କେନ୍ଦ୍ରାପଡ଼ା: ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡ଼ା ସଦର ଥାନା ଏଏସଆଇ । ଲାଞ୍ଚ ନେବାବେଳେ ଭିଜିଲାନ୍ସ ପଞ୍ଝାରେ ଏଏସଆଇ ପୃଥ୍ୱୀରାଜ ମିଶ୍ର । ଏକ ମାଡ଼ପିଟ ଘଟଣାର ଫାଇନାଲ ଚାର୍ଜସିଟ ଦେବା ପାଇଁ ୭ ହଜାର ଲାଞ୍ଚ ନେଉଥିବା ସମୟରେ ଧରିଛି ଭିଜିଲାନ୍ସ । ସଦର ଥାନା ଅନ୍ତର୍ଗତ କୋରୁଆ ଗ୍ରାମର ମିହିର ଲେଙ୍କାଙ୍କ ନାମରେ ଥିବା ଏକ ମିଛ ମାମଲାର ଦଫା କମ୍ କରିବା ପାଇଁ ଲାଞ୍ଚ ନେଉଥିଲେ ASI । ୩୦୭ ଦଫାକୁ କାଟି ୧୦୭ କରିବା ପାଇଁ ୧୦ ହଜାର ଟଙ୍କା ଦାବି କରିଥିଲେ ପୃଥ୍ୱୀରାଜ ମିଶ୍ର । ପ୍ରଥମ ପର୍ଯ୍ୟାୟରେ ୩ ହଜାର ଟଙ୍କା ନେଇଥିବା ବେଳେ ଆଜି ଅବଶିଷ୍ଟ ୭ ହଜାର ଟଙ୍କା ନେଉଥିବାବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଏହାପରେ ASI ପୃଥ୍ବୀରାଜ ମିଶ୍ରଙ୍କ କ୍ବାର୍ଟର୍ସରେ ରେଡ୍ କରିଛି ଭିଜିଲାନ୍ସ ବିଭାଗ । କ୍ୱାର୍ଟର୍ସରୁ ଏକାଧିକ ଜମି ପଟ୍ଟା, ସୁନା, ଟଙ୍କା, ଆଦି ଜବତ କରାଯାଇଛି । ତାଙ୍କ ନାଁରେ ଭୁବନେଶ୍ବର ଓ ଯାଜପୁରରେ ଏକାଧିକ ପ୍ଲଟ ଥିବା ଜଣାପଡ଼ିଛି ।
ଆଜିଠୁ ଶ୍ରୀମନ୍ଦିରରେ ପଶ୍ଚିମ ଦ୍ୱାର ଦେଇ ଦର୍ଶନ ବ୍ୟବସ୍ଥା, ସିଂହଦ୍ୱାର ସହ ପଶ୍ଚିମ ଦ୍ୱାର ଦେଇ ଦର୍ଶନ କରିବେ ଭକ୍ତ
ପୁରୀ: ଆଜିଠାରୁ ଶ୍ରୀମନ୍ଦିରରେ ପଶ୍ଚିମ ଦ୍ୱାର ଦେଇ ଦର୍ଶନ ବ୍ୟବସ୍ଥା କରାଯାଇଛି । ସିଂହଦ୍ୱାର ସମେତ ପଶ୍ଚିମ ଦ୍ୱାରରେ ମଧ୍ୟ ଭକ୍ତମାନେ ମନ୍ଦିର ଭିତରକୁ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ । ଆଗକୁ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଥିବାରୁ ରଥ ଖଳାରେ ଆସନ୍ତା ଅକ୍ଷୟ ତୃତୀୟାଠାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଏନେଇ ବଡ଼ଦାଣ୍ଡରେ ଲାଗିଥିବା ସେଡ୍ ଗୁଡ଼ିକ ଖୋଲା ଯାଇଛି । ତେଣୁ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାରରେ ଦର୍ଶନ ବ୍ୟବସ୍ଥା କରାଯାଇଛି । ଏଥିସହ ପାନୀୟ ଜଳର ମଧ୍ୟ ବ୍ୟବସ୍ଥା କରାଯାଇଛି । ତେବେ ଦର୍ଶନ ସାରି ଭକ୍ତମାନେ ପଶ୍ଚିମ ଓ ଉତ୍ତର ଦ୍ୱାରରେ ପ୍ରସ୍ଥାନ କରିବାର ବ୍ୟବସ୍ଥା କରାଯାଇଛି । ଏନେଇ ଗତ ଛତିଶା ନିଯୋଗ ଓ ପରିଚାଳନା କମିଟି ବୈଠକରେ ପାରିତ ହୋଇଥିଲା ।
ୟୁକ୍ରେନକୁ ୩୩ ବିଲିୟନ ଡଲାର ସହାୟତା ଘୋଷଣା କଲେ ବାଇଡେନ
କିଭ୍: ୟୁକ୍ରେନ୍କୁ ଆମେରିକାର ହୃଦୟ ଖୋଲା ସମର୍ଥନ । ଋଷର ଆକ୍ରମଣ ପରେ ୟୁକ୍ରେନ ନିଜକୁ କେମିତି ସଶକ୍ତ କରିବ ସେଥିପାଇଁ ଆମେରିକା ସବୁବେଳେ ସହଯୋଗ କରିଆସୁଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ୟୁକ୍ରେନ୍କୁ ୩୩ ବିଲିୟନ ଡଲାରର ସହାୟତା ଘୋଷଣା କରିଛନ୍ତି ।

ଏଥିରେ ୨୦ ବିଲିୟନ ଡଲାର ୟୁକ୍ରେନ୍ ସେନା, ୮.୫ ବିଲିୟନ ଡଲାର ଆର୍ଥିକ ସ୍ଥିତିକୁ ମଜଭୁତ କରିବା ଏବଂ ତିନି ବିଲିୟନ ଡଲାର ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଖର୍ଚ୍ଚ ହେବ । ଦଳ ଗତ ନିର୍ବିଶେଷ ୟୁକ୍ରେନ୍କୁ ସହାୟତା କରିବା ପାଇଁ ଆଗେଇ ଆସିବାକୁ ବାଇଡେନ୍ ଆମେରିକାର ସିନେଟରେ ଉଦବୋଧନ ଦେଇଛନ୍ତି । ୟୁକ୍ରେନ୍କୁ ଆମେରିକା ସବୁ ପ୍ରକାର ସହାୟତା ଦେଉଥିବା ବେଳେ ଆମେରିକା ଋଷ୍ ଉପରେ କାହିଁକି ଆକ୍ରମଣ କରୁନାହିଁ ବୋଲି ପ୍ରଶ୍ନ ଉଠୁଛି ।

ସେପଟେ, ଋଷ୍ରେ ଆକ୍ରମଣ କଲେ ଯୁଦ୍ଧ ଆହୁରି ଭୟାନକ ହେବ ବୋଲି ଆମେରିକାର ଜଣେ ସାଂସଦ କହିଛନ୍ତି । ଆଉ ପ୍ରତିବଦଳରେ ୟୁକ୍ରେନ୍କୁ ଋଷ୍ର ସମକକ୍ଷ କରିବା ପାଇଁ ଚେଷ୍ଟା କରାଯାଉଛି । ଏହାଦ୍ବାରା ଆଗକୁ ଋଷ୍ ସହ କଡାକଡ଼ି ଭାବେ ମୁକାବିଲା କରିପାରିବ ୟୁକ୍ରେନ୍ । ଆଗକୁ ମଧ୍ୟ ଆର୍ଥିକ ସହାୟତା ଜାରି ରହିବ ବୋଲି ଆମେରିକା କହିଛି ।
ଅଭ୍ୟାସଗତ ଅମାନିଆ ଅପରାଜିତା ନିଜ ଦଳରେ ଏକଘରକିଆ
ଭୁବନେଶ୍ବର: ମାଡାମ ଅପରାଜିତାଙ୍କ ଏକଲା ଚଲୋ ନୀତିକୁ ଲାଗିଛି ଧକ୍କା । ଶ୍ରୀମନ୍ଦିରକୁ ନେଇ ରାଜନୀତି ମହଙ୍ଗା ପଡିଛି । ହାତ ଛାଡିଦେଲା ଦଳ । ଯେଉଁ ଦଳରୁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି, ସେହି ବିଜେପି ନେତାମାନେ ମହାପ୍ରଭୁଙ୍କ ସୁରକ୍ଷା ନାଁରେ ବିକାଶ ବିରୋଧୀ ରାଜନୀତି ପାଇଁ ଅପରାଜିତାଙ୍କୁ ସମାଲୋଚନା କରିଛନ୍ତି । ଓଡ଼ିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିରୋଧରେ କୌଣସି କଥା ସହ୍ୟ କରାଯିବ ନାହିଁ । ଯେ କୌଣସି ପରିସ୍ଥିତିରେ ଓଡ଼ିଆଙ୍କ ଅସ୍ମିତା ସହ ସାଲିସ କରାଯିବ ନାହିଁ ବୋଲି ବିଜେପି ସ୍ପଷ୍ଟ କରିଛି । ଖୋଦ ପୁରୀ ବିଧାୟକ ମଧ୍ୟ ବିକାଶକୁ ସମର୍ଥନ କରିଛନ୍ତି ।
ପଦଯାତ୍ରା ପଲିଟିକ୍ସ ପାଇଁ ବିଜେପି ସାଂସଦ ଅପରାଜିତା ଏବେ ଏକଘରକିଆ । ଶ୍ରୀମନ୍ଦିର ସୁରକ୍ଷା ନାଁରେ ଅପରାଜିତାଙ୍କ ପତିଆରା ରାଜନୀତିକୁ ବିଜେପି କରିଛି ସମାଲୋଚନା । ସାଂସଦଙ୍କ ବିକାଶ ବିରୋଧୀ ଆଭିମୁଖ୍ୟକୁ ଲାଗିଛି ଝଟକା ।
ଜଣେ ଅଣ ଓଡ଼ିଆଙ୍କୁ ନିର୍ବାଚିତ କରି ସଂସଦକୁ ପଠାଇବା ଆମ ଶିଷ୍ଟାଚାର ବୋଲି ବିଜେପି ମୁଖପାତ୍ର ସୋନାଲି ସାହୁ କହିଛନ୍ତି । ଏହାସହ ସେ ଆହୁରି କହିଛନ୍ତି, ‘ଜଗନ୍ନାଥଙ୍କୁ ନେଇ ଟୀକା ଟିପ୍ପଣୀ ଓଡ଼ିଆଙ୍କୁ ବାଧୁଛି । ଓଡ଼ିଆ ଜାତିର ପରିଚୟ ହେଉଛନ୍ତି ଜଗନ୍ନାଥ ମହାପ୍ରଭୁ । ଯେ କୌଣସି ସ୍ଥିତିରେ ଓଡ଼ିଆଙ୍କ ଅସ୍ମିତା ସହ ସାଲିସ କରାଯିବ ନାହିଁ ।’ କେବଳ ସୋନାଲି ନୁହଁନ୍ତି, ପୁରୀର ବିଜେପି ବିଧାୟକ ମଧ୍ୟ ଶ୍ରୀଜଗନ୍ନାଥଙ୍କ ନାଁରେ ରାଜନୀତିକୁ ଗ୍ରହଣ କରିପାରିନାହାଁନ୍ତି । ବିକାଶ କାମକୁ କେହି ବି ବିରୋଧ କରିପାରିବେ ନାହିଁ । ଏଥିପାଇଁ ପୁରୀବାସୀ ଅନେକ ତ୍ୟାଗ ଓ ବଳିଦାନ ଦେଇଥିବା ସେ କହିଛନ୍ତି ।
ସେପଟେ ଅପରାଜିତାଙ୍କ ପଦଯାତ୍ରାକୁ ନେଇ ପୁରୀବାସୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା କ୍ଷୋଭ ଏଯାଏଁ ପ୍ରଶମିତ ହୋଇନି । ଗତକାଲି ଅପରାଜିତାଙ୍କ ବିରୋଧରେ ଏତଲା ହୋଇଥିବା ବେଳେ ଆଜି କାର୍ଯ୍ୟାନୁଷ୍ଠାନ ପାଇଁ ଅଡ଼ି ବସିଛନ୍ତି ସେବାୟତ ।
ଅପରାଜିତାଙ୍କ ତୁଚ୍ଛା ରାଜନୀତିକୁ ସମାଲୋଚନା କରିଛି ଶାସକ ବିଜେଡି । ଅଭ୍ୟାସଗତ ଆଇନ ଉଲ୍ଲଙ୍ଘନକାରୀ ଭାବେ ଜଣାଶୁଣା ଅପରାଜିତା ଓଡ଼ିଆଙ୍କ ଠାକୁର ଜଗନ୍ନାଥଙ୍କୁ ନେଇ ରାଜନୀତି କରିବା ଦୁର୍ଭାଗ୍ୟଜନକ । ନିଜ ଦଳରେ ନିଜର ଅସ୍ତିତ୍ବ ହରାଇଥିବା ଅପରାଜିତା ନିଜ ସ୍ଥିତି ଜାହିର କରିବାକୁ ଶୋ’ବାଜି କରୁଛନ୍ତି ବୋଲି କହିଛନ୍ତି ବରିଷ୍ଠ ବିଧାୟକ ପ୍ରମିଳା ମଲ୍ଲିକ । ସେବାୟତ, ବୁଦ୍ଧିଜିବୀ, ପୁରୀ ବାସିନ୍ଦା, ପ୍ରଶାସନ, ଗଜପତି ସମେସ୍ତ ଏହାକୁ ସମର୍ଥନ କରୁଥିବା ବେଳେ ଏକୁଟିଆ ଅପରାଜିତା ନିଜ ପ୍ରଚାର ପାଇଁ ଏଭଳି କରୁଛନ୍ତି । ରାଜନୀତିକୁ ନୂଆ ଆସିଛନ୍ତି, ଏଭଳି ଶୋ’ ବାଜି କଲେ ତିଷ୍ଠି ପାରିବେନି ବୋଲି ପ୍ରମିଳା କହିଛନ୍ତି । ଜଗନ୍ନାଥ ପୀଠର ବିକାଶ କାର୍ଯ୍ୟରେ ରାଜନୀତି କରିବା ଗ୍ରହଣୀୟ ନୁହେଁ ଏବଂ ଏହାକୁ ନେଇ ମିଛ ପ୍ରଚାର କରିବା ଅନୁଚିତ ବୋଲି ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି ।
ଶ୍ରୀଜଗନ୍ନାଥଙ୍କ ନାଁରେ ରାଜନୀତି କରି ନିଜ ଚକ୍ରବ୍ୟୂହରେ ଫସିଗଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ରାଜନୈତିକ ଫାଇଦା ଚକ୍କରରେ ଅପରାଜିତାଙ୍କ ଅସହିଷ୍ଣୁ ରାଜନୀତି ପାଇଁ ଏବେ ସବୁଆଡ଼ୁ ସମାଲୋଚନାର ଶିକାର ହୋଇଛନ୍ତି ବିଜେପି ସାଂସଦ ।
ଆସନ୍ତାକାଲିଠାରୁ ୫ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଆସନ୍ତାକାଲିଠୁ ପାଞ୍ଚ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ବିଚାରପତି ସମ୍ମିଳନୀରେ ଯୋଗଦେବା ପାଇଁ ଦିଲ୍ଲୀ ଯାଉଛନ୍ତି ନବୀନ । ଗସ୍ତକାଳରେ ରାଜ୍ୟ ସ୍ବାର୍ଥ ନେଇ କେନ୍ଦ୍ର ସହ ଆଲୋଚନା କରିପାରନ୍ତି । ୩ ତାରିଖ ମଙ୍ଗଳବାର ଦିନ ଦିଲ୍ଲୀରୁ ଫେରିବେ ମୁଖ୍ୟମନ୍ତ୍ରୀ ।
ଦେଶଠୁ ରାଜ୍ୟ ସବୁଠି ଆକାଶରୁ ଖସୁଛି ନିଆଁ ହୁଳା
ଭୁବନେଶ୍ବର: ତାତି ନେଉଛି ଅଗ୍ନି ପରୀକ୍ଷା । ସାରା ଦେଶରେ ଗରମର ଟର୍ଚ୍ଚର । ହଟ୍ ଲିଷ୍ଟରେ ୫ ରାଜ୍ୟ । ରାଜସ୍ଥାନ, ଦିଲ୍ଲୀ, ହରିଆଣା, ଉତ୍ତରପ୍ରଦେଶ, ଓଡ଼ିଶାକୁ ହିଟ୍ଓ୍ବେଭ୍ ଆଲର୍ଟ । ଆସନ୍ତା ୩ ଦିନ ଭିତରେ ଭାଙ୍ଗିପାରେ ୬୪ ବର୍ଷର ରେକର୍ଡ । ଦେଶର ଉତ୍ତର ପଶ୍ଚିମ ଅଞ୍ଚଳରେ ତାପମାତ୍ରା ୨ ଡିଗ୍ରୀ ବଢିବା ନେଇ ଆଇଏମଡି ପୂର୍ବାନୁମାନ କରିଛି । ଏହାପରେ ଦୁଇଦିନ ଯାଏଁ କମିବ ତାପମାତ୍ରା । ରାଜସ୍ଥାନ, ଦିଲ୍ଲୀ, ହରିଆଣା, ଉତ୍ତରପ୍ରଦେଶ, ଓଡ଼ିଶାର ବିଭିନ୍ନ ସ୍ଥାନରେ ୪୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବାରୁ ହିଟଓ୍ବେଭ୍ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ମେ’ ପ୍ରଥମ ସପ୍ତାହରୁ ବଦଳିବ ପାଣିପାଗ । ବର୍ଷା ହେବା ସହ ତାପମାତ୍ରା କମିପାରେ ।
ଓଡ଼ିଶାରେ ବି ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଆସନ୍ତା ପହିଲା ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପାରଦ ୪୦ରୁ ୪୫ ଡିଗ୍ରୀ ମଧ୍ୟରେ ରହିବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ୧୧ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବିଶେଷ କରି ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ, ଅନୁଗୁଳ, ଝାରସୁଗୁଡା, ସମ୍ବଲପୁର, ବରଗଡ, ସୋନପୁର, ବୌଦ୍ଧ ଏବଂ ବଲାଙ୍ଗିରକୁ ସତର୍କତା ଜାରି କରାଯାଇଛି । ତିନି ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ବୋଲି ଆକଳନ କରାଯାଇଛି ।
ଆଇଏମ୍ଡିର ସତର୍କତା ପରେ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି ଏସ୍ଆରସି । ଅଂଶୁଘାତରୁ ବର୍ତ୍ତିବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ସହ ଲୋକଙ୍କୁ ସଚେତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଆରମ୍ଭ ହେଲା ଯୁକ୍ତଦୁଇ ପରୀକ୍ଷା, କାଲିଠୁ ମାଟ୍ରିକ ପରୀକ୍ଷା
ଭୁବନେଶ୍ବର: ଆରମ୍ଭ ହେଲା ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା । ପ୍ରଥମ ଦିନରେ ମାତୃଭାଷା ବିଷୟରେ ପରୀକ୍ଷା ଦେଇଛନ୍ତି କଳା ଓ ବାଣିଜ୍ୟ ଛାତ୍ରଛାତ୍ରୀ । ସକାଳ ୯ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ହୋଇଥିବା ବେଳେ ସାଢେ ୮ଟା ସମୟରେ ପିଲାଙ୍କୁ କେନ୍ଦ୍ରକୁ ଛଡା ଯାଇଥିଲା । ୮ଟା ୫୦ମିନିଟରେ ପ୍ରଶ୍ନପତ୍ର ଓ ୮ଟା ୫୫ମିନିଟରେ ଉତ୍ତର ଖାତା ଦିଆଯାଇଥିଲା । ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ନୋଡାଲ ସେଣ୍ଟରରେ କଡା ସୁରକ୍ଷା ଭିତରେ ଥିବା ପ୍ରଶ୍ନପତ୍ରଗୁଡିକୁ ବିଭିନ୍ନ କେନ୍ଦ୍ରକୁ ପଠାଯାଇଥିଲା । ସେପଟେ ହିଟଓ୍ବେଭ ଓ କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ପିଲାଙ୍କ ସମସ୍ତ ବନ୍ଦୋବସ୍ତ କରାଯାଇଛି ।
ସେପଟେ ଆସନ୍ତାକାଲିଠାରୁ ରାଜ୍ୟରେ ଆରମ୍ଭ ହେବ ସମେଟିଭ୍-୨ ମାଟ୍ରିକ, ମଧ୍ୟମା ଓ ଓପନ୍ ସ୍କୁଲ ପରୀକ୍ଷା । ୩୫୪୦ଟି କେନ୍ଦ୍ରରେ ମୋଟ ୫ ଲକ୍ଷ ୮୫ ହଜାର ୭୩୦ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ସେଥିରୁ ୩୨୦୩ ପରୀକ୍ଷା କେନ୍ଦ୍ରରେ ୫ ଲକ୍ଷ ୭୧ ହଜାର ୯୦୯ ଜଣ ପରୀକ୍ଷାର୍ଥୀ ସମେଟିଭ୍-୨ ପରୀକ୍ଷା ଦେବେ । ୯୩୭୮ ଜଣ ଓପନ୍ ସ୍କୁଲରେ ଓ ୪୪୪୩ ଜଣ ପରୀକ୍ଷାର୍ଥୀ ମଧ୍ୟମା ପରୀକ୍ଷା ଦେବେ । ପରୀକ୍ଷା ସୁପରିଚାଳନା ରାଜ୍ୟରେ ମୋଟ ୩୧୫ଟି ନୋଡାଲ ସେଣ୍ଟର କରାଯାଇଛି । ପରୀକ୍ଷାକୁ ଶୃଙ୍ଖଳିତ ଓ କପିଶୂନ୍ୟ କରିବା ପାଇଁ ୬୫ଟି ଫ୍ଲାଇଙ୍ଗ ସ୍କ୍ବାର୍ଡ ଓ ୩୮ଟି ସ୍ପେଶାଲ ସ୍କ୍ବାର୍ଡ ଗଠନ କରାଯାଇଛି ।
ମାଟ୍ରିକ ପରୀକ୍ଷା ମୋଟ ୮୦ ମାର୍କର ହେବାକୁ ଥିବା ବେଳେ ସେଥିମଧ୍ୟରୁ ୫୦ ମାର୍କ ଅବଜେକ୍ଟିଭ ଓ ୩୦ ମାର୍କ ସବଜେକ୍ଟିଭ ରହିବ ।


