ଶ୍ରୀନଗର: ଜମ୍ମୁ-କାଶ୍ମୀର ପୁଲୱାମାରେ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀ ସଫା । ଆତଙ୍କବାଦୀଙ୍କ ନିକଟରୁ ୨ଟି AK-47 ରାଇଫଲ, ଗୋଟିଏ ପିସ୍ତଲ ସହ ମାରଣାସ୍ତ୍ର ଓ ଗୁଳି ଜବତ ହୋଇଛି । ଏବେ ପୁରା ଅଞ୍ଚଳରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି । ମୃତ ୩ ଆତଙ୍କୀ ଲସ୍କର-ଇ ତୋଇବାର ହୋଇଥିବା ସୂଚନା ମିଳିଛି । ହରିପୋରାର ଇରଫାନ୍ ମଲ୍ଲିକ, ପୁଲୱାମାର ଫଜିଲ ନଜୀର ଭଟ୍ଟ, ଗୁଦୌରାର ଜୁନୈଦ କାଦିର ନିହତ ହୋଇଥିବା କାଶ୍ମୀର ଆଇଜିପି ସୂଚନା ଦେଇଛନ୍ତି । ପୂର୍ବରୁ ୨୭ ମେ’ରେ ପୁଲୱାମାରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ହୋଇଥିଲା । ଯେଉଁଥିରେ ଲସ୍କର -ଇ-ତୋଇବାର ଜଣେ ଡେପୁଟି କମାଣ୍ଡର ସହ ୩ ଆତଙ୍କବାଦୀ ନିହତ ହୋଇଥିଲେ । ଏବେ ପୁଣି ସୁରକ୍ଷାବାହିନୀକୁ ଏକ ବଡ଼ ସଫଳତା ମିଳିଛି ।
ଆଜି ଚମ୍ପକ ଦ୍ବାଦଶୀ ନୀତି, ଘୋଷଯାତ୍ରା ପାଇଁ ଆଜିଠୁ ଦଇତାଙ୍କ ଶ୍ରୀମନ୍ଦିର ପ୍ରବେଶ
ପୁରୀ: ଆଜି ଚମ୍ପକ ଦ୍ବାଦଶୀ ନୀତି । ଘୋଷଯାତ୍ରା ପାଇଁ ଶ୍ରୀମନ୍ଦିରକୁ ଆଜିଠୁ ଦଇତାଙ୍କ ଶ୍ରୀମନ୍ଦିର ପ୍ରବେଶ । ଶ୍ରୀଜିଉଙ୍କ ଶ୍ରୀଅଙ୍ଗ ସେବକ ହୋଇଥିବାରୁ ସକାଳୁ ଦଇତାପତିମାନେ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି । ଆଜିଠୁ ଦୀର୍ଘ ଏକମାସରୁ ଉର୍ଦ୍ଧ ସମୟ ଧରି ମହାପ୍ରଭୁଙ୍କ ସ୍ନାନ ଯାତ୍ରା, ଅଣସର ନୀତି, ଶ୍ରୀଗୁଣ୍ଡିଚା ଯାତ୍ରା, ବାହୁଡା଼ ଯାତ୍ରା, ସୁନାବେଶ ଓ ନୀଳାଦ୍ରିବିଜେ ନୀତି ସମ୍ପାଦନ କରିବେ ଦଇତାପତି ସେବକ । ଦଇତା ପ୍ରବେଶ ନୀତି ଆରମ୍ଭ ହେବା ସହ କୋଠ ସୁଆଁସିଆ ସେବକଙ୍କ ଦ୍ୱାରା ଶ୍ରୀମନ୍ଦିରର ରତ୍ନ ସିଂହାସନରେ ଚାରମାଳ ବନ୍ଧାଯିବ । ମହାପ୍ରଭୁଙ୍କ ଘୋଷଯାତ୍ରା ନେଇ ବଉଳ କାଠ ସାକ୍ଷୀଗୋପାଳରୁ ସ୍ବତନ୍ତ୍ର ଶଗଡ଼ିରେ ଆସି ପହଞ୍ଚିଥିବା ବେଳେ ସେଗୁଡ଼ିକରେ ସେନାପଟା ନିର୍ମାଣ ପ୍ରସ୍ତୁତି ମଧ୍ଯ କରାଯିବ ।
ଅଶ୍ଳୀଳ ଭିଡ଼ିଓ ଏବଂ ବ୍ଲାକ୍ମେଲ ମାମଲା: 5 ଜଣକୁ ଗିରଫ କଲା ପୋଲିସ
ଜୟପୁର: ଅଶ୍ଳୀଳ ଭିଡ଼ିଓ ସୁଟ୍ କରି ବ୍ଲାକ୍ମେଲ କରିବା ମାମଲାରେ 5 ଜଣକୁ ଗିରଫ କରି କରିଛି ଜୟପୁର ଟାଉନ୍ ପୋଲିସ୍ । ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ଓ ଯୁବତୀ ପାରବେଡା ନିକଟ ଶିବ ମନ୍ଦିର ରାସ୍ତାରେ କଥା ହେଉଥିବା ବେଳେ 2ଜଣ ଯୁବକ ସେମାନଙ୍କୁ ଛୁରୀ ଦେଖାଇ ଭୟଭୀତ କରିବା ସହ ପାହାଡ ଉପରକୁ ନେଇ ଯାଇଥିଲେ । ସେଠାରେ ଥିବା ଅନ୍ୟ ଯୁବକମାନେ ମିଶି ଉଭୟଙ୍କୁ ଅଶ୍ଳୀଳ ଆଚରଣ କରିବାକୁ ବାଧ୍ୟ କରିଥିଲେ ।
ଏହାକୁ ମୋବାଇଲରେ ରେକର୍ଡ କରି 50 ହଜାର ଟଙ୍କା ଦେବାକୁ ବାଧ୍ୟ କରିଥିଲେ । ପୀଡିତ ଯୁବକ ସେମାନଙ୍କୁ କିଛି ଟଙ୍କା ଓ ମୋବାଇଲ ଦେଇ ଫେରି ଯାଇଥିବାବେଳେ ବଳକା ଟଙ୍କା ପରେ ଦେବାକୁ କହିଥିଲେ । ଏନେଇ ଅଭିଯୋଗ ପରେ ଯୋଜନା ମୁତାବକ ଟଙ୍କା ନେବାବେଳେ ଅଭିଯୁକ୍ତମାନଙ୍କୁ କାବୁ କରିଛି ପୋଲିସ୍ । ସେମାନଙ୍କ ନିକଟରୁ ଗୋଟିଏ ଛୁରୀ, ଗୋଟିଏ ସ୍କୁଟି ଓ 7 ହଜାର ଟଙ୍କା ଜବତ କରାଯାଇଥିବା ସାମ୍ବାଦିକ ସମିଳନୀରେ ସୂଚନା ଦେଇଛନ୍ତି ଜୟପୁର SDPO ।
ଟଲିଉଡ୍ ଫ୍ୟାସନ ଡିଜାଇନରଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ
ହାଇଦ୍ରାବାଦ: ଫ୍ୟାସନ ଡିଜାଇନରଙ୍କ ସନ୍ଦେହଜନକ ମୃତ୍ୟୁ । ଟଲିଉଡର ଜଣାଶୁଣା ଫ୍ୟାସନ ଡିଜାଇନର ପ୍ରତ୍ୟୁଷା ଗାରିମେଲାଙ୍କ ମୃତ୍ୟୁ। ଶନିବାର ଦିନ ହାଇଦ୍ରାବାଦର ବନଜାରା ହିଲ୍ସରେ ଥିବା ତାଙ୍କ ଆପାର୍ଟମେଣ୍ଟର ବାଥରୁମରେ ପ୍ରତ୍ୟୁଷା ଗାରିମେଲାଙ୍କ ମୃତଦେହ ମିଳିଛି। ତାଙ୍କ ବେଡ୍ରୁମ୍ରୁ ଗୋଟିଏ ବୋତଲ କାର୍ବନ ମନୋକ୍ସାଇଡ ମିଳିଥିବା ବେଳେ ଏହାକୁ ଶୁଙ୍ଘିଥିବାରୁ ତାଙ୍କର ଏଭଳି ଅବସ୍ଥା ହୋଇଥିବା ପୋଲିସ ସନ୍ଦେହ କରୁଛି । ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ମାମଲା ରୁଜୁ କରି ତଦନ୍ତ ଚଳାଇଛି ପୋଲିସ ।

ଶବ ବ୍ୟବଚ୍ଛେଦ ପାଇଁ ଓସମାନିଆ ହସ୍ପିଟାଲକୁ ପଠାଇଛି। ପ୍ରତ୍ୟୁଷା ଆମେରିକାରେ ଫ୍ୟାଶନ ଡିଜାଇନିଂ ପାଠ ପଢ଼ିବା ପରେ ହାଇଦ୍ରାବାଦରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ସେ ୨୦୧୩ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିବା ସହ ଆଉ ପଛକୁ ଚାହିଁ ଦେଖିନଥିଲେ। ସେ ଟଲିଉଡର ଅନେକ ଲୋକପ୍ରିୟ ସେଲିବ୍ରିଟିଙ୍କ ସହ କାମ କରିବା ସହ ବଲିଉଡରେ ମଧ୍ୟ କାମ କରିଥିଲେ। ଏବେ ହଠାତ ତାଙ୍କର ମୃତ୍ୟୁ ହେବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ତେବେ ଚର୍ଚ୍ଚା ମୁତାବକ ପ୍ରତ୍ୟୁଷା ଅବସାଦଗ୍ରସ୍ତ ଥିଲେ । ଏହି କାରଣରୁ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଥିବା ବେଳେ ଏହି ଦିଗକୁ ନେଇ ତଦନ୍ତ ଚଳାଇଛି ପୋଲିସ ।
ଏଥିସହିତ ପଢ଼ନ୍ତୁ: କ୍ରସ ଭୋଟିଂ ପାଇଁ ଦଳରୁ ବିଦା ହେଲେ କଂଗ୍ରେସ ବିଧାୟକ କୁଲଦୀପ
ତାତିରୁ ତ୍ରାହି, ଆଗାମୀ ୫ ଦିନ ପ୍ରବଳ ବର୍ଷିବ
ନୂଆଦିଲ୍ଲୀ: ଦିଲ୍ଲୀ ଓ ଉତ୍ତର ପ୍ରଦେଶ ସମେତ ପ୍ରବଳ ତାତିରେ ଯନ୍ତ୍ରଣା ଭୋଗୁଥିବା ଉତ୍ତର ଭାରତ ଏବେ ମୌସୁମୀ ଅପେକ୍ଷାରେ । ଆଉ ଏହାରି ମଧ୍ୟରେ ଖୁସି ଖବର ଦେଇଛି ଭାରତୀୟ ପାଣିପାଗ ବିଭାଗ । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆରବ ସାଗରର କିଛି ଭାଗ, ପୂର୍ବ ଗୋଆ, କୋଙ୍କଣର କିଛି ଭାଗ ଓ କର୍ଣ୍ଣାଟକର କିଛି ଭାଗ ଦେଇ ଅଗ୍ରସର ହେଉଛି ।
ଯେଉଁଥିପାଇଁ ଆଗାମୀ ୫ ଦିନ ପର୍ଯ୍ୟନ୍ତ କିଛି ରାଜ୍ୟରେ ବର୍ଷା ଲାଗି ରହିବ । ଖାସ କରି ୫ ଦିନ ପର୍ଯ୍ୟନ୍ତ ପୂର୍ବ ଭାରତ, ଉପ ହିମାଳୟର ପଶ୍ଚିମବଙ୍ଗ ଅଂଶ ଓ ସିକିମରେ ପ୍ରବଳ ବର୍ଷା ଅନୁମାନ କରାଯାଉଛି । ସେହିପରି ବିହାର ଓ ଝାଡଖଣ୍ଡରେ ମଧ୍ୟ ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ।
ମହାରାଷ୍ଟ୍ରରେ କିନ୍ତୁ ଏଣ୍ଟ୍ରି କରିଛି ମୌସୁମୀ । ଜୁନ ୧୪ ଯାଏଁ ରାଜ୍ୟରେ ବର୍ଷା ଲାଗି ରହିବ । ଆଜି ମୁମ୍ବାଇରେ ସର୍ବନିମ୍ନ ତାପମାତ୍ରା ୨୬ ଡିଗ୍ରୀ ଥିବାବେଳେ ସର୍ବାଧିକ ତାପମାତ୍ରା ୩୪ ଡିଗ୍ରୀ ରେକର୍ଡ କରାଯାଇଛି ।
କ୍ରସ ଭୋଟିଂ ପାଇଁ ଦଳରୁ ବିଦା ହେଲେ କଂଗ୍ରେସ ବିଧାୟକ କୁଲଦୀପ
ନୂଆଦିଲ୍ଲୀ: କ୍ରସ ଭୋଟିଂ କରି ବିଦା ହେଲେ କଂଗ୍ରେସର ବରିଷ୍ଠ ନେତା । ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ ଅଭିଯୋଗରେ ଦଳରୁ ବିଦା ହୋଇଛନ୍ତି ଦଳର ବରିଷ୍ଠ ନେତା କୁଲଦୀପ ବିଷ୍ଣୋଇ । ଦଳର ସମସ୍ତ ପଦରୁ ହଟାଇଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଏ ନେଇ ଦଳର ସାଧାରଣ ସମ୍ପାଦକ କେ.ସି ଭେଣୁଗୋପାଳ ସୂଚିତ କରିଛନ୍ତି ।
ସୂଚନା ଅନୁଯାୟୀ, ରାଜ୍ୟସଭା ନିର୍ବାଚନରେ ହରିୟାଣାର ଦୁଇଟି ଆସନ ପାଇଁ କ୍ରସ ଭୋଟିଂ କରି ବିଧାୟକ ଜଣଙ୍କ ଏବେ ଦଳରେ କ୍ରୋଧର ଶିକାର ହୋଇଛନ୍ତି । ତାଙ୍କର ଏହି ପଦକ୍ଷେପ ପାଇଁ କଂଗ୍ରେସ ପ୍ରାର୍ଥୀ ଅଜୟ ମାକେନ ପରାଜୟ ହେବାରୁ ଏବେ ତାଙ୍କୁ ସମସ୍ତ ପଦରୁ ହଟାଇ ଦିଆଯାଇଛି । କାର୍ତ୍ତିକେୟ ଶର୍ମାଙ୍କ ପାଇଁ ବିଷ୍ଣୁ କ୍ରସ ଭୋଟ୍ କରିଥିଲେ, ଯିଏ ବିଜେପି ତଥା ଏହାର ସହଯୋଗୀ ଜେଜେପି ଦ୍ୱାରା ସମର୍ଥିତ ଜଣେ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନରେ ଭାଗ ନେଇଥିଲେ । କଂଗ୍ରେସ ଦଳରେ ରହି ଏଭଳି ଭାବେ ଦଳକୁ ଠକିବାରୁ ଅଜୟ ମାକନଙ୍କୁ ହାରିବାକୁ ପଡ଼ିଥିଲା। ଅଜୟ ମାକନ ହାରିବା ପରେ କୁଲଦୀପ ବିଷ୍ଣୋଇ ଟ୍ୱିଟ୍ କରି ଲେଖିଥିଲେ ଯେ, ଫଣାକୁ ଭାଙ୍ଗିବାର କ୍ଷମତା ମୋ ପାଖରେ ଅଛି, ସାପର ଭୟ ପାଇଁ ମୁଁ ଜଙ୍ଗଲ ଛାଡିବି ନାହିଁ। ଶୁଭ ସକାଳ।’ ତେବେ ହରିୟାଣା ପ୍ରଦେଶ କଂଗ୍ରେସ କମିଟିର ପୁନର୍ଗଠନ ବେଳେ ତାଙ୍କୁ ଦଳରୁ ଦୂରେଇ ରଖାଯାଇଥିବାରୁ ଏଭଳି ଚର୍ଚ୍ଚା ହେଉଛି ।

