spot_img
Home Blog Page 4343

ଆଜି ସାବିତ୍ରୀ ଅମାବାସ୍ୟା, ସ୍ୱାମୀଙ୍କ ଦୀର୍ଘାୟୁ ମନାସୀ ବ୍ରତ ପାଳୁଛନ୍ତି ସଧବା

ଭୁବନେଶ୍ୱର: ଆଜି ସାବିତ୍ରୀ ଅମାବାସ୍ୟା । ସ୍ୱାମୀଙ୍କ ମଙ୍ଗଳ ମନାସୀ ବ୍ରତ ପାଳୁଛନ୍ତି ସଧବା । ଯମରାଜଙ୍କ ପଛରେ ଯାଇ ସ୍ୱାମୀ ସତ୍ୟବାନଙ୍କ ଜୀବନ ଫେରାଇ ଆଣିଥିଲେ ସାବିତ୍ରୀ । ହିନ୍ଦୁ ଶାସ୍ତ୍ରର ସେହି ପୌରାଣିକ କଥାକୁ ମନେ ପକାଇ ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ପୂଜା କରୁଛନ୍ତି ବିବାହିତା ମହିଳାମାନେ । ସକାଳୁ ସକାଳୁ ନୂଆ ଶାଢୀ, ଶଙ୍ଖା, ସିନ୍ଦୁର, ଅଳତା ନାଇ ବିଭିନ୍ନ ଫଳ ଓ ଫୁଲରେ ନୈବେଦ୍ୟ ସଜାଡିଛନ୍ତି । ଘରେ ଘରେ ବି ସାବିତ୍ରୀଙ୍କ ପ୍ରତିମା ଗଢି ବ୍ରତ କଥା ଗାଇ ପୂଜା କରୁଛନ୍ତି ସଧବା ନାରୀ ।

ବିଶେଷ କରି ଆମ୍ବ, ପଣସ, ନଡିଆ, ଫୁଟି, କାକୁଡି, ତାଳ, ଖଜୁରୀ ଆଦି ଦେଶୀ ଫଳରେ ପୂଜା କରୁଛନ୍ତି ମହିଳା । ସାବିତ୍ରୀ ପୂଜା ପାଇଁ ବିଭିନ୍ନ ମନ୍ଦିରରେ ସଧବାଙ୍କ ଭିଡ ଦେଖିବାକୁ ମିଳିଛି । ଗତ ଦୁଇବର୍ଷ ଧରି କରୋନା ପାଇଁ କଟକଣାରେ ସାବିତ୍ରୀ ବ୍ରତ ପାଳନ କରାଯାଉଥିଲା । ଭକ୍ତଙ୍କ ପାଇଁ ମନ୍ଦିର ବନ୍ଦ ରହିଥିଲା । କିନ୍ତୁ ଚଳିତବର୍ଷ କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ଭକ୍ତଙ୍କୁ ମନ୍ଦିରରେ ପୂଜା କରିବାର ଅନୁମତି ମିଳିଛି ।

 

ଗଣମାଧ୍ୟମ ପରାମର୍ଶଦାତା ପଦରୁ ଇସ୍ତଫା ଦେଲେ ମାନସ ମଙ୍ଗରାଜ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ପଦରୁ ଇସ୍ତଫା ଦେଇଛନ୍ତି ମାନସ ରଞ୍ଜନ ମଙ୍ଗରାଜ । ରାଜ୍ୟସଭା ପ୍ରାର୍ଥୀ ଭାବେ ମନୋନୀତ ହେବା ପରେ ସେ ଏହି ପଦରୁ ନିଜର ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରିବା ସହ ରାଜ୍ୟପାଳଙ୍କ ନିକଟକୁ ପଠାଇ ଦେଇଛନ୍ତି । ରାଜ୍ୟପାଳଙ୍କ ଅନୁମୋଦନ ପରେ ମାନସ ମଙ୍ଗରାଜଙ୍କୁ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ପଦରୁ ଦାୟିତ୍ୱମୁକ୍ତ କରାଯାଇଛି ।

ଡେବ୍ୟୁ ସିଜିନରେ ଦମ୍ ଦେଖାଇଲେ ହାର୍ଦ୍ଦିକ ବ୍ରିଗେଡ୍, ପଦାର୍ପଣ ସଂସ୍କରଣରେ ଜିତିଲେ ଟ୍ରଫି

ଅହମଦାବାଦ: ଇଣ୍ଡିଆନ ପ୍ରିମିୟର ଲିଗ୍ ପଦାର୍ପଣ ସିଜିନରେ ପ୍ରଶଂସନୀୟ ପ୍ରଦର୍ଶନ ଦେଖାଇଛି ଗୁଜରାଟ ଟାଇଟନ୍ସ । ଡେବ୍ୟୁ ସିଜିନରେ ଚମତ୍କାର ପ୍ରଦର୍ଶନ କରି ଟ୍ରଫି ହାତେଇଛି ଗୁଜୁରାଟ । ସିଜିନ ଆରମ୍ଭରୁ ଟିମ୍ ଭଲ ପ୍ରଦର୍ଶନ କରୁଥିବା ବେଳେ ଫାଇନାଲ ମ୍ୟାଚରେ କ୍ୟାପଟେନ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଲରାଉଣ୍ଡର ପ୍ରଦର୍ଶନ ବଳରେ ନୂଆ ଚାମ୍ପିୟନ ହୋଇଛି ଗୁଜରାଟ ଟିମ୍ । ଅହମ୍ମଦାବାଦଠାରେ ରବିବାର ଆୟୋଜିତ ଫାଇନାଲ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୭ ଉଇକେଟରେ ହରାଇଛି ଗୁଜରାଟ । ଫଳରେ ୧୪ ବର୍ଷ ପରେ ଫାଇନାଲକୁ ଯାଇଥିବା ରାଜସ୍ଥାନ ଟିମର ଦ୍ୱିତୀୟ ଥର ଚାମ୍ପିୟନ ହେବା ଆଶା ଧୂଳିସାତ ହୋଇଛି ।

ଗତକାଲି ଫାଇନାଲ ମ୍ୟାଚରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଗୁଜରାଟ ଟାଇଟନ୍ସ । ଟସ୍ ହାରି ବ୍ୟାଟିଂ କରିଥିବା ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ୱିକେଟ ହରାଇ ମାତ୍ର ୧୩୦ ରନ କରିବାରେ ସଫଳ ହୋଇଥିଲା । ରାଜସ୍ଥାନ ପକ୍ଷରୁ ଜଶ୍ ବଟଲର ୩୯ ରନ କରିଥିବାବେଳେ ୟଶ୍ୱସୀ ଜୟସ୍ୱାଲ ୨୨ ରନ କରିଥିଲେ । ଗୁଜରାଟ ଟାଇଟନ୍ସ ପକ୍ଷରୁ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୩ଟି ଓ୍ୱିକେଟ ନେଇଥିବାବେଳେ ସାଇ କିଶୋର ୨ଟି ଓ୍ୱିକେଟ ଅକ୍ତିଆର କରିଥିଲେ ।

୧୩୧ ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିବାକୁ ଆସିଥିବା ଗୁଜରାଟ ସହଜରେ ଏହି ମ୍ୟାଚରେ ବିଜୟ ଲାଭ କରିଥିଲା । ଫାଇନାଲ ମ୍ୟାଚକୁ ୭ ଓ୍ୱିକେଟରେ ନିଜ ନାମରେ କରିଥିଲା ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଗୁଜରାଟ । ଗୁଜରାଟ ଟାଇଟନ୍ସ ପକ୍ଷରୁ ଶୁଭମନ ଗିଲ୍ ୪୫ ରନ କରିଥିବାବେଳେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୩୪ ରନ କରିଥିଲେ । ତେବେ ଶେଷରେ ଡେଭିଡ ମିଲର ଦ୍ରୁତ ୩୨ ରନ କରି ଗୁଜରାଟକୁ ଟାଇଟଲ ଭେଟି ଦେଇଥିଲେ ।

୩ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ, ଅପରାହ୍ନରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ନବୀନ

ଭୁବନେଶ୍ୱର: ଆଜିଠୁ ୩ ଦିନିଆ ଦିଲ୍ଲୀ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହି ସମୟରେ ରାଜ୍ୟ ସ୍ୱାର୍ଥ ସମ୍ପର୍କିତ ଅନେକ ପ୍ରସଙ୍ଗରେ ଆଲୋଚନା କରିବେ ନବୀନ । ୩ ଦିନିଆ ଗସ୍ତରେ ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ଏକାଧିକ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ । ବଳକା ଉଷୁନା ଚାଉଳ ଉଠାଇବା ସହିତ ଜିଏସଟି ବକେୟା ଆଦି ପ୍ରସଙ୍ଗରେ ଆଲୋଚନା କରିବେ । ସେହିପରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବଳକା ଆବାସ ଯୋଜନା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇପାରେ । ଏହି ସମୟରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ଛୁରୀରେ ଆକ୍ରମଣ କଲା ଯୁବକ, ଜଣେ ମୃତ

ଦିଗପହଣ୍ଡି: ବଚସାକୁ କେନ୍ଦ୍ର କରି ଦୁଇ ଜଣଙ୍କୁ ଛୁରୀରେ ଆକ୍ରମଣ କଲେ ଯୁବକ । ଜଣେ ମୃତ, ଜଣେ ଗୁରୁତର ।ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ନବରଙ୍ଗପୁର ଗାଁରେ ଘଟିଛି ଘଟଣା । ଆକ୍ରମଣ ପରେ ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ ଏମକେସିଜିକୁ ସ୍ଥାନାନ୍ତର ବେଳେ ଜଣକର ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ବାବୁ ଗୌଡ଼ ହୋଇଥିବା ବେଳେ ଗୁରୁତର ଯୁବକ ଜଣକ ପ୍ରଦୀପ ସାହୁ ବୋଲି ଜଣାପଡିଛି ।

ସୂଚନା ମୁତାବକ କୌଣସି ଏକ କାରଣରୁ ଯୁବକଙ୍କ ମଧ୍ୟରେ ହୋଇଥିଲା ବଚସା  । ପରବର୍ତ୍ତୀ ସମୟରେ ଏହି ସାମାନ୍ୟ ବଚସା ନେଇଥିଲା ସାଙ୍ଘାତିକ ରୂପ  । ଜଣେ ଯୁବକ ଅନ୍ୟ ଦୁଇ ଜଣ ଯୁବକଙ୍କୁ ଏକ ଧାରୁଆ ଛୁରୀରେ ଆକ୍ରମଣ କରିଥିଲେ  ।  ଆକ୍ରମଣ କରିଥିବା ଯୁବକ ଜଣକ ଫେରାର ହୋଇଯାଇଛି । ପୋଲିସ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ବିଦ୍ୟୁତ ଆଘାତରେ ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ, ୫୦ ଲକ୍ଷ କ୍ଷତିପୂରଣ ମାଗିଲେ ପରିବାର

ଝାରସୁଗୁଡା:  ବନ୍ଧବାହାଲ ସ୍ଥିତି ସାପଡାରେ ଅଘଟଣ । ବିଦ୍ୟୁତ ଆଘାତରେ ବିଦ୍ୟୁତ ବିଭାଗର ଜଣେ କର୍ମଚାରୀଙ୍କ ମୃତ୍ୟୁ  ଘଟିଛି । ମୃତ କର୍ମଚାରୀ ଜଣକ ଅଢାପଡ଼ା ଗ୍ରାମର ଜଗଦିଶ ପ୍ରଧାନ । ଏଭି ସ୍ଵିଚ ପରିଚାଳନା ବେଳେ ଜଗଦୀଶଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା । ଚେତାଶୁନ୍ୟ ହୋଇପଡିବା ପରେ ତାଙ୍କୁ ସାଥୀ କର୍ମଚାରୀ ଓ ପରିବାର ଲୋକେ ବେଲପାହାଡ ସ୍ଥିତ ଟିଆଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଜଗଦିଶ ମୃତ୍ୟୁ ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଗୁମାଡେରା ସ୍ଥିତ ଟିଆରଏଲ ଚିକିତ୍ସାଳୟ ସମ୍ମୁଖରେ ଶବ ରଖି ରାସ୍ତା ରୋକ କରିଥିଲେ ଉତ୍ୟକ୍ତ ଲୋକେ । ମୃତକଙ୍କ ପରିବାର ବର୍ଗଙ୍କୁ 50 ଲକ୍ଷ ଟଙ୍କା କ୍ଷତିପୂରଣ ଓ ପରିବାରର ଜଣକୁ ଚାକିରୀ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

ରାଜଧାନୀରେ ବ୍ଲେଡ଼ ମାଡ଼, କଟିଗଲା ବେକର ଭେନ୍

ଭୁବନେଶ୍ୱର: ରାଜଧାନୀରେ ବ୍ଲେଡ଼ ମାଡ଼ । ଦୁଇ ନିସାଡ଼ିଙ୍କ ମଧ୍ୟରେ ମାରପିଟ୍ । ଧଉଳି ଥାନା ଅନ୍ତର୍ଗତ ବିଜୟ ବିହାର ଲେନ୍ 2 ରେ ଘଟିଛି ଘଟଣା । ନୂଆଗାଁ ବୁଢ଼ା ବିଶ୍ବାଳର ବ୍ଲେଡ ମାଡ଼ରେ ସାମନ୍ତରାପୁର ଜଗା ଆହତ ହୋଇଛି । ଜଗା ବେକର ଭେନ୍ କଟିବା ସହିତ ନାକରେ ଗଭୀର କ୍ଷତ ହୋଇଥିବା ଜମା ପଡ଼ିଛି ।

ସେପଟେ ଗୁରୁତର ଭାବେ ଜଗାକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାର ତଦନ୍ତ ଆରମ୍ଭ କରିଛି ଧଉଳି ଥାନା ପୋଲିସ । କେଉଁ କାରଣରୁ ଦୁଇ ଜଣଙ୍କ ମଧ୍ୟରେ ଏଭଳି ସ୍ଥିତି ଉପୁଜିଲା ତାହାର କାରଣ ଖୋଜୁଛି ପୋଲିସ  । ନିଶା କେବଳ ଏମାନେ ସେବନ କରୁଥିଲେ ନା ବିକ୍ରିୟ ଭଳି କାର୍ଯ୍ୟ କରୁଥିଲେ ଏବଂ ଯେଉଁଥିପାଇଁ ବ୍ଲେଡରେ ଆକ୍ରମଣ ହୋଇଛି ତାହାର ମଧ୍ୟ ଅନୁସନ୍ଧାନ କରୁଛି ଧଉଳି ପୋଲିସ  ।

 

ରାଜ୍ୟସଭା ପାଇଁ ବିଜେପି ଘୋଷଣା କଲା ୧୬ ଜଣ ପ୍ରାର୍ଥୀଙ୍କ ନାମ

ନୂଆଦିଲ୍ଲୀ: ରାଜ୍ୟସଭା ନିର୍ବାଚନ ଲାଗି ବିଜେପି ଘୋଷଣା କରିଛି ପ୍ରାର୍ଥୀ ତାଲିକା  । ୧୬ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେପି  । ପ୍ରଥମ ପକ୍ରିୟାରେ ଦଳ ଉତ୍ତର ପ୍ରଦେଶର  ୬ଟି ଆସନ ଲାଗି ଘୋଷଣା କରିଛନ୍ତି ପ୍ରାର୍ଥୀ ତାଲିକା  । ଲକ୍ଷ୍ମୀକାନ୍ତ ବାଜପେୟୀ ଏବଂ ରାଧା ମୋହନ ଅଗ୍ରୱାଲଙ୍କ ସମେତ ୬ ଜଣଙ୍କ ନାମ ଘୋଷଣା କରାଯାଇଛି  । ଦ୍ୱିତୀୟ ତାଲିକାରେ ମହାରାଷ୍ଟ୍ର ଏବଂ ଝାଡଖଣ୍ଡ ର ଗୋଟିଏ ଗୋଟିଏ ଆସନ ପାଇଁ ମଧ୍ୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଦଳ  । ସମୁଦାୟ ୫୭ଟି ସିଟ ପାଇଁ ୧୦ ଜୁନରେ ହେବାକୁ ଯାଉଛି ନିର୍ବାଚନ  ।

ବିଜେପି ମଧ୍ୟପ୍ରଦେଶରୁ କବିତା ପାଟିଦାର, କର୍ଣାଟକରୁ ନିର୍ମଳା ସୀତାରମଣ ଏବଂ ଜଗେଶ, ମହାରାଷ୍ଟ୍ରରୁ ପିୟୁଷ ଗୋୟେଲ ଏବଂ ଡ. ଅନିଲ ସୁଦେବରାଓ, ରାଜସ୍ଥାନରୁ ଘନଶ୍ୟାମ ତିୱାରୀଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି  । ସେହିପରି ଉତ୍ତରପ୍ରଦେଶରୁ ଲକ୍ଷ୍ମୀକାନ୍ତ ବାଜପେୟୀ, ରାଧାମୋହନ ଅଗ୍ରୱାଲ, ସୁରେନ୍ଦ୍ର ସିଂ ନଗର, ବାବୁରାମ ନିଷାଦ, ଦର୍ଶନ ସିଂହ, ସଙ୍ଗୀତା ଯାଦବ, ଉତ୍ତରାଖଣ୍ଡରୁ କଳ୍ପନା ସୈନୀ, ବିହାରରୁ ସତୀଶ ଚନ୍ଦ୍ର ଦୁବେ, ଶମ୍ଭୁ ଶରଣ ପଟେଲ, ଏବଂ ହରିୟାଣାରୁ କୃଷ୍ଣ ଲାଲ ପମ୍ବାରଙ୍କୁ ରାଜ୍ୟସଭା ପଠାଇବେ ନିମନ୍ତେ ଘୋଷଣା କରିଛି ବିଜେପି  ।

କୋଇଲା ସଂକଟ: ଜୁଲାଇରୁ କୋଇଲା ନଯୋଗାଇଲେ ପ୍ଲାଣ୍ଟ୍ ବନ୍ଦ

ନନ୍ଦିଘୋଷ ବ୍ୟୁରୋ: ଘନେଇଲା କୋଇଲା ସଂକଟ। କୋଲ ଇଣ୍ଡିଆ ବିଦେଶରୁ ଆମଦାନୀ କରି କୋଇଲା ନଯୋଗାଇଲେ ଆସନ୍ତା ଜୁଲାଇରୁ ବନ୍ଦ ହୋଇଯିବ ରାଜ୍ୟର ଇସ୍ପାତ, ଆଲୁମିନିୟମ ଓ ପାଓ୍ବାର ପ୍ଲାଣ୍ଟ୍। ଏଭଳି ଉଦବେଗ ପ୍ରକାଶ କରି କେନ୍ଦ୍ର ଶକ୍ତି ମନ୍ତ୍ରାଳୟକୁ ଚିଠି ଲେଖିଛି ଶିଳ୍ପ ସଂଘ । ବିଜେଡି କହିଛି, ବର୍ଷେ ହେଲାଣି ଲାଗି ରହିଛି କୋଇଲା ସଂକଟ। ଓଡ଼ିଶାରୁ ଉତ୍ପାଦନ ହେଉଥିବା କୋଇଲା ବାହାରକୁ ରପ୍ତାନୀ ହେଉଛି। ଅଥଚ ଓଡ଼ିଶାର ଶିଳ୍ପଙ୍କୁ ଆବଶ୍ୟକ ଅନୁସାରେ କୋଇଲା ମିଳୁନି । ସଂକଟ ଦୂର ପାଇଁ କେନ୍ଦ୍ର ସରକାର ବି ଆନ୍ତରିକତା ଦେଖାଉନାହାନ୍ତି।

ସରି ଆସିଲାଣି ଏମଏସ୍ଏମ୍ଇ କୋଇଲା ଷ୍ଟକ୍। ଦୂର ହେଉନି ସଂକଟ। ହେଲେ କେନ୍ଦ୍ର ସରକାର କହୁଛନ୍ତି, ଚିନ୍ତା ନାହିଁ ଗଚ୍ଛିତ ଅଛି ୭୨ମିଲିୟାନ ଟନ୍ କୋଇଲା। ସେପଟେ ବ୍ଲେଣ୍ଡିଂ ଉଦ୍ଦେଶ୍ୟରେ ବିଦେଶରୁ କୋଇଲା ଆମଦାନୀ ପାଇଁ ସବୁ ବିଦ୍ୟୁତ ପ୍ଲାଣ୍ଟ୍କୁ ମେ ୩୧ସୁଦ୍ଧା ଅର୍ଡ଼ର ପ୍ଲେସ କରିବାକୁ କେନ୍ଦ୍ର ଶକ୍ତି ମନ୍ତ୍ରାଳୟ ଜିଦ୍ ଧରିଛି। ନଚେତ୍ ଆବଣ୍ଟିତ କୋଇଲାରୁ ୫ପ୍ରତିଶତ କଟିଯିବ। କୋଇଲା ମନ୍ତ୍ରାଳୟ ଅଭାବ ପୂରଣ କରୁନି। ଶକ୍ତି ମନ୍ତ୍ରାଳୟ ଅଭାବ ପୂରଣ ପାଇଁ ଆମଦାନୀ କରିବାକୁ ବାଧ୍ୟ କରୁଛି, ଯାହାକି ବ୍ୟୟବହୁଳ ।

ରାଜ୍ୟର ଏମ୍ଏସ୍ଏମ୍ଇ ଶିଳ୍ପ ପାଖରେ ଆଉ କୋଇଲା ନାହିଁ। କୋଲ ଇଣ୍ଡିଆ ଜରିଆରେ ବିଦେଶରୁ ଆମଦାନୀ କରି କୋଇଲା ଯୋଗାଇବାକୁ କେନ୍ଦ୍ର କୋଇଲା ମନ୍ତ୍ରାଳୟ ଓ ରେଳ ମନ୍ତ୍ରାଳୟକୁ ଚିଠି ଲେଖିଛି ଶିଳ୍ପ ସଂଘ। ବର୍ଷକୁ ୧୯୪ମିଲିୟନ୍ ଟନ୍ ଆବଶ୍ୟକ। କେନ୍ଦ୍ର ସରକାର ଯୋଗାଇବେ ୧୫୪.୭ ମିଲିୟନ୍ ଟନ୍। ବାକି ୪୨.୫ ମିଲିୟନ୍ ଟନ୍ ଅଭାବ ପଡ଼ିବ। ଯଦି ଏବେଠୁ କୋଇଲା ଯୋଗାଣ କେନ୍ଦ୍ର ସରକାର ସୁନିଶ୍ଚିତ ନକରନ୍ତି, ତାହାଲେ ଜୁଲାଇ ସୁଦ୍ଧା ରାଜ୍ୟର ସ୍ପଞ୍ଜ ଆଇରନ୍, ଆଲୁମିନିୟମ୍, ଛୋଟ ବିଦ୍ୟୁତ୍ ପ୍ଲାଣ୍ଟ୍ଗୁଡ଼ିକ ବନ୍ଦ ହୋଇଯିବ ।

କୋଇଲା ସଂକଟ ଦୂର କରିବାକୁ ବାରମ୍ବାର କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଓଡ଼ିଶାର କୋଇଲା ବାହାରକୁ ରପ୍ତାନୀ ହେଉଛି। ଅନ୍ତରାଷ୍ଟ୍ରୀୟ ବଜାରରେ କୋଇଲା ଦର ଅହେତୁକ ବଢ଼ିଯାଇଛି। ଏପରିକି ବିଦେଶରୁ କୋଇଲା ଆମଦାନୀ କଲେ ଟନ୍ ପିଛା ୩୦ହଜାର ପଡ଼ିଲାଣି। ଋଷ-ୟୁକ୍ରେନ୍ ଯୁଦ୍ଧ ଲାଗି ରହିଥିବାରୁ ସେଠାରୁ କୋଇଲା ଆସିପାରୁନି। ଅନ୍ୟପଟେ ଇଣ୍ଡୋନେସିଆ କୋଇଲା ରପ୍ତାନୀ ବନ୍ଦ କରିଦେଇଛି। ଏଭଳି ସ୍ଥିତିରେ ବିଦେଶରୁ କୋଇଲା ଆମଦାନୀ ଜିଦ୍, ସଂକଟ ଦୂର ନେଇ କେନ୍ଦ୍ରର ଆନ୍ତରିକହୀନତା ଦର୍ଶାଉଛି । ବର୍ଷେ ହେଲାଣି ଦେଶରେ କୋଇଲା ସଂକଟ ଲାଗିରହିଛି। ଉତ୍ପାଦନ ବୃଦ୍ଧି କରି ସମସ୍ୟାର ସମାଧାନ କରିବା ପରିବର୍ତ୍ତେ କେନ୍ଦ୍ର ଆମଦାନୀ କରିବାକୁ ଜିଦ ଧରିବା ଶିଳ୍ପ ବିକାଶ କ୍ଷେତ୍ରରେ କେତେ ସମ୍ଭବ ହେବ ତାକୁ ନେଇ ଉଠିଛି ପ୍ରଶ୍ନ।

ଶେଷ ହେଲା ବ୍ରଜରାଜନଗର ଉପନିର୍ବାଚନ ପ୍ରଚାର, ୩୧କୁ ଅପେକ୍ଷା..

ନନ୍ଦିଘୋଷ ବ୍ୟୁରୋ: ବ୍ରଜରାଜନଗର ଉପନିର୍ବାଚନ ପାଇଁ ଶେଷ ହେଲା ପ୍ରଚାର । ମଇଦାନରେ ଶେଷ ଦିନରେ କସରତ କଲେ ତିନି ପ୍ରମୁଖ ଦଳ । ବିଜେପି ଓ କଂଗ୍ରେସ ଭିନ୍ନ ଭିନ୍ନ ମୁଦ୍ଦାନେଇ ପ୍ରଚାର କରିଥିବାବେଳେ ବିଜେଡିର ଅଳକା ମହାନ୍ତି ଲଖନପୁର ବେଲପାହାଡ ଓ ବ୍ରଜରାଜନଗରରେ ଶେଷ ପ୍ରଚାର କରିଛନ୍ତି । ମହିଳା ବ୍ରିଗେଡକୁ ଧରି ବିକାଶ ମୁଦ୍ଦା କରି ଗ୍ରାଉଣ୍ଡ ଜିରୋରେ ପହଞ୍ଚିଛନ୍ତି ଅଳକା ।

ସରିଲା ପ୍ରଚାର । ଆଉ ଦିନକ ପରେ ବ୍ରଜରାଜନଗର ପାଇଁ ମତଦାନ । ଶେଷ ଦିନରେ ଜୋରସୋରରେ ହେଲା ପ୍ରଚାର । ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି, ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ଓ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ ଘର ଘର ବୁଲି ଭୋଟ ମାଗିଛନ୍ତି । ଜନମତକୁ ନିଜ ଆଡକୁ ନେବା ପାଇଁ ଷ୍ଟାର କ୍ୟାମ୍ପେନର ଜୋରଦାର ପ୍ରୟାସ କରିଛନ୍ତି । ଏସବୁ ଭିତରେ ପ୍ରଚାରରେ ଆଗୁଆ ଅଛନ୍ତି ବିଜେଡିର ଅଳକା ମହାନ୍ତି । ରାଜ୍ୟ ସରକାରଙ୍କ ବିକାଶ ମୁଳକ ଯୋଜନାକୁ ନେଇ ଲୋକଙ୍କୁ ସମର୍ଥନ ଜିତିବାକୁ ଚେଷ୍ଟା କରିଛନ୍ତି । ଗ୍ରାଉଣ୍ଡ ଜିରୋରେ ଭୋଟରଙ୍କ ନିକଟରେ ପହଞ୍ଚିଛନ୍ତି ଅଳକା ।

ଉଭୟ ବିଜେପି ଓ କଂଗ୍ରେସ ମଧ୍ୟ ଶେଷ ଦିନରେ ଗାଁ ଗାଁ ବୁଲି ବିଭିନ୍ନ ମୁଦ୍ଦା ନେଇ ପ୍ରଚାରକୁ ଜୋରଦାର କରିଛନ୍ତି । ବିଜେପି ପ୍ରାର୍ଥୀନି ରାଧାରାଣୀ ପଣ୍ଡା ମଧ୍ୟ ନିଜ ସମର୍ଥକଙ୍କୁ ଧରି ବ୍ରଜରାଜନଗର ଓ ବେଲପାହାଡରେ ପ୍ରଚାର କରିଛନ୍ତି । କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ ବ୍ରଜରାଜନଗର ଅଂଚଳରେ ଶେଷ ପ୍ରଚାର କରିଛନ୍ତି ।  ଆସନ୍ତା ୩୧ରେ ବ୍ରଜରାଜନଗରରେ ମତଦାନ ହେବାକୁ ଥିବା ବେଳେ ଜୁନ୍‌ ୩ରେ ପ୍ରକାଶ ପାଇବ ଫଳ ।