spot_img
Home Blog Page 4282

କମିବ ତେଲ ଦର, ବଜାରକୁ ଆସିବ ଏମ୍-୧୫ ଫୁଏଲ୍!

ନୂଆଦିଲ୍ଲୀ: ଗାଡ଼ିରେ ତେଲ ପକାଇଲାବେଳେ ସମସ୍ତଙ୍କୁ ଏହାର ଦର ବାଧୁଥିବ ନିଶ୍ଚୟ । ତେଲ ଦର ବଢ଼ିବା ସହ ଅନ୍ୟ ସବୁ ସାମଗ୍ରୀର ଦର ବି ବଢ଼ୁଛି । ଏହା ସହ ଲୋକଙ୍କ ଚିନ୍ତା ବି ବଢ଼ୁଛି । ଆପଣ ଯଦି ତେଲ ଦର ବଢ଼ିବା ନେଇ ଚିନ୍ତାରେ ଥାଆନ୍ତି ତାହାଲେ ଆଉ ଚିନ୍ତା କରନ୍ତୁ ନାହିଁ । କାରଣ ଦେଶରେ ଖୁବ୍ ଶୀଘ୍ର ଶସ୍ତା ହୋଇପାରେ ତେଲ ଦର ।

ଲୋକଙ୍କୁ ମହଙ୍ଗାମାଡ଼ରୁ ରକ୍ଷା କରିବା ପାଇଁ ପେଟ୍ରୋଲରେ ମିଶାଯିବ ଏମ୍- ୧୫ । ଅର୍ଥାତ ପେଟ୍ରୋଲରେ ୧୫ ପ୍ରତିଶତ ମିଥାନେଲ ମିଶାଯିବ । ଏହାର ଟ୍ରାଏଲ ଆରମ୍ଭ କରିଦେଇଛନ୍ତି କେନ୍ଦ୍ର ସରକାର । ପେଟ୍ରୋଲରେ ୧୫ ପ୍ରତିଶତ ମିଥାନେଲ ମିଶାଯାଇ ଟ୍ରାଏଲ୍ କରାଯାଉଛି । ଆଉ ଏହି ମିଶ୍ରିତ ତେଲକୁ କୁହାଯାଉଛି ଏମ୍-୧୫  ଫୁଏଲ୍ ।

ଏହି ଟ୍ରାଏଲ ଯଦି ସଫଳ ହୁଏ ତାହାଲେ ଦେଶରେ ଖୁବ୍ କମ୍ ଦିନରେ ଶସ୍ତାରେ ମିଳିବ ଗାଡ଼ି ତେଲ । ଏଥିଯୋଗୁ ଚାଳକ ଲାଭବାନ ହେବା ସହ ବିଭିନ୍ନ ସାମଗ୍ରୀ ଆଉ ମହଙ୍ଗା ହେବନାହିଁ ।

ଏହା ପେଟ୍ରୋଲକୁ ରିପ୍ଲେସ କରିପାରିବ । ଏହି ତେଲ ଗାଡ଼ରେ ପଡ଼ିଲେ ପ୍ରଦୂଷଣ ମଧ୍ୟ କମ୍ ହୁଏ । ଡିଜେଲ ବଦଳରେ ଏବେ ମିଥାନେଲକୁ ପୁରାପୁରି ରିପ୍ଲେସ କରିବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର । ଗୋଟିଏ ଲିଟର ତେଲ ପାଇଁ ୩୬ ଟଙ୍କା ଖର୍ଚ୍ଚ ହେଉଥିଲାବେଳେ ମିଥାନେଲ ପାଇଁ ଖର୍ଚ୍ଚ ହୋଇଥାଏ ମାତ୍ର ୨୦ ଟଙ୍କା । ତେଣୁ ଏହାକୁ ବ୍ୟବହାର କଲେ ପେଟ୍ରୋଲ ଦର କମିବା ସହ ସାଧାରଣ ଲୋକଙ୍କର ଖର୍ଚ୍ଚ କିଛିଟା କମିବ ।

 

ଓଡ଼ିଶା ଉପକୂଳରେ ହିଟ୍ କରିବ ବାତ୍ୟା ଆସାନୀ

ଭୁବନେଶ୍ବର: ଦିନକ ପରେ ଦକ୍ଷିଣ ଆଣ୍ଡାମାନ ସାଗରରେ ପଡ଼ିପାରେ ସମ୍ଭାବ୍ୟ ବାତ୍ୟା ‘ଆସାନୀ’ର ମୂଳଦୁଆ । ଲଘୁଚାପ ହେବା ନେଇ ନିଶ୍ଚିତ ହୋଇଛି ଭାରତୀୟ ପାଣିପାଗ ବିଭାଗ । କିନ୍ତୁ ବାତ୍ୟା ରୂପରେଖ ନେଇ ଏଯାଏଁ ସ୍ପଷ୍ଟ ହୋଇନି ଚିତ୍ର । ୫ ତାରିଖରୁ ବଙ୍ଗୋପସାଗରରେ ବଦଳିବ ପାଗ । ଲଘୁଚାପ ପରେ ଜଣାପଡ଼ିବ ସମ୍ଭାବ୍ୟ ବାତ୍ୟାର ଲ୍ୟାଣ୍ଡଫଲ ଡେଷ୍ଟିନେସନ । ଅଧିକାଂଶ ମଡେଲର ଆକଳନ କହୁଛି, ଓଡ଼ିଶା ଉପକୂଳରେ କରିବ ହିଟ୍‌ ।

ବାତ୍ୟା ପାଇଁ ଅନୁକୂଳ ହେଉଛି ପାଗ । ବଙ୍ଗୋପସାଗରରେ ଏକାଠି ହେଉଛି ମେଘଖଣ୍ଡ । ସାଟେଲାଇଟ୍‌ରୁ ମିଳିଲା ଚିତ୍ର । ଦିନକ ପରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ପରବର୍ତ୍ତୀ ୨୪ ଘଣ୍ଟାରେ ନେବ ଲଘୁଚାପର ରୂପ । ସାମ୍ଭାବ୍ୟ ବାତ୍ୟା ନେଇ ଆଇଏମ୍‌ଡିର ଘନଘନ ବୈଠକ । ସିଷ୍ଟମ୍ ଉପରେ ତୀକ୍ଷ୍ନ ନଜର । ଆସନ୍ତା ୬ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ ସୃଷ୍ଟି ହେବା ନିଶ୍ଚିତ ହୋଇଛି । ଏହା ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହୋଇ ଗଭୀର ଅବପାତ ଏବଂ ବାତ୍ୟାରେ ପରିଣତ ହେବାର ଅଧିକ ଆଶଙ୍କା ଦେଖାଦେଇଛି । ପାଣିପାଗ ମଡେଲ ଓ୍ବିଣ୍ଡି ପକ୍ଷରୁ ଜାରି ହୋଇଥିବା ଗ୍ରାଫିକ୍ସ ଅନୁସାରେ ବାତ୍ୟାଟି ଅତି ତ୍ରୀବ୍ର ବେଗରେ ଓଡ଼ିଶା ଉପକୂଳରେ ଲ୍ୟାଣ୍ଡଫଲ କରିବ । କିନ୍ତୁ ଲଘୁଚାପ ପରେ ଏହାର ଗତିପଥ ଏବଂ ତୀବ୍ରତା ଜଣାପଡ଼ିବ । ସେପଟେ ସାମ୍ଭାବ୍ୟ ଲଘୁଚାପ ସୃଷ୍ଟି ପରେ ବାତ୍ୟା ସମ୍ପର୍କରେ ଚିତ୍ର ସ୍ପଷ୍ଟ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପାଣିପାଗ ବିଜ୍ଞାନୀ ଆର.କେ ଜେନାମଣି କହିଛନ୍ତି ।

ସେପଟେ ବାତ୍ୟା ପାଇଁ ପାଗ ଅନୁକୁଳ ଥିବା କହିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ଦୁଇ ତିଦି ଦିନ ମଧ୍ୟରେ ବାତ୍ୟାର ପ୍ରଭାବ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରିବ । ଏପ୍ରିଲରେ ଦାନା ବାନ୍ଧି ମେ’ ୫ ତାରିଖରେ ସ୍ଥଳଭାଗ ଛୁଇଁଥିବା ବାତ୍ୟା ଫନିର ଉତ୍ପତ୍ତି ଏବଂ ଆସାନୀର ଉତ୍ପତି ସ୍ଥଳ ଭିନ୍ନ ଭିନ୍ନ ହୋଇପାରେ । ତେଣୁ ଆସାନୀ ସେତେ ପ୍ରଭାବୀ ହୋଇ ନପାରେ ବୋଲି ଆକଳନ କରାଯାଉଛି । କିନ୍ତୁ ବାତ୍ୟା ସମୟରେ ଘଣ୍ଟାପ୍ରତି ୮୦ରୁ ୯୦ କିଲୋମିଟର ବେଗରେ ପବନ ବହିବା ଆଶଙ୍କା ରହିଛି । ଅନ୍ୟପଟେ ଓଡ଼ିଶାରେ ଆଜି ସାମାନ୍ୟ ତାତି ବଢିଥିବା ବେଳେ ଲୋକ ଅସହ୍ୟ ଗୁଳୁଗୁଳୁରେ ସନ୍ତୁଳି ହେଉଛନ୍ତି । ସେହିପରି ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରହିବ ବୋଲି ପାଣିପାଗ କେନ୍ଦ୍ର ସ୍ପଷ୍ଟ କରିଛି ।

ଯଦି ଲଘୁଚାପ ବାତ୍ୟାରେ ପରିଣତ ହୁଏ, ତେବେ ତା’ର ପ୍ରଭାବ ଉପକୂଳ ଓଡ଼ିଶାରେ ପଡିବ । ବିଶେଷକରି ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର ଏବଂ ମୟୂରଭଞ୍ଜରେ ବର୍ଷା ଓ ପବନ ହେବ ।

ରାଜ୍ୟରେ ରେକର୍ଡ ପରିମାଣ ଜିଏସଟି ଆଦାୟ

ଭୁବନେଶ୍ବର: ରାଜ୍ୟରେ ବଢୁଛି ଜିଏସଟି ଆଦାୟ । ଏଥିରେ ଖଣିକ୍ଷେତ୍ରର ରହିଛି ସିଂହଭାଗ ଅବଦାନ । ଟିକସ ଫାଙ୍କି ଉପରେ ହେଉଛି ଜୋରଦାର ଚଢ଼ାଉ । ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ମାସରେ ରେକର୍ଡ ପରିମାଣର ଜିଏସଟି ଆଦାୟ ହୋଇଛି । ରାଜ୍ୟ ଜିଏସଟି ଗତବର୍ଷ ଏପ୍ରିଲ ତୁଳନାରେ ଏଥର ୫୨ ପ୍ରତିଶତ ବୃଦ୍ଧି ପାଇଛି । ଗତବର୍ଷ ଏପ୍ରିଲ ମାସରେ ୧୧ଶହ ୨୬ କୋଟି ୬୭ଲକ୍ଷ ଟଙ୍କା ଆଦାୟ ହୋଇଥିବା ବେଳେ ଏଥର ୫୨ ପ୍ରତିଶତ ବୃଦ୍ଧି ପାଇ ୧୭ ଶହ ୧୪ କୋଟି ୭୮ ଲକ୍ଷ ଟଙ୍କା ଆଦାୟ ହୋଇଛି ।

ସେହିପରି ଗ୍ରସ ଜିଏସଟି ୩୮୪୯ କୋଟି ୪୯ ଲକ୍ଷରୁ ୨୮ ପ୍ରତିଶତ ବୃଦ୍ଧି ପାଇ ୪ ହଜାର ୯୧୦ କୋଟି ୨୩ ଲକ୍ଷରେ ପହଞ୍ଚିଛି । କେନ୍ଦ୍ରୀୟ ଜିଏସଟି ଆଦାୟରେ ବି ୧୮ ପ୍ରତିଶତ ବୃଦ୍ଧି ହୋଇଛି । ନୂଆ ଖଣି ଲିଜ୍ ଏବଂ ଅଧିକ ଖଣି କାରବାର ଯୋଗୁଁ ମାଇନିଂ ସେକ୍ଟରର ରହିଛି ଅଧିକ ଅବଦାନ । ଜିଏସଟି କର୍ତ୍ତୃପକ୍ଷଙ୍କ ଉତ୍ତମ ପରିଚାଳନା, ଲଗାତାର ଚଢାଉ ସହ ବୈଷୟିକ ଜ୍ଞାନ କୌଶଳର ବ୍ୟବହାର ଯୋଗୁଁ ଜିଏସଟି ଆଦାୟ ବଢ଼ିଛି ବୋଲି ଜିଏସଟି କମିଶନର କହିଛନ୍ତି ।

ଟିକସ ଫାଙ୍କିବାର ବାଟ ବନ୍ଦ ହେଉଛି । କିଏ କେତେ ବେପାର କରୁଛି, ଲୋକଙ୍କଠାରୁ ଟିକସ ନେଇ କିଏ ଜମା କରୁନାହିଁ, ବୈଷୟିକ ଜ୍ଞାନ କୌଶଳ ସାହାଯ୍ୟରେ ଏସବୁ ଆନାଲାଇଜ୍ କରାଯାଉଛି । ଯେଉଁଠି ବ୍ୟତିକ୍ରମ ହେଉଛି, ଜିଏସଟି କର୍ତ୍ତୃପକ୍ଷ ସେଠି ଯାଞ୍ଚ କରିବା ସହ ଜରିମାନା ଆଦାୟ କରୁଛନ୍ତି । ଲଗାତାର ଚଢାଉ ସହ ବ୍ୟବସାୟୀଙ୍କୁ ସବୁବେଳେ ସେଚେତନ କରାଯାଉଛି । ୨ ବର୍ଷ ତଳେ ୬୦ ପ୍ରତିଶତ ଟିକସ ଦାତା ଜିଏସଟି ପରିସରକୁ ଆସିଥିଲେ । ଏବେ ଏହି ସଂଖ୍ୟା ୯୦ ପ୍ରତିଶତରେ ପହଞ୍ଚିଲାଣି ।

ଜିଏସଟି ଆଦାୟ ରେକର୍ଡ ପରିମାଣର ବୃଦ୍ଧି ପାଇଁ ଖଣି କ୍ଷେତ୍ରର ଅବଦାନ ସବୁଠାରୁ ଅଧିକ । ଖଣି କାରବାରରୁ ଜିଏସଟି ଆଦାୟ ୧୭୯ ପ୍ରତିଶତ ବଢିଥିବା ବେଳେ ନିର୍ମାଣ କ୍ଷେତ୍ରରେ ୨୭୦ ପ୍ରତିଶତ ଏବଂ ଅନ୍ୟ ବ୍ୟବସାୟ କ୍ଷେତ୍ରରେ ୧୦୫ ପ୍ରତିଶତ ବୃଦ୍ଧି ହୋଇଛି । ଫାଇଭ-ଟି ନୀତି ଆଧାରରେ ଅଭିଯୋଗ ସମାଧାନ ନିର୍ଦ୍ଦିଷ୍ଟ ସମୟ ସୀମାରେ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅସମ୍ଭାଳ ଖରା, ସମ୍ଭାବ୍ୟ ବାତ୍ୟା ଭୟ: ବଦଳିବ କି ଖରାଛୁଟି ନିର୍ଦ୍ଦେଶନାମା

ଭୁବନେଶ୍ବର: କରୋନା ପାଇଁ ଦୁଇ ବର୍ଷ ହେଲା ଠିକରେ ହେଇପାରିନି କ୍ଲାସରୁମ୍ ପାଠପଢା । ବଳକା କୋର୍ସ ସାରିବାକୁ ମେ’ ମାସ ଖରା ଛୁଟି ବାତିଲ କରାଯାଇ ଜୁନ୍ ୬ରୁ ୧୬ ଯାଏଁ ଘୋଷଣା କରାଯାଇଛି । ତେବେ ପ୍ରବଳ ଖରା ସାଙ୍ଗକୁ ସମ୍ଭାବ୍ୟ ବାତ୍ୟା ନେଇ ଖରା ଛୁଟିରେ ବଦଳିବା ସମ୍ଭାବନା ଦେଖାଦେଇଛି । ଆଜିଠୁ ଖରା ଯୋଗୁଁ ସକାଳ ୬ରୁ ୯ ଯାଏଁ କ୍ଲାସ ହେଉଛି । ଏହା ମେ’ ୧୬ ଯାଏଁ କରିବାକୁ ନିଷ୍ପତ୍ତି ହୋଇଛି । ହେଲେ ଖରା ଓ ଅସମ୍ଭାଳ ଗୁଳୁଗୁଳି ଯୋଗୁଁ ଛୁଟି କାଟ ନିଷ୍ପତ୍ତି କୋହଳ କରିବାକୁ ଚିନ୍ତା କରୁଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ମେ’ ୧୭ରୁ ୩୦ ଯାଏଁ ଖରା ଛୁଟି କରାଯାଇପାରେ । ଏପରି ହେଲେ ଜୁନ୍ ମାସ ଖରା ଛୁଟି ବାତିଲ କରାଯାଇ ମେ ୩୧ରୁ ପାଠପଢା ଚାଲିବ । ତେବେ ତିନି ଦିନ ରଜ ଛୁଟି ପାଇବେ ଛାତ୍ରଛାତ୍ରୀ । ରାଜ୍ୟ ସରକାର ଯଦି ଖରା ଛୁଟି ସୂଚୀ ଏପରି ଭାବେ ପରିବର୍ତ୍ତନ କରନ୍ତି, କୋର୍ସ ସାରିବାକୁ ସମସ୍ୟା ହେବ ନାହିଁ ବୋଲି ଶିକ୍ଷକଙ୍କ ମହଲରୁ ମତ ପ୍ରକାଶ ପାଇଛି ।

ଖରା ଛୁଟି କାଟ ସମୟରୁ ହିଁ ଅଭିଭାବକମାନେ ସଂଶୋଧନ ଦାବି କରୁଥିଲେ । ମେ’ ମାସରେ ଖରା ପ୍ରଖର ଥିବାବେଳେ ଜୁନରେ ପାଗରେ ପରିବର୍ତ୍ତନ ଆସେ । ତେଣୁ ମେ’ ମାସରେ ଛୁଟି କରି ଜୁନରେ କ୍ଲାସ କରିବାକୁ ଦାବି କରିଥିଲେ ଅଭିଭାବକ ।

ମେ’ ମାସରେ ଛୁଟି ହେଲେ, ସେହି ସମୟ ଭିତରେ ସ୍ବତନ୍ତ୍ର ପୁସ୍ତିକା ପ୍ରସ୍ତୁତ କରିବ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । କୋରନା ଯୋଗୁଁ ଦୁଇ ବର୍ଷରେ ଯେଉଁ ୩୦ ପ୍ରତିଶତ ପାଠ ବାଦ୍ ଦିଆଯାଇଥିଲା, ତାହା ଏହି ସ୍ବତନ୍ତ୍ର ପୁସ୍ତିକାରେ ପ୍ରକାଶ କରି ଛାତ୍ରଛାତ୍ରୀଙ୍କୁ ପଢା ଯାଇପାରିବ ।

ଭୟଙ୍କର ଘୂର୍ଣ୍ଣିଝଡ଼ରେ ଉଡ଼ିଲା ଘର, ଗଛ, ଗାଡ଼ି

ନୂଆଦିଲ୍ଲୀ: କିଛି ନଥିଲା, ହଠାତ ଆସିଲା ଝଡ଼, ଆଉ ବାଟରେ ଯାହା ପାଇଲା ସବୁ ଉଡେଇ ଛାରଖାର କରିଦେଲା । ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହା ସମସ୍ତଙ୍କୁ ଚକିତ କରିଦେଇଛି । ଭିଡିଓଟି ହେଉଛି ଆମେରିକା କାନସାସର । ଭିଡିଓରେ ଦେଖାଯାଉଛି ଯେ, ହଠାତ ଏକ ଘୂର୍ଣ୍ଣିଝଡ଼ ଆସୁଛି । ଝଡ଼ରେ ଘର, ଗାଡ଼ି, ଗଛ ସବୁ ଉଡୁଛି । ଭୟଙ୍କର ଦେଖାଯାଉଥିବା ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।

ଗତ ଶୁକ୍ରବାର ସନ୍ଧ୍ୟାରେ କାନସାସରେ ଏହି ଭୟଙ୍କର ଘୂର୍ଣ୍ଣିଝଡ଼ ଦେଖି ଲୋକେ ଭୟଭୀତ ହୋଇଯାଇଥିଲେ । ଏହା ଏତେ ଶକ୍ତିଶାଳୀ ଥିଲା ଯେ, ଆଖି ପିଛୁଳାକେ ଶହଶହ ଘର ସାଙ୍ଗକୁ ବଡ଼ ବଡ଼ ଗଛ ବି ଭାଙ୍ଗି ଉଡ଼େଇ ନେଇଥିଲା ।

ସୂଚନା ଅନୁସାରେ ଏହି ଝଡ଼ରେ ୧୫ ହଜାରରୁ ଅଧିକ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି । ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି । ଏହାଯୋଗୁ ଲୋକଙ୍କୁ ବହୁ ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ିଛି । ବିଜୁଳି ସେବା ଛିନ୍ନ ହେବା ସହ ବିଭିନ୍ନ ସ୍ଥାନରେ ୩ ଜଣ ଲୋକ ପ୍ରାଣ ହରାଇଛନ୍ତି ।

ସୋସିଆଲ ମିଡିଆ ସାଇଟ୍ ଟ୍ବିଟରରେ ଏହି ଏହି ଭିଡିଓ ସେୟାର କରାଯାଇଛି । ଏହାକୁ ବର୍ତ୍ତମାନ ଯାଏ ୨୮ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି ।

ଅକ୍ଷୟ ତୃତୀୟା ପୂର୍ବରୁ ଅନ୍ନଦାତାଙ୍କୁ କେନ୍ଦ୍ରର ଝଟକା

ଭୁବନେଶ୍ବର: ଦେଶର ଅନ୍ନଦାତାଙ୍କୁ କେନ୍ଦ୍ର ସରକାର କଲେ ପୁଣି ହତାଦର । ତାହା ପୁଣି ଅକ୍ଷୟ ତୃତୀୟା ଦିନକ ପୂର୍ବରୁ । ଯାହା ଖରିଫ ଆରମ୍ଭରୁ ଚାଷୀ ମୁଣ୍ଡରେ ଚଡ଼କ ବୋଲି କହିଲେ ଭୁଲ ହେବନି । କାରଣ କେନ୍ଦ୍ର ସରକାର ପୋଟାସିୟମ ସାର ଦର ୬୫୦ ଟଙ୍କା ବୃଦ୍ଧି କରିଦେଇଛନ୍ତି । ଯାହାକୁ ନେଇ ଚାଷୀ ଚିନ୍ତାରେ ପଡିଥିବା ବେଳେ କେନ୍ଦ୍ର ଉପରେ ବର୍ଷିଛନ୍ତି ବିଜେଡି ଓ କଂଗ୍ରେସ ।

ତେଲ ବଢିଲା, ବଢିଲା ଅତ୍ୟାବଶ୍ୟକୀୟ ସାମଗ୍ରୀ ଦର । ଏବେ ଚାଷୀ ପେଟକୁ ସିଧା ଲାତ । ଚାଷୀଙ୍କ ପାଇଁ ଚିତ୍କାର କରୁଥିବା କେନ୍ଦ୍ର ସରକାର ବଢାଇଛନ୍ତି ପୋଟାସିୟମ ସାର ଦର । କରୋନାରେ କଲବଲ ହେଉଥିବା ଚାଷୀଙ୍କୁ ରିହାତି ଦେବେ କ’ଣ ଓଲଟା ସାର ଦରରେ ବୃଦ୍ଧି କରି ମୌସୁମୀ ପୂର୍ବରୁ ଦେଇଛନ୍ତି ଝଟକା ।

ରାତି ପାହିଲେ ଅକ୍ଷୟ ତୃତୀୟା । କ୍ଷେତ ପ୍ରସ୍ତୁତ କରି ଅଖିମୁଠି ଅନୁକୂଳ କରିବ ଚାଷୀ । ହେଲେ ପଟାସ ସାରରେ ଦର ବୃଦ୍ଧି ଦେଖି ହତାଶ ଚାଷୀ । ଭଲ ଉତ୍ପାଦନ ପାଇଁ ଜମି ପ୍ରସ୍ତୁତି ସମୟରେ ଲାଗୁଥିବା ପୋଟାସିୟମ ସାରର ମୂଲ୍ୟରେ ୬୫୦ ଟଙ୍କା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଗତବର୍ଷ ପୋଟାସିୟମ ବା ଏମ୍ଓପି ୫୦ କିଲୋ ବ୍ୟାଗର ମୂଲ୍ୟ ଥିଲା ୧୦୫୦ ଟଙ୍କା । ଏବେ ଦର ବୃଦ୍ଧି ଯୋଗୁ ବ୍ୟାଗ୍ ପିଛା ଚାଷୀ ଗଣିବ ୧୭୦୦ ଟଙ୍କା । କିପରି ନିଜ କ୍ଷେତକୁ ଧାନ ଚାଷ ପାଇଁ ପ୍ରସ୍ତୁତ କରିବା ସେ ନେଇ ଚିନ୍ତାରେ ପଡ଼ିଛି ଚାଷୀ ।

୨୦୨୨ ଖରିଫ ବର୍ଷରେ କେନ୍ଦ୍ର ସରକାର ଓଡ଼ିଶା ପାଇଁ ୧ ଲକ୍ଷ ମେଟ୍ରିକ୍ ଟନ୍ ଏମ୍ଓପି ଆବଣ୍ଟନ କରିଛନ୍ତି । ଏପ୍ରିଲ ସୁଦ୍ଧା କେନ୍ଦ୍ର ପଠାଇଛି ମାତ୍ର ୭ ହଜାର ୧୧୧ ମେଟ୍ରିକ୍ ଟନ୍ । ଏବେ ପୋଟାସିୟମ ସାର ଦରରେ ବୃଦ୍ଧି ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି ବିଜେଡି ଓ କଂଗ୍ରେସ । ୨୦୨୨ ଖରିଫ ବର୍ଷ ପାଇଁ ଚାଷୀଙ୍କୁ ସାର ଉପରେ ୬ ମାସ ପାଇଁ ୬୦ ହଜାର ୯୩୯ କୋଟି ସବସିଡି ଦେବା ପାଇଁ ଘୋଷଣା କରିଛି କେନ୍ଦ୍ର । ହେଲେ ପଟାସ ସାରରେ ସବସିଡି ଯିବା ପରେ ପ୍ରାୟ ୪୦ ପ୍ରତିଶତ ବୃଦ୍ଧି ହୋଇଛି । ଏହି ଦରବୃଦ୍ଧି ପ୍ରତ୍ୟେକ ବର୍ଗର ଚାଷୀଙ୍କୁ ବାଧିବ । କେନ୍ଦ୍ର ସରକାର ଏପରି କରି ଚାଷୀଙ୍କ ପ୍ରତି ଉପହାସ କରିଛନ୍ତି, ବୋଲି ଉଭୟ ବିଜେଡି ଓ କଂଗ୍ରେସ ଅଭିଯୋଗ କରିଛନ୍ତି ।

ଏକର ପିଛା ଚାଷୀକୁ ଆବଶ୍ୟକ ୪୦ କେଜି ପୋଟାସିୟମ ସାର । ବିଲ ପ୍ରସ୍ତୁତ ବେଳେ ପ୍ରଥମେ ୨୦ କିଲୋ ପ୍ରୟୋଗ ହୋଇଥାଏ । ଧାନ ଥୋଡ଼ ଓ କ୍ଷୀର ଢୋକିବା ବେଳେ ବାକି ୧୦ କିଲୋ ଲେଖାଏଁ ପୋଟାସିୟମ ଆବଶ୍ୟକ ପଡ଼ିଥାଏ । ତେବେ ମାଟି ପରୀକ୍ଷା କରି ଅନୁମୋଦିତ ସାର ଚାଷୀ ବ୍ୟବହାର କରିବା ଦରକାର । ପୋଟାସିୟମ ସାର ଧାନ ଗଛର ମୂଳ ମଜବୁତ ହେବା ସହ ରୋଗପୋକ ବିରୋଧରେ ଲଢ଼ିବା ପାଇଁ ପ୍ରତିଷେଧକ ଭଳି କାମ କରିଥାଏ । ଏହାସହିତ ମାଟିର ଉର୍ବରତା ବଢ଼ିଥାଏ । ବର୍ଷା ଅଭାବରୁ ମରୁଡ଼ି ସ୍ଥିତି ସୃଷ୍ଟି ହେଲେ ବି ଧାନ ଗଛ ଜଳ ଧାରଣ କରିବା ପାଇଁ ସମର୍ଥ ହୋଇଥାଏ । ଦରବୃଦ୍ଧି ଯୋଗୁଁ ଅଧିକାଂଶ ଚାଷୀ ପୋଟାସିୟମ କିଣିବାକୁ ଅସମର୍ଥ ହୋଇପାରନ୍ତି । ଯାହାକି ଉତ୍ପାଦନକୁ ପ୍ରଭାବିତ କରିବ ବୋଲି ବିଶେଷଜ୍ଞ ମତ ରଖିଛନ୍ତି ।

ଅକ୍ଷୟ ତୃତୀୟାରେ ଚାଷୀଙ୍କ ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଉଛନ୍ତି କାଳିଆ ସହାୟତା ଭେଟି । ହେଲେ ସାର ଦର ବୃଦ୍ଧି କରି ଚାଷୀଙ୍କ ଅଣ୍ଟା ଭାଙ୍ଗିବା ଭଳି କାମ କରିଛି କେନ୍ଦ୍ର । ଚାଷୀଙ୍କ ପାଇଁ କେନ୍ଦ୍ରର ଦୋମୁହାଁ ନୀତିକୁ ସବୁ ମହଲରେ ନିନ୍ଦା କରାଯାଇଛି ।

ଶ୍ରୀଲଙ୍କାରେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିପାରନ୍ତି ବିରୋଧୀ

ଅସ୍ଥିରତା ବଳୟରେ ଶ୍ରୀଲଙ୍କା । ଖୋଲୁନି ସମାଧାନର ବାଟ । ଦିନକୁ ଦିନ ସ୍ଥିତି ହେଉଛି ଜଟିଳ । ଆସନ୍ତା ବୁଧବାରଠାରୁ ସଂସଦ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବାବେଳେ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ସେଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିବାକୁ ବିରୋଧୀ କରିଛନ୍ତି ମେଳି । ସେପଟେ ଦେଶରେ ସାନି ନିର୍ବାଚନ କରିବାକୁ ଦାବି କରିଛନ୍ତି ପୂର୍ବତନ ରାଷ୍ଟ୍ରପତି ମୈଥ୍ରୀପାଳ ସିରିସେନା ।

ଘନୀଭୂତ ହେବାରେ ଲାଗିଛି ଶ୍ରୀଲଙ୍କା ସଂକଟ । ଦିନକୁ ଦିନ ଅସ୍ଥିରତା ଭିତରକୁ ଠେଲି ହୋଇଯାଉଛି ଦ୍ୱୀପଦେଶ । ଆକାଶଛୁଆଁ ଦରବୃଦ୍ଧି, ଖାଦ୍ୟ, ଇନ୍ଧନ, ମେଡିସିନ ଅଭାବ ଭିତରେ ଦୁର୍ଦ୍ଦଶା ପହଞ୍ଚିଛି ଚରମ ସୀମାରେ । ସାରା ଦେଶରେ ସରକାର ବିରୋଧୀ ଆନ୍ଦୋଳନ ବି ଜାରି ରହିଛି । ଆନ୍ଦୋଳନ ନ କରି ଦେଶ ସମସ୍ୟାର ସମାଧାନ ଲାଗି ଏକାଠି ହେବା ଲାଗି ସମସ୍ତ ରାଜନୈତିକ ଦଳଙ୍କୁ ଆହ୍ୱାନ ଦେଇଛନ୍ତି ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ । ସେପଟେ ଆସନ୍ତା ବୁଧବାରଠାରୁ ଆରମ୍ଭ ହେବ ସଂସଦ ଅଧିବେଶନ ।

ତେବେ ଅଧିବେଶନରେ ଆର୍ଥିକ ସଂକଟ ଟାଳିବା ନେଇ ଆଲୋଚନା ବଦଳରେ ରାଜନୈତିକ ଝଡ଼ ଉଠିବାର ସମ୍ଭାବନା ରହିଛି । ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିବାକୁ ବିରୋଧୀ କରିଛନ୍ତି ମେଳି । ପୂର୍ବରୁ ଅନାସ୍ଥା ପ୍ରସ୍ତାବ ଆଣିବା ସମ୍ପର୍କରେ ଘୋଷଣା କରିଥିଲେ ଶ୍ରୀଲଙ୍କା ବିରୋଧୀ ଦଳ ନେତା ସାଜିଥ ପ୍ରେମଦାସା । ବୁଧବାର ଉପବାଚସ୍ପତି ନିର୍ବାଚନ କରାଯିବ କାରଣ ଗତ ଏପ୍ରିଲ ୩୦ରେ ଉପବାଚସ୍ପତି ରଣଜିତ ସିୟାମ୍ପାଲପିତ୍ୟା ଇସ୍ତଫା ଦେଇଥିଲେ । ତେଣେ ଦେଶରେ ସାନି ନିର୍ବାଚନ କରିବାକୁ ଦାବି କରିଛନ୍ତି ପୂର୍ବତନ ରାଷ୍ଟ୍ରପତି ମୈଥ୍ରୀପାଳ ସିରିସେନା । ଦେଶର ପ୍ରାୟ ୩ ଲକ୍ଷ ଲୋକ ଭୋକ ଉପାସରେ ରହିଛନ୍ତି ବୋଲି ସେ କହିଛନ୍ତି ।

୧୯୪୮ରେ ସ୍ୱାଧୀନତା ପରଠାରୁ ସବୁଠାରୁ ବଡ଼ ଅର୍ଥନୈତିକ ସମସ୍ୟାରେ ପଡିଥିବା ଶ୍ରୀଲଙ୍ଗାରେ ଜାରି ରହିଛି ବିଜୁଳିକାଟ । ୫୧ ବିଲିୟନ ଡଲାର ଋଣ ଭାରରେ ସଢୁଥିବା ଶ୍ରୀଲଙ୍କା ସମସ୍ୟା ଦିନକୁ ଦିନ ଜଟିଳ ହେଉଥିବାବେଳେ ଗତ ଏପ୍ରିଲ ୧୨ରେ ଶ୍ରୀଲଙ୍କା ନିଜକୁ ଦେବାଳିଆ ଘୋଷିତ କରିବାକୁ ବାଧ୍ୟ ହୋଇଥିଲା । ସରକାରଙ୍କ ଇସ୍ତଫା ଦାବିରେ ଗତ ଗୁରୁବାର ପ୍ରାୟ ୧୦୦୦ ଟ୍ରେଡ ୟୁନିଅନ କରିଥିଲେ ଦିନିକିଆ ଧର୍ମଘଟ । ତେବେ ଆନ୍ଦୋଳନ ସତ୍ତ୍ୱେ ଇସ୍ତଫା ଦେବାକୁ ଅଗ୍ରାହ୍ୟ କରିଆସୁଛନ୍ତି ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ସେ ।

ଗାଳି କରି ଭାଇରାଲ ହେଉଛନ୍ତି କ୍ରିକେଟର ଗମ୍ଭୀର

ନୂଆଦିଲ୍ଲୀ: ଆଇପିଏଲର ୪୫ ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍, ଦିଲ୍ଲୀ କ୍ୟାପିଟାଲ୍ସକୁ ୬ ୱିକେଟରେ ପରାସ୍ତ କରିଛି । ଏହା ସହ ପ୍ଲେ ଅଫରେ ପହଞ୍ଚିବା ପାଇଁ ନିଜର ଦାବିକୁ ସୁଦୃଢ଼ କରିଛି। କେ.ଏଲ୍ ରାହୁଲଙ୍କ ନେତୃତ୍ୱରେ ସୁପର ଜିଆଣ୍ଟସ୍ ଚଳିତ ସିଜନରେ ଖେଳାଯାଇଥିବା ୧୦ଟି ମ୍ୟାଚ୍ ମଧ୍ୟରୁ ୭ଟି ଜିତି ପଏଣ୍ଟ୍ ଟେବୁଲରେ ୧୪ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନ ଅଧିକାର କରିଛି ।

ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍ ଅତ୍ୟନ୍ତ ରୋମାଞ୍ଚକର ଥିଲା। ଏହି ମ୍ୟାଚର ଶେଷ ମୁହୂର୍ତ୍ତରେ ଲକ୍ଷ୍ନୌ ସୁପର ଜିଆଣ୍ଟସର ପରାମର୍ଶଦାତା ଗୌତମ ଗମ୍ଭୀର ତାଙ୍କ ଭାବନାକୁ ନିୟନ୍ତ୍ରଣ କରିପାରିନଥିଲେ। ତାଙ୍କ ପାଟିରୁ ବାହାରିଥିବା କଥା କ୍ୟାମେରାରେ କଏଦ ହେଇଯାଇଥିଲା। ଗମ୍ଭୀରଙ୍କ ଏହି ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି।

ବାସ୍ତବରେ, ଦିଲ୍ଲୀ କ୍ୟାପିଟାଲ୍ସ ଜିତିବା ପାଇଁ ଶେଷ ଓଭରରେ ୨୨ ରନ୍ ଆବଶ୍ୟକ କରୁଥିଲା ​​| ଦିଲ୍ଲୀ ପାଇଁ କ୍ରିଜରେ କୁଲଦୀପ ଯାଦବ ଏବଂ ଅକ୍ଷର ପଟେଲ ଥିଲେ। ଲକ୍ଷ୍ନୌ ସୁପର ଜିଆଣ୍ଟସରୁ ମାର୍କସ ଷ୍ଟୋୟନିସ ମ୍ୟାଚର ଶେଷ ଓଭର ବୋଲିଂ କରିବାକୁ ଆସିଥିଲେ ।

ଷ୍ଟୋନିସ୍ ଓଭରର ପ୍ରଥମ ବଲରେ କୁଲଦୀପ ଗୋଟିଏ ଛକା ମାରିଥିଲେ । ଦ୍ବିତୀୟ ବଲଟି ଓ୍ବାଇଡ ହୋଇଥିଲା । ପର ବଲରେ କୁଲଦୀପ ଏକ ରନ୍ ନେଇଥିଲେ । ଏହାପରେ ୩ଟି ବଲରେ ଅକ୍ଷର କୌଣସି ରନ୍ କରିପାରି ନଥିଲେ । ତେବେ ଶେଷ ବଲରେ ଅକ୍ଷର ଏକ ବିଶାଳ ଛକା ମାରିଥିଲେ । କିନ୍ତୁ ବିଜୟ ହାସଲ ପାଇଁ ତାହା ପର୍ଯ୍ୟାପ୍ତ ହୋଇନଥିଲା । ତେବେ ଜିଆଣ୍ଟସଙ୍କ ବିଜୟରେ ଗମ୍ଭୀର ପ୍ରତିକ୍ରିୟାଶୀଳ ହୋଇଯାଇଥିଲେ । ଏମିତିକି ସେ ସ୍ଥାନ, କାଳ ପାତ୍ର ଭୁଲି ଯାଇଥିଲେ । ତାଙ୍କ ପାଟିରୁ ବାହାରିଥିଲା ଅପମାନଜନକ ଶବ୍ଦ ।

ଆହୁରି ଦକ୍ଷ ହେବେ ଲାଇଫଗାର୍ଡ, ସମୁଦ୍ରରେ ବୁଡି ଯିବନି କାହା ଜୀବନ

ପୁରୀ: ପୁରୀ ସମୁଦ୍ରରେ ଯେମିତି କାହାର କୌଣସି ପର୍ଯ୍ୟଟକ ବୁଡି ଜୀବନ ହାରିବେନି, ସେଥିପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗର ପ୍ରୟାସ । ପର୍ଯ୍ୟଟକଙ୍କ ସୁରକ୍ଷିତ ସ୍ନାନ ଉପରେ ବିଭାଗର ଗୁରୁତ୍ବ । ସମୁଦ୍ରରେ କୌଣସି ଅଘଟଣ ଘଟିଲେ ତତକ୍ଷଣାତ୍ ଉଦ୍ଧାର ପାଇଁ ଲାଇଫଗାର୍ଡଙ୍କୁ ଦିଆଯାଉଛି ତାଲିମ । କାର୍ଯ୍ୟରତ ୩୦୦ ଗାର୍ଡଙ୍କୁ ୬ଟି ପର୍ଯ୍ୟାୟରେ ନେଉଛନ୍ତି ପ୍ରଶିକ୍ଷଣ । ବୁଡ଼ିଯାଉଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର ସହିତ ସେମାନଙ୍କୁ ଉତ୍ତମ ବ୍ୟବହାର ଉପରେ ଦିଆଯାଉଛି ଗୁରୁତ୍ବ ।

ସମୁଦ୍ରରେ ବୁଡ଼ି ଯାଉଥିଲେ କେମିତି କରାଯିବ ଉଦ୍ଧାର ? ପର୍ଯ୍ୟଟକଙ୍କୁ କିପରି କରାଯିବ ଉତ୍ତମ ବ୍ୟବହାର ? ଲୋକଙ୍କୁ ସଚେତନ ସହିତ ଆକସ୍ମିକ ଦୁର୍ଘଟଣାକୁ ଏଡ଼ାଇବାକୁ ପୁରୀରେ ଲାଇଫ ଗାର୍ଡଙ୍କୁ ଦିଆଯାଉଛି ସ୍ବତନ୍ତ୍ର ତାଲିମ । କାର୍ଯ୍ୟରତ 300 ଗାର୍ଡଙ୍କୁ 6ଟି ପର୍ଯ୍ୟାୟରେ ପ୍ରଶିକ୍ଷଣ ଦେଉଛି ପର୍ଯ୍ୟଟନ ବିଭାଗ । ବିଶେଷ କରି ବୁଡି ଯାଉଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର ଓ ତତକ୍ଷଣାତ୍ ଚିକିତ୍ସା ଉପରେ ଗୁରୁତ୍ବ ଦିଆଯାଉଛି  । ପ୍ରଶିକ୍ଷଣ ଦ୍ବାରା ଲାଇଫଗାର୍ଡମାନେ ସ୍ବାବଲମ୍ବୀ ହେବା ସହିତ ବୁଡ଼ି ଯାଉଥିବା ଜୀବନ ମଧ୍ୟ ବଞ୍ଚିପାରିବ ।

ସମୁଦ୍ର ସ୍ନାନ ଏକ ଆନନ୍ଦଭରା ଅବିସ୍ମରଣୀୟ ସ୍ମୃତି । ମାତ୍ର ଅନେକ ସମୟରେ ଗାଧୋଉଥିବା ବେଳେ ଅସାବଧାନତା କାରଣରୁ ଅନେକ ପର୍ଯ୍ୟଟକ ବୁଡ଼ି ଯାଉଥିବା ଦେଖିବାକୁ ମିଳିଛି । ଉଦ୍ଧାର କରିବାକୁ ବେଳାଭୁମୀରେ ଲାଇଫଗାର୍ଡ ମହଜୁଦ ରହିଛନ୍ତି  । ଏବେ ସେମାନଙ୍କୁ ଆହୁରି ପ୍ରଶିକ୍ଷିତ କରି ଲୋକଙ୍କ ଜୀବନ ବଞ୍ଚାଇବାକୁ କର୍ମଶାଳାରେ ପ୍ରୟାସ କରୁଛି ପର୍ଯ୍ୟଟନ ବିଭାଗ । ଉଦ୍ଧାରର କଳାକୌଶଳ ସହିତ ପର୍ଯ୍ୟଟକଙ୍କୁ ଉପଯୁକ୍ତ ବ୍ୟବହାର ଓ ସଚେତନ କରିବାକୁ ତାଲିମ ଦିଆଯାଉଛି ।

ପୁରୀ ବେଳାଭୂମୀରେ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକଙ୍କର ଭିଡ଼ ଜମୁଥିବା ବେଳେ  ଅନେକ ସମୟରେ ଅଘଟଣ ଘଟି କେତେକଙ୍କର ଜୀବନ ମଧ୍ୟ ଯାଉଛି । ଏଣୁ ବୁଡ଼ିଯାଉଥିବା ଲୋକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଲାଇଫଗାର୍ଡଙ୍କୁ ଦିଆଯାଉଛି ସ୍ବତନ୍ତ୍ର ତାଲିମ ।

ବାତ୍ୟା ମୁକାବିଲା ପ୍ରସ୍ତୁତି: ଫୋକସରେ ଜିରୋ କାଜୁଆଲିଟି

ଭୁବନେଶ୍ବର: ଆସୁଛି ସମ୍ଭାବ୍ୟ ବାତ୍ୟା ‘ଆସାନୀ’ । ଦିନକ ପରେ ଦକ୍ଷିଣ ଆଣ୍ଡାମାନ ସାଗରରେ ପଡ଼ିବ ମୂଳଦୁଆ । ସମ୍ଭାବ୍ୟ ବାତ୍ୟାକୁ ନେଇ ସଜାଗ ହୋଇଛି ବିଏମସି । ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ନେଇ ସ୍ଥିତିର ସମୀକ୍ଷା ସହିତ ସମନ୍ବୟ ବୈଠକ କରିଛନ୍ତି ମେୟର । ସବୁ ବିଭାଗ ମଧ୍ୟରେ ସମନ୍ବୟ ରଖି ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ହୋଇଛି ବ୍ଲୁପ୍ରିଣ୍ଟ । ଯୁଦ୍ଧକାଳୀନ ଭିତ୍ତିରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହିତ ଜିରୋ କାଜୁଆଲଟି ଉପରେ ଦିଆଯାଇଛି ଗୁରୁତ୍ବ ।

ବାତ୍ୟା ଆସିଲେ କେମିତି କରାଯିବ ମୁକାବିଲା ? ସମ୍ଭାବ୍ୟ ସାଇକ୍ଲୋନକୁ ନେଇ ସଜାଗ  ବିଏମସି । ଫୋକସରେ ଜିରୋ କାଜୁଆଲଟି । ପୂର୍ବ ଅନୁଭୂତି ଓ ଅଭିଜ୍ଞତା ଆଧାରରେ ନିଆଯିବ ପଦକ୍ଷେପ । ସମ୍ଭାବ୍ୟ ବାତ୍ୟାକୁ ନେଇ ୧୧ଟି ଉପକୂଳବର୍ତ୍ତୀ ଜିଲ୍ଲାକୁ ଜାରି ହୋଇଛି ଆଲର୍ଟ । ଏହା ଭିତରେ ରହିଛି ଖୋର୍ଦ୍ଧା । ଯାହାକୁ ନେଇ ଆଗୁଆ ପ୍ରସ୍ତୁତି କରିଛି ବିଏମସି । ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ବୈଠକ କରି ମୁକାବିଲା ପାଇଁ ପ୍ରସ୍ତୁତ ହୋଇଛି ବ୍ଲୁପ୍ରିଣ୍ଟ । ରାଜଧାନୀରେ ୩୨ଟି ନାଳ ସମ୍ବେଦନଶୀଳ ଥିବା ବେଳେ ୭୨ଟି ଖାଲୁଆ ଅଞ୍ଚଳ ଚିହ୍ନଟ ହୋଇଛି । ଏହି ଅଞ୍ଚଳଗୁଡିକର ବର୍ଷା ଜଳ ନିଷ୍କାସନକୁ ଗୁରୁତ୍ବ ଦିଆଯାଇଛି । ଫନିରେ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା ଭୁବନେଶ୍ବର । ସେ ସମୟର ଅଭିଜ୍ଞତା ଆଧାରରେ ବାତ୍ୟା ମୁକାବିଲା ପାଇଁ ହୋଇଛି ପ୍ରସ୍ତୁତି ।

ଜରୁରୀ ବୈଠକରେ ମେୟର ସୁଲୋଚନା ଦାସ ଅଧ୍ୟକ୍ଷତା କରି ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି । ଫୋକସରେ ରହିଛି ଜିରୋ କାଜୁଆଲଟି । ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରଖିବା ସହିତ ପଶୁ ସମ୍ପଦଙ୍କ ଉପରେ ସ୍ବତନ୍ତ୍ର ନଜର ରଖାଯାଇଛି । ୨୪ଘଣ୍ଟିଆ କଣ୍ଟୋଲ ରୁମ୍ ଏବଂ ଗର୍ଭବତୀ ମହିଳା ଓ ଶିଶୁଙ୍କ ସ୍ବାସ୍ଥ୍ୟକୁ ନଜରରେ ରଖାଯିବ । ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହେଲେ ତୁରନ୍ତ ମରାମତି ପାଇଁ ହୋଇଛି ଆଲୋଚନା । ବାତ୍ୟା ପରବର୍ତ୍ତି ପୁନରୁଦ୍ଧାର କାର୍ଯ୍ୟ ସହିତ ପାନୀୟ ସମସ୍ୟାର ଦୂରିକରଣ ଓ ରିଲିଫ ପ୍ରଦାନକୁ ଗୁରୁତ୍ବ ଦିଆଯିବ । ସବୁ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା କରି ସଠିକ୍ ପରିଚାଳନା ଉପରେ ଫୋକସ କରିଛନ୍ତି ମେୟର ।

ସମ୍ଭାବ୍ୟ ବାତ୍ୟକୁ ଆହୁରି ସପ୍ତାହେରୁ ଅଧିକ ଦିନ ବାକି ରହିଛି । ତେବେ ଏବେଠାରୁ ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ବିଏମସି ।