spot_img
Home Blog Page 4323

ବଦଳୁଛି ସରକାରୀ ସ୍କୁଲର ରୂପରେଖ, ଆଜି ୪୯୦ଟି ହାଇସ୍କୁଲକୁ ଉତ୍ସର୍ଗ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବଦଳୁଛି ସରକାରୀ ସ୍କୁଲର ରୂପରେଖ । ଅତ୍ୟାଧୁନିକ କ୍ଲାସରୁମ ଓ ଲାଇବ୍ରେରୀ ସହ ସୁନ୍ଦର ପରିବେଷ ମନ ମୋହୁଛି । ଛାତ୍ରଛାତ୍ରୀଙ୍କୁ ସ୍କୁଲ ମୁହାଁ କରୁଛି ମଡେଲ ସ୍କୁଲ । ଅତ୍ୟାଧୁନିକ କ୍ଲାସରୁମରେ ପ୍ରୋଜେକ୍ଟର ବ୍ୟବସ୍ଥା ସହ ଛାତ୍ରଛାତ୍ରୀଙ୍କ ପାଇଁ ସ୍ମାର୍ଟ ବୋର୍ଡ । କ୍ଲାସରୁମରେ କରାଯାଇଛି ଉନ୍ନତମାନର ଡେସ୍କ ବ୍ୟବସ୍ଥା । ପିଲାଙ୍କ ସୁନ୍ଦର ଭବିଷ୍ୟତ ପାଇଁ ରୂପାନ୍ତରିତ ହେଉଛି ହାଇସ୍କୁଲ । ଦ୍ୱିତୀୟ ପର୍ଯ୍ୟାୟର ଆଜି ତୃତୀୟ ଦିନରେ ରାଜ୍ୟର ୫ ଜିଲ୍ଲାର ୪୯୦ଟି ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆଜି ସନ୍ଧ୍ୟା ୫ଟା ୩୦ରେ ଲୋକସେବା ଭବନର କନଭେନସନ ହଲରେ ଭିଡିଓ କନଫରେନସିଂରେ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । କେନ୍ଦ୍ରାପଡ଼ା ଜିଲ୍ଲାର ୯୫, କଟକର ୧୩୫, କଳାହାଣ୍ଡି ୧୦୦, ଝାରସୁଗୁଡ଼ା ୭୦, ଓ ବରଗଡ଼ ଜିଲ୍ଲାର ୯୦ଟି ହାଇସ୍କୁଲକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ବରଗଡରେ କ୍ୟାନସର ସରଭାଇବର ଡେ ପାଳିତ

ବରଗଡ଼: ଆଜି ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲରେ ଏକ ସାଙ୍ଗେ କ୍ୟାନସର ରୋଗୀ ଓ ଡାକ୍ତର ନାଚିବା ଦୃଶ୍ୟ ଦେଖିବାକୁ ମିଳିଛି । ଆଜି କ୍ୟାନସର ସରଭାଇବର ଡେ’ ପାଳନ ଅବସରରେ କ୍ୟାନସର ରୋଗୀଙ୍କ ମନୋବଳକୁ ସୁଦୃଢ଼ କରିବାକୁ ତଥା କ୍ୟାନସର ସହ ଲଢେ଼ଇ କରିବାକୁ ଆଜି ବରଗଡ଼ର କ୍ୟାନସର ଫାଇଟର୍ସ ଗ୍ରୁପ ପକ୍ଷରୁ ଏହି ଅଭିନବ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ତେବେ କ୍ୟାନସରକୁ ଫାଇଟ କରି ଯେଉଁ ରୋଗୀମାନେ ସାଧାରଣ ଜୀବନ କାଟିବା, ଅନ୍ୟମାନଙ୍କୁ ମାନସିକ ସାହସ ଯୋଗାଇବା ତଥା ଏହି ରୋଗ ପାଇଁ ଅବହେଳା ନ କରି ସଚେତନ ହେବା ପ୍ରମୁଖ ବିଷୟ ସମ୍ବନ୍ଧରେ ଡାକ୍ତରମାନେ ଆଲୋଚନା କରିଥିଲେ ।

ଏହା ସହ ଅନ୍ୟ ରୋଗୀମାନେ କିପରି ମାନସିକ ଭାରସାମ୍ୟ ନ ହରାଇ ଏହାକୁ ପ୍ରତିହତ କରାଯାଇପାରେ ଏହା ଉପରେ କ୍ୟାନସର ଫାଇଟର୍ସ ଗ୍ରୁପର ସଭ୍ୟମାନେ ନିଜ ମତ ରଖିଥିଲେ । ତେବେ କାର୍ଯ୍ୟକ୍ରମରେ ଆଜି ମୁଖ୍ୟ ଅତିଥି ଭାବେ ବରଗଡ଼ ସାଂସଦ ସୁରେଶ ପୂଜାରୀ ଓ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ କ୍ୟାନସରକୁ ଜିଣିବାକୁ ତଥା ଭୟ ନ କରିବାକୁ ରୋଗୀଙ୍କୁ ଉତ୍ସାହିତ କରିଥିଲେ । ଏହା ସହ କ୍ୟାନସରକୁ ପ୍ରତିହତ କରି ବହୁ ଲୋକଙ୍କ ପ୍ରେରଣା ସାଜିଥିବା ଫାଇଟର୍ସ ଗ୍ରୁପର ମୁଖ୍ୟ ଅଶ୍ୱିନୀ କୁମାର ଦରଜି ଆଜି ତାଙ୍କ ମୃତ୍ୟୁପରେ ନିଜ ଶରୀରକୁ କ୍ୟାନସର ଡାକ୍ତରଙ୍କ ଗବେଷଣା ଉଦ୍ଦେଶ୍ୟରେ ଉତ୍ସର୍ଗ କରିବାକୁ ଘୋଷଣା କଲେ ।

ଘାଟିକୁ ଖସିଲା ବସ୍, ୨୨ ଯାତ୍ରୀ ମୃତ

ଡେରାଡୁନ: ଉତ୍ତରାଖଣ୍ଡ ଉତ୍ତରକାଶୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଘାଟିକୁ ଖସିଲା ବସ୍ । ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି । ୨୮ ଯାତ୍ରୀଙ୍କୁ ନେଇ ମଧ୍ୟପ୍ରଦେଶ ପନ୍ନା ଜିଲ୍ଲାରୁ ଏକ ବସ୍ ଯମୁନେତ୍ରୀ ଯାଉଥିବା ବେଳେ ଏହି ଅଘଟଣ ଘଟିଛି । ଘାଟି ରାସ୍ତାରେ ଭାରସାମ୍ୟ ହରାଇ ଖାଇକୁ ଖସି ପଡ଼ିଥିଲା ବସ୍ । ଘଟଣାସ୍ଥଳରୁ ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା ପୋଲିସ ଏବଂ ଅଗ୍ନିଶମ ବାହିନୀ । ହେଲେ ମେଡିକାଲରେ ୨୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ସମସ୍ତ ମୃତକ ମଧ୍ୟପ୍ରଦେଶର ହୋଇଥିବା ସୂଚନା ମିଳିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପାଇଁ ଅନୁକମ୍ପା ରାଶି ମଧ୍ୟ ଘୋଷଣା କରିଛନ୍ତି  । ପ୍ରତି ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଓ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ସେପଟେ ଉତ୍ତରଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ମଧ୍ୟ ଶୋକ ପ୍ରକାଶ କରିବା ସହ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ଆହତଙ୍କ ମାଗଣା ଚିକତ୍ସା ବ୍ୟବସ୍ଥା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ପାଶ୍ଚାତ୍ୟ ରାଷ୍ଟ୍ରକୁ ଚେତାବନୀ, ନୂଆ ଟାର୍ଗେଟରେ ଆକ୍ରମଣ ଲାଗି ପୁଟିନଙ୍କ ଧମକ

କିଭ୍: ୟୁକ୍ରେନକୁ ଯୋଗାଅନି ଦୂରଗାମୀ କ୍ଷେପଣାସ୍ତ୍ର । ୟୁକ୍ରେନକୁ ଯଦି ଦୂରଗାମୀ କ୍ଷେପଣାସ୍ତ୍ର ଯୋଗାଯାଏ ତେବେ ନୂଆ ନୂଆ ଟାର୍ଗେଟରେ ଆକ୍ରମଣ କରାଯିବ ବୋଲି ପାଶ୍ଚାତ୍ୟ ରାଷ୍ଟ୍ରଙ୍କୁ ଧମକ ଦେଇଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ସେ କହିଛନ୍ତି- ୟୁକ୍ରେନକୁ ଅସ୍ତ୍ର ଯୋଗାଣ କରି ପାଶ୍ଚାତ୍ୟ ରାଷ୍ଟ୍ର ଦୀର୍ଘ ଯୁଦ୍ଧ ଲାଗି ଉଦ୍ୟମ କରୁଛନ୍ତି । ୟୁକ୍ରେନକୁ ହିମାର୍ସ ମଲ୍ଟିପଲ ରକେଟ ଲଞ୍ଚର ସିଷ୍ଟମ ଯୋଗାଇବାକୁ ଆମେରିକା ଘୋଷଣା କରିବା ପରେ ଏହାକୁ ବିରୋଧ କରିଛନ୍ତି ପୁଟିନ ।

ହିମାର୍ସ ହେଉଛି ଏକ ମୋବାଇଲ ୟୁନିଟ ଯାହାକି ୮୦ କିଲୋମିଟର ଦୂରରୁ ନିର୍ଭୁଲ ଭାବେ ଲଞ୍ଚ କରାଯାଇପାରିବ । ଏହି ସିଷ୍ଟମ ଯଦି ୟୁକ୍ରେନ ଲାଭ କରିବ ତେବେ ଋଷ ବାହିନୀ ଲାଗି ସମସ୍ୟା ସୃଷ୍ଟି କରିବ ।ସେପଟେ ଡୋନେସ୍କର କୁବ୍ରାସେଭିକିରେ ୟୁକ୍ରେନର ସଶସ୍ତ୍ର ବାହିନୀ ଆକ୍ରମଣ ଜାରି ରଖିଛି । ଏହି ଆକ୍ରମଣରେ କିଛି ଲୋକ ଆହତ ହେବା ସହ ଏକ ଆମ୍ବୁଲାନ୍ସ ଜଳି ଯାଇଛି । ଅନ୍ୟପକ୍ଷରେ ୧୦୨ ଦିନ ପରେ ବି ଯୁଦ୍ଧର ସ୍ଥିତି ସ୍ପଷ୍ଟ ହେଉ ନଥିବା ସତ୍ତ୍ୱେ ୟୁକ୍ରେନର ବିଭିନ୍ନ ସ୍ଥାନରେ ଆକ୍ରମଣ ଜାରି ରଖିଛି ଋଷ ।

 

କରୋନାରେ ଆକ୍ରାନ୍ତ ହେଲେ ସୁପରଷ୍ଟାର ଶାହାରୁଖ ଖାନ

ମୁମ୍ବାଇ: ମହାରାଷ୍ଟ୍ରରେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୧ ହଜାର ୩୫୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷରେ ବଲିଉଡରେ ମଧ୍ୟ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । କିଛି ଦିନ ତଳେ ବଲିଉଡ ଅଭିନେତା ଅକ୍ଷୟ କୁମାର ଓ କାର୍ତ୍ତିକ ଆର୍ଯ୍ୟନ କରୋନା ପଜିଟିଭ୍ ହୋଇଥିଲେ । ତେବେ ଆଜି ସୁପରଷ୍ଟାର ଶାହାରୁଖ ଖାନ ଓ ଅଭିନେତ୍ରୀ କାଟ୍ରିନା କୈଫ ସଂକ୍ରମିତ ହୋଇଛନ୍ତି । କୋଭିଡରେ ଆକ୍ରାନ୍ତ ହେବା ପରେ ଶାହାରୁଖ ସଂଗରୋଧରେ ରହିଛନ୍ତି । ସେହିପରି ଦ୍ୱିତୀୟ ଥର ପାଇଁ କାଟ୍ରିନାଙ୍କ ରିପୋର୍ଟ ପଜିଟିଭ୍ ଆସିଛି । କରୋନାରେ ଆକ୍ରାନ୍ତ ହେବା ପରେ ସେ ଏବେ ସଙ୍ଗରୋଧରେ ରହିଛନ୍ତି ।

ତେବେ କୋଭିଡ ମାମଲା ବଢ଼ୁଥିବାର ଦେଖି ବିଏମସି ସତର୍କ ରହିବାକୁ କହିଛି । ସହରରେ ଥିବା ସମସ୍ତ ଫିଲ୍ମ ଷ୍ଟୁଡିଓକୁ ସତର୍କ ରହିବା ଲାଗି ନିର୍ଦ୍ଦେଶନାମା ଜାରି କରିଛି ବିଏମସି । ଯଦି ଷ୍ଟୁଡିଓରେ କୌଣସି ପାର୍ଟି ଆୟୋଜିତ ହେବା ପରେ କୋଭିଡ ସଂକ୍ରମିତ ଚିହ୍ନଟ ହୁଅନ୍ତି ତେବେ ତୁରନ୍ତ ସୂଚନା ଦେବା ଲାଗି ପରାମର୍ଶ ଦିଆଯାଇଛି । ଏହା ଦ୍ୱାରା ଟ୍ରାକିଂ ସୁବିଧା ହେବ ବୋଲି କୁହାଯାଇଛି ।

କାଗଜ ଟଙ୍କାରେ ଖୁବଶୀଘ୍ର ଦେଖିବାକୁ ମିଳିବେ ରବିନ୍ଦ୍ରନାଥ ଠାକୁର ଓ ଅବଦୁଲ କଲାମ

ନୂଆଦିଲ୍ଲୀ : ଖୁବଶୀଘ୍ର ବ୍ୟାଙ୍କ ନୋଟରେ ଆପଣ ଦେଶର ୧୧ତମ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମ ଓ ଜାତୀୟ ସଂଗୀତ ଜନ-ଗଣ-ମନର ଲେଖକ ତଥା ନୋବେଲ ବିଜେତା ରବିନ୍ଦ୍ରନାଥଙ୍କୁ ଦେଖିପାରିବେ । ବର୍ତ୍ତମାନ ବ୍ୟାଙ୍କ ନୋଟରେ କେବଳ ମହାତ୍ମାଗାନ୍ଧୀଙ୍କ ଚିତ୍ର ରହିଛି । ଆଗକୁ ମହାତ୍ମାଙ୍କ ଫଟୋ ଥିବା ନୋଟ୍ ଭଳି ରବିନ୍ଦ୍ରନାଥ ଓ ଅବଦୁଲ କାଲାମଙ୍କ ଚିତ୍ର ମଧ୍ୟ ନୋଟରେ ଦେଖିବାକୁ ମିଳିପାରେ । ଦି ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସର ଏକ ରିପୋର୍ଟରେ ଏଭଳି ଦାବି କରାଯାଇଛି । ରିପୋର୍ଟ ଅନୁସାରେ ଅର୍ଥ ମନ୍ତ୍ରଣାଳୟ ଓ  ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ କିଛି ସିରିଜର ନୋଟ୍ ଉପରେ ରବିନ୍ଦ୍ରନାଥ ଓ କଲାମଙ୍କ ୱାଟରମାର୍କ୍ ଛାପିବା ବିଷୟ ଚିନ୍ତା କରୁଛି ।

କବିଗୁରୁ ରବିନ୍ଦ୍ରନାଥଙ୍କ ନାମ ଦେଶ ବିଦେଶରେ ସମ୍ମାନ ସହିତ ନିଆଯାଇଥାଏ । କିନ୍ତୁ ପଶ୍ଚିମବଙ୍ଗରେ ତାଙ୍କୁ ବିଶେଷ ମାନ୍ୟତା ମିଳିଥାଏ । ପଶ୍ଚିମବଙ୍ଗର ଅନେକ ଘରେ ରବିନ୍ଦ୍ରନାଥଙ୍କ ଚିତ୍ର ଦେଖିବାକୁ ମିଳିଥାଏ । ଅନ୍ୟପକ୍ଷରେ ଭାରତର ୧୧ତମ ରାଷ୍ଟ୍ରପତି ଅବଦୁଲ କଲାମ ଦେଶରେ ମିଶାଇଲ ମ୍ୟାନ୍ ଭାବେ ପରିଚିତ । ତାଙ୍କର ମାର୍ଗଦର୍ଶନରେ ଭାରତ ଅଗ୍ନୀ ସିରିଜର କ୍ଷେପଣାସ୍ତ୍ର ତିଆରି କରିଥିଲା । ବାଜପାୟୀ ସରକାର ଅମଳରେ ହୋଇଥିବା ପରମାଣୁ ପରୀକ୍ଷଣ ମଧ୍ୟ ତାଙ୍କରି ନେତୃତ୍ୱରେ ହୋଇଥିଲା । ବ୍ୟାଙ୍କ ନୋଟ୍ ଉପରେ ମହାତ୍ମାଙ୍କ ବ୍ୟାତିତ ଅନ୍ୟକୌଣସି ଭାରତୀୟ ବ୍ୟକ୍ତିତ୍ୱଙ୍କ ଚିତ୍ର ଛାପିବା କଥା ଚିନ୍ତା କରିବା ପ୍ରଥମ ।

କ’ଣ ପାଇଁ ଏମିତି ହେଉଛି ?

ଆପଣ ଯଦି ଭାବୁଛନ୍ତି କାହିଁକି ଏମିତି ହେଉଛି ତେବେ ଜାଣି ରଖନ୍ତୁ ଯେ, ବ୍ୟାଙ୍କ ନୋଟରେ ଅନେକ ଅଙ୍କର ୱାଟରମାର୍କକୁ ସାମିଲ କରିବାର ସମ୍ଭାବନା ବାବଦରେ ଜାଣିବା ପାଇଁ ଏହି ପଦକ୍ଷେପ ନିଆଯାଉଛି । ସୂଚନାଯୋଗ୍ୟ ଯେ, ଆମେରିକାରେ ବିଭିନ୍ନବର୍ଗର ଡଲାରରେ ଜର୍ଜ ୱାଂସିଟନ, ଥୋମାସ ଜାଫରସନ୍, ବେଂଜାମିନ୍ ଫ୍ରାଙ୍କଲିନ୍, ଆଣ୍ଡ୍ର୍ୟୁ ଜ୍ୟାକସନ, ଆଲେକଜାଣ୍ଡର ହେମିଲଟନ୍ ଓ ଆବ୍ରହମ ଲିଙ୍କନଙ୍କ ଚିତ୍ର ରହିଥାଏ ।

କ’ଣ ହୋଇଛି ଅଗ୍ରଗତି ?

ସୂଚନା ଅନୁସାରେ ଆରବିଆଇ ଓ ସିକ୍ୟୁରିଟି ପ୍ରିଣ୍ଟିଂ ଆଣ୍ଡ୍ ମିଟିଂ କର୍ପୋରେସନ୍ ଅଫ୍ ଇଣ୍ଡିଆ ତରଫରୁ ଆଇଆଇଟି ଦିଲ୍ଲୀର ଏମିରେଟ୍ସ ପ୍ରଫେସର ଦିଲ୍ଲୀପ ଚି ଶାହାନୀଙ୍କୁ ଗାନ୍ଧୀ, ଠାକୁର ଓ କଲାମଙ୍କ ୱାଟରମାର୍କର ନମୂନାର ଦୁଇଟି ଅଲଗା ଅଲଗା ସେଟ୍ ପଠାଇଛି । ସାହାନୀଙ୍କୁ ଦୁଇ ସେଟ୍ ମଧ୍ୟରୁ ଗୋଟିଏ ବାଛିବାକୁ କୁହାଯାଇଛି । ସେ ବାଛିଥିବା ସେଟ୍ ଉପରେ ସରକାର ଅନ୍ତିମ ନିର୍ଣ୍ଣୟ ନେବେ ।ୱାଟରମାର୍କ ଯାଂଚ୍ କରୁଥିବା ପ୍ରଫେସର ଶାହନୀ ଇଲେକ୍ଟ୍ରୋମେଗ୍ନାଟିକ୍ ଇନଷ୍ଟ୍ରୁମେସନର ବିଶେଷଜ୍ଞ ଅଟନ୍ତି । ଚଳିତ ବର୍ଷ ଜାନୁଆରୀରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

 

ବାରବାଟୀ ଟି-୨୦ ପ୍ରସ୍ତୁତି, ୯ ତାରିଖ ସକାଳ ୯ଟାରୁ ଅଫଲାଇନରେ ମିଳିବ ଟିକେଟ୍

କଟକ: ବଢ଼ୁଛି ବାରବାଟୀ ଉତ୍କଣ୍ଠା । ୧୨ ତାରିଖରେ ହେବ ହାଇଭୋଲଟେଜ୍ ମ୍ୟାଚ । ଏହି ଟି-୨୦ ମ୍ୟାଚ ପାଇଁ ୯ରୁ ଅଫଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହେବ । ସାଧାରଣ ଦର୍ଶକଙ୍କ ପାଇଁ କାଉଣ୍ଟରରେ ମିଳିବ ୧୨ ହଜାର ଟିକେଟ୍ । ଦୀର୍ଘ ବର୍ଷ ପରେ ମ୍ୟାଚ ହେଉଥିବାରୁ ଅଧିକ ଭିଡ ହେବା ଆଶଂକା କରାଯାଉଛି । ଏଥିପାଇଁ ଷ୍ଟାଡିୟମ ପରିସରରେ ୨ଟି କାଉଣ୍ଟର ସହ ଅସ୍ଥାୟୀ ଭାବେ ୫ଟି କାଉଣ୍ଟର କରିବାକୁ ନିଷ୍ପତ୍ତି ନେଇଛି ଓସିଏ । ପ୍ରତି ଦର୍ଶକଙ୍କୁ ସର୍ବାଧିକ ୨ଟି ଟିକେଟ୍ ମିଳିବ । ନିଜର ଫଟୋ ପରିଚୟପତ୍ର ଦେଖାଇ ଟିକେଟ୍ କିଣିବେ ଦର୍ଶକ ।

୯ ତାରିଖ ଦିନ ସକାଳ ୯ଟାରୁ ଆରମ୍ଭ ହେବ ଟିକେଟ୍ ବିକ୍ରି । ଷ୍ଟାଡିୟମରେ ୪୪ ହଜାର ୨୩୪ ଜଣ ଦର୍ଶକ ଏଥର ମ୍ୟାଚ ଦେଖିବେ । ଚଳିତବର୍ଷ ୧୮ ପ୍ରତିଶତ GST ସହ ଟିକେଟ ଦର ବୃଦ୍ଧି ହୋଇଛି । ଗ୍ୟାଲେରି ନମ୍ବର ୧, ୩ ଓ ୫ ପାଇଁ ଟିକେଟ ଦର ୯ ଶହ ଟଙ୍କା ରଖାଯାଇଥିବା ବେଳେ, ଗ୍ୟାଲେରି ନମ୍ବର ୨ ଓ ୪ ପାଇଁ ୭ ଶହ ଟଙ୍କା, ୭ ନମ୍ବର ଗ୍ୟାଲେରି ଦର ୬ ଶହ ଟଙ୍କା, କେବଳ ଖେଳାଳିଙ୍କ ପାଇଁ ଉଦ୍ଦିଷ୍ଟ ୬ ନମ୍ବର ଗ୍ୟାଲେରି ଦର ୩ ଶହ ଟଙ୍କା, ସ୍ପେଶାଲ ଏନକ୍ଲୋଜର ପାଇଁ ୫ ହଜାର ଟଙ୍କା, AC ବକ୍ସ ପାଇଁ ୭ ହଜାର ଟଙ୍କା, ନ୍ୟୁ ପାଭିଲିଅନ ପାଇଁ ୮ ହଜାର ଟଙ୍କା ଓ କର୍ପୋରେଟ ବକ୍ସ ପାଇଁ ୧୨ ହଜାର ଟଙ୍କା ଦର ଧାର୍ଯ୍ୟ କରାଯାଇଛି । ଟିକେଟ ବିକ୍ରି ସମୟରେ ଶୃଙ୍ଖଳା ରକ୍ଷା କରିବାକୁ ୧୦ ପ୍ଲାଟୁନ ଫୋର୍ସ ମୁତୟନ ରହିବେ । ସେପଟେ ଟିକେଟ କଳାବଜାରୀ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଥିବାବେଳେ ପୂର୍ବଦିନ ରାତିରୁ କାଉଣ୍ଟର ଆଗରେ ଭିଡ଼ ନ ଜମାଇବାକୁ ପରାମର୍ଶ ଦେଇଛନ୍ତି ଡିସିପି ।

ନୂଆ ମନ୍ତ୍ରୀଙ୍କୁ 6-T ମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏଣିକି 5-T ବଦଳରେ 6-Tରେ କାମ କରିବେ ମନ୍ତ୍ରୀ । ନବ ନିର୍ବାଚିତ ମନ୍ତ୍ରୀଙ୍କୁ  6-Tର  ଗୁରୁମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବର ଟ୍ରାନ୍ସପରେନ୍ସି, ଟିମ୍ ୱାର୍କ, ଟେକ୍ନୋଲଜି, ଟାଇମ୍, ଟ୍ରାନ୍ସଫରମେସନ ପରେ ଏବେ ଯୋଡ଼ି ହେଲା ଟୁର । ଟୁର ସମାଜର ଶେଷ ଧାଡ଼ିର ଲୋକଙ୍କ ପାଖରେ ପହଞ୍ଚିବାକୁ ପରାମର୍ଶ ଦେଇଛନ୍ତି ନବୀନ । ଜିଲ୍ଲା ଓ ବ୍ଲକସ୍ତରକୁ ଗସ୍ତ କରିବାକୁ ସବୁ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ସହ ଲୋକଙ୍କ ସମସ୍ୟା ସହ ଅବଗତ ହେବାକୁ ପରାମର୍ଶ ଦେଇଛନ୍ତି  । ଲୋକଙ୍କ ବିକାଶ ପାଇଁ ଯତ୍ନଶୀଳ ହେବା ସହ ୨୦୨୪ ପୂର୍ବରୁ ବିଜେଡିର ନିର୍ବାଚନ ଇସ୍ତାହାର ଶତ ପ୍ରତିଶତ ପୂରା କରିବାକୁ ପରାମର୍ଶ ଦେଇଛନ୍ତି ସୁପ୍ରିମୋ ।

ଦାୟିତ୍ବ ବଣ୍ଟନ ପରେ ଆଜି ସମସ୍ତ ମନ୍ତ୍ରୀ ପହଞ୍ଚିଥିଲେ ନବୀନ ନିବାସରେ । ସେଠାରେ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ସୁଶାସନ ନିମନ୍ତେ ବିଭିନ୍ନ ପରାମର୍ଶ ଦେଇଥିଲେ । ଏହାସହ ବହୁ ଗୁରୁତ୍ବପୂର୍ଣ୍ଣ ବିଷୟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ନୂଆମନ୍ତ୍ରୀ  । ଓଡ଼ିଶାକୁ ଦେଶର ଏକ ନମ୍ବର ରାଜ୍ୟ ଭାବେ ଗଢ଼ି ତୋଳିବାକୁ ସମସ୍ତ ମନ୍ତ୍ରୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ନବୀନ । ମନ୍ତ୍ରୀ ନବକିଶୋର ଦାସ, ସମୀର ଦାଶ, ନିରଞ୍ଜନ ପୂଜାରୀ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରଫୁଲ୍ଲ ମଲ୍ଲିକ, ଜଗନ୍ନାଥ ସାରକା, ଅଶୋକ ପଣ୍ଡା, ବାସନ୍ତୀ ହେମ୍ବ୍ରମ,  ଟୁକୁନି ସାହୁ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ତୁଷାରକାନ୍ତି ବେହେରାଙ୍କ ସମେତ ସମସ୍ତ ୨୧ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି ।

ବିଶ୍ୱ ପରିବେଶ ଦିବସରେ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ୱାକାଥନ୍‌’ କାର୍ଯ୍ୟକ୍ରମ

ଭୁବନେଶ୍ୱର: ବିଶ୍ୱ ପରିବେଶ ଦିବସ ଅବସରରେ ଭୁବନେଶ୍ୱରସ୍ଥିତ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ‘ୱାକାଥନ୍‌’ ଆୟୋଜିତ ହୋଇଯାଇଛି । ଏହି ଅବସରରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଧ୍ୟାପକମାନେ ହାତରେ ବ୍ୟାନର ଏବଂ ପ୍ଲାକାର୍ଡ ଧରି ରାଜରାସ୍ତାରେ ଜନସାଧାରଣଙ୍କୁ ପରିବେଶ ଓ ପୃଥିବୀର ସୁରକ୍ଷା ସମ୍ପର୍କରେ ସଚେତନ କରାଇଥିଲେ ।

ରବିବାର ଦିନ ସକାଳେ ଏହି କାର୍ଯ୍ୟକ୍ରମ ଭୁବନେଶ୍ୱରର ୟୁନିଟ୍‌-୩ ସ୍ଥିତ ଭୀମଭୋଇ ଦୃଷ୍ଟିହୀନ ଉଚ୍ଚବିଦ୍ୟାଳୟଠାରୁ ଆରମ୍ଭ ହୋଇ ମାଷ୍ଟରକ୍ୟାଣ୍ଟିନ ଛକରେ ଶେଷ ହୋଇଥିଲା । ଏହି ଅବସରରେ ଛାତ୍ରଛାତ୍ରୀମାନେ ବିଭିନ୍ନ ପଥପ୍ରାନ୍ତ ନାଟକ ଏବଂ ନୃତ୍ୟ ମାଧ୍ୟମରେ ବର୍ତ୍ତମାନର ପରିବେଶ ସଙ୍କଟ ଏବଂ ଏହାର ସମାଧାନ ପାଇଁ ବାର୍ତ୍ତା ଦେଇ ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବିଶ୍ୱବିଦ୍ୟାଳୟର ପବ୍ଲିକ ହେଲଥ୍‌, ଆଲାଏଡ୍ ହେଲଥ୍ ସାଇନ୍ସସେସ, ବାୟୋଲୋଜିକାଲ ସାଇନ୍ସସେସ ଏବଂ ହେଲଥ୍ ମ୍ୟାନେଜମେଣ୍ଟ ବିଭାଗର ଛାତ୍ରଛାତ୍ରୀଙ୍କ ସହ ଅଧ୍ୟାପକ ଓ ଅଧ୍ୟାପିକାମାନେ ଏହି ପରିବେଶ ସଚେତନତା କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।

 

“ପରିବେଶ ସୁରକ୍ଷା ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ବିଶ୍ୱବ୍ୟାପୀ ଏହି ଦିବସ ପାଳନ କରାଯାଉଛି । ଆଜିର ଦିନରେ ପରିବେଶ ସନ୍ତୁଳନ ବିଗୁଡୁଥିବାରୁ ପୃଥିବୀର ତାପମାତ୍ରା ବଢ଼ିବା ସହିତ ଅନେକ ରୋଗ ବ୍ୟାପୁଛି, ଯାହାକି ଜନସ୍ୱାସ୍ଥ୍ୟକୁ ବିଶେଷ ଭାବେ ପ୍ରଭାବିତ କରୁଛି । ତେଣୁ ଆମେ ଆମ ପରିବେଶର ଯତ୍ନ ନେବା ଓ ତା’ର ସୁରକ୍ଷା କଥା ଭାବିବା । ଏଥିସହିତ ପରିବେଶ ଅନୁକୂଳ କାର୍ଯ୍ୟକ୍ରମଗୁଡ଼ିକୁ ପ୍ରୋତ୍ସାହିତ କରିବା ବୋଲି କହିଛନ୍ତି ଏଆଇପିଏଚ୍ ବିଶ୍ୱବିଦ୍ୟାଳୟର କୁଳପତି ପଦ୍ମଶ୍ରୀ ଡକ୍ଟର ଆଦିତ୍ୟ ପ୍ରସାଦ ଦାଶ । ଏହି ୱାକାଥନ୍ ଅବସରରେ ହେଲଥ୍ ସାଇନ୍ସସେସ ବିଭାଗର ଛାତ୍ରଛାତ୍ରୀମାନେ ବିଶିଷ୍ଟ ପରିବେଶବିତ୍ ପଦ୍ମଶ୍ରୀ ହିମ୍ମତ ରାମ ଭାମ୍ଭୁଙ୍କ ଜୀବନ ଉପରେ ଆଧାରିତ ‘ପରିବେଶ ବଞ୍ଚାଅ, ପୃଥିବୀ ବଞ୍ଚାଅ’ ଶୀର୍ଷକ ପଥପ୍ରାନ୍ତ ନାଟକ ପରିବେଷଣ କରିଥିଲେ ।

ସେହିପରି ବ୍ୟାପକ ଜଙ୍ଗଲ କ୍ଷୟ ଫଳରେ ପରିବେଶ ଏବଂ ଜଳବାୟୁ ଉପରେ ଏହାର କିପରି କୁପ୍ରଭାବ ପଡୁଛି ତାହା ଦର୍ଶାଇ ଆଲାଏଡ୍ ହେଲଥ୍ ସାଇନ୍ସସେସ ବିଭାଗର ଛାତ୍ରଛାତ୍ରୀମାନେ ‘ସେଭ୍ ଅସ୍ ଟୁ ସେଭ୍ ୟୁ’ ଶୀର୍ଷକରେ ଆଉ ଏକ ପଥପ୍ରାନ୍ତ ନାଟକ ପରିବେଷଣ କରିଥିଲେ । ଏଥିସହିତ ମଣିଷ କିପରି ପରିବେଶ ବିନାଶର କାରଣ ହେଉଛି ସେ ସମ୍ପର୍କରେ ବାୟୋଲୋଜିକାଲ ସାଇନ୍ସସେସ ବିଭାଗର ଛାତ୍ରଛାତ୍ରୀମାନେ ଏକ ମିଳିତ ନୃତ୍ୟ ମାଧ୍ୟମରେ ସ୍ଥାନୀୟ ଦର୍ଶକମାନଙ୍କୁ ବାର୍ତ୍ତା ଦେଇଥିଲେ।

ଜନସ୍ୱସ୍ଥ୍ୟ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ପୂର୍ବ ଭାରତର ପ୍ରଥମ ତଥା ଏକମାତ୍ର ବିଶ୍ୱବିଦ୍ୟାଳୟ ଭାବେ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟ ପରିଚିତ । ଏଠାରେ ପବ୍ଲିକ ହେଲଥ୍‌, ଆଲାଏଡ୍ ହେଲଥ୍ ସାଇନ୍ସେସେସ, ବାୟୋଲୋଜିକାଲ୍ ସାଇନ୍ସେସେସ ଏବଂ ହେଲଥ୍ ମ୍ୟାନେଜମେଣ୍ଟ ଆଦି ବିଷୟରେ ସ୍ନାତକ, ସ୍ନାତକୋତ୍ତର ଡିଗ୍ରୀ, ଏମବିଏ, ପିଏଚଡି ଏବଂ ପୋଷ୍ଟ ଡକ୍ଟରାଲ ପାଠ୍ୟକ୍ରମ ରହିଛି । ଫୁଲନଖରା ନିକଟସ୍ଥ ଇଷ୍ଟ କ୍ୟାମ୍ପସରେ ଚାଲିଥିବା ଏହି ବିଶ୍ୱବିଦ୍ୟାଳୟରେ ଧନ୍ଦାମୂଳକ ଓ ଦକ୍ଷତା ବିକାଶ ତାଲିମ ପାଠ୍ୟକ୍ରମ ମଧ୍ୟ ଦିଆଯାଉଛି ।

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା, ପରମ୍ପରା ଅନୁଯାୟୀ ଚକଡେରା ନୀତି ସମ୍ପନ୍ନ

ପୁରୀ: ପାଖେଇ ଆସୁଛି ବିଶ୍ବପ୍ରସିଦ୍ଧ ରଥଯାତ୍ରା । ରଥରେ ଚଢ଼ି ପତିତ ଉଦ୍ଧାରରେ ବାହାରିବେ ପତିତପାବନ । ଏଥିପାଇଁ ପୁରୀ ରଥଖଳାରେ ଜୋରସୋରରେ ଆଗେଇ ଚାଲିଛି ୩ ରଥର କାମ । ପରମ୍ପରା ଅନୁଯାୟୀ ଆଜି ଶୀତଳଷଷ୍ଠୀରେ ଅନୁଷ୍ଠିତ ହୋଇଛି ଚକଡେରା ନୀତି । ସମସ୍ତ ଚକ ସହ ଅଖ ସଂଯୋଗ କରାଯାଇଛି । ଭୋଇ ସେବକମାନେ ୩ ରଥର ମୋଟ ୪୨ଟି ଚକରେ ଅଖ ସଂଯୋଗ କରିଛନ୍ତି । ପାର୍ଶ୍ଵ ଦଣ୍ଡାରେ କୁଡ଼ୁକା ଓ ନିରାଡ଼ି ଲଗାଯିବା କାର୍ଯ୍ୟ ଜାରି ରହିଛି ।

ସେପଟେ ଗରଗରା ଗୁଡିକରେ ଚାଲିଛି ବିନ୍ଧ ଖୋଦେଇ କାମ । ଚାରପରିଛା ନିର୍ମାଣ ପାଇଁ କାଠ ଚଉପଟ କରାଯାଉଛି । ତାଳଧ୍ବଜ ଏବଂ ନନ୍ଦିଘୋଷ ରଥର ପୋଲଗୟଳ କାମ ଶେଷ ହୋଇଛି । ଦେବଦଳନ ରଥର ପୋଲଗୟଳ କାମ ଜାରି ରହିଥିବା ବେଳେ ରୂପକାର ସେବକମାନେ ତିନିରଥର ସିଂହାସନରେ ଖୋଦେଇ କାର୍ଯ୍ୟ ଆରମ୍ଭ କରିଛନ୍ତି ।