spot_img
Home Blog Page 4270

ଟ୍ବିଟର୍ ଆଣିଲା ଏଡିଟ୍ ଅପସନ: ଭୁଲ ପୋଷ୍ଟ ଡିଲିଟ୍ କରିବାକୁ ପଡ଼ିବନି

ନୂଆଦିଲ୍ଲୀ: ଫେସବୁକ ଓ ଅନ୍ୟ ସୋସିଆଲ ସାଇଟ୍ ପରି ଟ୍ବିଟରରେ ଏଡିଟ୍ ଅପସନ ନଥିଲା । ଯଦି କୌଣସି ପୋଷ୍ଟରେ କିଛି ଭୁଲ ରହି ଯାଉଥିଲା, ୟୁଜର୍ସଙ୍କୁ ପାଖରେ ଉକ୍ତ ପୋଷ୍ଟ ଏଡିଟ୍ କରିବାର କୌଣସି ବିକଳ୍ପ ନଥିଲା । ଫଳରେ ୟୁଜର୍ସ ବାଧ୍ୟ ହୋଇ ପୋଷ୍ଟକୁ ଡିଲିଟ୍ କରି ନୂଆ ପୋଷ୍ଟ କରୁଥିଲେ । ଏମିତି ସମସ୍ୟାର ସମାଧାନ ପାଇଁ ଟ୍ବିଟରରେ ଏଡିଟ ଅପସନ ରଖିବାକୁ ବହୁଦିନ ହେଲା ଦାବି ହୋଇ ଆସୁଥିଲା । ଯାହା ଏବେ ପୂରଣ ହୋଇଛି । ଟ୍ବିଟର ଏବେ ପୋଷ୍ଟରେ ଏଡିଟ୍ ଅପସନ ଆଡ କରିଛି । ତେବେ ଏହା ବର୍ତ୍ତମାନ କିଛି ନିର୍ଦ୍ଦିଷ୍ଟ ୟୁଜର୍ସଙ୍କୁ ଉବଲବ୍ଧ ହୋଇଛି ।

ଟିପ୍ସଟର ମୁକୁଲ ଶର୍ମାଙ୍କ ଅନୁସାରେ, ମାଇକ୍ରୋ ବ୍ଲଗିଂ ସାଇଟ ଏକ ନୂଆ ଫିଲ୍ଟର ଜାରି କରିଛି । ଏଥିରେ ୟୁଜର୍ସ ଆପତ୍ତିଜନକ ଟ୍ବିଟକୁ ଡିଲିଟ କରିବା ବଦଳରେ ଏଡିଟ୍ କରି ପାରିବେ । ଏହି ଫିଚର୍, ଟ୍ବିଟ୍ ପୋଷ୍ଟ କରିବା ପୂର୍ବରୁ ଆପତ୍ତିଜନକ ଶବ୍ଦକୁ ଏଡିଟ୍ କରିବାକୁ ସୂଚନା ଦେବ ।  ଏହାର ଅର୍ଥ ପୋଷ୍ଟ ପୂର୍ବରୁ ଆପତ୍ତିଜନକ ଶବ୍ଦ ଉପରେ ନଜର ରଖିବ ଟ୍ବିଟର୍ । ଫଳରେ ଯଦି କୌଣସି ୟୁଜର୍ସ ନିଜ ଟ୍ବିଟ ପୋଷ୍ଟରେ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିବେ ତେବେ ତାଙ୍କୁ ଏଡିଟ ଟ୍ବିଟ୍, ଡିଲିଟ ଟ୍ବିଟ୍ ଓ ପୋଷ୍ଟ ଟ୍ବିଟ୍ ଅପସନ ଦେଖାଇବ । ଏହାବାଦ ଯଦି ୟୁଜର୍ସ ଏହି ୩ଟି ଅପସନରେ ସନ୍ତୁଷ୍ଟ ନଥିବେ ସେମାନଙ୍କୁ ଫିଡବ୍ୟାକ୍ ସେୟାର କରିବାକୁ ଅପସନ ମଧ୍ୟ ଦିଆଯାଇଛି । ରିପୋର୍ଟ ଅନୁସାରେ ଟ୍ବିଟର୍, ଏଡିଟ୍ ବଟମ୍ ବ୍ୟତୀତ ଟ୍ବିଟର ନୋଟିଫିକେସନ ପ୍ୟାନେଲରେ ଲାଇକ ଓ ଡିସଲାଇକ୍ ଅପସନ ଦେଉଛି ।

ଏହା ପୂର୍ବରୁ ଟ୍ବିଟର ତରଫରୁ ଡାଉନଭୋଟ୍ ଅପସନ ଟେଷ୍ଟ କରାଯାଇଥିଲା । ଏବେ ଏହି ଅପସନଟି ଲାଇକ ଅପସନ ସହ ନୋଟିଫିକେସନ୍ ପ୍ୟାନେଲରେ ରହିଛି । ଏଥିରେ ୟୁଜର୍ସଙ୍କୁ କୌଣସି ଟ୍ବିଟକୁ ଖୋଲି ଲାଇକ ଓ ଡିସଲାଇକ କରିବାକୁ ପଡୁନାହିଁ ।

ସୂଚନାଯୋଗ୍ୟ, କମ୍ପାନୀ ତରଫରୁ ଏହି ଦୁଇ ଫିଚରକୁ ନେଇ କୌଣସି ସ୍ପଷ୍ଟ କରାଯାଇନାହିଁ । ତେବେ ଏଡିଟ୍ ବଟମକୁ ନେଇ ଦାବି ହୋଇ ଆସୁଥିବା ବେଳେ ଏହା ଶୀଘ୍ର ସବୁ ୟୁଜର୍ସଙ୍କ ପାଇଁ ଉପଲବ୍ଧ ହେବ ବୋଲି ଅନୁମାନ କରାଯାଉଛି ।

ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବନି ରାଜ୍ୟ କଂଗ୍ରେସ

ଭୁବନେଶ୍ବର: ଓଡ଼ିଆ ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ତରଫରୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଛି । ଯାହାକୁ ବିଜେଡି ସମର୍ଥନ କରିଛି । ତେବେ ରାଜ୍ୟ କଂଗ୍ରେସ ମାଟିର ଝିଅକୁ ସମର୍ଥନ ଦେବ କି ବିରୋଧ କରିବ ତାକୁ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଉଥିଲା । ଆଶା ଥିଲା ଯେହେତୁ କୌଣସି ଓଡ଼ିଆ, ତାହା ପୁଣି ଜଣେ ଆଦିବାସୀ ମହିଳା ଦେଶର ପ୍ରଥମ ନାଗରିକ ନିର୍ବାଚନକୁ ଓହ୍ଲାଉଛନ୍ତି, ରାଜ୍ୟ କଂଗ୍ରେସ ସମର୍ଥନ ଦେବ । ହେଲେ ରାଜ୍ୟ କଂଗ୍ରେସ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବ ନାହିଁ ବୋଲି ସ୍ପଷ୍ଟ କରିଛି । ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଏହା ସ୍ପଷ୍ଟ କରିଛନ୍ତି ।

ସେ କହିଛନ୍ତି, ‘ଓଡ଼ିଶା କଂଗ୍ରେସ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ କିମ୍ବା ସମର୍ଥନ ଦେବନି । ବ୍ୟକ୍ତି ଯେତେ ଭଲ ହୋଇଥାନ୍ତୁ କିମ୍ବା ଆଚରଣ ବ୍ୟବହାର ତଥା ଉପଲବ୍ଧି ଯାହା ହୋଇଥାଉ, ସେ ଯଦି ଆରଏସଏସ ଓ ବିଜେପି ଚିନ୍ତାଧାରାର ଲୋକ କଂଗ୍ରେସ ସମର୍ଥନ ଦେବ ନାହିଁ I କଂଗ୍ରେସ ଯଶଓ୍ବନ୍ତ ସିହ୍ନାଙ୍କୁ ସମର୍ଥନ କରିଛି, ତାଙ୍କୁ ହିଁ ଭୋଟ୍ ଦେବୁ ।’

ଆଗକୁ ସେ କହିଛନ୍ତି, ‘ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ ଜଣେ ଭଲ ରାଜନୀତିଜ୍ଞ, ଭଲ ବ୍ୟକ୍ତିତ୍ବ । କିନ୍ତୁ ତାଙ୍କର ବିଜେପି ଚିନ୍ତାଧାରା ରହିଛି I ତେଣୁ କଂଗ୍ରେସ ତାଙ୍କୁ ସମର୍ଥନ ଦେବ ନାହିଁ ।’

ଜାଣନ୍ତି କି ବିଶ୍ବର ସବୁଠୁ ସୁନ୍ଦର ମୁହଁ କାହାର । ପଢନ୍ତୁ ସମ୍ପୂର୍ଣ୍ଣ ଖବର

ନନ୍ଦିଘୋଷ ବ୍ୟୁରୋ: ନିକଟରେ ପୂର୍ବତନ ସ୍ବାମୀଙ୍କ ସହ ମାନହାନି ମାମଲାରେ ଚର୍ଚ୍ଚାରେ ଥିବା ହଲିଉଡ ଅଭିନେତ୍ରୀ ଅମ୍ବର ହର୍ଡ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି  । କିନ୍ତୁ ଏଥର କୌଣସି ଝଗଡା ପାଇଁ ନୁହେଁ ନିଜର ସୁନ୍ଦର ଚେହେରା ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ବିଜ୍ଞାନ ଅନୁସାରେ ଅମ୍ବର ହର୍ଡଙ୍କ ମୁଁହ ବିଶ୍ବରେ ସବୁଠୁ ସୁନ୍ଦର ଓ ନିଖୁଣ  । ଜଣେ ବ୍ରିଟିଶ ଶଲ୍ୟ ଚିକିତ୍ସକ ଦାବି କରିଛନ୍ତି ବିଶ୍ବର ସବୁଠୁ ସୁନ୍ଦର ଚେହେରା ଅମ୍ବର ହର୍ଡଙ୍କର ବୋଲି ।

Photo Source- Online

ବିଜ୍ଞାନ ଆଧାରରେ ଦାବି କରିଥିବା ଏହି ବ୍ରିଟିଶ୍ କସ୍ମେଟିକ୍ ସର୍ଜନ ହେଉଛନ୍ତି ଡାକ୍ତର ଜୁଲିୟନ ଡି ସିଲଭା  । ରିପୋର୍ଟ ମୁତାବକ ନିଜ ରିସର୍ଚ୍ଚରେ ସେ ଅମ୍ବର ହର୍ଡଙ୍କ ଚେହେରା ୯୧.୮୫ ପ୍ରତିଶତ ଆକ୍ୟୁରେଟ ପାଇଛନ୍ତି  । ଡା. ସିଲଭା ଫେସ ମ୍ୟାପିଙ୍ଗ ଟେକନିକ୍ ପଦ୍ଧତିର ଉପଯୋଗ କରି ୧୨ ପ୍ରମୁଖ ପଏଣ୍ଟର ବିଶ୍ଲେଷଣ କରିଥିଲେ  । ଆଖି, ନାକ, ଓଠ, ଥୋଡି, ମାଢି ଏବଂ ଚେହାରାର ଆକାର ସମେତ ବିଭିନ୍ନ ଫିଚର୍ସର ମୂଲ୍ୟାଙ୍କନ କରିଥିଲେ  । ଏହି ଟେକନିକ୍ ଆଧାରରେ ଚେହେରାର ସୁନ୍ଦରତାର ମୂଲ୍ୟାଙ୍କନ କରିବା ପାଇଁ ସର୍ବପ୍ରଥମେ ଚେହେରାର ଲମ୍ବ ଏବଂ ଚୌଡା ମପାଯାଇଥାଏ  ।

Photo Source-Online

ଚେହେରାର ସୁନ୍ଦରତା ମାପିବାକୁ ବ୍ୟୁଟି ଫ୍ରିର ଗ୍ରୀକ ଗୋଲ୍ଡେନ ରେସିଓର ବ୍ୟବହାର କରାଯାଇଥାଏ  । ହଜାର ହଜାର ବର୍ଷ କାଳରୁ ଏହାକୁ ଚେହେରା ମାପିବାର ସବୁଠୁ ଭଲ ପ୍ରକ୍ରିୟା ଭାବେ ଜଣାଯାଇଛି  । ଏହି ଆଧାରରେ ଅମ୍ବର ହର୍ଡଙ୍କୁ ସବୁଠୁ ସୁନ୍ଦର ମହିଳା ବିବେଚିତ କରାଯାଇଛି  ।

Photo Source-Online

ସେହିପରି କିମ କାର୍ଡାସିଆନ ଦ୍ବିତୀୟ ସ୍ଥାନରେ ରହିଛନ୍ତି  । ତାଙ୍କ ଚେହେରାର ୯୧.୩୯ ପ୍ରତିଶତ ଆକୁରେସି ରହିଛି  ।  ଏହି ଷ୍ଟଡି ଅନୁଯାୟୀ କିଛି ଅଭିନେତ୍ରୀ ଓ ଚର୍ଚ୍ଚିତ ମହିଳାଙ୍କ ଚେହାରର କିଛି କିଛି ଅଙ୍ଗକୁ ମିଶାଯାଇ ଏକ ଶତପ୍ରତିଶତ ପରଫେକ୍ଟ ଫେସ୍ ପ୍ରସ୍ତୁତ କରାଯାଇଥିଲା । ଭିନ୍ନ ଅଭିନେତ୍ରୀଙ୍କ ନାକ, ଆଖି, ଓଠ ଓ ଅନ୍ୟ ଅଙ୍ଗକୁ ମିଶାଇ ଏହି ଷ୍ଟଡି କରାଯାଇଛି  ।

Photo Source-Online

ତେବେ ଅମ୍ବର ହର୍ଡଙ୍କ ନାକ, କିମ କାର୍ଡାସିଆନଙ୍କ ଆଇବ୍ରୋ, ସ୍କାରଲେଟ୍ ରନସନଙ୍କ ଆଖି, ରିହାନ୍ନାଙ୍କ ଚେହେରାର ଆକାର, ଏମିଲି ରତଜକୋସ୍କିଙ୍କ ଓଠ ଏବଂ କେଟଙ୍କ ମସ୍ତକ କପାଳ ସବୁଠୁ ସୁନ୍ଦର ବୋଲି ବିବେଚନା କରାଯାଇଛି ।

Photo Source-Online

ସୂଚନାଥାଉକି ଭର୍ଜିନିଆର ଏକ ଅଦାଲତ ଚଳିତ ମାସ ଆରମ୍ଭରେ ପୂର୍ବରୁ ସ୍ବାମୀ ସ୍ତ୍ରୀ ଥିବା ହଲିଉଡ ତାରକା ଜନି ଡେପ ଏବଂ ଅଭିନେତ୍ରୀ ଅମ୍ବର ହର୍ଡଙ୍କ ହାଇ ପ୍ରୋଫାଇଲ ମାନହାନି ମାମଲାରେ ନିଜ ରାୟ ଶୁଣାଇଥିଲେ  । ଜନି ଡେପଙ୍କ ସପକ୍ଷରେ ରାୟ ଦେବା ସହ ୭ ଜଣିଆ ଜଜ୍ ବିଶିଷ୍ଟ ବେଞ୍ଚ ଅଭିନେତ୍ରୀଙ୍କୁ କ୍ଷତିପୂରଣ ଆଧାରରେ ନିଜର ପୂର୍ବତନ ପତିଙ୍କୁ ୧୫ ମିଲିୟନ ଡଲାର ଦେବାକୁ ନିର୍ଦ୍ଦେଶ ଦେଇଥିଲେ  । ଏହି ମାମଲାର ଶୁଣାଣି ସମୟରେ ଅମ୍ବର ହର୍ଡ ଜନି ଡେପଙ୍କ ଉପରେ ଯୌନ ଶୋଷଣ ଆରୋପ ଲଗାଇଥିଲେ  ।

ସାଙ୍ଗ ମେଳରେ ବୁଲିବା ହେଲା କାଳ: ପାଣି ଭର୍ତ୍ତି ଖାତରେ ବୁଡ଼ିଗଲେ ୪ ଶିଶୁ

ଜୟପୁର: ସାଙ୍ଗଙ୍କ ସହ ବୁଲିବା ୪ ଶୁଶଙ୍କ ପାଇଁ ହେଲା କାଳ । ଏକ ପାଣି ଭର୍ତ୍ତି ଖାତରେ ପଡି ଚାଲିଗଲା ୪ କୋମଳମତି ଶିଶୁଙ୍କ ଜୀବନ । ମୃତକଙ୍କ ମଧ୍ୟରେ ୩ ଜଣ ନାବାଳିକା ଥିବା ବେଳେ ଜଣେ ନାବାଳକ ଅଛନ୍ତି । ଏପରି ଅଭାବନୀୟ ଘଟଣା ଘଟିଛି କୋରାପୁଟ ସଦର ଥାନା ମାଝିଗୁଡ଼ାରେ ।

ସୂଚନା ଅନୁସାରେ, ମାଝିଗୁଡ଼ାରେ ଏକ ପାଣି ଭର୍ତ୍ତି ଖାତ ନିକଟରେ ୬ ଶିଶୁ ବୁଲାବୁଲି କରୁଥିବା ବେଳେ ୪ ଜଣ କୌଣସି କାରଣରୁ ସେଥିରେ ପଡି ଯାଇଥିଲେ । ପିଲାମାନଙ୍କ ବୟସ କମ ହୋଇଥିବା ବେଳେ ଖାତଟି ପାଣିରେ ଭର୍ତ୍ତି ହୋଇଥିଲା । ଫଳରେ ପିଲାମାନେ ସେଥିରୁ ଉଠି ନପାରି ବୁଡି ଯାଇଥିଲେ ।

ଖବର ପାଇବା ପରେ ବନ ବିଭାଗ ଓ ସଦର ଥାନା କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି । ପିଲାମାନଙ୍କ ବୟସ ଜଣାପଡିନି । ତେବେ ପିଲାମାନେ ଉକ୍ତ ଖାତ ନିକଟରେ କ’ଣ କରୁଥିଲେ ସ୍ପଷ୍ଟ ହୋଇନାହିଁ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକ ଖେଳିଯାଇଛି ।

ମୋଦି ଓ ଶାହଙ୍କୁ ଭେଟିଲେ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଦେଶର ପ୍ରଥମ ନାଗରିକ ଭାବେ ନିର୍ବାଚନ ଲଢିବାକୁ ତାଙ୍କ ନାଁ ଘୋଷଣା କରିଥିବାରୁ ସେ ଉଭୟଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହାସହ ଉଭୟଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ ।

ସୂଚନାଯୋଗ୍ୟ, ବିରୋଧୀ ଦଳ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଯଶଓ୍ବନ୍ତ ସିହ୍ନାଙ୍କ ନାଁ ଘୋଷଣା କରାଯାଇଥିଲା । ଏହାପରେ ଏନଡିଏରୁ କିଏ ରାଷ୍ଟ୍ରପତି ପ୍ରାର୍ଥୀ ହେବ ତାକୁ ନେଇ ଚର୍ଚ୍ଚା ବଢି ଯାଇଥିଲା । କାରଣ ସିହ୍ନା ଜଣେ ଦକ୍ଷ ରାଜନେତା ହୋଇଥିବା ବେଳେ ପୂର୍ବରୁ ବିଜେପିରୁ ମନ୍ତ୍ରୀ ରହି ସାରିଛନ୍ତି । ତାଙ୍କୁ ଟକ୍କର ଦେବାକୁ ବିଜେପିକୁ ଏମିତି ଏକ ମୁହାଁ ଦରକାର ପଡୁଥିଲା, ଯାହାକୁ ଅଣ ଏନଡିଏ ଶାସିତ ରାଜ୍ୟରେ ବିରୋଧର ସମ୍ମୁଖୀନ ହେବାକୁ ପଡିବ ନାହିଁ ।

ଅନ୍ୟପକ୍ଷେ ଏନଡିଏ ପାଖରେ ରାଷ୍ଟ୍ରପତି ନିର୍ବାଚନରେ ବିଜୟ ହେବାକୁ ଆବଶ୍ୟକ ଭୋଟ ବି ନଥିଲା । ବିଜେଡି ଓ ଅନ୍ୟ କିଛି ଅଣ ଏନଡିଏ ଶାସିତ ରାଜ୍ୟର ଭୋଟ ବିନା ବିଜେଡି ରାଷ୍ଟ୍ରପତି ନିର୍ବାଚନରେ ଜିତିବା ସମ୍ଭବ ନଥିଲା । ଏମିତି ସ୍ଥଳରେ ମୋଦି ସରକାର ମୁର୍ମୁଙ୍କ ନାଁ ଘୋଷଣା କରି ମାଷ୍ଟରଷ୍ଟ୍ରୋକ ଖେଳି ଦେଇଛନ୍ତି । ଯାହାର ଲାଭ ମିଳିବା ମଧ୍ୟ ଆରମ୍ଭ ହୋଇ ସାରିଛି ।

ରାଷ୍ଟ୍ରପତି ନିର୍ବାଚନରେ ବିଜୟ ଓ ପରାଜୟ ମୁଖ୍ୟତଃ ବିଜେଡି ସମର୍ଥନ ଉପରେ ରହିଛି । ଏମିତି ସ୍ଥିତିରେ ଉଭୟ ବିଜେପି ଓ ବିରୋଧୀ, ନବୀନ ପଟ୍ଟନାୟକଙ୍କୁ ତାଙ୍କ କ୍ୟାମ୍ପକୁ ନେବାକୁ ସତ ଚେଷ୍ଟା କରିଥିଲେ । ତେବେ ଓଡ଼ିଆ ଝିଅ ତଥା ଗରିବ, ଆଦିବାସୀଙ୍କ ପାଇଁ ସଂଗ୍ରାମ କରି ଆସିଥିବା ଦ୍ରୌପଦୀ ମୁର୍ମୁଙ୍କୁ ବିଜେପି ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିବା ପରେ ଅଣ ଏନଡିଏ ଶାସିତ ରାଜ୍ୟ ଭାବେ ବିଜେଡି ପ୍ରଥମ ଦଳ ଭାବେ ମୁର୍ମୁଙ୍କ ପ୍ରାର୍ଥିତ୍ବକୁ ଖୋଲା ସମର୍ଥନ ଜଣାଇଛି । ଏପରିକି ବିଜେଡିର ଦୁଇ ମନ୍ତ୍ରୀ ଜଗନ୍ନାଥ ସରକା ଏବଂ ଟୁକୁନି ସାହୁ ମୁର୍ମୁଙ୍କ ନାମାଙ୍କନ ପତ୍ରରେ ସ୍ବାକ୍ଷର କରିଛନ୍ତି । ଆସନ୍ତାକାଲି ଯଦି ମୁର୍ମୁ ନାମାଙ୍କନପତ୍ର ଦାଖଲ କରନ୍ତି, ତେବେ ବିଜେଡିର ଏହି ଦୁଇ ମନ୍ତ୍ରୀଙ୍କୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବିଦ୍ରୋହୀ ବିଧାୟକ ଚାହିଁଲେ ମହାବିକାଶ ଅଘାଡି ମେଣ୍ଟରୁ ଅଲଗା ହେବୁ: ସଞ୍ଜୟ

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ରାଜନୈତିକ ସଙ୍କଟ ମଧ୍ୟରେ ସଞ୍ଜୟ ରାଉତଙ୍କ ବଡ ବୟାନ ଆସିଛି । ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ ବିଦ୍ରୋହୀଙ୍କୁ ମନାଇବା ପାଇଁ ଆଉ ଏକ ପ୍ରସ୍ତାବ ଦେଇଛନ୍ତି  । ସେ କହିଛନ୍ତି ଯଦି ବିଦ୍ରୋହୀ ବିଧାୟକ ସାମ୍ନାକୁ ଆସି କୁହନ୍ତି ମହାବିକାଶ ଅଘାଡି ମେଣ୍ଟରୁ ଅଲଗା ହେବା ପାଇଁ, ତେବେ ଏହା ଉପରେ ବିଚାର କରିବା ପାଇଁ ଆମେ ପ୍ରସ୍ତୁତ ଅଛୁ । ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ର ଆସନ୍ତୁ ଏବଂ  ନିଜର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ  ।

ସୂଚନାଯୋଗ୍ୟ, ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଦେଙ୍କ ଶିବିରରେ ବିଧାୟକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଶିବସେନାର ମୋଟ ୫୫ ବିଧାୟକଙ୍କ ମଧ୍ୟରୁ ୪୨ ବିଧାୟକ ତାଙ୍କ ଶିବିରରେ ଅଛନ୍ତି  । ଗୌହ୍ବାଟିର ଏକ ହୋଟେଲରେ ସେମାନେ ରହିଛନ୍ତି  । କିଛି ସମୟ ପୂର୍ବରୁ ବିଧାୟକମାନେ ଏକ ଭିଡିଓ ଜାରି କରି ଶକ୍ତି ପ୍ରଦର୍ଶନ କରିଥିଲେ ।

ଅନ୍ୟପକ୍ଷରେ ଗତକାଲି ସନ୍ଧ୍ୟାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବିଦ୍ରୋହୀଙ୍କୁ ମନାଇବା ପାଇଁ ଇମୋସନାଲ କାର୍ଡ ଖେଳିଥିଲେ  । ସେ କହିଥିଲେ ପୂର୍ବରୁ ଯେଉଁ ହିନ୍ଦୁତ୍ବର ଶିବସେନା ଥିଲା ଆଜି ବି ତାହା ଅଛି  । ସାମ୍ନାକୁ ଆସି ଆଲୋଚନା କର  । ମୁଖ୍ୟମନ୍ତ୍ରୀ ପଦ ଓ ଅଧ୍ୟକ୍ଷ ପଦ ଛାଡିବା ପାଇଁ ପ୍ରସ୍ତୁତ ଅଛି  । କିନ୍ତୁ ତାଙ୍କର ଏହି ଇମୋସନାଲ କାର୍ଡ କାମ ଦେଇନଥିଲା  । ବିଦ୍ରୋହୀ ବିଧାୟକମାନେ ରାଜ୍ୟପାଳଙ୍କୁ ଏକ ଚିଠି ଲେଖି ସେମାନଙ୍କ ନେତା ସିନ୍ଦେ ବୋଲି କହିଥିଲେ  । ଏବେ ସମସ୍ତଙ୍କ ନଜର ରହିଛି କଣ ପୁଣିଥରେ ଶିବସେନା ବିଧାୟକମାନେ ଘରବାହୁଡ଼ା ହେବେ ନା ଅନ୍ୟ ଦଳ ସହ ମେଣ୍ଟ କରି ସରକାର ଗଢିବେ  । ଧୀରେ ଧୀରେ ଉଦ୍ଧବଙ୍କ ବିଧାୟକଙ୍କ ସଂଖ୍ୟା କମିବାରେ ଲାଗିଛି  ।

ଲଜ୍ଜା: ୫ହଜାର ଟଙ୍କାରେ ପୁଅକୁ ବିକିଦେଲା ବାପା, ଥାନାରେ ମା’ଙ୍କ ଅଭିଯୋଗ

ଭୁବନେଶ୍ବର: ଟଙ୍କା ପାଇଁ ପୁଅକୁ ବିକିଦେଲା ବାପା । ସାମାନ୍ୟ ୫ ହଜାର ଟଙ୍କା ପାଇଁ ଛୁଆକୁ ବିକ୍ରି କରିଛି ସୈତାନ୍ ବାପା । ଏଭଳି ଏକ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଛୁଆର ମା । ଏ ନେଇ ଚନ୍ଦ୍ରଶେଖରପୁର ଥାନାରେ ସୈତାନ୍ ସ୍ବାମୀ ବିରୋଧରେ ଅଭିଯୋଗ କରିଛନ୍ତି । ସୂଚନାନୁଯାୟୀ ଭୁବନେଶ୍ୱର ଇସନେଶ୍ୱର୍ ବସ୍ତିରେ ରୋଜି ରାଓ ଓ ସେକ ମୁସିବୁଲ ୧୩ ବର୍ଷ ତଳେ ପ୍ରେମ ବିବାହ କରିଥିଲେ । ରୋଜିର ସ୍ବାମୀ ସେକଙ୍କ ଘର କୋଲକାତାର ମେଦିନୀପୁରରେ ଓ ସେ ଭୁବନେଶ୍ୱରରେ ରହି ମିସ୍ତ୍ରୀ କାମ କରୁଥିଲେ । ଉଭୟଙ୍କ ମଧ୍ୟରେ ପ୍ରେମ ବିବାହ ହୋଇଥିଲା  । ସେମାନଙ୍କର ଦୁଇ ପୁଅ ସେକ ରୋହିତ (୮ବର୍ଷ) ଓ  ସେକ ମୁସ୍ତାକ (୬ବର୍ଷ) ।

ବିବାହ ପରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଅନେକ ସମୟରେ ଝଗଡ଼ା ଲାଗି ରହୁଥିଲା ।  ଗତ ବର୍ଷେ ତଳେ ଉଭୟଙ୍କ ମଧ୍ୟ ରେ ଅଧିକ ଝଗଡ଼ା ହୋଇଥିଲା । ଏହା ପରେ ରୋଜିର ସ୍ବାମୀ ସେକ୍ ଘର ଛାଡ଼ି ଚାଲିଯାଇଥିଲେ ।  ଏହାର ୩ ମାସ ପରେ ସ୍ଵାମୀ ଅଚାନକ ରୋଜି ଘରେ ନଥିବା ସମୟରେ ଦୁଇ ପୁଅ ସହ ନିଜର କିଛି କାଗଜପତ୍ର ଓ ଛୁଆଙ୍କ ଡ୍ରେସ୍ ନେଇ ଘରୁ ପଳାଇ ଯାଇଥିଲା । ଅନେକ ଜାଗାରେ ପୁଅକୁ ଖୋଜାଖୋଜି କରିଥିଲେ ରୋଜି ହେଲେ ସ୍ବାମୀ ଓ ପିଲା ର କିଛି ପତ୍ତା ମିଳିନଥିଲା । ଏପରିକି ରୋଜି ସ୍ବାମୀର ନିଜ ଘର ମେଦିନୀପୁର ମଧ୍ୟ ଯାଇ ମଧ୍ୟ ଖୋଜା ଖୋଜି କରିଥିଲେ ।

ଏବେ ରୋଜି ଜାଣିବାକୁ ପାଇଲେ ଯେ ତାଙ୍କ ବଡ ପୁଅକୁ ଭଦ୍ରକ ଧାମନଗର ରେ ଜନୈକ ବ୍ୟକ୍ତିକୁ ୫ ହଜାର ଟଙ୍କା ରେ ବିକ୍ରି କରିଛି ସ୍ବାମୀ ସେକ୍ । ସାନ ପୁଅକୁ ପାଖରେ ରଖିଛି । ଏହା ପରେ ରୋଜି ଧାମ ନଗର ଯାଇ ବିକ୍ରି କରିଥିବା ବ୍ୟକ୍ତିଙ୍କ ଘରେ ପହଞ୍ଚି ପୁଅ କୁ ଭେଟିଥିଲେ । କିନ୍ତୁ ଏହା ପରେ ଧାମନଗର ପୋଲିସ ରେ ଅଭିଯୋଗ କରି ଗତ ୧୯ ତାରିଖ ରେ ଗଲା ବେଳକୁ ପୁଅକୁ ଲୁଚାଇ ଦିଆଯାଇଥିଲା। ସେଠାରେ ଧାମନଗର ପୋଲିସର ମଧ୍ୟ ସହଯୋଗ ନ ମିଳିବାରୁ ରୋଜି କାନ୍ଦି କାନ୍ଦି ଭୁବନେଶ୍ୱର ରେ ପହଞ୍ଚି ଚନ୍ଦ୍ର ଶେଖର ପୂର୍ ଥାନା ରେ ଅଭିଯୋଗ କରିଛନ୍ତି । ଏହି ଖବର ପାଇ ଚାଇଲ୍ଡ ଲାଇନ୍ ର ସଦସ୍ୟା ରୋଜିଙ୍କୁ ଭେଟି ଘଟଣା ବୁଝିଛନ୍ତି । ଏହା ପରେ ରୋଜି କୁ ସାଙ୍ଗରେ ନେଇ ଚନ୍ଦ୍ର ଶେଖରପୁର ଥାନାରେ ଏହାର ବିଧିବଦ୍ଧ ତଦନ୍ତ କରିବା ଦାବି କରିବା ସହ ରୋଜି ର ଦୁଇ ଛୁଆକୁ ଉଦ୍ଧାର କରିବାକୁ ପୋଲିସ ସହ ଆଲୋଚନା କରିଛନ୍ତି ।

ଉଦ୍ଧବଙ୍କ ନିକଟକୁ ଭାବପ୍ରବଣ ଚିଠି ଲେଖିଲେ ବିଦ୍ରୋହୀ ବିଧାୟକ, କହିଲେ, ବର୍ଷ ବର୍ଷ ଧରି ହୋଇଛୁ ଅବହେଳିତ

ମୁମ୍ବାଇ: ପଲିଟିକାଲ ହାଇଡ୍ରାମା ଭିତରେ ଇମୋସନାଲ ୱାର । କାଲି ଉଦ୍ଧବଙ୍କ ଫେସବୁକ ଲାଇଭ ପରେ ଆଜି ବିଦ୍ରୋହୀଙ୍କ ଲେଟର ବମ୍‌ । ଉଦ୍ଧବ ଠାକରରେଙ୍କୁ ବିଦ୍ରୋହୀ ବିଧାୟକ ଲେଖିଛନ୍ତି ଭାବପ୍ରବଣ ଚିଠି । ଏକନାଥ ସିନ୍ଦେଙ୍କ କ୍ୟାମ୍ପରୁ ଉଦ୍ଧବ ଠାକରେଙ୍କୁ ଚିଠି ଲେଖିଛନ୍ତି ଅସନ୍ତୁଷ୍ଟ ବିଧାୟକ । ରାଜ୍ୟସଭା ନିର୍ବାଚନ ବେଳେ ଆମ ପ୍ରତି ଅବିଶ୍ୱାସ ବ୍ୟକ୍ତ କରାଗଲା । ବର୍ଷ ବର୍ଷ ଧରି ଅବହେଳାର ଶିକାର ହୋଇଛୁ । ମନ୍ତ୍ରଣାଳୟରେ ବି ଉଦ୍ଧବ ଠାକରେଙ୍କୁ ଭେଟିବାକୁ ଦିଆଗଲାନି । ଆମର ସବୁ ସମସ୍ୟା ଏକନାଥ ସିନ୍ଦେ ଶୁଣୁଥିଲେ ।

ବିଦ୍ରୋହୀ ବିଧାୟକଙ୍କୁ ଅପମାନଜନକ ବ୍ୟବହାର କରାଯାଇଥିବା ନେଇ ଚିଠିରେ ଉଲ୍ଲେଖ ରହିଛି । ଏନସିପି ନେତା ଅପମାନ କରିଥିଲେ । ଆଦିତ୍ୟ ଠାକରେଙ୍କୁ ଅଯୋଧ୍ୟା ଯିବକୁ ଅନୁମତି ମିଳିଥିବା ବେଳେ ଆମକୁ ଫୋନ କରି ରୋକି ଦିଆଗଲା । ନ୍ୟାୟ ପାଇଁ ସିନ୍ଦେଙ୍କ ସହ ଆସିଛୁ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି । ଏହି ଚିଠିକୁ ଟ୍ୱିଟ କରିଛନ୍ତି ଏକନାଥ ସିନ୍ଦେ । ଏହା ବିଦ୍ରୋହୀ ବିଧାୟକଙ୍କ ଭାବନା ବୋଲି ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଉଲ୍ଲେଖ କରିଛନ୍ତି ଏକନାଥ ।

କାମ କଲାନି ଇମୋସନାଲ କାର୍ଡ, ଉଦ୍ଧବଙ୍କ ସମର୍ଥନରେ ମାତ୍ର ୧୩ ବିଧାୟକ

ମୁମ୍ବାଇ: ମହାରାଷ୍ଟ୍ର ରାଜନୈତିକ ନାଟକ । କାମ କଲାନି ଇମୋସନାଲ କାର୍ଡ, ବ୍ୟାକଫୁଟରେ ଉଦ୍ଧବ ସରକାର । ମୋଟ ୫୫ ଶିବସେନା ବିଧାୟକଙ୍କ ମଧ୍ୟରୁ ମାତ୍ର ୧୩ ଜଣ ଉଦ୍ଧବଙ୍କ ସମର୍ଥନରେ ଥିବା ଜଣାପଡ଼ିଛି । ବର୍ଷାରେ ଚାଲିଥିବା ବୈଠକରେ ମାତ୍ର ୧୨ ଜଣ ବିଧାୟକ ଉପସ୍ଥିତ ଥିବାବେଳେ ଆଦିତ୍ୟ ଠାକରେ ମାତୋଶ୍ରୀରେ ଅଛନ୍ତି । କ୍ଷମତା କନ୍ଦଳ ମଧ୍ୟରେ ନିଜ ଦଳର ବିଧାୟକଙ୍କୁ ଆଗାମୀ ସଂଘର୍ଷ ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି ଏନସିପି ସୁପ୍ରିମୋ ଶରଦ ପାୱାର । ଦୃଢ଼ ନିଷ୍ପତ୍ତି ନେବା ପାଇଁ ଉଦ୍ଧବଙ୍କୁ ପରାମର୍ଶ ଦିଆଯାଇଛି । ଯେ କୌଣସି ପରିସ୍ଥିତିରେ ଏନସିପି ଉଦ୍ଧବଙ୍କୁ ସମର୍ଥନ କରିବ । ଯଦି କ୍ଷମତା ଯାଏ ପରବର୍ତ୍ତୀ ସଂଘର୍ଷ ପାଇଁ ପ୍ରସ୍ତୁତ ରହିବାକୁ ନିଜ ଦଳର ନେତାମାନଙ୍କୁ ପାୱାର ସନ୍ଦେଶ ଦେଇଛନ୍ତି ।

ଗୋଟିଏ ପଟେ ସିନ୍ଦେ ୪୨ ବିଧାୟକଙ୍କ ସମର୍ଥନ ଥିବା ଦାବି କରୁଛନ୍ତି, ସେପଟେ ବିଦ୍ରୋହୀ ଗୋଷ୍ଠୀର ଅଧା ବିଧାୟକ ଫେରି ଆସିବା ପାଇଁ ଯୋଗାଯୋଗରେ ଥିବା ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି । ସେପଟେ ଗୌହାଟୀରେ ସିନ୍ଦେଙ୍କ ସମର୍ଥକ ରହୁଥିବା ହୋଟେଲ୍‌ ବାହାରେ ପ୍ରଦର୍ଶନ କରିଛି ଟିଏମ୍‌ସି । ତୃଣମୂଳ କଂଗ୍ରେସ ଆସାମ ମୁଖ୍ୟ ରିପୁନ ବୋରାଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଗୌହାଟୀ ହୋଟେଲ ଆଗରେ କଂଗ୍ରେସ ମଧ୍ୟ ବିରୋଧ ପ୍ରଦର୍ଶନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ସୁରକ୍ଷା ଦୃଷ୍ଟିରୁ ହୋଟେଲ ବାହାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

ନାମାଙ୍କନ ପତ୍ରରେ ସ୍ବାକ୍ଷର କଲେ ଓଡିଶାର ଦୁଇ ମନ୍ତ୍ରୀ

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପାଇଁ ଆସନ୍ତାକାଲି ଏନଡିଏ ପ୍ରାର୍ଥୀ ତଥା ଓଡିଶାର ଝିଅ ଦ୍ରୌପଦୀ ମୁର୍ମୁ ନାମାଙ୍କନ ଭରିବେ  । ନାମାଙ୍କନ ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଫୋନ୍ ଯୋଗେ କଥା ହୋଇଥିଲେ । ନାମାଙ୍କନ ଉତ୍ସବରେ ଉପସ୍ଥିତ ରହିବା ପାଇଁ କହିଥିଲେ । ସମର୍ଥନ ଜଣାଇ ନବୀନ ନିଜ କ୍ୟାବିନେଟର ଦୁଇ ମନ୍ତ୍ରୀଙ୍କୁ ନାମାନଙ୍କନ ସମୟରେ ଉପସ୍ଥିତ ରହିବା ସହ ନାମାଙ୍କନ ପତ୍ରରେ ସ୍ବାକ୍ଷର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ  ।

ଆଉ ଏବେ କ୍ୟାବିନେଟର ଦୁଇ ମନ୍ତ୍ରୀ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରସ୍ତାବକ ଭାବେ ସ୍ବାକ୍ଷର କରିଛନ୍ତି । ଦୁଇ କ୍ୟାବିନେଟ ମନ୍ତ୍ରୀ ଜଗନ୍ନାଥ ସରକା ଏବଂ ଟୁକୁନି ସାହୁ ନାମାଙ୍କନ ପତ୍ରରେ ସ୍ବାକ୍ଷର କରିଛନ୍ତି । ଏହି ଅବସରରେ ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ମଧ୍ୟ ଉପସ୍ଥିତ ଥିଲେ । ଦୁଇ ମନ୍ତ୍ରୀ ଆସନ୍ତାକାଲି ନାମାଙ୍କନ ଦାଖଲ ସମୟରେ ମଧ୍ୟ ଉପସ୍ଥିତ ରହିବେ  । ସୂଚନାଯୋଗ୍ୟ ଗତ କାଲି ବିଜେଡି ସୁପ୍ରିମୋ ନବୀନ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବେ ବୋଲି ଘୋଷଣା କରିଥିଲେ  ।