spot_img
Home Blog Page 4305

କୂଅରୁ ମାଙ୍କଡ଼ ଉଦ୍ଧାର ହେଲା କାଳ, ଶ୍ବାସରୁଦ୍ଧ ହୋଇ ଜଣେ ମୃତ, ୨ ଗୁରୁତର

ବୌଦ୍ଧ: କୂଅରୁ ମାଙ୍କଡ଼ ଉଦ୍ଧାର କରିବାକୁ ଯାଇ ମୃତ୍ୟୁ । ଶ୍ବାସରୁଦ୍ଧ ହୋଇ ଜଣେ ମୃତ । ମୃତକ ହେଲେ କାଳିଚରଣ ବାଙ୍କ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ତୁଳସୀକଟା ଗାଁରେ । ସୂଚନା ଅନୁସାରେ ତୁଳସୀକଟା ଗାଁରେ ଥିବା ଏକ କୂଅରେ ଏକ ମାଙ୍କଡ଼ ପଡ଼ିଯିବାରୁ ୩ ଜଣ ଉଦ୍ଧାର ପାଇଁ କୂଅକୁ ପଶିଥିଲେ । କିନ୍ତୁ କୂଆ ମଧ୍ୟରେ ଶ୍ଵାସରୁଦ୍ଧ ହୋଇ ତିନି ଜଣ ଗୁରୁତର ହୋଇଥିଲେ । ସେମାନଙ୍କୁ ଦମକଳ ବାହିନୀ କୂଆ ଭିତରୁ ଉଦ୍ଧାର କରି ସୋନପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ତେବେ ମେଡିକାଲରେ କାଳିଚରଣଙ୍କ ମୃତ୍ୟୁ ହୋଇଛି ।

ପ୍ରୟାଗରାଜ ହିଂସାକାଣ୍ଡ ମାମଲା : ମାଟିରେ ମିଶିଲା ମାଷ୍ଟରମାଇଣ୍ଡ ଘର

ଉତ୍ତରପ୍ରଦେଶ: ଆକ୍ସନ ମୋଡରେ ଯୋଗୀ ସରକାର । ପ୍ରୟାଗରାଜ ହିଂସାର ମାଷ୍ଟରମାଇଣ୍ଡ ଘରରେ ଚଢିଲା ବୁଲଡୋଜର । ମୁଖ୍ୟ ଫାଟକ ଭାଙ୍ଗିଲା ଏବଂ ପାଚେରୀକୁ ମାଟିରେ ମିଶାଇଲା ବୁଲଡୋଜର । ମୁଖ୍ୟ ଅଭିଯୁକ୍ତ ଯାବେଦ ପମ୍ପଙ୍କ ଘର ସାମ୍ନାରେ ଭାରି ମାତ୍ରାରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଦିନ ୧୧ଟା ଭିତରେ ଘର ଖାଲି କରିବାକୁ ପୂର୍ବରୁ ପିଡିପି ପକ୍ଷରୁ ନୋଟିସ ଦିଆଯାଇଥିଲା ।

ପ୍ରୟାଗରାଜରେ ନୂପୁର ଶର୍ମାଙ୍କ ବୟାନ ବିରୁଦ୍ଧରେ ବିରୋଧ ପ୍ରଦଶର୍ନ ସମୟରେ ହୋଇଥିଲା ଭୟଙ୍କର ହିଂସାକାଣ୍ଡ । ତେବେ ସେହି ହିଂସା ବିରୋଧରେ ଏବେ କଡ଼ା ଆକ୍ସନ ଜାରି କରିଛି ପ୍ରଶାସନ । ଏହି ହିଂସା ମାମଲାରେ ପୋଲିସ ଯାବେଦ ପମ୍ପଙ୍କୁ ଗିରଫ କରିବା ସହ ତାଙ୍କୁ ହିଂସାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଭାବେ ଘୋଷଣା କରିଛି । ଯଦ୍ବାରା ତାକୁ ଗିରଫ କରିବା ପରେ ଏବେ ପ୍ରୟାଗରାଜରେ ପିଡିଏ ଏବେ ଆକ୍ସନ ମୋଡ଼କୁ ଆସିଯାଇଛି  ।

ପିଡିଏ ଯାଦବ ପମ୍ପଙ୍କ ଘରେ ନୋଟିସ ଲଗାଇ ଖାଲି କରିବାକୁ କହିଥିଲା । ପ୍ରଥମେ ମୁଖ୍ୟ ଫାଟକ ତଥା ପାଚେରୀକୁ ଭାଙ୍ଗି ଧୂଳିସାତ କରିଦେଇଛି ବୁଲଡୋଜର । ଏବେ ପୋଲିସ ପ୍ରଶାସନ ତାଙ୍କ ଘରକୁ ଭାଙ୍ଗି ମାଟିରେ ମିଶାଇ ଦେଇଛନ୍ତି ।  ଘଟଣାସ୍ଥଳରେ ଏକାଠି ହୋଇଥିବା ଲୋକମାନଙ୍କୁ ଏସପି  କ୍ରମାଗତ ଭାବେ ସେ ସ୍ଥାନରୁ ହଟିବା ପାଇଁ ନିବେଦନ କରୁଛନ୍ତି ।

ପୁରୀ ବେଳାଭୂମିରେ ଅଘଟଣ, ଗାଧୋଉଥିବା ବେଳେ ପର୍ଯ୍ୟଟକ ନିଖୋଜ

ପୁରୀ: ପୁରୀ ବେଳାଭୂମିରେ ଅଘଟଣ । ସମୁଦ୍ରରେ ସ୍ନାନ ବେଳେ ଭଗୀର ସମୁଦ୍ର ମଧ୍ୟକୁ ଭାସିଗଲେ ପର୍ଯ୍ୟଟକ । ନିଖୋଜ ପର୍ଯ୍ୟଟକ ହେଉଛନ୍ତି ପଶ୍ଚିମବଙ୍ଗ ଚବିଶ ପ୍ରଗଣା ଦୁର୍ଗାନଗରର ଉଜ୍ଜଳ ଦାସ । ସୂଚନା ଅନୁସାରେ ଆଜି ଉଜ୍ଜଳ ହୋଟେଲ କ୍ୟାମେଲିଆ ସମ୍ମୁଖ ବେଳାଭୂମିରେ ସ୍ନାନ ସମୟରେ ଭାସି ଯାଇଥିଲେ । ତେବେ ସେଠାରେ ଥିବା ଲାଇଫ ଗାର୍ଡ ଗଭୀର ସମୁଦ୍ର ମଧ୍ୟକୁ ଯାଇ ଖୋଜାଖୋଜି କରୁଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ନିଖୋଜ ପର୍ଯ୍ୟଟକଙ୍କ କୌଣସି ପତ୍ତା ମିଳିପାରିନାହିଁ ।

ସୁବର୍ଣ୍ଣପୁରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ପାଇପ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁରରେ ଭୟାବହ ଅଗ୍ନିକାଣ୍ଡ । ଡୁଙ୍ଗୁରିପାଲି ଲଙ୍ଗଳକଟା ରାସ୍ତା କଡ଼ରେ ଥିବା ଜୁବେରି ଇଞ୍ଜିନିୟରିଂ କମ୍ପାନୀର ପ୍ଲାଷ୍ଟିକ ପାଇପ ଗଦାରେ ଲାଗିଲା ନିଆଁ । ନିଆଁ ଲାଗିବାରୁ ପୂରା ଅଞ୍ଚଳ ଧୂଆଁମୟ ହୋଇଛି । ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି । ଧିରେ ଧିରେ ନିଆଁ ବ୍ୟାପିବାରେ ଲାଗିଛି । ଅଗ୍ନିକାଣ୍ଡ ପାଇଁ ଲୋକଙ୍କ ଯାତାୟତ ବାଧାପ୍ରାପ୍ତ ହେଉଛି । ଲଙ୍ଗଳକଟା ଗାଁର ଚାଷଜମି ଗୁଡ଼ିକରେ ମେସିନ ସାହାଯ୍ୟରେ ଧାନ କାଟି ସାରିବା ପରେ ପଡ଼ିରହିଥିବା ପାଳ ଗଦା ଗୁଡ଼ିକରେ ଅମାନିଆ ଲୋକ ନିଆଁ ଲଗାଇ ଦେଇଥିଲେ । ଫଳରେ ଚାଷ ଜମିରୁ ନିଆଁ ଆସି ପାଇପ ଗଦାରେ ଲାଗି ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ନିଆଁକୁ ଆୟତ୍ତ କରିବା ପାଇଁ ରାମପୁର ଅଗ୍ନିଶମ କର୍ମଚାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଏହି ଅଗ୍ନିକାଣ୍ଡ ଲକ୍ଷାଧିକ ଟଙ୍କାର ପ୍ଲାଷ୍ଟିକ ପାଣି ପାଇପ ପୋଡ଼ି ଯାଇଥିବା ଅନୁମାନ କରାଯାଉଛି  ।

ଦେଶରେ ପୁଣି ବଢ଼ିଲା କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୮ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ପୁଣି ବଢ଼ିଲା କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୮ ହଜାର ୫୮୨ ନୂଆ ସଂକ୍ରମିତ । ଯାହା ଫଳରେ ଦେଶରେ ମୋଟ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪୪ ହଜାର ୫୧୩ ପହଞ୍ଚିଛି । ଏହି ଲହରର ଏହା ସର୍ବାଧିକ । ଏହି ସଂଖ୍ୟାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୪ କୋଟି ୩୨ ଲକ୍ଷ ୨୨ ହଜାରରେ ପହଞ୍ଚିଛି । ଏହା ସହ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ହୋଇଛି ୫ ଲକ୍ଷ ୨୪ ହଜାର ୭୬୧ । ସେହିପରି ଦେଶରେ ସୁସ୍ଥ ହାର ରହିଛି ୯୮.୬୬ ପ୍ରତିଶତ ରହିଛି ।

ତେବେ ଗତ ୨୪ ଘଣ୍ଟାରେ କରୋନାରେ ୪ ଜଣ ସଂକ୍ରମିତ ପ୍ରାଣ ହରାଇଛନ୍ତି । ଗତ ୨୪ ଘଣ୍ଟାରେ ପଶ୍ଚିମବଙ୍ଗରେ ୧୩୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ପୂର୍ବଦିନ ତୁଳନାରେ ଏହା ୩୦ ପ୍ରତିଶତ ଅଧିକ ଥିଲା । ସେହିପରି କର୍ଣ୍ଣାଟକରେ ୫୬୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପୂର୍ବଦିନ ରାଜ୍ୟରେ ସଂକ୍ରମଣ ସଂଖ୍ୟା ଥିଲା ୫୨୫ ।

କେଶରୀ ମଲରେ ପୁଣି ଅଗ୍ନିକାଣ୍ଡ

ଭୁବନେଶ୍ୱର: ଭୁବନେଶ୍ୱର କେଶରୀ ମଲରେ ପୁଣି ଅଗ୍ନିକାଣ୍ଡ । ମଲର ପ୍ରଥମ ଓ ଦ୍ୱିତୀୟ ମହଲାରେ ଲାଗିଲା ନିଆଁ । ତେବେ ଅଗ୍ନିକାଣ୍ଡରେ କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ତେବେ ସୁରକ୍ଷା ଦୃଷ୍ଟିରୁ ସାଧାରଣ ଲୋକଙ୍କ ପାଇଁ ବନ୍ଦ କରାଗଲା ମଲ୍ । ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁକୁ ଆୟତ୍ତ କରାଯାଇଛି । ତେବେ ମଲରେ ନିଆଁ ଲାଗି ନଥିବା କହିଲେ ମ୍ୟାନେଜର ।

ସୂଚନା ଅନୁସାରେ, ରଜ ପାଇଁ କେଶରୀ ମଲରେ ପ୍ରବଳ ଭିଡ଼ ଲାଗିରହିଥିଲା । ଏହି ସମୟରେ କେଶରୀ ମଲ୍‌ର ପ୍ରଥମ ଓ ଦ୍ୱିତୀୟ ମଲ୍‌ରେ ନିଆଁ ଲାଗିଥିବାର ଖବର ମିଳିଥିଲା । ଯାହାକୁ ଶୁଣି ମଲରେ ଥିବା ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଯାଇଥିଲା । ତେବେ ସର୍ଟ ସର୍କିଟ ଯୋଗୁଁ ମଲ୍‌ରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଗତ ମାସରେ ମଧ୍ୟ ଭୁବନେଶ୍ୱର ମାର୍କେଟ ବିଲ୍ଡିଂ ନିକଟରେ ଥିବା କେଶରୀ ମଲ୍‌ରେ ଅଗ୍ନିକାଣ୍ଡ ହୋଇଥିଲା । ରାତି ପ୍ରାୟ ସାଢ଼େ ୧୨ ସମୟରେ ନିଆଁ ଲାଗିଥିବା ବେଳେ ୪୫ ମିନିଟର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା ।

ଛତିଶଗଡ଼ରେ ବୋରଓ୍ବେଲ ଟ୍ରାଜେଡି: ଏବେବି ଚାଲିଛି ସର୍ଚ୍ଚ ଅପରେସନ

ରାୟପୁର: ଦୁଇ ରାତି ଓ ଗୋଟିଏ ଦିନର ମେଗା ଅପରେସନ ସତ୍ତ୍ବେ ଉଦ୍ଧାର ହୋଇପାରିନି ରାହୁଲ । ଛତିଶଗଡ଼ ଜାଞ୍ଜଗିର-ଚମ୍ପା ଜିଲ୍ଲା ଅନ୍ତର୍ଗତ ପିହରିଡ଼ ଗ୍ରାମରେ ୮୦ ଫୁଟ ବୋରଓ୍ବେଲରେ ଫସି ରହିଥିବା ରାହୁଲକୁ ଉଦ୍ଧାର ଲାଗି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଗତ ଶୁକ୍ରବାର ଅପରାହ୍ମ ୩ଟାରୁ ବୋରଓ୍ବେଲରେ ଫସି ରହିଥିବା ରାହୁଲକୁ ଉଦ୍ଧାର ଲାଗି ନିୟୋଜିତ ହୋଇଛନ୍ତି ଓଡ଼ିଶାର ଏକ ଟିମ୍ ସହ ୨ଟି NDRF ଟିମ ଓ SDRF ଟିମ୍ । ସିସିଟିଭି ଫୁଟେଜ ଅନୁସାରେ ୬୦ରୁ ୭୦ ଫୁଟ ଗଭୀର ମଧ୍ୟରେ ରହିଛି ରାହୁଲ । ସେ ଖାଦ୍ୟ ଓ ଅକ୍ସିଜେନ ଗ୍ରହଣ କରିପାରୁଛି । ଦୁଇଟି କଦଳୀ ଏବଂ ORS ଦିଆଯାଇଛି । ଘଟଣାସ୍ଥଳରେ ଜିଲ୍ଲା ପ୍ରଶାସନ ଓ ପୋଲିସ ମୁତୟନ ରହିଛନ୍ତି ।

ଖନନ କାର୍ଯ୍ୟରେ ଜେସିବି ଓ ପୋକଲେନ ନିୟୋଜିତ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୫୦ ଫୁଟ୍ ଖୋଳାଯାଇଛି । ବାକି ୧୫ ଫୁଟ ଚିପିଙ୍ଗ ହାମର ଦ୍ବାରା ଟନେଲ କରାଯିବ । ଶିଶୁର ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି ଏକ ଡାକ୍ତରୀ ଟିମ୍ । ସେଠାରେ ଜିଲ୍ଲାପାଳ ଜିତେନ୍ଦ୍ର ଶୁକ୍ଳା ଓ ଏସପି ବିଜୟ ଅଗ୍ରଓ୍ବାଲ ଉପସ୍ଥିତ ଅଛନ୍ତି । ଆର୍ମିର କେତେକ ବିଶେଷଜ୍ଞ ମଧ୍ୟ ସ୍ଥିତି ଅନୁଧ୍ୟାନ କରୁଛନ୍ତି । ରାହୁଲର ଉଦ୍ଧାର ଲାଗି ଗାଁରେ ପୂଜାର୍ଚ୍ଚନା ମଧ୍ୟ ଜାରି ରହିଛି ।

ସେପଟେ ରାଜ୍ୟରେ ଖୋଲା ପଡ଼ିଥିବା ସମସ୍ତ ବୋରଓ୍ବେଲକୁ ତୁରନ୍ତ ବନ୍ଦ କରିବା ଲାଗି ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ । ଉଦ୍ଧାର ପ୍ରକ୍ରିୟା ନେଇ ଗୁଜରାଟ ସୁରଟର ରୋବଟ ସ୍ପେଶାଲିଷ୍ଟମାନଙ୍କ ସହ ଯୋଗସୂତ୍ରରେ ରହିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ।

ମ୍ୟାଚ୍ ପାଇଁ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା, ଟ୍ୱିନ୍ ସିଟିରେ ୮୨ ପ୍ଲାଟୁନ ଫୋର୍ସ ମୁତୟନ

କଟକ: ମ୍ୟାଚ୍ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି କମିଶନରେଟ ପୋଲିସ । ଟୁଇନ ସିଟିକୁ ଜଗିବେ ୮୨ ପ୍ଲାଟୁନ ଫୋର୍ସ । କଟକରେ ୬୨ ପ୍ଲାଟୁନ ଫୋର୍ସ ଓ ଭୁବନେଶ୍ୱରରେ ୨୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ୩ ଜଣ ଡିସିପି, ୭ ଜଣ ଆଡିସନାଲ ଡିସିପି, ୩୫ ଜଣ ଆଇଆଇସି ସୁରକ୍ଷା ଦାୟିତ୍ବରେ ରହିଛନ୍ତି । ଖେଳାଳିଙ୍କଠାରୁ ଦର୍ଶକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ସୁରକ୍ଷାକୁ ଗୁରୁତ୍ବ ଦିଆଯାଇଛି । ଦିନ ୩ଟାରୁ ଦର୍ଶକଙ୍କ ପାଇଁ ଗେଟ୍ ଖୋଲାଯିବ । ୧୪ଟି ଗେଟ୍‌ ଦେଇ ଷ୍ଟାଡିୟମକୁ ପ୍ରବେଶ କରିବେ ଦର୍ଶକ ।

ଷ୍ଟାଡିୟମ ଭିତରେ ପାଖାପାଖି ୫୦ ହଜାର ଓ ବାହାରେ ୧୫ରୁ ୨୦ ହଜାର ଦର୍ଶକ ରହିବେ । ୨୦ ହଜାରରୁ ଅଧିକ ବାଇକ ପାର୍କିଂ ହୋଇପାରେ । ସାଧାରଣ ଦର୍ଶକଙ୍କ ପାଇଁ ୫ଟି ସ୍ଥାନରେ ପାର୍କିଂ ସ୍ଥଳ କରାଯାଇଛି । ମାସ୍କ ପିନ୍ଧିନଥିଲେ ଷ୍ଟାଡିୟମ ପରିସରକୁ ପ୍ରବେଶ ଅନୁମତି ମିଳିବ ନାହିଁ । ଷ୍ଟାଡିୟମ ଭିତରକୁ ଖାଦ୍ୟ, ପାଣି ବୋତଲ, ଲାଠି, ବ୍ୟାଗ୍, ଦିଆସିଲ, ଖୁଚୁରା ପଇସା ଆଣି ପାରିବେନି ଦର୍ଶକ । ପ୍ରତ୍ୟେକ ଗ୍ୟାଲେରୀରେ ମୁତୟନ ହେବେ ପୋଲିସ । ଷ୍ଟାଡିୟମ ଭିତରେ ରହିବ କ୍ବିକ୍ ଆକ୍ସନ ଟିମ୍ । ଦର୍ଶକଙ୍କ ଆଗରେ କୌଣସି ପୋଲିସ ଠିଆ ହେବେନାହିଁ । କୌଣସି ବ୍ୟକ୍ତି ବିଶୃଙ୍ଖଳା କଲେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ।

ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଦାଦା

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ଦାଦା । ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ବାରବାଟୀ ମ୍ୟାଚ ପାଇଁ ଅପରାହ୍ନ ୨ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ । ଭୁବନେଶ୍ବରରେ ପହଞ୍ଚିବା ପରେ ଅପରାହ୍ନ ୫ଟାରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବେ ସୌରଭ ଗାଙ୍ଗୁଲି । ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପରେ ଦାଦା ବାରବାଟୀ ଷ୍ଟାଡିୟମ ଯାଇ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଦ୍ୱିତୀୟ ଟି-୨୦ ମ୍ୟାଚ ଦେଖିବେ । ସୂଚନା ଅନୁସାରେ ଆଜି ବାରବାଟୀରେ ହେବାକୁ ଥିବା ଦ୍ୱିତୀୟ ଟି-୨୦ ମ୍ୟାଚକୁ ଘଣ୍ଟି ବଜାଇ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆଜିଠୁ ରାଜ୍ୟରେ ସକ୍ରିୟ ହେବ ପ୍ରାକ୍ ମୌସୁମୀ, ମେଘୁଆ ପାଗ ସହ ସ୍ଥାନେ ସ୍ଥାନେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ପ୍ରାକ୍ ମୌସୁମୀ ବର୍ଷା ସକ୍ରିୟ ହେବ । ଉତ୍ତର-ପଶ୍ଚିମ ଦିଗରୁ ଓଡ଼ିଶାକୁ ଆସୁଥିବା ଶୁଷ୍କ ବାୟୁ ପ୍ରବାହ ଦୁର୍ବଳ ହେବା ସହ ପୂବେଇ ପବନ ବହିବା ଆରମ୍ଭ ହୋଇଛି । ଯାହା ଫଳରେ ରାଜ୍ୟର କିଛି ସ୍ଥାନରେ ପାଗ ମେଘୁଆ ରହିବା ସହ ସ୍ଥାନେ ସ୍ଥାନେ ବର୍ଷା ହେଉଛି । ଆଜି ଭୁବନେଶ୍ବର, କଟକ ସମେତ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ଓଡ଼ିଶାକୁ ବଙ୍ଗୋପସାଗରରୁ ବାୟୁ ପ୍ରବାହ ହେବା ଯୋଗୁ ଆର୍ଦ୍ରତା ବଢ଼ିବା ସହ ଅଧିକ ବର୍ଷା ହେବ । ଘଡ଼ଘଡ଼ି ସହ ବର୍ଷା ପାଇଁ ୧୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ପାଗ ବଦଳିବା ଫଳରେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା କମିଛି । ଆସନ୍ତା ୩ରୁ ୪ ଦିନ ମଧ୍ୟରେ ସ୍ବାଭାବିକ ଠାରୁ ୨ରୁ ୩ ଡିଗ୍ରୀ ତାପମାତ୍ରା କମିବ ।