spot_img
Home Blog Page 4310

ହର୍ଷଙ୍କୁ ପସନ୍ଦ ଆସିଲା ଦୋସା ଦୋକାନୀଙ୍କ ନିଆରା ଅନ୍ଦାଜ

ନୂଆଦିଲ୍ଲୀ: ହର୍ଷ ଗୋଏଙ୍କା  ସୋସିଅଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌ । ଅଧିକାଂଶ ସମୟରେ ସେ ତାଙ୍କ ଫଲୋର୍ସଙ୍କ ସହିତ ମଜାଦାର ଭିଡ଼ିଓ ସବୁ ଶେୟାର କରନ୍ତି । ନିକଟରେ ସେ ସେହିଭଳି ଏକ ଭିଡ଼ିଓ ଶେୟାର କରିଛନ୍ତି । ଭିଡ଼ିଓରେ ଜଣେ ବ୍ୟକ୍ତିଙ୍କୁ ରାସ୍ତାକଡ଼ରେ ଏକ ଠେଲାଗାଡ଼ିରେ ଦୋସା ତିଆରି କରୁଥିବାର ଦେଖିବାକୁ ମିଳିଛି । ଦୋସା ତିଆରି କରିବାର ଅଦ୍ଭୁତ  କଳା ରାସ୍ତାରେ ଯାଉଥିବା ଲୋକଙ୍କୁ ଦୋକାନ ନିକଟକୁ ଟାଣି ଆଣିବ । ହର୍ଷ ଗୋଏଙ୍କାଙ୍କୁ ଏହି ଭିଡ଼ିଓଟି ଖୁବ ଆକର୍ଷିତ କରିଛି ।  ଭିଡ଼ିଓଟିକୁ ଏପର୍ଯ୍ୟନ୍ତ ୫୦ ହଜାରରୁ ଅଧିକ ଥର ଦେଖା ସରିଲାଣି ।

ଭାଇରାଲ ଭିଡ଼ିଓରେ ଆପଣ ଦୋସା ଦୋକାନୀଙ୍କୁ ଏକ ଠେଲା ଗାଡ଼ିରେ ଏକ ଭିନ୍ନ ଅନ୍ଦାଜରେ ଦୋସା ତିଆରି କରୁଥିବାର ଦେଖିବାକୁ ପାଇବେ ।  ଦୋସା ତିଆରି କରିବା ଠାରୁ ଆରମ୍ଭ କରି ଡ୍ୟାନ୍ସିଂ ଷ୍ଟାଇଲରେ ଫୋପାଡ଼ି ସର୍ଭ କରିବା ପର୍ଯ୍ୟନ୍ତ ଆପଣଙ୍କୁ ତାଙ୍କ ଦୋକାନ ନିକଟକୁ ଯିବାକୁ ବାଧ୍ୟ କରିବ । କିନ୍ତୁ ଖାସ୍‌ କଥା ହେଉଛି ଆମେ ଯାହା ମଧ୍ୟ କାମ କରୁ ହୃଦୟରୁ ମନ ଧ୍ୟାନ ଦେଇ କରିବା ଉଚିତ୍‌, ଏହାଦ୍ୱାରା ଆନନ୍ଦ ମିଳିଥାଏ । ଯାହା ଏହି ବ୍ୟକ୍ତିଙ୍କ ନିକଟରେ ସମ୍ପୂର୍ଣ୍ଣ ଭାବରେ ଦେଖିବାକୁ ମିଳିଛି ।

କେହି କେହି ତାଙ୍କୁ ରୋବଟଠାରୁ ଅଧିକ ଉଚ୍ଚ ସ୍ଥାନରେ ରଖିଛନ୍ତି । ଲୋକଙ୍କ କହିବା ହେଉଛି ରୋବୋ ମଧ୍ୟ ଏମିତି କାମ କରିପାରିବ ନାହିଁ ଯେମିତି ସେହି ଦୋସା ଦୋକାନୀ କରୁଛନ୍ତି । ତେବେ ଏଠାରୁ ଲୋକ ହୋମ୍‌ ଡେଲିଭରି ପସନ୍ଦ କରନ୍ତି ନାହିଁ । କାରଣ ଗ୍ରାହକ ସେହି ସ୍ଥାନରେ ହିଁ ଦୋସାର ମଜା ନେବାକୁ ଚାହାଁନ୍ତି ।

KGFର ଜଲୱା ଜାରି, ୧୧ଦିନରେ ୮୮୩କୋଟି ଟଙ୍କା ଆୟ

ନୂଆଦିଲ୍ଲୀ: ଗ୍ଲୋବାଲ ଷ୍ଟାର ହୋଇଯାଇଥିବା ଅଭିନେତା ୟସଙ୍କ ଫିଲ୍ମ KGF -2 ବ୍ଲକବଷ୍ଟର ହୋଇଯାଇଛି । ଆଉ ଏହି ଫିଲ୍ମ ବକ୍ସଅଫିସରେ ଧମାଲ କରିଛି । ଫିଲ୍ମ ରିଲିଜ ହେବାର ୧୧ ଦିନ ହୋଇଯାଇଥିଲେ ବି ଏହାର କ୍ରେଜ କମିନି । KGF -2 ଭାରତର ୬ଷ୍ଠ  ସବୁଠୁ ଅଧିକ ରୋଜଗାର କରିଥିବା ଫିଲ୍ମ ହୋଇଯାଇଛି । ବର୍ତ୍ତମାନ ସୁଦ୍ଧା ଫିଲ୍ମଟି ସମୁଦାୟ ୮୮୩କୋଟି ଟଙ୍କାର ଆୟ କରିସାରିଛି ।

କୁହାଯାଉଛି ଯେ, ୧୧ଦିନରେ KGF-2 ୮୮୩କୋଟି ଟଙ୍କା ରୋଜଗାର କରି ଅମିର ଖାନଙ୍କ ଫିଲ୍ମ ପିକେ’କୁ ପଛରେ ପକାଇଛି । ଆଉ ଏହି ଫିଲ୍ମ ଖୁବ ଶୀଘ୍ର ହଜାର କୋଟି ଟଙ୍କାରୁ ଅଧିକ ଆୟ କରିବ ବୋଲି ଅନୁମାନ କରାଯାଉଛି ।

ଟ୍ରେଣ୍ଡ ଆନାଲିଷ୍ଟ ମନୋବାଲା ବିଜୟବାଲାଙ୍କ ଟ୍ୱିଟ ଅନୁସାରେ, ୧୦୦କୋଟିର ବଜେଟରେ ନିର୍ମିତ ଫିଲ୍ମ  KGF-2 ଦ୍ୱତୀୟ ସପ୍ତାହ ଅର୍ଥାତ୍ ୧୧ତମ ଦିନରେ ୬୪.୮୩ କୋଟି ଟଙ୍କାର ରୋଜଗାର କରିଛି । ଏବଂ ଏହି ଆୟକୁ ଯୋଡ଼ି KGF-2  ବର୍ତ୍ତମାନ ସୁଦ୍ଧା ୮୮୩.୫୬ କୋଟି ଟଙ୍କା ହୋଇଛି । କୁହାଯାଉଛି ଯେ, ଫିଲ୍ମଟି ଅମିରଙ୍କ  ଫିଲ୍ମ ପିକେ’ର ଲାଇଫଟାଇମ୍ କଲେକ୍ସନକୁ ପଛରେ ପାଇଛି ଏବଂ ଭାରତର ସବୁଠୁ ଅଧିକ ରୋଜଗାର କରିଥିବା ୬ଷ୍ଠ ଫିଲ୍ମ ହୋଇଯାଇଛି ।

ହିନ୍ଦି ଭାଷାରେ ୩୦୦କୋଟିରୁ ଅଧିକ ଟଙ୍କାର ଆୟ କରିସାରିଛି KGF-2

ରକି ଭାଇ ଅର୍ଥାତ୍ ୟଶଙ୍କ ଫିଲ୍ମ KGF-2ର ହିନ୍ଦି ଭର୍ଜନ ମଧ୍ୟ ବକ୍ସ ଅଫିସରେ କମାଲ କରିଛି । ଏହା ୩୦୦ କୋଟିରୁ ଅଧିକ ଆୟ କରିସାରିଛି । ଟ୍ରେଣ୍ଡ ଆନାଲିଷ୍ଟ ତରୁଣ ଆଦର୍ଶଙ୍କ ଅନୁସାରେ KGF-2ର ହିନ୍ଦି ବର୍ଜନ ୧୧ଦିନରେ ୩୨୧.୧୨ କୋଟି ଟଙ୍କା ରୋଜଗାର କରିସାରିଛି । ସୂଚନା ଥାଉକି, ଫିଲ୍ମଟିକୁ ୧୪ ଏପ୍ରିଲ ହଲମାନଙ୍କରେ ରିଲିଜ କରାଯାଇଛି । ଏହି ଫିଲ୍ମରେ ୟସ ଏବ ଶ୍ରୀନିଧି ସେଠୀଙ୍କ ବ୍ୟତୀତ ସଞ୍ଜୟ ଦତ୍ତ, ରବୀନା ଟଣ୍ଡନଙ୍କ ଭଳି ନାମିଦାମୀ ଅଭିନେତା ଅଛନ୍ତି । ଆଉ ଏହି ଫିଲ୍ମ ପାଇଁ ସମସ୍ତ କଳାକାରଙ୍କୁ ଖୁବ ପ୍ରଶଂସା ମଧ୍ୟ ମିଳିଛି । ଆଉ ମଧ୍ୟ ସମସ୍ତଙ୍କ ଚରିତ୍ର ସୁପର ହିଟ୍ ହୋଇଛି । ଫିଲ୍ମଟିକୁ ତେଲୁଗୁ, ତାମିଲ, କନ୍ନଡ, ହିନ୍ଦି ଏବଂ ମାଲୟାଲମ ଭାଷାରେ ରିଲିଜ କରାଯାଇଛି ।

ଏଲନ୍ ଆପଣଙ୍କ ମୁଣ୍ଡରେ ସିଲିକନ୍ ଚିପ୍ ଫିଟ୍ କରିବାକୁ ଚାହାନ୍ତି

 ନନ୍ଦିଘୋଷ ବ୍ୟୁରୋ: ଏଲୋନ ମସ୍କ । ଟ୍ୱିଟରର ନୂଆ ମାଲିକ । ବିବାଦୟୀ ବ୍ୟକ୍ତିତ୍ୱ । ଭବିଷ୍ୟତ ବକ୍ତା । ବର୍ତ୍ତମାନ ଉପରେ ଛିଡା ହୋଇ ଭବିଷ୍ୟତର ଏମିତି ସ୍ୱପ୍ନ ଦେଖନ୍ତି ଯାହା ଅନେକଙ୍କୁ ନିରୂତା ପାଗଳାମୀ ଲାଗିପାରେ । କିନ୍ତୁ ଏଲୋନଙ୍କୁ ଆପଣଙ୍କ ଭାବିବା କିଛି ଫରକ ପଡେନି । ଦୁନିଆର ଧନୀଙ୍କ ତାଲିକାରେ ରାଜୁତି କରୁଥିବା ଏଲୋନ ମଙ୍ଗଳ ଗ୍ରହରେ ମାନବ ବସତି ସ୍ଥାପନ କରିବା ଚାହାନ୍ତି । ମସ୍କଙ୍କ ମସ୍ତିଷ୍କରେ ଏମିତି ବହୁତ କିଛି ପ୍ଲାନ୍ ଓ ପ୍ଲାନିଂ ଅଛି ଯାହା ବର୍ତ୍ତମାନ ଅଜବ ଗଜବ ଲାଗିପାରେ କିନ୍ତୁ ଦିନେ ହୁଏତ ତାହା ସତ ହେବ । ଏମିତିରେ ଉଡିବା ବି ଦିନେ ମଣିଷର କଳ୍ପନାର ଉଡ଼ାଣ ଥିଲା । ତେଣୁ ଏଲନଙ୍କ କଳ୍ପନାର ଉଡ଼ାଣ ଦିନେ ବାସ୍ତବରେ ମଙ୍ଗଳରେ ମାନବ ବସ୍ତିର ରୂପ ନନେବ ତା’ କିଏ କହିବ ।


ଟ୍ୱିଟର ନୂଆ ମାଲିକ ଚଢେଇକୁ ଫ୍ରି ସ୍ପିଚର ମୁକ୍ତ ବିହଙ୍ଗ କରିବେ କି ତା’ ପାଇଁ ସୁନାର ପଂଜୁରୀ ବନାଇବେ ତା’ କେଇ ଦିନ କେଇ ମାସ ମଧ୍ୟରେ ଜଣା ପଡିଯିବ । କିନ୍ତୁ ଏଇଠି ଏଲନ ପୃଥିବୀ ନାମକ ଗ୍ରହରେ ମାନବ ନାମକ ପ୍ରଜାତିକୁ ନେଇ କେଉଁଭଳି ସ୍ୱପ୍ନ ଦେଖନ୍ତି ତା’ ବି ଜାଣିବା ଜରୁରୀ ।
ଫାଇନାନ୍ସିଆଲ ଟାଇମ୍ସ ଓ ଟାଇମ୍ ମ୍ୟାଗାଜିନର ପର୍ସନ୍ ଅଫ ଦି ଇୟର ଏଲନଙ୍କୁ ନେଇ ଅନେକ ବିବାଦ ରହିଛି । ଗୋଟିଏ ପଟେ ସେ ସ୍ୱାଧିନ ଅଭିବ୍ୟକ୍ତିର ଅଧିକାର ସପକ୍ଷରେ ଓକିଲାତି କରନ୍ତି ଅନ୍ୟପକ୍ଷରେ ତାଙ୍କର ଜଣେ କର୍ମଚାରୀ ଯେତେବେଳେ ଟେସଲା କାରରେ ଥିବା କମି ବାବାଦରେ ବ୍ଲଗ୍ କରନ୍ତି ସେତେବେଳେ ସେ ସେହି କର୍ମଚାରୀଙ୍କୁ କମ୍ପାନୀରୁ ବିଦା କରି ଦିଅନ୍ତି ।

ଏଲନ୍ ଖାଲି ଆପଣଙ୍କୁ ମହାକାଶକୁ ଟୁରିଷ୍ଟ୍ ଭାବେ ପଠାଇବାକୁ ଚାହାନ୍ତି ନାହିଁ । ସେ ମଧ୍ୟ ଆପଣଙ୍କୁ ମଙ୍ଗଳ ଗ୍ରହରେ ପରମାନେଣ୍ଟଲି ବସାଇବାକୁ ଚାହାନ୍ତି । ଆଉ… ରୁହନ୍ତୁ.. କେବଳ ଏତିକି ନୁହେଁ । ଏଲନ ଚାହାନ୍ତି ସବୁ ମଣିଷଙ୍କ ମସ୍ତିଷ୍କ ଭିତରେ ସିଲିକନ୍ ଚିପ୍ ଫିଟ୍ କରିବା । ଏଥିପାଇଁ ସେ ୧୦୦ ମିଲିୟନ ଡଲାର ପୁଂଜି ନିବେଶ କରି ସାରିଛନ୍ତି ମଧ୍ୟ । ମଣିଷ ମସ୍ତିଷ୍କରେ ଚିପ୍ ଫିଟ୍ କରି ସେ ମାନବକୁ ସୁପର ହ୍ୟାମନ ବନାଇବା ଲକ୍ଷ୍ୟ ରଖନ୍ତି । କିନ୍ତୁ ସମାଲୋଚକଙ୍କ କହିବା ହେଉଛି ଏଭଳି ଚିପ୍ ଫିଟ୍ କରି ଭବିଷ୍ୟତରେ କେହି ନିରଙ୍କୁଶ ଶାସକ ନିଜ ଦେଶର ନାଗରିକଙ୍କୁ ନିୟନ୍ତ୍ରିତ କରିବା କିଛି ଅସମ୍ଭବ ନୁହେଁ ।

କଳ୍ପନା କରନ୍ତୁ ସବୁ ନାଗରିକଙ୍କୁ କରୋନା ଟିକା ଦେବାଭଳି ଯଦି କୌଣସି ଦେଶର ଶାସକ ଯଦି ଜନ୍ମରୁ ସବୁ ଶିଶୁଙ୍କ ମୁଣ୍ଡରେ ଚିପ୍ ଫିଟ୍ କରାଇ ଦେବେ ଓ ସେଥିରେ କେବଳ ଶାସକ ଓ ସରକାରଙ୍କ ଆଦେଶକୁ ଆଖି ବୁଜି ମାନିବା କମାଣ୍ଡ୍ ସେଟ୍ କରାଯାଇଥିବ ତେବେ କ’ଣ ହେବ ? ଦେଶରେ ମେଣ୍ଢା ଚାଲି ଆରମ୍ଭ ହେବ । ମେଣ୍ଢାଙ୍କ ଭଳି ଶାସକ ଗୋଷ୍ଟିର ଖରାପ ଓ ଭୁଲ ଆଦେଶକୁ ମଧ୍ୟ ନାଗରିକ ମାନିବେ ।

ଏବେ ଚାଲନ୍ତୁ ଜାଣିବା ମାର୍ସ ବା ମଙ୍ଗଳ ଗ୍ରହକୁ ନେଇ ଏଲନଙ୍କ ପ୍ଲାନ୍ କ’ଣ ? ଏଲନ୍ ମଙ୍ଗଳ ଗ୍ରହରେ କେବଳ ମାନବ ବସତି ସ୍ଥାପନ କରିବାକୁ ଚାହାନ୍ତି ନାହିଁ । ସେଠାରେ ସେ ନିଜର ସରକାର ମଧ୍ୟ ପ୍ରତିଷ୍ଠା କରିବାକୁ ଚାହାନ୍ତି । ତେବେ ସେ କୁହନ୍ତି ଯେ, ମଙ୍ଗଳ ଗ୍ରହର ଗଣତନ୍ତ୍ର ପୃଥିବୀରେ ପ୍ରଚଳିତ ଗଣତନ୍ତ୍ର ଭଳି ହେବ ନାହିଁ । ମଙ୍ଗଳରେ ସେ ପ୍ରତ୍ୟକ୍ଷ ବା ଡାଇରେକ୍ଟ ଡେମୋକ୍ରସି ପ୍ରତିଷ୍ଠାର ଲକ୍ଷ୍ୟ ରଖନ୍ତି । ଅର୍ଥାତ ଏମିତି ସରକାର ଯେଉଁଥିରେ କୌଣସି ବିଲ୍ ପାସ୍ ହେବ କି ନାହିଁ ତା’ ଉପରେ ସବୁ ନାଗରିକ ଭୋଟ୍ ଦେବେ ।

ଏଲନଙ୍କ ବିବାଦୀୟ ଚିନ୍ତାଧାରା କାରଣରୁ ଟ୍ୱିଟରର ଭବିଷ୍ୟତକୁ ନେଇ ଆଶଙ୍କା ପ୍ରକାଶ ପାଉଛି । ଏଲନ୍ ଟ୍ୱିଟରର କିଣି ସ୍ୱାଧିନ ଅଭିବ୍ୟକ୍ତିକୁ ସ୍ପେସ୍ ଦେବାକୁ ଚାହୁଁଛନ୍ତି ନା ସେ ଦୁନିଆର ବାସ୍ତବତାରୁ ଢେର ଦୂରରେ ଅଛନ୍ତି ? ଟ୍ୱିଟରର ନୂଆ ମାଲିକ ସୋସିଆଲ ମିଡିଆକୁ ପ୍ରକୃତ ଅର୍ଥରେ ସ୍ୱାଧିନତା ଦେବେ କି ? ଉଭୟ ବାମପନ୍ଥୀ ଓ ଦକ୍ଷୀଣପନ୍ଥୀ ଚିନ୍ତାଧାରାକୁ ନିଜ କଥା ରଖିବା ପାଇଁ ଟ୍ୱିଟରରେ ସ୍ଥାନ ମିଳିବ କି ?

ଏଲନ ହେଉଛନ୍ତି ଜଣେ ଜଟିଳ ବ୍ୟକ୍ତିତ୍ୱର ଅଧିକାରୀ । ତୁମେ ତାଙ୍କୁ ଭଲ ପାଅ କି ଘୃଣା କର । କିନ୍ତୁ ସତ ହେଉଛି ସେ ହାତ ଗଣତି କେଇଜଣ ଲୋକଙ୍କ ମଧ୍ୟରୁ ଜଣେ ଯିଏ ଦୁନିଆକୁ ବଦଳାଇବାର କ୍ଷମତା ରଖନ୍ତି । ନିଜ ଲକ୍ଷ୍ୟ ହାସଲ ନକରିବା ପର୍ଯନ୍ତ ଲଢୁଥିବା ଜଣେ କମ୍ପଲେକ୍ସ କ୍ୟାରେକ୍ଟରର ନାମ ହେଉଛି ଏଲନ୍ ମସ୍କ ।

୧୧୯ ବର୍ଷ ବୟସରେ ବିଶ୍ୱର ସବୁଠୁ ବୟସ୍କା ମହିଳାଙ୍କ ଦେହାନ୍ତ

ନୂଆଦିଲ୍ଲୀ: ବିଶ୍ବର ସବୁଠୁ ବୟସ୍କା ମହିଳାଙ୍କ ଦେହାନ୍ତ । ୧୯୦୩ ମସିହାରେ ଜନ୍ମିତ କୈନ ତନାକାଙ୍କର ୧୧୯ ବର୍ଷ ବୟସରେ ମୃତ୍ୟୁ ହୋଇଛି । ଗତ କିଛିଦିନ ହେବ ସେ ଅସୁସ୍ଥ ଥିଲେ । ତାଙ୍କ ମୃତ୍ୟୁରେ ଗିନିଜ ବୁକ ଅଫ୍ ଓ୍ବାଲଡ ରେକର୍ଡ ଶୋକବ୍ୟକ୍ତ କରିଛି । ଅନ୍ତରାଷ୍ଟ୍ରୀୟ ମିଡିଆ ମୁତାବକ, ୨ ଜାନୁୟାରୀ ୧୯୦୩ରେ କୈନ ଜାପାନର ଫୁକୁଓକା ସିଟିରେ ଜନ୍ମ ଗ୍ରହଣ କରିଥିଲେ । 

ତେବେ ୧୯୨୨ରେ ବିବାହ କରିଥିଲେ କୈନ୍ । ତାଙ୍କର ୫ଟି ସନ୍ତାନ ମଧ୍ୟ ଅଛନ୍ତି । ୨୦୧୯ରେ ତାଙ୍କ ନାମ ଗିନିଜ ବୁକରେ ସାମିଲ ହୋଇଥିଲା । ତେବେ ୧୯ ଏପ୍ରିଲରେ ଏକ ନର୍ସିଂହୋମରେ କୈନଙ୍କ ମୃତ୍ୟୁ ହୋଇଛି । କୈନଙ୍କ ମୃତ୍ୟୁ ପରେ ଦୁନିଆର ସବୁଠୁ ବୟସ୍କା ତାଲିକାରେ ସାମିଲ ହୋଇଛନ୍ତି ଫ୍ରାନ୍ସର ଲୁସିଲେ ରାନଡନ ।

କୁନି ବିଦେଶିନୀ ପ୍ରଥମ ଥର ଖାଇଲେ ଭାରତୀୟ ଖାଦ୍ୟ, ଦେଖନ୍ତୁ କିଭଳି ଥିଲା ପ୍ରତିକ୍ରିୟା

ନୂଆଦିଲ୍ଲୀ: ଯଦି ଆପଣ ବିଦେଶରେ ରହୁଥିବା ଜଣେ ଭାରତୀୟ, ତେବେ ଆପଣ ନିଶ୍ଚିତ ଭାବରେ ଜାଣିଥିବେ ସାରା ବିଶ୍ୱର କୋଣ ଅନୁକୋଣରେ ଭାରତୀୟ ଖାଦ୍ୟର ଚାହିଦା କେତେ । ଏହାର ସୁଗନ୍ଧ ଏବଂ ମସଲାର ସ୍ୱାଦ ସମସ୍ତଙ୍କୁ ମତୁଆଲା କରେ ।  ଭାରତୀୟ ଖାଦ୍ୟ ମଧ୍ୟରେ ଚିକେନ୍‌ ଟିକାର ଚାହିଦା ବେଶ୍‌ ରହିଛି  । ବିଦେଶରେ ମଧ୍ୟ ଏହାର ଚାହିଦା କିଛି କମ୍‌ ନୁହେଁ । ନିକଟରେ ଗୋଟିଏ ଛୋଟ ପିଲା ଅଷ୍ଟ୍ରେଲିୟାର ଏକ ରେଷ୍ଟୁରାଣ୍ଟରେ ଭାରତୀୟ ଖାଦ୍ୟର ସ୍ୱାଦ ଚାଖିଥିବାର ଦେଖିବାକୁ ମିଳିଛି । ପିଲାଟି ଅନ୍ନ ସହିତ କଢ଼ାଇ ଚିକେନ୍‌ ଏବଂ କିଛି ଆମ୍ବ କୁଲଫି ଖାଇଲେ । ଯାହାର ଭିଡ଼ିଓ ଇଂଷ୍ଟାଗ୍ରାମରେ ଜଣେ ଶେୟାର କରିଛନ୍ତି ।

ଭାଇରାଲ ଭିଡ଼ିଓରେ ପିଲାଟିକୁ ଭାରତୀୟ ଖାଦ୍ୟ ଖାଉଥିବାର ଦେଖିବାକୁ ମିଳିଛି । କିନ୍ତୁ ଖାଇବା ପରେ ଶେଷକୁ ଭାରତୀୟ ରେଷ୍ଟୁରାଣ୍ଟରେ  ମାଉଥ୍‌ ଫ୍ରାଶନର ଭାବରେ ପାନମଧୁରୀ ଓ ବଡ଼ ଚିନି ଖାଇବାକୁ ଦିଆଯାଏ । ତେବେ ତାକୁ ଖାଇବା ପରେ ପିଲାଟିର ପ୍ରତିକ୍ରିୟା ଯାହା ଥିଲା, ଆପଣ ମଧ୍ୟ ଦେଖନ୍ତୁ ।

 

View this post on Instagram

 

A post shared by ? (@angeerowden)

ଏହି ଭିଡ଼ିଓ ଅପଲୋଡ୍‌ ହେବାମାତ୍ରେ ଲୋକେ ଏହାକୁ ଶେୟାର କରିବା ଆରମ୍ଭ କରି ଦେଇଛନ୍ତି । ପ୍ରାୟ ୧ ଲକ୍ଷରୁ ଅଧିକ ଲୋକ ଏହି ଭିଡ଼ିଓ ଦେଖି ସାରିଲେଣି ।

ଦେଶରେ ବଢୁଛି ସଂକ୍ରମଣ ! ଜାଣନ୍ତୁ କେଉଁ ରାଜ୍ୟର କଣ ରହିିଛି ପରିସ୍ଥିତି ଏବଂ କଣ ରହିଛି ପ୍ରତିବନ୍ଧକ

ନୂଆଦିଲ୍ଲୀ: ଦେଶରେ ପୁଣି ମୁଣ୍ଡ ଟେକୁଛି ସଂକ୍ରମଣ । ଦେଶରେ କରୋନା ସଂକ୍ରମଣ କ୍ରମାଗତ ୧୧ ସପ୍ତାହ ହ୍ରାସ ପାଇବା ପରେ ଗତ ଦୁଇ ସପ୍ତାହରେ ଆକ୍ରାନ୍ତ ସଂଖ୍ୟା ପୁଣି ବଢିଛି । ଗତ ତିନି ଦିନ ଧରି, ୨୫୦୦ରୁ ଅଧିକ ମାମଲା ରିପୋର୍ଟ କରାଯାଉଛି । ୧୮ ରୁ ୨୪ ଏପ୍ରିଲ ମଧ୍ୟରେ, ୧୫,୭୦୦ରୁ ଅଧିକ ନୂଆ ଆକ୍ରାନ୍ତି ଚିହ୍ନ ଟ ହୋଇଛନ୍ତି । ତେବେ ଗତ ସପ୍ତାହରେ ୩ଟି ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏବେ ତାହ ବଢି ୧୨ ରାଜ୍ୟରେ ପହଞ୍ଚିଛି । ପାଖାପାଖି ୧୨ରୁ ଅଧିକ ରାଜ୍ୟ ସଂକ୍ରମଣ ଧିରେ ଧିରେ ବୃଦ୍ଧି ପାଉଛି । ତେଣୁ ଅନେକ ରାଜ୍ୟ ପୁନର୍ବାର ପ୍ରତିବନ୍ଧକ ଲଗାଇବା ଆରମ୍ଭ କରିଛନ୍ତି । ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ମୁଖ୍ୟମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଏକ ବୈଠକ କରିବାକୁ ଯାଉଛନ୍ତି ।

ଗତ ସପ୍ତାହ ପର୍ଯ୍ୟନ୍ତ କେବଳ ଦିଲ୍ଲୀ, ହରିୟାଣା ଏବଂ ୟୁପିରେ ମାମଲା ବୃଦ୍ଧି ପାଉଥିବାର ଦେଖାଯାଇଥିଲା, କିନ୍ତୁ ବର୍ତ୍ତମାନ କେରଳ, ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, ପଶ୍ଚିମବଙ୍ଗ, ରାଜସ୍ଥାନ ଏବଂ ପଞ୍ଜାବରେ ମଧ୍ୟ ମାମଲା ବୃଦ୍ଧି ପାଇଛି । ୧୨ଟି ରାଜ୍ୟ ବ୍ୟତୀତ, କେନ୍ଦ୍ର ଶାସିତ ଅଞ୍ଚଳରେ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି ।

ଦିଲ୍ଲୀରେ ସୋମବାର ଦିନ କ୍ରମାଗତ ଭାବେ ଚତୁର୍ଥ ଦିନରେ ଏକ ହଜାରରୁ ଅଧିକ କରୋନା ମାମଲା ରୁଜୁ ହୋଇଛି । ସଂକ୍ରମଣ ହାର ମଧ୍ୟ ୬.୪୨ ପ୍ରତିଶତରେ ପହଞ୍ଚିଛି । ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ମାସ୍କକୁ ବାଧ୍ୟତାମୂଳକ କରାଯାଇଛି । ମାସ୍କ ପ୍ରୟୋଗ ନକଲେ ୫ଶହ ଟଙ୍କା ଜରିମାନା ଦେବାକୁ ପଡ଼ିବ । ୧୮ ରୁ ୫୯ ବର୍ଷର ଲୋକଙ୍କ ପାଇଁ ମାଗଣା ବୁଷ୍ଟର ଡୋଜ ମଧ୍ୟ ଘୋଷଣା କରାଯାଇଛି ।

ଉତ୍ତର ପ୍ରଦେଶରେ ମଧ୍ୟ କରୋନାର ସଂକ୍ରମଣ ବୃଦ୍ଧି ପାଉଛି ।  ଅଧିକାଂଶ ଆକ୍ରାନ୍ତ ଦିଲ୍ଲୀ ନିକଟସ୍ଥ ଗୌତମ ବୁଦ୍ଧ ନଗର ଏବଂ ଗାଜିଆବାଦରୁ ଆସୁଛି । ରାଜଧାନୀ ନିକଟରେ ଥିବା ଏନସିଆର ଅଞ୍ଚଳରେ ମାସ୍କ ବାଧ୍ୟତାମୂଳକ କରାଯାଇଛି । ୟୁପି ସରକାର ଏପ୍ରିଲ ୧ରେ ମାସ୍କ ଉପରେ ଥିବା ପ୍ରତିବନ୍ଧକକୁ ହଟାଇଦେଇଥିଲେ, କିନ୍ତୁ ଏବେ ଏହାକୁ ପୁନର୍ବାର ବାଧ୍ୟତାମୂଳକ କରାଯାଇଛି ।

ଦିଲ୍ଲୀର ପଡୋଶୀ ରାଜ୍ୟ ହରିୟାଣାରେ କରୋନା ସଂକ୍ରମଣ ହାର ୫.୧୪ ପ୍ରତିଶତକୁ ବୃଦ୍ଧି ପାଇଛି । ଯାହା ଏପ୍ରିଲ ୧ ରେ ୦.୪୦ ପ୍ରତିଶତ ଥିଲା। ତେବେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟର ଚାରିଟି ଜିଲ୍ଲା – ଗୁରୁଗାଓଁ, ଫରିଦାବାଦ, ସୋନିପାତ ଏବଂ ଜଞ୍ଜରରେ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି ।

ଫେବୃଆରୀ ୨୮ ରୁ କର୍ଣ୍ଣାଟକରେ କରୋନା ପାଇଁ ଥିବା ପ୍ରତିବନ୍ଧକ ହଟାଯାଇଛି । କିନ୍ତୁ ବର୍ତ୍ତମାନ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ଅନୁସରଣ କରିବା ବାଧ୍ୟତାମୂଳକ କରାଯାଇଛି । ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ମଧ୍ୟ ଏକ ଦଣ୍ଡନୀୟ ଅପରାଧ ହେବା ସହ ଏଠାରେ ସଂକ୍ରମଣ ହାର ୧.୯ ପ୍ରତିଶତ ଅତିକ୍ରମ କରିଛି ।

ତେଲେଙ୍ଗାନାରେ ଏହି ମାସ ଆରମ୍ଭରୁ ମାସ୍କ ପ୍ରତିବନ୍ଧକକୁ ହଟାଯାଇଥିଲା, ଯାହା ବର୍ତ୍ତମାନ ପୁଣି କାର୍ଯ୍ୟକାରୀ ହୋଇଛି । ଏବଂ ଏଠାରେ, ମାସ୍କ ନପିନ୍ଧିଲେ ଏକ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ ।

ଆନ୍ଧ୍ରପ୍ରଦେଶରେ ମାସ୍କ ପିନ୍ଧିବାକୁ ସରକାର ପୁଣି ବାଧ୍ୟତାମୂଳକ କରିଛନ୍ତି । ଯେଉଁମାନେ ନିୟମ ଉଲ୍ଲଂଘନ କରୁଛନ୍ତି ସେମାନଙ୍କ ଉପରେ ୧୦୦ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେଉଛନ୍ତି ।

ଛତିଶଗଡ ସରକାର ସର୍ବସାଧାରଣ ସ୍ଥାନରେ ମାସ୍କକୁ ବାଧ୍ୟତାମୂଳକ କରିଛନ୍ତି। ସର୍ବସାଧାରଣ ସ୍ଥାନରେ ଛେପ ପକାଇବାକୁ ମଧ୍ୟ ବାରଣ କରାଯାଇଛି।

ଓଡ଼ିଶାରେ ମାତ୍ର ୮୦ଟି କରୋନା ମାମଲା ସକ୍ରିୟ, ୧୫ଜିଲ୍ଲାରେ ନାହାନ୍ତି ରୋଗୀ

ଭୁବନେଶ୍ୱର: ବର୍ତ୍ତମାନ ଦେଶରେ ଦୈନିକ କରୋନା ସଂକ୍ରମଣର ଟ୍ରେଣ୍ଡ ୨ ହଜାର ପ୍ଳସ୍‌ରେ ଚାଲିଛି । କେବଳ କେରଳ, ଦିଲ୍ଲୀ, ହରିଆଣା, ପଞ୍ଜାବରେ ଅଧିକ ସଂକ୍ରମଣ ଦେଖା ଦେଉଛି, ଯାହାର ଗୁରୁତର ବା ସିଭିୟରିଟି ଏବେ ଯାଏଁ ଦେଖା ଦେଇନାହିଁ । ରାଜ୍ୟରେ ମାତ୍ର ୮୦ ଟି ସକ୍ରିୟ ରୋଗୀ ଅଛନ୍ତି । ୧୫ଟି ଜିଲ୍ଲାରେ ରୋଗୀ ନଥିବା ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ଟିକାକରଣ ଆମ ରାଜ୍ୟରେ ଯଥେଷ୍ଟ ହୋଇଥିବାରୁ ଆମର ଏତେଟା ରୋଗୀ ସଂଖ୍ୟା ନାହଁ । ଯେଉଁମାନେ ଟିକା ନେଇନାହାନ୍ତି ସେମାନେ ନେଇ ଯାଆନ୍ତୁ । ପ୍ରିକସନ୍ ଡୋଜ ବି ନିଅନ୍ତୁ । ଟିକା ପାଇଁ ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ହୋଇଛି । ଏହି ରୋଗର ଭୟାବହତା ଆଉ ରହିବ ନାହିଁ । ଏହା ସତ୍ତ୍ୱେ ବି ମାସ୍କ, ପିନ୍ଧିବା ନିହାତି ଜରୁରୀ ବୋଲି ଶ୍ରୀ ମିଶ୍ର କହିଛନ୍ତି ।

 

 

ଡିଭୋର୍ସ ହେଲେ ପତ୍ନୀଙ୍କୁ ଏତେ ଟଙ୍କା ଦେବେ ଓ୍ୱିଲ ସ୍ମିଥ୍‌

ନୂଆଦିଲ୍ଲୀ: ଓସ୍କାରରେ ଚାପୁଡ଼ା ମରା ଘଟଣା ପରେ ଓ୍ୱିଲ୍‌ ସ୍ମିଥ ଏବଂ ତାଙ୍କ ପତ୍ନୀ ଜାଡା ପିଙ୍କେଟଙ୍କ ମଧ୍ୟରେ ସମ୍ପର୍କରେ ଭଟ୍ଟା ଆସିଯାଇଛି ବୋଲି କୁହାଯାଉଛି । ଏହା ମଧ୍ୟ କୁହାଯାଉଛିଯେ କଥା ଡିଭୋର୍ସ ପର୍ଯ୍ୟନ୍ତ ପହଞ୍ଚି ଗଲାଣି । ଦୁଇଜଣଙ୍କ ମଧ୍ୟରେ କଥାବାର୍ତ୍ତା ମଧ୍ୟ ପ୍ରାୟ ବନ୍ଦ ହୋଇଯାଇଛି । ସମ୍ପର୍କ ଆଉ ପୂର୍ବଭଳି ନାହିଁ । ତେବେ ଯଦି ଉଭୟଙ୍କର ଡିଭୋର୍ସ ହୁଏ ତେବେ ଓ୍ୱିଲ ସ୍ମିଥଙ୍କୁ ୧ ହଜାର ୩ ଶହ କୋଟି ଟଙ୍କା ଜାଡା ପିଙ୍କେଟାଙ୍କୁ ଦେବାକୁ ପଡ଼ିବ । ତେବେ ଆସନ୍ତୁ ଆଲୋଚନା କରିବା, ହଲିଉଡର ମହଙ୍ଗା ଡିଭୋର୍ସ ବିଷୟରେ ।

ଷ୍ଟିବନ୍‌ ସ୍ପିଲବର୍ଗ ଏବଂ ଏମି ଇରବିଙ୍ଗ୍‌: ଷ୍ଟିବନ୍‌ ସ୍ପିଲବର୍ଗ ଏବଂ ଏମି ଇରବିଙ୍ଗ୍‌ ହଲିଉଡ ଇଣ୍ଡଷ୍ଟ୍ରିର ଦାମି ତାରକାଙ୍କ ମଧ୍ୟରୁ ଗୋଟିଏ । ଉଭୟଙ୍କ ଡିଭୋର୍ସ ମଧ୍ୟ ହୋଇ ଯାଇଛି । ଷ୍ଟିବନ୍‌ ସ୍ପିଲବର୍ଗ ଡିଭୋର୍ସ ହେତୁ ଏମି ଇରବିଙ୍ଗଙ୍କୁ  ୭୬୪ କୋଟି ଟଙ୍କା ଦେଇଥିଲେ ।

ହାରିସନ୍‌ ଫୋର୍ଡ଼- ମେଲିସା ମାଥିସନ୍‌: ହଲିଉଡ ଅଭିନେତା ହାରିସନ୍‌ ଫୋର୍ଡ଼ ୨୦୦୪ରେ ତାଙ୍କ ପତ୍ନୀଙ୍କ ଠାରୁ ଛାଡ଼ପତ୍ର ନେଇଥିଲେ ଏବଂ ଭରଣପୋଷଣ ପାଇଁ ୯୦୨ କୋଟି ଟଙ୍କା ଦେଇଥିଲେ ।

ଜେମ୍ସ କ୍ୟାମରୁନ- ଲିଣ୍ଡା ହାମିଲ୍ଟନ: ଜେମ୍ସ କ୍ୟାମରୁନ ଛାଡ଼ପତ୍ର ପରେ ପତ୍ନୀଙ୍କୁ ୩୮୨ କୋଟି ଟଙ୍କା ଦେଇଥିଲେ ।

ମେଲ୍ ଗିବସନ୍‌-ରବିନ୍‌ ମୁର:  ଦୁଇଜଣଙ୍କ ଛାଡ଼ପତ୍ର ସାରା ଦୁନିଆର ଧ୍ୟାନ ଆକର୍ଷଣ କରିଥିଲା । ମେଲ ଗିବସନ ତାଙ୍କ ପତ୍ନୀଙ୍କୁ ୩୨୫ ହଜାର କୋଟି ଟଙ୍କା ଭରଣପୋଷଣ ପାଇଁ ଦେଇଥିଲେ ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିରୋଧୀ ପଦଯାତ୍ରାକୁ ନାହିଁ ବିଜେପିର ସମର୍ଥନ

ପୁରୀ: ୨୭ତାରିଖରେ ହେବାକୁ ଥିବା ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ ପଦଯାତ୍ରାକୁ ବିଜେପି ସମର୍ଥନ କରୁନି ବୋଲି ଘୋଷଣା କରିଛି । ପଦଯାତ୍ରା କରୁଥିବା ସଂଗଠନ ବିଜେପିକୁ ପଦଯାତ୍ରାର ସାମିଲ ହେବା ନେଇ ଆମନ୍ତ୍ରଣ କରିନି ବୋଲି କହିଛନ୍ତି ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ ।

ତେଣୁ ପଦଯାତ୍ରାରେ ଦଳ ସାମିଲ ହେବାର ପ୍ରଶ୍ନ ଉଠୁନି ବୋଲି କହିଛନ୍ତି ପୃଥ୍ବୀରାଜ । ସଂଗଠନ ପକ୍ଷରୁ କାହାକୁ ବ୍ୟକ୍ତିଗତ ଭାବେ ଆମନ୍ତ୍ରଣ କରାଯାଇଥାଇପାରେ । ହେଲେ ବିଜେପି ଦଳକୁ ଏହି ପଦଯାତ୍ରାରେ ସାମିଲ ହେବାକୁ ଆମନ୍ତ୍ରଣ କରାଯାଇ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ପୃଥ୍ବୀରାଜ ।

ସୂଚନା ଯୋଗ୍ୟ ଯେ, ପୂର୍ବରୁ ହିଁ ପୁରୀ ବିକାଶ କାର୍ଯ୍ୟରେ ବାଧା ଉପୁଜାଇଲେ  ପୁରୀବାସୀ ଏହାର ଜବାବ ଦେବେ ବୋଲି ଚେତାଇ ଦେଇଥିଲେ । ଏହା ସହ ପଦଯାତ୍ରା ନକରିବାକୁ ଅନୁରୋଧ କରାଯାଇଛି ।

ଗଜପତି ମହାରାଜ ମଧ୍ୟ ମହାପ୍ରଭୁଙ୍କ କାର୍ଯ୍ୟରେ ବାଧା ସୃଷ୍ଟି ନକରିବାକୁ ପଦଯାତ୍ରା କରୁଥିବା ସଂଗଠନକୁ ପରାମର୍ଶ ଦେଇଛନ୍ତି । ଐତିହ୍ୟ ପ୍ରକଳ୍ପ ଶ୍ରୀମନ୍ଦିରର ସୁରକ୍ଷା ଓ ଭକ୍ତଙ୍କ ସୁବିଧା ପାଇଁ ଉଦ୍ଦିଷ୍ଟ । ପ୍ରକଳ୍ପକୁ ବିରୋଧ କରିବା ଅର୍ଥ ମହାପ୍ରଭୁଙ୍କ କାର୍ଯ୍ୟରେ ବିଘ୍ନ ସୃଷ୍ଟି କରିବା । ଏଥିରୁ ନିବୃତ ରହିବାକୁ ଗଜପତି ମହାରାଜଙ୍କ ସମେତ ପୁରୀବାସୀ ଓ ସେବାୟତମାନେ ଅନୁରୋଧ କରିଛନ୍ତି ।

ଏଥିସହିତ ଶ୍ରୀମନ୍ଦିର କାର୍ଯ୍ୟରେ ବାଧା ସୃଷ୍ଟି କରାଗଲେ ପୁରୀବାସୀ ଓ ସେବାୟତ ବିରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି । ପୁରୀର ଅନେକ ସଂଗଠନ, ବୁଦ୍ଧିଜୀବୀ ଓ ଜଗନ୍ନାଥ ପ୍ରେମୀ ପ୍ରକଳ୍ପକୁ ସମର୍ଥନ କରି ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ଦେଇଛନ୍ତି । ଭଏସ ଅଫ କମନମ୍ୟାନ, ଭୂସମ୍ପତ୍ତି ସୁରକ୍ଷା ପରିଷଦ, ଶ୍ରୀକ୍ଷେତ୍ର ଆଠସାହି ଆଖଡା, ପୂଜ୍ୟପୂଜା ସଂସଦ, ଆଖଣ୍ଡଳମଣି ପରିଚାଳନା କମିଟି, ପୁରୀ ରୋଗୀ ସୁରକ୍ଷା ମଞ୍ଚ ପକ୍ଷରୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏପରିକି ପୂଜ୍ୟପୂଜା ସଂସଦର ରାଜ୍ୟ ସଭାପତି ତଥା ବିଜେପିର ବରିଷ୍ଠ ନେତା କୃଷ୍ଣଚନ୍ଦ୍ର ଜଗଦେବ ମଧ୍ୟ ସ୍ମାରକପତ୍ର ପ୍ରଦାନ କରି ପ୍ରକଳ୍ପ ସାକାର ହେଉ ବୋଲି ଦର୍ଶାଇଛନ୍ତି ।

କୋଇଡ଼ାରେ ଯୁଗ୍ମ ଜନ ଶୁଣାଣି କାର୍ଯ୍ୟକ୍ରମ: ୬୭୫ ପ୍ରକଳ୍ପ ଲାଗି କାର୍ଯ୍ୟାଦେଶ ପ୍ରଦାନ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା ବ୍ଲକ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ଉପସ୍ଥିତିରେ ସୋମବାର ଦିନ ଏକ ଯୁଗ୍ମ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଲୋକମାନଙ୍କ ବ୍ୟକ୍ତିଗତ ଓ ସାମୂହିକ ଅଭିଯୋଗ ଶୁଣିବା ସହ ଏହାର ତୁରନ୍ତ ସମାଧାନ ଲାଗି ପଦକ୍ଷେପ ନେବାକୁ ଜିଲ୍ଲାପାଳ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ବସୁନ୍ଧରା ଯୋଜନାରେ କୋଇଡ଼ା ବ୍ଳକର ୧୭ ଜଣ ଭୂମିହୀନ ହିତାଧିକାରୀଙ୍କୁ ଜମିପଟ୍ଟା ପ୍ରଦାନ କରାଯାଇଛି ।

‘ସୁନ୍ଦରଗଡ଼ ଜିଲ୍ଲାର ଉନ୍ନୟନ କାର୍ଯ୍ୟକ୍ରମରେ ଜନ ସହଭାଗିତାର ଗୁରୁତ୍ବ ଅଧିକ । ତେଣୁ ସାଧାରଣ ଲୋକେ ଜିଲ୍ଲା ପ୍ରଶାସନର ବିଭିନ୍ନ ଯୋଜନା ସମ୍ବନ୍ଧରେ ଜାଣିବା ସହ ନିଜର ସମସ୍ୟା ଓ ଅଭିଯୋଗକୁ ଗ୍ରାମସଭା ମାଧ୍ୟମରେ ପାରିତ କରି ପ୍ରଶାସନ ପାଖକୁ ଆଣିଲେ ଏହାର ସମାଧାନ କରାଯିବ । ଏହା ସହ ଚାଲିଥିବା ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ମଧ୍ୟ ଗ୍ରାମସଭାରେ ଆଲୋଚନା ହେବା ଜରୁରୀ’’, କହିଛନ୍ତି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ।

ଜନଶୁଣାଣି ଅବସରରେ କୋଇଡ଼ା ବ୍ଲକ ଅଧୀନ ୯ଟି ଗ୍ରାମପଞ୍ଚାୟତରେ (ପାଟମୁଣ୍ଡା, ମାଲଦା, କାଶିରା, କୋଇଡ଼ା, କାଲଟା, ଡେଙ୍ଗୁଳା, ଟେନସା, ଗୋପନା, ବିମଳାଗଡ଼) ଗ୍ରାମସଭା ମାଧ୍ୟମରେ ପାରିତ ୬୭୫ ପ୍ରକଳ୍ପର କାର୍ଯ୍ୟାଦେଶ ବିଭାଗୀୟ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା। ଉପରୋକ୍ତ ପଞ୍ଚାୟତରେ ପ୍ରକଳ୍ପ ଅଟକଳ ମୂଲ୍ୟ ନିର୍ଦ୍ଧାରଣ କରି ଖୁବ୍ ଶୀଘ୍ର କାମ ଆରମ୍ଭ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଗମନାଗମନ ପାଇଁ ରାସ୍ତା, ପାନୀୟ ଜଳ, ପୋଖରୀ ପୁନରୁଦ୍ଧାର, ଜଳସେଚନ, ହାଇମାଷ୍ଟ ଓ ଷ୍ଟ୍ରିଟ୍‌ ଲାଇଟ୍, ବିଦ୍ୟୁତ୍ ଯୋଗାଣ, ନୂଆ ଅଙ୍ଗନବାଡ଼ି ଗୃହ ନିର୍ମାଣ, ଟ୍ରକ ପାର୍କିଂ ସ୍ଥଳ ନିର୍ମାଣ, ପର୍ଯ୍ୟଟନ ସ୍ଥଳୀର ଉନ୍ନତିକରଣ, ଶିକ୍ଷା ଓ ସ୍ୱାସ୍ଥ୍ୟ ସମ୍ପର୍କିତ ପ୍ରକଳ୍ପ ସାମିଲ ରହିଛି। ଏହିସବୁ ପ୍ରକଳ୍ପ ପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଆର୍ଥିକ ସହାୟତା ଯୋଗାଇ ଦେବ।

ଏହା ବ୍ୟତୀତ ଅନୁମୋଦିତ ପ୍ରକଳ୍ପ ମଧ୍ୟରେ ମା’ ଗୃହ ପ୍ରତିଷ୍ଠା, ମୋବାଇଲ ମେଡିକାଲ ଭ୍ୟାନ ସଂଖ୍ୟାରେ ବୃଦ୍ଧି, କାଶିରାଠାରେ ଶୀତଳ ଭଣ୍ଡାର ନିର୍ମାଣ ଆଦି ରହିଛି। ଏଥିସହ କୋଇଡ଼ାସ୍ଥିତ ଆଇଟିଆଇ କେନ୍ଦ୍ରରେ ହଷ୍ଟେଲ ସୁବିଧା ସହିତ ଚଳିତ ଶିକ୍ଷାବର୍ଷଠାରୁ ପାଠପଢ଼ା ଆରମ୍ଭ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ସେହିପରି ନିୟମିତ ବିଦ୍ୟୁତ ଓ ଜଳ ଯୋଗାଣ ସହିତ ୭ରୁ ୮ ଦିନ ମଧ୍ୟରେ ଶବ ବ୍ୟବଚ୍ଛେଦ ଗୃହ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ବୋଲି ସେ କହିଛନ୍ତି।

ଆଜିର ଏହି ଜନ ଶୁଣାଣି କାର୍ଯ୍ୟକ୍ରମରେ ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ, ବଣାଇଁ ଉପଜିଲ୍ଲାପାଳ ପ୍ରଦୀପ ଡାଙ୍ଗ, ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପରିଚାଳକ ଲଲାଟ କୁମାର ଲୁହା, କୋଇଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁରେଶ ନାଏକ, ଅତିରିକ୍ତ ଜିଲ୍ଲାପାଳ (ଜରୁରିକାଳୀନ) କୁନ୍ତୀ ରାଣୀ ନାଏକ, ବଣାଇଁ ଅତିରିକ୍ତ ଏସପି ସୟଦ ମୁଜିବୁର ରହେମାନ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ପ୍ରବାସିନୀ ଚକ୍ର, ଜିଲ୍ଲା ଶିକ୍ଷାଧିକାରୀ ଅମୂଲ୍ୟ କୁମାର ପଧାନ, କୋଇଡ଼ା ତହସିଲଦାର ଡି.ଏସ୍ ଶୁଭଦର୍ଶୀ ଯୋଶୀ, ବିଡିଓ ପଲ୍ଲବୀରାଣୀ ରାଜ ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଭଞ୍ଜପାଲିଠାରେ କଳିକା କେନ୍ଦ୍ରର ଶୁଭାରମ୍ଭ ମଧ୍ୟ କରିଛନ୍ତି ଜିଲ୍ଲାପାଳ ।

ଏଥିସହିତ ପଢ଼ନ୍ତୁ: ମ୍ୟାଲେରିଆ ନିୟନ୍ତ୍ରଣ ନେଇ LLIN ମଶାରୀ ବଣ୍ଟନରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଥମ