spot_img
Home Blog Page 4342

ବିଚ୍ ରାସ୍ତାରେ ମହିଳା ଡାକ୍ତରଙ୍କୁ ପିଟିଲେ ବିଜେପି କୃଷକ ମୋର୍ଚ୍ଚା ସମ୍ପାଦକ

ଭୁବନେଶ୍ୱର: ଗାଡ଼ି ସାଇଡ଼ କରିବାକୁ ନେଇ ରାଜଧାନୀରେ ମହିଳା ଡାକ୍ତରଙ୍କୁ ମାଡ଼ ଅଭିଯୋଗ । ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କଲେ ମହିଳା ଡାକ୍ତର । ଅଭିଯୋଗ ପରେ ମାଡ଼ ମାରିଥିବା ଯୁବକକୁ ଅଟକ ରଖିଛି ଲକ୍ଷ୍ମୀସାଗର ପୋଲିସ । ଅଟକ ଯୁବକ ବିଜେପି କୃଷକ ମୋର୍ଚ୍ଚାର ସମ୍ପାଦକ ବିଶ୍ବଜିତ ସ୍ବାଇଁ ବୋଲି ଜଣାପଡ଼ିଛି ।

ସୂଚନା ଅନୁସାରେ ମହିଳା ଡାକ୍ତର ଓ ତାଙ୍କ ମା’ ଗତକାଲି ରାତିରେ ସ୍କୁଟିରେ ଘରକୁ ଫେରୁଥିଲେ । ରାସ୍ତାରେ ଗାଡ଼ି ରଖିଥିଲେ ବିଶ୍ବଜିତ । ମହିଳା ତାଙ୍କୁ ଗାଡ଼ି ସାଇଡ କରିବାକୁ କହି ହର୍ଣ୍ଣ ମାରିଥିଲେ । ହେଲେ ପୂର୍ବରୁ ଡାକ୍ତର ଜଣଙ୍କ ତାଙ୍କ ଗାଡ଼ି ମିରରରେ ଗାଡ଼ି ବଜାଇଥିବା କହି ହଠାତ୍ ଡାକ୍ତରଙ୍କୁ ମାଡ଼ ମାରିଥିଲେ । ମହିଳା ଡାକ୍ତରଙ୍କ ମା’ ପ୍ରତିରୋଧ କରିବାକୁ ତାଙ୍କୁ ମଧ୍ୟ ଠେଲିଦେଇଥିବା ଅଭିଯୋଗ ହୋଇଛି ।

ପ୍ରକାଶ ପାଇଲା UPSC-୨୦୨୧ ରେଜଲ୍ଟ, ୬୮୫ କୃତକାର୍ଯ୍ୟ

ନୂଆଦିଲ୍ଲୀ: ପ୍ରକାଶ ପାଇଲା ସିଭିଲ ସର୍ଭିସ ପରୀକ୍ଷା ଫଳ । ୨୦୨୧ ମସିହାର ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶ ପାଇଛି । ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ୬୮୫ ଜଣ । ୬୮୫ ଜଣଙ୍କ ମଧ୍ୟରୁ ସାଧାରଣ ବର୍ଗରେ ୨୪୪ ଜଣ କୃତକାର୍ଯ୍ୟ ହୋଇଥିବାବେଳେ ଇଡବ୍ଲୁଏସ ବର୍ଗରେ ୭୩, ଓବିସିରେ ୨୦୩, ଅନୁସୂଚିତ ଜାତିରେ ୧୦୫ ଓ ଅନୁସୂଚିତ ଜନଜାତିରେ ୬୦ ଜଣ କୃତକାର୍ଯ୍ୟ ହୋଇଛନ୍ତି ।

ତେବେ ଚଳିତ ଥର UPSC ପରୀକ୍ଷାରେ ୧୮୦ ଜଣ ଆଇଏଏସରେ କୃତକାର୍ଯ୍ୟ ହୋଇଥିବାବେଳେ ଆଇଏଫଏସରେ ୩୭ ଜଣ ଓ ଆଇପିଏସରେ ୨୦୦ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଉତ୍ତରପ୍ରଦେଶର ବିଜନୌରର ଶ୍ରୁତି ଶର୍ମା ଟପ୍ପର ହୋଇଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଉଛି UPSC ଦ୍ୱାରା ଜାରି ହୋଇଥିବା ଲିଷ୍ଟର ପ୍ରଥମ ୫ ଜଣଙ୍କ ମଧ୍ୟରୁ ୪ ଜଣ ଝିଅ ଅଛନ୍ତି । ତେବେ ଏହି ଲିଷ୍ଟର ୬୩ ନମ୍ବର ସ୍ଥାନରେ କାର୍ତ୍ତିକ ପାଣିଗ୍ରାହୀ ଓ ୮୬ ନମ୍ବରରେ ରାଉରକେଲାର ଗୌରବ ଅଗ୍ରଓ୍ବାଲ ରହିଛନ୍ତି ।

 

ପିଲାଙ୍କ ପାଇଁ ବୁଲିବାକୁ ଯାଇଥିଲେ, ଆଉ ଫେରିବେନି ତ୍ରିପାଠୀ ପରିବାର

କାଠମାଣ୍ଡୁ: ମନ ଯୋଡ଼ୁ ଯୋଡ଼ୁ ଦୁଃଖଦ ଅଧ୍ୟାୟର ଆରମ୍ଭ । ନେପାଳ ବିମାନ ଦୁର୍ଘଟଣା ନେଇ ଆସିଲା ଆଉ ଏକ ସ୍ପର୍ଶକାତର ବିଷୟ । ବିମାନରେ ଥିବା ଅଶୋକ ତ୍ରିପାଠୀଙ୍କ ପରିବାର ସମ୍ପର୍କରେ ଜାତୀୟ ଗଣମାଧ୍ୟମରେ ଏକ ସ୍ବତନ୍ତ୍ର ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟ ଅନୁସାରେ ଅଶୋକ ଓ ପତ୍ନୀ ବୈଭବୀଙ୍କ ମଧ୍ୟରେ ବହୁଦିନ ପୂର୍ବରୁ ହୋଇସାରିଛି ବିବାହ ବିଚ୍ଛେଦ । ତେବେ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏହି ଦମ୍ପତି ପ୍ରତି ବର୍ଷ ୧୦ ଦିନ ପରିବାର ସହ ଛୁଟି କାଟିବା ଲାଗି ଯାଇଥାନ୍ତି ।

କୋର୍ଟଙ୍କ ଏହି ନିର୍ଦ୍ଦେଶ ଅନୁସାରେ ସେମାନେ ଏଥର ମୁମ୍ବାଇରୁ ନେପାଳ ବୁଲିବାକୁ ଯାଇଥିଲେ । ଦୁର୍ଘଟଣାଗ୍ରସ୍ତ ବିମାନରେ ଅଶୋକ ତ୍ରିପାଠୀ, ପତ୍ନୀ ବୈଭବୀ ତ୍ରିପାଠୀ, ପୁତ୍ର ଧନୁଷ ଓ କନ୍ୟା ଋତିକା ଥିଲେ ବୋଲି ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ ଗତକାଲି ନେପାଳରେ ଏକ ବିମାନ ଦୁର୍ଘଟଣାଗ୍ରସ୍ଥ ହୋଇଥିଲା । ଏହି ବିମାନରେ ୨୨ ଜଣ ଯାତ୍ରୀ ରହିଥିଲେ । ବିମାନ ଦୁର୍ଘଟଣା ପରେ ଆଜି ବିମାନ ଦୁର୍ଘଟଣାସ୍ଥଳରେ ସେନା ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ତେବେ ଦୁର୍ଘଟଣାସ୍ଥଳରୁ ୧୪ ମୃତଦେହ ମିଳିଛି । ଏନେଇ ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ।

ଥଣ୍ଡା ପାନୀୟରେ ନିଶା ଦେଇ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ଦୁଷ୍କର୍ମ

ଭୁବନେଶ୍ୱର: ରାଜଧାନୀରେ ମହିଳା ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ଦୁଷ୍କର୍ମ ଅଭିଯୋଗ । ବ୍ଲାକମେଲ୍ କରି ୨ ଲକ୍ଷ ନେଇସାରିଲାଣି ଅଭିଯୁକ୍ତ । ରାୟପୁର ଡିଆଇଜିଙ୍କ ଚିଠି ପରେ ଖଣ୍ଡଗିରି ଥାନାରେ ରୁଜୁ ହୋଇଛି ମାମଲା । ଜାଗମରାରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନରେ ମହିଳା ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ଦୁଷ୍କର୍ମ କରାଯାଇଥିବା ଛତିଶଗଡ଼ କବିର ନଗର ଥାନାରେ ଅଭିଯୋଗ କରିଥିଲେ ମହିଳା । ରାୟପୁର ଡିଆଇଜି ଜିରୋ ଏଫଆଇଆର ଜରିଆରେ କମିଶନରେଟ ପୋଲିସକୁ ଚିଠି ଲେଖିବା ପରେ ଖଣ୍ଡଗିରି ଥାନାରେ ମାମଲା ରୁଜୁ ହୋଇଛି ।

ଅଭିଯୋଗ ଅନୁସାରେ, ରାୟପୁର କବିର ନଗରର ୨୪ ବର୍ଷୀୟ ଯୁବତୀ ଗତ ବର୍ଷ ମାର୍ଚ୍ଚ ମାସରେ ଜାଗମରାରର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାମ ଆରମ୍ଭ କରିଥିଲେ । ପୂର୍ବରୁ ସେଠାରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟ କରୁଥିବା ଉମେଶ ସୁଧାକରଙ୍କ ସହିତ ଯୁବତୀଙ୍କର ପରିଚୟ ହୋଇଥିଲା । ଗତବର୍ଷ ସେପ୍ଟେମ୍ବର ମାସରେ ଉମେଶ ଯୁବତୀଙ୍କୁ ଜାଗମରାଠାରେ ଥିବା ହୋଟେଲକୁ ଡକାଇଥିଲା । ମହିଳା ଜଣକ ହୋଟେଲରେ ପହଞ୍ଚିବା ପରେ ଉମେଶ ତାଙ୍କୁ ଥଣ୍ଡା ପାନୀୟରେ ନିଶା ମିଶାଇ ପିଇବାକୁ ଦେଇଥିଲା । ମହିଳା ଜଣକ ଚେତା ହରାଇବା ପରେ ଉମେଶ ତାଙ୍କ ସହିତ ଦୁଷ୍କର୍ମ କରିବା ସହିତ ଅଶ୍ଲୀଳ ଭିଡିଓ ସୁଟିଂ କରିଥିଲା ।

ବାସ୍‌ ଏହାପରେ ବାରମ୍ବାର ବ୍ଲାକମେଲ୍ କରି ଦୁଷ୍କର୍ମ ସହ ଟଙ୍କା ଦାବି କରୁଥିଲା ଉମେଶ । ଲୋକ ଲଜ୍ଜା ଓ ଘରେ ଜାଣିଯିବା ଭୟରେ ୨ ଲକ୍ଷ ଟଙ୍କା ଉମେଶକୁ ଦେଇଥିଲେ ମହିଳା । ତଥାପି ଉମେଶ ମହିଳାଙ୍କ ଅଶ୍ଳୀଳ ଭିଡିଓ ଦେଖାଇ ବ୍ଲାକମେଲ୍ କରୁଥିଲା । ଶେଷରେ ମହିଳା ଆଇନର ଦ୍ବାରସ୍ଥ ହେବାରୁ, ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା ଉମେଶ । ପରିବାର ଲୋକଙ୍କ ପରାମର୍ଶ କ୍ରମେ ଗତ ମଙ୍ଗଳବାର ଦିନ ଯୁବତୀ ଜଣକ କବିର ନଗର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଜିରୋ ଏଫଆଇଆର ରୁଜୁ କରି ରାୟପୁର ଡିଆଇଜିଙ୍କୁ ଜଣାଇଥିଲେ । ରାୟପୁର ଡିଆଇଜି ମାମଲା ସମ୍ବନ୍ଧୀୟ ସମସ୍ତ କାଗଜପତ୍ର କମିଶନରେଟ ପୋଲିସକୁ ପଠାଇବା ସହିତ ମାମଲା ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ରାୟପୁର ଡିଆଇଜିଙ୍କ ନିର୍ଦ୍ଦେଶ କ୍ରମେ ଖଣ୍ଡଗିରି ଥାନାରେ ଉମେଶ ନାଁରେ ମାମଲା ରୁଜୁ ହୋଇଛି । ଖୁବଶୀଘ୍ର ଅଭିଯୁକ୍ତକୁ ଧରିବା ପାଇଁ ଛତିଶଗଡ଼ ଯିବ ଖଣ୍ଡଗିରି ପୋଲିସ  ।

ପୁରୁଷ ବେଶରେ ଆସି ହୀରା ମୁଦି ଲୁଟିନେଲେ ଯୁବତୀ

ପୁରୀ: ଯୁବକ ବେଶରେ ମାତିଲେ ଯୁବତୀ ଲୁଟେରା । ହାଫ୍ ପ୍ୟାଣ୍ଟ୍‌, ଗଞ୍ଜି ପିନ୍ଧି ବେକରେ ଗାମୁଛା ପକାଇ ଡିକି ଭାଙ୍ଗି ଲୁଟିନେଲା ହୀରା ମୁଦି । ସିସିଟିଭି ଯାଞ୍ଚ ବେଳେ ପ୍ରଥମେ ଯୁବକ ବୋଲି ସନ୍ଦେହ ସୃଷ୍ଟି ହୋଇଥିବା ବେଳେ ପରେ ସେ ଜଣେ ଯୁବତୀ ବୋଲି ଜଣାପଡ଼ିଥିଲା । ତେବେ ଏହି ଘଟଣାର ଅଧିକ ତଦନ୍ତ ପୁରୀ କୁମ୍ଭାରପଡ଼ା ପୋଲିସ କରୁଛି ।

ସୂଚନା ଅନୁସାରେ ଶନିବାର ଭୋରରୁ ପୁରୀ ବ଼ଡ଼ଦାଣ୍ଡରେ ଜଣେ ଘରୋଇ ବ୍ୟାଙ୍କ କର୍ମଚାରୀଙ୍କ ଗାଡି ଡିକି ଭାଙ୍ଗି ହୀରା ମୁଦି ଲୁଟ୍ କରିଥିଲେ ଲୁଟେରା । ୧୫ ଦିନିଆ କ୍ୟାମ୍ପ ପାଇଁ ସରିତା ଓ ତାଙ୍କ ୨ ଜଣ ସହକର୍ମୀ ଗତ ୨୨ ତାରିଖରେ ପୁରୀ ଆସିଥିବା ବେଳେ ବଡ଼ଦାଣ୍ଡ ମାର୍କେଟ ଛକ ନିକଟ ଏକ ଲଜ୍‌ରେ ରହିଥିଲେ । ତେବେ ଗତ ଶୁକ୍ରବାର ରାତିରେ ଲଜ୍ ସମ୍ମୁଖରେ ସରିତା ତାଙ୍କ ମୋପେଡ ଗାଡି ପାର୍କିଂ କରି ଲଜକୁ ଯାଇଥିବା ବେଳେ ଗାଡ଼ି ଡିକିରେ ତାଙ୍କ ପର୍ସ ଛାଡ଼ି ଯାଇଥିଲେ । ପର୍ସରେ ହୀରା ମୁଦି ଥିଲା । ତେବେ ଏହି ଚୋରିର ଦୃଶ୍ୟ ଲଜରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି ।

ନେପାଳ ବିମାନ ଦୁର୍ଘଟଣାସ୍ଥଳରୁ ମିଳିଲା ୧୪ ମୃତଦେହ

କାଠମାଣ୍ଡୁ: ନେପାଳ ବିମାନ ଦୁର୍ଘଟଣାସ୍ଥଳରୁ ମିଳିଲା ୧୪ ମୃତଦେହ । ଏନେଇ ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ । ଗତକାଲି ଦୁର୍ଘଟଣା ଘଟିଥିବା ସ୍ଥଳ ମୁସ୍ତାଙ୍ଗର ସାନୋସଓ୍ବରେ ରେସ୍କ୍ୟୁ ଟିମ୍ ପହଞ୍ଚିବା ପରେ ସେଠାରେ ଉଦ୍ଧାର ପ୍ରକ୍ରିୟା ଜାରି ରହିଛି । ମୃତଦେହଗୁଡ଼ିକ ନଷ୍ଟ ହୋଇଯାଇଥିବାରୁ ସେଗୁଡ଼ିକୁ ଚିହ୍ନଟ କରିବା ସମ୍ଭବ ହୋଇନାହିଁ । ଖରାପ ପାଗ ଯୋଗୁ ରେସ୍କ୍ୟୁ ଅପରେସନରେ ବାଧା ସୃଷ୍ଟି ହୋଇଛି । ଥାସାଙ୍ଗ-୨ର ସାନୋସଓ୍ବେର ସ୍ଥଳରେ ରେସ୍କ୍ୟୁ ଟିମ୍ ପହଞ୍ଚିଥିବା କୁହାଯାଇଛି ।

ସେପଟେ ଏୟାର ଲାଇନ ପକ୍ଷରୁ ଜାରି ଯାତ୍ରୀ ତାଲିକାରେ ଅଶୋକ ତ୍ରିପାଠୀଙ୍କ ସମେତ ୪ ସଦସ୍ୟଙ୍କ ନାମ ପ୍ରକାଶ ପାଇଛି । ସେମାନଙ୍କ ମଧ୍ୟରେ ଅଛନ୍ତି ଅଶୋକଙ୍କ ସ୍ତ୍ରୀ ବୈଭବୀ ବାନ୍ଦେକର ତ୍ରିପାଠୀ, ପୁତ୍ର ଧନୁଷ ଓ କନ୍ୟା ଋତିକା । ସେମାନେ ଥାନେରେ ବାସ କରୁଥିଲେ ବୋଲି କୁହାଯାଇଛି । ନେପାଳ ଗୃହ ମନ୍ତ୍ରାଳୟ ପକ୍ଷରୁ ଦୁଇଟି ଘରୋଇ ହେଲିକପ୍ଟର ମୁତୟନ କରାଯାଇ ସର୍ଚ୍ଚ ଅପରେସନ ଜାରି ରହିଛି ।

ବିମାନ ଦୁର୍ଘଟଣା ପୂର୍ବରୁ ATCର ସୂଚନାକୁ ନେଇ ଆସିଛି ନୂଆ ତଥ୍ୟ । ଦୁର୍ଘଟଣାର କିଛି ସମୟ ପୂର୍ବରୁ ପାଇଲଟ ଏଟିସିକୁ ପାଗ ଓ ଭିଜିବିଲିଟି ନେଇ ତଥ୍ୟ ମାଗିଥିଲେ । ତେବେ ଲ୍ୟାଣ୍ଡିଂ ପାଇଁ ପ୍ଲେନକୁ ଜମସମ ଏୟାର ଟ୍ରାଫିକ କଣ୍ଟ୍ରୋଲ ଅନୁମତି ଦେଇଥିଲା ବୋଲି ଜଣାପଡ଼ିଛି । ଗତକାଲି ସକାଳ ୯ଟା ୫୫ ମିନଟରେ ଟ୍ବିନ ଅଟ୍ଟର 9N-AET ବିମାନ ପୋଖରାରୁ ଜମସନ ଅଭିମୁଖେ ଯାତ୍ରା ଆରମ୍ଭ କରିବା ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବିମାନ ।

ରାଉରକେଲା ଇସ୍ପାତ କାରଖାନାରେ ଅଘଟଣ, ଦୁର୍ଘଟଣାରେ ଶ୍ରମିକଙ୍କ ମୃତ୍ୟୁ

ରାଉରକେଲା: ରାଉରକେଲା ଇସ୍ପାତ କାରଖାନା ବ୍ଲାଷ୍ଟ ଫର୍ଣ୍ଣେସ ୧ରେ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତ ଠିକା ଶ୍ରମିକ ଦେଓଗାଁ ଅଞ୍ଚଳର ୨୨ ବର୍ଷୀୟ ଘନସିରା ମୁଣ୍ଡାରୀ ବୋଲି ରାଉରକେଲା ଇସ୍ପାତ କାରଖାନା PR ବିଭାଗ ପକ୍ଷରୁ ସୂଚନା ମିଳିଛି । ମୃତ ଠିକା ଶ୍ରମିକ TD କନଷ୍ଟ୍ରକସନ ଠିକା ସଂସ୍ଥାରେ ଠିକା ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ।

କନଭେୟର ବେଲଟରେ ଚାପି ହୋଇ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତ ଠିକା ଶ୍ରମିକଙ୍କ ମୃତଦେହ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲର ମର୍ଗ ହାଉସରେ ରଖାଯାଇଛି । ମୃତ ଠିକା ଶ୍ରମିକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିବା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଦାବି କରାଯାଇଛି ।

ଜଳୁଛି ଆଭ୍ୟନ୍ତରୀଣ ଓଡ଼ିଶା, ୪୦ ଡିଗ୍ରୀ ଉପରେ ଅଧିକାଂଶ ଜିଲ୍ଲା

ଭୁବନେଶ୍ୱର: ଜଳୁଛି ଆଭ୍ୟନ୍ତରୀଣ । ତାତିରୁ ମିଳୁନି ନିସ୍ତାର । ଜାରି ରହିଛି ପ୍ରଖର ଗ୍ରୀଷ୍ମ ପ୍ରବାହ । ଗତକାଲି ରାଜ୍ୟରେ ୪୦ ଡିଗ୍ରୀ ଉପରେ ୧୭ ସହରର ତାପମାତ୍ରା ରହିଥିବାବେଳେ ୪୩ ଡିଗ୍ରୀ ଉପରେ ରହିଥିଲା ୮ସହର । ୪୪ ଡିଗ୍ରୀ ସହିତ ସୋନପୁର ହୋଇଥିଲା ସବୁଠୁ ଉତ୍ତପ୍ତ । ଆଗକୁ ମଧ୍ୟ ଏପରି ସ୍ଥିତି ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅଧିକାଂଶ ଜିଲ୍ଲାରେ ୪୦ ରୁ ୪୪ ଡିଗ୍ରୀ ମଧ୍ୟରେ ତାପମାତ୍ରା ରହିବ । ଉପକୂଳ ଓଡ଼ିଶାରେ ତାତି ନବଢ଼ିଲେ ବି ଅସହ୍ୟ ଗୁଳୁଗୁଳିରେ ହନ୍ତସନ୍ତ ହେଉଛନ୍ତି ଲୋକ ।

ଓଡ଼ିଶା ଉପରେ କୌଣସି ସିଷ୍ଟମ ବା ଘୂର୍ଣ୍ଣିବଳୟ ନଥିବାରୁ ଏପରି ସ୍ଥିତି ଲାଗି ରହିବ । ଅନ୍ୟପଟେ ୪ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ଲାଗିରହିବ କାଳବୈଶାଖୀ ବର୍ଷା । ଘଡ଼ଘଡ଼ି ବିଜୁଳି ସହ ବର୍ଷା ପାଇଁ ଦକ୍ଷିଣ ଏବଂ ଉତ୍ତର ଓଡ଼ିଶାର ୧୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେପଟେ କେରଳ ଛୁଇଁସାରିଛି ମୌସୁମୀ । ଆସନ୍ତା ୨ରୁ ୩ଦିନ ମଧ୍ୟରେ ଏହା ସଂପୂର୍ଣ୍ଣ କେରଳ ଛୁଇଁବ । ୩ ଦିନ ମଧ୍ୟରେ ଉତ୍ତରପୂର୍ବ ରାଜ୍ୟ ମିଜୋରାମ, ତ୍ରିପୁରା, ମଣିପୁରରେ ମୌସୁମୀର ପ୍ରଭାବ ଦେଖିବାକୁ ମିଳିବ। ଜୁନ୍ ୧୦ରୁ ୧୨ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

ନେପାଳରେ ଚାଲିଛି ଦୁର୍ଘଟଣାଗ୍ରସ୍ତ ବିମାନର ସର୍ଚ୍ଚ ଅପରେସନ

ନୂଆଦିଲ୍ଲୀ: ନେପାଳ ବିମାନ ଦୁର୍ଘଟଣାସ୍ଥଳରେ ପହଞ୍ଚିଛି ସେନା । ଗତକାଲି କ୍ରାସ୍ ସାଇଟ ସମ୍ପର୍କରେ ସୂଚନା ମିଳିଥିବା ବେଳେ ଆଜି ସକାଳୁ ସେନା ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ନେପାଳ ସେନା ହେଲିକପ୍ଟର ଯୋଗେ କ୍ରାସ୍ ସାଇଟରେ ପହଞ୍ଚି ଉଦ୍ଧାର ଓ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି । ଗତକାଲି ପୂର୍ବାହ୍ନରେ ନେପାଳ ମୁସ୍ତାଙ୍ଗ ଜିଲ୍ଲା ଅନ୍ତର୍ଗତ କୋଓ୍ବାଙ୍ଗରେ ତାରା ଏୟାରର 9-NAET ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲ ।

ଲାମଚେ ନଦୀ ମୁହାଣ ତଥା ମାନପଥି ପର୍ବତ ନିମ୍ନଦେଶରେ ଦୁର୍ଘଟଣା ଘଟିଥିବା ବେଳେ ସେନାର ସ୍ବତନ୍ତ୍ର ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ବୋଲି ନେପାଳ ଆର୍ମିର ସହକାରୀ ମୁଖପାତ୍ର ରଥି ନାରାୟଣ ସିଲଓ୍ବାଲ କହିଛନ୍ତି । ସ୍ଥାନୀୟ ଲୋକମାନଙ୍କ କହିବା କଥା ସେମାନେ ସମ୍ଭାବ୍ୟ ଦୁର୍ଘଟଣାସ୍ଥଳରେ ଏକ ଅଗ୍ନି ପିଣ୍ଡୁଳା ଖସି ପଡ଼ିଥିବା ଦେଖିଛନ୍ତି । ତେବେ ଦୁର୍ଘଟଣାଗ୍ରସ୍ତ ବିମାନରେ ବିହାରର ଗୋଟିଏ ପରିବାରର ୭ ସଦସ୍ୟ ଥିବା ସୂଚନା ମିଳିଛି । ସେମାନେ ମୁକ୍ତିନାଥ ଦର୍ଶନ ଉଦ୍ଦେଶ୍ୟରେ ଯାଉଥିଲେ । ବିହାର ଧନୁଷ ଜିଲ୍ଲାର ମିଥିଳିଆ ପୌରାଞ୍ଚଳର ବାସିନ୍ଦା ରାଜନ କୁମାର ଗୋଲେ ଓ ତାଙ୍କ  ପରିବାରର ଅନ୍ୟ ୬ ସଦସ୍ୟ ଏହି ବିମାନରେ ଥିଲେ ।

ବିମାନରେ ମୋଟ ୨୨ ଯାତ୍ରୀ ରହିଥିଲେ । ଓଡିଶାର ଅଶୋକ ତ୍ରିପାଠୀ ଓ ପରିବାରର ଅନ୍ୟ ତିନି ସଦସ୍ୟ ସେହି ଦୁର୍ଘଟଣାଗ୍ରସ୍ତ ବିମାନରେ ଥିଲେ । ଗତକାଲି ସକାଳ ୯ଟା ୫୫ ମିନଟରେ ଟ୍ବିନ ଅଟ୍ଟର 9N-AET ବିମାନ ପୋଖରାରୁ ଜମସନ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ଉଡାଣର ୧୫ ମିନିଟ ପରେ ଏଟିସି ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ଅବତରଣର ମାତ୍ର ୫ ମିନଟ ପୂର୍ବରୁ ଏହା କ୍ରାସ ହୋଇଥିବା ସୂଚନା ମିଳିଛି ।

ଆସନ୍ତାକାଲି ବ୍ରଜରାଜନଗର ଉପନିର୍ବାଚନ, ୨୭୯ ବୁଥରେ ଭୋଟ ଦେବେ ୨ଲକ୍ଷରୁ ଅଧିକ ଭୋଟର

ବ୍ରଜରାଜନଗର: ବାଇ-ଇଲେକ୍ସନ କାଉଣ୍ଟଡାଉନ୍ । ଆସନ୍ତାକାଲି ନୂଆ ବିଧାୟକ ବାଛିବେ ବ୍ରଜରାଜନଗରବାସୀ । ଭୋଟ ଦେଇ ପ୍ରତିନିଧି ଚୟନ କରିବେ ୨ ଲକ୍ଷ ୧୪ ହଜାର ୮୭୮ ମତଦାତା । ଏଥିପାଇଁ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି । ମୋଟ ୧୨ ଶହ ୨୮ ପୋଲିଂ ଅଫିସର ନିଯୁକ୍ତ ହୋଇଛନ୍ତି । ଆଜି ସନ୍ଧ୍ୟା ସୁଦ୍ଧା ସମସ୍ତ ୨୭୯ ବୁଥରେ ପହଞ୍ଚିବେ ପୋଲିଂ ପାର୍ଟି । ଉପନିର୍ବାଚନ ପାଇଁ ୨୨ଟି ନୂଆ ବୁଥ୍ ହୋଇଛି । ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ୬୦ଟି ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି। ଏହି ବୁଥ ଗୁଡିକରେ ମାଇକ୍ରୋ ଅବଜରଭର, ସେଣ୍ଟ୍ରାଲ ଫୋର୍ସ ରହିବେ । ସେହିପରି ୫୦ ପ୍ରତିଶତ ବୁଥରେ ଓ୍ୱେବକାଷ୍ଟିଂ କରାଯିବ ।

୩୦ଟି ମଡେଲ ପୋଲିଂ ବୁଥ ହୋଇଥିବା ବେଳେ ୫ଟି ପିଙ୍କ ବୁଥରେ କେବଳ ମହିଳା ପୋଲିଂ କର୍ମଚାରୀ ନିଯୁକ୍ତ ହେବେ । ଆଇଶୃଙ୍ଖଳା ସ୍ଥିତି ପାଇଁ ଏକ ହଜାର ପୋଲିସ କର୍ମଚାରୀ, ୩ କମ୍ପାନି ସେଣ୍ଟ୍ରାଲ ଆର୍ମ ଫୋର୍ସ ମୁତୟନ କରାଯାଇଛି । ୩୧୨ ଜଣ ବାଲଟ୍ ପେପରରେ ଭୋଟ ଦେଇଛନ୍ତି । ରାଜ୍ୟରେ କୋଭିଡ ପ୍ରଭାବ ନଥିଲେ ବି ନିୟମ ମାନିବାକୁ କୁହାଯାଇଛି । ସେହିପରି ଗ୍ରୀଷ୍ମ ପ୍ରବାହ ପାଇଁ ବୁଥ ଗୁଡ଼ିକରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ନିର୍ବାଚନ ମଣ୍ଡଳୀର ବାହାର ଲୋକ ରହିବେ ନାହିଁ । ହୋଟେଲ, ଲଜ୍ ସବୁ ଚେକିଂ କରାଯିବ। ନିୟମ ଉଲଙ୍ଘନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ତେବେ ଗତକାଲିଠାରୁ ସମସ୍ତ ମଦ ଦୋକାନ ବନ୍ଦ କରାଯାଇଛି । ଆସନ୍ତାକାଲି ସକାଳ ୭ଟାରୁ ୬ଟା ପର୍ଯ୍ୟନ୍ତ ଭୋଟିଂ ହେବ । ଭୋଟରମାନେ ୧୨ଟି ବିକଳ୍ପ ପରିଚୟ ପତ୍ର ଦେଖାଇ ଭୋଟ ଦେଇପାରିବେ । କୌଣସି ସମସ୍ୟାର ସାମଧାନ ପାଇଁ ଟୋଲ୍ ଫ୍ରି ନମ୍ବର-୧୯୫୦ ଜାରି ହେବା ସହ ସବୁ ବୁଥରେ ଭୋଟର ସହାୟତା କେନ୍ଦ୍ର ଖୋଲାଯାଇଛି । ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଘରୁ ଆଣିବା ପାଇଁ ସ୍ୱତନ୍ତ୍ର ଗାଡି ବ୍ୟବସ୍ଥା ହୋଇଛି । କାଲି ନିର୍ବାଚନ ପରେ ଜୁନ୍‌ ୩ରେ ଫଳାଫଳ ପ୍ରକାଶ ପାଇବ ।