ନୂଆଦିଲ୍ଲୀ: ଦେଶରେ ବଢି ଚାଲିଛି ଦୈନିକ କରୋନା ସଂକ୍ରମଣ ମାମଲା । ଲଗାତର ତୃତୀୟ ଦିନ ଧରି ଦୈନିକ ସଂକ୍ରମଣ ମାମଲା ୮ ହଜାର ଟପିଛି । ଗତ ୨୪ ଘଣ୍ଟାରେ ରିପୋର୍ଟ ହୋଇଛି ୮ ହଜାର ୮୪ଟି ନୂଆ ମାମଲା । ନୂଆ ମାମଲା ସହ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪ କୋଟି ୩୨ ଲକ୍ଷ ୩୦ ହଜାର ୧୦୧କୁ ବୃଦ୍ଧି ପାଇଛି । ଏଥିସହିତ ଦେଶରେ ଚାରି ମାସ ପରେ ସଂକ୍ରମଣର ଦୈନିକ ହାର ତିନି ପ୍ରତିଶତ ଟପିଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ ଦୈନିକ ସଂକ୍ରମଣ ହାର ୩ ଦଶମିକ ୨୪ ପ୍ରତିଶତ ଥିବାବେଳେ ସାପ୍ତାହିକ ସଂକ୍ରମଣ ହାର ୨ ଦଶମିକ ୨୧ ପ୍ରତିଶତ ରହିଛି । ଗତ ସପ୍ତାହକ ମଧ୍ୟରେ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ୫୦ ହଜାର ଟପିଛି । ମହାରାଷ୍ଟ୍ର, କର୍ଣ୍ଣାଟକ ଓ କେରଳରେ ପୁଣି ବଢୁଛି ସଂକ୍ରମଣ ।
ବିଧାୟିକା ଭାବେ ଶପଥ ନେବେ ଅଳକା ମହାନ୍ତି
ବ୍ରଜରାଜନଗର: ବିଧାୟିକା ଭାବେ ଆଜି ଶପଥ ନେବେ ଅଳକା ମହାନ୍ତି । ଅପରାହ୍ନରେ ସେ ବ୍ରଜରାଜନଗର ନବ ନିର୍ବାଚିତ ବିଧାୟିକା ଭାବେ ଶପଥ ନେବେ । ନୂଆ ବାଚସ୍ପତି ବିକ୍ରମ କେଶରୀ ଆରୁଖ ତାଙ୍କୁ ଶପଥ ପାଠ କରାଇବେ । ବ୍ରଜରାଜନଗର ଉପନିର୍ବାଚନରେ ବିଜେଡିର ବୃହତ ବିଜୟ ହୋଇଥିଲା । ନବୀନଙ୍କ ସ୍ବାଭିମାନକୁ ବ୍ରଜନଗରବାସୀ ମାରିଥିଲେ ମୋହର । ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ବିପୁଳ ଭୋଟରେ ବିଜୟୀ ହୋଇଥିଲେ । ନିକଟତମ କଂଗ୍ରେସ ପ୍ରତିଯୋଗୀ କିଶୋର ପଟେଲଙ୍କୁ ହରାଇଥିଲେ ଅଳକା । ସ୍ବାମୀ ତଥା ପୂର୍ବତନ ବିଧାୟକ କିଶୋର ମହାନ୍ତିଙ୍କ ବିୟୋଗରେ ବ୍ରଜରାଜନଗରରେ ହୋଇଥିଲା ଉପନିର୍ବାଚନ ।
ଏଠାରେ ଆମେ କହିରଖିବାକୁ ଚାହୁଁଛୁ ଯେ, ବ୍ରଜରାଜନଗର ଉପନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଥିଲେ ଅଳକା ମହାନ୍ତି । ବଡ଼଼ ବ୍ୟବଧାନରେ ୬୬ ହଜାର ୧୨୨ ଭୋଟରେ ବିଜୟୀ ହୋଇଥିଲେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି । କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ ଏବଂ ଅଳକାଙ୍କ ମଧ୍ୟରେ ହୋଇଥିଲା କଡ଼ା ଟକ୍କର । ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ତୃତୀୟ ସ୍ଥାନରେ ରହିଥିଲେ ।
ରାହୁଲଙ୍କୁ ଜେରା କରୁଛି ଇଡି, ବରିଷ୍ଠଙ୍କୁ ଉଠାଇ ନେଲା ପୋଲିସ
ନୂଆଦିଲ୍ଲୀ: ନ୍ୟାଶନାଲ ହେରାଲ୍ଡ ଅର୍ଥ ହେରଫେର ମାମଲାରେ ପ୍ରଦର୍ଶନ ନିର୍ଦ୍ଦେଶାଳୟ (ED)ରେ ହାଜର ହୋଇଛନ୍ତି ରାହୁଲ ଗାନ୍ଧୀ । ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଅନ୍ୟାନ୍ୟ ନେତା ଓ କର୍ମୀଙ୍କ ସହ ଇଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ରାହୁଲ । ରାହୁଲଙ୍କୁ ପଚରା ଉଚୁରା ଆରମ୍ଭ କରିଛି ଇଡି । ଯାଞ୍ଚ ଏଜେନ୍ସୀର ୩ ଅଧିକାରୀ ରାହୁଲଙ୍କୁ ଜେରା କରୁଛନ୍ତି । ଏହି ସମସ୍ତ ପ୍ରକ୍ରିୟା ଡେପୁଟି ନିର୍ଦ୍ଦେଶକ ପାହ୍ୟା ଅଫିସରଙ୍କ ତତ୍ତ୍ବାବଧାନରେ ଚାଲିଛି । ଯାହା ବିରୁଦ୍ଧରେ ସମଗ୍ର ଦେଶରେ ପାର୍ଟି ଅଫିସରେ ବିରୋଧ କରୁଛି କଂଗ୍ରେସ ।
Delhi | Rahul Gandhi accompanied by party leader Priyanka Gandhi Vadra arrives at Congress headquarters, ahead of his appearance before Enforcement Directorate in the National Herald case pic.twitter.com/zgL68jSupY
— ANI (@ANI) June 13, 2022
ଶାସକ ବିଜେପି ବିରୋଧୀଙ୍କ ବିରୋଧରେ ପ୍ରତିଶୋଧ ରାଜନୀତି କରୁଛି ବୋଲି କଂଗ୍ରେସ ଅଭିଯୋଗ ଆଣିଛି । ଇଡିର ଅପବ୍ୟବହାର କରି କେନ୍ଦ୍ର ସରକାର ଦଳକୁ ଟାର୍ଗେଟ କରୁଛନ୍ତି । କିନ୍ତୁ ଦଳ ପଛକୁ ହଟିବ ନାହିଁ ବରଂ ଏହା ବିରୁଦ୍ଧରେ ସତ୍ୟାଗ୍ରହ କରିବ ବୋଲି କହିଛି କଂଗ୍ରେସ । ଆଜି ଦଳର ବରିଷ୍ଠ ନେତା ଓ ସାଂସଦଙ୍କ ସହ ମାର୍ଚ୍ଚ କରି ରାହୁଲ ଇଡି ମୁଖ୍ୟାଳୟରେ ପହଞ୍ଚିବା ପାଇଁ ନିଷ୍ପତ୍ତି ନେଇଥିଲା କଂଗ୍ରେସ । କିନ୍ତୁ ଏଥିପାଇଁ ଅନୁମତି ଦେଇନଥିଲା ଦିଲ୍ଲୀ ପୋଲିସ ।
Delhi | Congress leader Rahul Gandhi arrives at the office of the Enforcement Directorate to appear in the National Herald case https://t.co/Sq0kJwL7DA
— ANI (@ANI) June 13, 2022
ଫଳରେ ରାହୁଲ କାର୍ଯ୍ୟକର୍ତ୍ତାଙ୍କ ସହ ପାର୍ଟି ଅଫିସରୁ ପାଦରେ ମାର୍ଚ୍ଚ କରି ଇଡି ଅଫିସ ଯିବା ସମୟରେ ତାଙ୍କୁ ରାସ୍ତାରେ ଅଟକାଇଥିଲା ପୋଲିସ । ସେପଟେ ଇଡି ଅଫିସ ସାମନାରେ ପହଞ୍ଚି ବିରୋଧ କରିଥିଲେ ଦଳୀୟ କର୍ମୀ । ସେଣ୍ଟ୍ରାଲ ଦିଲ୍ଲୀରେ ପ୍ରଦର୍ଶନ କରୁଥିବା କର୍ମୀଙ୍କୁ ଉଠାଇ ନେଇଛି ପୋଲିସ ।
Congress workers stage protest holding placards in support of party leader Rahul Gandhi ahead of his appearance before ED today in the National Herald case.
Visuals from outside AICC headquarters, Delhi pic.twitter.com/jJrzCsRzYx
— ANI (@ANI) June 13, 2022
କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ, କେସି ବେଣୁଗେପାଳ, ଦୀପେନ୍ଦ୍ର ଏସ ହୁଡ୍ଡା ଓ ଅଶୋକ ଗେହଲଟଙ୍କୁ ପୋଲିସ ଉଠାଇ ନେଇଛି । ରାହୁଲଙ୍କୁ ଇଡିର ସମନକୁ ବିରୋଧ କରି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ମଧ୍ୟ ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ, ବରିଷ୍ଠ ନେତା ରଣଦୀପ ସୁରଜେୱାଲା ବିଜେପିକୁ ଟାର୍ଗେଟ କରିଛନ୍ତି ।
ଭାରସାମ୍ୟ ହରାଇ ଓଲଟିଲା ବସ୍ ୫ ଜଣଙ୍କ ମୃତ୍ୟୁ , ୪୦ ଆହତ
ବିଜୟଓ୍ବାଡ଼ା: ଆନ୍ଧ୍ର ସୀମାନ୍ତ ଚିନ୍ତୁର ଥାନା ଅନ୍ତର୍ଗତ ବୋଡୁଗୁଦେମ୍ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଭବାନୀପାଟଣାରୁ ବିଜୟଓ୍ବାଡା ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟିଲା ବସ୍ । ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟ ହୋଇଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ଅଛନ୍ତି । ମୃତକ ମାନେ ହେଲେ ଗଣେଶ୍ବର ଦଳପତି, ଜିତୁ ହରିଜନ ଓ ସୁନେନ ହରିଜନ । ଅନ୍ୟ ୨ ଜଣଙ୍କ ପରିଚୟ ମିଳିନାହିଁ । ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ଚିକିତ୍ସାଧୀନ ଅବସ୍ଥାରେ ଆଉ ୨ ଜଣଙ୍କର ମୃତ୍ୟୁ ହୋଇଥିଲା ।
ରାତି ୨ଟାରେ ଏହି ଘଟିଥିଲା ଏହି ଦୁର୍ଘଟଣା । ଆହତ ୪୦ ଜଣଙ୍କ ମଧ୍ୟରୁ ୩ ଗୁରୁତରଙ୍କୁ ଭଦ୍ରାଚଲମ୍ ସ୍ଥାନାନ୍ତର କରାଯାଇଛି । ଅନ୍ୟମାନଙ୍କୁ ଚିନ୍ତୁର୍ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲା । କଳାହାଣ୍ଡି ଜିଲ୍ଲାର ଶ୍ରମିକଙ୍କୁ ନେଇ ସଙ୍ଗୀତା ନାମକ ବସ୍ ଯାଉଥିବା ବେଳେ ବୋଡୁଗୁଦେମ୍ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।ଦୁର୍ଘଟଣା ଖବରରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଡ୍ରଗ୍ସ ମାମଲାରେ ଫସିଲେ ଶକ୍ତି କପୁରଙ୍କ ପୁଅ
ବେଙ୍ଗାଲୁରୁ: ବଲିଉଡରେ ପୁଣି ଡ୍ରଗ୍ସ ମାମଲା । ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଡ୍ରଗ୍ସ ମାମଲାରେ ଅନେକ ସେଲିବ୍ରିଟିଙ୍କ ନାଁ ସାମ୍ନାକୁ ଆସିଥିଲା। ଏବେ ପୁଣି ଏହି ମାମଲାରେ ସାମିଲ ହୋଇଯାଇଛି ଆଉ ଏକ ନାଁ । ପୁଣି ଏଥର ଫସିଛନ୍ତି ବଲିଉଡ୍ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଭାଇ ଏବଂ ଶକ୍ତି କପୁରଙ୍କ ପୁଅ ଶିଦ୍ଧାନ୍ତ କପୁର । ଡ୍ରଗ୍ସ ନେବା ମାମଲାରେ ଶିଦ୍ଧାନ୍ତଙ୍କୁ ଗିରଫ କରିଛି ବେଙ୍ଗାଲୁରୁ ପୋଲିସ ।
ରବିବାର ରାତିରେ ବେଙ୍ଗାଲୁରୁ ପୋଲିସ ଏମଜି ରୋଡ ସ୍ଥିତ ଏକ ୫ ତାରକା ବିଶିଷ୍ଟ ହୋଟେଲରେ ଚଢାଉ କରିଥିଲା ।ଯେଉଁଠି ଚାଲିଥିଲା ଡ୍ରଗ୍ସ ପାର୍ଟି । ପାର୍ଟିରେ ସାମିଲ ଥିବା ୩୫ ଜଣଙ୍କର ରକ୍ତ ନମୁନା ପରୀକ୍ଷା କରାଯାଇଥିଲା । ଯେଉଁଥିରେ ସିଦ୍ଧାନ୍ତ କପୁରଙ୍କ ସମେତ ୫ଜଣ ରିପୋର୍ଟ ପଜିଟିଭ୍ ଆସିଥିଲେ । ଏ ସମସ୍ତଙ୍କୁ ଏବେ ଅଟକ ରଖିଛି ବେଙ୍ଗାଲୁରୁ ପୋଲିସ । ସେପଟେ ସିଦ୍ଧାନ୍ତଙ୍କ ଡ୍ରଗ୍ସ ସେବନ ବିଷୟରେ କୌଣସି ଧାରଣା ନଥିବା କହିଛନ୍ତି ଶକ୍ତି କପୁର ।
୧୪ ଦିନ ନ୍ୟାୟିକ ହେପାଜତରେ ସତୈନ୍ଦ୍ର ଜୈନ
ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ଆପ୍ର ବରିଷ୍ଠ ନେତା ସତୈନ୍ଦ୍ର ଜୈନଙ୍କ ବଢୁଛି ଅଡୁଆ । ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ମନ୍ତ୍ରୀ ସତୈନ୍ଦ୍ର ଜୈନ । ଆଜି ଏହି ମାମଲାର ଶୁଣାଣି କରି ରାଉଜ ଏଭେନ୍ୟୁ କୋର୍ଟ ସତୈନ୍ଦ୍ରଙ୍କୁ ନ୍ୟାୟିକ ହେପାଜତକୁ ପଠାଇ ଦେଇଛି । ଗତ ମେ ୩୦ରେ ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଗିରଫ କରିଥିଲା ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ।
ରାଉଜ ଏଭେନ୍ୟୁ କୋର୍ଟରେ ଜାମିନ ଆବେଦନ କରିଛନ୍ତି ସତ୍ୟେନ୍ଦ୍ର । ମଙ୍ଗଳବାର ସକାଳ ୧୧ଟାରେ ଏହି ମାମଲାର ଶୁଣାଣି ହେବ । ଗତ ମେ ୩୧ ରୁ ଅର୍ଥ ହେରଫେର ମାମଲାରେ ଜୈନଙ୍କୁ ରିମାଣ୍ଡରେ ନେଇଥିଲା ଇଡି । ଏହାପରେ ରିମାଣ୍ଡ ଅବଧିକୁ ଆହୁରି ୪ ଦିନ ବଢାଇବା ପାଇଁ କୋର୍ଟରେ ଆବେଦନ କରିଥିଲା । ପିଏମଏଲଏର ଅପରାଧିକ ଧାରା ଅନୁସାରେ ଇଡି ତାଙ୍କୁ ଗିରଫ କରିଥିଲା ।
ଆଜିଠୁ ବିଧାନସଭା ସମ୍ଭାଳିବେ ବିକ୍ରମ କେଶରୀ ଆରୁଖ
ଭୁବନେଶ୍ବର: ୨୪ତମ ବାଚସ୍ପତି ହେଲେ ବିକ୍ରମ କେଶରୀ ଆରୁଖ । ଗୃହରେ ବିଧାନସଭା ସ୍ବତନ୍ତ୍ର ଅଧିବେଶନରେ ନାମ ଘୋଷଣା କଲେ ଉପବାଚସ୍ପତି ରଜନୀକାନ୍ତ ସିଂ । ଗୃହରେ ବିକ୍ରମ ଆରୁଖଙ୍କ ନାମ ପ୍ରସ୍ତାବ ରଖିଥିଲେ ମୁଖ୍ୟମନ୍ତ୍ରୀ । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରସ୍ତାବକୁ ସମର୍ଥନ କରିଥିଲେ । ପଦମର୍ଯ୍ୟାଦା ରକ୍ଷା ସହ ଗୃହ ସୁପରିଚାଳନା କରିବାକୁ ପ୍ରୟାସ କରିବି ବୋଲି କହିଛନ୍ତି ଆରୁଖ । ସମସ୍ତ ଶାସକ ଓ ବିରୋଧୀ ଦଳ ନେତାଙ୍କୁ ଆରୁଖ ଧନ୍ୟବାଦ ଜଣାଇଛନ୍ତି ।
ନୂଆ ବାଚସ୍ପତିଙ୍କୁ ଶୁଭେଚ୍ଛା ଜଣାଇଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ୧୯୯୫ ମସିହାରୁ ଲଗାତର ଭାବେ ଭଞ୍ଜନଗରରୁ ବିଧାନସଭାକୁ ନିର୍ବାଚିତ ହୋଇଆସୁଛନ୍ତି ବିକ୍ରମ କେଶରୀ ଆରୁଖ ।
୨୦୦୮ ମସିହାରେ ସରକାରୀ ଦଳ ମୁଖ୍ୟ ସଚେତକ ଓ ୨୦୦୯ ମସିହାରୁ ୧୩ ବର୍ଷ ଧରି ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ଆଇନ, ଜଙ୍ଗଲ ଓ ପରିବେଶ, ସୂଚନା ଓ ଲୋକସମ୍ପର୍କ, ସଂସଦୀୟ ବ୍ୟାପାର ପରି ବହୁ ଗୁରୁତ୍ବ ପୂର୍ଣ୍ଣ ବିଭାଗର ମନ୍ତ୍ରୀ ଦାୟିତ୍ବ ତୁଲାଇ ସାରିଛନ୍ତି ।
ମୁସେୱାଲା ହତ୍ୟାକାଣ୍ଡର ମିଳିଲା ଲିଙ୍କ, ମୁହଁ ଖୋଲିବ ଜାଘବ !
ମୁମ୍ବାଇ: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡ ମାମଲାରେ ସମ୍ପୃକ୍ତି ନେଇ ସୁଟର ସନ୍ତୋଷ ଜାଘବକୁ ବାନ୍ଧିଲା ପୋଲିସ । ଜାଘବର ଅନ୍ୟ ଏକ ସହଯୋଗୀକୁ ଗିରଫ କରିଛି ପୋଲିସ । ଦିଲ୍ଲୀ ତିହାର ଜେଲରେ ଥିବା ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ଜାଘବକୁ ୨୦୨୧ ପୁଣେର ଏକ ହତ୍ୟାକାଣ୍ଡ ମାମଲାରେ ଗିରଫ କରିଛି ପୋଲିସ । ଏକ ବର୍ଷ ଧରି ଫେରାର ଥିଲା ଜାଘବ ।
ହାଇପ୍ରଫାଇଲ ମୁସେୱାଲା ହତ୍ୟାକାଣ୍ଡ ମାମଲାରେ ଜାଘବର ନାଁ ସାମନାକୁ ଆସିବା ପରେ ମୁମ୍ବାଇ ପୋଲିସ ଚଢାଉ ଜୋରଦାର କରିଥିଲା । ୨୦୨୧ ହତ୍ୟାକାଣ୍ଡ ପରେ ଜାଘବକୁ ଆଶ୍ରୟ ଦେବା ଅଭିଯୋଗରେ ଅଭିଯୁକ୍ତ ସ୍ବିଦେଶ କାମ୍ବଲେ ଓରଫ ମହାକାଳକୁ ବି ଗିରଫ କରିଛି ପୋଲିସ । ମୁସେୱାଲା ହତ୍ୟାକାଣ୍ଡ ମାମଲାରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଓ ପଞ୍ଜାବ ପୋଲିସ ଉଭୟ ଜାଘବ ଓ ମହାକାଳକୁ ପଚରାଉଚୁରା କରିଛି ।
ସେପଟେ ସ୍କ୍ରିପ୍ଟ ରାଇଟର ସଲିମ ଖାନ ଓ ତାଙ୍କ ପୁଅ ଅଭିନେତା ସଲମାନ ଖାନଙ୍କୁ ଧମକପୂର୍ଣ୍ଣ ଚିଠି ମାମଲାରେ ମହାକାଳକୁ ପଚରାଉଚୁରା ଜାରି ରହିଛି । ପୁଣେ ପୋଲିସ ଜାଘବର ପତ୍ତା କରିବା ପାଇଁ ଗତ ସପ୍ତାହରେ ଟିମକୁ ଗୁଜୁରାଟ ଓ ରାଜସ୍ଥାନ ପଠାଇଥିଲା ।
ନ୍ୟାୟ ମାଗୁଛି ଦ୍ବିତୀୟ ସ୍ତ୍ରୀ, ୬ ବର୍ଷ ଧରି ଧୋକା ଦେଉଥିଲା ସ୍ବାମୀ
ବାଲେଶ୍ବର: ଲଭ, ସେକ୍ସ, ଧୋକା । ମୁମ୍ବାଇରେ ଦେଖା, ତାପରେ ବିବାହ । ବାହାଘରର କିଛିଦିନ ପରେ ଧୋକା ଦେଇ ଚାଲିଗଲା ସ୍ବାମୀ । ସ୍ବାମୀର ଠିକଣା ଖୋଜି ବାଲେଶ୍ବର ଖଇରା ନଟପଡ଼ାରେ ନ୍ୟାୟ ପାଇଁ ପହଞ୍ଚିଲା ବେଳକୁ ଖୋଲିଲା ସ୍ବାମୀର ଅସଲ ଗୁମର । ନଟପଡ଼ାର ନରେନ୍ଦ୍ର ବିଦାନ୍ତ ମୁମ୍ବାଇରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ସେଠାରେ ରାୟଗଡା ଜିଲ୍ଲାର ଜଣେ ଝିଅଙ୍କ ସହିତ ନରେନ୍ଦ୍ରର ଦେଖା ସାକ୍ଷାତ ପରେ ଉଭୟଙ୍କ ମଧ୍ୟରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ ।
ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଓ କିଛିଦିନ ପରେ ଉଭୟ ରାୟଗଡ଼ାର ଏକ ଶିବ ମନ୍ଦିରରେ ବିବାହ କରିଥିଲେ । ହେଲେ ବାହାଘରର କିଛିଦିନ ପରେ ହଠାତ ନରେନ୍ଦ୍ର କାହାରିକୁ କିଛି ନକହି କେଉଁଆଡ଼େ ଚାଲିଯାଇଥିଲା । ନା ଫୋନ୍ ଉଠାଇଲା ନା ଫେରିଲା । ଅନ୍ୟପଟେ ନରେନ୍ଦ୍ରର ସ୍ତ୍ରୀ 3 ମାସର ଗର୍ଭବତୀ ଥିବା ସୂଚନା ମିଳିଛି ।
ଶେଷରେ ସ୍ବାମୀକୁ ଖୋଜିଖୋଜି ଆସି ଖଇରାରେ ପହଞ୍ଚିଲା ବେଳକୁ ୬ବର୍ଷ ପୂର୍ବରୁ ନରେନ୍ଦ୍ର ବିବାହିତ ଓ ତାର ୬ ବର୍ଷର ପୁଅ ଅଛି ବୋଲି ଜାଣିବାକୁ ପାଇଥିଲେ ପୀଡିତା । ଶେଷରେ ନ୍ୟାୟ ପାଇଁ ସ୍ଥାନୀୟ ସମାଜସେବୀ ଓ ମହିଳା ସଂଗଠନ ସହାୟତାରେ ଖଇରା ଥାନାର ଦ୍ବାରସ୍ଥ ହୋଇଛନ୍ତି ମହିଳା ଜଣକ । ନରେନ୍ଦ୍ରକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ ।
ଆଜି ବାଚସ୍ପତି ନିର୍ବାଚନ, ଶପଥ ନେବେ ବିକ୍ରମ କେଶରୀ
ଭୁବନେଶ୍ବର: ଆଜି ବିଧାନସଭାରେ ବାଚସ୍ପତି ନିର୍ବାଚନ । ସ୍ବତନ୍ତ୍ର ଭାବେ ବିଧାନସଭାର ଦିନିକିଆ ଅଧିବେଶନ ବସିବ । ୨୪ତମ ବାଚସ୍ପତି ଭାବେ ନିର୍ଦ୍ଦ୍ବନ୍ଦ୍ବରେ ନିର୍ବାଚିତ ହେବେ ବିକ୍ରମ କେଶରୀ ଆରୁଖ । ୧୯୯୫ ମସିହାରୁ ଲଗାତର ଭାବେ ଭଞ୍ଜନଗରରୁ ବିଧାନସଭାକୁ ନିର୍ବାଚିତ ହୋଇଆସୁଛନ୍ତି ବିକ୍ରମ କେଶରୀ ଆରୁଖ ।
୨୦୦୮ ମସିହାରେ ସରକାରୀ ଦଳ ମୁଖ୍ୟ ସଚେତକ ଓ ୨୦୦୯ ମସିହାରୁ ୧୩ ବର୍ଷ ଧରି ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ଆଇନ, ଜଙ୍ଗଲ ଓ ପରିବେଶ, ସୂଚନା ଓ ଲୋକସମ୍ପର୍କ, ସଂସଦୀୟ ବ୍ୟାପାର ପରି ବହୁ ଗୁରୁତ୍ବ ପୂର୍ଣ୍ଣ ବିଭାଗର ମନ୍ତ୍ରୀ ଦାୟିତ୍ବ ତୁଲାଇ ସାରିଛନ୍ତି ।

