spot_img
Home Blog Page 4349

ସାଇବର ଠକେଇର ଶିକାର ହେଲେ ବୋନି କପୁର; ଲୁଟିନେଲେ ୩ଲକ୍ଷ ୮୨ହଜାର ଟଙ୍କା

ମୁମ୍ୱାଇ: ସାଇବର ଠକେଇର ଶିକାର ହେଲେ ବଲିଉଡ୍ ଫିଲ୍ମ ନିର୍ମାତା ବୋନି କପୁର । ବ୍ୟାଙ୍କ ଆକାଉଣ୍ଟରୁ ଗାଏବ ହୋଇଗଲା ଲକ୍ଷାଧିକ ଟଙ୍କା । ବୋନି କପୁରଙ୍କ ଆକାଉଣ୍ଟରୁ ପ୍ରାୟ ୪ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ସାଇବର ଠକ । ଏ ନେଇ ମୁମ୍ୱାଇ ପୋଲିସ ନିକଟରେ ଅଭିଯୋଗ କରିବା ପରେ ଖବର ସାମ୍ନାକୁ ଆସିଛି । ଅମ୍ୱୋଲି ପୋଲିସରେ ବୁଧବାର ଏ ନେଇ ମାମଲା ରୁଜୁ ହୋଇଛି ।

ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ସ୍ୱାମୀ ତଥା ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ବାପା ବୋନି କପୁରଙ୍କ ଅଭିଯୋଗ ହେଉଛି ଯେ, କେହି ଜଣେ ଦୁର୍ବୃତ୍ତ ତାଙ୍କ କ୍ରେଡିଟ୍‌ କାର୍ଡରୁ  ଟଙ୍କା କାଢ଼ି ନେଇଛନ୍ତି । ପାଞ୍ଚ ଥର ଟ୍ରାଞ୍ଜେକସନ କରି ୩ ଲକ୍ଷ ୮୨ ହଜାର ଟଙ୍କା ଲୁଟି ନେଇଛନ୍ତି । ତାଙ୍କୁ କ୍ରେଡିଟ୍‌ କାର୍ଡ ନେଇ କେହି କୌଣସି ତଥ୍ୟ କିମ୍ୱା ଓଟିପି ମଗାଯାଇନଥିଲା ।

ଟଙ୍କା କଟିବା ସମ୍ପର୍କରେ ଜାଣିବା ପରେ ସେ ବ୍ୟାଙ୍କ ସହିତ ଏ ନେଇ କଥା ହୋଇଥିଲେ । ଏହା ପରେ ସେ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ତେବେ ବୋନି କପୁର କାର୍ଡ ବ୍ୟବହାର କରୁଥିବା ବେଳେ କେହି ଜଣେ ତାଙ୍କ ତଥ୍ୟ ବାହାର କରିଛନ୍ତି । ଏବଂ ପରେ ଏଥିରୁ ଟଙ୍କା ବାହାର କରିଥିବା ପୋଲିସ ସନ୍ଦେହ କରୁଛି । ପ୍ରାଥମିକ ତଦନ୍ତ  ମିଳିଥିବା ତଥ୍ୟ ମୁତାବକ ବୋନି କପୁରଙ୍କ ଆକାଉଣ୍ଟରୁ ଗୁରୁଗ୍ରାମର ଏକ କମ୍ପାନୀର ଆକାଉଣ୍ଟକୁ ଟଙ୍କା ଯାଇଛି । ଏ ନେଇ ଅଧିକ ତଦନ୍ତ ଚାଲିଛି ।

ବଲିଉଡର ଜଣେ ଜଣାଶୁଣା ସିନେ ନିର୍ମାତା ହେଉଛନ୍ତି ବୋନି କପୁର । ସେ ‘ମିଷ୍ଟର ଇଣ୍ଡିଆ’, ‘ନୋ ଏଣ୍ଟ୍ରି’, ‘ଜୁଦାଇ’, ‘ୱାଣ୍ଟେଡ୍‌’ ଓ ‘ମମ୍‌’ ଭଳି ଅନେକ ସୁପରହିଟ୍‌ ଫିଲ୍ମରେ ପ୍ରଯୋଜନା ଦେଇସାରିଛନ୍ତି। ସେ ଶୀଘ୍ର ନିର୍ଦ୍ଦେଶକ ଲଭ୍‌ ରଞ୍ଜନଙ୍କ ତିଆରି ଫିଲ୍ମରେ ନଜର ଆସିବେ। ରଣବୀର କପୁର ଅଭିନୀତ ଏହି ଫିଲ୍ମରେ ତାଙ୍କୁ ବାପା ଭୂମିକାରେ ଦେଖିବାକୁ ମିଳିବ। ଏହା ବୋନିଙ୍କ ଜଣେ ଅଭିନେତା ଭାବେ ବଲିଉଡ ଡେବ୍ୟୁ ଫିଲ୍ମ ହେବ। ଏଥିରେ ଫିମେଲ ଲିଡ୍‌ ଭାବେ ଶ୍ରଦ୍ଧା କପୁର ମଧ୍ୟ ନଜର ଆସିବେ ।

ଏଥିସହିତ ପଢ଼ନ୍ତୁ: ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ଭୁଶୁଡ଼ିଲା କୋଠା; ୩ବର୍ଷର ଶିଶୁ ସମେତ ୪ମୃତ

୨୭ ବର୍ଷ ପରେ ଥାଳିରୁ ଉଭାନ ହୋଇଯିବ ରୁଟି

ନୂଆଦିଲ୍ଲୀ: ଆପଣ ଖାଉଥିବା ରୁଟି ଆଗକୁ ଆଉ ମିଳିବନି । ଆମେ ଏହାର ଫଟୋ ମୋବାଇଲରେ ତ ଦେଖିପାରିବା କିନ୍ତୁ ଖାଇବା ଥାଳିରେ ଦେଖିପାରିବାନି । ସେତେବେଳେ ଆପଣଙ୍କ ପାଖରେ ବ୍ୟାଙ୍କ ବାଲାନ୍ସ ଥିବ ହେଲେ ଖାଇବାକୁ ରୁଟି ନଥିବ ।

ଏ କଥା ଆମେ କହୁନୁ ସାମାଜିକ ଏବଂ ଆର୍ଥିକ କାରବାର ଉପରେ ନଜର ରଖିୁଥିବା ସଂସ୍ଥା, ‘ଦ ଓ୍ବାଲଡ କାଉଣ୍ଟ’ର ଏକ ରିପୋର୍ଟ ପୂରା ଦୁନିଆକୁ ଚକିତ କରିଦେଇଛି । ‘ଦ ଓ୍ବାଲଡ କାଉଣ୍ଟ’ ନିଜ ଓ୍ବେବସାଇଟରେ ଏହାର ଓଲଟା ଗଣତି ବି ଆରମ୍ଭ କରିଦେଇଛି । ଏଥିରେ ଦେଖାଯାଉଛି ୨୭ ବର୍ଷ ପରେ ବିଶ୍ବରେ ଘୋର ଖାଦ୍ୟ ସଂକଟ ଦେଖାଯିବ । ସେତେବେଳେ ଆପଣଙ୍କ ଥାଳିରୁ ଉଭାନ ହୋଇଯିବ ରୁଟି ।

ହେଲେ ଏହା କେମିତି ସମ୍ଭବ ହେବ? ଆପଣ ଭାବୁଥିବେ ପ୍ରତିବର୍ଷ ତ ଚାଷ ହେଉଛି । ଫସଲ ବି ଅମଳ ହେଉଛି । ଖାଦ୍ୟ ସରିଯିବ କିପରି?

ତାହାଲେ ଜାଣନ୍ତୁ …

‘ଦ ଓ୍ବାଲଡ କାଉଣ୍ଟ’ ଅନୁସାରେ ୨୦୫୦ ବର୍ଷ ବେଳକୁ ପୃଥିବୀରେ ଜନସଂଖ୍ୟା ହଜାରେ କରୋଡରୁ ଅଧିକ ହୋଇଯାଇଥିବ । ସେତେବେଳେ ୭୦ ପ୍ରତିଶତ ଅଧିକା ଖାଦ୍ୟର ଡିମାଣ୍ଡ ବଢ଼ିଯିବ । କିନ୍ତୁ ଆପଣ ଏହା ଜାଣି ଚିନ୍ତାରେ ପଡ଼ିବେ ଯେ, ଗତ ୪୦ ବର୍ଷରେ ୩ ଭାଗରୁ ଏକ ଭାଗ ମାଟି ଶସ୍ୟ ଉତ୍ପାଦନ କରିବା ସାମର୍ଥ୍ୟ ହରାଇବସିଛି । ଆଗାମୀ ୪୦ ବର୍ଷରେ ଜନସଂଖ୍ୟା ଦୃଷ୍ଟିରୁ ଆମକୁ ଏତେ ଶସ୍ୟ ଉତ୍ପାଦନ କରିବାକୁ ପଡ଼ିବ ଯାହା ଗତ ୮ ହଜାର ବର୍ଷରେ କେବେ ହୋଇନି । ୨୦୫୦ ବେଳକୁ ପୃଥିବୀରେ ଶସ୍ୟ ଉତ୍ପାଦନ ଯୋଗ୍ୟ ମାଟି ହିଁ ନଥିବ ଯାହାଦ୍ବାରା ଆମେ ଫସଲ ଉତ୍ପାଦନ କରିପାରିବା ।

ଶସ୍ୟ ସଂକଟ ୨୦୩୦ ପରଠୁ ଦେଖାଯିବ । ସେତେବେଳେ ଚାଉଳ ୧୩୦ ପ୍ରତିଶତ ଏବଂ ମକା ୧୮୦ ପ୍ରତିଶତ ମହଙ୍ଗା ହୋଇଯାଇଥିବ । ସେତେବେଳେ ଶସ୍ୟ ଉତ୍ପାଦନ କରିବାକୁ ୨ଟି ପୃଥିବୀର ଆବଶ୍ୟକତା ପଡ଼ିବ । ଯଦି ସେତେବେଳେ ମଙ୍ଗଳ ଗ୍ରହରେ ପାଣି ଏବଂ ଚାଷ ଉପଯୋଗୀ ଜମି ଖୋଜା ଯାଇନଥିବ ତାହାଲେ ପୃଥିବୀ ଶସ୍ୟ ଉତ୍ପାଦନ ନେଇ ସରେଣ୍ଡର କରିପାରେ ।

‘ଆର୍ଥିକ ପରିଚାଳନା ବେଳେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ନିଅ’

ଭୁବନେଶ୍ବର: ଦରଦାମ ବୃଦ୍ଧି ଦେଶରେ ବିକଟ ପରିସ୍ଥିତି ସୃଷ୍ଟି କରିଛି । ଶାଗଠାରୁ ମୁଗ ସବୁ ସାମଗ୍ରୀର ଦର ଆକାଶ ଛୁଆଁ । ଟଙ୍କା ୫୦୦ରେ ବି ପୁରୁନି ପରିବା ବ୍ୟାଗ୍ । ରାସନ୍ ସାମଗ୍ରୀ ଦର ଆକାଶ ଛୁଆଁ । ସାମାଗ୍ରୀ ମୁଲଚାଲ କଲେ ଦୋକାନୀ ଯେମିତି ତିରିଛା ନଜରରେ ଅନାଉଛନ୍ତି ଲାଗୁଛି ଯେମିତି କହିଦେଇ ଭୁଲ କରିଦେଲେ । ପେଟ୍ରୋଲ, ଡିଜେଲ ଦର ସମାନ୍ୟ କମିଥିଲେ ବି ଏବେ ବି ୧୦୦ ଉପରେ । ତେବେ ଏଥିପାଇଁ ଦାୟୀ କିଏ ? ଏହାର ଗୋଟିଏ ଉତ୍ତର, କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ଆର୍ଥିକ ପରିଚାଳନା । ଯାହାକୁ ନେଇ କେନ୍ଦ୍ର ସରକାରଙ୍କୁ ପୁଣି ଥରେ ଟାର୍ଗେଟ କରିଛନ୍ତି ରାଜ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।

ଦରଦାମ ବୃଦ୍ଧିକୁ ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି ମନ୍ତ୍ରୀ । ଏଥିପାଇଁ କେନ୍ଦ୍ରର ଭୁଲ ଆର୍ଥିକ ପରିଚାଳନାକୁ ଦାୟୀ କରିଛନ୍ତି । ଏହାସହ ଯେକୌଣସି ନିଷ୍ପତ୍ତି ନେବା ଆଗରୁ ରାଜ୍ୟ ସହ ଆଲୋଚନା କରିବା ଉଚିତ ବୋଲି ସେ କହିଛନ୍ତି । ଆର୍ଥିକ ପରିଚାଳନା ନେଇ କେନ୍ଦ୍ର କୌଣସି ନିଷ୍ପତ୍ତି ନେବା ବେଳେ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବା ଉପରେ ସେ ଗୁରୁତ୍ବ ଦେଇଛନ୍ତି ।

ସେପଟେ ଦରଦାମ୍ ବୃଦ୍ଧି ନେଇ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା । ସାଧାରଣ ଲୋକ ଦରଦାମ୍ ବୃଦ୍ଧିରେ ଅତିଷ୍ଠ ହେଲେଣି l ପେଟ୍ରୋଲ ଡିଜେଲଠାରୁ ଆରମ୍ଭ କରି ଅତ୍ୟାବଶ୍ୟକ ଜିନିଷ ମୂଲ୍ୟ ବୃଦ୍ଧି ଲୋକଙ୍କ ପକେଟକୁ ବାଧୁଛି ।

ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ଭୁଶୁଡ଼ିଲା କୋଠା; ୩ବର୍ଷର ଶିଶୁ ସମେତ ୪ମୃତ

ଅମରାବତୀ: ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲ୍ଲାରେ ବଡ଼ ଅଘଟଣ । ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ଗଲା ୪ ଜୀବନ । ମୃତକଙ୍କ ମଧ୍ୟରେ ରହିଛି ୩ ବର୍ଷର ଶିଶୁ । ଏହା ସହିତ ଆଉ ୨ଜଣ ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ମେଡିକାଲ ଭର୍ତ୍ତି କରାଯାଇଛି । ମୁଲ୍ଲାକେଡୁ ଗାଁରେ ଘଟିଛି ବିସ୍ଫୋରଣ ଘଟଣା । ବିସ୍ଫୋରଣ ଏତେ ଜୋରରେ ହୋଇଥିଲା ଯେ, ପଡ଼ୋଶୀ ଲୋକଙ୍କ ଘର ମଧ୍ୟ ଭାଙ୍ଗି ଯାଇଛି ।

ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିଛି । ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହ ରିଲିଫ୍ କାର୍ଯ୍ୟ ମଧ୍ୟ ଆରମ୍ଭ କରିଛି । ତେବେ ମୃତକ ମାନେ ହେଲେ ଜାନବୀ (୬୦)  ଦାଦୁ (୩୬) ସାରଫୁନ୍ନି (୨୮) ।

ଘଟଣାନୁଯାୟୀ, ଆଜି ସକାଳେ ହଠାତ୍‌ ଘରେ ମଧ୍ୟରେ ଥିବା ଗୋଟିଏ ରୋଷେୟ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା। ଏହା ଏତେ ଭୟଙ୍କର ଥିଲା ଯେ ବିଲ୍ଡିଂ କିଛି ଅଂଶ ଭୁଶୁଡ଼ି ପଡ଼ିଥିଲେ। ସେହିପରି ଅଘଟଣ ଘଟିଥିବା କୋଠାକୁ ଲାଗି ରହିଥିବା ୨ପାଖର କୋଠା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଅଘଟଣ ପରେ ସ୍ଥାନୀୟ ଲୋକେ କୋଠା ତଳେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ। ହେଲେ ସେତେବେଳକୁ ୪ ଜଣଙ୍କ ମୃତ୍ୟୁ ହୋଇ ସାରିଥିଲେ। ତଥାପି ଉଦ୍ଧାରକାରୀ ଦଳ ବିସ୍ଫୋରଣ ଯୋଗୁ ପୋଡ଼ି ହୋଇଯାଇଥିବା ୨ ଜଣଙ୍କୁ ତୁରନ୍ତ ଜୀବନ୍ତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ।

ଏଥିସହିତ ପଢ଼ନ୍ତୁ: ମୃତ ଛୁଆକୁ ଶୁଣ୍ଢରେ ଧରି ବୁଲୁଛି ମାଆ ହାତୀ

ବନ୍ଧୁକ ମୁନରେ ମଦ ଦୋକାନରୁ ଲୁଟ୍

କେନ୍ଦୁଝର: ବିଦେଶୀ ମଦ ଦୋକାନରେ ବୁଲିଲା କଳାକନା । ବନ୍ଧୁକ ମୁନରେ ଲୁଟି ନେଲେ ଏକ ଲକ୍ଷ ୫୬ ହଜାର ଟଙ୍କା । ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ନାରଦପୁରରେ । ଦୁଇଟି ବାଇକରେ ୫ ଦୁର୍ବୃତ୍ତ ଆସି ଏଠାରେ ଥିବା ମଦ ଦୋକାନରୁ ଲୁଟ କରିଛନ୍ତି । ଖବର ପାଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ, ଗତକାଲି ରାତି ୧୦ ଟାରେ ୨ଟି ବାଇକରେ ୫ ଜଣ ଦୁର୍ବୃତ୍ତ ମଦ ଦୋକାନରେ ପହଞ୍ଚିଥିଲେ । ଜଣେ ବାହାରେ ଥିବା ବେଳେ, ଅନ୍ୟ ୪ ଜଣ ମଦ ଦୋକାନ ଭିତରେ ପଶି ବନ୍ଧୁକ ଦେଖାଇ ଭୟଭୀତ କରିବା ସହ କର୍ମଚାରୀଙ୍କୁ ମାରପିଟ୍ କରି ୧ ଲକ୍ଷ ୫୬ ହଜାର ଟଙ୍କା ନେଇ ଯାଇଥିଲେ । ଏଥିସହ ଜଣେ କର୍ମଚାରୀଙ୍କ ମୋବାଇଲ୍ ମଧ୍ୟ ନେଇ ଯାଇଥିଲେ । ଯିବା ସମୟରେ ଦୁର୍ବୃତ୍ତମାନେ ସିସିଟିଭି କ୍ୟାମେରାର ତାର ଛିଡ଼ାଇ ଫେରାର୍ ହୋଇଯାଇ ଥିବା ସୂଚନା ମିଳିଛି ।

ସାପ କାମୁଡାରେ ନନ୍ଦନକାନନ ସିଂହୀର ମୃତ୍ୟୁ

ଭୁବନେଶ୍ବର: ସାପ କାମୁଡିବାରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଫ୍ରିକୀୟ ସିଂହୀ ଗଙ୍ଗାର ମୃତ୍ୟୁ । ମୃତ୍ୟୁ ବେଳକୁ ସିଂହୀକୁ ୧୫ ବର୍ଷ ହୋଇଥିଲା । ଏବେ ନନ୍ଦନକାନନରେ ସିଂହ ସଂଖ୍ୟା ୧୬କୁ ହ୍ରାସ ପାଇଛି । ସିଂହ ଖୁଆଡ଼ ୨୯ (ଖ)ରେ ରହୁଥିଲା ଏହି ସିଂହୀ । ବିଷାକ୍ତ ରଣା ସାପ କାମୁଡ଼ାରେ ସିଂହୀର ମୃତ୍ୟୁ ଘଟିଛି । ୨୦୧୫ରେ ସିଂହୀକୁ ଇସ୍ରାଏଲରୁ ଅଣାଯାଇଥିଲା ।

ସିଂହୀ ଖୁଆଡରୁ ଏକ ବିଷଧର ସାପ ଦେଖିବାକୁ ମିଳିଥିଲା । ତେବେ ସାପଟି କେମିତି ସିଂହୀ ଖୁଆଡକୁ ଆସିଲା ତାହାର ତଦନ୍ତ କରାଯାଉଛି ।

ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ହାତରୁ ଯିବ ଅସୀମ କ୍ଷମତା

କଲମ୍ବୋ: ଭୋକରେ ପୂରା ଶ୍ରୀଲଙ୍କା ଛଟପଟ ହେଉଥିବା ବେଳେ ଜଳୁଛି ନିଆଁ । ଭୋକ ବିକଳରେ ତ୍ରାହୀ ତ୍ରାହୀ ଡାକୁଛନ୍ତି ଲୋକେ । ସୁନାର ଲଙ୍କା ଆଜି କାଙ୍ଗାଳ । ଏଥିପାଇଁ କେବଳ ଆଉ କେବଳ ଦାୟୀ ଶ୍ରୀଲଙ୍କାର ପରିବାର କେନ୍ଦ୍ରୀକ କ୍ଷମତା ଓ ଭାରତ ବିରୋଧୀ ମନୋଭାବ । ରାଷ୍ଟ୍ରପତିଙ୍କ ଅସୀମ କ୍ଷମତା ତାଙ୍କ ପରିବାରକୁ ଶ୍ରୀଲଙ୍କର ଭାଗ୍ୟ ବିଧାତା କରିଦେବା ସହ ଚୀନ ପ୍ରଲୋଭନରେ ଫସି ଭାରତ ବିରୋଧରେ ଯିବା ଦେଶବାସୀଙ୍କ ପାଇଁ ସଜ୍ଜା ପାଲଟିଛି । ତଥାପି ଭାରତ ପଡୋଶୀ ଶ୍ରୀଲଙ୍କାକୁ ଉଦ୍ଧାର କରିବାକୁ ସହାୟତା ଯୋଗାଇ ଆସୁଛି । ଯେଉଁ କ୍ଷମତା ପାଇଁ ଆଜି ଶ୍ରୀଲଙ୍କାର ଏହି ସ୍ଥିତି, ତାହା କମିବାକୁ ଯାଉଛି ।

ଏବେ ରାଷ୍ଟ୍ରପତି ହାତରେ ଥିବା ଅସୀମ କ୍ଷମତା କମିବ । ଏଥିପାଇଁ ସମ୍ବିଧାନରେ କରାଯିବ ସଂଶୋଧନ । ଏନେଇ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେଙ୍କୁ ଭେଟିଛନ୍ତି ଶ୍ରୀଲଙ୍କାର ଅଧିକାଂଶ ଦଳର ନେତା । ୨୧ତମ ସମ୍ବିଧାନ ସଂଶୋଧନ ଜରିଆରେ ଏହି ପ୍ରସ୍ତାବ କାର୍ଯ୍ୟକାରୀ କରିବାକୁ ପ୍ରଧାନମନ୍ତ୍ରୀ ମଧ୍ୟ ସହମତି ପ୍ରକାଶ କରିଥିବା ଜଣାପଡିଛି ।

ସୂଚନାଯୋଗ୍ୟ, ୨୦ତମ ସମ୍ବିଧାନ ସଂଶୋଧନ ଜରିଆରେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ନିଜ ହାତରେ ବିପୁଳ କ୍ଷମତା ଠୁଳ କରିବାରେ ସକ୍ଷମ ହୋଇଥିଲେ । ମାତ୍ର ୨୧ତମ ସଂଶୋଧନ ହେବା ପରେ ତାଙ୍କ କ୍ଷମତା ହ୍ରାସ ପାଇବ । ଅଧିକାଂଶ ଦଳର ଦାବି ପରେ ସରକାର ବାଧ୍ୟ ହୋଇ ଏହି ସଂଶୋଧନ ଆଣିବା ନିଶ୍ଚିତ ହୋଇଛି । ଏହି ପ୍ରସଙ୍ଗରେ ଆସନ୍ତା ଜୁନ ୩ ତାରିଖରେ ଚୂଡ଼ାନ୍ତ ବୈଠକ ବସିବ । ସମ୍ବିଧାନ ସଂଶୋଧନ ପ୍ରସଙ୍ଗରେ କ୍ଷେତ୍ର ପ୍ରସ୍ତୁତ କରିବା ଲାଗି ଆଇନମନ୍ତ୍ରୀ ଓ୍ବିଜଦାସା ରାଜପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଗତ ମେ’ ୧୨ ତାରିଖରେ ପ୍ରଧାନମନ୍ତ୍ରୀ ଭାବେ ରାନିଲ ଦାୟିତ୍ବ ନେବା ପରେ ଏହି ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଥିଲା । ଦେଶରେ ଦେଖା ଦେଇଥିବା ଅଶାନ୍ତି ପରିପ୍ରେକ୍ଷୀରେ ସମ୍ବିଧାନ ସଂଶୋଧନ ଲାଗି ଆନ୍ଦୋଳନକାରୀ ଦାବି କରି ଆସୁଛନ୍ତି । ସେପଟେ ଦୁର୍ଦ୍ଦିନ କାଳରେ ଭାରତର ସହାୟତାକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ରାନିଲ ।

କଟକ ଗୁପଚୁପ ଖାଉଛନ୍ତି କି, ସାବଧାନ !

କଟକ: ନକଲି ହେଉ କି ଦୂଷିତ ଖାଦ୍ୟ, କଥା ଉଠିଲେ ଆଗ ଆସେ କଟକର ନାଁ । ପାଣି ହେଉ କି ତେଲ, ମସଲା ହେଉ କି ଘିଅ, ଏମିତି କି ସିମେଣ୍ଟ ପର୍ଯ୍ୟନ୍ତ ନକଲି ଆକୁ ନକଲି । ସେହିପରି ଦୂଷିତ ଖାଦ୍ୟ ବିକ୍ରିରେ ବି ଆଗରେ କହିଲେ ଭୁଲ ହେବ ନାହିଁ । ଏଠି ନକଲି ସହ ଦୂଷିତ ଖାଦ୍ୟ କଟକବାସୀଙ୍କ ଚିନ୍ତା ବଢାଉଛି । ଖାଲି ସାଧାରଣ ଲୋକ ନୁହଁନ୍ତି, ଏମିତି ଦୋ-ନମ୍ବରୀ କାମ ପ୍ରଶାସନ ପାଇଁ ବି ମୁଣ୍ଡବିନ୍ଧାର କାରଣ ପାଲଟିଛି । ଦୂଷିତ ପରିବେଶରେ ଗୁପଚୁପ ପ୍ରସ୍ତୁତି ବେଳେ ସିଏମସି ଚଢାଉ କରିଛି । ଶଙ୍କରପୁର ଅଞ୍ଚଳରେ ଥିବା ଗୁପଚୁପ ପଟିରେ ଚଢାଉ କରିଛନ୍ତି ସିଏମସି ସ୍ବାସ୍ଥ୍ୟ ଅଧିକାରୀ ଏବଂ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ସ୍ବତନ୍ତ୍ର ଟିମ୍ ।

ଚଢାଉ ପରେ ଗୁପଚୁପ ପଟି ଅଞ୍ଚଳ ଏକ ପ୍ରକାର ଜନଶୂନ୍ୟ ହୋଇଯାଇଛି । ବହୁ ଲୋକ ନିଜ ଝୁମ୍ପୁଡି ଛାଡି କେଉଁ ଆଡେ ଚାଲିଯାଇଛନ୍ତି । କିଛି ଝୁମ୍ପୁଡିରେ କେବଳ ମହିଳାଙ୍କୁ ଦେଖିବାକୁ ମିଳୁଛି । ଚଢାଉ ବେଳେ ଗୁପଚୁପ ଗୁଡିକ ତଳେ ପଟିରେ ଥୁଆ ହୋଇଥିବା ବେଳେ ଏହା ଉପରେ ଜରି ଢଙ୍କା ଯାଇଥିବା ଦେଖିବାକୁ ମିଳିଥିଲା । ଯାଞ୍ଚ ପରେ ପ୍ରସ୍ତୁତ ଗୁପଚୁପ, ନିମ୍ନମାନର ଜଣାପଡିବା ପରେ ସିଏମସି କର୍ମଚାରୀ ଏହାକୁ ଗାଡିରେ ଭରି ନେଇ ଯାଇଛନ୍ତି ।

ଗୁରୁତ୍ବପୂର୍ଣ୍ଣ କଥା ହେଲା ଗୁପଚୁପ ପଟିରେ ରହୁଥିବା ଲୋକେ କଟକ ସହରରେ ପ୍ରାୟ ସବୁ ଗଳିକନ୍ଦିରେ ବୁଲି ବେପାର କରିଥାନ୍ତି । ଏଠାରେ ରହୁଥିବା ଅଧିକାଂଶ ଲୋକ ଅଣ ଓଡ଼ିଆ । ବାହାର ରାଜ୍ୟରୁ ଆସି ବସ୍ତିରେ ରହି ଗୁପଚୁପ ବେପାର କରିଥାନ୍ତି । ପ୍ରଶାସନିକ ଅଧିକାରୀଙ୍କ ପକ୍ଷରୁ ଗୁପଚୁପର ମାନ ପରୀକ୍ଷା ସମୟେ ସମୟେ ହେଉ ନଥିବାରୁ ଏମାନେ ମନଇଚ୍ଛା ନିମ୍ନମାନର ଦୂଷିତ ଗୁପଚୁପ ପ୍ରସ୍ତୁତ କରି ବିକ୍ରି କରୁଥିବା ଅଭିଯୋଗ ହେଉଛି ।

ମୃତ ଛୁଆକୁ ଶୁଣ୍ଢରେ ଧରି ବୁଲୁଛି ମାଆ ହାତୀ

କୋଲକାତା: ମାଆ ପାଇଁ ନିଜ ପିଲା କେତେ ପ୍ରିୟ ସବୁ ଜାଣନ୍ତି । ଆମ ଭଳି ମଣିଷ ହେଉ କି କୌଣସି ଜୀବ, ନିଜ ଛୁଆ ପାଇଁ ବଡରୁ ବଡ ବିପଦ ଆଗରେ ଛିଡା ହୋଇଯାଇଥାନ୍ତି । ଏମିତି ବି ହୋଇଛି ପିଲାର ମୃତ୍ୟୁ ପରେ ବି ମାଆ ତା’ର ମୃତଦେହ ଛାଡି ନଯିବାର ବହୁ ଉଦାହରଣ ରହିଛି । ଏମିତି କିଛି ଦେଖିବାକୁ ମିଳିଛି ପଶ୍ଚିମବଙ୍ଗରେ । ଏକ ହାତୀ ନିଜ ମଲା ଛୁଆକୁ ଶୁଣ୍ଢରେ ଧରି ପ୍ରାୟ ଏକ କିମି ଚାଲିବା ନଜରକୁ ଆସିଛି ।

ଘଟଣାଟି ପଶ୍ଚିମବଙ୍ଗ ଜଲପାଇଗୁଡିର । ବାନାର ଘାଟିରେ ଏକ ହାତୀ ନିଜ ମଲା ଛୁଆକୁ ଶୁଣ୍ଢରେ ଟେକି ବୁଲୁଥିବା ଦେଖିବାକୁ ମିଳିଛି । ପିଲାଟିକୁ ଧରି ମାଆ ହାତୀଟି ଘାଟି ଜଙ୍ଗଲରେ ଏଣେ ତେଣେ ବୁଲୁଥିବା ବେଳେ ତାକୁ ଜଗ ରହିଛନ୍ତି ଦଳର ଅନ୍ୟ ୩୫ ହାତୀ । ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଥିଲେ ମଧ୍ୟ ମୃତ ହାତୀ ଛୁଆକୁ ଉଦ୍ଧାର କରିବାକୁ ସକ୍ଷମ ହୋଇପାରିନାହିଁ । ଛୁଆ ବଞ୍ଚିଥିବା ଆଶାରେ ମାଆ ହାତୀ ଓ ଦଳର ଅନ୍ୟ ହାତୀ ତାକୁ ଛାଡି ଯାଉ ନଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି । ମାଆ ହାତୀଟି ଛୁଆକୁ ଛାଡିବାକୁ ନାରାଜ ଥିବାରୁ ବନ କର୍ମଚାରୀ ଉଦ୍ଧାର କରିପାରୁନାହାନ୍ତି ।

ଘଟଣାର ଭିଡିଓ ପଦାକୁ ଆସିବା ପରେ ଯିଏ ଦେଖୁଛନ୍ତି, ସେମାନଙ୍କ ଆଖିରେ ଲୁହ ଆସିଯାଉଛି । ପିଲା ଜୀବିତ ଥାଉ କି ମୃତ, ମାଆର ମମତା ଓ ଭଲ ପାଇବା କେବେ କମିନଥାଏ  । ଯାହାର ଏହା ଏକ ଜ୍ବଳନ୍ତ ଉଦାହରଣ ।

୨୦ ଦେଶକୁ ବ୍ୟାପିଲା ମଙ୍କିପକ୍ସ, ଚିହ୍ନଟ ହେଲେଣି ୨୦୦ରୁ ଅଧିକ ସଂକ୍ରମିତ

ନୂଆଦିଲ୍ଲୀ: ୨୦ ଦେଶକୁ ବ୍ୟାପିଲା ମଙ୍କିପକ୍ସ । ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହେଲେଣି ୨୦୦ରୁ ଅଧିକ ସଂକ୍ରମିତ । ପ୍ରାୟ ୧୦୦ ଜଣ ସନ୍ଦିଗ୍ଧ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ମଙ୍କିପକ୍ସ ଏପରି ଏକ ଭାଇରସ ଯାହାକି ଦନ୍ତଯୁକ୍ତ ପ୍ରାଣୀ ଓ ବାନରଜାତୀୟ ପ୍ରାଣୀଙ୍କ କ୍ଷେତ୍ରରେ ଦେଖାଯାଇଥାଏ । ଏହି ୨୦୦ ସଂକ୍ରମିତଙ୍କ ମଧ୍ୟରୁ ଅଧିକାଂଶ ରୋଗୀ କେନ୍ଦ୍ର ଓ ପଶ୍ଚିମ ଆଫ୍ରିକାର ବୋଲି ବିଶ୍ବବ୍ୟାଙ୍କ କହିଛି । ୧୯୭୦ ଦଶକରେ ପ୍ରଥମ ଥର ଲାଗି କଙ୍ଗୋରେ ଏହି ସଂକ୍ରମଣ ଦେଖାଦେଇଥିଲା । ପରେ ଏହାକୁ ନିର୍ମୂଳ କରାଯାଇଥିଲା ବୋଲି ଘୋଷଣା କରାଯାଇଥିଲା ।

ମାତ୍ର ପ୍ରାୟ ୩ ଦଶନ୍ଧି ପରେ ପୁନର୍ବାର ମଙ୍କିପକ୍ସ ଚିହ୍ନଟ ହୋଇଛି । ତେବେ ମଙ୍କିପକ୍ସ ନିୟନ୍ତ୍ରଣକ୍ଷମ ବୋଲି ବିଶେଷଜ୍ଞ କହିଛନ୍ତି । ତେବେ ମଙ୍କିପକ୍ସ ସଂକ୍ରମଣ ରୋକିବା ଲାଗି ସର୍ଭେଲାନ୍ସ କରାଯିବା ସହ ସତର୍କ ରହିବା ଲାଗି ପରାମର୍ଶ ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ଏହି ସଂକ୍ରମଣ ଏବେ କାମେରନ, କଙ୍ଗୋ ଓ ନାଇଜେରିଆରେ ନିଜର କାୟା ବିସ୍ତାର କରିଛି । ମଙ୍କିପକ୍ସ ବ୍ୟାପିବ ନେଇ ବିଭିନ୍ନ ରାଷ୍ଟ୍ର ପକ୍ଷରୁ ଉଦବେଗ ପ୍ରକାଶ କରାଯାଇଛି ।