spot_img
Home Blog Page 4275

‘ଓଡ଼ିଶାଲାଇଭ୍‌’ ପକ୍ଷରୁ ପ୍ରସ୍ତୁତ ବିଜୁବାବୁଙ୍କ ବିଭିନ୍ନ ତୈଳଚିତ୍ର ଓଡ଼ିଶା ବିଧାନସଭାକୁ ପ୍ରଦାନ

ଭୁବନେଶ୍ୱର: ‘ଓଡ଼ିଶା ଲାଇଭ୍‌’ ପକ୍ଷରୁ ପ୍ରସ୍ତୁତ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଲୋକପ୍ରିୟ ଜନନେତା ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କ ବିଭିନ୍ନ ତୈଳଚିତ୍ର ବିଧାନସଭାକୁ ପ୍ରଦାନ କରାଯାଇଛି। ବିଜୁବାବୁଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ପ୍ରସ୍ତୁତ ଏହି ତୈଳଚିତ୍ରଗୁଡ଼ିକର ସ୍ଥାୟୀ ସଂରକ୍ଷଣ ଏବଂ ସାର୍ବଜନୀନ ପ୍ରଦର୍ଶନ ପାଇଁ ଏହି ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି।

ବୁଧବାର ଦିନ ‘ଓଡ଼ିଶାଲାଇଭ୍‌’ ମିଡ଼ିଆ ନେଟଓ୍ଵର୍କ ପକ୍ଷରୁ ଏହାର ଅନ୍ୟତମ ନିର୍ଦ୍ଦେଶକ ଭବାନୀ ପ୍ରସାଦ ମହାନ୍ତି ବିଧାନସଭାରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ବିଜୁବାବୁଙ୍କର ୫ଟି ତୈଳଚିତ୍ର ପ୍ରଦାନ କରିଛନ୍ତି। ତାଙ୍କ ସହ ‘ଓଡ଼ିଶାଲାଇଭ୍‌’ର ଆସୋସିଏଟ୍ ଚିଫ୍ ରିପୋର୍ଟର ସତ୍ୟବ୍ରତ ପାଢ଼ୀ ଉପସ୍ଥିତ ଥିଲେ।

“ଓଡ଼ିଶାଲାଇଭ୍ ପ୍ରସ୍ତୁତ କରିଥିବା ପ୍ରତିଟି ତୈଳଚିତ୍ର ବିଜୁବାବୁଙ୍କ ବ୍ୟକ୍ତିତ୍ଵକୁ ଖୁବ୍ ସୁନ୍ଦର ଭାବେ ଉପସ୍ଥାପନ କରିପାରିଛି। ଏହି ଚିତ୍ରଗୁଡ଼ିକ ଓଡ଼ିଶା ବିଧାନସଭା ପାଇଁ ନୂତନ ଆକର୍ଷଣ ହୋଇପାରିବ। ଆଗାମୀ ଦିନରେ ଏହାକୁ ବିଧାନସଭା ପରିସରରେ ପ୍ରଦର୍ଶନ କରାଯିବ। ଏହି କଳାତ୍ମକ କାମ ପାଇଁ ଓଡ଼ିଶାଲାଇଭ୍ କୁ ବିଶେଷ ଧନ୍ୟବାଦ”, ଏହି ଅବସରରେ କହିଛନ୍ତି ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର।

୨୦୧୬ ମସିହାରେ ବିଜୁବାବୁଙ୍କ ଜନ୍ମଶତବାର୍ଷିକୀ ଅବସରରେ ଏହି ଜନନାୟକଙ୍କ ସ୍ମୃତି ଉଦ୍ଦେଶ୍ୟରେ ଓଡ଼ିଶାଲାଇଭ୍ ପକ୍ଷରୁ ଏକ ବିଶେଷ ମିଡିଆ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ସେତେବେଳେ ‘ବିଜୁ ପଟ୍ଟନାୟକ ଡଟ୍ ଓଆରଜି’ ନାଁରେ ଏକ ଓ୍ଵେବସାଇଟ୍ ସହିତ ତାଙ୍କ ଦୀର୍ଘ କର୍ମମୟ ଜୀବନକୁ ଆଧାରକରି ଏକ ଦ୍ୱିଭାଷୀ ପୁସ୍ତକ ପ୍ରକାଶିତ ହୋଇଥିଲା।

Odisha Live Gives Oil Printed Photo Of Biju Babu To Odisha Assembly

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଜୁବାବୁଙ୍କ ଜୀବନର ବିଭିନ୍ନ ଦିଗକୁ ନେଇ କେତୋଟି ତୈଳଚିତ୍ର ପ୍ରସ୍ତୁତ କରାଯାଇଥିଲା। ‘ଓଡ଼ିଶାଲାଇଭ୍‌’ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏହି ତୈଳଚିତ୍ରଗୁଡ଼ିକୁ ନେଇ ଏକ ପ୍ରଦର୍ଶନୀର ଉନ୍ମୋଚନ କରାଯାଇଥିଲା।

ଓଡ଼ିଶାରେ ଶିଳ୍ପାୟନକୁ ନେଇ ବିଜୁବାବୁଙ୍କ ସ୍ୱପ୍ନ, ଜାତୀୟ ରାଜନୀତିରେ ତାଙ୍କର ଭୂମିକା, ପିଲାଙ୍କ ଦୃଷ୍ଟିରେ ବିଜୁବାବୁ – ଏଭଳି ବିଭିନ୍ନ ଥିମ୍‌କୁ ନେଇ ‘ଓଡ଼ିଶାଲାଇଭ୍‌’ ପକ୍ଷରୁ ତୈଳଚିତ୍ରଗୁଡ଼ିକୁ ଆଙ୍କିଥିଲେ ବିଶିଷ୍ଟ ଚିତ୍ରଶିଳ୍ପୀ ବଳଦେବ ମହାରଥା।

ବିଜୁବାବୁଙ୍କ ଏହି ତୈଳଚିତ୍ରଗୁଡ଼ିକୁ ସ୍ୱତନ୍ତ୍ର ଭାବେ ବିଧାନସଭାରେ ପ୍ରଦର୍ଶନ ପାଇଁ ବାଚସ୍ପତି ଗ୍ରହଣ କରିଥିବାରୁ ‘ଓଡ଼ିଶାଲାଇଭ୍‌’ର ମୁଖ୍ୟ ସମ୍ପାଦକ ତଥା ସିଇଓ ନୀଳମ୍ବର ରଥ ଧନ୍ୟବାଦ ଜଣାଇଛନ୍ତି।

ଓଡ଼ିଶାର ମହାପୁରୁଷମାନଙ୍କ ଜୀବନ ଓ କର୍ମକୁ ନେଇ ‘ଓଡ଼ିଶାଲାଇଭ୍‌’ ପକ୍ଷରୁ ବିଭିନ୍ନ ସମୟରେ ମିଡିଆ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଏହି କ୍ରମରେ ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ବେଳେ ଏକ ବିଶେଷ କାର୍ଯ୍ୟକ୍ରମ ଅଧୀନରେ ଏହି ତୈଳଚିତ୍ରଗୁଡ଼ିକ ପ୍ରସ୍ତୁତ କରିଥିବାରୁ ଶିଳ୍ପୀ ବଳଦେବ ମହାରଥାଙ୍କୁ ଏହି ଅବସରରେ ଶ୍ରୀ ରଥ ଧନ୍ୟବାଦ ଜଣାଇଛନ୍ତି।

ବିକାଶରେ ବ୍ରେକ୍ ଲଗାଉଥିବା ବିରୋଧୀଙ୍କୁ ରୋକଠୋକ୍ ଜବାବ

ପାରାଦୀପ: ବଦଳିଛି ଢିଙ୍କିଆ ପରିସ୍ଥିତି, ଦିନେ ଯେଉଁମାନଙ୍କୁ ନିମନ୍ତ୍ରଣ କରି ଗ୍ରାମବାସୀ ଫୁଲ ପକାଇ ପାଛୋଟି ନେଉଥିଲେ, ଆଜି ସେମାନଙ୍କୁ ଗାଁରେ ପ୍ରବେଶ ପାଇଁ ବାରଣ କରାଯାଉଛି । ବିକାଶରେ ବ୍ରେକ୍ ଲଗାଉଥିବା ବିରୋଧୀଙ୍କୁ ଦେଇଛନ୍ତି ରୋକଠୋକ୍ ଜବାବ । ଢିଙ୍କିଆରେ ପୋଲିସର ଜୁଲମ୍ ଚାଲିଥିବା ଅଭିଯୋଗ କରି ଢିଙ୍କିଆ ଗସ୍ତ କରିଥିଲେ ୧୩ ଗୋଟି ରାଜନୈତିକ ଦଳର ୧୭ ଜଣିଆ ପ୍ରତିନିଧି ଦଳ । ଗାଁ ଲୋକଙ୍କ ବିରୋଧ ଯୋଗୁଁ ଶେଷରେ ଫେରି ଯାଇଛି ଟିମ୍ ।

Dhinkia People Opposed Political Party Representative

ପ୍ରସ୍ତାବିତ ଜେଏସଡବ୍ଲ୍ୟୁ ପ୍ରକଳ୍ପ ଅଞ୍ଚଳରେ ଏବେ ଫେରିଛି ଭାଇଚାରା । ଦୀର୍ଘ ବର୍ଷ ହେଲା ଏଠାରେ ଚାଲିଥିବା ଅଶାନ୍ତିରେ ପଡ଼ିଛି ପୂର୍ଣ୍ଣଚ୍ଛେଦ । ଜାନୁଆରୀ ୧୪ ତାରିଖ ଠାରୁ ଗାଁରେ ଶାନ୍ତି ଫେରିବା ସହିତ ଫେରିଛି ଭାଇଚାରା । ବିକାଶ ବିରୋଧୀଙ୍କୁ ମିଳିଛି କଡ଼ା ଜବାବ । ହଟହଟା ହୋଇଛନ୍ତି ୧୩ ରାଜନୈତିକ ଦଳର ୧୭ ଜଣିଆ ପ୍ରତିନିଧି ଦଳ । ଗାଁରେ ପଶିବା ପୂର୍ବରୁ ଲୋକେ ପ୍ରଶ୍ନବାଣରେ କରିଥିଲେ ଘାଇଲା । ବିନା ଡାକରାରେ ଆପଣମାନେ କାହିଁକି ଆସିଛନ୍ତି ? ଢିଙ୍କିଆ ପ୍ରତି ଆପଣଙ୍କ ଏତେ ଦରଦ କ’ଣ ପାଇଁ ? ଆମ ଗାଁରେ ଭାଇଚାରା ନଷ୍ଟ କରି ଆପଣଙ୍କର କି ସ୍ୱାର୍ଥ ହାସଲ ହେବ ? ଏଭଳି ଗୁଡ଼େଇ ତୁଡେଇ ପ୍ରଶ୍ନର କିନ୍ତୁ ଉତ୍ତର ଦେବାରେ ଥଥ ମମ ହୋଇଥିଲେ ପ୍ରତିନିଧି ଦଳ । ବୁଝାଇ କହିଥିଲେ, କମ୍ପାନୀ ପାଇଁ ଜମି. ପାନବରଜ, ଜଙ୍ଗଲ ଦେଇ ସାରିଛୁ । ପାଚେରୀ ନିର୍ମାଣ କାର୍ଯ୍ୟ ମଧ୍ୟ ଶେଷ ପର୍ଯ୍ୟାୟରେ । ସଠିକ କ୍ଷତିପୂରଣ ମଧ୍ୟ ମିଳିଛି । ଆପଣମାନେ ଆସି ପୁଣି ଗ୍ରାମରେ ଅଶାନ୍ତି କରନ୍ତୁ ନାହିଁ ବୋଲି ଗାଁଲୋକ ପ୍ରତିନିଧି ଦଳକୁ ନେହୁରା ହୋଇଥିଲେ ।

Dhinkia People Opposed Political Party Representative

ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ ଢିଙ୍କିଆ ଚାରିଦେଶରେ ପ୍ରସ୍ତାବିତ ଜେଏସଡବ୍ଲ୍ୟୁ ପ୍ରକଳ୍ପକୁ ନେଇ ବିରୋଧୀ କରୁଛନ୍ତି ରାଜନୀତି । ଲୋକଙ୍କୁ ବୁଝାଇବା ପାଇଁ ଆଜି ୧୭ ଜଣିଆ ପ୍ରତିନିଧି ଦଳ ଢିଙ୍କିଆ ଯାଇଥିଲେ । ମାତ୍ର ଢିଙ୍କିଆର ୩୪ ଜଣିଆ ଗ୍ରାମ୍ୟ କମିଟି ଓ ଗ୍ରାମବାସୀଙ୍କ ନିଷ୍ପତ୍ତି କ୍ରମେ ସେମାନଙ୍କୁ ପାଟଣା ହାଟ ନିକଟରେ ଅଟକାଇ ଦିଆଯାଇଥିଲା । ଯାହାର ନେତୃତ୍ୱ ନେଉଥିଲେ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା । ରାସ୍ତା ଉପରେ ବସିବା ସହିତ ଆମ କଥା ଆମେ ବୁଝିବୁ ବୋଲି କହି ଭାଇଚାରା ନଷ୍ଟ କରନ୍ତୁ ନାହିଁ ବୋଲି ସେମାନେ ନିବେଦନ କରିଥିଲେ । ଦିନେ ଫୁଲ ମାଳ ଦେଇ ସ୍ୱାଗତ କରୁଥିଲେ କିନ୍ତୁ ଆଜି ଗାଁ ମୁଣ୍ଡରୁ ଫେରାଇ ଦେଇଛନ୍ତି ଗ୍ରାମବାସୀ । ଢିଙ୍କିଆରେ ପ୍ରସ୍ତାବିତ ଜେଏସଡବ୍ଲ୍ୟୁ ପ୍ରକଳ୍ପ ପାଇଁ ବାହାର ଲୋକଙ୍କ ପରାମର୍ଶ ନୁହେଁ, ନିଜ ନିଷ୍ପତ୍ତି ନିଜେ ନେବୁ ବୋଲି ସଫା ଶୁଣାଇ ଦେଇଛନ୍ତି ଗ୍ରାମବାସୀ ।

ଭାଉ ଦେଖାଉଛି ଟମାଟୋ, ୫ ଦିନରେ ୪୦ ଟଙ୍କା ବଢ଼ିଲାଣି ଦର

କଟକ/ବାଲେଶ୍ୱର: ନାଲି ଆଖି ଦେଖାଇଲାଣି ଟମାଟୋ । ହଠାତ୍ ବିଲାତି ଦର ବୃଦ୍ଧିକୁ ନେଇ ଖାଲି ଗ୍ରାହକ ନୁହଁନ୍ତି ବ୍ୟବସାୟୀ ବି ଚିନ୍ତାରେ ପଡ଼ିଲେଣି । ୫ ଦିନ ମଧ୍ୟରେ ଟମାଟୋ ଦର କେଜି ପିଛା ୨୦ରୁ ୬୦ ଟଙ୍କା ବୃଦ୍ଧି ପାଇଛି । ଏବେ ଟମାଟୋର ଦାମ ୬୦ରୁ ୭୦ ଟଙ୍କା ରହିଛି । ବେଙ୍ଗାଳୁରୁ ଓ ନାସିକରୁ ଆମଦାନୀ କମିବା ଫଳରେ ଦର ବୃଦ୍ଧି ପାଇଛି । ସ୍ଥାନୀୟ ଅଞ୍ଚଳରେ ବିଲାତି ଅମଳ ଯଥେଷ୍ଟ ହେଉନାହିଁ । ତେଣୁ ବର୍ତ୍ତମାନ ପଶ୍ଚିମବଙ୍ଗ ବେଙ୍ଗଲ ଉପରେ ନିର୍ଭର କରିବାକୁ ପଡୁଛି ।

Tomato Price Increased 40 Rupees In Last 5 Days

୫ ଦିନରେ ତିନିଗୁଣା ହେଲାଣି ଟମାଟୋ ଦାମ । ଖାଉଟିଙ୍କ ରୋଷେଇ ଘରୁ ଉଭାନ ହେଲାଣି ଟମାଟୋ । ମୂଲ୍ୟ ବୃଦ୍ଧି ଯୋଗୁଁ ବ୍ୟବସାୟ ବି କମିଲାଣି । ଗତ ୪ରୁ ୫ ଦିନ ତଳେ ଦର ଥିଲା ୨୦ରୁ ୨୫ ଟଙ୍କା । ଏବେ ଦର ବୃଦ୍ଧି ଘଟି କିଲୋଗ୍ରାମ ପିଛା ୬୦ରୁ ୭୦ ଟଙ୍କାରେ ପହଞ୍ଚିଲାଣି । ବେଙ୍ଗଳୁରୁ ଓ ନାସିକରୁ ଆମଦାନୀ କମିବା ଫଳରେ ଦର ବୃଦ୍ଧି ପାଇଛି । ସ୍ଥାନୀୟ ଅଞ୍ଚଳରେ ବିଲାତି ଅମଳ ଯଥେଷ୍ଟ ହେଉ ନାହିଁ । ତେଣୁ ବର୍ତ୍ତମାନ ପଶ୍ଚିମବଙ୍ଗ ଉପରେ ନିର୍ଭର କରିବାକୁ ପଡୁଛି । ଯାହା ଦର ବୃଦ୍ଧିର ମୁଖ୍ୟ କାରଣ ବୋଲି କହିଛନ୍ତି କଟକ ଛତ୍ର ବଜାର ବ୍ୟବସାୟୀ ସଂଘ ସମ୍ପାଦକ । ଏପରି ଅବସ୍ଥା ଆଉ ୧୫ ଦିନ ଲାଗି ରହିବ ବୋଲି ସେ ସୂଚନା ଦେଇଛନ୍ତି ।

Tomato Price Increased 40 Rupees In Last 5 Days

ସେହିଭଳି ବାଲେଶ୍ୱର ଖୁଚୁରା ବଜାରରେ ଟମାଟୋ ଦର କିଲୋ ପ୍ରତି ୬୦ ଟଙ୍କାରେ ପହଞ୍ଚିଛି । ୩ ଦିନ ତଳେ ବାଲେଶ୍ୱରରେ ଟମାଟୋ କେଜି ପିଛା ୩୦ ଟଙ୍କା ଥିବାବେଳେ ପ୍ରତି ଦିନ ୧୦ ଟଙ୍କା ଲେଖାଏଁ ବଢି ୬୦ ଟଙ୍କାରେ ପହଞ୍ଚିଲାଣି । ପାଇକାରୀ ବଜାରରେ ଟମାଟୋ କିଲୋ ଆଜି ୫୫ ଟଙ୍କା ରହିଛି । ସେପଟେ ଟମାଟୋର ଏହିପରି ଦର୍ ବୃଦ୍ଧି ଗ୍ରାହକଙ୍କୁ ଚିନ୍ତାରେ ପକାଇଛି । ସବୁ ବ୍ୟଞ୍ଜନରେ ଟମାଟୋର ଚାହିଦା ରହିଥିବାରୁ ଏହାର ଦରବୃଦ୍ଧି ଲୋକଙ୍କ ପକେଟକୁ ବାଧୁଥିବା କହିଛନ୍ତି ଗ୍ରାହକ ।

ବାତ୍ୟା ସୃଷ୍ଟି ନେଇ ଏବେ ବି ଚିତ୍ର, ଶୁକ୍ରବାର ଜଣା ପଡ଼ିବ ବାତ୍ୟାର ତୀବ୍ରତା

ଭୁବନେଶ୍ୱର: ଆସୁଛି ବାତ୍ୟା । ଅଶାନ୍ତ ହେଉଛି ସମୁଦ୍ର । ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ପରବର୍ତ୍ତୀ ୨୪ରୁ ୪୮ ଘଣ୍ଟା ମଧ୍ୟରେ ନେବ ଲଘୁଚାପର ରୂପ । ଯାହା ପରବର୍ତ୍ତୀ ସମୟରେ ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଗୋଟିଏ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ସେପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ ପ୍ରସ୍ତୁତି କରିଛନ୍ତି ରାଜ୍ୟ ସରକାର । କଳାବଜାରୀ ରୋକିବାକୁ ବିଭାଗୀୟ ମନ୍ତ୍ରୀ ସତର୍କ କରାଇଛନ୍ତି । ସବୁ ଜିଲ୍ଲାପାଳଙ୍କୁ ଆଲର୍ଟ କରିବା ସହ ଅଫିସରମାନଙ୍କୁ ଦାୟିତ୍ୱ ବଣ୍ଟାଯାଇଛି ।

ଅଶାନ୍ତ ହେଉଛି ଦକ୍ଷିଣ ଆଣ୍ଡାମାନ ସାଗର । ୨୪ରୁ ୪୮ ଘଣ୍ଟା ମଧ୍ୟରେ ନେବ ଲଘୁଚାପ ରୂପ । ୬ରୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆରମ୍ଭ ହେବ ବର୍ଷା । ଘଣ୍ଟା ପ୍ରତି ୬୦ରୁ ୭୦ କିଲୋମିଟର ବେଗରେ ବହିବ ପବନ । ମତ୍ସଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କଲା ଭାରତୀୟ ପାଣିପାଗ ବିଭାଗ । ବାତ୍ୟା ସୃଷ୍ଟି ନେଇ ଏବେ ବି ଚିତ୍ର ଅସ୍ପଷ୍ଟ ରହିଛି । ଶୁକ୍ରବାର ଜଣା ପଡ଼ିବ ବାତ୍ୟାର ତୀବ୍ରତା ଏବଂ କେଉଁଠି ଛୁଇଁବ ସ୍ଥଳଭାଗ । ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଧିରେ ଧିରେ ଘନୀଭୂତ ହେବାରେ ଲାଗିଛି । ୬ ତାରିଖ ବେଳକୁ ଏହା ଲଘୁଚାପରେ ପରିଣତ ହୋଇ ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଗଭୀର ଅବପାତର ରୂପ ନେବ ବୋଲି ଆଇଏମଡି ଡିଜି କହିଛନ୍ତି ।

 Cyclone Alert For Odisha Bay Of Bengal

ଘରୋଇ ପାଣିପାଗ ସଂସ୍ଥା ୱିଣ୍ଡି ପକ୍ଷରୁ ଜାରି ହୋଇଥିବା ଗ୍ରାଫିକ୍ସ କହୁଛି ଲଘୁଚାପଟି ବାତ୍ୟାର ରୂପ ନେଇ ଓଡ଼ିଶା ଉପକୂଳ ଛୁଇଁବ । ଗୋପାଳପୁର ଠାରୁ ବାଲେଶ୍ୱର ମଧ୍ୟରେ ସ୍ଥଳଭାଗ ଛୁଇଁବା ଆଶଙ୍କା ରହିଛି । ଲଘୁଚାପ ସୃଷ୍ଟି ପରେ ଏହି ଗ୍ରାଫିକ୍ସ ଆକଳନ ପରିବର୍ତ୍ତନ ହୋଇପାରେ । ସେପଟେ ସମ୍ଭାବ୍ୟ ବାତ୍ୟା ନେଇ ପ୍ରାକ୍-ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ହେଲେ ଏଯାଏ ବାତ୍ୟାର ଗତି ସମ୍ପର୍କରେ କୌଣସି ସଠିକ୍ ସୂଚନା ମିଳିନାହିଁ । ଏଥିପାଇଁ ସବୁ ଜିଲ୍ଲାପାଳଙ୍କୁ ଆଲର୍ଟ କରାଯାଇଛି । ଗାଁରୁ ସହର ଯାଏ ସରକାରୀ ଅଧିକାରୀମାନଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି । ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ଭାବେ ବାତ୍ୟା ଆଶ୍ରୟସ୍ଥଳୀ, ସ୍କୁଲ ବା ପାଖ ଉଚ୍ଚ ସ୍ଥାନକୁ ପଠାଇବା ପାଇଁ ବିଡିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଜଳ ନିଷ୍କାସନ ପାଇଁ ମୋଟରର ବନ୍ଦୋବସ୍ତ କରାଯାଇଛି । ପିଇବା ପାଣିର ଯେପରି ଅସୁବିଧା ନ ରହେ, ତାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର ।

ଗତ ତିନି ବର୍ଷର ରେକର୍ଡ କହୁଛି ମେ ମାସରେ ଆସୁଥିବା ବାତ୍ୟା ଓଡ଼ିଶାରେ ଲ୍ୟାଣ୍ଡଫଲ କରୁଛି । ତେବେ ସମ୍ଭାବ୍ୟ ବାତ୍ୟା କେଉଁଠି ଲ୍ୟାଣ୍ଡଫଲ କରିବ ? ବାତ୍ୟାର ତୀବ୍ରତା କେତେ ରହିବ ? ସମୁଦ୍ରରେ ସୃଷ୍ଟି ହୋଇ ସମୁଦ୍ରରେ ଦୁର୍ବଳ ହେବ କି ? ନା ଉପକୂଳ ଜିଲ୍ଲାରେ ଲ୍ୟାଣ୍ଡଫଲ କରିବ । ଏମିତି ଅସମାହିତ ପ୍ରଶ୍ନରେ ରାଜ୍ୟବାସୀ । ସେପଟେ ରାଜ୍ୟରେ ତାଣ୍ଡବ ରଚୁଛି କାଳବୈଶାଖୀ ବର୍ଷା । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଉପକୂଳ ସମେତ ଦକ୍ଷିଣ ଓଡ଼ିଶାର ଅନେକ ଜିଲ୍ଲାରେ ପ୍ରଚଣ୍ଡ ଘଡ଼ଘଡ଼ି ବିଜୁଳି ସହ ବର୍ଷା ଆଶଙ୍କା ଥିବାରୁ ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର ।

୩ ଦିନିଆ ରିମାଣ୍ଡରେ ଯିବେ ପ୍ରେମୀଯୁଗଳ

ଭୁବନେଶ୍ୱର: ରାଜଧାନୀର ଘରୋଇ ଇଞ୍ଜିନିୟରିଂ କଲେଜରୁ ୯୭ ଲକ୍ଷ ଟଙ୍କା ହଡ଼ପ ଘଟଣା  । ୩ ଦିନିଆ ରିମାଣ୍ଡରେ ଯିବେ ପ୍ରେମୀଯୁଗଳ । ରିମାଣ୍ଡ ଅନୁମତି ଦେଲେ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟ । ପୁରୁଷ ବନ୍ଧୁ ବିକାଶ କୁମାର ଓ ପ୍ରେମିକାକୁ ରିମାଣ୍ଡରେ ନେଇ ମୁହାଁମୁହିଁ ମାରାଥନ୍ ଜେରା କରିବ ତମାଣ୍ଡୋ ଥାନା ପୋଲିସ । ରିମାଣ୍ଡରେ ୪୨୦ ପ୍ରେମୀ ଯୁଗଳ ମୁଖା ଖୋଲିବ । ଲୁଟ୍ ଟଙ୍କାରେ ରାଜ୍ୟ ବାହାରେ କରୁଥୁଲେ ଅୟସ ।

College Money Fraud Case 3 Days Remand To Lover

ଶିମଲା, ଜାମ୍ମୁ କାଶ୍ମୀର, ଦିଲ୍ଲୀ ଭଳି ପର୍ଯ୍ୟଟନ ସ୍ଥଳ ବୁଲୁଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ଏପରିକି ପ୍ରେମିକା ଦେଇଥିବା ୯୭ ଲକ୍ଷ ଟଙ୍କାରୁ ୬୫ ଲକ୍ଷ ଟଙ୍କା ଅନଲାଇନରେ ଜୁଆ ଖେଳିଥିବା ପୋଲିସ ଆଗରେ ମାନିଛି । ବିକାଶ ମୋବାଇଲକୁ ନେଇ ଖୋଳତାଡ଼ କରୁଛି ପୋଲିସ । ମୋବାଇଲରୁ ଟଙ୍କା ସମ୍ବନ୍ଧୀୟ ତଥ୍ୟ ଓ ଏକାଧିକ ଅନଲାଇନ୍ ଗେମ୍ ଆପ୍ ଥିବା ପୋଲିସ ହାତରେ ପ୍ରମାଣ ଲାଗିଛି । ଉଭୟଙ୍କୁ ୭ ଦିନ ରିମାଣ୍ଡରେ ନେବାକୁ ଆଦେବନ କରିଥିଲା ପୋଲିସ ।

ବ୍ରଜରାଜନଗର ଉପନିର୍ବାଚନ, ୨୭୯ଟି ବୁଥରେ ହେବ ମତଦାନ

ଭୁବନେଶ୍ୱର: ମେ’ ୩୧ରେ ଅନୁଷ୍ଠିତ ହେବ ବ୍ରଜରାଜନଗର ଉପନିର୍ବାଚନ । ଜୁନ ୩ ରେ ଭୋଟ୍ ଗଣତି ହେବ ।  ଆଜିଠୁ ଆରମ୍ଭ ହୋଇଛି ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା । ମେ ୧୧ ପର୍ଯ୍ୟନ୍ତ ଆଶାୟୀ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବେ । ମେ ୧୨ରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ । ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ହେଉଛି ମେ ୧୨ । ଜୁନ ୫ ମଧ୍ୟରେ ଉପନିର୍ବାଚନର ସମସ୍ତ ପ୍ରକ୍ରିୟା ଶେଷ ହେବ । ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ।

279 Polling Centres For Brajarajnagar By Elections

ନିର୍ବାଚନ ନେଇ ଆଚରଣବିଧି ଲାଗୁ ହୋଇଥିବା କହିଛନ୍ତି ସିଇଓ ସୁଶୀଲ କୁମାର ଲୋହାନି । ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ଆଜି ସୁଦ୍ଧା ୨ ଲକ୍ଷ ୧୪ ହଜାର ୭୪୫ ଭୋଟର ରହିଛନ୍ତି । ସେମାନଙ୍କ ୨୭୯ଟି ବୁଥରେ ମତଦାନ ବ୍ୟବସ୍ଥା କରାଯିବ । ସେହିଭଳି ପ୍ରାପ୍ତ ବୟସ୍କ ଓ ଭିନ୍ନକ୍ଷମ ପୋଷ୍ଟାଲ ବାଲଟ୍ ମାଧ୍ୟମରେ ଭୋଟ୍ ଦେଇ ପାରିବେ । ଘରେ ବସି ସେମାନେ ମତଦାନ କରିପାରିବେ । ଅନ୍ୟପଟେ ପ୍ରାର୍ଥୀ ଅପରାଧ ରେକର୍ଡ ନେଇ ପ୍ରଶାସନକୁ ସତ୍ୟପାଠ ।

ଭୋଟରଙ୍କ ସୂଚନା ନିମନ୍ତେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦିଆଯିବ । କୋଭିଡ୍ ନିୟମ ଅନୁଯାୟୀ ନିର୍ବାଚନ ଅନୁଷ୍ଠିତ ହେବ ବୋଲି କହିଛନ୍ତି ସିଇଓ ସୁଶୀଲ କୁମାର ଲୋହାନି । ଆଜିଠୁ ଆରମ୍ଭ ହୋଇଛି ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା  । ପ୍ରଥମ ଦିନରେ ସିପିଆଇ ଦଳ ପକ୍ଷରୁ ରମେଶ ତ୍ରିପାଠୀ ପ୍ରାର୍ଥିପତ୍ର କିଣିଛନ୍ତି । ଦିବଙ୍ଗତ ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ ପରେ ବ୍ରଜରାଜନଗର ଆସନ ଫାଙ୍କା ପଡ଼ିଥିବା ବେଳେ ଉପନିର୍ବାଚନ ଲାଗି ଆରମ୍ଭ ହୋଇଛି ପ୍ରକ୍ରିୟା ।

ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ୱ ଗ୍ରହଣ କଲେ IPS ପ୍ରତୀକ ସିଂ

ଭୁବନେଶ୍ୱର: ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ଆଇପିଏସ ପ୍ରତୀକ ସିଂ । ୨୦୧୪ ବ୍ୟାଚର ଆଇପିଏସ୍ ପ୍ରତୀକ ସିଂଙ୍କୁ ଡିସିପି ଅଫିସରେ ଅତିରିକ୍ତ ଡିସିପି, ଏସିପି ଓ ଆଇଆଇସିମାନେ ସ୍ୱାଗତ କରିଥିଲେ । ଭୁବନେଶ୍ୱରରେ କାମ କରିବା ଚ୍ୟାଲେଞ୍ଜ ହେବ ବୋଲି କହିଛନ୍ତି ପ୍ରତୀକ ସିଂ । କିନ୍ତୁ କଟକରେ ଡିସିପି ଭାବେ ଯେଉଁ ଅଭିଜ୍ଞତା ଅଛି ତାହା କାମ କରିବ ବୋଲି ସେ କହିଛନ୍ତି ।

 IPS Prateek Singh Assumed BBSR DCP Charge

ଭୁବନେଶ୍ୱରର ସମସ୍ତ ଥାନା ଅଧିକାରୀ ଓ କର୍ମଚାରୀଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ଦିଆଯିବ । ଭୁବନେଶ୍ୱରରେ ଅପରାଧ ଓ ଅପରାଧୀ ଦମନ, ଆଇନ୍ ଶୃଙ୍ଖଳା ବ୍ୟବସ୍ଥା ଉପରେ ମୁଖ୍ୟତଃ ଫୋକସ୍‌ ରହିବ । 5T ଅନୁସାରେ ଲୋକମାନଙ୍କୁ ସେବା ଯୋଗାଇ ଦିଆଯିବ ।

 IPS Prateek Singh Assumed BBSR DCP Charge

ପୋଲିସ କିଭଳି ସାଧାରଣ ଲୋକଙ୍କ ନିକଟତର ହୋଇପାରିବ ସେ ଦିଗରେ ବିଶେଷ ଧ୍ୟାନ ଦିଆଯିବ । ଥାନାକୁ ଆସୁଥିବା ଲୋକେ ଯେପରି ନିରାଶ ନହେବେ ସେ ଦିଗରେ ପୋଲିସ କାର୍ଯ୍ୟ କରିବ । ଥାନାର ଭିତ୍ତିଭୂମି ଉପରେ ଗୁରୁତ୍ୱ ଦିଆଯିବ । ଅପରାଧ ଦମନ ପାଇଁ ସ୍ୱତନ୍ତ୍ର ପ୍ଲାନ୍ ହୋଇଛି ବୋଲି ନୂଆ ଡିସିପି କହିଛନ୍ତି ।

ନାଲି ମୂଷା, ରହିବାକୁ ନିର୍ମାଣ କରିଥାନ୍ତି ୨ଟି ବସା

ଢେଙ୍କାନାଳ: ପୃଥିବୀରେ ଅନେକ ଜୀବଜନ୍ତୁ ଅଛନ୍ତି । ସେମାନଙ୍କ ମଧ୍ୟରେ ଅନେକ ବିରଳ ଅନେକ ଜୀବଙ୍କୁ କେତେକ ଲୋକ ଜାଣିନଥାନ୍ତି । ମଧ୍ୟ ସେମନଙ୍କ ମଧ୍ୟରୁ ଗୋଟିଏ ଜୀବନ ହେଲା ନେପାଳୀ ମୂଷା । ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏହି ବିରଳ ମୂଷା ଦେଖିବାକୁ ମିଳନ୍ତି । ବିଶେଷ କରି କପିଳାସ ଅଭୟାରଣ୍ୟ ଓ ପ୍ରାଣୀ ଉଦ୍ୟାନରେ ଏହା ସମସ୍ତଙ୍କ ପାଇଁ ସାଜିଛି ଆକର୍ଷଣ ।

 Red Rat Of Nepal Biluding Two Nest At A Time

ନେପାଳୀ ମୂଷା । ସାଧାରଣ ମୂଷାଠୁ ଭିନ୍ନ, ଗୁଣ୍ଡୁଚିଠୁ ଢେର୍ ବଡ଼ । ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଅଭୟାରଣ୍ୟ ଓ ପ୍ରାଣୀ ଉଦ୍ୟାନରେ ଦେଖିବାକୁ ମିଳନ୍ତି ଏହି ବିରଳ ନାଲି ରଙ୍ଗର ମୂଷା । ଗଛକୁ ଗଛ ଡେଇଁ ବିଭିନ୍ନ ଫଳ ଖାଇ ଏମାନେ ଜୀବନ ବିତାଇଥାନ୍ତି । ବିଶେଷ କରି ବେଲ, ଆମ୍ବ, ପଣସ, ଶାଳ ଓ ଅସନ ଗଛରେ ନେପାଳୀ ମୂଷା ବସବାସ କରନ୍ତି । ଏମାନଙ୍କର ରହିବା ସ୍ଥାନ ସ୍ୱତନ୍ତ୍ର । ଶିକାରୀଙ୍କଠୁ ବଞ୍ଚିବା ଉଦ୍ଦେଶ୍ୟରେ ସେମାନେ ୨ଟି ବସା ନିର୍ମାଣ କରି ରହିଥାନ୍ତି ।

 Red Rat Of Nepal Biluding Two Nest At A Time

କନ୍ଧାର, କପିଳାସ ଅଭୟାରଣ୍ୟ ଓ ରଞ୍ଜାଗଡ଼ ସଂରକ୍ଷିତ ଜଙ୍ଗଲର ବଡ଼ ବଡ଼ ଗଛରେ ନେପାଳୀ ମୂଷା ଦେଖିବାକୁ ମିଳିଥାନ୍ତି । ଏବେ କପିଳାସ ଉଦ୍ୟାନରେ ଏହା ସମସ୍ତଙ୍କ ପାଇଁ ଆକର୍ଷଣ ସାଜିଛି । ଏଠାରେ ଏବେ 27ଟି ନେପାଳୀ ମୂଷା ରହୁଥିବା ଜଣା ପଡ଼ିଛି । ଏମାନଙ୍କ ସୁରକ୍ଷା ପାଇଁ ଅଭୟାରଣ୍ୟ କର୍ତ୍ତୃପକ୍ଷ କରିଛନ୍ତି ବ୍ୟବସ୍ଥା ।

ବିଧାୟକଙ୍କୁ ଏସି ବେଡ୍, ନିଆଁରେ ପୋଡ଼ି ଯାଇଥିବା ନାବାଳିକାଙ୍କୁ କ୍ୟାବିନରୁ କାଢ଼ିଦେଲେ ଡାକ୍ତରଖାନା କର୍ତ୍ତୃପକ୍ଷ

ଦେବଗଡ଼: କିଏ ଆଗ ? ଜନ ପ୍ରତିନିଧି ନା ଜନତା ? ଗିରଫ ବିଧାୟକଙ୍କ ପାଇଁ କୁନି ଝିଅକୁ ଯନ୍ତ୍ରଣା ମୁହଁକୁ ଠେଲିଦେଲେ ଡାକ୍ତରଖାନା କର୍ତ୍ତୃପକ୍ଷ । ଗିରଫ ହୋଇଥିବା ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କୁ ଏସି ବେଡ୍‌ ଯୋଗାଇ ଦେବାକୁ ଯାଇ ନିଆଁରେ ପୋଡ଼ିଯାଇ ଗୁରୁତର ଥିବା ନାବାଳିକାକୁ କ୍ୟାବିନରୁ ବାହାର କରି ଦିଆଯାଇଥିବା ଅଭିଯୋଗ ହୋଇଛି । ଦେବଗଡ଼ ବାରକୋଟ ବ୍ଲକ ଚକ୍ରପାଲି ଗାଁର ୭ବର୍ଷର ଝିଅ ସ୍ନେହାଁ ଗତ ଜାନୁଆରୀ ମାସରେ ପୋଡ଼ି ଯାଇ ଗୁରୁତର ହୋଇଥିଲେ । ଅସହ୍ୟ ଗୀଷ୍ମ ପ୍ରବାହରେ ଛଟପଟ ହୋଇ ଜିଲ୍ଲା ପ୍ରଶାସନର ସହାୟତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ ସ୍ନେହାଁ ।

Deogarh MLA In Hospital AC Bed, Burning Injured Girl In Normal Cabin

ସେଠାରେ ଶୀତତାପ ନିୟନ୍ତ୍ରିତ କକ୍ଷରେ ତାଙ୍କର ଚିକିତ୍ସା ଜାରି ରହିଥିଲା । ତେବେ ଗିରଫ ବିଧାୟକ ସୁବାସ ପାଣିଗ୍ରାହୀ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେବାରୁ ସ୍ନେହାଁଙ୍କୁ ଉକ୍ତ କ୍ୟାବିନରୁ ବାହାର କରି ବିଧାୟକଙ୍କୁ ଦିଆଯାଇଥିବା ଅଭିଯୋଗ ହୋଇଛି । ବିଧାୟକଙ୍କ ପାଇଁ ଜଣେ ଗୁରୁତର ନାବାଳିକାଙ୍କୁ କ୍ୟାବିନରୁ ବାହାରି କରିଦେବା ଘଟଣାକୁ ସବୁଠି ନିନ୍ଦା କରାଯାଇଛି । ଅନ୍ୟପଟେ ଏକ ସ୍ୱେଛାସେବୀ ଅନୁଷ୍ଠାନ ସ୍ନେହାଁକୁ ଏସି କ୍ୟାବିନରେ ଭର୍ତ୍ତି କରି ସମସ୍ତ ଖର୍ଚ୍ଚ ବହନ କରିଛନ୍ତି । ସ୍ନେହାଁର ସ୍ୱାସ୍ଥ୍ୟାବସ୍ଥା ଭଲ ଥିବାରୁ ତାକୁ ସାଧାରଣ କ୍ୟାବିନକୁ ସ୍ଥାନାନ୍ତର କରାଯାଇଥିବା କହିଛନ୍ତି ମେଡିକାଲ ସୁପରିଟେଣ୍ଡେଣ୍ଟ ।

ସହିଦ ପରିବାରଙ୍କୁ ଅନୁକମ୍ପା ମୂଳକ ସହାୟତା ରାଶି ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି

ଭୁବନେଶ୍ୱର: ଯୁଦ୍ଧ ତଥା ଆତଙ୍କବାଦର ମୁକାବିଲା ସମୟରେ ବୀରଗତି ପ୍ରାପ୍ତ ହେଉଥିବା ସହିଦ ଓଡ଼ିଆ ଯବାନ ମାନଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ସହାୟତା ରାଶି ବୃଦ୍ଧି ପାଇଛି । ସହାୟତା ରାଶି ପାଞ୍ଚ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।

CM Naveen Patnaik Increased Compensation For Martyred Jawans Family

ସୂଚନା ଯୋଗ୍ୟ, ସମାରିକ ତଥା ଅର୍ଦ୍ଧ ସମାରିକ ବାହିନୀରେ ରହି ଦେଶ ପାଇଁ ପ୍ରାଣବଳୀ ଦେଉଥିବା ଯବାନ ଓ ଅଫିସର ମାନଙ୍କ ପରିବାରର କଲ୍ୟାଣ ପାଇଁ ରାଜ୍ୟ ସରକାର କାର୍ଗିଲ ଯୁଦ୍ଧ ସମୟରୁ ସହିଦ ପରିବାର କଲ୍ୟାଣ ପାଇଁ ଏକ ସହାୟତା ପାଣ୍ଠି ଗଠନ କରିଛନ୍ତି । ପ୍ରାଥମିକ ଭାବରେ ଏହି ସହାୟତା ରାଶି ଏକ ଲକ୍ଷ ଟଙ୍କା ଥିବା ବେଳେ ୨୦୧୦ ଓ ୨୦୧୨ଏହାକୁ ଯଥା କ୍ରମେ ୨ ଲକ୍ଷ ଓ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରା ଯାଇଥିଲା ।