spot_img
Home Blog Page 4315

କେନ୍ଦ୍ର ଉପରେ ବର୍ଷିଲା ବିଜେଡି, ଧାନର ସର୍ବନିମ୍ନ ମୂଲ୍ୟ ୨୯୩୦ ଟଙ୍କା କର

ଭୁବେନଶ୍ବର: ଏମଏସପି ବୃଦ୍ଧି ସମୁଦ୍ରକୁ ଶଙ୍ଖେ । ଚାଷୀକୁଳ କଣ ଲାଭ ପାଇବ?  କେନ୍ଦ୍ର ଚାଷୀଙ୍କୁ ଠକୁଛି । ଏମିତି ଅଭିଯାେଗ କରିଛି ବିଜେଡି । ଧାନର ସବର୍ନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା ତୁରନ୍ତ କର । ଏମିତି ଦାବି କରିଛନ୍ତି ବିଜେଡି ସାଂସଦ ଡ.ସସ୍ମିତ ପାତ୍ର । ଏକ ସାମ୍ବାଦିକ ସମ୍ମିଳନୀରେ ସେ କେନ୍ଦ୍ର ଉପରେ ବର୍ଷିବା ସହ  କେନ୍ଦ୍ର ସରକାରଙ୍କ ନିକଟରେ ୫ଟି ଦାବି  ରଖିଛନ୍ତି ।

ବିଜେଡି ପକ୍ଷରୁ ଡ.ପାତ୍ର ଦାବି କରିଛନ୍ତି, ବିଧାନସଭାରେ ସର୍ବସମ୍ମତିରେ ହୋଇଥିବା ନିଷ୍ପତ୍ତି ପୂରଣ କରାଯାଉ । ସ୍ବାମୀନାଥନ କମିଟି ସୁପାରିସ ଅନୁସାରେ ଉତ୍ପାଦନ ମୂଲ୍ୟର ଦେଢ଼ ଗୁଣ ଏମଏସପି ବୃଦ୍ଧି କରାଯାଉ। ୧୩ ଲକ୍ଷ ମେଟ୍ରିକ୍ ଟନ୍ ଉଷୁନା ଚାଉଳ ଉଠାଇବାକୁ ଦାବି। ୧୦ ହଜାର ୩୩୪ କୋଟି ଟଙ୍କା ସବସିଡି କେନ୍ଦ୍ର ସରକାର ଦିଅନ୍ତୁ  । ଶେଷରେ 5 ହଜାର 452 କୋଟି ଟଙ୍କା ଋଣ ବାବଦ ଅର୍ଥ ରାଜ୍ୟକୁ କେନ୍ଦ୍ର ସରକାର ଦିଅନ୍ତୁ ବୋଲି ଦାବି କରିଛି ବିଜେଡି  । ପୂର୍ବରୁ କ୍ବିଣ୍ଟାଲ ପିଛା ୨୯୩୦ ଟଙ୍କା ଧାର୍ଯ୍ୟ ହୋଇଥିଲା।

ଗତକାଲି କେନ୍ଦ୍ର ସରକାର ଧାନର ଏମଏସପି ୧୦୦ ଟଙ୍କା ବୃଦ୍ଧି କରିଥିଲେ ,ତାହା ଯଥେଷ୍ଟ ନୁହେଁ ବୋଲି ବିଜେଡି ଦାବି କହିଛି । ଏ ପ୍ରସଙ୍ଗରେ  ସଂସଦ ଭିତରେ  ଓ  ବାହାରେ ବିଜେଡି ବାରମ୍ବାର ଦାବି କରିଛି। ଏହାସହ ବଳକା ଉଷୁନା ଚାଉଳ ଉଠାଇବ ପାଇଁ ଦାବି କରିଛି ବିଜେଡି ।  2021-2022 ରେ  ୫୨ ଲକ୍ଷ ମେଟ୍ରିକ୍ ଟନ୍ ଉଷୁନା ଉତ୍ପାଦନ ହୋଇଛି। ୩୯ ଲକ୍ଷ ଟନ ପିଡିଏସକୁ ଯିବ । ବଳକା ୧୩ ଲକ୍ଷ ମେଟ୍ରିକ୍ ଟନ୍ ରହିଯିବ। ବଳକା ଚାଉଳ ନେବନି ବୋଲି କହିଛି FCI । ଏପରି ହେଲେ ଚାଷୀଙ୍କ ପାଇଁ ସମସ୍ୟା ହେବ ବୋଲି କହିଛନ୍ତି ସସ୍ମିତ ।

କେନ୍ଦ୍ରର ଆବଶ୍ୟକତା ଅନୁସାରେ ୫ ଲକ୍ଷ ଭିଟାମିନଯୁକ୍ତ ଉଷୁନା ଚାଉଳ ଦେବାକୁ ରାଜ୍ୟ ପ୍ରସ୍ତୁତ ଅଛି । କେନ୍ଦ୍ର ସରକାର ଏଯାଏଁ ୧୦ ହଜାର ୩୩୪ କୋଟି ଟଙ୍କା ସବ୍ସିଡି ଦେଇ ନାହାନ୍ତି । ବକେୟା ପାଉଣା ପାଇଁ ଦାବି କରିଛି ବିଜେଡି। ଉଚିତ୍ ସମୟରେ ସବସିଡ ମିଳୁ ନଥିବାରୁ ଋଣ ନେଇ ସରକାର ସୁଝୁଥିବାରୁ ସରକାରଙ୍କ ଉପରେ ବୋଝ ବଢୁଛି। ଏଥିପାଇଁ ପ୍ରାୟ 5452 କୋଟି ଟଙ୍କା କେନ୍ଦ୍ର ଦେବାକୁ ଦାବି କରିଛି ଦଳ  ।

ଖେଳାଳି ଆସିବା ପୂର୍ବରୁ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଡିସିପି

ଭୁବନେଶ୍ୱର: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଟି-୨୦ ମ୍ୟାଚ । ଏଥିପାଇଁ ଆସନ୍ତାକାଲି ଭୁବନେଶ୍ବରରେ ପହଞ୍ଚିବେ ଖେଳାଳି । ଖେଳାଳି ଆସିବା ପୂର୍ବରୁ ଏୟାରପୋର୍ଟରେ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କଲା କମିଶନରେଟ ପୋଲିସ । ଭୁବନେଶ୍ୱର ଡିସିପି ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବା ସହ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି । କିଭଳି ଖେଳାଳିଙ୍କୁ କର୍ଡନ କରି ହୋଟେଲ ପର୍ଯ୍ୟନ୍ତ ନିଆଯିବ ସେ ନେଇ ରୁଟ ମ୍ୟାପ ପ୍ରସ୍ତୁତ କରିଛନ୍ତି । ବିଭିନ୍ନ ସ୍ଥାନରେ ସାଧାପୋଷାକରେ ପୋଲିସ ମୁତୟନ ହେବେ । ଏୟାରପୋର୍ଟ ଅଥରିଟିଙ୍କ ସହ ଆଲୋଚନା କରିଛନ୍ତି ନିଜେ ଡିସିପି ।

ପ୍ରଥମ ଥର ପାଇଁ ଭିଭିଆଇପି ଗେଟରେ ବାହାରିବେ ଉଭୟ ଦେଶର ଖେଳାଳି । ପୂର୍ବରୁ କାର୍ଗୋ ଗେଟ ଦେଇ ବାହରୁଥିଲେ ଖେଳାଳି। ଏଥିପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଗହଳିକୁ ଆଖି ଆଗରେ ରଖି ବ୍ୟାରିକେଡ ବ୍ୟବସ୍ଥା କରାଯିବ। ସୁରକ୍ଷା ବ୍ୟବସ୍ଥାରେ ସମୁଦାୟ ୨୧ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ଏହି ଆଲୋଚନା ସମୟରେ କମିଶନରେଟ ପୋଲିସର ବରିଷ୍ଠ ଅଧିକାରୀ, ସିଆଇଏସଏଫର ଅଧିକାରୀମାନେ ଉପସ୍ଥିତ ଥିଲେ।

ରାଷ୍ଟ୍ରପତି ନିର୍ବାଚନ ନେଇ ଆଜି ହେବ ତାରିଖ ଘୋଷଣା, ଅପରାହ୍ନ ୩ଟାରେ ଭାରତୀୟ ନିର୍ବାଚନ କମିଶନଙ୍କ ପ୍ରେସମିଟ୍

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ନେଇ ଆଜି ହେବ ତାରିଖ ଘୋଷଣା । ଏନେଇ ଅପରାହ୍ନ ୩ଟାରେ ନିର୍ବାଚନ କମିଶନଙ୍କ ପକ୍ଷରୁ ହେବ ପ୍ରେସମିଟ୍ । ଆସନ୍ତା ଜୁଲାଇ ୨୪ ତାରିଖରେ ସରୁଛି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ । ସେପଟେ ଦେଶର ୧୫ତମ ରାଷ୍ଟ୍ରପତି କିଏ ହେବେ ତାହାକୁ ନେଇ ଚାଲିଛି ଅଙ୍କକଷା । ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଆସନ୍ତା ଜୁଲାଇ ୨୪ରେ ଶେଷ ହେଉଛି । ଗତ ୨୦୧୭ରେ ରାଷ୍ଟ୍ରପତି ନିର୍ବାଚନ ଜୁଲାଇ ୧୭ରେ ହୋଇଥିବାବେଳେ ଫଳାଫଳ ଜୁଲାଇ ୨୦ରେ ଘୋଷିତ ହୋଇଥିଲା । ସମ୍ବିଧାନର ଧାରା ୬୨ ଅନୁସାରେ ପଦାସୀନ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ସରିବା ପୂର୍ବରୁ ନୂଆ ରାଷ୍ଟ୍ରପତି ଦାୟିତ୍ବ ନେବା ଆବଶ୍ୟକ ।

ଦେଶରେ ବଢ଼ିଲା କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୭ ହଜାରରୁ ଅଧିକ ସଂକ୍ରମିତ ଠାବ

ନୂଆଦିଲ୍ଲୀ: ଦେଶରେ ପୁଣି ବଢ଼ିଲା କରୋନା ସଂକ୍ରମଣ । ସଂକ୍ରମଣରେ ଲାଗୁନି ରୋକ୍ । ଗତ ୨୪ ଘଣ୍ଟାରେ ୭ ହଜାର ୨୪୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପୂର୍ବଦିନ ଅପେକ୍ଷା ଏହି ସଂଖ୍ୟା ୪୦ ପ୍ରତିଶତ ଅଧିକ । ମହାରାଷ୍ଟ୍ର ଓ କେରଳରେ ସବୁଠାରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପ୍ରାୟ ୯୪ ଦିନ ପରେ ଦେଶରେ କରୋନା ସଂକ୍ରମଣ ଦୈନିକ ୫ ହଜାରରୁ ଅଧିକ ରହୁଛି । ବର୍ତ୍ତମାନ ଦେଶରେ ମୋଟ ଆକ୍ଟିଭ କେସ ସଂଖ୍ୟା ୩୨ ହଜାର ୪୯୮ ରହିଛି । କୋଭିଡ ଆରମ୍ଭ ପରଠାରୁ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ହୋଇଛି ୪ କୋଟି ୩୧ ଲକ୍ଷ । ସେପଟେ ମହାରାଷ୍ଟ୍ରରେ ୨ ହଜାର ୭୦୧ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ କେବଳ ମୁମ୍ବାଇରେ ସଂକ୍ରମଣ ସଂଖ୍ୟା ହୋଇଛି ୪୨ ପ୍ରତିଶତ । ସେପଟେ କେରଳରେ ୨ ହଜାର ୨୭୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସରକାରୀ ହସ୍ପିଟାଲରେ କର୍ମଚାରୀଙ୍କ ମନମାନି, ପୁଅର ମୃତଦେହ ଦେବା ଲାଗି ଦାବି କଲେ ୫୦ ହଜାର ଟଙ୍କା

ପାଟଣା: ବିହାରରେ ଚାଲିଛି କି ଜଙ୍ଗଲରାଜ୍? ପୁଅର ମୃତଦେହ ଖୋଦ୍ ସରକାରୀ ହସ୍ପିଟାଲରୁ ନେବା ଲାଗି ଶୋକସନ୍ତପ୍ତ ବାପା ମା ଲାଗିଛନ୍ତି ୫୦ ହଜାର ଟଙ୍କା ସଂଗ୍ରହରେ । ଏପରିକି ହସ୍ପିଟାଲ ଓ ବାହାରେ ଲୋକଙ୍କ ନିକଟରେ ଟଙ୍କା ଲାଗି ଆକୁଳ ନିବେଦନ କରୁଛନ୍ତି ବାପା ମା । ବିହାର ସମସ୍ତିପୁର ସଦର ହସ୍ପିଟାଲର ଏହି ସ୍ପର୍ଶକାତର ଘଟଣା ଜାତୀୟ ସ୍ତରରେ ଚହଳ ସୃଷ୍ଟି କରିଛି । କିଛି ଦିନ ତଳେ ମହେଶ ଠାକୁର ନାମକ ଜଣେ ବୟସ୍କ ବ୍ୟକ୍ତିଙ୍କ ପୁଅ ନିଖୋଜ ହୋଇ ଯାଇଥିଲେ । ଅନେକ ଖୋଜାଖୋଜି ପରେ ବି ତାଙ୍କର ସନ୍ଧାନ ମିଳି ନଥିଲା । ତେବେ ପରେ ସେ ଜାଣିବାକୁ ପାଇଲେ ତାଙ୍କ ପୁଅର ମୃତଦେହ ସଦର ହସ୍ପିଟାଲରେ ଅଛି । ସେ ହସ୍ପିଟାଲକୁ ଯାଇ ପୁଅର ମୃତଦେହ ମାଗିବାରୁ ହସ୍ପିଟାଲ କର୍ମଚାରୀ ଅଗ୍ରାହ୍ୟ କରିଥିଲେ ।

୫୦ ହଜାର ଟଙ୍କା ଦେଲେ ହିଁ ପୁଅର ମୃତଦେହ ମିଳିପାରିବ ବୋଲି ସେମାନେ କହିଥିଲେ । ଏନେଇ ଉଭୟ ବାପା ମା ଅନେକ ଚେଷ୍ଟା କରିଥିଲେ ବି ପୁଅର ଶବକୁ ପାଇ ପାରି ନଥିଲେ । ଶେଷରେ ବାଧ୍ୟ ହୋଇ ସେମାନେ ୫୦ ହଜାର ଟଙ୍କା ଯୋଗାଡ଼ ଲାଗି ପର ନିକଟରେ ହାତ ପତାଇବାକୁ ଲାଗିଲେ । ଖୋଦ୍ ହସ୍ପିଟାଲ ଭିତରେ ଓ ବାହାରେ ସେମାନେ ଟଙ୍କା ଲାଗି ଭିକ୍ଷା ମାଗିବାର ଦୃଶ୍ୟ ଭାଇରାଲ ହେବା ସହ ଜାତୀୟ ସ୍ତରରେ ଚର୍ଚ୍ଚାର କାରଣ ହୋଇଛି । ଏନେଇ ମହେଶ କହିଛନ୍ତି, ସେ ଗରିବ ହୋଇଥିବାରୁ ତାଙ୍କ ନିକଟରେ ଏତେ ଟଙ୍କା ନାହିଁ । ବାଧ୍ୟ ହୋଇ ସେମାନେ ପୁଅର ମୃତଦେହ ପାଇବା ଲାଗି ଭିକ ମାଗୁଛନ୍ତି । ଆଶ୍ଚର୍ଯ୍ୟର କଥା ହେଉଛି ଏହି ସରକାରୀ ହସ୍ପିଟାଲର କର୍ମଚାରୀଙ୍କ ମଧ୍ୟରୁ ଅଧିକାଂଶ ଠିକା କର୍ମଚାରୀ ଏବଂ ସେମାନେ ଠିକ୍ ସମୟରେ ଦରମା ପାଆନ୍ତି ନାହିଁ । ଅଧିକାଂଶ ରୋଗୀ ଓ ସମ୍ପର୍କୀୟଙ୍କ ଠାରୁ ସେମାନେ ଅର୍ଥ ଦାବି କରିଥାନ୍ତି । ତେବେ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ ଡାକ୍ତର ଏସକେ ଚୌଧୁରୀ ।

 

ରାଜଧାନୀରେ ଚଳିତ ବର୍ଷର ପ୍ରଥମ ଡେଙ୍ଗୁ ମୃତ୍ୟୁ

ଭୁବନେଶ୍ୱର: ରାଜଧାନୀରେ ଚଳିତ ବର୍ଷର ପ୍ରଥମ ଡେଙ୍ଗୁ ମୃତ୍ୟୁ ଅଭିଯୋଗ । ମୃତକ ଜଣେ ଅବସରପ୍ରାପ୍ତ ପୋଲିସ ଅଧିକାରୀ ହୋଇଥିବା ସୂଚନା ମିଳିଛି । ଡେଙ୍ଗୁରେ ଆକ୍ରାନ୍ତ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ନିଳାଦ୍ରୀବିହାର ଓ ଡମଣା ଅଞ୍ଚଳରେ ୨ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିଲେ । ଆଗକୁ ବର୍ଷା ଦିନ, ତେଣୁ ଡେଙ୍ଗୁ ରୋକିବାକୁ ବିଏମସି ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଦୁଇଟି ମେଡିକାଲ ଟିମ ପଠାଇ ସମ୍ପୃକ୍ତ ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ କରାଯାଉଛି । ଉଭୟ ଅଞ୍ଚଳକୁ ସ୍ବାସ୍ଥ୍ୟ ଟିମ୍ ସହ ମେୟର ସୁଲୋଚନା ଦାସ ଗସ୍ତ କରିଛନ୍ତି । ତୁରନ୍ତ ବୁଦା କଟାଯିବା ସହ ମଶା ଧୂଆଁ ଛାଡ଼ିବା ଓ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ପରାମର୍ଶ ଦିଆଯାଇଛି । ଖାଲୁଆ ଅଞ୍ଚଳରେ ପାଣି ଜମି ମଶା ବଂଶ ବୃଦ୍ଧିର ଆଶଙ୍କା ଥିବାରୁ ଏହାର ପ୍ରତିକାର ବ୍ୟବସ୍ଥା ପାଇଁ ସଫେଇ କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ମେୟର ନିର୍ଦ୍ଦେଶ ଦେଇଛନ୍ତି ।

କେନ୍ଦ୍ରାପଡ଼ାରେ ଅଭାବନୀୟ ଘଟଣା, ବାଲି ଅତଡ଼ା ଖସି ୨ ନାବାଳକ ମୃତ

କେନ୍ଦ୍ରାପଡ଼ା: ଖେଳ ହେଲା କାଳ । ବାଲି ଅତଡ଼ା ଧସି ଦୁଇ ନାବାଳକ ମୃତ । ଏଭଳି ଅଭାବନୀୟ ଅଘଟଣ ଘଟିଛି କେନ୍ଦ୍ରାପଡ଼ା ସଦର ଥାନା ମଗୁରଗଣ୍ଡ ପାଟଣା ଗାଁରେ । ଗାଁର ତିନି ଜଣ ଶିଶୁ ଘର ନିକଟରେ ଥିବା ପୋଖରୀରେ ବାଲି ଗଦାରେ ଗାତ ଖୋଳି ଖେଳୁଥିଲେ । ହଠାତ୍ ବାଲି ଅତଡ଼ା ଧସିବାରୁ ବାଲି ତଳେ ରହି ଯାଇଥିଲେ ୨ ଶିଶୁ । ପରିବାର ଲୋକ ବିଳମ୍ବରେ ଜାଣି ଶିଶୁଙ୍କୁ ଉଦ୍ଧାର କରିବା ବେଳକୁ ସେମାନଙ୍କର ମୃତ୍ୟୁ ହୋଇ ସାରିଥିଲା । ମୃତ ୨ ଶିଶୁ ହେଲେ ସୁରେନ୍ଦ୍ର ଜଜ୍ ଓ ସୁରେନ୍ଦ୍ର ମଞ୍ଚ । ଜଣଙ୍କ ବୟସ ୭ ବର୍ଷ ହୋଇଥିବା ବେଳେ, ଅନ୍ୟ ଜଣଙ୍କ ବୟସ ୧୨ ବର୍ଷ ହେବ ।

ଚନ୍ଦକା ଡମପଡ଼ା ଅଭୟାରଣ୍ୟକୁ ଫେରିଲେ ମହାନଦୀରେ ଫସିଥିବା ଦୁଇ ହାତୀ

ଆଠଗଡ଼: ଚନ୍ଦକା ଡମପଡ଼ା ଅଭୟାରଣ୍ୟକୁ ଫେରିଲେ ମହାନଦୀରେ ଫସିଥିବା ଦୁଇ ହାତୀ । ଗତକାଲି ଆଠଗଡ଼ ସୁକାଶନ ଜଙ୍ଗଲରୁ ଚନ୍ଦକା ଡମପଡ଼ା ଅଭୟାରଣ୍ୟକୁ ଯାଉଥିବା ସମୟରେ ସକାଳ ହୋଇଯିବାରୁ ବାଙ୍କୀ ଭଗିପୁର ଗ୍ରାମ ନିକଟ ମହାନଦୀରେ ଫସି ରହିଥିଲେ ଦୁଇ ହାତୀ । ଦିନ ତମାମ ପ୍ରାୟ ୧୨ ଘଣ୍ଟାରୁ ଅଧିକ ସମୟ ଧରି ପାଣି ଭିତରେ ରହିବା ପରେ ହାତୀ ବାହାରକୁ ବାହାରି ଆସିଛନ୍ତି । ତେବେ ହାତୀକୁ ଦେଖିବା ପାଇଁ ନଦୀ ତୁଠରେ ସ୍ଥାନୀୟ ଲୋକ ମାନଙ୍କ ଭିଡ଼ ଲାଗିଥିବା ବେଳେ ହାତୀମାନେ ଉପରକୁ ଆସିବା ପାଇଁ ବାଧା ସୃଷ୍ଟି ହୋଇଥିଲା । ସନ୍ଧ୍ୟା ହେବା ପରେ ହାତୀ ଦୁଇଟି ଉପରକୁ ଆସିଥିଲେ ଏବଂ ସନ୍ଧ୍ୟା ସମୟରେ ରାସ୍ତାରେ ଜନଗହଳି ଥିବାରୁ ହାତୀ ଦୁଇଟି ରାସ୍ତା କରକୁ ଆସି ପୁଣି ନଦୀ କୂଳକୁ ଫେରି ଯାଇଥିଲେ । ସେଠାରେ ୩ ରୁ ୪ ଘଣ୍ଟା ରହିବା ପରେ ରାତି ପ୍ରାୟ ୩ଟା ସମୟରେ ହାତୀ ଦୁଇଟି ଭଗିପୁର ଗାଁ ନିକଟରେ ଥିବା ବାବା ଧୁଳିଆ ଷଣ୍ଢ ମନ୍ଦିର ଦେଇ ଚନ୍ଦକା ଡମପଡା ଅଭୟାରଣ୍ୟକୁ ଚାଲିଯାଇଥିବା ନେଇ ଡମପଡା ରେଞ୍ଜର ବିରାଜ ଦାସ ସୂଚନା ଦେଇଛନ୍ତି ।

ପାଖେଇ ଆସିଲାଣି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା, ଜୋରସୋରରେ ଆଗେଇ ଚାଲିଛି ୩ ରଥର କାମ

ପୁରୀ: ପାଖେଇ ଆସିଲାଣି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ରଥରେ ଚଢ଼ି ପତିତ ଉଦ୍ଧାର ପାଇଁ ଯାତ୍ରା କରିବେ ପତିତପାବନ । ଏଥିପାଇଁ ପୁରୀ ରଥଖଳାରେ ଜୋରସୋରରେ ଆଗେଇ ଚାଲିଛି ୩ ରଥର କାମ । ବିଶ୍ବକର୍ମା, ଭୋଇ, ରୂପକାରଙ୍କ ସହ ଦୋଳବେଦୀ ଅସ୍ଥାୟୀ କମାର ଶାଳରେ ନିର୍ମାଣ କାର୍ଯ୍ୟକୁ ଜୋରଦାର କରିଛନ୍ତି । ରଥର ଦଣ୍ଡା ସ୍ଥାପନ ହୋଇ ତିନି ରଥର ଚକ ଓ ଅଖ ଉପରେ ଦଣ୍ଡାକୁ ସମତୁଲ କରାଯିବା ପରେ ଅଖର ଗୋଲେଇ ଅନୁସାରେ ଦଣ୍ଡାକୁ କାଟି ଖାପ ଦିଆଯାଇଛି । ସ୍ନାନଯାତ୍ରା ପୂର୍ବରୁ ୪ ନାହାକା ଉଠାଇବାକୁ ଚାଲିଛି ପ୍ରସ୍ତୁତି ।

ସେପଟେ ଦୁଇ ବର୍ଷ ପରେ ମହାପ୍ରଭୁଙ୍କ ଯାତ୍ରାରେ ସାମିଲ ହେବେ ଶ୍ରଦ୍ଧାଳୁ । ଏଥିପାଇଁ ପୁରୀରେ ଅଧିକ ଭିଡ଼ ଜମିବା ଆଶଙ୍କା କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ଆଜି ଶ୍ରୀମନ୍ଦିର ସମ୍ମୁଖ ଓ ଚତୁଃପାର୍ଶ୍ୱରେ ରାପିଡ ଆକ୍ସନ ଫୋର୍ସ ମକଡ୍ରିଲ କରିଛି । ରଥଯାତ୍ରାରେ ଦୁଇ କମ୍ପାନୀ, ୨୪୦ ଯବାନ RAF ନିୟୋଜିତ ହେବେ । ଭିଡ଼ ନିୟନ୍ତ୍ରଣ ଓ ସୁରକ୍ଷା ସମ୍ପର୍କରେ ପୁରୀ ପୋଲିସ ମିଳିତ ଭାବରେ ଏହି ମକଡ୍ରିଲରେ ସାମିଲ ହୋଇଥିଲେ ।

ଜଳୁଛି ପଶ୍ଚିମ ଓଡ଼ିଶା, ଆହୁରି ଦୁଇ ଦିନ ଜାରି ରହିବ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ୱର: ଜଳୁଛି ପଶ୍ଚିମ ଓଡ଼ିଶା । ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାରେ ଜାରି ରହିବ ଗ୍ରୀଷ୍ମ ପ୍ରବାହ । ସ୍ବାଭାବିକଠାରୁ ୪ରୁ ୫ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ । ଏଥିପାଇଁ ବରଗଡ଼, ନୂଆପଡ଼ା, ସୋନପୁର, ବୌଦ୍ଧ, ବଲାଙ୍ଗୀର, ସମ୍ବଲପୁରକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଘରୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି । ଟିଟିଲାଗଡ଼ରେ ତାପମାତ୍ରା ୪୫ ଡିଗ୍ରୀ ଉପରେ ଥିବା ବେଳେ ୪୩ ଡିଗ୍ରୀ ଉପରେ ୯ଟି ସହର ରହିଛି ।

ସେହିପରି ୪୦ ଡିଗ୍ରୀ ଉପରେ ୧୯ଟି ସହର ରହିଛି । ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ରୋଗୀ, ବୟସ୍କ ଏବଂ ଶିଶୁଙ୍କୁ ଖରା ସଂସ୍ପର୍ଶରେ ଆସିବାକୁ ବାରଣ କରାଯାଇଛି । ଗ୍ରୀଷ୍ମପ୍ରବାହ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରତି ଜିଲ୍ଲାପାଳଙ୍କୁ କୁହାଯାଇଛି । ଉପକୂଳ ଓଡ଼ିଶାରେ ତାତି ଅଧିକ ନଥିଲେ ବି ଗୁଳୁଗୁଳି ଅନୁଭୁତ ହେଉଛି । ତାପମାତ୍ରା ୩୫ରୁ ୩୮ ଡିଗ୍ରୀ ମଧ୍ୟରେ ରହୁଥିଲେ ମଧ୍ୟ ଆର୍ଦ୍ରତା ୭୦ ରୁ ୯୦ ପ୍ରତିଶତ ରହୁଛି । ପାଣିପାଗ ନିୟାମକ ଅନୁକୂଳ ନଥିବାରୁ ଲଘୁଚାପ କିମ୍ବା ଘୂର୍ଣ୍ଣିବଳୟ ସୃଷ୍ଟି ହେଉନାହିଁ । ୧୨ ତାରିଖରୁ ରାଜ୍ୟରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି ।