spot_img
Home Blog Page 4256

ପାକିସ୍ତାନ ପଟୁ ଡ୍ରୋନରେ ଆସୁଥିଲା ହେରୋଇନ: ଗୁଳି କରି ଖସାଇଲା ବିଏସ୍‌ଏଫ୍

ଅମୃତସର: ପାକିସ୍ତାନ ପଟୁ ଆସୁଥିବା ଏକ ଡ୍ରୋନକୁ ଗୁଳି କରି ଖସାଇଦେଇଛି ଭାରତୀୟ ସୀମା ସୁରକ୍ଷା ବଳ (ବିଏସ୍ଏଫ୍) । ସୋମବାର ପଞ୍ଜାବର ଅମୃତସରରେ ଏହି ଡ୍ରୋନ୍‌କୁ ବିଏସ୍‌ଏଫ୍‌ ପକ୍ଷରୁ ଗୁଳି କରି ଖସାଇ ଦିଆଯାଇଛି ।

ବିଏସ୍‌ଏଫ୍ ସୂଚନା ମୁତାବକ ପାକିସ୍ତାନୀ ଡ୍ରୋନରୁ ୧୦.୬୭ କିଲୋଗ୍ରାମ ଓଜନର ୯ ପ୍ୟାକେଟ୍‌ ହେରୋଇନ୍‌ ଉଦ୍ଧାର କରାଯାଇଛି । ବିଏସ୍‌ଏଫ୍‌ର ଏହି କାର୍ଯ୍ୟାନୁଷ୍ଠାନ ଫଳରେ ସୀମାପାରରୁ ଦେଶ ମଧ୍ୟକୁ ହେଉଥିବା ଚୋରା ଚାଲାଣ ଉଦ୍ୟମକୁ ପଣ୍ଡ କରିଛି ।  ବିଏସଏଫ ପଞ୍ଜାବ ସୀମାନ୍ତ ସୈନ୍ୟମାନେ ପାକ୍‌ ଡ୍ରୋନ୍‌ ମାଧ୍ୟମରେ ଆଉ ଏକ ଚୋରା ଚାଲାଣ ଉଦ୍ୟମକୁ ମଧ୍ୟ ପଣ୍ଡ କରିଦେଇଛନ୍ତି ।

BSF Shoots Down Pak Drone Carrying Heroin Along Border In Punjab

ସଜାଗ ବିଏସଏଫ ସୈନ୍ୟମାନେ ପାକ୍‌ରୁ ଆସୁଥିବା ଡ୍ରୋନ୍‌ ଉପରକୁ ଗୁଳି ଚଳାଇ ଏହାକୁ ତଳକୁ ଖସାଇ ଦେଇଛନ୍ତି। ଏକ ବ୍ୟାଗରେ ହେରୋଇନ୍‌ ବୋଲି ସନ୍ଦେହ କରାଯାଉଥିବା କିଛି ପ୍ୟାକେଟ୍‌ ମଧ୍ୟ ଡ୍ରୋନ୍‌ରୁ ଉଦ୍ଧାର କରାଯାଇଛି ବୋଲି ବିଏସ୍‌ଏଫ୍‌ ପଞ୍ଜାବ ଫ୍ରଣ୍ଟିଅର୍‌ ଏକ ଟ୍‌ୱିଟ୍‌ ରେ କହିଛି । ଉଲ୍ଲେଖଯୋଗ୍ୟ, ଗତ ମାସରେ ବିଏସଏଫ ପଞ୍ଜାବର ଅମୃତସର ସେକ୍ଟରରେ ପାକିସ୍ତାନରୁ ଆସୁଥିବା ଏକ ଡ୍ରୋନକୁ ଗୁଳି କରି ଖସାଇ ଦେଇଥିଲା।

ଏଥିସହିତ ପଢ଼ନ୍ତୁ: ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ଷେଙ୍କ ଇସ୍ତଫା

ଦିଲ୍ଲୀ କ୍ୟାପିଟାଲ୍ସ ଖେଳାଳିଙ୍କର ମାଷ୍ଟର କ୍ଲାସ୍ ନେଲେ ଧୋନୀ, ଭାଇରାଲ୍ ହେଲା ଫଟୋ

ମୁମ୍ବାଇ: ଗତ ରବିବାର ହୋଇଥିବା ଆଇପିଏଲ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ଜୋରଦାର୍ ପ୍ରଦର୍ଶନ କରି ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି । ଚେନ୍ନାଇର ଏହି ବିଜୟ ପୂରା ସମୀକରଣକୁ ବଦଳାଇଦେଇଛି । ମ୍ୟାଚରେ ମହେନ୍ଦ୍ର ସିଂ ଧୋନୀଙ୍କ ଜବରଦସ୍ତ ଖେଳ ବି ଦେଖିବାକୁ ମିଳିଥିଲା । ଯେଉଁଥିରେ ଧୋନୀ ୮ଟି ବଲରେ ୨୧ ରନ୍ କରିଥିଲେ ।

ଆଉ ମ୍ୟାଚ୍ ଶେଷ ହେଲା ପରେ ଧୋନୀ ଦିଲ୍ଲୀ କ୍ୟାପିଟାଲ୍ସର ‘ମାଷ୍ଟରକ୍ଲାସ୍’ ନେଉଥିବା ନଜରକୁ ଆସିଛି । ଦେଖାଯାଉଥିବା ଫଟୋରେ ରିଷଭ ପନ୍ତ, ଅକ୍ସର ପଟେଲ, କୁଳଦୀପ ଯାଦବ ଏବଂ ଦିଲ୍ଲୀ କ୍ୟାପିଟାଲ୍ସର ଅନ୍ୟ ଖେଳାଳିମାନେ ଅଛନ୍ତି ।

ଏହି ଫଟୋ ସେୟାର କରି IPL ଲେଖିଛି ଯେ, ‘ଧୋନୀ ଯେତେବେଳେ କୁହନ୍ତି, ସେତେବେଳେ ସମେସ୍ତ ଶୁଣନ୍ତି’ । ଧୋନୀଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । କେବଳ IPL ନୁହେଁ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ଏହାକୁ ତାର ସୋସିଆଲ ମିଡିଆ ପେଜରେ ସେୟାର କରିଛି ।

ଏଠାରେ ଆପଣଙ୍କୁ କହି ରଖିବାକୁ ଚାହୁଁଛୁ ଯେ, ଧୋନୀଙ୍କ ଦଳ ଚେନ୍ନାଇ ସୁପର କିଙ୍ଗସ ଏହି ମ୍ୟାଚରେ ୨୦୮ ରନ୍ କରିଥିଲା । ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମାତ୍ର ୧୧୭ ରନରେ ହିଁ ଅଲଆଉଟ୍ ହୋଇଯାଇଥିଲା । କେବଳ ଧୋନୀ ୮ ବଲରେ ୨୧ ରନ କରିଥିଲେ । ଯେଉଁଥିରେ ଦୁଇଟି ଛକା ଥିଲା ।

ବ୍ରଜରାଜନଗର ଉପ-ନିର୍ବାଚନ: କିଶୋରଙ୍କ ନାଁରେ କଂଗ୍ରେସର ମୋହର

ଭୁବନେଶ୍ୱର: ବିଜେପି ଓ ବିଜେଡି ପରେ କଂଗ୍ରେସ ଘୋଷଣା କଲା ପ୍ରାର୍ଥୀଙ୍କ ନାମ  । ବ୍ରଜରାଜନଗର ଉପ ନିର୍ବାଚନ ପାଇଁ କିଶୋର ପଟେଲକୁ ପ୍ରାର୍ଥୀ କରିଛି କଂଗ୍ରେସ  । ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ କିଶୋର ପଟେଲଙ୍କୁ ନେଇ ଦଳ ବ୍ରଜରାଜନଗର ଉପ ନିର୍ବାଚନରେ ବୈତରଣୀ ପାର ହେବା ନେନଇ ଆଶା ଓ ବିଶ୍ୱାସ ପ୍ରକଟ କରିଛି  ।

ରବିବାର ବିଜେପି ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କୁ ବ୍ରଜରାଜନଗର ପ୍ରାର୍ଥୀ ନେଇ ଲିଖିତ ପ୍ରେସ ବିଜ୍ଞପ୍ତି ପ୍ରକାଶ କରିଥିଲା  । ସୋମବାର ବିଜୁ ଜନତା ଦଳ ମଧ୍ୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା  । ଦିବଙ୍ଗତ ବିଧାୟକ ତଥା ବରିଷ୍ଠ ବିଜେଡି ନେତା କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ ରୂପେ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ।

‘ବଡ଼ ବିଜୟ ପାଇଁ ସବୁ ନେତା ଏକ ହୋଇ ଲଢ଼ିବେ’

ଭୁବନେଶ୍ୱର: ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ବିଜେଡି ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ କରିଛି । ପଶ୍ଚିମ ଓଡ଼ିଶାରେ ‘ବଡ଼ ବିଜୟ ପାଇଁ ସବୁ ନେତା ଏକ ହୋଇ ଲଢ଼ିବେ’ ବୋଲି କହିଛନ୍ତି ଝାରସୁଗୁଡ଼ା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ସୁବାସ ସିଂ । ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେଡି ବାଜିମାତ କରିଥିଲା । ବ୍ରଜରାଜନଗର ଆସନ ମଧ୍ୟ ବିଜେଡି କବଜାକୁ ଯିବ । ‘୧୧ତାରିଖରେ ନାମାଙ୍କନ ଦାଖଲ କରିବେ ଅଳକା ମହାନ୍ତି’ ।

ତେବେ ‘ମୁଖ୍ୟମନ୍ତ୍ରୀ ପ୍ରଚାର ମଇଦାନକୁ ଓହ୍ଲାଇବେ କି ନାହିଁ ସ୍ଥିତି ଦେଖି ନିଷ୍ପତ୍ତି’ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂ । ‘ପଞ୍ଚାୟତ ଓ ପୌରାଞ୍ଚଳରେ ବିଧାୟକଙ୍କୁ ଦାୟିତ୍ୱ ଦିଆଯାଇଛି’ । ୫୦ହଜାର ଭୋଟ୍ ବ୍ୟବଧାନରେ ବିଜେଡି ଜିତିବ ବୋଲି କହିଛନ୍ତି ସୁଶାନ୍ତ । ପୂର୍ବରୁ ହୋଇଥିବା ସମସ୍ତ ଉପନିର୍ବାଚନରେ ବିଜେଡି ବିଜୟୀ ହୋଇଥିବାବେଳେ ବ୍ରଜରାଜନଗର ଉନନିର୍ବାଚନରେ ମଧ୍ୟ ବିଜେଡି ବହୁମତରେ ବିଜୟୀ ହେବ ବୋଲି ଦଳ ଦୃଢ ଆଶା ପ୍ରକଟ କରିଛି  ।

ନିର୍ବନ୍ଧ କଲେ ସୋନାକ୍ଷୀ, ଲୁଚାଇଲେ ଭାବୀ ସ୍ବାମୀଙ୍କ ଫଟୋ

ମୁମ୍ବାଇ: ନିର୍ବନ୍ଧ କରିନେଇଛନ୍ତି ବଲିଉଡ ସୁନ୍ଦରୀ ସେନାକ୍ଷୀ ସିହ୍ନା । ସୋସିଆଲ ମିଡିଆରେ ଛାଡ଼ିଲେ ଫଟୋ । ହେଲେ ଲୁଚାଇଲେ ଭାବୀ ସ୍ବାମୀଙ୍କ ପରିଚୟ ।

 

View this post on Instagram

 

A post shared by Sonakshi Sinha (@aslisona)

ଆଜ୍ଞା ହଁ, ସୋନାକ୍ଷୀ ସିହ୍ନା ନିର୍ବନ୍ଧ କରିସାରିଛନ୍ତି । ତାଙ୍କ ଇନଷ୍ଟାଗ୍ରାମ ପେଜରେ ଏକ ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ଦେଖାଯାଉଛି ଯେ, ସେ ହାତରେ ଏକ ଡାଇମଣ୍ଡ ମୁଦି ପିନ୍ଧିଛନ୍ତି । ଏବଂ ତାଙ୍କ ହାତକୁ ତାଙ୍କ ଭାବୀ ସ୍ବାମୀ ଧରିଥିବାର ଦେଖାଯାଉଛି । ହେଲେ ଫଟୋରେ ସେ ଭାବି ସ୍ବାମୀଙ୍କ ମୁହଁ ଦେଖାଇନାହାନ୍ତି । ଫଟୋରେ କେବଳ ହାତ ହିଁ ଦେଖାଯାଉଛି ।
ଏହି ଫଟୋ ଦେଖିସାରିବା ପରେ ଫ୍ୟାନମାନେ ଏବେ ସସପେନ୍ସରେ ଅଛନ୍ତି । ପରିଚୟ ଗୋପନ ରଖି ଫଟୋ ପୋଷ୍ଟ କରିଛନ୍ତି ସୋନାକ୍ଷୀ । ଏବେ ଦେଖିବାର କଥା ସେ କାହାକୁ ଏବଂ କେବେ ବିହାହ କରିବେ ।

ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ଷେଙ୍କ ଇସ୍ତଫା

କଲୋମ୍ୱୋ: ଶ୍ରୀଲଙ୍କାରେ ଦେଖାଦେଇଥିବା ଆର୍ଥିକ ସଂକଟ ମଧ୍ୟରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ମହିନ୍ଦା ରାଜପାକ୍ଷେ । ଏ ନେଇ ଖବର ସରବରାହ ସଂସ୍ଥା  ଏଏନ୍‌ଆଇ ପକ୍ଷରୁ ପ୍ରକାଶ କରାଯାଉଛି । ଇସ୍ତଫା ନଦେବା ଲାଗି ରାଜପାକ୍ଷେ ଜିଦ ଧରିଥିବା ବେଳେ ଆନ୍ଦୋଳନକାରୀଙ୍କ ଆଗରେ ମୁଣ୍ଡ ନୁଆଁଇବାକୁ ପଡ଼ିଛି ।

ଦୁଇ ଦିନ ପୂର୍ବେ ଶ୍ରୀଲଙ୍କାରେ ପୁଣି ଜରୁରିକାଳୀନ ପରିସ୍ଥିତି ଜାରି କରାଯାଇଥିଲା । ଦ୍ୱିତୀୟ ଥର ଲାଗି ଏହି ପଦକ୍ଷେପ ନେଇଛନ୍ତି ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ଷେ । ନିରାପତ୍ତା ବାହିନୀ କବଳକୁ ଯାଇଛି ଦେଶର କ୍ଷମତା । ସାରାଦେଶରେ ସରକାର ବିରୋଧୀ ଆନ୍ଦୋଳନ ନିୟନ୍ତ୍ରଣ ବାହାରକୁ ଯିବାରୁ ରାଷ୍ଟ୍ରପତି ନେଇଛନ୍ତି ଏହି ପଦକ୍ଷେପ । ରାଷ୍ଟ୍ରପତିଙ୍କ ଇସ୍ତଫା ଦାବିରେ ଦେଶର ଶତାଧିକ ଟ୍ରେଡ୍ ୟୁନିୟନ ଦେଶବ୍ୟାପୀ ହରତାଳ କରିବା ପରେ ରାଷ୍ଟ୍ରପତି ବାଧ୍ୟ ହୋଇ ଜରୁରୀକାଳୀନ ପରିସ୍ଥିତି ଜାରି କରିଥିଲେ ।

ସଂସଦ ଭବନ ଆଗରେ ଚାଲିଥିବା ଆନ୍ଦୋଳନକୁ ଦମନ କରିବା ଲାଗି ପୋଲିସ ଲୁହବୁହା ଗ୍ୟାସ ଓ ଜଳତୋପ ପ୍ରୟୋଗ କରିଛି । ସେପଟେ ସାରା ଦେଶରେ ଖାଦ୍ୟ, ଇନ୍ଧନ, ମେଡିସିନର ଅଭାବ ଅଧିକ ଘନୀଭୂତ ହୋଇଛି । ୧୯୪୮ରେ ସ୍ୱାଧୀନତା ପରେ ସବୁଠାରୁ ଗୁରୁତର ଆର୍ଥିକ ସଂକଟ ବଳୟକୁ ଠେଲି ହୋଇଯାଇଥିବା ଶ୍ରୀଲଙ୍କାର ସ୍ଥିତି ଦିନକୁ ଦିନ ଅଧିକ ଉଦବେଗଜନକ ହେବାରେ ଲାଗିଛି । ଗତକାଲି ହୋଇଥିବ ଦେଶବ୍ୟାପୀ ଧର୍ମଘଟରେ ଲକ୍ଷ ଲକ୍ଷ କର୍ମଚାରୀ ଓ ଶ୍ରମିକ ଯୋଗ ଦେଇଥିବାରୁ ଉତ୍ପାଦନ ପ୍ରକ୍ରିୟା ଠପ୍ ହେବା ସହ ଯାନବାହନ ଚଳାଚଳ ବନ୍ଦ ହୋଇଯାଇଥିଲା । ସେପଟେ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ଷେ ଇସ୍ତଫା ଦେବାକୁ ଅଗ୍ରାହ୍ୟ କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ପୁଟିନଙ୍କ ଦୃଢ଼ୋକ୍ତି, ଋଷ ଦଖଲ କରିପାରିବନି ବିଶ୍ୱର କୌଣସି ସାମରିକ ଶକ୍ତି

ପୁଅ ମୁହଁ ଦେଖିବା ଆଗରୁ ବାପାକୁ ଟାଣିନେଲା କୁମ୍ଭୀର

କେନ୍ଦ୍ରାପଡ଼ା: ଗୋଟିଏ ଜୀବନର ଆରମ୍ଭ । ଆଉ ଗୋଟିଏ ଜୀବନର ଅନ୍ତ । ପୁଅ ପାଇଁ ଅପେକ୍ଷା ଥିଲା । ପୁଅ ଆସିଲା ହେଲେ ବାପା ପୁଅ ମୁହଁ ଦେଖି ପାରିଲା ନାହିଁ । କାଳ ନଦୀର କୁମ୍ଭୀର ମୁହଁରେ ପୁଅ ମୁହଁ ଦେଖିବା ଆଗରୁ ଚାଲିଗଲା ବାପାର ଜୀବନ । ଏହା କୌଣସି ଫିଲ୍ମ କାହାଣୀ ନୁହେଁ । ଏହା ହେଉଛି କେନ୍ଦ୍ରାପଡ଼ା ଜିଲ୍ଲାର ନଳପାହୀ ଗାଁର କଥା ।

ନଳପାହୀ ଗ୍ରାମର ଶିବପ୍ରସାଦ ବେହେରାଙ୍କର ୩ ଝିଅ ଥିଲେ । ପୁଅଟିଏ ହେଉ ବୋଲି ତାଙ୍କର ବହୁ ଆଶା ଥିଲା । ଦୁହେଁ ସ୍ବାମୀ ସ୍ତ୍ରୀ କେତେ ମାନସିକ, କେତେ ବ୍ରତ କରିଥିଲେ। ହେଲେ ବିଧିର ଥିଲା ଅଲଗା, କିଏ ଜାଣିଥିଲା ଏପରି ଖୁସି ସମୟରେ ଦୁଃଖର ପାହାଡ ତାଙ୍କ ମୁଣ୍ଡ ଉପରେ ଖସିପଡ଼ିବ ବୋଲି ।  ପୁଅ ମୁହଁ ଦେଖିବା ଆଗରୁ ତାଙ୍କୁ ଟାଣି ନେଇଛି କୁମ୍ଭୀର । ଖୁସିରେ ପରିବେଶ ଫାଟି ପଡ଼ିବା ସମୟରେ ଛାଇ ଯାଇଛି ଦୁଃଖର କଳା ବାଦଲ ।

୩ ଝିଅ ପତ୍ନୀ ସରସ୍ବତୀଙ୍କୁ ନେଇ ବେଶ ହସଖୁସିରେ ଚାଲିଥିଲା ଶିବପ୍ରସାଦଙ୍କର ସଂସାର। ବୁଧବାର ରାତିରେ ଶିବ ଗାଁ ପାଖରେ ଥିବା ବ୍ରାହ୍ମଣୀ ନଦୀକୁ ଯାଇଥିଲେ । ଘରକୁ ଫେରିବାରେ ବିଳମ୍ବ ହେବାରୁ ଗ୍ରାମବାସୀ ଡଙ୍ଗା ଧରି ରାତିସାରା ଖୋଜାଖୋଜି କରିଥିଲେ । ଶିବପ୍ରସାଦଙ୍କୁ ଖୋଜିବା ବେଳେ ଘରେ ପତ୍ନୀ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ପରଦିନ ସକାଳ ସୁଦ୍ଧା ଶିବପ୍ରସାଦଙ୍କର କୌଣସି ପତ୍ତା ମିଳି ନଥିଲା । ଅନ୍ୟପଟେ ପତ୍ନୀଙ୍କୁ ପଟ୍ଟାମୁଣ୍ଡାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେହିଦିନ ହିଁ ଶିବପ୍ରସାଦଙ୍କର ଖଣ୍ଡ ବିଖଣ୍ଡିତ ମୃତଦେହ ନଦୀରୁ ମିଳିଥିଲା । ଅନ୍ୟପଟେ ପ୍ରସବ ବିଳମ୍ବ ହେବାରୁ ସରସ୍ବତୀଙ୍କୁ ବାପଘର ପଟ୍ଟାମୁଣ୍ଡାଇ ବେଲତଳକୁ ନିଆଯାଇଥିଲା ।

ଶନିବାର ସେ ଏକ ପୁତ୍ର ସନ୍ତାନକୁ ଯନ୍ମ ଦେଇଥିଲେ । ପୁତ୍ର ହେବା ଖୁସିରେ ସେ ଖୁସି ହେବେ କ’ଣ ସ୍ବାମୀଙ୍କ ଏପରି ଖବର ଶୁଶି ତାଙ୍କ ଆଖିରୁ ଲୁହ ଶୁଖୁନି । ପୁଅ ମୁହଁ ଦେଖିବା ଆଗରୁ ବାପା ଚାଲିଯିବା ଘଟଣାକୁ ସେ ସହଜରେ ଗ୍ରହଣ କରିପାରୁନାହାନ୍ତି ।

ଶିବପ୍ରସାଦଙ୍କର ୯ , ୭, ଏବଂ ୫ ବର୍ଷର ଝିଅ ତାଙ୍କୁ ଖୋଜୁଛନ୍ତି । ଏହି ହୃଦୟ ବିଦାରକ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ଶିବପ୍ରସାଦଙ୍କ ମୃତ୍ୟୁ ପରେ ପରିବାର ପୂରା ଅସହାୟ ହୋଇପଡ଼ିଛନ୍ତି ।

ଜୀବନ ପାଣିଫୋଟକା । ମୃତ୍ୟୁ ହିଁ ଅନ୍ତିମ ସତ୍ୟ । ଆଉ ଜନ୍ମ ସେହି ସତ୍ୟ ଆଡକୁ ଯାତ୍ରା । କେବେ ଯାତ୍ରା ଲମ୍ବା ହୁଏ,କେବେ ଯାତ୍ରାରେ ହଠାତ ବିରାମ ଲାଗେ । ଏହା ବାଦ ବି ଜୀବନ ଚାଲିଥାଏ । ବାପା ପୁଅ ମୁହଁ ଦେଖିବାକୁ ରହିଲା ନାହିଁ । ପୁଅ ବାପାକୁ କେବେ ଦେଖି ପାରିବ ନାହିଁ । କିନ୍ତୁ ଜୀବନ ଚାଲିବ । ତା’ ଗତିରେ.. ତା’ ରୁଟିନରେ..

ପୁଟିନଙ୍କ ଦୃଢ଼ୋକ୍ତି, ଋଷ ଦଖଲ କରିପାରିବନି ବିଶ୍ୱର କୌଣସି ସାମରିକ ଶକ୍ତି

ମସ୍କୋ: ଆଜି ଋଷ ପାଳୁଛି ଐତିହାସିକ ବିଜୟ ଦିବସ । ୧୯୪୫ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ବିଜୟୀ ହୋଇଥିଲା ସୋଭିଏତ ୟୁନିୟନ। ସେପଟେ ୟୁକ୍ରେନ ଉପରେ ଆକ୍ରମଣକୁ ୭୫ଦିନ ହୋଇଥିବା ବେଳେ ହମଲାକୁ ଆହୁରି ଜୋରଦାର କରିଛି ମସ୍କୋ । ତେବେ ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ଯଥାର୍ଥ ବୋଲି କହିଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ବିଶ୍ୱର କୌଣସି ବି ସାମରିକ ଶକ୍ତି ଋଷ ଦଖଲ କରିପାରିବ ନାହିଁ ବୋଲି ବିଜୟ ଉତ୍ସବ ସମାରୋହରେ କହିଛନ୍ତି । ସେପଟେ କୃଷ୍ଣ ସାଗରରେ ଋଷର ଆଉ ଏକ ଶକ୍ତିଶାଳି ଯୁଦ୍ଧପୋତ ଧ୍ୱଂସ କରିଛି ୟୁକ୍ରେନ ।

ଯୁଦ୍ଧର ଘନଘଟା ଭିତରେ ଆଜି ବିଜୟ ଦିବସ ପାଳୁଛି ଋଷ । ରାଜଧାନୀ ମସ୍କୋର ରେଡ୍ ସ୍କୋୟାର ସହ ଅନ୍ୟ ସହରରେ ବି ପାଳନ ହେଉଛି ବିଜୟ ଉତ୍ସବ । ୟୁକ୍ରେନ ସମେତ ସୋଭିଏତ ସଂଘର ୧୫ ଦେଶକୁ ବିଜୟ ଦିବସର ସନ୍ଦେଶ ପଠାଇଛନ୍ତି ଭ୍ଲାଦିମିର ପୁଟିନ । ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜର୍ମାନୀ ଉପରେ ସୋଭିଏତ ୟୁନିଅନର ବିଜୟ ହୋଇଥିଲା । ମେ ୯ ତାରିଖକୁ ଭିକ୍ଟରୀ ଡେ ଘୋଷଣା କରିଥିଲେ ଷ୍ଟାଲିନ୍ । ଏହିଦିନ ବର୍ଲିନ ସମ୍ପୂର୍ଣ୍ଣ ଭାବେ ସୋଭିଏତ ସେନା ନିୟନ୍ତ୍ରଣକୁ ଆସିଥିଲା । ବିଜୟ ଉତ୍ସବରେ ସାମିଲ ଅବସରରେ ୟୁକ୍ରେନ ଉପରେ ଆକ୍ରମଣକୁ ନେଇ କିଛି ବଡ଼ ଘୋଷଣା କରିପାରନ୍ତି ପୁଟିନ । ଯାହା ଉପରେ ପୁରା ବିଶ୍ୱର ନଜର ରହିଛି ।

ସେପଟେ ୟୁକ୍ରେନ ଉପରେ ଋଷର ଆକ୍ରମଣ ୭୫ଦିନରେ ପହଞ୍ଚିଛି । ମସ୍କୋ ସେନା ଆକ୍ରମଣକୁ ଆହୁରି ତୀବ୍ର କରିଥିବା ବେଳେ କୃଷ୍ଣସାଗରରେ ମସ୍କୋଭା ପରେ ଜଳସମାଧି ନେଇଛି ଋଷର ଆଉ ଏକ ଯୁଦ୍ଧପୋତ । ଋଷର ଅତ୍ୟାଧୁନିକ ଯୁଦ୍ଧପୋତ ମକାରୋଭକୁ ଡ୍ରୋନ୍ ଆକ୍ରମଣରେ ଧ୍ୱଂସ କରିଛି ୟୁକ୍ରେନ । ୫ଶହ ନିୟୁତ ମୂଲ୍ୟର ମକାରୋଭ ମାତ୍ର ୫ବର୍ଷ ତଳେ ଋଷ ସେନାରେ ସାମିଲ ହୋଇଥିଲା । ମସ୍କୋଭା ସମୁଦ୍ରରେ ବୁଡ଼ିବା ପରେ ମକାରୋଭକୁ ଦ୍ୱିତୀୟ ଶକ୍ତିଶାଳୀ ଯୁଦ୍ଧପୋତ ଭାବେ ସାମିଲ କରିଥିଲା ମସ୍କୋ ।

ପୁଟିନଙ୍କ ୟୁକ୍ରେନ ଉପରେ ଆକ୍ରମଣ ନିଷ୍ପତ୍ତି ଋଷ ଓ ଏଠାକାର ସାଧାରଣ ନାଗରିକଙ୍କ ପାଇଁ ଲଜ୍ଜାଜନକ ବୋଲି G-7 ରାଷ୍ଟ୍ର ପକ୍ଷରୁ କୁହାଯାଇଛି । ଋଷ ଅନ୍ତରାଷ୍ଟ୍ରୀୟ ନିୟମ ଭଙ୍ଗ କରିଛି । ୟୁକ୍ରେନ ଉପରେ ଆକ୍ରମଣରେ ଋଷ ଯେପରି ବିଜୟୀ ନହେବ ସେଥିପାଇଁ ଆମେ ସମସ୍ତେ ଏକ ହେବା ଆବଶ୍ୟକ ବୋଲି G-7ରାଷ୍ଟ୍ରଗୋଷ୍ଠୀ ବୈଠକରେ ନିଷ୍ପତ୍ତି ହୋଇଛି । ସେପଟେ ଋଷର ବିଭିନ୍ନ ଟିଭି ଚାନେଲ ବିରୋଧରେ କଟକଣା ଜାରି କରିଛି ଆମେରିକା । ଏହି କମ୍ପାନୀଗୁଡ଼ିକୁ ଯନ୍ତ୍ରପାତି ଓ ବିଜ୍ଞାପନ ନ ଦେବା ଲାଗି ନିର୍ଦ୍ଦେଶ ଦେଇଛ ହ୍ୱାଇଟ ହାଉସ । ସେହିପରି ଯୁଦ୍ଧ ବିଧ୍ୱସ୍ତ ୟୁକ୍ରେନର ଇରପିନକୁ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁ ଗସ୍ତ କରି ସ୍ଥିତି ସମୀକ୍ଷା କରିଛନ୍ତି । ଏହାସହ ଆମେରିକା ଫାଷ୍ଟ ଲେଡି ଜିଲ୍ ବାଇଡେନ ଅଚାନକ ୟୁକ୍ରେନ ଗସ୍ତ କରିବା ସହ ୟୁକ୍ରେନ ଫାଷ୍ଟଲେଡି ଓଲେନା ଜେଲେନସ୍କାଙ୍କୁ ଭେଟି ୟୁକ୍ରେନବାସୀଙ୍କ ପ୍ରତି ସମର୍ଥନ ଜଣାଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ସାହିନବାଗ୍‌ରେ ଜବରଦଖଲ ଉଚ୍ଛେଦ: ବୁଲଡୋଜର ଆଗରେ ବସିପଡ଼ିଲେ ସ୍ଥାନୀୟ ଲୋକେ

ଭୁବନେଶ୍ବରରୁ ଭାୟା ଜୟପୁର ଦେଇ ଭାଇଜାକକୁ ବିମାନ ସେବା

ଭୁବନେଶ୍ବର: ଭୁବନେଶ୍ବରରୁ ଭାଇଜାକକୁ ଆରମ୍ଭ ହେବ ବିମାନ ସେବା । ଏହା ଭାୟା ଜୟପୁର ନେଇ ଚଳାଚଳ କରିବ । ୯ ସିଟ ବିଶିଷ୍ଟ ବିମାନରେ ଯାତ୍ରା କରିବେ ଯାତ୍ରୀ । ପ୍ରାଥମିକ ପର୍ଯ୍ୟାୟରେ ବିଡିଂରେ ସାମିଲ ହୋଇଛି ଇଣ୍ଡିଆନ ଏୟାରଲାଇନ୍ସ। ଏଥିପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି ପହଞ୍ଚିଥିବା କହିଛନ୍ତି  ବିଜୁ ପଟ୍ଟନାୟକ ବିମାନବନ୍ଦର ନିର୍ଦ୍ଦେଶକ । ଡିଜିସିଏର ଲାଇସେନ୍ସକୁ ଅପେକ୍ଷା କରାଯାଇଥିବା ବିମାନ ବନ୍ଦର କର୍ତ୍ତୃପକ୍ଷ କହିଛନ୍ତି ।

ପିନାକ ମିଶ୍ର ନେଲେ କଟକ ଡିସିପି ଦାୟିତ୍ବ

କଟକ: କଟକର ନୂଆ ଡିସିପି ଭାବେ ଦାୟିତ୍ବ ଗ୍ରହଣ କଲେ ପିନାକ୍ ମିଶ୍ର । କଟକ ଭଳି ପୁରୁଣା ଓ ସଂସ୍କୃତିସଂପର୍ଣ୍ଣ ସହରର ଆଇନଶୃଙ୍ଖଳା, ସାଇବର କ୍ରାଇମ ଓ ଅପରାଧୀ ମୁକାବିଲା ଉପରେ ଗୁରୁତ୍ବ ଦେବେ ବୋଲି ଦାୟିତ୍ବ ନେବା ପରେ କହିଛନ୍ତି ପିନାକ ।

ସେହିପରି  କଟକର ପରମ୍ପରା ଓ ସଂସ୍କୃତିକୁ ନେଇ କାମ କରିବି ବୋଲି କହିବା ସହ ଥାନାକୁ ଆସୁଥିବା ଲୋକଙ୍କୁ ଭଲ ବ୍ୟବହାର ଉପରେ ଗୁରୁତ୍ବ ଦେଇଛନ୍ତି । ନିଶାକାରବାର ଉପରେ ଯେଉଁଭଳି ଅଭିଯାନ ଚାଲିଛି ସେହିପରି ଆଭିମୁଖ୍ୟରେ କାମ କରାଯିବ ବୋଲି ନୂଆ ଡିସିପି କହିଛନ୍ତି ।