spot_img
Home Blog Page 4276

ସହିଦ ପରିବାରଙ୍କୁ ଅନୁକମ୍ପା ମୂଳକ ସହାୟତା ରାଶି ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି

ଭୁବନେଶ୍ୱର: ଯୁଦ୍ଧ ତଥା ଆତଙ୍କବାଦର ମୁକାବିଲା ସମୟରେ ବୀରଗତି ପ୍ରାପ୍ତ ହେଉଥିବା ସହିଦ ଓଡ଼ିଆ ଯବାନ ମାନଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ସହାୟତା ରାଶି ବୃଦ୍ଧି ପାଇଛି । ସହାୟତା ରାଶି ପାଞ୍ଚ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।

CM Naveen Patnaik Increased Compensation For Martyred Jawans Family

ସୂଚନା ଯୋଗ୍ୟ, ସମାରିକ ତଥା ଅର୍ଦ୍ଧ ସମାରିକ ବାହିନୀରେ ରହି ଦେଶ ପାଇଁ ପ୍ରାଣବଳୀ ଦେଉଥିବା ଯବାନ ଓ ଅଫିସର ମାନଙ୍କ ପରିବାରର କଲ୍ୟାଣ ପାଇଁ ରାଜ୍ୟ ସରକାର କାର୍ଗିଲ ଯୁଦ୍ଧ ସମୟରୁ ସହିଦ ପରିବାର କଲ୍ୟାଣ ପାଇଁ ଏକ ସହାୟତା ପାଣ୍ଠି ଗଠନ କରିଛନ୍ତି । ପ୍ରାଥମିକ ଭାବରେ ଏହି ସହାୟତା ରାଶି ଏକ ଲକ୍ଷ ଟଙ୍କା ଥିବା ବେଳେ ୨୦୧୦ ଓ ୨୦୧୨ଏହାକୁ ଯଥା କ୍ରମେ ୨ ଲକ୍ଷ ଓ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରା ଯାଇଥିଲା ।

ଋଦ୍ଧିମାନ ଶାହଙ୍କୁ ଧମକ ପାଇଁ ସାମ୍ବାଦିକ ବୋରିଆ ମଜୁମଦାରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

ମୁମ୍ବାଇ: ସାମ୍ବାଦିକ ବୋରିଆ ମଜୁମଦାରଙ୍କୁ ବ୍ୟାନ କଲା ବିସିସିଆଇ । କ୍ରିକେଟର ରିଦ୍ଧିମାନ ଶାହଙ୍କୁ ଧମକଚମକ ଅଭିଯୋଗରେ ଦୁଇ ବର୍ଷ ପାଇଁ ବୋରିଆ ମଜୁମଦାରଙ୍କୁ ବିସିସିଆଇ ବ୍ୟାନ କରିଛି । ଫଳରେ ଭାରତରେ ହେଉଥିବା କୌଣସି କ୍ରିକେଟ୍ ମ୍ୟାଚ୍ ପାଇଁ ସାମ୍ବାଦିକ ବୋରିଆ ମଜୁମଦାରଙ୍କୁ କଭରେଜ୍ ଅନୁମତି ମିଳିବ ନାହିଁ । ଏପରିକି ଭାରତୀୟ ଟିମ୍ ସହ ଅନୁବନ୍ଧିକ କୌଣସି ଖେଳାଳିଙ୍କ ସାକ୍ଷାତକାର ନେଇ ପାରିବେ ନାହିଁ ।

କିଛିଦିନ ତଳେ ସାକ୍ଷାତକାର ପାଇଁ ମନା କଲା ପରେ ରିଦ୍ଧିମାନ ଶାହଙ୍କୁ ବୋରିଆ କଟୁ ଶବ୍ଦ ପ୍ରୟୋଗ କରିବା ସହ ଧମକ ଦେଇଥିଲେ । ଏହି ମାମଲାର ଯାଞ୍ଚ ପାଇଁ ବିସିସିଆଇ ତିନି ଜଣିଆ କମିଟି ଗଠନ କରିଥିଲା । କମିଟି ବୋରିଆଙ୍କୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରିଛି । ରିପୋର୍ଟ ଆଧାରରେ ବୋରିଆ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବିସିସିଆଇ ।

ସୁଧ ହାର ବଢ଼ାଇଲା RBI, ମହଙ୍ଗା ହେବ କାର ଓ ଘର କିସ୍ତି

ମୁମ୍ବାଇ: ଦୀର୍ଘ ବ୍ୟବଧ୍ୟାନ ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ବୁଧବାର ରେପୋ ରେଟ୍ ବୃଦ୍ଧି କରିଛନ୍ତି । ଗୋଟିଏ ଝଟକାରେ ରେପୋ ରେଟ୍ ୦.୪୦ ପ୍ରତିଶତ ବୃଦ୍ଧି ପାଇ ୪.୪୦ ପ୍ରତିଶତ ହୋଇଛି । ଏଥିସହ ମହଙ୍ଗା ହୋଇଛି ଋଣ । ଭାରତୀୟ ରିଜର୍ଭ ବ୍ୟାଙ୍କର ଏହି ନିଷ୍ପତ୍ତି ପରେ ଏବେ ମହଙ୍ଗା ହେବାକୁ ଯାଉଛି ମାସିକ କିସ୍ତି ବା ଇଏମ୍ଆଇ ।

ଦିନକୁ ଦିନ ଦରଦାମ୍ ବଢ଼ୁଥିବା ବେଳେ ଏଭଳି ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ରୀୟ ବ୍ୟାଙ୍କର ମୁଦ୍ରା ନୀତି ସମିତିର ବୈଠକରେ ଅର୍ଥନୀତିର ସ୍ଥିତି ନେଇ ଆଲୋଚନା ହୋଇଥିଲା । ଏହି ବୈଠକରେ ଏମପିସି ସଦସ୍ୟ ରେପୋ ରେଟ୍ ବୃଦ୍ଧି ଲାଗି ନିଷ୍ପତ୍ତି ନେଇଥିବା କହିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ।

ଆରବିଆଇ ଗଭର୍ଣ୍ଣର କହିଛନ୍ତି, ୨୦୨୨ ମାର୍ଚ୍ଚ ପରେ ଖୁଚୁରା ମୁଦ୍ରାସ୍ଫୀତି ବଢ଼ି ୭ ପ୍ରତିଶତ ହୋଇଛି । ବିଶେଷକରି ଖାଇବା ପିଇବା ସାମଗ୍ରୀ ମହଙ୍ଗା ହୋଇଛି । ଏଥିସହ ବିଶ୍ୱରେ ଲାଗି ରହିଥିବା ରାଜନୈତିକ ଅସ୍ଥିରତାକୁ ଦରବୃଦ୍ଧିର ଅନ୍ୟତମ କାରଣ ଦର୍ଶାଇଛନ୍ତି ଆରବିଆଇ ଗଭର୍ଣ୍ଣର । ଏବେ ଯୁକ୍ରେନ୍-ଋଷ ମଧ୍ୟରେ ଚାଲିଥିବା ଯୁଦ୍ଧ ପାଇଁ ଗହମ ସମେତ ଅନ୍ୟ ଖାଦ୍ୟ ଶସ୍ୟ ଦାମ ବଢ଼ିଛି । ଫଳରେ ବିଶ୍ୱସ୍ତରରେ ବିତରଣ ବ୍ୟବସ୍ଥା ବ୍ୟାପକ ଭାବେ ପ୍ରଭାବିତ ହୋଇଛି ।

ଆରବିଆଇ ରେପୋ ରେଟ୍ ସହ କ୍ୟାଶ୍ ରିଜର୍ଭ ରେସିଓ ୦.୫୦ ପ୍ରତିଶତ ବଢ଼ାଇବା ଲାଗି ନିଷ୍ପତ୍ତି ନେଇଛି । ସୁଧ ହାର ବୃଦ୍ଧି ସ୍ୱଳ୍ପ ଅବଧିରେ ଆର୍ଥିକ ଅଭିବୃଦ୍ଧିକୁ ମଜଭୁତ କରିବ । ରେପୋ ରେଟ୍ ବଢ଼ିବା ଦ୍ୱାରା ସାଧାରଣ ଲୋକଙ୍କ ଉପରେ ଆର୍ଥିକ ବୋଝ ପଡ଼ିବ । ଇଏମ୍ଆଇ ବଢ଼ିଯିବ । ଗୃହ ଓ କାର ଋଣ ସହ ଅନ୍ୟ ଋଣ ଉପରେ ସୁଧହାର ବୃଦ୍ଧି ପାଇବ ।

ପ୍ରି-ଆକ୍ଟିଭେଟେଡ୍ ସିମ୍ ରାକେଟର ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ଫେକ ସିମ୍ କାର୍ଡ ଜବତ ମାମଲା । ୩ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ । ଅଭିଯୁକ୍ତ ଦୁଷ୍ମନ୍ତ, ସାଇପ୍ରକାଶ ଓ ଅବିନାଶକୁ ଅଧିକା ପଚରାଉଚରା କରିବ କ୍ରାଇମବ୍ରାଞ୍ଚ । ସାଇପ୍ରକାଶ ବିଏସଏନଏଲ ଡିଲର ଥିବା ବେଳେ ଅବିନାଶ ତାର ସହଯୋଗୀ କର୍ମଚାରୀ ଥିଲା । ମାଷ୍ଟରମାଇଣ୍ଡ ଦୁଷ୍ମନ୍ତ ବାୟର ସେଲର ଗ୍ରୁପର ମୁଖ୍ୟ ଥିଲା । ଲୋକସଭା ସ୍ପିକର ଓମ୍ ବିର୍ଲାଙ୍କ ନାଁରେ ଫେକ୍ ସିମ୍ ବାହାର କରି ଲୋକସଭା ସାଂସଦମାନଙ୍କୁ ଟଙ୍କା ମାଗୁଥିଲେ ଏହି ଠକ । ସିମ୍‌ ସବୁ ଢେଙ୍କାନାଳରୁ କିଣା ହୋଇ ଆକ୍ଟିଭେଟ ହୋଇଥିଲା ବୋଲି ତଦନ୍ତରୁ ଜଣାପଡ଼ିଛି ।

Pre Activated Sim Rackets Crime Branch Taken Accused In Remand

ଦୁଷ୍ମନ୍ତ ଓ ତାଙ୍କ ପରିବାର ଲୋକଙ୍କ ମୋଟ ୭ଟି ବ୍ୟାଙ୍କ ଆକାଉଣ୍ଟ, ୩ଟି ପେଟିଏମ୍ ଆକାଉଣ୍ଟ ଠାବ ହୋଇଛି । ସେଥିମଧ୍ୟରୁ ଦୁଇଟି ପେଟିଏମର ତଥ୍ୟ ପାଇଛି କ୍ରାଇମବ୍ରାଞ୍ଚ । ୧୮ ଏପ୍ରିଲ୍ ୨୦୨୦ରୁ ଏହି ଜାଲିଆତି ଆରମ୍ଭ କରିଥିଲେ ଅଭିଯୁକ୍ତ । ଦୁଇଟି ପେଟିଏମ୍ ଆକାଉଣ୍ଟରେ ୩୦ ଲକ୍ଷ ଟଙ୍କାର କାରବାର କରିଥିବା ତଥ୍ୟ ମିଳିଛି । ଅନ୍ୟ ଆକାଉଣ୍ଟ ଗୁଡ଼ିକର ତଦନ୍ତ ଜାରି ରହିଛି ବୋଲି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା । ଅନ୍ୟପଟେ ସବୁ ଜିଲ୍ଲାର ଏସପିଙ୍କୁ ସମସ୍ତ ବିଏସଏନଏଲ, ଜିଓ, ଭୋଡାଫୋନ ଡିଲର ପଏଣ୍ଟ, ସିମ୍ ବିକ୍ରେତାଙ୍କ ଉପରେ ଚଢ଼ାଉ କରିବାକୁ ନିର୍ଦେଶ ଦେଇଛି କ୍ରାଇମବ୍ରାଞ୍ଚ ।

Pre Activated Sim Rackets Crime Branch Taken Accused In Remand

ଆଗକୁ ଭୋଡଫୋନ ଭୁବନେଶ୍ୱର ମୁଖ୍ୟ କମର୍ସିଆଲ ମ୍ୟାନେଜର, ବିଏସଏନଏଲର ଢେଙ୍କାନାଳ ଜେନେରାଲ ମ୍ୟାନେଜର ଓ ଜିଓର ଢେଙ୍କାନାଳ ଏରିଆ ମ୍ୟାନେଜରଙ୍କୁ ମଧ୍ୟ ଖୁବଶୀଘ୍ର ଜେରା କରାଯିବ । ଏମାନଙ୍କୁ ନୋଟିସ୍ ଜାରି କରାଯାଇଛି ବୋଲି କହିଛି କ୍ରାଇମବ୍ରାଞ୍ଚ । ପ୍ରି-ଆକ୍ଟିଭେଟ ସିମ୍ ବିକ୍ରି ରୋକିବା ପାଇଁ ଥିବା ଏସଓପି କଡ଼ାକଡି ପାଳନ ହେଉଛି କି ନାହିଁ, ଏ ସମ୍ପର୍କରେ ପଚରାଉଚରା ହେବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି ।

ହନୁମାନ ଚାଳିଶା ବିବାଦ: ରାଣା ଦମ୍ପତିଙ୍କୁ ମିଳିଲା ଜାମିନ୍

ମୁମ୍ବାଇ: ହନୁମାନ ଚାଳିଶା ବିବାଦରେ ରାଣା ଦମ୍ପତିଙ୍କୁ ଜାମିନ । ସାଂସଦ ନବନୀତ ରାଣା ଓ ରବି ରାଣାଙ୍କୁ ଜାମିନ ପ୍ରଦାନ କଲେ ମୁମ୍ବାଇ ସେସନ୍ସ କୋର୍ଟ । ସେସନ୍ସ କୋର୍ଟ ପକ୍ଷରୁ ନବନୀତ ଓ ସ୍ୱାମୀ ରବି ରାଣାଙ୍କୁ ସର୍ତ୍ତମୂଳକ ଜାମିନ ଦିଆଯାଇଛି । ଗଣମାଧ୍ୟମ ଆଗରେ କୌଣସି ବିବୃତ୍ତି ନରଖିବାକୁ କୋର୍ଟଙ୍କ ତାଗିଦ କରିଛନ୍ତି । ଯେଉଁ ମାମଲାରେ ଗିରଫଦାରୀ ହୋଇଥିଲା, ସେହି ମାମଲାରେ ଗିରଫ ହେଲେ ଜାମିନ ରଦ୍ଦ ହେବ । ଏହାସହ ଜାମିନ ସର୍ତ୍ତ ଉଲ୍ଲଂଘନ କଲେ ଏହାକୁ ରଦ୍ଦ କରିଦିଆଯିବ ବୋଲି କୋର୍ଟ କହିଛନ୍ତି ।

୫୦ ହଜାର ଟଙ୍କା ମୁଚଲିକାରେ ରାଣା ଦମ୍ପତିଙ୍କୁ ବେଲ୍ ପ୍ରଦାନ କରିଛନ୍ତି କୋର୍ଟ । ମହାରାଷ୍ଟ୍ରରେ ହନୁମାନ ଚାଳିଶା ବିବାଦ ଲାଗି ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘର ଆଗରେ ହନୁମାନ ଚାଳିଶା ପାଠ କରିବେ ବୋଲି ଘୋଷଣା କରିଥିଲେ । ଏହାକୁ ନେଇ ରାଣା ଦମ୍ପତିଙ୍କ ବିରୋଧରେ ରାଜଦ୍ରୋହ ମାମଲା ରୁଜୁ ହୋଇଥିଲା । ଏପ୍ରିଲ ୨୩ ତାରିଖରେ ଅମରାବତୀର ସ୍ୱାଧୀନ ସାଂସଦ ନବନୀତ ରାଣା ଓ ତାଙ୍କ ସ୍ୱାମୀ ତଥା ବିଧାୟକ ରବି ରାଣାଙ୍କୁ ପୋଲିସ ଗିରଫ କରିଥିଲା ।

ଏକକ ପ୍ରବେଶିକା ପରୀକ୍ଷାରେ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ

ନୂଆଦିଲ୍ଲୀ: କମନ୍ ୟୁନିଭରସିଟି ପ୍ରବେଶିକାରେ ଯୋଗଦେବାକୁ ଦେଶର ସମସ୍ତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ । ଚଳିତ ବର୍ଷ ଦେଶରେ ସ୍ନାତକୋତ୍ତର ଆଡିମିଶନ ପାଇଁ ଓ୍ୱାନ୍ ନେସନ-ଓ୍ୱାନ୍ ଏକଜାମ୍ ପାଇଁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଏଥିପାଇଁ ଦେଶର ସମସ୍ତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଯେଉଁ ମହାବିଦ୍ୟାଳୟ ଏହି ପରୀକ୍ଷାରେ ସାମିଲ ହେବାକୁ ଚାହିଁବେ ଯୋଗ ଦେଇପାରିବେ ବୋଲି କୁହାଯାଇଛି । ପରୀକ୍ଷା ଦାୟିତ୍ୱ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି-NTAକୁ ଦିଆଯାଇଛି ।

ଦେଶରେ ସବୁ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଗୋଟିଏ ପ୍ଲାଟଫର୍ମ ଏବଂ ସମାନ ସୁଯୋଗ ପ୍ରଦାନ କରିବା ପାଇଁ ଏହି ବ୍ୟବସ୍ଥା କରାଯାଇଛି । ପରୀକ୍ଷା କେଉଁ ମାଧ୍ୟମରେ ହେବ, ପ୍ରଶ୍ନର ଢ଼ାଞ୍ଚା କ’ଣ ରହିବ ସେ ବିଷୟରେ ସମସ୍ତ ତଥ୍ୟ NTA ୱେବସାଇଟ୍- www.nta.ac.inରେ ଏବଂ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ୱେବସାଇଟ୍-www.cuo.ac.inରେ ଉପଲବ୍ଧ ରହିବ । ଏହି ଏକକ ପରୀକ୍ଷାରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ୫ ବର୍ଷ ଇଣ୍ଟିଗ୍ରେଟେଡ୍ ଗଣିତ,  ୧୨ଟି PG ପ୍ରୋଗ୍ରାମ ଓ ଗୋଟିଏ B.Ed. ପ୍ରୋଗ୍ରାମ୍ ପାଇଁ ପ୍ରବେଶିକା ପରୀକ୍ଷା ହେବ । ଏହାଦ୍ବାରା ଯେ କୌଣସି ୟୁନିଭରସିଟିକୁ ଦେଶର ଯେକୌଣସି ସ୍ଥାନର ଛାତ୍ରଛାତ୍ରୀ ପାଠପଢ଼ିବା ପାଇଁ ଆସିପାରିବେ ।

ମସ୍କଙ୍କ ବଡ଼ ଘୋଷଣା, ଟ୍ୱିଟର ବ୍ୟବହାର କରିବାକୁ ହେଲେ ଦେବାକୁ ପଡ଼ିବ ଟଙ୍କା

ନ୍ୟୁୟର୍କ: ଟ୍ୱିଟର ବ୍ୟବହାର କରିବାକୁ ହେଲେ ଦେବାକୁ ପଡ଼ିବ ଟଙ୍କା । ଆଉ ମାଗଣା ବ୍ୟବହାର କରିପାରିବେନି ଟ୍ୱିଟର । ବିଶ୍ୱର ସବୁଠାରୁ ବଡ଼ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରକୁ କିଣିବା ପରେ ଲଗାତର ଭାବରେ ଚର୍ଚ୍ଚାରେ ରହିଆସୁଛନ୍ତି ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ । ଏହାରି ମଧ୍ୟରେ ମସ୍କ ଆଉ ଏକ ନିଷ୍ପତ୍ତି ନେଇ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ଆଗାମୀ ଦିନରେ ଆଉ ମଗଣାରେ ଟ୍ୱିଟରକୁ ବ୍ୟବହାର କରିପାରିବେନି ବୋଲି ଟ୍ୱିଟ କରି ଇସାରା ଦେଇଛନ୍ତି ଏଲନ ମସ୍କ । ତେବେ ଏହି ନିୟମ ସାଧାରଣ ୟୁଜର୍ସଙ୍କ ପାଇଁ ନୁହେଁ । ସରକାରୀ ସଂସ୍ଥା କିମ୍ବା କୌଣସି ଅନୁଷ୍ଠାନର ୟୁଜର୍ସଙ୍କ ପାଇଁ ଲାଗୁ ହେବ । ସାଧାରଣ ୟୁଜର୍ସଙ୍କ ପାଇଁ ଏହି ସେବା ମାଗଣାରେ ଉପଲବ୍ଧ ହେବ ବୋଲି କହିଛନ୍ତି ଏଲନ ମସ୍କ ।

ସୂଚନା ଅନୁସାରେ ଟ୍ୱିଟରକୁ କିଣିବା ପରେ ଏଲନ ମସ୍କ କମ୍ପାନୀରେ ବଡ଼ ଧରଣର ପରିବର୍ତ୍ତନ କରିପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଏପରିକି ଆଗାମୀ ଦିନରେ ଏହି ପ୍ରକ୍ରିୟା ଶେଷ ହେବା ପରେ ସେ କମ୍ପାନୀ ସିଇଓ ପରାଗ ଅଗ୍ରଓ୍ୱାଲ ଓ ପଲିସି ମୁଖ୍ୟ ବିଜୟା ଗାଡେଙ୍କୁ ବାହାର ରାସ୍ତା ଦେଖାଇ ପାରନ୍ତି ବୋଲି ଅନୁମାନ କରାଯାଉଛି । ୪୪ ବିଲିଅନ ଡଲାରରେ ଟ୍ୱିଟରକୁ କ୍ରୟ କରିବା ପରେ ଏଲନ ମସ୍କ କହିଥିଲେ ଯେ ବାକ୍ ସ୍ୱାଧିନତା ସମସ୍ତଙ୍କ ଅଧିକାର । ଏହାସହ ଆଲଗୋରିଦିମକୁ ଓପନ ରଖିବା ପାଇଁ ମସ୍କ ଚାହୁଁଥିବା ପ୍ରକାଶ କରିଥିଲେ ।

ରଥ ଅନୁକୂଳ ପରେ ଆଜିଠାରୁ ଆରମ୍ଭ ହୋଇଛି ରଥ ନିର୍ମାଣ

ପୁରୀ: ଅକ୍ଷୟ ତୃତୀୟା ଅବସରରେ ରଥ ନିର୍ମାଣ ଅନୁକୂଳ ହୋଇଥିବା ବେଳେ, ଆଜିଠାରୁ ଆରମ୍ଭ ହୋଇଛି ରଥ ନିର୍ମାଣ କାର୍ଯ୍ୟ l ରଥ ନିର୍ମାଣ ପାଇଁ ନିୟୋଜିତ ବିଶ୍ୱକର୍ମା ମହାରଣା ଓ କରତୀ ସେବାୟତ ରଥକାଠ ଚିରଟ କାର୍ଯ୍ୟ ଆରମ୍ଭ କରିଛନ୍ତି । ତିନି ରଥ ନିର୍ମାଣ ପାଇଁ ଗତକାଲି ଶାଢ଼ୀ ବନ୍ଧା ଯିବା ପରେ ଆଜି ଆରମ୍ଭ ହୋଇଛି କାର୍ଯ୍ୟ । ରଥ ନିର୍ମାଣ ପାଇଁ ଚଳିତ ବର୍ଷ ୭୮୫ ଖଣ୍ଡ କାଠର ଆବଶ୍ୟକ ହେଉଥବା ବେଳେ, ବର୍ତ୍ତମାନ ସୁଦ୍ଧା ୬୧୬ ଖଣ୍ଡ ପହଞ୍ଚି ସାରିଛି । ଗତବର୍ଷର ୮୦ ଖଣ୍ଡ କାଠ ବଳକା ଥିବାରୁ ଅବଶିଷ୍ଟ କାଠ ସମୟ ପୂର୍ବରୁ ପହଞ୍ଚିବ ବୋଲି ଆଶା କରିଛନ୍ତି ମହାରଣା ସେବାୟତ ।

ପୂର୍ବ ୟୁକ୍ରେନ ଉପରେ ଋଷର ଜୋରଦାର ଏୟାରଷ୍ଟ୍ରାଇକ, ୨୧ ମୃତ, ୨୭ ଆହତ

କିଭ୍: ୭୦ ଦିନରେ ସମର । ପୁଣି ଥରେ ପୂର୍ବ ୟୁକ୍ରେନ ଉପରେ ଋଷର ଜୋରଦାର ଏୟାର ଷ୍ଟ୍ରାଇକ । ଆକ୍ରମଣରେ ପ୍ରାଣ ହରାଇଛନ୍ତି ୨୧ ଜଣ । ଆହତ ହୋଇଛନ୍ତି ୨୭ରୁ ଅଧିକ । ଗତ ଏକମାସ ମଧ୍ୟରେ ଏୟାର ଷ୍ଟ୍ରାଇକରେ ଏହି ମୃତ୍ୟୁ ସଂଖ୍ୟା ସର୍ବାଧିକ । ୟୁରୋପର ସର୍ବବୃହତ କୋକ୍ ପ୍ଲାଣ୍ଟ ଆଭଦିଭକା ଉପରେ ହୋଇଥିବା ଏୟାରଷ୍ଟ୍ରାଇକରେ ପ୍ରାଣ ହରାଇଛନ୍ତି ୧୦ ଜଣ । ସେହିପରି ଅନ୍ୟାନ୍ୟ ସ୍ଥାନରେ ପ୍ରାଣ ହରାଇଛନ୍ତି ୧୧ ଜଣ । ସେପଟେ ୟୁକ୍ରେନ ଆଜଭୋସ୍ତଲ ଷ୍ଟିଲ ପ୍ଲାଣ୍ଟରୁ ୧୦୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଥିବା ସତ୍ତ୍ୱେ ଆହୁରି ଅନେକ ଲୋକ ଫସିଥିବା ସୂଚନା ମିଳିଛି । ଉଦ୍ଧାର କାର୍ଯ୍ୟରେ ରେଡକ୍ରସ୍ ଟିମ୍ ନିୟୋଜିତ ହୋଇଛନ୍ତି । ଜାତିସଂଘ ପକ୍ଷରୁ କୁହାଯାଇଛି, ଷ୍ଟିଲ ସିଟିରେ ଉଦ୍ଧାର ହୋଇଥିବା ଲୋକଙ୍କ ମଧ୍ୟରେ ଅଛନ୍ତି ଅନେକ ମହିଳା ଓ ଶିଶୁ । ସେମାନଙ୍କୁ ଜାପୋରଜିଆକୁ ସ୍ଥାନାନ୍ତର କରାଯାଇଛି ।

ଅନ୍ୟପଟେ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନଙ୍କ ସହ ଆଲୋଚନା କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ୟୁକ୍ରେନକୁ ପାଶ୍ଚାତ୍ୟ ରାଷ୍ଟ୍ର ଅସ୍ତ୍ର ନ ଯୋଗାଇବାକୁ ଆହ୍ବାନ ଦେଇଛନ୍ତି ପୁଟିନ । ଯୁଦ୍ଧର ଅବସାନ ପାଇଁ କିଭ୍ ପଦକ୍ଷେପ ନେଉନାହିଁ ବୋଲି ସେ କହିଛନ୍ତି । ଯୁଦ୍ଧ ବନ୍ଦ କରିବା ଲାଗି ୟୁକ୍ରେନ ଉପରେ ପାଶ୍ଚାତ୍ୟ ରାଷ୍ଟ୍ର ଚାପ ପକାନ୍ତୁ । କଥାବାର୍ତ୍ତା ଲାଗି ବର୍ତ୍ତମାନ ବି ଋଷ ଦ୍ୱାର ଖୋଲା ରଖିଛି ବୋଲି ମାକ୍ରନଙ୍କୁ କହିଛନ୍ତି ପୁଟିନ । ଯୁଦ୍ଧ ଚାଲୁ ରହିବା ଯୋଗୁ ବିଶ୍ବରେ ଖାଦ୍ୟ ନିରାପତ୍ତା ବିପନ୍ନ ହେଲାଣି ବୋଲି ଆଲୋଚନା ବେଳେ କହିଥିଲେ ମାକ୍ରନ ।

ଫୋନ ପେ’ରେ ଲାଞ୍ଚ ନେଲେ ଅସ୍ତରଙ୍ଗ ତହସିଲ କର୍ମଚାରୀ

କୋଣାର୍କ: ଏବେ ହାତକୁ ହାତ ନୁହେଁ ଫୋନ ପେ’ରେ ହେଉଛି ଲାଞ୍ଚ କାରବାର । ଏଭଳି ଅଭିଯୋଗ ଆସିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ତହସିଲଦାର କାର୍ଯ୍ୟାଳୟରୁ । ସିସିଟିଭିରେ ଧାରା ପଡ଼ିଯିବା ଭୟରେ ଅସ୍ତରଙ୍ଗ ତହସିଲର ମୁଖ୍ୟ ଭାବରେ କାର୍ଯ୍ୟ କରୁଥିବା ଅଫିସର ପ୍ରଶାନ୍ତ କୁମାର ପାତ୍ର ଫୋନ ପେ’ରେ ଲାଞ୍ଚ ନେଉଥିବା ଅଭିଯୋଗ ଆସିଛି । ଏକ ଭାଇରାଲ ଭିଡିଓରେ ପ୍ରଶାନ୍ତ ଅତିରିକ୍ତ ଜିଲ୍ଲାପାଳ, RIଙ୍କ ନାଁ ନେଇ ସାଧାରଣ ଲୋକଙ୍କୁ ସିଧା ଲାଞ୍ଚ ମାଗୁଛନ୍ତି ।

ସୂଚନା ଅନୁସାରେ ନୂଆଗଡ଼ ଗ୍ରାମର ଅଶୋକ କୁମାର ବାରିକଙ୍କ ପତ୍ନୀ ଭାରତୀ ବାରିକଙ୍କ କୋଭିଡରେ ମୃତ୍ୟୁ ହୋଇଥିଲା । ସରକାରଙ୍କ ଅନୁକମ୍ପା ପାଇବାକୁ ତହସିଲର ଯାଞ୍ଚ ପାଇଁ ଯାଇଥିବା ବେଳେ ତାଙ୍କୁ ସେଠି ପ୍ରଶାନ୍ତ ଅତିରିକ୍ତ ଜିଲ୍ଲାପାଳ, RI ନାଁ କହି ୫୦୦ ଟଙ୍କା ମାଗିଥିଲେ । ଅଶୋକ ଟଙ୍କା ଆଣି ନଥିବା କହିବା ସତ୍ତ୍ୱେ ମଧ୍ୟ ପ୍ରଶାନ୍ତ ବାଧ୍ୟ କରି ଫୋନ ପେ’ରେ ନେଇଥିଲେ । ଯାହା ଭାଇରାଲ ଭିଡିଓରେ ପ୍ରଶାନ୍ତ ଓ ଅଶୋକଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପରୁ ସ୍ପଷ୍ଟ ହେଉଛି । ପ୍ରଶାନ୍ତ ତାଙ୍କ ଫୋନ ପେ’ ନମ୍ବର ୭୭୩୫୩୯୧୩୦୦ ଦେଇ RI ତପନ ବାବୁଙ୍କୁ ଡକାଯିବ । ମାଇଣ୍ଡ କୁଲ୍ ନ ରହିଲେ ଅତିରିକ୍ତ ଜିଲ୍ଲାପାଳ ଆପତ୍ତି କରିବେ ବୋଲି ଅଶୋକଙ୍କୁ କହୁଛନ୍ତି । ଏମିତି ଅନେକ କଥା କହି ଧମକ ଦେଇ ସାଧାରଣ ଲୋକଙ୍କଠାରୁ ଲାଞ୍ଚ ଆଦାୟ କରିବା ଘଟଣା ଅସ୍ତରଙ୍ଗ ଅଂଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।