spot_img
Home Blog Page 4297

ଆଜି ଦିନ ୧୧ଟା ୩୦ ସୁଦ୍ଧା ଝାରସୁଗୁଡ଼ା ରାଜ୍ୟର ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର: ଅସହ୍ୟ ଗରମରେ କଲବଲ ହେଉଛି ଓଡ଼ିଶା । ଅସହ୍ୟ ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ । ଆଜି ଓ ଆସନ୍ତାକାଲି ଆହୁରି କଲବଲ କରିବ ତାତି । ଅଧିକାଂଶ ଜିଲ୍ଲାରେ ୪୦ରୁ ୪୫ ଡିଗ୍ରୀ ମଧ୍ୟରେ ତାପମାତ୍ରା ରହିବ । ୨୪ ଘଣ୍ଟା ମଧ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ୧୧ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଆଜି ଦିନ ୧୧ଟା ୩୦ ସୁଦ୍ଧା ୪୦.୪ ଡିଗ୍ରୀ ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି ଝାରସୁଗୁଡ଼ା । ଝାରସୁଗୁଡ଼ା ବ୍ୟତୀତ ସମ୍ବଲପୁରରେ ୩୯.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଏହା ସହ ରାଜଧାନୀ ଭୁବନେଶ୍ୱରରେ ୩୯.୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି କେନ୍ଦୁଝରରେ ୩୯.୬ ଡିଗ୍ରୀ, ହୀରାକୁଦରେ ୩୮.୮ ଡିଗ୍ରୀ, ଚାନ୍ଦବାଲିରେ ୩୭.୨ ଡିଗ୍ରୀ, ବାଲେଶ୍ୱରରେ ୩୪.୪ ଡିଗ୍ରୀ, ପୁରୀରେ ୩୩.୨ ଡିଗ୍ରୀ, ପାରାଦ୍ୱୀପରେ ୩୧.୪ ଡିଗ୍ରୀ ଓ ଗୋପାଳପୁରରେ ୩୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ତେବେ ଆଗାମୀ ଦୁଇ ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ୱାଭାବିକଠୁ ୩ରୁ ୫ ଡିଗ୍ରୀ ତାପମାତ୍ରା ବଢ଼ିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଦୁଇ ଦିନ ପରେ ମେ’ ପହିଲାରୁ କମିବ ତାପମାତ୍ରା । କାଳବେଶାଖୀ ପ୍ରଭାବରେ କମିବ ପାରଦ । ମେ ୧ ରୁ ୨ ତାରିଖ ମଧ୍ୟରେ ୨ ଡିଗ୍ରୀ ଯାଏ ତଳକୁ ଖସିବ ଦିନର ତାପମାତ୍ରା । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ଦେଶରେ ଭୟଙ୍କର କୋଇଲା ସଙ୍କଟ, ଅଧା ଭାରତରେ ସ୍ଥିତି ସଙ୍ଗୀନ

ନୂଆଦିଲ୍ଲୀ: ଦେଶରେ ଭୟଙ୍କର କୋଇଲା ସଙ୍କଟ । ଥର୍ମାଲ ପାଓ୍ୱାର ପ୍ଲାଣ୍ଟରେ କୋଇଲା ଅଭାବରୁ ବାଧାପ୍ରାପ୍ତ ହୋଇଛି ବିଜୁଳି ଉତ୍ପାଦନ । ଯାହାଫଳରେ ଦିଲ୍ଲୀ, ପଞ୍ଜାବ ଓ ଉତ୍ତରପ୍ରଦେଶ ସମେତ ଅନ୍ୟ କେତେକ ରାଜ୍ୟରେ ଦେଖାଦେଇଛି ଘୋର ବିଦ୍ୟୁତ୍ ସଙ୍କଟ । ଆଗାମୀ ଦିନରେ ରାଜଧାନୀ ଭୟଙ୍କର ବିଦ୍ୟୁତ ସଙ୍କଟର ସାମ୍ନା କରିପାରେ ବୋଲି ଆଶଙ୍କା କରିଛନ୍ତି ଦିଲ୍ଲୀ ସରକାର । ଫଳରେ ମେଟ୍ରୋ ଟ୍ରେନ, ହସ୍ପିଟାଲରେ ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହୋଇପାରେ ବୋଲି ଦିଲ୍ଲୀ ସରକାର କହିଛନ୍ତି । ସ୍ଥିତିକୁ ନେଇ ବରିଷ୍ଠ ଅଧିକାରୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକରେ ଆଲୋଚନା କରିଛନ୍ତି ଶକ୍ତି ମନ୍ତ୍ରୀ ସତୈନ୍ଦ୍ର ଜୈନ୍ ।

ଦିଲ୍ଲୀକୁ ବିଦ୍ୟୁତ୍ ଯୋଗାଣ ପାଇଁ ଥର୍ମାଲ ପାଓ୍ୱାର ପ୍ଲାଣ୍ଟକୁ ଆବଶ୍ୟକ କୋଇଲା ଯୋଗାଣ ପାଇଁ କେନ୍ଦ୍ରକୁ ନିବେଦନ କରିଛନ୍ତି ଦିଲ୍ଲୀ ସରକାର । ଦାଦ୍ରୀ-୨ ଓ ଉଞ୍ଚହାର ପାଓ୍ୱାର ଷ୍ଟେସନରେ କୋଇଲା ଅଭାବ ଯୋଗୁ ଦିଲ୍ଲୀରେ ୨୪ ଘଣ୍ଟିଆ ନିରବିଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହୋଇପାରେ । ଦିଲ୍ଲୀ ପାଇଁ ଆବଶ୍ୟକ ବିଜୁଳିର ୨୫ରୁ ୩୦ ପ୍ରତିଶତ ଏହି ଦୁଇ ପ୍ଲାଣ୍ଟରୁ ମିଳିଥାଏ । ତେବେ ସରକାର ଏ ଦିଗରେ ତୀକ୍ଷ୍ଣ ଦୃଷ୍ଟି ରଖିଥିବା ବେଳେ ରାଜଧାନୀବାସୀ ବିଦ୍ୟୁତ୍ କାଟର ସାମ୍ନା ନକରିବେ ସେ ଦିଗରେ ଦୃଷ୍ଟି ଦିଆଯାଉଛି ବୋଲି ଶକ୍ତି ମନ୍ତ୍ରୀ କହିଛନ୍ତି ।

ସେପଟେ ପଞ୍ଜାବରେ ୪୦ ପ୍ରତିଶତ ବଢ଼ିଛି ବିଦ୍ୟୁତ୍ ଚାହିଦା । ଫାର୍ମିଂ ସେକ୍ଟରକୁ ଆବଶ୍ୟକ ବିଜୁଳି ଯୋଗାଣ ହୋଇପାରୁ ନଥିବାରୁ ଶକ୍ତି ମନ୍ତ୍ରୀଙ୍କ ଘର ଆଗରେ ଆନ୍ଦୋଳନ ଡାକରା ଦେଇଛି କିଶାନ ମଜଦୁର ସଂଘ । ସରକାର ଏହାର ବିକଳ୍ପ ଚିନ୍ତା କରୁଛନ୍ତି ଓ ମୁଖ୍ୟମନ୍ତ୍ରୀ ମଧ୍ୟ ଏହାକୁ ମନିଟରିଂ କରୁଛନ୍ତି ବୋଲି ପଞ୍ଜାବ ଶକ୍ତି ମନ୍ତ୍ରୀ ହରବଜନ ସିଂ କହିଛନ୍ତି । ସେପଟେ ନାଲକୋ ଓଡ଼ିଶାରେ ମଧ୍ୟ କୋଇଲା ଅଭାବ ଯୋଗୁ ବାଧାପ୍ରାପ୍ତ ହୋଇଛି ଉତ୍ପାଦନ । ନାଲକୋ କାରଖାନା ଚାଲିବା ପାଇଁ ଆବଶ୍ୟକ କୋଇଲା ମିଳୁନି । କୋଇଲା ଯୋଗାଣ କମିବା ସାଙ୍ଗକୁ ଗଚ୍ଛିତ କୋଇଲା ପରିମାଣ ବି କମିବାରେ ଲାଗିଛି । ସେପଟେ ୟୁପିରେ ବି ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ବିଦ୍ୟୁତ୍ ଚାହିଦା ବୃଦ୍ଧି ପାଇଛି । ମାତ୍ର କୋଇଲା ଅଭାବ ଯୋଗୁ ଆଗାମୀ ଦିନରେ ରାଜ୍ୟ ଭୟଙ୍କର ସଙ୍କଟର ସାମ୍ନା କରିବା ଆଶଙ୍କା ଦେଖାଦେଇଛି । ରାଜସ୍ଥାନ, ଝାଡଖଣ୍ଡ ଆଦି ରାଜ୍ୟରେ ମଧ୍ୟ କୋଇଲା ସଙ୍କଟ ଯୋଗୁ ସ୍ଥିତି ବିଗିଡ଼ିବାରେ ଲାଗିଛି ।

ବ୍ରହ୍ମୋସ ଆଣ୍ଟି ସିପ୍ ଭର୍ସନର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ପରୀକ୍ଷା ହେଲା ସୁପରସୋନିକ୍‌ କ୍ରୁଜ୍‌ ମିସାଇଲ ବ୍ରହ୍ମୋସର ଆଣ୍ଟି ସିପ୍‌ ଭର୍ସନ୍‌ । ଆଣ୍ଡାମାନ ନିକୋବର ଦ୍ୱୀପରୁ ବୁଧବାର ମଧ୍ୟାହ୍ନରେ ସଫଳତାର ସହିତ ଏହି ପରୀକ୍ଷା କରାଯାଇଥିବା ଡିଆରଡିଓ ପକ୍ଷରୁ କୁହାଯାଇଛି । ବ୍ରହ୍ମୋସର ଆଣ୍ଟି ସିପ୍‌ ଭର୍ସନକୁ ବିଶେଷକରି ସମୁଦ୍ରରେ ଥିବା ଶତୃପକ୍ଷର ଯୁଦ୍ଧ ଜାହାଜକୁ ଧ୍ୱଂସ କରିବାରେ ବ୍ୟବହାର କରାଯାଇ ପାରିବ । ଶବ୍ଦର ବେଗଠାରୁ ୪ ଗୁଣ ଅଧିକ ବେଗରେ ଗତି କରିପାରୁଥିବା ଏହି ବ୍ରହ୍ମୋସ କ୍ଷେପଣାସ୍ତ୍ର ଶତୃ ପକ୍ଷର ଜାହାଜକୁ ୭୦୦ କିଲୋମିଟର ମଧ୍ୟରେ ଟାର୍ଗେଟ୍‌ କରିପାରିବ ।

ଏହି ପରୀକ୍ଷାରେ ପ୍ରଥମଥର ପାଇଁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ରେଡିଓ କମାଣ୍ଡ ଗାଇଡେଡ୍ ସିଷ୍ଟମକୁ ବ୍ୟବହାର କରାଯାଇଥିଲା । ଏହା ବ୍ରହ୍ମୋସ ଭଳି ସୁପରସୋନିକ୍‌ କ୍ଷେପଣାସ୍ତ୍ରକୁ ସଠିକ୍‌ ଭାବେ ସଫଳତାର ସହିତ ଟାର୍ଗେଟକୁ ହିଟ୍‌ କରିପାରିଛି ବୋଲି ପ୍ରତିରକ୍ଷା ବିଭାଗ ତରଫରୁ କୁହାଯାଇଛି । ବ୍ରହ୍ମୋସରେ ୨ଶହରୁ ୩ଶହ କିଲୋଗ୍ରାମ ପର୍ଯ୍ୟନ୍ତ ଉଭୟ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇ ପାରିବ । ଏହାର ଲମ୍ବ ୮.୪ ମିଟର ଥିବାବେଳେ ଏହାର ଓଜନ ୩ ହଜାର କିଲୋଗ୍ରାମ ରହିଛି ।

ମାଟ୍ରିକ ପରୀକ୍ଷା ଦେଲେ ଫୁଲବାଣୀ ବିଧାୟକ ଅଙ୍ଗଦ କୁମାର କହଁର

ଫୁଲବାଣୀ: ମାଟ୍ରିକ ପରୀକ୍ଷା ଦେଲେ ବିଧାୟକ । ଦେହରେ ଧଳାରଙ୍ଗର ସ୍କୁଲ ସାର୍ଟ । ପକେଟରେ ପେନ୍ । ସକାଳ ଜଳଖିଆ କରି ଯାଇ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର । ଏହାକୁ ନେଇ ଫୁଲବାଣୀରେ ଚର୍ଚ୍ଚା ଜୋର ଧରିଛି । ବିଧାୟକ ପୂର୍ବରୁ ଦଶମ ପଢ଼ୁଥିବାବେଳେ ପାରିବାରିକ ସମସ୍ୟାରୁ ସେତେବେଳେ ମାଟ୍ରିକ ପରୀକ୍ଷା ଦେଇପାରି ନଥିଲେ । ଏହା ପରେ ରାଜନୈତିକ ବ୍ୟସ୍ତତା କାରଣରୁ ସମୟ ବାହାର କରି ପାରି ନଥିଲେ ବିଧାୟକ । ବିଭିନ୍ନ ଗଣମାଧ୍ୟମରେ ବୟସ୍କ ଲୋକମାନେ ପରୀକ୍ଷା ଦେଉଥିବା ଦେଖି ଏବଂ ତାଙ୍କର ଘନିଷ୍ଠ ବନ୍ଧୁଙ୍କ ପରାମର୍ଶ ପରେ ବିଧାୟକ ଆଜି ପରୀକ୍ଷା ଦେଇଛନ୍ତି । ଫୁଲବାଣୀ ରୁଜାଙ୍ଗୀ ହାଇସ୍କୁଲରେ ପରୀକ୍ଷା ଦେଇଛନ୍ତି l ଛୋଟ ପିଲାଙ୍କ ସହ ଶ୍ରେଣୀଗୃହରେ ବସି ପରୀକ୍ଷା ଦେଇଛନ୍ତି ବିଧାୟକ ଅଙ୍ଗଦ କୁମାର କୁହଁର ।

ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କ କିଭ୍ ଗସ୍ତ ସମୟରେ ଏୟାର ଷ୍ଟ୍ରାଇକ୍

କିଭ୍: ୟୁକ୍ରେନ ରାଜଧାନୀ କିଭ୍ ଉପରେ ଋଷର ଅଚାନକ ଏୟାରଷ୍ଟ୍ରାଇକ । ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କ କିଭ୍ ଗସ୍ତ ସମୟରେ ଏହି ଏୟାର ଷ୍ଟ୍ରାଇକ ହୋଇଛି । ଗତ ଏପ୍ରିଲ ମଧ୍ୟଭାଗରେ କିବରୁ ଦୂରେଇଥିବା ଋଷର ପୁଣି ଆକ୍ରମଣ ଆଶ୍ଚର୍ଯ୍ୟ କରିଛି । କିଭର ଏକ ସିଟି ସେଣ୍ଟର ଉପରେ ଏହି ଏୟାରଷ୍ଟ୍ରାଇକ ହୋଇଥିବାବେଳେ ୩ଜଣ ଆହତ ହୋଇଥିବା ସୂଚନା ମିଳିଛି । ତେବେ ଏହି ଏୟାରଷ୍ଟ୍ରାଇକରେ ଜାତିସଂଘ ଟିମ୍ ନିରାପଦ ଅଛନ୍ତି ବୋଲି କହିଛନ୍ତି ଜଣେ ମୁଖପାତ୍ର ।

US Airstrikes In Iraq And Syria Target Facilities Used By Iran Backed Militia Groups

କିଭ୍ ମେୟର କହିଛନ୍ତି- ସେଭଚେନକୋଭସ୍କିରେ ଏହି ଏୟାରଷ୍ଟ୍ରାଇକ ହୋଇଛି । ଏହି ଘଟଣାରେ ଗୁଟେରସ ବି ଚିନ୍ତାପ୍ରକଟ କରିଛନ୍ତି । ସେପଟେ ପୋର୍ଟସିଟି ମାରିୟୁପୋଲରେ ନାଗରିକଙ୍କ ଉଦ୍ଧାର ପ୍ରକ୍ରିୟା ଜାରି ରହିଛି ବୋଲି କହିଛନ୍ତି ଗୁଟେରସ । କିବ୍ ଗସ୍ତରେ ଆସିଥିବା ଗୁଟେରସ କହିଛନ୍ତି- ମାରିୟୁପୋଲରେ ଉଦ୍ଧାର କାର୍ଯ୍ୟ ଲାଗି ଜାତିସଂଘ ସମସ୍ତ ପ୍ରଚେଷ୍ଟା ଜାରି ରଖିଛି ।

ସେପଟେ କିବ୍ ଉପରେ ଏୟାର ଷ୍ଟ୍ରାଇକ ଘଟଣାକୁ ନିନ୍ଦା କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । କହିଛନ୍ତି ଋଷର ୫ଟି ରକେଟ ମାଡ଼ ଘଟଣା ଜାତିସଂଘର ଶାନ୍ତି ପ୍ରକ୍ରିୟାକୁ ଏକ ଧକ୍କା । ଯୁଦ୍ଧକୁ ୬୫ ଦିନ ପୂରିଥିବାବେଳେ ପୂର୍ବ ୟୁକ୍ରେନର ଦୋନବାସରେ ଋଷର ଜୋରଦାର ହମଲା ହୋଇଛି । ତେଣେ ମାରିୟୁପୋଲର ଆଜଭୋସ୍ତଲ ଷ୍ଟିଲପ୍ଲାଣ୍ଟରେ ଏବେ ବି ୟୁକ୍ରେନୀୟ ସୈନ୍ୟ ରହି ସଂଘର୍ଷ କରୁଥିବା ସୂଚନା ମିଳିଛି ।

ଦେଶରେ ପୁଣି କାୟା ମେଲାଇଛି ସଂକ୍ରମଣ, ୨୪ ଘଣ୍ଟାରେ ୩୩୭୭ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଉପର ମୁହାଁ କରୋନା ଗ୍ରାଫ୍ । ଦେଶରେ ପୁଣି କାୟା ମେଲାଇଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କରୋନା ଜନିତ  ମୃତ୍ୟୁସଂଖ୍ୟା ମଧ୍ୟ ବଢିଛି । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ପରେ ଦୁଇ ହଜାର ତଳକୁ ଖସିବା ପରେ ପୁଣି ବଢିଛି।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୩ ହଜାର ୩୭୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । । ୬୦ ଜଣ ସଂକ୍ରମିତଙ୍କ ଜୀବନ ଯାଇଛି । ଏବେସୁଦ୍ଧା ଦେଶରେ ପ୍ରାୟ ୪ କୋଟି ୩୦ ଲକ୍ଷ ୭୨ ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ୧୭୮୦୧ ସକ୍ରିୟ ମାମଲା ରହିଛି ଏବଂ ପ୍ରାୟ ୪ କୋଟି ୨୫ ଲକ୍ଷ ୩୦ ହଜାର ୬୨୨ ଜଣ ସୁସ୍ଥ ହୋଇ ଫେରିଛନ୍ତି ।

 

କଂଗ୍ରେସ ଦଳ ସମ୍ପର୍କରେ ବଡ଼ ବୟାନ ଦେଲେ ରଣନୀତିଜ୍ଞ ପ୍ରଶାନ୍ତ କିଶୋର, ଆଉ କହିଲେ…

ନୂଆଦିଲ୍ଲୀ: କଂଗ୍ରେସର ପ୍ରସ୍ତାବକୁ ଅଗ୍ରାହ୍ୟ କରିଥିବା ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଦଳ ସମ୍ପର୍କରେ ବଡ଼ ବୟାନ ଦେଇଛନ୍ତି । କଂଗ୍ରେସ ନିଜକୁ ନିଜେ ସଜାଡ଼ିବା ସହ ପୁଣି ଶକ୍ତିଶାଳୀ ହେବାକୁ କ୍ଷମତା ରଖିଛି । ଦଳକୁ ସଜାଡ଼ିବା ପାଇଁ ପ୍ରଶାନ୍ତ କିଶୋର କିମ୍ବା ଅନ୍ୟ କୌଣସି ଲୋକର ଆବଶ୍ୟକତା ନାହିଁ । ଦଳର ଭବିଷ୍ୟତ ଯୋଜନା ପାଇଁ କଂଗ୍ରେସ ନେତୃବୃନ୍ଦଙ୍କ ସହ ଏକମତ ହୋଇଥିଲୁ ବୋଲି କହିଛନ୍ତି ପ୍ରଶାନ୍ତ । ଯାହାକୁ ସେମାନେ ନିଜେ ମଧ୍ୟ କରିବାକୁ ସକ୍ଷମ ।

ସେମାନଙ୍କ ପାଖରେ ଅନେକ ବଡ଼ବଡ଼ ନେତା ଅଛନ୍ତି । ମୋର କୌଣସି ଆବଶ୍ୟକତା ନାହିଁ । ସେମାନେ ମୋତେ ଦଳରେ ମିଶିବାକୁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ମୁଁ ଏହାକୁ ବେଶ ବିନମ୍ରତାର ସହ ମନା କରିଦେଇଛି ବୋଲି ପିକେ କହିଛନ୍ତି । ୨୦୧୪ ପରେ ଦଳ ନିଜର ଭବିଷ୍ୟତ ଯୋଜନାକୁ ନେଇ ଏପରି ଗଠନମୂଳକ ଆଲୋଚନା ହୋଇଛି । କଂଗ୍ରେସ ପ୍ରସ୍ତାବକୁ ପିକେ ଅଗ୍ରାହ୍ୟ କରିବା ପରେ ଅନେକ ଚର୍ଚ୍ଚା ହୋଇଥିଲା । ପ୍ରିୟଙ୍କା ଗାନ୍ଧି କଂଗ୍ରେସର ମୁଖିଆ ହୁଅନ୍ତୁ ବୋଲି ପିକେ ଚାହୁଁଥିଲେ । ହେଲେ ଏହାକୁ ଦଳୀୟ ନେତାମାନେ ଅଗ୍ରାହ୍ୟ କରିବାରୁ ପିକେ କଂଗ୍ରେସ ପ୍ରସ୍ତାବରେ ରାଜି ହୋଇ ନଥିବା ଚର୍ଚ୍ଚା ହେଉଥିଲା ।

ବିଜେବି ପରେ ରାଜଧାନୀ କଲେଜରୁ ୬ ଜଣ ନକଲି ଭିନ୍ନକ୍ଷମ ଛାତ୍ର ଚିହ୍ନଟ

ଭୁବନେଶ୍ୱର: ବିଜେବି କଲେଜ ପରେ ରାଜଧାନୀ କଲେଜରୁ ଚିହ୍ନଟ ହେଲେ ନକଲି ଭିନ୍ନକ୍ଷମ ଛାତ୍ର । ୬ ଜଣ ନକଲି ଭିନ୍ନକ୍ଷମ ଛାତ୍ର ରାଜଧାନୀ କଲେଜରେ ଚିହ୍ନଟ ହୋଇଛନ୍ତି । କଟକ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦ୍ୱାରା ନକଲି ଛାତ୍ର ଚିହ୍ନଟ ହୋଇଥିବା ଜଣାପଡ଼ିଛି । ସରକାର ଗାଇଡଲାଇନ ଅନୁସାରେ ସେମାନଙ୍କ ଆଡମିଶନ ରଦ୍ଦ କରାଯିବ । ମୋଟ୍ ୨୭ ଜଣ ଭିନ୍ନକ୍ଷମ ସାର୍ଟିଫିକେଟ୍ ଥିବା ଛାତ୍ରଛାତ୍ରୀ ଥିବା ବେଳେ ଯାଞ୍ଚ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ପଠାଯାଇଥିଲା । ୨୭ ମଧ୍ୟରୁ ୬ଟି ନକଲି ଭିନ୍ନକ୍ଷମ ସାର୍ଟିଫିକେଟ୍ ଥିବା ଛାତ୍ର ଚିହ୍ନଟ ହୋଇଛନ୍ତି । ନୟାଗଡ଼ରୁ ୩, ଖୋର୍ଦ୍ଧା ୨, କଟକରୁ ଜଣେ ଛାତ୍ରଙ୍କର ନକଲି ଭିନ୍ନକ୍ଷମ ପ୍ରମାଣ ପତ୍ର ଥିବା ସ୍ପଷ୍ଟ ହୋଇଛି । ଏମାନେ ସମସ୍ତେ ପ୍ରଥମ ବର୍ଷର ଛାତ୍ର । ନକଲି ଛାତ୍ର ଚିହ୍ନଟ ହେବା ପରେ ରାଜଧାନୀ କଲେଜ ଅଧ୍ୟକ୍ଷ ଖଣ୍ଡଗିରି ଥାନାରେ ଏନେଇ ଲିଖିତ ଏତଲା ଦେଇଛନ୍ତି ।

ସରିଲା ପ୍ରଥମ ଦିନର ମାଟ୍ରିକ ପରୀକ୍ଷା, ପରୀକ୍ଷା କେନ୍ଦ୍ର ବୁଲି ସ୍ଥିତି ସମୀକ୍ଷା କଲେ ବିଭାଗୀୟ ମନ୍ତ୍ରୀ

ଭୁବନେଶ୍ୱର: ଭଲରେ ସରିଲା ପ୍ରଥମ ଦିନ ପରୀକ୍ଷା । ସମେଟିଭ୍-୨ ମାଟ୍ରିକ, ମଧ୍ୟମା ଓ ଓପନ୍ ସ୍କୁଲ ପରୀକ୍ଷା । ସକାଳ ୮ରୁ ଆରମ୍ଭ ହୋଇ ୧୦ଟାରେ ସରିଛି ପରୀକ୍ଷା । ୩ ହଜାର ୫୪୦ଟି କେନ୍ଦ୍ରରେ ମୋଟ ୫ ଲକ୍ଷ ୮୫ ହଜାର ୭୩୦ ଜଣ ପରିକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ସେଥିରୁ ୩୨୦୩ ପରୀକ୍ଷା କେନ୍ଦ୍ରରେ ୫ ଲକ୍ଷ ୭୧ ହଜାର ୯୦୯ ଜଣ ପରିକ୍ଷାର୍ଥୀ ସମେଟିଭ୍-୨ ପରୀକ୍ଷା ଦେଇଛନ୍ତି । ୯୩୭୮ ଜଣ ଓପନ୍ ସ୍କୁଲରେ ଓ ୪ ହଜାର ୪୪୩ ଜଣ ପରିକ୍ଷାର୍ଥୀ ମଧ୍ୟମା ପରୀକ୍ଷା ଦେଇଛନ୍ତି । ପରୀକ୍ଷା କିପରି ଚାଲିଛି ଏକ୍ସାମ୍ ହଲ୍‌ରେ ଯାଇ ସ୍ଥିତି ପରଖିଥିଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ପରୀକ୍ଷା ଭଲରେ ଭଲରେ ହୋଇଛି । ପିଲା ଚାପମୁକ୍ତ ହୋଇ ପରୀକ୍ଷା ଦେଉଥିବା ମନ୍ତ୍ରୀ କହିଛନ୍ତି । ଖରା ଯୋଗୁ ପ୍ରତିଦିନ ଗୋଟିଏ ଲେଖାଏଁ ପେପର ଏକ୍ସମ ହେବାକୁ ସିଡ୍ୟୁଲ ହୋଇଛି । ସୁପରିଚାଳନା ପାଇଁ ରାଜ୍ୟରେ ମୋଟ ୩୧୫ଟି ନୋଡାଲ ସେଣ୍ଟର ହୋଇଛି । ପରୀକ୍ଷାକୁ ଶୃଙ୍ଖଳିତ ଓ କପିଶୂନ୍ୟ କରିବା ପାଇଁ ୬୫ଟି ଫ୍ଲାଇଂ ସ୍କ୍ୱାର୍ଡ ଓ ୩୮ଟି ସ୍ପେଶାଲ ସ୍କ୍ବାଡ୍‌ ଗଠନ କରାଯାଇଛି । ପରୀକ୍ଷା ପ୍ରଶ୍ନ ପତ୍ର ଓ ଉତ୍ତର ଖାତା ରଖିବା ପାଇଁ ସାରା ରାଜ୍ୟରେ ୩୧୫ଟି ନୋଡାଲ ସେଣ୍ଟର ରହିଛି । ସୁରୁଖୁରୁରେ ଏକ୍ସାମ ଚାଲିଥିବା କହିଛନ୍ତି ବୋର୍ଡ ସଭାପତି ରାମାଶିଷ ହାଜରା ।

ବୁର୍ଲା ଭୀମସାରରେ ସୁରକ୍ଷାକର୍ମୀଙ୍କ ଦବଙ୍ଗଗିରି, ଅଟୋ ଚାଳକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ

ବୁର୍ଲା: ବୁର୍ଲା ଭୀମସାରରେ ନିୟୋଜିତ ସୁରକ୍ଷାକର୍ମୀଙ୍କ ଦବଙ୍ଗଗିରି । ଅଟୋଚାଳକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ସୁରକ୍ଷାକର୍ମୀ । ଗୁରୁତର ରୋଗୀଙ୍କୁ ମେଡିକାଲ ଭିତରକୁ ନେଉଥିବା ବେଳେ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ସୁରକ୍ଷାକର୍ମୀ ଅଟୋଚାଳକଙ୍କୁ ଥାର୍ଡ ଡିଗ୍ରୀ ଦେଇଛନ୍ତି । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ପ୍ରାୟ ୨୦ ରୁ ୩୦ ଜଣ ସୁରକ୍ଷାକର୍ମୀ ଆଇନକୁ ହାତକୁ ନେଇ ଜଣେ ଅଟୋଚାଳକଙ୍କୁ ଲାତ, ଗୋଇଠା ମାରୁଥିବା ଦେଖିବାକୁ ମିଳିଛି । ସୁରକ୍ଷାକର୍ମୀଙ୍କ ଏଭଳି ଉନ୍ମତକାଣ୍ଡରେ ଉପସ୍ଥିତ ସମସ୍ତ ରୋଗୀ ପରିଜନ ଭୟଭୀତ ହୋଇପଡ଼ିଥିଲେ । ତେବେ ଅଟୋ ଚାଳକଙ୍କୁ ନିର୍ଦ୍ଧୁମ ମାଡ଼ ମାରିଥିବା ସୁରକ୍ଷାକର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି ।