକ ଖବରକାଗଜ ସକାଳ ଓ ନନ୍ଦିଘୋଷ ଟିଭି ପରିବାର ଆୟୋଜନ ହୋଇଛି ସମ୍ବର୍ଦ୍ଧନା ଉତ୍ସବ । ମାଟ୍ରିକ ଉତ୍କର୍ଷ ସମ୍ମାନ-୨୦୨୨ ଶୀର୍ଷକ କାର୍ଯ୍ୟକ୍ରମରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଯୋଗଦେଇ ଆଜିର ମେଧାବୀ ଛାତ୍ରଛାତ୍ରୀ ଆସନ୍ତା ପରୀକ୍ଷାରେ ବି ଭଲ କରିବେ ବୋଲି କହିଛନ୍ତି । ଆଗାମୀ ପରୀକ୍ଷାରେ ଭଲ କରି ନିନ୍ଦୁକଙ୍କ ମୁହଁ ବନ୍ଦ କରିଦେବେ ଛାତ୍ରଛାତ୍ରୀ । ‘ସକାଳ’ ଓ ‘ନନ୍ଦିଘୋଷ ଟିଭି’ର ପ୍ରୟାସକୁ ପ୍ରଶଂସା କରିଥିଲେ ମନ୍ତ୍ରୀ । ଅଭିଭାବକଙ୍କୁ ମନ୍ତ୍ରୀ ସମୀର ଦାଶ ଦେଇଛନ୍ତି  ପରାମର୍ଶ । ପିଲାଙ୍କ ଆଗ୍ରହକୁ ଗୁରୁତ୍ୱ ଦିଅନ୍ତୁ, ନିଜର ଇଚ୍ଛାକୁ ଲଦି ଦିଅନ୍ତୁନି ବୋଲି ସେ କହିଛନ୍ତି । କାର୍ଯ୍ୟକ୍ରମରେ ରୁଚିର ପ୍ରତିଷ୍ଠାତା ଶରତ ଚନ୍ଦ୍ର ସାହୁ ପିଲାମାନଙ୍କୁ ନିଜ ସ୍ୱପ୍ନ ପୂରଣ ପାଇଁ ସଙ୍କଳ୍ପ ପଥରେ ଆଗେଇବାକୁ ପରାମର୍ଶ ଦେଇଥିଲେ ।

ସକାଳ ଓ ନନ୍ଦିଘୋଷର ଏହି କାର୍ଯ୍ୟକ୍ରମରେ ସମସ୍ତ ୩୦ ଜିଲ୍ଲାରେ ସର୍ବାଧିକ ନମ୍ବର ରଖି ପାସ୍ କରିଥିବା ୩ ଜଣ ଲେଖାଏଁ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଭୁବନେଶ୍ବର ଜୟଦେବ ଭବନରେ ୧୬ଟି ଜିଲ୍ଲାର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କାରଯାଇଥିବା ବେଳେ ସମ୍ବଲପୁରଠାରେ ୧୪ଟି ଜିଲ୍ଲାର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । କିଛି ଦକ୍ଷ ତଥା ଆଦର୍ଶ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରିଛି ସକାଳ ଓ ନନ୍ଦିଘୋଷ ଟିଭି ପରିବାର । ଏହି କାର୍ଯ୍ୟକ୍ରମରେ ଗଣଶିକ୍ଷା ମନ୍ତ୍ରୀଙ୍କ ସହ ସକାଳ ସିଇଓ ସୁବ୍ରତ ଦାସ୍, ନନ୍ଦିଘୋଷ ଟିଭିର ମୁଖ୍ୟ ସମ୍ପାଦକ ଶିଶିର ଭଟ୍ଟମିଶ୍ର, ନନ୍ଦିଘୋଷ ଟିଭି ସିଓଓ ଜବର ସିଂ ପନବର, ସକାଳ ପ୍ରକାଶକ ଅମିତ ମଲ୍ଲିକ, ସକାଳର କାର୍ଯ୍ୟନିର୍ବାହୀ ସମ୍ପାଦକ ସମରେନ୍ଦୁ ଦାସ୍, ଭୁବନେଶ୍ୱର ବ୍ୟୁରୋ ମୁଖ୍ୟ ରଞ୍ଜିତ ମହାନ୍ତି ଉପସ୍ଥିତ ରହି ସଫଳତା ପାଇଥିବା ମାଟ୍ରିକ୍ ପରୀକ୍ଷାର୍ଥୀ ଓ ସଂପୃକ୍ତ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଭୁବନେଶ୍ୱର ଭଳି ସମ୍ବଲପୁରରେ ମଧ୍ୟ ’ସକାଳ’ ଓ ’ନନ୍ଦିଘୋଷ ଟିଭି’ ପରିବାର ପକ୍ଷରୁ ମାଟ୍ରିକ୍ ଉତ୍କର୍ଷ ସମ୍ମାନ-୨୦୨୨ର ଆୟୋଜନ କରାଯାଇଥିଲା ।

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍ ମାମଲା, ଫିଜିକ୍ସ ପ୍ରଶ୍ନପତ୍ର ଲିକ୍ ପରେ ବାତିଲ ହେଲା ପରୀକ୍ଷା

ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପୁଣି ପ୍ରଶ୍ନପତ୍ର ଲିକ୍ । ଯୁକ୍ତ ୩ ଶେଷବର୍ଷ ପିଲାଙ୍କର ଫିଜିକ୍ସ ପ୍ରଶ୍ନପତ୍ର ଲିକ୍ ସହ ଭାଇରାଲ ପରେ ପରୀକ୍ଷା ବାତିଲ ହୋଇଛି । ଆଜି ହେବାକୁ ଥିବା ଫିଜିକ୍ସ ପରୀକ୍ଷା ବାତିଲ ହୋଇଛି । ପରୀକ୍ଷା ବାତିଲ ନେଇ ସ୍ପଷ୍ଟକଲେ ପରୀକ୍ଷା ନିୟନ୍ତ୍ରକ । ଗତକାଲି ଏଜୁକେସନ ଅନର୍ସ ପେପର ଲିକ୍ ପରେ ପରୀକ୍ଷା ବାତିଲ୍ ହୋଇଥିଲା । ଆସନ୍ତା ଜୁଲାଇ ୧୯ରେ ବାତିଲ ହୋଇଥିବା ଏଜୁକେସନ ଅନର୍ସ ପେପରର ପରୀକ୍ଷା ହେବ । ପ୍ରଶ୍ନପତ୍ର ଲିକ୍ ଘଟଣାରେ ପ୍ରଶ୍ନପତ୍ର ପ୍ରସ୍ତୁତକରିଥିବା ପ୍ରଫେସର ଦାୟୀ ବୋଲି କହିଲେ ପରୀକ୍ଷା ନିୟନ୍ତ୍ରକ ।

ଗତ ୧୩ ତାରିଖରେ ଯୁକ୍ତ ତିନି ଶେଷବର୍ଷ ପଦାର୍ଥ ବିଜ୍ଞାନ ପେପର ଲିକ୍ ହୋଇଥିବା ବେଳେ ଗତକାଲି ଏଜୁକେସନ ଅନର୍ସ ଷଷ୍ଠ ସେମିଷ୍ଟାର ପେପର ଲିକ୍ ହୋଇଥିଲା । ପରୀକ୍ଷା ନିୟନ୍ତ୍ରକ ପ୍ରଶ୍ନପତ୍ର ଲିକ୍ ଅଭିଯୋଗକୁ ସତ୍ୟ ବୋଲି କହିଥିବା ବେଳେ ସମ୍ବଲପୁର ବିଶ୍ବବିଦ୍ୟାଳୟ ଅଧିନରେ ଥିବା ୨୦୫ ମହାବିଦ୍ୟାଳୟରେ ଏହି ପରୀକ୍ଷା ବାତିଲ ହୋଇଥିଲା । ପ୍ରଶ୍ନପତ୍ର ଲିକ୍ ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଆକ୍ସନ ମୁଡ୍‌କୁ ଆସିଛନ୍ତି । କୁଳପତିଙ୍କ ନେତୃତ୍ବରେ ଏକ ୪ ଜଣିଆ ଟିମ୍ ପ୍ରଶ୍ନପତ୍ର ଲିକ୍ ଘଟଣାର ତଦନ୍ତ କରୁଛନ୍ତି ।

’ଚେସ୍ ଅଲିମ୍ପିଆଡ’ ମଶାଲକୁ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଚେସ୍ ଅଲିମ୍ପିଆଡର ମଶାଲକୁ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ଲୋକସେବା ଭବନରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ କି ଚେସର ଉତ୍ପତି ସ୍ଥଳ ଭାରତ । ଚେସ୍ ଚତୁରଙ୍ଗ ଭାବେ ଖେଳାଯାଉଥିଲା । ଚେସରେ ଭଲ ପ୍ରଦର୍ଶନ କରିଛି ଓଡ଼ିଶା । ଅନେକ ଓଡ଼ିଆ ଖେଳାଳି ସଫଳତା ଚେସରେ ପାଇଛନ୍ତି । ଓଡ଼ିଶାକୁ ମଶାଲ ଆସିଥିବାରୁ ଖୁସି ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପରେ କିଟ୍ କନଭେନସନ ପରେ ସିଧାସଳଖ ପୁରୀ ଏବଂ ପୁରୀରୁ କୋଣାର୍କ ସୂର୍ଯ୍ୟ ମନ୍ଦିର ଯାଇ ସେଠାରୁ ଭୁବନେଶ୍ୱର ବିମାନବନ୍ଦରକୁ ଆସି ରାୟପୁର ଅଭିମୁଖେ ବାହାରିବ ମଶାଲ । ଲୋକସଭା ଭବନରେ ଅନୁଷ୍ଠିତ ହୋଇଥିବା ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସହ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା, ସାଂସଦ ଅଚ୍ୟୁତ ସାମନ୍ତ, ଚେସ୍ ଖେଳାଳି ପଦ୍ମିନୀ ରାଉତ ଓ କିରଣ ମନିଷା ମହାନ୍ତି ଉପସ୍ଥିତ ଥିଲେ ।

ଆଜି ସକାଳୁ ଦିଲ୍ଲୀରୁ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରେ ମଶାଲକୁ ସ୍ୱାଗତ କରାଯାଇଥିଲା । ବିରାଟ ଶୋଭାଯାତ୍ରାରେ ବାହାରି ରାଜ୍ୟ ଅତିଥି ଭବନ, ପରେ ଲୋକ ସେବା ଭବନ ପହଞ୍ଚିଥିଲେ । ଆସନ୍ତା ୨୮ରୁ ତାମିଲନାଡୁ ମହାବଲ୍ଲିପୁରମରେ ହେବ ପ୍ରତିଯୋଗିତା । ଚେସ୍‌ ଅଲମ୍ପିଆଡରେ ୧୮୮ଟି ଦେଶ  ଭାଗ ନେବେ । ଓଡ଼ିଶା ଏକ ମାତ୍ର ଖେଳାଳୀ ପଦ୍ମିନୀ ରାଉତ ଏଥିରେ ଭାଗନେବେ ।

 

ରାଜ୍ୟରେ ହଜାରେ ଟପିଲା ସଂକ୍ରମଣ, ୨୪ ଘଣ୍ଟାରେ ୧ ହଜାର ୪୩ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ହଜାରେ ଟପିଲା ଦୈନିକ ସଂକ୍ରମଣ । ଦିନକରେ ୨୮ ଜିଲ୍ଲା ଓ ଷ୍ଟେଟପୁଲରୁ ୧ ହଜାର ୪୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୦ରୁ ୧୮ ବର୍ଷ ମଧ୍ୟରେ ୧୦୦ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କ୍ୱାରେଣ୍ଟାଇନରୁ ୬୦୯, ଲୋକାଲ କେସ୍ ୪୩୪ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୩୩୫, କଟକରୁ ୨୦୫, ସୁନ୍ଦରଗଡ଼ରୁ ୧୦୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଷ୍ଟେଟପୁଲରୁ ୭୯, ସୋନପୁରରୁ ୩୨, ସମ୍ବଲପୁରରୁ ୩୧, ମୟୂରଭଞ୍ଜ ଓ ପୁରୀରୁ ୨୮ଜଣ ଲେଖାଏଁ ସଂକ୍ରମିତ ଚିହ୍ନଟ  ହୋଇଛନ୍ତି ।

ସେହିପରି ଜଗତସିଂହପୁରରୁ ୨୨, ବାଲେଶ୍ୱରରୁ ୨୦, ନୟାଗଡ଼ରୁ ୧୯, ଯାଜପୁରରୁ ୧୮, କେନ୍ଦ୍ରାପଡ଼ାରୁ ୧୫, ବୌଦ୍ଧରୁ ୧୩, ଝାରସୁଗୁଡ଼ାରୁ ୧୨, ଗଜପତି, କଳାହାଣ୍ଡିରୁ ୧୦, ନବରଙ୍ଗପୁର ଓ ନୂଆପଡ଼ାରୁ ୯, ଭଦ୍ରକ ଓ ବଲାଙ୍ଗୀରରୁ ୭, ଗଞ୍ଜାମ ଓ କେନ୍ଦୁଝରରୁ ୬, ଦେବଗଡ଼ ଓ କୋରାପୁଟରୁ ୪, ଢେଙ୍କାନାଳରୁ ୩, ବରଗଡ଼ ଓ କନ୍ଧମାଳରୁ ୨ ଜଣ ଓ ରାୟଗଡ଼ାରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷରେ ୨୪ ଘଣ୍ଟାରେ ୪୭୯ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ କେସ୍ ୪୮୨୫ ରହିଛି ।

ଢେଙ୍କାନାଳ ଚନ୍ଦ୍ରଶେଖରପୁର ଗାଁରେ ବୀଭତ୍ସ ହତ୍ୟାକାଣ୍ଡ, ସ୍ତ୍ରୀର କଟାମୁଣ୍ଡ ଧରି ୧୨ କିମି ଚାଲିଲା ସ୍ୱାମୀ

ଢ଼େଙ୍କାନାଳ: ପରକୀୟା ପ୍ରୀତି ସନ୍ଦେହ, ସ୍ତ୍ରୀର ମୁଣ୍ଡ ଗଣ୍ଡି ଅଲଗା କରିଦେଲା ନୃଶଂସ ସ୍ୱାମୀ । କଟୁରୀରେ ବେକକୁ ହାଣିଦେଲା ସୈତାନ ସ୍ୱାମୀ। ଏମିତି ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି ଢ଼େଙ୍କାନାଳ ଜିଲ୍ଲା ଗଁନ୍ଦିଆ ଥାନା ଅନ୍ତର୍ଗତ ଚନ୍ଦ୍ରଶେଖରପୁର ଗ୍ରାମରେ । ଅଭିଯୁକ୍ତ ସ୍ୱାମୀ ନାକଫୋଡି ମାଝୀ ସ୍ତ୍ରୀ ଶୁଚଳା ମାଝିର ମୁଣ୍ଡ କାଟିଦେଇ କଟାମୁଣ୍ଡକୁ ନେଇ ରାସ୍ତାରେ ଚାଲି ଚାଲି ଯାଉଥିଲେ । ରାସ୍ତାରେ ଯାଉଥିବା ଜସମୟରେ ଜଙ୍ଖିରା ଗ୍ରାମ ନିକଟରେ ସ୍ଥାନୀୟ ଲୋକ ପତ୍ନୀହନ୍ତା କାବୁ କରିଥିଲେ । ଏହାପରେ ସ୍ତ୍ରୀକୁ ହତ୍ୟା କରିଥିବା ସ୍ୱୀକାର କରିଛି ସାଇକୋ ସ୍ୱାମୀ । ପରେ ଗଂଦିଆ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି କଟାମୁଣ୍ଡକୁ ଜବତ କରିବା ସହ ସ୍ୱାମୀକୁ ଅଟକ ରଖି ତଦନ୍ତ ଜାରି ରଖିଛି ।

ଲଘୁଚାପ ବର୍ଷାରେ ଭିଜୁଛି ଓଡ଼ିଶା, ଆଜି ଉତ୍ତର ଓ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଦକ୍ଷିଣ ପରେ ଏବେ ଉତ୍ତର ମୁହାଁ ଲଘୁଚାପ । ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ପ୍ରବଳ ବର୍ଷା । ଆଜି ଉତ୍ତର ଓ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ୭ ଜିଲ୍ଲାକୁ ଅରେଞ୍ଜ ଓ ଉପକୂଳ ଓଡ଼ିଶାର ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ଏହି ଜିଲ୍ଲା ଗୁଡ଼ିକରେ ୭୦ରୁ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି । ପ୍ରବଳ ବର୍ଷା ଫଳରେ ମାଟି ଅତଡ଼ା ଖସିବା ଓ ପାହାଡ଼ ଧସିବା ଆଶଙ୍କା ରହିଛି । ଏହା ସହିତ ସହରାଞ୍ଚଳରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ । ଆସନ୍ତା ୧୮ତାରିଖ ପର୍ଯ୍ୟନ୍ତ ଏପରି ବର୍ଷା ଲାଗି ରହିବ ।

ସେପଟେ ଉପକୂଳ ଓଡ଼ିଶାରେ ବର୍ଷା ସମୟରେ ୪୫ରୁ ୫୫ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ଏଥିପାଇଁ ଆସନ୍ତାକାଲି ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ପ୍ରବେଶ ବାରଣ କରାଯାଇଛି । ସମ୍ଭାବ୍ୟ ବନ୍ୟା ସ୍ଥିତି ପାଇଁ ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସଆରସି । ସତର୍କ ରହିବାକୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ଚଳିତ ମାସରେ ଦୁଇ ଦୁଇଟି ଲଘୁଚାପ ସତ୍ତ୍ୱେ ସ୍ୱାଭାବିକଠାରୁ ୧ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି । ୭ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବାବେଳେ ୬ ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ୧୭ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି ।

ଆଜି ଭୁବନେଶ୍ୱର ଓ ସମ୍ବଲପୁରରେ ମାଟ୍ରିକ ଉତ୍କର୍ଷ ସମ୍ମାନ-୨୦୨୨, ସମ୍ବର୍ଦ୍ଧିତ ହେବେ ସଫଳ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଦୁଇ ବର୍ଷର କରୋନା ସ୍ଥିତି ପରେ ଚଳିତ ବର୍ଷ ସ୍ୱାଭାବିକ ହୋଇଛି ଜୀବନ । ନିକଟରେ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇଛି । ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ମିଳିଛି ଅଦ୍ଭୂତପୂର୍ବ ସଫଳତା । ଏଥର ଭଲ ହୋଇଛି ରେଜଲ୍ଟ । କଠିନ ପରିଶ୍ରମ, ଅଧ୍ୟାବସାୟ ବଳରେ ଉତ୍ତମ ପ୍ରଦର୍ଶନ କରିଛନ୍ତି ଛାତ୍ରଛାତ୍ରୀ । ସେମାନଙ୍କର ଉଜ୍ୱଳ ରାସ୍ତାରେ ସେମାନଙ୍କୁ ଉତ୍ସାହିତ କରିବାକୁ ଦୈନିକ ସକାଳ ଓ ନନ୍ଦିଘୋଷ ଟିଭି ପରିବାର ଆୟୋଜିତ କରିଛି ସମ୍ବର୍ଦ୍ଧନା ଉତ୍ସବ ମାଟ୍ରିକ ଉତ୍କର୍ଷ ସମ୍ମାନ-୨୦୨୨ ।

ଏଥିରେ ସମସ୍ତ ୩୦ ଜିଲ୍ଲାରେ ସର୍ବାଧିକ ନମ୍ବର ରଖି ପାସ୍ କରିଥିବା ୩ ଜଣ ଲେଖାଏଁ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯିବ । ପୂର୍ବାହ୍ନ ୧୧ଟାରେ ଭୁବନେଶ୍ୱର ଜୟଦେବ ଭବନରେ ୧୬ଟି ଜିଲ୍ଲାର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯିବାକୁ ଥିବାବେଳେ ସମ୍ବଲପୁରଠାରେ ସକାଳ ୯ଟାରେ ଅବଶିଷ୍ଟ ୧୪ଟି ଜିଲ୍ଲାର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯିବ । କେବଳ ଛାତ୍ରଛାତ୍ରୀ ନୁହେଁ କିଛି ଦକ୍ଷ ତଥା ଆଦର୍ଶ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରିବ ସକାଳ ଓ ନନ୍ଦିଘୋଷ ଟିଭି ପରିବାର ।

ଆଜି ବିଧାନସଭା ମୌସୁମୀ ଅଧିବେଶନର ସପ୍ତମ ଦିନ, ସରଗରମ ରହିବ ଗୃହ

ଭୁବନେଶ୍ୱର: ଆଜି ବିଧାନସଭା ମୌସୁମୀ ଅଧିବେଶନର ସପ୍ତମ ଦିନ । ଆଜି ବି ବେଶ୍ ସରଗରମ ରହିବ ଗୃହ । ପ୍ରଶ୍ନକାଳରେ ଶିଳ୍ପ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ବୟନଶିଳ୍ପ, ହସ୍ତତନ୍ତ୍ର ଓ ହସ୍ତଶିଳ୍ପ, ଶକ୍ତି, ବିଜ୍ଞାନ ଓ କାରିଗରୀ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ସରକାରୀ ଉଦ୍ୟୋଗ ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଛି । ସେହିପରି ଶୂନ୍ୟ କାଳରେ ରାଜ୍ୟ ସ୍ୱାର୍ଥ ସମ୍ବଳିତ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠିପାରେ ।

ଏହାପରେ ବିଜେପି ଦେଇଥିବା ଗଣଶିକ୍ଷା ବିଭାଗର ଅବ୍ୟବସ୍ଥା ସମ୍ପର୍କିତ ମୁଲତବୀ ପ୍ରସ୍ତାବ ଦୁଇଦିନ ହେବ ଆଲୋଚନା ହୋଇ ପାରିନଥିବାରୁ ଆଜି ଆଲୋଚନା ହେବାର ସମ୍ଭାବନା ରହିଛି । ଅପରାହ୍ନ ଅଧିବେଶନରେ ଗ୍ରାମ୍ୟ ଉନ୍ନୟନ ଏବଂ ନିର୍ମାଣ ବିଭାଗର ଖର୍ଚ୍ଚ ଦାବି ବିଷୟରେ ଆଲୋଚନା ହେବ ।