spot_img
Home Blog Page 4303

ଅଶାନ୍ତ ହଂସପୁର: ଅଟକ ବ୍ୟକ୍ତିଙ୍କ ଗାଡ଼ି ଓ ଦୋକାନ ଭଙ୍ଗାରୁଜା

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପୁରୁଷତ୍ତୋମପୁର ହଂସପୁର ସିମେଣ୍ଟ ବ୍ୟବସାୟୀ ହତ୍ୟାଙ୍କ ଘଟଣାକୁ ନେଇ ପୁଣି ଅଶାନ୍ତି । ହଂସପୁରରେ ଉତ୍ତକ୍ତ ଲୋକଙ୍କ ଲଙ୍କାକାଣ୍ଡ । ମୁଖ୍ୟ ଅଭିଯୁକ୍ତକୁ ଗିରଫ ଦାବିରେ ତାତିଲେ ଗ୍ରାମବାସୀ । ପୋଲିସ ଦ୍ବାରା ଅଟକ ବ୍ୟକ୍ତିଙ୍କ ଗାଡି ଓ ଦୋକାନ ଭାଙ୍ଗରୁଜା । ଗତ ସୋମବାର ପୋଲିସଙ୍କୁ ଆକ୍ରମଣ କରିଥିଲେ ଲୋକ ।

ସୂଚନା ଅନୁଯାୟୀ, ରାସ୍ତାରେ ଆସୁଥିବା ବେଳେ ବ୍ୟବସାୟୀ କୃଷ୍ଣଚନ୍ଦ୍ର ପରିଡାଙ୍କୁ କିଛି ଦୁବୃର୍ତ୍ତ ହତ୍ୟା କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଅଭିଯୁକ୍ତଙ୍କ ତୁରନ୍ତ ଗିରଫ ପ୍ରତିବାଦରେ ହଂସପୁର ମୁଖ୍ୟ ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିଥିଲେ ଉତ୍ତ୍ୟକ୍ତ ଲୋକ।

ପକ୍ଷାଘାତରେ ପୀଡ଼ିତ ସ୍ତ୍ରୀକୁ ପୋଖରୀରେ ବୁଡାଇ ମାରିଲା ସ୍ବାମୀ

ଢେଙ୍କାନାଳ: ସ୍ତ୍ରୀ ପକ୍ଷାଘାତରେ ପୀଡିତ ଥିଲେ ବୋଲି ପୋଖରୀରେ ବୁଡାଇ ମାରି ଦେଲା ସ୍ବାମୀ । ଏଭଳି ଅଭଯୋଗ ଆସିଛି ଢେଙ୍କାନାଳ କଲଦା ପଞ୍ଚାୟତ ଅନ୍ତର୍ଗତ ରାମଚନ୍ଦ୍ରପୁର ଗାଁରୁ । ଗାଁର ଦିଲ୍ଲୀପ ବେହେରା ସ୍ତ୍ରୀ ଲକ୍ଷ୍ମୀ ବେହେରାକୁ ପୋଖରୀରେ ବୁଡ଼େଇ ମାରିଥିବା ନେଇ ପରଜଙ୍ଗ ଥାନାରେ ଅଭିଯୋଗ ହୋଇଛି ।

ଲକ୍ଷ୍ମୀ କିଛି ମାସ ହେବ ପକ୍ଷାଘାତ ରୋଗରେ ପୀଡିତ ଥିଲେ । ଆଜି ଦିଲ୍ଲୀପ ନିଜ ସ୍ତ୍ରୀକୁ ପୋଖରୀକୁ ଗାଧୋଇ ନେଇଥିଲେ । ନିଜ ପୁଅକୁ ଶହେ ଟଙ୍କା ଦେଇ ଦୋକାନରୁ ଖାଇବାକୁ କହି ବାହାରକୁ ପଠେଇ ଦେଇଥିଲେ । ପରେ ଲକ୍ଷ୍ମୀଙ୍କୁ ପୋଖରୀ ପାଣିରେ ବୁଡ଼େଇ ମାରିଥିବା ଅଭିଯୋଗ ହୋଇଛି ।

ଖବର ପାଇ ଘଟଣା ସ୍ଥଳରେ ପରଜଙ୍ଗ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିଛନ୍ତି । ହତ୍ୟା ପରଠାରୁ ଦିଲ୍ଲୀପ ବେହେରା ଫେରାର ହୋଇଯାଇଛନ୍ତି

ବିଧାୟକ ଦଳ ମୁଖ୍ୟ ସଚେତକ ପଦରୁ ତାରାଙ୍କ ଇସ୍ତଫା

ଭୁବନେଶ୍ବର: ରାଜ୍ୟ ସଂଗ୍ରେସରେ ହଇଚଇ । ପିସିସି ପରିବର୍ତ୍ତନ ଦାବି ଭିତରେ କଂଗ୍ରେସ ବିଧାୟକ ଦଳ ମୁଖ୍ୟ ସଚେତକ ପଦରୁ ଇସ୍ତଫା ଦେଲେ ତାରା ବାହିନୀପତି । ତାରାଙ୍କ ଇସ୍ତଫା ରାଜ୍ୟ କଂଗ୍ରେସରେ ରାଜନୀତିକୁ ପୁଣି ତେଜାଇଛି ।  ଗତକାଲି ନରସିଂହ ମିଶ୍ର କଂଗ୍ରେସ ବିଧାୟକ ଦଳ ନେତା ପଦରୁ ଇସ୍ତଫା ଦେଇଥିବା ଚର୍ଚ୍ଚା ହୋଇଥିଲା । ତେବେ ତାରାଙ୍କ ଇସ୍ତଫା ପରେ କଂଗ୍ରେସ ବିଧାୟକଙ୍କ ଭିତରେ ସବୁକିଛି ଠିକ ଚାଲିନଥିବା ସ୍ପଷ୍ଟ ହୋଇଛି ।

ଅଣ୍ଡାଦିଆ କୁକୁଡା ଚାଷୀଙ୍କ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ବର: ଦୁଇ ଦିନ ଧରି ଚାଲିଥିବା ଅଣ୍ଡା ଦିଆ କୁକୁଡ଼ା ଚାଷୀଙ୍କ ଆନ୍ଦୋଳନ ସ୍ଥଗିତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରାମର୍ଶ କ୍ରମେ ଆନ୍ଦୋଳନ ସ୍ଥଗିତ ରହିଲା  । ଚାଷୀଙ୍କ ଆନ୍ଦୋଳନ ସଂକ୍ରାନ୍ତରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ  ।

ଜାତୀୟ ଅଣ୍ଡା ସମନ୍ବୟ କମିଟିର ମନମାନିକୁ ଅଣ୍ଡାଦିଆ କୁକୁଡା ଚାଷୀ ଜୋରଦାର ବିରୋଧ କରିଥିଲେ । ଏନଇସିସି ଚଳାଇଥିବା ଚାଷୀମାରଣ ନୀତି ବିରୋଧରେ ରାଜରାସ୍ତାକୁ ଓହ୍ଲାଇଥିଲେ ଚାଷୀ । ଗୋଟିଏ ଅଣ୍ଡାର ଉତ୍ପାଦନ ଖର୍ଚ୍ଚ ପାଖାପାଖି ୪ ଟଙ୍କା ୭୫ ପଇସା ପଡୁଥିବା ବେଳେ ଖାଉଟି ସାଢେ ୬ ଟଙ୍କାରୁ ୭ଟଙ୍କାରେ କିଣୁଛନ୍ତି । କିନ୍ତୁ ଚାଷୀଙ୍କଠାରୁ ବ୍ୟବସାୟୀ ଅଣ୍ଡା କିଣୁଛନ୍ତି ମାତ୍ର ୩ ଟଙ୍କା ୭୦ ପଇସାରେ । ଅଣ୍ଡା ପିଛା ଚାଷୀ କ୍ଷତି ସହୁଛନ୍ତି ୧ ଟଙ୍କା ୭୦ ପଇସାରୁ ଅଧିକ । ଏପ୍ରିଲ ୪ ତାରିଖରେ ଏନେଇ ଏନଇସିସି ବିରୋଧରେ ଆନ୍ଦୋଳନ ହୋଇଥିଲା । ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ହେଲେ ଦାବି ପୂରଣ ନ ହେବାରୁ ଖୋର୍ଦ୍ଧା ଭୁବନେଶ୍ବର ରାସ୍ତାର ଗଙ୍ଗପଡ଼ା ଛକ ନିକଟରେ ବିକ୍ଷୋଭ କରିଥିଲେ ଚାଷୀ ।

ଦିନ ସାଢେ ଏଗାରଟା ପରେ ନିର୍ମାଣ ଶ୍ରମିକଙ୍କୁ କାମ କରାଇଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ଖରାରେ ଶ୍ରମିକ କାମ କରିବାକୁ ବାଧ୍ୟ କରି ପାରିବେନି ଠିକାଦାର । ତାତି ବଢିଲେ ବଢିବ ବିଶ୍ରାମ ସମୟ । ବିଶ୍ରାମ ଦେଇ ବି ଦରମା ଦେବାକୁ ଠିକାଦାର ବାଧ୍ୟ । ଶ୍ରମିକଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ଶକ୍ତ ହୋଇଛି ଶ୍ରମ ବିଭାଗ । ହିଟଓ୍ବେଭ୍ ଆଲର୍ଟ ଆହୁରି ବଢିବାର ସମ୍ଭାବନା ଅଛି । ଏପ୍ରିଲ ୩୦ ପରିବର୍ତ୍ତେ ଏହା ମେ’ ୩ ଯାଏଁ ଜାରି ହୋଇପାରେ । ଏହି ସମୟରେ ଅଂଶୁଘାତର ସମ୍ଭାବନା ଅଧିକ ଥାଏ । ତେଣୁ ଉଚିତ ଅଟ୍ଟାଳିକାରେ କାମ କରୁଥିବା ଶ୍ରମିକଙ୍କ ପାଇଁ ବିପଦ ଅଧିକ ଥାଏ । ରାଜ୍ୟ ସରକାରଙ୍କ ନିୟମ କାର୍ଯ୍ୟକାରିତାର ତଦାରଖ ପାଇଁ ଜୋରଦାର ଏନଫୋର୍ସମେଣ୍ଟ କରିବେ ଶ୍ରମ, ନିର୍ମାଣ ଓ ପୂର୍ତ୍ତ ବିଭାଗ । ନିମୟ ଖିଲାଫ ହେଉଥିଲେ କାରଣ ଦର୍ଶାଅ ନୋଟିସ ସହ ଠିକାଦାରଙ୍କ ଲାଇସେନସ୍ ବାତିଲ୍ କରିବାର ଚେତାବନୀ ଦେଇଛନ୍ତି ରାଜ୍ୟ ସରକାର ।

ସ୍କୁଲ ଓ କଲେଜରେ ସିନା କ୍ଲାସ୍ ବାତିଲ ହୋଇଛି, ହେଲେ ଚିନ୍ତାରେ ନିର୍ମାଣ ଶ୍ରମିକଙ୍କ ସ୍ବାସ୍ଥ୍ୟ । ଶ୍ରମିକଙ୍କ ସ୍ବାସ୍ଥ୍ୟ ପାଇଁ ଚିନ୍ତା ପ୍ରକଟ କରିଛନ୍ତି ରାଜ୍ୟ ସରକାର । କାମ ବନ୍ଦ ସମୟ ଦିନ ୧୧ରୁ ଅପରାହ୍ନ ୩.୩୦ ଯାଏଁ ହେବାର ନିୟମ ଅଛି । ହେଲେ ଯେପରି ଭାବେ ଅପରାହ୍ନ ୫ଟା ଯାଏ ନିଆଁ ବର୍ଷା ହେଉଛି, ସ୍ଥିତି ଦେଖି ଏହି ସମୟ ବୃଦ୍ଧି କରାଯାଇ ପାରେ । ସୋମବାର ପୁଣି ଥରେ ଶ୍ରମ ବିଭାଗ ହିଟଓ୍ବେଭର ସମୀକ୍ଷା କରିବ । ଟାଣ ଖରା ଜାରି ରହିଲେ, ଶ୍ରମିକଙ୍କ ପାଇଁ ବି ସ୍ବତନ୍ତ୍ର ନିୟମ କାର୍ଯ୍ୟକାରୀ ହୋଇପାରେ ।

ଶ୍ରମିକଙ୍କ ସୁରକ୍ଷାର ତଦାରଖ ପାଇଁ ନୋଡାଲ ଅଫିସର ନିଯୁକ୍ତି ପାଇଛନ୍ତି । ପ୍ରତିଦିନ ସେମାନେ କମ୍ପାନୀଗୁଡ଼ିକର ଶ୍ରମିକ ସୁରକ୍ଷା ନୀତିର ରିପୋର୍ଟ ଦେଉଛନ୍ତି ।

ହଲିଉଡ ଉପରେ ଟାଇଗରଙ୍କ ନଜର, ଦେଇ ସାରିଲେଣି ଏକାଧିକ ଅଡିସନ୍‌

ନୂଆଦିଲ୍ଲୀ:  ବଲିଉଡ ଅଭିନେତା ଟାଇଗର ସ୍ରଫ୍‌ ତାଙ୍କ ଅପକମିଂ ଫିଲ୍ମ ହିରୋପନ୍ତୀ ଟୁ’ର ପ୍ରମୋଶନକୁ ନେଇ ଚର୍ଚ୍ଚାରେ ଅଛନ୍ତି ।  ଏହା ୨୦୧୪ରେ ଆସିଥିବା ରୋମାଂଟିକ ଆକ୍ସନ୍‌ ଫିଲ୍ମର ସିକ୍ୱେଲ । ଫିଲ୍ମରେ ନଓ୍ୱାଜୁଦ୍ଦିନ ସିଦ୍ଦିକୀ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ତେବେ ନିକଟରେ ହଲିଉଡ ଡେବ୍ୟୁକୁ ନେଇ ଖୁଲାସା କରିଛନ୍ତି ଟାଇଗର ।  ହଲିଉଡରେ ଏକ ସୁପରହିରୋ ଚରିତ୍ରରେ ଅଭିନୟ କରିବାକୁ ଚାହୁଁଥିବା କହିଛନ୍ତି ଟାଇଗର ସ୍ରଫ୍‌ ।

ଭବିଷ୍ୟତର ଲକ୍ଷ୍ୟ ହଲିଉଡରେ ପାଦ ରଖିବା ବୋଲି ଗରମାଧ୍ୟମ ସାକ୍ଷାତକାରରେ କହିଛନ୍ତି ଟାଇଗର ସ୍ରଫ୍‌ ।  ତେବେ ତାଙ୍କ ବୟସର କୌଣସି ଆକ୍ସନ ହିରୋ ହଲିଉଡରେ ନଥିବା ସେ କହିଛନ୍ତ  । କେତେକ ଅଫର ମିଳିଛି ଏବଂ ଅଡିସନ୍‌ ମଧ୍ୟ ଦେଇଛନ୍ତି ଟାଇଗର । ଚେଷ୍ଟା ଜାରି ରହିଛି ହଲିଉଡରେ ପାଦ ରଖିବାକୁ   ।

ସୂଚନାଯୋଗ୍ୟ ଫିଲ୍ମ ‘ହିରୋପନ୍ତୀ ଟୁ’ରେ ଟାଇଗରଙ୍କ ବିପକ୍ଷରେ ନଜର ଆସିବେ ତାରା ସୁତାରିଆ । ଦୁନିଆରୁ କିଭଳି ସାଇବର କ୍ରାଇମକୁ ଶେଷ କରାଯିବ, ତାହା ଉପରେ ଫିଲ୍ମ ଆଧାରିତ ।

ଫିଲ୍ମର ଲେଖକ ହେଉଛନ୍ତି ରଜତ ଅରୋରା ଏବଂ ନିର୍ଦ୍ଦେଶକ ଅହମ୍ମଦ ଖାନ୍‌ । ୨୯ ଏପ୍ରିଲରେ ଫିଲ୍ମ ଥିଏଟର୍ସରେ ରିଲିଜ୍‌ ହେବାକୁ ଯାଉଛି ।

ଘାଟାରେ ଚାଲୁଛି ଟ୍ବିଟର, ତଥାପି ଏତେ ଟଙ୍କାରେ କାହିଁକି କିଣିଲେ ଏଲନ ମସ୍କ?

ନୂଆଦିଲ୍ଲୀ: ବିଗତ ୧୧ ବର୍ଷରୁ ୯ ବର୍ଷ ଧରି ଟ୍ବିଟର କିଛି ବି ଲାଭ କିରିନି । କହିବାକୁ ଗଲେ କେବଳ ଘାଟା ହିଁ ସହିଛି । କିନ୍ତୁ ଏଭଳି ଘାଟାରେ ଚାଲୁଥିବା କମ୍ପାନୀକୁ କାହିଁକି ଏତେ ଟଙ୍କା ଦେଇ କିଣିଲେ ଏଲନ୍ ମସ୍କ ? କ’ଣ ଥାଇପାରେ ଏହା ପଛର କାରଣ ?

ଏଠାରେ ଆମେ କହି ରଖିବାକୁ ଚାହୁଁଛୁ ଯେ, ଏଲନ ମସ୍କ ଟ୍ବିଟରକୁ ପଇସା ପାଇଁ ନୁହେଁ ପ୍ରଭାବ ପାଇଁ କିଣିଛନ୍ତି । ଲୋକଙ୍କୁ ସ୍ବାଧିନତା ଦେବାକୁ ଯାଇ ଟ୍ବିଟର ପକ୍ଷୀକୁ ସେ ନିଜ ପିଞ୍ଜରାରେ ରଖିବାକୁ ପସନ୍ଦ କରିଛନ୍ତି ।

ଟ୍ବିଟର ଭଳି ଘାଟାରେ ଚାଲୁଥିବା କମ୍ପାନୀକୁ ଏତେ ଟଙ୍କାରେ କିଣି ଥିବାରୁ ଅନ୍ୟ କମ୍ପାନୀମାନେ ଏବେ ଚିନ୍ତାରେ ପଡ଼ିଯାଇଛନ୍ତି । ଗତବର୍ଷ ଟ୍ବିଟରକୁ ୧୬ଶହ ୯୦ କରୋଡର ଘାଟା ହୋଇଥିଲା । ୨୦୨୦ରେ ଏହା ୧୦ହଜାର ୬ଶହ କରୋଡ ଘାଟାରେ ଥିଲା । କହିବାକୁ ଗଲେ ପୂରା ୯ ବର୍ଷ କମ୍ପାନୀ ଘାଟାରେ ହିଁ ଚାଲିଥିଲା ।

ଏଠାରେ ଆପଣ ଭାବୁଥିବେ ଏତେ ଘାଟାରେ ଚାଲୁଥିବା ଟ୍ବିଟରକୁ ଏଲନ୍ ମସ୍କ କାହିଁକି କିଣିଲେ ? ଟ୍ବିଟରରେ ଏମିତି କ’ଣ ଅଛି ଯେ, ତାଙ୍କୁ ଘାଟା ହେବା ବି ଘାଟା ଭଳି ଲାଗିଲାନି ।

ଏହାକୁ ନେଇ ଏଲନ ମସ୍କ କହିଛନ୍ତି ଯେ, ସେ ଟଙ୍କା ପାଇଁ ଟ୍ବିଟରକୁ କିଣି ନାହାଁନ୍ତି । ସେ ଏହି ସୋସିଆଲ ମିଡିଆ କିଣି ବ୍ୟକ୍ତିର ବାକ୍ ସ୍ବାଧିନତା ଉପରେ କୌଣସି ରୋକ୍ ଲଗାଇବାକୁ ଚାହାନ୍ତି ନାହିଁ। କାରଣ ଆଜିକାଲି ସୋସିଆଲ ମିଡିଆ ଯୁଗରେ ଏଲନ୍ ଜାଣିଛନ୍ତି ଯେ, ଟ୍ବିଟରରେ ଜଣେ ବ୍ୟକ୍ତିର ଭାବ ଯାହା କରିପାରିବ ତାହା କୌଣସି ବମ୍ ବି କରିପାରିବ ନାହିଁ । ଏଥିପାଇଁ ଟ୍ବିଟରର ଗୁରୁତ୍ବ ବୁଝି ଏଲନ୍ ଏହାକୁ କିଣିଛନ୍ତି । ଏହା ତାଙ୍କ ହାତକୁ ଆସିଲେ ସେ ଦୁନିଆର ବଡ଼ ବଡ଼ ନେତା, ଅଭିନେତା, ବ୍ୟବସାୟୀ, ଖେଳାଳି ଏବଂ ଅନେକ ବଡ଼ ବଡ଼ ବ୍ୟକ୍ତିତ୍ବଙ୍କୁ ପ୍ରଭାବିତ କରିପାରିବେ । ସେ ଟ୍ବିଟର ସଫ୍ଟ ପାଓ୍ବାରର ବ୍ୟବହାର କରିବାକୁ ଚାହୁଁଛନ୍ତି ।

ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ଟ୍ବିଟରକୁ ସବୁଠୁ ଅଧିକା ଲୋକ କେବଳ ଖବର ପାଇଁ ବ୍ୟବହାର କରନ୍ତି । ଆମେରିକାରେ ସବୁଠୁ ଅଧିକା ଲୋକ ଟ୍ବିଟର ବ୍ୟବହାର କରିଥାନ୍ତି । ଏହା ପରେ ଅଛି ଜାପାନ ଏବଂ ଟ୍ବିଟରକୁ ଅଧିକା ବ୍ୟବହାର କାରୁଥିବା ଦେଶ ଭିତରେ ଆମ ଦେଶର ସ୍ଥାନ ତୃତୀୟ ।

ଏଠାରେ ଆମେ କହିରଖିବାକୁ ଚାହୁଁଛୁ ଯେ, ଏଲନ୍ ମସ୍କ ହେଉଛନ୍ତି ବିଶ୍ବର କୋଟିପତି ବ୍ୟବସାୟୀଙ୍କ ମଧ୍ୟରୁ ଜଣେ । ସେ ଗତକାଲି ଟ୍ବିଟରକୁ ୪୪ ବିଲିୟନ୍ ଡଲାରରେ କିଣିଛନ୍ତି ।

 

 

 

ଲତା ମଙ୍ଗେସ୍କରଙ୍କୁ ଭବ୍ୟ ଶ୍ରଦ୍ଧାଞ୍ଜଳି ଦେବାକୁ ଏକା ସାଙ୍ଗରେ ପହଞ୍ଚିଲେ ୧୮ ନାମି ଦାମି ଗାୟକ

ନୂଆଦିଲ୍ଲୀ: ‘ଭଏସ୍‌ ଅଫ୍‌ ଇଣ୍ଡିଆ’ ଭାବରେ ଜଣାଶୁଣା ଲତା ମଙ୍ଗେସ୍କର ଏବେ ମଧ୍ୟ ସମସ୍ତଙ୍କ ହୃଦୟରେ ଜୀବିତ । ତାଙ୍କ ଗୀତ ଯୁଗ ଯୁଗ ଧରି ଲୋକଙ୍କ ମନୋରଞ୍ଜନ କରୁଥିବ । ସେ ନାହାଁନ୍ତି ସତ କିନ୍ତୁ ଜୀବିତ ଅଛି ତାଙ୍କ କଣ୍ଡସ୍ୱର, ତାଙ୍କ ଗୀତର ଯାଦୁ, ମୂର୍ଚ୍ଚନା ଆଉ ହସ ହସ ଚେହେରାର ପ୍ରତିଛବି । ଯାହା ଚିର ଅମର । ତାଙ୍କୁ ଭାରତର ନାଇଟଆଙ୍ଗେଲ ବୋଲି ମଧ୍ୟ କୁହାଯାଏ ।  ଲତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଜଣେ ନୁହେଁ କି ଦୁଇ ଜଣ ନୁହେଁ ବରଂ ୧୮ ଜଣ ପ୍ରସିଦ୍ଧ, ଲୋକପ୍ରିୟ ଓ ଜଣାଶୁଣା ଗାୟକ ଏକା ସାଙ୍ଗରେ ପହଞ୍ଚିଥିଲେ ।

ସମସ୍ତ ଗାୟକ ଷ୍ଟାରପ୍ଲସର ଏକ୍ସକ୍ଲୁସିଭ୍‌ ସିରିଜ ‘ନାମ୍‌ ରହ ଜାଏଗା’ ମାଧ୍ୟମରେ ଏକତ୍ରିତ ହୋଇଥିଲେ ।  ଲତାଙ୍କୁ ସମ୍ମାନିତ କରିବାକୁ ଏମାନେ ଏକାଠି ହୋଇଥିଲେ ।  ଏହି ଭବ୍ୟ ଶ୍ରଦ୍ଧାଞ୍ଜଳିରେ ସୋନୁ ନିଗମ, ଅରିଜିତ ସିଂ, ଶଙ୍କର ମହାଦେବନ୍‌, ନିତିନ୍‌ ମୁକେଶ, ନିତି ମୋହନ, ଅଲକା ୟଗନିକ, ସାଧନା ସରଗମ୍‌, ପ୍ୟାରେଲାଲ ଜୀ, ଉଦିତ ନାରାୟଣ, ଶନ୍‌, କୁମାର ସାନୁ, ଅମିତ କୁମାର, ଜନିତ ପଣ୍ଡିତ,  ଜାଭେଦ ଅଲି, ଏଶ୍ୱର୍ଯତୟା ମଜୁମଦାର, ସ୍ନେହ ପନ୍ତ, ପଲକ ମୁଚ୍ଛଳ ଏବଂ ଅନ୍ୱେଷା ଏକା ସାଙ୍ଗରେ ଶ୍ରଦ୍ଧାଞ୍ଜଳି ଦେବେ ।

ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଲତାଙ୍କ ପରିବାର ଉପସ୍ଥିତ ରହିବେ । ତେବେ ଏହି ୮ଟି ଏପିସୋଡ୍‌ ଥିବା ସିରିଜ୍‌ ୧ ମେ  ୨୦୨୨ରେ ଷ୍ଟାରପ୍ଲସରେ ଆରମ୍ଭ ହେବ ।

ବିଜେଡିରେ ଯୋଗ ଦେଲେ ବରିଷ୍ଠ ସାମ୍ବାଦିକ ସ୍ବୟଂପ୍ରକାଶ ମହାପାତ୍ର

ଭୁବନେଶ୍ବର: ଜଣାଶୁଣା ଟିଭି ଉପସ୍ଥାପକ, ବୈଦ୍ୟୁତିକ ଗଣମାଧ୍ୟମର ବରିଷ୍ଠ ସାମ୍ବାଦିକ ସ୍ବୟଂପ୍ରକାଶ ମହାପାତ୍ର ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଦଳର ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ରଞ୍ଜନ ମଙ୍ଗରାଜଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବରେ ଦଳରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଶାସନ ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ଯୋଗ ଦେଇଛନ୍ତି । ଦଳ ତାଙ୍କୁ ଯେଉଁ ଦାୟିତ୍ବ ଦେବ ତାହା ସେ ନିର୍ବାହ କରିବେ ବୋଲି କହିଛନ୍ତି । ଗତ ପ୍ରାୟ ୧ ଦଶନ୍ଧି ଧରି ଏକାଧିକ ଓଡ଼ିଆ ବୈଦ୍ୟୁତିକ ଗଣମାଧ୍ୟମରେ ବିଭିନ୍ନ ପଦରେ କାର୍ଯ୍ୟ କରିଛନ୍ତି ସ୍ବୟଂପ୍ରକାଶ ।

ଖରାରେ ସିଝୁଛି ଓଡ଼ିଶା: ୪୦ ଡିଗ୍ରୀ ଉପରେ ୨୪ ସହର

ଭୁବନେଶ୍ବର: ଖରାରେ ସିଝୁଛି ସାରା ଓଡ଼ିଶା । ଅସହ୍ୟ ଗରମ ଓ ନାହିଁ ନଥିବା ଗୁଳୁଗୁଳି । ଅସ୍ତବ୍ୟସ୍ତ ଜନଜୀବନ । ଆଜି ୪୦ ଡିଗ୍ରୀ ଉପରେ ରହିଛି ରାଜ୍ୟର ୨୪ ସହରର ତାପମାତ୍ରା । ୪ଟି ସହର ତାପମାତ୍ରା ପାର କରିଛି ୪୪ ଡିଗ୍ରୀ । ୪୪.୫ ଡିଗ୍ରୀ ସହିତ ସୋନପୁର ପାଲଟିଛି ସବୁଠୁ ଉତ୍ତପ୍ତ ସହର ।

ଆଜି ଭୁବନେଶ୍ବର ତାପମାତ୍ରା ମଧ୍ୟ ୪୦ ଡିଗ୍ରୀ ପାର କରିଛି । ରାଜଧାନୀରେ ୪୦.୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଆସନ୍ତା ୫ ଦିନ ଯାଏଁ ତାତିରୁ ତ୍ରାହି ମିଳିବନି ବୋଲି ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୩୦ ତାରିଖ ଯାଏଁ ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରୀ ତାପମାତ୍ରା ବଢିବ । ଆଭ୍ୟନ୍ତରିଣ ଓଡ଼ିଶାରେ ୩ରୁ ୫ ଡିଗ୍ରୀ, ଉପକୂଳରେ ୨ରୁ ୩ ଡିଗ୍ରୀ ତାପମାତ୍ରା ବଢିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୨୯ ତାରିଖ ଯାଏଁ ୧୧ ଜିଲ୍ଲା, ୩୦ ଯାଏଁ ୮ ଜିଲ୍ଲାରେ ହିଟ୍ଓ୍ବେଭ୍ ପ୍ରଭାବ ରହିବ । ରାଜ୍ୟର କିଛି ସ୍ଥାନରେ ତାପମାତ୍ରା ୪୭ ଡିଗ୍ରୀ ଛୁଇଁବା ନେଇ ଆଶଙ୍କା କରାଯାଉଛି । ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି କିଛି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।