spot_img
Home Blog Page 4311

ମ୍ୟାଲେରିଆ ନିୟନ୍ତ୍ରଣ ନେଇ LLIN ମଶାରୀ ବଣ୍ଟନରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଥମ

ରାଉରକେଲା: ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରୀ ବା ଏଲ୍‌ଏଲ୍‌ଆଇଏନ୍ ବଣ୍ଟନ କାର୍ଯ୍ୟକ୍ରମର ସଫଳ ଡକ୍ୟୁମେଣ୍ଟେସନ ଲାଗି ସୁନ୍ଦରଗଡ଼ ଜିଲ୍ଲା ରାଜ୍ୟସ୍ତରରେ ପ୍ରଥମ ପୁରସ୍କାର ଲାଭ କରିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଶ୍ୱ ମ୍ୟାଲେରିଆ ଦିବସ ପାଳନ ଅବସରରେ ସୁନ୍ଦରଗଡ଼କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଏହି କ୍ରମରେ ବଲାଙ୍ଗୀର ଜିଲ୍ଲା ଦ୍ୱିତୀୟ ଏବଂ କେନ୍ଦୁଝର ଜିଲ୍ଲା ତୃତୀୟ ହୋଇଛି।

ଏଥିପାଇଁ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର ଏହି ପୁରସ୍କାର ଗ୍ରହଣ କରିଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ତାଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରିବା ସହ ସୁନ୍ଦରଗଡ଼ ଜିଲ୍ଲାକୁ ଶୁଭେଚ୍ଛା ଜଣାଇଥିଲେ।

ଏହି ସଫଳତା ପାଇଁ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗର ସମସ୍ତ ଅଧିକାରୀ ଏବଂ କ୍ଷେତ୍ରସ୍ତରର କର୍ମଚାରୀ, ସ୍ୱାସ୍ଥ୍ୟକର୍ମୀ ଏବଂ ଏଲ୍‌ଏଲ୍‌ଆଇଏନ୍ ବଣ୍ଟନରେ ସହଯୋଗ କରିଥିବା ଗୋଷ୍ଠୀ ସ୍ତରର କର୍ମୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

“ଆନୁଆଲ ପାରାସାଇଟ୍ ଇଣ୍ଡେକ୍ସ ଅନୁସାରେ ମ୍ୟାଲେରିଆ ପ୍ରଭାବିତ ଜିଲ୍ଲା ଭାବରେ ସୁନ୍ଦରଗଡ଼ ପୂର୍ବରୁ ଯେଉଁ ସ୍ଥିତିରେ ଥିଲା, ସ୍ୱାସ୍ଥ୍ୟ ବିଭାଗର ନିରବଚ୍ଛିନ୍ନ ପ୍ରଚେଷ୍ଟା ଫଳରେ ସେଥିରେ ଯଥେଷ୍ଟ ଉନ୍ନତି ଆସିଛି। ଆୟତନ ଦୃଷ୍ଟିରୁ ରାଜ୍ୟର ଦ୍ୱିତୀୟ ବୃହତ୍ତମ ସୁନ୍ଦରଗଡ଼ ଜିଲ୍ଲାରେ ୨୦୦ରୁ ଅଧିକ ଦମନ କ୍ୟାମ୍ପ କରାଯାଇ ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ପାଇଁ ପଦକ୍ଷେପ ନିଆଯାଇଛି । ଅତି ଦୁର୍ଗମ ଅଞ୍ଚଳକୁ ମଧ୍ୟ ଏଲ୍‌ଏଲ୍‌ଆଇଏନ୍ ପଠାଯାଇଛି। ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରୀକ୍ଷା, ଚିକିତ୍ସା ଏବଂ ତଦାରଖକୁ ତ୍ୱରାନ୍ୱିତ କରାଯାଇଛି। ଫଳରେ ଜିଲ୍ଲାରେ ମ୍ୟାଲେରିଆ ଯଥେଷ୍ଟ କମିଛି। ୨୦୨୫ ସୁଦ୍ଧା ସୁନ୍ଦରଗଡ଼ ଜିଲ୍ଲାକୁ ମ୍ୟାଲେରିଆମୁକ୍ତ କରିବା ପାଇଁ ଆମେ ଲକ୍ଷ୍ୟ ରଖିଛୁ”, କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର।

ଅନ୍ୟମାନଙ୍କ ମଧ୍ୟରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଓଡ଼ିଶାର ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କୁମାର ଶର୍ମା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ୱତନ୍ତ୍ର ସଚିବ ଅଜିତ କୁମାର ମହାନ୍ତି, ଓଡ଼ିଶା ମେଡିକାଲ କର୍ପୋରେସନର ପରିଚାଳନା ନିର୍ଦ୍ଦେଶିକା ଯାମିନୀ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।

ରାଜ୍ୟରେ ମ୍ୟାଲେରିଆ ନିୟନ୍ତ୍ରଣ କାର୍ଯ୍ୟକ୍ରମକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ଓଡ଼ିଶା ସରକାର ବିଭିନ୍ନ ଜିଲ୍ଲାରେ ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରୀ ବା ଏଲ୍‌ଏଲ୍‌ଆଇଏନ୍ ବଣ୍ଟନ କରୁଛନ୍ତି। ଏହି କାର୍ଯ୍ୟକ୍ରମ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାରେ ୨୦୨୧ ମସିହାରେ ୧୩ ଲକ୍ଷ ୬୧ ହଜାର ଏଲ୍‌ଏଲ୍‌ଆଇଏନ୍ ମଶାରୀ ବଣ୍ଟନ କରାଯାଇଥିଲା।

 

ଟ୍ୱିଟରର ନୂଆ ମାଲିକ ଏଲନ ମସ୍କ

ମହାକାଶରୁ ପୃଥିବୀ ପୃଷ୍ଟ ପର୍ଯ୍ୟନ୍ତ ନିଜର ପାରଦର୍ଶୀତା ଦେଖାଇଛନ୍ତି କୋଟିପତି  ବ୍ୟବସାୟୀ ଏଲନ ମସ୍କ । ଏବେ ପୁଣି ଟେକ୍ନୋଲୋଜି ଦୁନିଆର ପାଦ ଥାପିଛନ୍ତି ଏଲନ ମସ୍କ ।  ବିଶ୍ୱର ସବୁଠୁ ଧନୀ କୁହାଯାଉଥିବା ଏଲନ ମସ୍କ ମଙ୍ଗଳବାର ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ବିଟ୍‌ରକୁ ୪୪ ବିଲିୟନ ଡଲାରରେ କିଣିଛନ୍ତି । ବ୍ୟାପକ ମୁଲଚାଲ ପରେ ସେୟାର ହୋଲ୍ଡରଙ୍କୁ ପ୍ରତି ସେୟାର ମୂଲ୍ୟ ବାବଦରେ ସେ ୫୪.୨୦ ଡଲାର ନଗଦ ଦେବାକୁ ପ୍ରସ୍ତାବ ଦେଇଥିଲେ ।

ତାଙ୍କର ଏହି ପ୍ରସ୍ତାବକୁ ଟ୍ବିଟ୍‌ର ଗ୍ରହଣ କରିଛି । ବର୍ତ୍ତମାନ କୋଟି କୋଟି ୟୁଜର ଥିବା ଏହି ସୋସିଆଲ ମିଡିଆ ପ୍ଳାଟଫର୍ମର ମାଲିକାନା ଦାୟିତ୍ୱ ଏଲନ ମସ୍କଙ୍କ ହାତକୁ ଯାଇଛି । ବୋର୍ଡର ଅନୁମୋଦନ ପାଇବା ପରେ ମସ୍କ ଆନୁଷ୍ଠାନିକ ଭାବରେ ଟ୍ୱିଟରର ମାଲିକ ହୋଇଛନ୍ତି । ତେବେ ମାଲିକାନା ହାତକୁ ଯିବା ପୂର୍ବରୁ ତାଙ୍କୁ ଖୁବ କସରତ ମଧ୍ୟ କରିବାକୁ ପଡ଼ିଥିଲା ।

ଏହାପୂର୍ବରୁ, ଏଲନ୍ ମସ୍କ ଟ୍ୱିଟର କିଣିବା ପାଇଁ ପ୍ରସ୍ତାବ ଦେବା ମାତ୍ରେ ଆରମ୍ଭ ହୋଇଯାଇଥିଲା ହୋ ହାଲ୍ଲା । ଅନେକ ଅଂଶୀଦାର ତାଙ୍କର ଏହି ନିଷ୍ପତିକୁ ନେଇ ଅସନ୍ତୋଷ ହୋଇପଡ଼ିଥିଲେ । କେହି କେହି ଏହି ଡିଲକୁ ‘ପଏଜନ୍ ପିଲ ଡିଫେନ୍ସ’ ବୋଲି ମଧ୍ୟ କହିଛନ୍ତି । ଏହା ପରେ, ମସ୍କ ବ୍ୟକ୍ତିଗତ ଭାବରେ ଅନେକ ଅଂଶୀଦାରଙ୍କ ସହିତ ସାକ୍ଷାତ କରି ସେମାନଙ୍କ ସହ ଆଲୋଚନା କରିଥିଲେ । କେବଳ ସେତିକି ନୁହେଁ, ଭିଡିଓ କଲ୍ ମାଧ୍ୟମରେ ତାଙ୍କ ସପକ୍ଷରେ ସମ୍ମତି ଦେବାକୁ ମସ୍କ କିଛି ଅଂଶୀଦାରଙ୍କୁ ମଧ୍ୟ ନିବେଦନ କରିଥିଲେ । ତେବେ ଟୁଇଟର ବୋର୍ଡ ସହିତ ଆଲୋଚନା ପରେ ଶେଷରେ ଏହି ଡିଲକୁ ଫାଇନାଲ କରାଯାଇଥିଲା ।

ତେବେ ଏହି ନୂଆ ମାଲିକ ଟ୍ୱିଟରରେ କଣ ଆଣିପାରନ୍ତି ପରିବର୍ତ୍ତନ ଆସନ୍ତୁ ଜାଣିବା

ବିଶ୍ୱକୁ ମିଳିବ ସ୍ୱାଧିନ ବକ୍ତବ୍ୟ ରଖିବାର ପ୍ଲାଟଫର୍ମ

ଡିଲ ଫାଇନାଲ ହେବା ପରେ ମସ୍କ ଏକ ଲିଖିତ ବିବୃତ୍ତିରେ କହିଛନ୍ତି, “ମୁଁ ସର୍ବଦା ସ୍ୱାଧିନ ଭାବେ ଅଭିବ୍ୟକ୍ତି ଦେବାକୁ ସମର୍ଥନ କରେ ଆଉ ମୁଁ ଟୁଇଟରରେ ବିନିଯୋଗ କରିବାର କାରଣ ହେଉଛି ଏହି ପ୍ଲାଟଫର୍ମଟିରେ ସମଗ୍ର ବିଶ୍ୱରେ ସ୍ୱାଧିନ ଭାବେ ଅଭିବ୍ୟକ୍ତି ଦେବା ପାଇଁ ସାମର୍ଥ୍ୟ ରହିଛି । ମୋର ବିଶ୍ୱାସ ଯେ, କୌଣସି ଗଣତାନ୍ତ୍ରିକ ସମାଜ ପାଇଁ ସ୍ୱାଧିନ ଅଭିବ୍ୟକ୍ତି ରଖିବାର ଏକ ପ୍ଲାଟଫର୍ମ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ପ୍ରତ୍ୟେକ ଉପଭୋକ୍ତା ବ୍ଲୁ ଟିକ୍ ପାଇପାରିବେ

ଟ୍ୱିଟରରେ କୌଣସି ଉପଭୋକ୍ତାଙ୍କୁ ବ୍ଲୁ ଟିକ୍ ମିଳିବା କଷ୍ଟକର । କିନ୍ତୁ ଏହି ସୁବିଧା ସମସ୍ତ ଉପଭୋକ୍ତା ପାଇବା ଅତ୍ୟନ୍ତ ରୋମାଞ୍ଚକର ବିଷୟ । ଏଲନ୍ ମସ୍କଙ୍କ କହିବାନୁସାରେ, ବର୍ତ୍ତମାନ ପ୍ରତ୍ୟେକ ବ୍ୟବହାରକାରୀଙ୍କ ଆକାଉଣ୍ଟକୁ ବ୍ଲୁ ଟିକ୍ ଦିଆଯିବ । ସେ ପୂର୍ବରୁ କହିଥଲେ ଯେ ମୁଁ ଟ୍ୱିଟରକୁ ବ୍ୟକ୍ତିଗତ କରିବାକୁ ଚାହୁଁଛି ।

ଆଉ ଏଡିଟ୍ ବଟନ୍ ମଧ୍ୟ ହେବ ଉପଲବ୍ଧ

ଟେସଲାର ସହ-ପ୍ରତିଷ୍ଠାତା ତଥା ବର୍ତ୍ତମାନର ଟ୍ୱିଟରର ମାଲିକ ମସ୍କ ଏହି ପ୍ଲାଟଫର୍ମରେ ଖୁବ୍ ଶୀଘ୍ର ଏଡିଟ୍ ବଟନ ଉପଲବ୍ଧ କରିବେ । ସେ ଏଡିଟ୍ ବଟନକୁ ନେଇ ଟ୍ୱିଟରରେ ଏକ ସର୍ଭେ ମଧ୍ୟ କରିଥିଲେ । ଏହାର ଉଦ୍ଦେଶ୍ୟ ଥିଲା ଯେକୌଣସି ଟ୍ୱିଟରେ କରାଯାଇଥିବା ଭୁଲଗୁଡ଼ିକୁ ସଂଶୋଧନ କରିବା । ଯଦିଓ ଟ୍ୱିଟର ପୂର୍ବରୁ କହିଛି ଯେ, ଖୁବ୍ ଶୀଘ୍ର ଏହି ପ୍ଲାଟଫର୍ମରେ ଏଡିଟ୍ ବଟନ୍ ଅଣାଯିବ ।

 

ଅଭାବନୀୟ: ବିଷାକ୍ତ ଖାଦ୍ୟ ଖାଇ ଭାଇ-ଭଉଣୀ ମୃତ, ମାଆ ଗୁରୁତର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଗଡ଼ ହୁମାରେ ଅଭାବନୀୟ ଘଟଣା । ବିଷାକ୍ତ ଖାଦ୍ୟ ଖାଇ ଭାଇ, ଭଉଣୀ ମୃତ, ମାଆ ଗୁରୁତର । ମୃତ ଶିଶୁ ହେଲେ ରାମକୃଷ୍ଣ ମହାରଣାଙ୍କ ପୁଅ ରୁଦ୍ର ମହାରଣା ଓ ଭଉଣୀ ସିମରନ ମହାରଣା । ମାଆ ସୁନିତା ମହାରଣା ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲରେ ଚିକିତ୍ସାଧିନ ଅଛନ୍ତି ।

ହୁମା ପୋଲିସର ତଦନ୍ତ ଜାରି ରଖିଛି। ଗତକାଲି ରାତିରେ ଖାଇ ସାରିବା ପରେ ଭାଇ ଭଉଣୀ ଓ ବାନ୍ତି କରିଥିଲେ । ସକାଳେ ଛତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପ୍ରଥମେ ପୁଅ, ପରେ ଝିଅର ମୃତ୍ୟୁ ହୋଇଥିବା ବେଳେ ମାଆ ଅବସ୍ଥା ଗୁରୁତର ରହିଛି । ତାଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।

ଏଥିସହିତ ପଢ଼ନ୍ତୁ: ଶବ ବ୍ୟବଚ୍ଛେଦ କରିବାକୁ କହିବାରୁ ଉତ୍‌କ୍ଷୀପ୍ତ ହୋଇ ଡାକ୍ତର ମାଡ଼ ମାରିଥିବା ଅଭିଯୋଗ

 

 

କଂଗ୍ରେସ ବିଧାୟକଙ୍କ ସହ ଓ୍ୱାନ୍‌ ଟୁ ଓ୍ୱାନ୍‌ ଆଲୋଚନା କରୁଛନ୍ତି ପ୍ରଭାରୀ ଚେଲ୍ଲା କୁମାର

ଭୁବନେଶ୍ୱର: ଆରମ୍ଭ ହେଲା ପିସିସି ସଭାପତି ପରିବର୍ତ୍ତନ ପ୍ରକ୍ରିୟା । ବିଧାୟକଙ୍କ ସହ ୱାନ ଟୁ ୱାନ୍ ଆଲୋଚନା କରିଛନ୍ତି କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର । ବିଧାୟକଙ୍କ ମଧ୍ୟରୁ ଜଣଙ୍କୁ ସଭାପତି କରିବା ପାଇଁ ଅନେକ ବିଧାୟକ ଦାବି କରିଛନ୍ତି । ୨୦୧୯ ନିର୍ବାଚନ ପରାଜୟ ପରେ ନୈତିକତା ଓ ପରେ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦୁଇ ଥର ଇସ୍ତଫା ଦେଇଛନ୍ତି ।

ତେଣୁ ତାଙ୍କୁ ପରିବର୍ତ୍ତନ କରାଯାଇ ନୂଆ ପିସିସି ସଭାପତି ନିଯୁକ୍ତି ପାଇଁ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର କଂଗ୍ରେସ ଭବନରେ ମାନସ ମନ୍ଥନ ଆରମ୍ଭ କରିଛନ୍ତି । ପିସିସି ସଭାପତି ପରିବର୍ତ୍ତନ ସହ କଂଗ୍ରେସ ବିଧାୟକ ଦଳ ନେତା ପରିବର୍ତ୍ତନ ପାଇଁ ମଧ୍ୟ ଦଳରେ ଦାବି ହେଉଛି । ଦଳର ବରିଷ୍ଠ ନେତାମାନେ ପିସିସି ସଭାପତି ରେସ୍‌ରେ ଅଛନ୍ତି । ଆଲୋଚନା ପରେ ପାର୍ଟି ହାଇକମାଣ୍ଡଙ୍କୁ ସବିଶେଷ ତଥ୍ୟ ପ୍ରଦାନ କରାଯିବ । ପାର୍ଟି ହାଇକମାଣ୍ଡ ଏନେଇ ନିଷ୍ପତ୍ତି ନେବେ ।

ଏଥିସହିତ ପଢ଼ନ୍ତୁ:ଆଭ୍ୟନ୍ତରୀଣ ଓଡ଼ିଶା ଓ ଉପକୂଳ ଅଞ୍ଚଳ ପାଇଁ ହିଟ୍‌ଓ୍ୱେଭ୍ ସତର୍କତା

ଶବ ବ୍ୟବଚ୍ଛେଦ କରିବାକୁ କହିବାରୁ ଉତ୍‌କ୍ଷୀପ୍ତ ହୋଇ ଡାକ୍ତର ମାଡ଼ ମାରିଥିବା ଅଭିଯୋଗ

କଟକ: SCBରେ ଡାକ୍ତର ଓ ରୋଗୀ ସମ୍ପର୍କୀୟଙ୍କ ମଧ୍ୟରେ ବଚସା ଓ ମାରପିଟ । ସୋମବାର କାଜୁଆଲଟିରେ କାର୍ଯ୍ୟରତ ଡାକ୍ତର ମୃତରୋଗୀର ସମ୍ପର୍କୀୟଙ୍କୁ ନିସ୍ତୁକ ମାଡ଼ ମାରିଥିବା ନେଇ ମଙ୍ଗଳାବାଗ ଥାନାରେ ଅଭିଯୋଗ ହୋଇଛି । ପୁରୀ ଚନ୍ଦନପୁରର ଶକୁନ୍ତଳା ସାହୁ ନାମକ ମହିଳା ଗୁରୁତର ଅବସ୍ଥାରେ କଟକ SCB ଆସିଥିଲେ ।

ରବିବାର ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହେଲା। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ଡାକ୍ତର କହିଥିବା ବେଳେ ସମ୍ପର୍କୀୟ ଶବ ବ୍ୟବଚ୍ଛେଦ ପାଇଁ କହିବାରୁ ମୃତଦେହ ସେମିତି ନେଇଯାଅ ବୋଲି କହିଥିଲେ ଡାକ୍ତର । ଏନେଇ ଡାକ୍ତରଙ୍କୁ ମୃତକଙ୍କ ପୁତୁରା ପ୍ରଶ୍ନ କରିବାରୁ ଉତ୍‌କ୍ଷୀପ୍ତ ହୋଇ ସମ୍ପୃକ୍ତ ଡାକ୍ତର ଗାଳି କରିବା ସହିତ ଫୋନ କରି ଅନ୍ୟ ଡାକ୍ତରଙ୍କୁ ଡକାଇ ସଂଘବଦ୍ଧ ଭାବରେ ପ୍ରତାପକୁ ଓ ପରେ ତାର ପିଉଷା ପ୍ରସନ୍ନ ଏବଂ ତାଙ୍କର ଜଣେ ବନ୍ଧୁଙ୍କୁ ନିସ୍ତୁକ ପିଟିଥିଲେ।

ପୋଲିସ ସୁରକ୍ଷା କର୍ମୀ ଅଟକାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ତେବେ କୌଣସି ମତେ ସେଠାରୁ ଖସି ଯାଇଥିଲେ ପ୍ରତାପ । ମଙ୍ଗଳାବାଗ ଥାନାରେ ପହଞ୍ଚି ଘଟଣା ନେଇ ଲିଖିତ ଏତଲା ଦେବା ସହିତ ସିଟି ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ। ତାଙ୍କର ବେକରେ ଆଘାତ ଲାଗିବା ସହ ଶରୀରର ବିଭିନ୍ନ ସ୍ଥାନରେ ମାଡ଼ ଦାଗ ଦେଖିବାକୁ ମିଳିଛି । ସମାନ ଅଵସ୍ଥା ତାଙ୍କ ପିଉଷଙ୍କ ବୋଲି ପ୍ରତାପ ନନ୍ଦିଘୋଷ କୁ କହିଛନ୍ତି ପ୍ରତାପ। ସେପଟେ ଏସସିବି ମେଡକାଲରେ ଡାକ୍ତର ଅସୁରକ୍ଷିତ ରୋଗୀ ସମ୍ପର୍କୀୟ ତାଙ୍କୁ ମାରଧର କରୁଥିବା ନେଇ ଥାନାରେ ଏତଲା ପରେ ପୋଲିସ ୨ଟି ଯାକ ଘଟଣାର ତଦନ୍ତ କରୁଛି ।

ଏଥିସହିତ ପଢ଼ନ୍ତୁ: ଆଭ୍ୟନ୍ତରୀଣ ଓଡ଼ିଶା ଓ ଉପକୂଳ ଅଞ୍ଚଳ ପାଇଁ ହିଟ୍‌ଓ୍ୱେଭ୍ ସତର୍କତା

ଗୁରୁଗାଓଁରେ ଭୟଙ୍କର ଅଗ୍ନିକାଣ୍ଡ ! ନିଆଁ ଲିଭା କାର୍ଯ୍ୟରେ ୨୫୦ କର୍ମଚାରୀ ନିୟୋଜିତ

ନୂଆଦିଲ୍ଲୀ: ଗୁରୁଗାଓଁରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁର ପ୍ରକୋପ ଏତେ ଅଧିକ ଯେ, ନିଆଁ ପାଖାପାଖି ୫ କିମି ପର୍ଯ୍ୟନ୍ତ ବ୍ୟାପିଯାଇଛି । ଗୁରୁଗାଓଁରେ ମୋନସେର ସେକ୍ଟର ୬ରେ ଭୟଙ୍କର ନିଆଁ ଲାଗିଛି । ଦୀର୍ଘ ସମୟର କସରତ ପରେ ବି ନିଆଁକୁ ଆୟତ୍ତ କରାଯାଇ ପାରିନାହିଁ । ଏଠାରେ ଥିବା ଏକ କବାଡିଖାନା ଓ ବସ୍ତିରେ ନିଆଁ ଲାଗିଛି ।

ସୋମବାର ରାତି ପ୍ରାୟ ୧୦ଟା ବେଳେ ନିଆଁ ଲାଗିଥିଲା । ସେଠାରେ ପବନର ବେଗ ବଢିବା କାରଣରୁ ଆଖପାଖ ଅଞ୍ଚଳକୁ ନିଆଁ ବ୍ୟାପି ଯାଇଥିଲା । ବର୍ତ୍ତମାନ ୨୫୦ ଦମକଳ କର୍ମଚାରୀ ନିଆଁ ଲିଭା କାର୍ଯ୍ୟରେ ଲାଗିଛନ୍ତି । ତେବେ ବିଳମ୍ବିତ ରାତିରେ ମୋନସେର ସେକ୍ଟର ୬ ପାଖରେ ଥିବା ଏକ କବାଡିଖାନାରେ ନିଆଁ ଲାଗିଯାଇଥିଲା । ଏହାପରେ ତୁରନ୍ତ ଦମକଳ ବାହିନୀକୁ ଖବର ଦିଆଯାଇଥିଲା ।

ତେବେ ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ କାବଡିଖାନାରେ ଥିବା ଜିନିଷ ଗୁଡିକୁ ବାହାର କରାଯାଇପାରି ନଥିଲା । ଅଧିକାଂଶ ଜଳିପୋଡି ପାଉଁଶ ହୋଇଯାଇଛି । ତେବେ ଏଥିରେ କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ । ଘଟଣାସ୍ଥଳରେ ପୋଲିସ ପ୍ରଶାସନ ପହଁଚି ତଦନ୍ତ କରୁଛନ୍ତି । ଏହାସହ ନିଆଁ ସମ୍ପୂର୍ଣ୍ଣ ଲିଭିବା ପରେ ହିଁ କ୍ଷୟକ୍ଷତିର ଆକଳନ ହେବ ବୋଲି ପ୍ରଶାସନ ତରଫରୁ କୁହାଯାଇଛି ।

ମାଆ ଶାରଳାଙ୍କ ପୀଠରେ ୫-ଟି ସଚିବ: ୧୫ଦିନ ମଧ୍ୟରେ ମାଷ୍ଟର ପ୍ଳାନ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ

ଜଗତସିଂହପୁର: ବଦଳିବ ମାଆ ଶାରଳାଙ୍କ ପୀଠର ଚିତ୍ର । ସୌନ୍ଦର୍ଯ୍ୟକରଣ ସାଙ୍ଗକୁ ଶ୍ରାଦ୍ଧାଳୁଙ୍କ ସୁବିଧା ଲାଗି ନିଆଯିବ ସ୍ୱତନ୍ତ୍ର ପଦକ୍ଷେପ । ମାତ୍ର ୧୫ଦିନ ମଧ୍ୟରେ ପ୍ରସ୍ତୁତ ହେବ ନକ୍ସା । ସେବାୟତ ଓ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରି ନକ୍ସା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ୫-ଟି ସଚିବ ।

ସୂଚନା ଯୋଗ୍ୟ ଯେ, ଆଜି ସକାଳୁ ସକାଳୁ ମାଆ ଶାରଳାଙ୍କ ପୀଠରେ ପହଞ୍ଚିଥିଲେ ୫-ଟି ସଚିବ ଭି.କେ ପାଣ୍ଡିଆନ୍ । ମାଆଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା ମଧ୍ୟ କରିଥିଲେ ଏହାପରେ ବେଢ଼ା ପରିକ୍ରମା କରି ପାର୍ଶ୍ବ ମନ୍ଦିରର ସ୍ଥିତି ପରଖିଥିଲେ । ପୂରା ଶାରଳା ମନ୍ଦିରର ନକ୍ସାକୁ ଦେଖିବା ସହ ବିକାଶମୂଳକ କାର୍ଯର ଅନୁଧ୍ୟାନ କରିଥିଲେ ୫ଟି ସଚିବ ।

ଜିଲ୍ଲା ପ୍ରଶାସନର ଉପସ୍ଥିତିରେ ସେବାୟତଙ୍କ ସହ ମନ୍ଦିରର ବିକାଶ ନେଇ ଆଲୋଚନା କରିଛନ୍ତି । ବହୁ ପୁରାତନ ମାଆ ଶାରଳାଙ୍କ ମନ୍ଦିରର ବିକାଶ ପାଇଁ ଅନେକ କାର୍ଯ୍ୟ ହାତକୁ ନେଇଛନ୍ତି ରାଜ୍ୟ ସରକାର ।

ମା’ ଶାରଳା ମନ୍ଦିରର ବିକାଶ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଦେଇଛନ୍ତି । ବିକାଶ ପାଇଁ ଅର୍ଥର ଅଭାବ ନାହିଁ । ଯାହା ଅର୍ଥ ଲାଗିବ ମୁଖ୍ୟମନ୍ତ୍ରୀ ପ୍ରଦାନ କରିବେ ବୋଲି କହିଛନ୍ତି ୫ଟି ସଚିବ । ଏଣୁ ଆସନ୍ତା ୧୫ ଦିନ ମଧ୍ୟରେ ସେବାୟତ ଓ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରି ନୂଆ ନକ୍ସା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ୫ଟି ସଚିବ ।

ମନ୍ଦିରର ବିକାଶ କାର୍ଯ୍ୟ କରାଯିବା ସହ ଦର୍ଶନ ପାଇଁ ବାହାରୁ ଆସୁଥିବା ଭକ୍ତମାନେ ଯେପରି ସ୍ବତନ୍ତ୍ର ଅନୁଭୂତି ନେଇ ଯିବେ, ସେଥିପାଇଁ ବ୍ୟବସ୍ଥା କରାଯାଉଛି । ୫ଟି ସଚିବଙ୍କ ଗସ୍ତକୁ ନେଇ ସେବାୟତଙ୍କ ମହଲରେ ଖୁସି ପ୍ରକାଶ ପାଇଛି ।

ଅଣ୍ଡାର ମୂଲ୍ୟ ନିର୍ଦ୍ଧାରଣ ଦାବିରେ ଗଙ୍ଗପଡ଼ା ନିକଟରେ ଚାଷୀଙ୍କ ଧାରଣା

ଖୋର୍ଦ୍ଧା: ୧୬ ନମ୍ବର ଜାତୀୟ ରାଜପଥର ଖୋର୍ଦ୍ଧା ଭୁବନେଶ୍ବର ରାସ୍ତାରେ ଗଙ୍ଗପଡ଼ା ଟୋଲ ଗେଟ ଛକରେ ଅଣ୍ଡା ଦିଆ କୁକୁଡ଼ା ଚାଷୀଙ୍କ ଧାରଣା । ଅଣ୍ଡାର ମୂଲ୍ୟ ନିର୍ଦ୍ଧାରଣ ପାଇଁ ଧାରଣା ଦିଆଯାଇଛି । ଅନ୍ୟ ରାଜ୍ୟରୁ ଆସୁଥିବା ଟ୍ରକକୁ ଚାଷୀମାନେ ଅଟକ ରଖିଛନ୍ତି ।

ଅଣ୍ଡା ଦିଆ କୁକୁଡ଼ା ଚାଷୀଙ୍କ ଆନ୍ଦୋଳନ ତେଜିଲା। ସେମାନ ଙ୍କ ଦାବି ସରକାର ନ ଶୁଣି ବାରୁ ବାଧ୍ୟ ହୋଇ ଆଜି ପୁଣି ରାଜ ରାସ୍ତାରେ ସେମାନେ ଧାରଣା ଦେଇଛନ୍ତି। ଖୋର୍ଦ୍ଧା ଭୁବନେଶ୍ବର ରାସ୍ତାରେ ଗଙ୍ଗପଡ଼ା ଛକ ନିକଟରେ ଚାଷୀଙ୍କ ଧାରଣା ଆରମ୍ଭ ହୋଇଛି। ଆନ୍ଧ୍ର ପଟୁ ଆସୁଥିବା ଅଣ୍ଡା ବୋଝେଇ ଟ୍ରକ କୁ ଅଟକ ଚାଲିଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅଣ୍ଡା ଦିଆ କୁକୁଡ଼ା ଚାଷୀ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ସେମାନଙ୍କ ଅଣ୍ଡା ଉତ୍ପାଦନ ଦର ପ୍ରତି ଅଣ୍ଡା ପିଛା ଟ୪.୭୫ପ ଇସ ରହିଥିବା ବେଳେ ଏନ୍ ଇ ସି ଯାହା ଦର ଧାର୍ଯ୍ୟ କରିଛି। ତାହା ଯଥେଷ୍ଟ କମ ଥିବାରୁ ଚାଷୀ ମାନେ ଲକ୍ଷ ଲକ୍ଷ ଟଙ୍କା କ୍ଷତି ସହୁଛନ୍ତି।  ଗଞ୍ଜାମ ଜିଲ୍ଲାର ତିନୋଟି ଫାର୍ମ ଏହି କ୍ଷତି ଯୋଗୁ ଦେବାଲିଆ ହୋଇ ବନ୍ଦ କରି ଦେଇଛନ୍ତି।

ଏଥିସହିତ ପଢ଼ନ୍ତୁ: ଅଣ୍ଡା ଦରବୃଦ୍ଧିରେ ଚାଷୀଙ୍କ ଜାତୀୟ ରାଜପଥ ଅବରୋଧ

ରକ୍ତମୁଖା ଋଷ କବଳରୁ ବର୍ତ୍ତି ପାରୁନି ୟୁକ୍ରେନ ସହର, ୬୨ ଦିନରେ ଯୁଦ୍ଧ ଜାରି

କିଭ୍: ଋଷ-ୟୁକ୍ରେନ ଯୁଦ୍ଧକୁ ପୂରିଲା ୬୨ ଦିନ । ରକ୍ତମୁଖା ଋଷ କବଳରୁ ବର୍ତ୍ତି ପାରୁନି ୟୁକ୍ରେନ ସହର । ୟୁକ୍ରେନର ବିଭିନ୍ନ ସ୍ଥାନରେ ଜାରି ରହିଛି ଋଷର ରକେଟ ମାଡ଼ । ଏକ ରେଳବାଇ କାରଖାନା ନିକଟରେ ଏୟାରଷ୍ଟ୍ରାଇକ ହେବା ଯୋଗୁ ପ୍ରାଣ ହରାଇଛନ୍ତି ୫ ଜଣ । ଆହତ ହୋଇଛନ୍ତି ୧୮ଜଣ । ଦୋନବାସକୁ କବଜା କରିବା ଲାଗି ଋଷ ପ୍ରାଣମୂର୍ଚ୍ଛା ଉଦ୍ୟମ କରିବା ସହ ଜୋରଦାର ହମଲା କରିଛି ।

ଦୁଇଦେଶର ସୀମାନ୍ତରେ ଅବସ୍ଥିତ ଋଷର ଏକ ବୃହତ ତୈଳ ଡିପୋରେ ଘଟିଛି ବଡ଼ ଧରଣର ଅଗ୍ନିକାଣ୍ଡ । ବ୍ରିୟାନସ୍କ ସହରର ଅନ୍ତର୍ଗତ ତୈଳ ଡିପୋରେ ଏହି ଅଗ୍ନିକାଣ୍ଡ ଘଟିବାରୁ ବିପୁଳ କ୍ଷତି ଘଟିଛି । ଗତ ୫ ଦିନ ତଳେ ପୋର୍ଟସିଟି ମାରିୟୁପୋଲକୁ କବଜା କରାଯାଇଛି ବୋଲି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଘୋଷଣା କରିଥିଲେ ମଧ୍ୟ ଏବେ ସହରରେ ହମଲା ଜାରି ରହିଛି ।

ଏହାସହ ଭୟଙ୍କର ଧ୍ବଂସଲୀଳା ଭିତରେ ସାରା ସହରର ଛାରଖାର ହୋଇଛି । ଗତକାଲି ୟୁକ୍ରେନୀୟ ସୈନ୍ୟ ୧୫୦୦ଟି ବିସ୍ଫୋରକ ଓ ୩ଟି ବୋମାକୁ ନିଷ୍କ୍ରିୟ କରିଥିବା ଦାବି କରିଛି ଷ୍ଟେଟ ଏମର୍ଜେନସି ସର୍ଭିସ । ବର୍ତ୍ତମାନ ସୁଦ୍ଧା ୟୁକ୍ରେନୀୟ ସୈନ୍ୟ ୭୮ ହଜାରରୁ ଅଧିକ ବିସ୍ଫୋରକକୁ ନିଷ୍କ୍ରିୟ କରିଥିବା କୁହାଯାଇଛି ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିରୋଧୀଙ୍କୁ ପୁରୀବାସୀ ବିରୋଧ କରିବେ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ବିରୋଧ ବରଦାସ୍ତ କରାଯିବ ନାହିଁ । ବିରୋଧୀଙ୍କୁ ବିରୋଧ କରିବେ ପୁରୀବାସୀ । ଏଭଳି କିଛି ଚେତାବନୀ ଦେଇଛନ୍ତି ପୁରୀର ବୁଦ୍ଧିଜୀବୀ ଓ ପୁରୀବାସୀ । ଆସନ୍ତାକାଲି ହେବାକୁ ଥିବା ପଦଯାତ୍ରା ନକରିବାକୁ ଅନୁରୋଧ କରାଯାଇଛି ।

ଗଜପତି ମହାରାଜ ମଧ୍ୟ ମହାପ୍ରଭୁଙ୍କ କାର୍ଯ୍ୟରେ ବାଧା ସୃଷ୍ଟି ନକରିବାକୁ ପଦଯାତ୍ରା କରୁଥିବା ସଂଗଠନକୁ ପରାମର୍ଶ ଦେଇଛନ୍ତି । ଐତିହ୍ୟ ପ୍ରକଳ୍ପ ଶ୍ରୀମନ୍ଦିରର ସୁରକ୍ଷା ଓ ଭକ୍ତଙ୍କ ସୁବିଧା ପାଇଁ ଉଦ୍ଦିଷ୍ଟ । ପ୍ରକଳ୍ପକୁ ବିରୋଧ କରିବା ଅର୍ଥ ମହାପ୍ରଭୁଙ୍କ କାର୍ଯ୍ୟରେ ବିଘ୍ନ ସୃଷ୍ଟି କରିବା । ଏଥିରୁ ନିବୃତ ରହିବାକୁ ଗଜପତି ମହାରାଜଙ୍କ ସମେତ ପୁରୀବାସୀ ଓ ସେବାୟତମାନେ ଅନୁରୋଧ କରିଛନ୍ତି ।

ଏଥିସହିତ ଶ୍ରୀମନ୍ଦିର କାର୍ଯ୍ୟରେ ବାଧା ସୃଷ୍ଟି କରାଗଲେ ପୁରୀବାସୀ ଓ ସେବାୟତ ବିରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି । ପୁରୀର ଅନେକ ସଂଗଠନ, ବୁଦ୍ଧିଜୀବୀ ଓ ଜଗନ୍ନାଥ ପ୍ରେମୀ ପ୍ରକଳ୍ପକୁ ସମର୍ଥନ କରି ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ଦେଇଛନ୍ତି । ଭଏସ ଅଫ କମନମ୍ୟାନ, ଭୂସମ୍ପତ୍ତି ସୁରକ୍ଷା ପରିଷଦ, ଶ୍ରୀକ୍ଷେତ୍ର ଆଠସାହି ଆଖଡା, ପୂଜ୍ୟପୂଜା ସଂସଦ, ଆଖଣ୍ଡଳମଣି ପରିଚାଳନା କମିଟି, ପୁରୀ ରୋଗୀ ସୁରକ୍ଷା ମଞ୍ଚ ପକ୍ଷରୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏପରିକି ପୂଜ୍ୟପୂଜା ସଂସଦର ରାଜ୍ୟ ସଭାପତି ତଥା ବିଜେପିର ବରିଷ୍ଠ ନେତା କୃଷ୍ଣଚନ୍ଦ୍ର ଜଗଦେବ ମଧ୍ୟ ସ୍ମାରକପତ୍ର ପ୍ରଦାନ କରି ପ୍ରକଳ୍ପ ସାକାର ହେଉ ବୋଲି ଦର୍ଶାଇଛନ୍ତି ।