spot_img
Home Blog Page 4314

ଜଙ୍ଗଲରୁ ଦନ୍ତାହାତୀ କଙ୍କାଳ ମିଳିବା ମାମଲା, ଅଧିକାରୀ ନିଲମ୍ବିତ

କଟକ: ବଡମ୍ବା ବନାଞ୍ଚଳ ଚନ୍ଦ୍ରଗିରି ଜଙ୍ଗଲରୁ ଦନ୍ତାହାତୀ କଙ୍କାଳ ମିଳିବା ମାମଲା । ନିଲମ୍ବିତ ହେଲେ ଆଉ ଜଣେ ଗାର୍ଡ ଓ ଫରେଷ୍ଟର । ବଡ଼ମ୍ବା ରେଞ୍ଜର ଫରେଷ୍ଟର ମନୋଜ ଦାସ ଏବଂ ଫରେଷ୍ଟ ଗାର୍ଡ ନରେନ୍ଦ୍ର ଦେହୁରୀଙ୍କୁ ନିଲମ୍ବନ କରାଯାଇଛି ।

ବଡମ୍ବା ବନାଞ୍ଚଳ ଚନ୍ଦ୍ରଗିରି ଜଙ୍ଗଲରୁ ଦନ୍ତାହାତୀ କଙ୍କାଳ ଠାବ କରିଥିଲା ଏସ ଟି ଏଫ୍ । ପ୍ରଥମେ ଗୋପପୁର ସେକ୍ସନର ଫରେଷ୍ଟର ପ୍ରଦୀପ ପରିଡା ଓ ବିଟ ଗାର୍ଡ ତନ୍ମୟ ବେହେରାଙ୍କୁ ନିଲମ୍ବନ କରାଯାଇଥିଲା ।

୧୨ଟି ପ୍ରକଳ୍ପକୁ ସିଙ୍ଗଲ ଓ୍ୱିଣ୍ଡୋରେ ମଂଜୁରୀ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟରେ ୧୨ଟି ପ୍ରକଳ୍ପକୁ ସିଙ୍ଗଲ ଓ୍ୱିଣ୍ଡୋରେ ମଂଜୁରୀ ଦେଲେ ରାଜ୍ୟ ସରକାର । ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ, ପ୍ଲାଷ୍ଟିକ କ୍ଷେତ୍ରରେ ହେବ ପୁଞ୍ଜି ନିବେଶ । ୨ ହଜାର ୮୨ କୋଟି ୧୭ ଲକ୍ଷ ଟଙ୍କାର ପୁଞ୍ଜି ନିବେଶ ହେବ । ଏଥିରେ ୩ ହଜାର ୬୧୨ଜଣଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ମିଳିବ । ଏନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି । ପ୍ରକଳ୍ପ ମଧ୍ୟରେ ରହିଛି କୋରାପୁଟ ପଟାଙ୍ଗିରେ ୭୩୨କୋଟିର ନାଲକୋ କନଭେୟର ପ୍ଲାଣ୍ଟ । ଯାଜପୁର କଳିଙ୍ଗ ନଗରରେ ହେବ ଇସ୍ପାତ ଆନୁଷଙ୍ଗିକ ଶିଳ୍ପ ।

ଏଥିପାଇଁ ୧୬୭କୋଟି ଟଙ୍କା ପୁଞ୍ଜି ନିବେଶ କରିବ ଖେତନ ବିନିଯୋଗ । ଝାରସୁଗୁଡ଼ାରେ କୋଣାର୍କ ଇସ୍ପାତ ଲିମିଟେଡ ପ୍ରତିଷ୍ଠା କରିବ ପେଲେଟ ପ୍ଲାଣ୍ଟ । ଏହା ସହିତ କୋଇଲା ଗ୍ୟାସିଫିକେସନ ୟୁନିଟ ମଧ୍ୟ ପ୍ରତିଷ୍ଠା ହେବ । ପୁରୀ ବାଲୁଖଣ୍ଡରେ ପର୍ଯ୍ୟଟକଙ୍କ ପାଇଁ ପ୍ରତିଷ୍ଠା ହେବ ଇକୋ ରିସର୍ଟସ । ଏଥିପାଇଁ ୧୨୮କୋଟି ଟଙ୍କା ପୁଞ୍ଜି ନିବେଶରେ ଇକୋ ରିସର୍ଟସ । ଭୁବନେଶ୍ୱର ଇନଫୋସିଟି ଶିଳ୍ପାଞ୍ଚଳରେ ହେବାକୁ ଥିବା IT ଶିଳ୍ପ ପାଇଁ CTRLS ଡାଟା ସେଣ୍ଟର ବିନିଯୋଗ କରିବ ୧୫୨ କୋଟି ୨୫ ଲକ୍ଷ ଟଙ୍କା ।

ତାତିରେ ରେକର୍ଡ ରଚିଲା ବଲାଙ୍ଗୀର, ଟିଟିଲାଗଡ଼ରେ ୪୫. ୨ ଡିଗ୍ରୀ ରେକର୍ଡ

ଭୁବନେଶ୍ୱର: ଜଳୁଛି ବଲାଙ୍ଗୀର  । ତତଲା ତାୱାରେ କଲବଲ ହେଉଛନ୍ତି ଜିଲ୍ଲାବାସୀ  । ଆଜି ସର୍ବୋଚ୍ଚ ତାପମାତ୍ରା ବଲାଙ୍ଗୀରରେ ରେକର୍ଡ ହୋଇଛି  । ପାଣିପାଗ ବିଭାଗର ସୂଚନା ମୁତାବକ ବଲାଙ୍ଗୀରରେ ୪୫. ୩ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି  । ସେହିପରି ଦେଖିବାକୁ ଗଲେ ରାଜ୍ୟର ଦ୍ୱିତୀୟ ଉତ୍ତପ୍ତ ସହର ଟିଟିଲାଗଡ଼ ପାଲଟିଛି  । ଟିଟିଲାଗଡ଼ରେ ଆ଼ଜି ତାପମାତ୍ରା ୪୫. ୨ ଡିଗ୍ରୀ ରେକର୍ଡ କରାଯାଇଛି । ରାଜ୍ୟର ଅନ୍ୟ ସ୍ଥାନରେ ମଧ୍ୟ ଆଜି କଲବଲ କରିଛି ତାତି  ।

ବରଗଡ଼ରେ ତାପମାତ୍ରା ଆଜି ୪୨. ୬ ଡିଗ୍ରୀ ଥିବାବେଳେ ନୂଆପଡ଼ାରେ ୪୨.୪ ଡିଗ୍ରୀ ରହିଛି  । ସେହପରି ଦେବଗଡ଼ରେ ୪୧. ୨ ଡିଗ୍ରୀ, ନବରଙ୍ଗପୁରରେ ୪୦ ଡିଗ୍ରୀ, ଝାରସୁଗୁଡ଼ାରେ ୪୨. ୭ ଡିଗ୍ରୀ ରହିଛି  । ସମ୍ବଲପୁରର ତାପମାତ୍ରା ୪୨ ଡିଗ୍ରୀ, ସୁନ୍ଦରଗଡ଼ ୪୨ ଡିଗ୍ରୀ, ହିରାକୁଦ ୪୧. ୩ ଡିଗ୍ରୀ, ଭବାନୀପାଟଣାରେ ୪୩. ୫ ଡିଗ୍ରୀ, ମାଲକାନଗିରିରେ ୪୩ ଡିଗ୍ରୀ ରହିଛି ତାପମାତ୍ରା  । ଅନ୍ୟପଟେ ଓଡିଶାର ଅନ୍ୟାନ ସ୍ଥାନ ମାନଙ୍କରେ ମଧ୍ୟ ତାପମାତ୍ରା ସାଧାରଣ ଲୋକଙ୍କୁ ଅସହ୍ୟ କରିଛି  ।

ସେପଟେ ମୌସୁମୀ ବାୟୁ ବିଳମ୍ବରେ ଆସିବା ନେଇ ସୂଚନା ଦେଇଛନ୍ତି ପାଣିପାଗ ବିଶେଷଜ୍ଞ ଜେନାମଣି  । ରଜକୁ ବର୍ଷା ନାହିିଁ ବଂର ତାତି ବଢିବା ନେଇ ଆଶଙ୍କା କରାଯାଇଛି  । କିଛି ଦିନ ହେବ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି  । ଭୁବନେଶ୍ୱରରୁ ଭବାନୀପାଟଣା, ନିମାପଡ଼ାରୁ ନୂଆପଡ଼ା ସବୁଠି ତାତି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି  । ଯାହା ଫଳରେ ଲୋକେ ତାତିରୁ ତ୍ରାହି ପାଇବାକୁ ଆକୁଳ ନିବେଦନ କରିଛନ୍ତି  ।

ନିଜକୁ ନିଜେ ସିନ୍ଦୁର ପିନ୍ଧାଇଲେ କ୍ଷମା ବିନ୍ଦୁ ,ବିନା ବର ଓ ପଣ୍ଡିତରେ ହେଲା ବିବାହ

ଗାନ୍ଧିନଗର : ବିବାହ ମଣ୍ଡପରେ ନଥିଲା ବର, କିନ୍ତୁ ବିବାହ ହେଲା ସମ୍ପନ୍ନ । ବିନା ବରରେ ନେଲେ ସାତ ଫେରା, ନିଜକୁ ନିଜେ ଲଗାଇଲେ ସିନ୍ଦୁର ଆଉ ନିଜ ପାଇଁ ନିଜେ ନେଲେ ବିବାହ ପ୍ରତିଜ୍ଞା । ନିକଟ ଅତୀତରେ ଚର୍ଚ୍ଚାରେ ଥିବା ଗୁଜୁରାଟର ୨୪ ବର୍ଷୀୟା କ୍ଷମା ବିନ୍ଦୁ ଆଜି ନିଜକୁ ସମସ୍ତ ରୀତିନୀତିରେ ବିବାହ କରିଛନ୍ତି । ଅନେକ ଦିନରୁ ଲାଇମଲାଇଟ୍ ରେ ଥିବା କ୍ଷମାଙ୍କ ଏପରି ବିବାହ ବିଷୟ ଯେକେହି ବି ଶୁଣିଲେ , ଆଶ୍ଚର୍ଯ୍ୟ ହେବା ସାର । ଜୁନ୍ ୧୧ରେ ନିଜକୁ ନିଜେ ବିବାହ କରିବାକୁ ଘେଷଣା କରିଥିଲେ କ୍ଷମା କିନ୍ତୁ ବିବାଦରୁ ବଞ୍ଚିବା ପାଇଁ ଧାର୍ଯ୍ୟ ସମୟ ପୂର୍ବରୁ ନିଜକୁ ବିବାହ କରିଛନ୍ତି ।

ବିନ୍ଦୁଙ୍କ କହିବା ଅନୁଯାୟୀ, ବିବାଦ ଘେରରେ ଆସିବାର ଭୟ ଓ ତାଙ୍କ ଘରକୁ ଆସି ତାଙ୍କ ବିବାହ ପରି ସ୍ପେଶାଲ ଦିନକୁ କେହି ଖରାପ ନକରି ଦିଅନ୍ତୁ ତାହାକୁ ଦୃଷ୍ଟିରେ ରଖି ସେ ଧାର୍ଯ୍ୟ ସମୟ ପୂର୍ବରୁ ବିବାହ ସମ୍ପନ୍ନ କରିବାକୁ ନିଷ୍ପତ୍ତି କରିଥିଲେ । ତାଙ୍କ ବିବାହ ଅବସରେ ତାଙ୍କର କିଛି ଖାସ୍ ସାଙ୍ଗମାନେ ସାମିଲ ହୋଇଥିଲେ । ଏହି ଖାସ୍ ବିବାହରେ ମଧ୍ୟ ମେହେନ୍ଦି, ହଲଦୀ ପରି ରୀତିନୀତି ପାଳନ କରାଯାଇଛି।

ପ୍ରଥମେ କ୍ଷମା ମନ୍ଦିରରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ, କିନ୍ତୁ ଜଣେ ବିଜେପି ନେତାଙ୍କ ବିରୋଧ ପରେ ସେ ଘରେ ହିଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ।ଏପରି ବିବାହ ସମ୍ପନ କରିବାକୁ କେହି ପଣ୍ଡିତ ରାଜି ନହେବାରୁ ସେ ନିଜେ ଡିଜିଟାଲ ମାଧ୍ୟମରେ ଟେପ୍ ରେ ମନ୍ତ୍ର ବଜାଇ ବିବାହ କରିଛନ୍ତି ।ବିବାହ ପରେ ହନିମୁନ୍ ପାଇଁ ଗେଆ ଯିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି  ସେ କହିଛନ୍ତି । କ୍ଷମାଙ୍କ ନିଜକୁ ନିଜେ ବିବାହ କରିବାର ନିଷ୍ପତ୍ତିକୁ ତାଙ୍କ ପିତାମାତା ସମର୍ଥନ କରିବା ସହ ସୁଖୀ ଜୀବନ ପାଇଁ ଆଶିର୍ବାଦ ମଧ୍ୟ କରିଛନ୍ତି । ବିବାହ ପରେ ଏକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ସେ ସମସ୍ତଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ।

ଏହି ବିବାହ କରିବାକୁ ତାଙ୍କୁ ବହୁ ବିବାଦର ସାମ୍ନା କରିବାକୁ ପଡିଥିଲା । ତାଙ୍କ ଏପରି ବିବାହକୁ ଅନେକ ତାଙ୍କୁ ଟ୍ରୋଲ କରିବା ସହିତ ଅନେକ ତାଙ୍କୁ ସମର୍ଥନ ମଧ୍ୟ ଜଣାଇଛନ୍ତି । ଏପରି ନିଆରା ବିବାହ ଭାରତରେ ପ୍ରଥମ ଆତ୍ମବିବାହ ବା ସଲୋଗାମୀ ବିବାହ ବୋଲି କୁହାଯାଉଛି । ନିଜ ବିବାହକୁ ନେଇ କ୍ଷମା କୁହନ୍ତି, ଲୋକମାନେ ଭଲପାଉଥିବା ବ୍ୟକ୍ତିକୁ ବିବାହ କରନ୍ତି, ମୁଁ ନିଜକୁ ଭଲପାଏ ସେଥିପାଇଁ ନିଜକୁ ବିବାହ କରିଛି ।

ରାଗିଗଲେ ୱବେସୀ, କହିଲେ FIR କପିରେ ନାହିଁ ମୋ ଅପରାଧ

ଦିଲ୍ଲୀ: ରାଗିଗଲେ AIMIM  ମୁଖ୍ୟ ଅସଦୁଦ୍ଦୀନ ୱବେସୀ । କହିଲେ ‘ମୋ ବିରୁଦ୍ଧରେ ଦାଏର ହୋଇଥିବା FIR କପିରେ ଉଲ୍ଲେଖ ନାହିଁ ମୋ ଅପରାଧ’ । ଏହି ମାମଲା ପାଇଁ ଆଦୌ ଭୟଭୀତ ନୁହେଁ ବରଂ ଓକିଲଙ୍କ ପରାମର୍ଶ ନେଇ ସମାଧାନ କରିବି । ଅଭଦ୍ର ଭାଷାର ଆଲୋଚନା ଓ ଅଭଦ୍ର ଭାଷାର ବ୍ୟବହାର କରିବା ମଧ୍ୟରେ ପାର୍ଥକ୍ୟ ରହିଥିବା ଟ୍ବିଟ କରି ଜଣାଇଛନ୍ତି ୱବେସୀ  ।

ସେ ଆହୁରି ଏକ ଟ୍ବିଟ କରି ଦିଲ୍ଲୀ ପୋଲିସ ଉପରେ ବର୍ଷିଛନ୍ତି  । ସନ୍ଥ ଯତି ନରସିଂହାନନ୍ଦ, ନୂପୁର ଶର୍ମା ଓ ନବୀନ ଜିନ୍ଦଲଙ୍କ ବିରୁଦ୍ଧରେ ରୁଜୁ ମାମଲାର ତଦନ୍ତ କରିବା ପାଇଁ ଦିଲ୍ଲୀ ପୋଲିସ ପାଖରେ ସାହାସ ନାହିଁ  । ମୁସଲମାନଙ୍କ ବିରୋଧରେ ନରସଂହାରକୁ ଉସକାଇବା ଓ ଇସଲାମକୁ ଅପମାନ କରି ନିଜ ଜାମିନ ସର୍ତ୍ତକୁ ଯତି ବାରମ୍ବାର ଉଲ୍ଲଙ୍ଘନ କରିଥିବା ସେ ଅଭିଯୋଗ କରିଛନ୍ତି । ସେହିପରି ଦିଲ୍ଲୀ ପୋଲିସ ଉଭୟ ପକ୍ଷବାଦ ବା ସନ୍ତୁଳନ ବାଦ ସିଣ୍ଡ୍ରୋମରେ ପୀଡିତ ଥିବା କ୍ଷୋଭ ପ୍ରକାଶ କରିଛନ୍ତି ୱବେସୀ  ।

ବିଜେପିର ପୂର୍ବତନ ପ୍ରବକ୍ତା ନୂପୁର ଶର୍ମା, ନବୀନ ଜିନ୍ଦଲ, ବିବାଦିତ ସନ୍ଥ ଯତି ନରସିଂହାନନ୍ଦଙ୍କ ସହ AIMIM ମୁଖ୍ୟ ଅସଦୁଦ୍ଦୀନ ୱବେସୀଙ୍କ ବିରୋଧରେ ମାମଲା ରୁଜୁ କରିଛି ଦିଲ୍ଲୀ ପୋଲିସ  । ଭାରତୀୟ ଦଣ୍ଡ ସଂହିତାର ଧାରା ୧୫୩ (ଜାଣିଶୁଣି ଦଙ୍ଗା ପାଇଁ ଉସୁକାଇବା), ୨୯୫  (କୌଣସି ଧର୍ମକୁ ଅପମାନ କରିବା ଉଦ୍ଦେଶ୍ୟରେ ପ୍ରାର୍ଥନା ସ୍ଥଳକୁ ଅପମାନ) ଏବଂ ୫୦୫ (ସାର୍ବଜନିକ ସ୍ଥାନରେ ଅପ୍ରିତିକର ବୟାନ) ଆଦି ଅଭିଯୋଗରେ ପୋଲିସ ମାମଲା ରୁଜୁ କରିଛି  ।

ଭୟଙ୍କର ହେଉଛି ବ୍ରହ୍ମପୁତ୍ର, ଆସାମରେ ମଲେଣି ୧୦

ଗୌହାଟୀ: ପ୍ରବଳ ବର୍ଷା ଓ ଭୂସ୍ଖଳନରେ ଧରାଶାୟୀ ଆସାମ  । ପ୍ରାକ ମୌସୁମୀ ବର୍ଷା ଯୋଗୁଁ ଆସାମରେ ୧୦ ଜଣ ପ୍ରାଣ ହରାଇଲେଣି  । ସେହିପରି ୭ ଲକ୍ଷରୁ ଊର୍ଦ୍ଧ୍ବ ପ୍ରଭାବିତ ହୋଇଥିବା ସୂଚନା  ।

ବନ୍ୟା ତାଣ୍ଡବ ଲୋକଙ୍କ ମନରୁ ଲିଭି ନଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ହୋଇଛି । ଫଳରେ ଗୌହାଟୀ ସମେତ ଅନ୍ୟାନ୍ୟ ଭାଗରେ ସହର ଓ ଗ୍ରାମ ଜଳାର୍ଣ୍ଣବ ହୋଇଛି । ୩ ଦିନ ଲଗାଣ ବର୍ଷାରେ ଆସାମ ଦେଇ ବହିଯାଇଥିବା ବିଶ୍ବର ସର୍ବବୃହତ ନଦୀ ବ୍ରହ୍ମପୁତ୍ର ଜଳ ଗାଁ  ଭିତରେ ପ୍ରବେଶ କରିଛି  । ଏଥିଯୋଗୁଁ ୧୯୦୦ରୁ ଅଧିକ ଗାଁ ପ୍ରଭାବିତ ହୋଇଛି ।

ଆଗାମୀ ୨ ଦିନ ଆହୁରି ବର୍ଷିବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି  । ପ୍ରତି ଘଣ୍ଟାରେ ବନ୍ୟା ସ୍ଥିତି ଆହୁରି ସଙ୍ଗୀନ ହେବାରେ ଲାଗିଛି  । ଗତ ୩ ଦିନ ମଧ୍ୟରେ ସାତ ଜଣ ଭାସିଯାଇଥିବା ଜଳ ସମ୍ପଦ ମନ୍ତ୍ରୀ ସୂଚନା ଦେଇଛନ୍ତି । ସେପଟେ ବ୍ରହ୍ମପୁତ୍ରର ଜଳସ୍ତର ବଢିବାରେ ଲାଗିଛି  ।

ହୋଜାଇ ଜିଲ୍ଲାରେ ଫସିଥିବା ୨୦୦୦ ବନ୍ୟା ପ୍ରଭାବିତଙ୍କୁ ଉଦ୍ଧାର କରିଛି ଭାରତୀୟ ସେନା । ଉଦ୍ଧାର କାର୍ଯ୍ୟ ବର୍ତ୍ତମାନ ସୁଦ୍ଧା ଜାରି ରହିଛି  ।

ଦାୟିତ୍ୱ ପରେ ଅଧିକାରୀଙ୍କ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ବୈଠକ

ଭୁବନେଶ୍ୱର: ଦାୟିତ୍ୱ ଗ୍ରହଣ ପରେ ସୂଚନା ଓ ଲୋକସଂପର୍କ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ  ପ୍ରଦୀପ କୁମାର ଅମାତ ଆଜି ଲୋକସଂପର୍କ ଭବନକୁ ପରିଦର୍ଶନରେ ଆସି ବିଭାଗୀୟ ଅଧିକାରୀ ତଥା କର୍ମଚାରୀମାନଙ୍କ ସହ ମିଳିତ ହୋଇଥିଲେ । ଲୋକସଂପର୍କ ଭବନ ସମ୍ମିଳନୀ କକ୍ଷରେ ଆହୂତ ଏକ ବୈଠକରେ ମନ୍ତ୍ରୀ  ଅମାତଙ୍କୁ ବିଭାଗ ପକ୍ଷରୁ ସ୍ୱାଗତ କରାଯାଇଥିଲା । ବିଭାଗୀୟ ପ୍ରମୁଖ ଶାସନ ସଚିବ  ବିଷ୍ଣୁପଦ ସେଠୀ, ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ଏବଂ ଅନ୍ୟ ଅଧିକାରୀମାନେ ମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇଥିଲେ ।

ମନ୍ତ୍ରୀ  ଅମାତ ସୂଚନା ଓ ଲୋକସଂପର୍କ ବିଭାଗକୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ଭାବରେ ଅଭିହିତ କରି ଏହା ସରକାର ଓ ଜନସାଧାରଣଙ୍କ ମଧ୍ୟରେ ସଂଯୋଗ ସେତୁର ଭୂମିକା ନିର୍ବାହ କରିଥାଏ ବୋଲି କହିଥିଲେ । ସରକାରଙ୍କ ସମସ୍ତ କାର୍ଯ୍ୟକ୍ରମ ଓ ସଫଳତାକୁ ଜନସାଧାରଣଙ୍କ ନିକଟରେ ସଠିକ୍‌ ଭାବରେ ଉପସ୍ଥାପନ କରିବା ପାଇଁ ପରାମର୍ଶ ଦେଇଥିଲେ । ବିଭାଗକୁ ଅଧିକ କ୍ରିୟାଶୀଳ ଓ ସଫଳ କରି ଗଢ଼ିତୋଳି ଉତ୍କର୍ଷ ପ୍ରତିପାଦନ କରିବାକୁ ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ସଚେତନ ଉଦ୍ୟମ କରବା ପାଇଁ
ମନ୍ତ୍ରୀ କହିଥିଲେ । ବିଭାଗର ବିଭିନ୍ନ ସମସ୍ୟା ଦୂରୀକରଣ ପାଇଁ ଯଥୋଚିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ।

ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ସରକାରଙ୍କ ଯୋଜନା, କାର୍ଯ୍ୟକ୍ରମକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା, ବିଭିନ୍ନ ଜାତୀୟ ଦିବସ ତଥା ମହାପୁରୁଷମାନଙ୍କ ଜୟନ୍ତୀ ଓ ଶ୍ରାଦ୍ଧୋତ୍ସବ ପାଳନ କରିବା ସହିତ ବିଭିନ୍ନ ପ୍ରକାଶନ ପାଇଁ ବିଭାଗ ପଦକ୍ଷେପ ନେଇଥାଏ ବୋଲି କହିଥିଲେ । ବର୍ତ୍ତମାନ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଅବଲମ୍ବନରେ ଇଣ୍ଟରନେଟ୍‌, ଇ-ମେଲ୍‌, ଟ୍ୱିଟର, ଇନ୍‌ଷ୍ଟାଗ୍ରାମ ପରି ସାମାଜିକ ଗଣମାଧ୍ୟମର ସହାୟତାରେ ସୂଚନା ଅଧିକାରୀମାନେ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମଗୁଡ଼ିକୁ ସବୁସ୍ତରରେ ପହଞ୍ଚାଇବା ପାଇଁ ଉଦ୍ୟମର ଗୁରୁତ୍ୱ ଉଲ୍ଲେଖ କରିଥିଲେ । ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତି୍ରପାଠୀ ସୂଚନା ଓ ଲୋକସଂପର୍କ ବିଭାଗର ସମସ୍ତ କାର୍ଯ୍ୟକ୍ରମ ସଂପର୍କରେ ପାୱାର ପଏଣ୍ଟ ମାଧ୍ୟମରେ ମାନ୍ୟବର ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।

ଜିଲ୍ଲା ଓ ଉପଖଣ୍ଡ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ, ଡିଜିଟାଇଜେସନ୍‌ ତଥା ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ସୂଚନା ଦେବା ସହିତ ନିର୍ଦ୍ଦେଶକ  ତି୍ରପାଠୀ ଅଧିକାରୀମାନଙ୍କ କର୍ମସଂସ୍କୃତି, ଶୃଙ୍ଖଳା ଓ ନିଷ୍ଠା ଉପରେ ଆସ୍ଥାପ୍ରକଟ କରିଥିଲେ । ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭୁ୍ୟର ସଂପାଦକ ଡକଫର ଲେନିନ୍‌ ମହାନ୍ତି ସଫଳ କାର୍ଯ୍ୟାନ୍ୱୟନରେ ବିଭିନ୍ନ ପ୍ରତିବନ୍ଧକ ଅତିକ୍ରମ କରି ବିଭାଗର ଅଧିକାରୀମାନେ କାର୍ଯ୍ୟ କରୁଛନ୍ତି ବୋଲି କହିଥିଲେ । ବିଭାଗୀୟ ନିର୍ଦ୍ଦେଶକ (ବୈଷୟିକ) ସୁରେନ୍ଦ୍ର ନାଥ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିବାବେଳେ
ଏହି ବୈଠକରେ ଯୁଗ୍ମ ସଚିବ ଶ୍ରୀମତୀ ବିଷ୍ଣୁପ୍ରିୟା ସାହୁ, ଅତିରିକ୍ତ ନିର୍ଦ୍ଦେଶକ  ସନ୍ତୋଷ କୁମାର ଦାସଙ୍କ ସମେତ ଯୁଗ୍ମ ନିର୍ଦ୍ଦେଶକ, ଉପନିର୍ଦ୍ଦେଶକ, ସହକାରୀ ନିର୍ଦ୍ଦେଶକ ଏବଂ ଅନ୍ୟ ଅଧିକାରୀ ତଥା କର୍ମଚାରୀମାନେ ଉପସ୍ଥିତ ଥିଲେ ।

ଏଥର ରଜରେ ବର୍ଷା ନାହିଁ, ଦିନ ଗଡାଉଛି ମୌସୁମୀ..

ଭୁବନେଶ୍ୱର: ରଜ ବେଳକୁ ଓଡ଼ିଶାରେ ମୌସୁମୀ ଆସିବା ସମ୍ଭାବନା କମ । ତେବେ ଜୁନ ଦ୍ୱିତୀୟ ସପ୍ତାହ ସୁଦ୍ଧା ମୌସୁମୀର ଗତି ସଠିକ ଅଛି । ଉତ୍ତର ଭାରତ ଓ କେନ୍ଦ୍ର ଭାରତରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବାରୁ ଆଉ ଦୁଇ ଦିନ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ଗରମ ଅନୁଭୂତ ହେବ । ତେବେ ୧୨ ଓ ୧୩ ତାରିଖ ବେଳକୁ ରାଜ୍ୟରେ ପ୍ରାକ-ମୌସୁମୀ ବର୍ଷା ଆରମ୍ଭ ହୋଇଯିବ । ଏପରି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଜ୍ଞାନୀ ଆର. କେ ଜେନାମଣି ।

ଜୁନର ପ୍ରଥମ ଭାଗରେ ମୌସୁମୀ ସକ୍ରିୟ ହେଉଛି । ଆଗକୁ ବଢୁଛି । ତେଣୁ ପ୍ରତିବର୍ଷ ରଜକୁ ମୌସୁମୀ ବର୍ଷା ଆରମ୍ଭ ହୋଇଯିବ ବୋଲି କିଛି ମାନେ ନାହିଁ । କିନ୍ତୁ ଜୁନ ଦ୍ବିତୀୟ ଭାଗରେ ପ୍ରବଳ ବର୍ଷା ହେବ ବୋଲି କହିଛନ୍ତି ଆର କେ ଜେନାମଣି । ଲା ନିନା ଯୋଗୁଁ ମୌସୁମୀ ପାଇଁ ପାଗ ଅନୁକୂଳ ରହିଛି । ଆରବ ସାଗର ପଟୁ ମୌସମୁୀ ଆଗାମୀ ଦୁଇ ଦିନ ମଧ୍ୟରେ ମହାରାଷ୍ଟ୍ରର କିଛି ଭାଗରେ ସକ୍ରିୟ ହେବ ।

ସେହିପରି ପୂରା କର୍ଣ୍ଣାଟକ ଏବଂ ଆନ୍ଧ୍ରର କିଛି ଅଂଶ ଛୁଇଁବ । ଅନ୍ୟପଟେ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଗୁଡିକରେ ପୁରୁବା ପବନ ବୋହୁଛି । ଯାହା ଆଗାମୀ ଦିନରେ ବଙ୍ଗୋପସାଗର ପଟୁ ମୌସୁମୀକୁ ଆହୁରି ସକ୍ରିୟ କରିବ ଏବଂ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯିବ ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ ଆର କେ ଜେନାମଣି । ଅର୍ଥାତ ରଜ ସମୟରେ ବର୍ଷା ନୁହେଁ ବଂର ଗରମ ଅନୁଭୂତ ହେବ ବୋଲି ସୂଚନା ଦେଇଛନ୍ତି ପାଣିପାଗ ବିଶେଷଜ୍ଞ ।

ବଢୁଛି କୋଭିଡ ସଂକ୍ରମଣ, କଟକରୁ 13 ଜଣ ଚିହ୍ନଟ

ଭୁବନେଶ୍ୱର: ଓଡିଶାରେ ବଢ଼ୁଛି କୋଭିଡ ସଂକ୍ରମଣ । କଟକର ଏକ ଓ୍ୱାର୍କିଂ ହଷ୍ଟେଲରେ 13 ଜଣ ଚିହ୍ନଟ ହୋଇଛନ୍ତି । ହେଲେ ସେମାନଙ୍କ ଠାରେ କୌଣସି ଲକ୍ଷଣ ନାହିଁ । ଜଣେ ପଜିଟିଭ୍ ଆସିବା ପରେ କଣ୍ଟାକ୍ଟ ଟ୍ରେସିଂ ଦ୍ୱାରା ଅନ୍ୟମାନେ ସଂକ୍ରମିତ ବୋଲି ଜଣା ପଡ଼ିଥିଲା । ସ୍ଥିତି ଅନୁଧ୍ୟାନ ପାଇଁ ସ୍ୱାସ୍ଥ୍ୟ ବିଭାଗ ଟିମକୁ ପଠାଯାଇଛି ବୋଲି କହିଛନ୍ତି ଜନସ୍ୱାର୍ଥ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ସଂଧ୍ୟା ସୁଦ୍ଧା ରିପୋର୍ଟ ଆସିଲେ, କଣ୍ଟେନମେଣ୍ଟର ଆବଶ୍ୟକତା ଅଛି କି ନାହିଁ ଜଣା ପଡ଼ିବ । ସବୁ ଜିଲ୍ଲାଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । କ୍ଲଷ୍ଟର କଣ୍ଟେମେଣ୍ଟ କଲେ ସଂକ୍ରମଣ ବ୍ୟାପିବ ନାହିଁ । ଟିକାକରଣ ବ୍ୟାପକ ହେବା ଯୋଗୁଁ ସଂକ୍ରମଣ ମନ୍ଥର ହୋଇଛି ଏବଂ ରୋଗର ଭୟାବହତା କମିଛି । ଗୋଟିଏ ଦୁଇଟି ସ୍ଥାନରେ ଆଉଟବ୍ରେକ ହୋଇପାରେ ବୋଲି ପୂର୍ବରୁ ବିଶେଷଜ୍ଞମାନେ କହିଥିଲେ । ସେଥିପାଇଁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । ଟେଷ୍ଟିଂ, ଟ୍ରାକିଂ,ଟ୍ରିଟମେଣ୍ଟ, ଟୀକା କରଣ ଏବଂ କୋଭିଡ୍ ନିୟମ ମାନିବାକୁ ପଡ଼ିବ ବୋଲି କହିଛନ୍ତି ନିରଞ୍ଜନ ମିଶ୍ର ।

୨୧ ଜୁଲାଇରେ ଦେଶ ଦେଖିବ ନୂଆ ରାଷ୍ଟ୍ରପତି, ୨୪ରେ ସରୁଛି କୋବିନ୍ଦଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ: ଘୋଷଣା ହେଲା ରାଷ୍ଟ୍ରପତି ନିର୍ବାଚନ ତାରିଖ । ଜୁଲାଇ ୧୮ରେ ହେବ ନିର୍ବାଚନ । ୨୧ ଜୁଲାଇରେ ହେବ ଫଳାଫଳ ଘୋଷଣା । ଆସନ୍ତା ୧୫ ଜୁନରେ ଅଧିସୂଚନା ଜାରି ହେବ । ଏହାସହ ୨୯ ଜୁନରୁ ରାଷ୍ଟ୍ରପତି ନିର୍ବାଚନ ନେଇ ଆରମ୍ଭ ହେବ ନାମାଙ୍କନ ଦାଖଲ ପ୍ରକ୍ରିୟା । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ସିଇସି ରାଜୀବ କୁମାର । ସେ କହିଛନ୍ତି- ନିର୍ବାଚନ ଲାଗି ସମସ୍ତ ବ୍ୟବସ୍ଥା କରାଯାଇଛି । ଭୋଟ ସରିବା ପରେ ଗଣତି ନୂଆଦିଲ୍ଲୀର ହେବ । ଆସନ୍ତା ଜୁଲାଇ ୨୪ତାରିଖରେ ସରୁଛି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ।

ଆଜିର ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ନିର୍ବାଚନ କମିଶନର ଅନୂପ ଚନ୍ଦ୍ର ପାଣ୍ଡେ । ସେପଟେ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି କିଏ ହେବେ ତାହାକୁ ନେଇ ଚାଲିଛି ଅଙ୍କକଷା । ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଆସନ୍ତା ଜୁଲାଇ ୨୪ରେ ଶେଷ ହେଉଛି । ଗତ ୨୦୧୭ରେ ରାଷ୍ଟ୍ରପତି ନିର୍ବାଚନ ଜୁଲାଇ ୧୭ରେ ହୋଇଥିବାବେଳେ ଫଳାଫଳ ଘୋଷିତ ହୋଇଥିଲା ୨୦ରେ । ସମ୍ବିଧାନର ଧାରା ୬୨ ଅନୁସାରେ ପଦାସୀନ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ସରିବା ପୂର୍ବରୁ ନୂଆ ରାଷ୍ଟ୍ରପତି ଦାୟିତ୍ୱ ନେବା ଆବଶ୍ୟକ । ଏହି ନିର୍ବାଚନରେ ଭାଗ ନେବେ ଦେଶର ସମସ୍ତ ରାଜ୍ୟର ବିଧାୟକ, ରାଜ୍ୟସଭା ଓ ଲୋକସଭା ସାଂସଦ ।

ତେବେ ବିଧାନସଭା ପରିଷଦର ସଦସ୍ୟମାନେ ରାଷ୍ଟ୍ରପତି ନିର୍ବାଚନରେ ଭାଗ ନେଇପାରିବେ ନାହିଁ  ବୋଲି ନିର୍ବାଚନ କମିଶନ ସ୍ପଷ୍ଟ ଭାବେ ଘୋଷଣା କରିଛନ୍ତି । ଏହି ନିର୍ବାଚନରେ ଲୋକସଭାର ୫୪୩ ଓ ରାଜ୍ୟସଭାର ୨୩୩ ସାଂସଦ ଅର୍ଥାତ ମୋଟ ୭୭୬ ସାଂସଦ ଭାଗନେବେ । ଏହାସହ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀ ଓ ପୁଡୁଚେରୀର ବିଧାୟକ  ମଧ୍ୟ ଭାଗନେବେ । ବର୍ତ୍ତମାନର ସ୍ଥିତି ଅନୁସାରେ ଉତ୍ତରପ୍ରଦେଶ ବିଧାୟକଙ୍କ ଭୋଟ ମୂଲ୍ୟ ସର୍ବାଧିକ ଥିବାବେଳେ ଦ୍ୱିତୀୟ ସ୍ଥାନରେ ମହାରାଷ୍ଟ୍ର ଓ ତୃତୀୟ ସ୍ଥାନରେ ପଶ୍ଚିମବଙ୍ଗର ବିଧାୟକ ରହିଛନ୍ତି ।