spot_img
Home Blog Page 4350

ରାଜନୀତିରେ ସାମିଲ ହୋଇପାରନ୍ତି ପାରଳା ମହାରାଜାଙ୍କ ଆଉ ଜଣେ ଦାୟାଦ

ବ୍ରହ୍ମପୁର: ରାଜନୀତିରେ ସାମିଲ ହୋଇପାରନ୍ତି ପାରଳା ମହାରାଜାଙ୍କ ଆଉ ଜଣେ ଦାୟାଦ ।  ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜକୁମାରୀ ଗଜପତି ନବନୀତା ଦେବୀ । ଦୀର୍ଘ ବର୍ଷ ପରେ ନିଜ ପିତୃପୁରୁଷଙ୍କ ମାଟିରେ ପହଞ୍ଚିବା ପରେ ସହର ପରିକ୍ରମା କରିଥିଲେ ।

ପାରଳାଖେମୁଣ୍ଡିରେ ପହଞ୍ଚି ପ୍ରଥମେ ଜଗନ୍ନାଥ ମନ୍ଦିର ପରିଦର୍ଶନ କରିବା ସହ ତହସିଲ କାର୍ଯ୍ୟାଳୟ ଗସ୍ତ କରି ନିଜର ଉତ୍ତରାଧିକାରୀ ସମ୍ପର୍କରେ ଆଲୋଚନା କରିଥିଲେ । ତେବେ ସୁଯୋଗ ମିଳିଲେ ରାଜନୀତିକୁ ଆସିପାରନ୍ତି ବୋଲି କହିଥିଲେ ରାଜକୁମାରୀ ନବନୀତା ଦେବୀ ।

ପୁଣି ଫେରିଲା ତାତି, ୪୦ ଡିଗ୍ରୀ ଉପରେ ପାରଦ

ଭୁବନେଶ୍ବର: ରାଜ୍ୟକୁ ପୁଣି ଫେରିଛି ତାତି । ବିଭିନ୍ନ ଜିଲ୍ଲାରେ ୪୦ ଡିଗ୍ରୀ ଉପରେ ପାରଦ ରହୁଛି  । ବିଶେଷକରି ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ବାଭାବିକ ଠାରୁ ଉପରମୁହାଁ ହେବାରେ ଲାଗିଛି ପାରଦ । ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ହୀରାକୁଦ, ଟିଟିଲାଗଡ଼, ସୋନପୁରରେ ଅଧିକ ତାପମାତ୍ରା ଅନୁଭୁତ ହେଉଛି ।

ସେପଟେ ଧୀରେ ଧୀରେ ସକ୍ରିୟ ହେଉଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଆସନ୍ତା ଦିନେ କି ୨ଦିନ ମଧ୍ୟରେ କେରଳ ଛୁଇଁବା ସମ୍ଭାବନା ରହିଛି । ମୌସୁମୀ କେରଳ ଛୁଇଁବା ନେଇ ଏବେ ପାଗ ଅନୁକୂଳ ରହିଛି । ଦକ୍ଷିଣ ଆରବସାଗର ଏବଂ ଏହାର ଆଖପାଖରେ ପଶ୍ଚିମା ପବନ ଶକ୍ତିଶାଳୀ ହେଉଛି । ଏହାର ପ୍ରଭାବରେ କେରଳ ଉପକୂଳ ଏବଂ ଦକ୍ଷଣ ଆରବସାଗରରେ ମେଘଖଣ୍ଡ ଠୁଳ ହୋଇଛି । ଏହା ସହ ମୌସୁମୀ ସକ୍ରିୟ ହେବା ପାଇଁ ଆନୁଷଙ୍ଗିକ ପାଣିପାଗ ନିୟାମକ ସହାୟକ ହେଉଛି । ଆଜି ଆରବସାଗର ଏବଂ ଲାକ୍ଷାଦୀପରେ ଦକ୍ଷିଣ ପଶ୍ଚିମ ମୌସୁମୀବାୟୁ ସକ୍ରିୟ ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଋଷ ହାତକୁ ଯାଉଛି ୟୁକ୍ରେନର ଗୋଟିଏ ପରେ ଗୋଟିଏ ଅଞ୍ଚଳ

କିଭ୍: ଋଷ ହାତକୁ ଯାଉଛି ୟୁକ୍ରେନର ଗୋଟିଏ ପରେ ଗୋଟିଏ ଅଞ୍ଚଳ । ପୂର୍ବ ୟୁକ୍ରେନର ରେଲଓ୍ବେ ହବ୍ ଲିମାନକୁ ଋଷ ସମର୍ଥିତ ବିଦ୍ରୋହୀ ସମ୍ପୂର୍ଣ୍ଣ କବଜା କରିବା ପରେ ଏବେ ସିଭିରୋଡୋନେସ୍କ ସହରକୁ ଘେରାବନ୍ଦୀ କରିଛନ୍ତି ଋଷ ସୈନ୍ୟ ।

ସହରର ଚାରିପଟୁ ଗୋଳବର୍ଷଣ ସହ ଏୟାରଷ୍ଟ୍ରାଇକ ଜାରି ରହିଛି । ଲିମାନକୁ ୟୁକ୍ରେନ ହାତଛଡ଼ା କରିଛି ବୋଲି ବିଧିବଦ୍ଧ ଘୋଷଣା କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତିଙ୍କ ପରାମର୍ଶଦାତା ଓଲେକସି ଆରସ୍ତୋଭିଚ । ସମଗ୍ର ପୂର୍ବ ୟୁକ୍ରେନର ଅଧିକାଂଶ ଅଞ୍ଚଳରେ ଋଷ ସୈନ୍ୟ ଆଧିପତ୍ୟ ବିସ୍ତାର କରିବାରେ ଲାଗିଛନ୍ତି ।

ଋଷ ସୈନ୍ୟ ସିଭିରୋ ଡୋନେସ୍କ ଓ ଲିସିକାନସ୍କରେ ନିଜର ପ୍ରାଧାନ୍ୟ ବିସ୍ତାର କରିବାରେ ଲାଗିଛନ୍ତି । ସିଭିରୋ ଡୋନେସ୍କ ମେୟର କହିଛନ୍ତି, ସହରର ୯୦ ପ୍ରତିଶତ କୋଠା ଧ୍ବଂସ ହୋଇଗଲାଣି । କେବଳ ଏହି ସହରରେ ୧୫ଶହରୁ ଅଧିକ ଲୋକ ପ୍ରାଣ ହରାଇଲେଣି ବୋଲି ସେ କହିଛନ୍ତି । ଗତ ଫେବ୍ରୁଆରୀରେ ସହରର ଲୋକସଂଖ୍ୟା ୧ ଲକ୍ଷ ଥିବା ବେଳେ, ବର୍ତ୍ତମାନ ମାତ୍ର ୧୨ ହଜାର ଲୋକ ରହିଥିବା ସେ କହିଛନ୍ତି । ପାଶ୍ଚାତ୍ୟ ରାଷ୍ଟ୍ରରୁ ଅସ୍ତ୍ର ଆସିବାରେ ବିଳମ୍ବର ସୁଯୋଗ ଋଷ ନେଉଛି ବୋଲି ୟୁକ୍ରେନ ପକ୍ଷରୁ କୁହାଯାଇଛି ।

ଯୁଦ୍ଧକୁ ଅଧିକ ଶକ୍ତିଶାଳୀ କରିବା ଲାଗି ଋଷ ଆଉ ୧୨ ବାଟାଲିୟନ ସୈନ୍ୟ ମୁତୟନ କରିଛି । ସେପଟେ ବ୍ରିଟେନ ବୈଦେଶିକ ମନ୍ତ୍ରୀ ଲିଜ ଟ୍ରସ କହିଛନ୍ତି, ମସ୍କୋ ସହ କୌଣସି ପ୍ରକାର କଥାବାର୍ତ୍ତା କରାଯିବ ନାହି । ଏହି ଯୁଦ୍ଧରେ ୟୁକ୍ରେନର ବିଜୟ ହେବ ।

ଆଗକୁ ଆସିପାରେ ଅଧିକ ସୁପରସାଇକ୍ଲୋନ, ଭାରତରେ ପଡ଼ିବ ଗଭୀର ପ୍ରଭାବ

ଭୁବନେଶ୍ବର: ଆଗକୁ ଆସିପାରେ ଅଧିକ ସୁପରସାଇକ୍ଲୋନ । ବିଶ୍ବ ତାପାୟନ ଓ ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ଗଭୀର ପ୍ରଭାବର ସମ୍ମୁଖୀନ ହେବ ଭାରତ । ଦେଶରେ ପ୍ରଳୟଙ୍କାରୀ ବାତ୍ୟାର ତାଣ୍ଡବ ବଢ଼ିପାରେ ବୋଲି ଚେତାବନୀ ଦେଇଛନ୍ତି ଗବେଷକ । ୨୦୨୦ରେ ଆସିଥିବା ସୁପରସାଇକ୍ଲୋନ ଅମ୍ଫନକୁ ଗବେଷଣା କରି ଏହି ତଥ୍ୟ ଜାରି କରିଛନ୍ତି ବ୍ରିଟେନର ବ୍ରିଷ୍ଟଲ ବିଶ୍ବବିଦ୍ୟାଳୟର ଗବେଷକ ।

ସାରା ଦକ୍ଷିଣ ଏସିଆରେ ତାଣ୍ଡବ ରଚିଥିବା ଅମ୍ଫନ ସବୁଠାରୁ ଅଧିକ କ୍ଷତି ଘଟାଇଥିଲା । ଜଳବାୟୁ ପରିବର୍ତ୍ତନ ଯୋଗୁ ସମୁଦ୍ର ପତ୍ତନ ବଢିବ ବୋଲି ସେମାନେ ସତର୍କ କରାଇଛନ୍ତି । କ୍ଲାଇମେଟ ରେଜିଲିନସ ଆଣ୍ଡ ସଷ୍ଟେନବିଲିଟି ଜର୍ଣ୍ଣାଲରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ବର୍ତ୍ତମାନ ଯେପରି ଗ୍ରୀନହାଉସ ଗ୍ୟାସ ନିର୍ଗତ ଘଟୁଛି ସେହି ଅନୁପାତ ଯଦି ଜାରି ରହେ ତେବେ ଭାରତ ଜନସଂଖ୍ୟାର ଅଢେଇ ଗୁଣ ଅର୍ଥାତ ବିଶ୍ବର ପ୍ରାୟ ୩୦୦ କୋଟି ଲୋକ ବନ୍ୟାର ଶିକାର ହେବେ ।

ଦକ୍ଷିଣ ଏସିଆ ସାଧାରଣତଃ ଜଳବାୟୁ ପରିବର୍ତ୍ତନର ସବୁଠାରୁ ସ୍ପର୍ଶକାତର ଇଲାକା, ଯେଉଁଥିରେ ସୁପରସାଇକ୍ଲୋନ ବାରମ୍ବାର ପରିଲକ୍ଷିତ ହୋଇଆସିଛି । ବିଶ୍ବ ତାପାୟନ ୨ ଡିଗ୍ରୀରୁ ୧ ଦଶମିକ ୫ ଡିଗ୍ରୀକୁ ହ୍ରାସ କରିବା ଲାଗି ଘୋଷଣାନାମା ଜାରି  ହୋଇଥିଲେ ମଧ୍ୟ ତାହା ସଠିକ କାର୍ଯ୍ୟକାରୀ ହୋଇପାରୁନାହିଁ । ଉଭୟ ବାଂଲାଦେଶ ଓ ଭାରତରେ ଏହି ପରିବର୍ତ୍ତନର ପ୍ରଭାବ ଯଥେଷ୍ଟ ପଡ଼ିବ ଏବଂ ୩ ମିଟରରୁ ଅଧିକ ଉଚ୍ଚତାର ଜୁଆର ମାଡିଆସିପାରେ ବୋଲି ସେମାନେ ସତର୍କ କରାଇଛନ୍ତି ।

ପ୍ରଚାର ପାଇଁ ହାତରେ ଗୋଟିଏ ଦିନ, ଲୋକଙ୍କ ନିକଟରେ ପହଞ୍ଚୁଛି ବିଜେଡି

ବ୍ରଜରାଜନଗର: ବ୍ରଜରାଜନଗର ପ୍ରଚାର ପାଇଁ ହାତରେ ଆଉ ମାତ୍ର ଗୋଟିଏ ଦିନ । ମଇଦାନରେ ଚାଲିଛି ଜୋରଦାର ପ୍ରଚାର  । ଗାଁ ଗାଁରେ ସଭା ଓ ରୋଡ୍ ସୋ କରୁଛନ୍ତି ନେତା ଓ କର୍ମୀ । ବିକାଶର ମୁଦ୍ଦା ନେଇ ଲୋକଙ୍କ ନିକଟରେ ପହଞ୍ଚୁଛି ବିଜେଡି । ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସହ ନେଇ ପ୍ରତି ଭୋଟରଙ୍କ ମନ ଜିଣୁଛି ଶାସକ ଦଳ। ବରିଷ୍ଠ ନେତାଙ୍କ ସହିତ ମହିଳାମାନେ ମଧ୍ୟ ମଇଦାନରେ କ୍ୟାମ୍ପେନିଂ କରୁଛନ୍ତି ।

ବିଜେଡି ପ୍ରାର୍ଥୀ ଅଳକା ମହାନ୍ତିଙ୍କକୁ ବଡ଼ ବ୍ୟବଧାନରେ ଜିତାଇବା ପାଇଁ ଝାଳବୁହା ପ୍ରଚାର କରୁଛନ୍ତି ନେତା । ସେପଟେ ବିଜେପି ଓ କଂଗ୍ରେସ ମଧ୍ୟ ଜୋରଦାର ପ୍ରଚାର କରୁଛନ୍ତି । ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କ ପାଇଁ ପ୍ରଚାର କରିଛନ୍ତି ଭେlଜପୁରୀ ଅଭିନେତା ଦିନେଶ ଲାଲ ୟାଦବ। ଅତ୍ୟାବଶ୍ୟକୀୟ ସାମଗ୍ରୀ ଓ ତୈଳ ଦରଦାମ୍ ବୃଦ୍ଧି, ବେରୋଜଗାର ଭଳି ପ୍ରସଙ୍ଗ ନେଇ କଂଗ୍ରେସ ଲୋକଙ୍କ ନିକଟରେ ପହଞ୍ଚୁଛି ।

୨୦୨୫ ସୁଦ୍ଧା ଦେଶରେ କୋଇଲା ବଳକା ହେବ

ଭୁବନେଶ୍ୱର: ୨୦୨୫ ସୁଦ୍ଧା ଦେଶରେ କୋଇଲା ବଳକା ହେବ । ଏଥିପାଇଁ ଆଜିଠୁ ପ୍ରସ୍ତୁତି ଦରକାର । ୪୫୦ମିଲିୟନ ଟନ ବାର୍ଷିକ ଉତ୍ପାଦନ ପାଇଁ କୋଲ ବ୍ଲକ ଆବଣ୍ଟନ ହୋଇଛି । ବ୍ଲକ ଚାଲିବା ପାଇଁ ୫ରୁ ୭ବର୍ଷ ଲାଗିବ ବୋଲି କହିଛନ୍ତି ଜେଏସପିଏଲ ଅଧ୍ୟକ୍ଷ ନବୀନ ଜିନ୍ଦଲ । ଜାତୀୟ ଖଣି କଂଗ୍ରେସ ଦ୍ଵାରା ଆୟୋଜିତ କୋଇଲା ବାଷ୍ପୀକରଣ କର୍ମଶାଳାରେ ସେ ଏହା କହିଛନ୍ତି । ଅନୁଗୁଳ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଓଡ଼ିଶାର ସବୁଠୁ ବଡ଼ ଷ୍ଟିଲ ପ୍ଲାଣ୍ଟ । ଏବେ ଏହାର ୬ ମିଲିୟନ ଟନ ଉତ୍ପାଦନ କ୍ଷମତା ରହିଛି ‌।

ଏହାକୁ ଦୁନିଆର ସବୁଠୁ ବଡ଼ ଷ୍ଟିଲ ପ୍ଲାଣ୍ଟ କରିବାକୁ ଉଦ୍ୟମ କରାଯାଉଥିବା ନେଇ ସୂଚନା ଦେଇଛନ୍ତି ଜିନ୍ଦଲ । ୨୫ମିଲିୟନ ଟନ ଯାଏ ଉତ୍ପାଦନ କ୍ଷମତା ବଢ଼ିବ। ଚାହିଦା ମୁତାବକ କଞ୍ଚାମାଲ୍ ମିଳିବା ଦରକାର। ଏହା ମିଳିଲେ ଆସନ୍ତା ସାତ ଆଠ ବର୍ଷରେ ଅନୁଗୁଳ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଦୁନିଆର ସବୁଠୁ ବଡ଼ ଷ୍ଟିଲ ପ୍ଲାଣ୍ଟ ହେବ ବୋଲି ନବୀନ ଜିନ୍ଦଲ କହିଛନ୍ତି। ସେ ଆହୁରି କହିଛନ୍ତି- ୨୦୧୮-୧୯ରୁ ଆବଣ୍ଟିତ ହୋଇଥିବା କୋଲ ବ୍ଲକ ଅପରେସନ ଆରମ୍ଭ କଲେ କୋଲ ଇଣ୍ଡିଆ ୧ ବିଲିଅନ ଟନ ଉତ୍ପାଦନ କରିପାରିବ ।

ଦେଶରେ କୋଇଲା ଅଭାବ ନାହିଁ। କିନ୍ତୁ ଡିମାଣ୍ଡ ସପ୍ଲାଏର ଅଭାବ ରହିଛି। ବାର୍ଷିକ ଉତ୍ପାଦନର ୫୦ ପ୍ରତିଶତ ବିକ୍ରି କରିବା ପାଇଁ କ୍ୟାପଟିଭ ବ୍ଲକ ଗୁଡ଼ିକୁ କୁହାଯାଇଛି। କର୍ମଶାଳାରେ କୋଇଲା ମନ୍ତ୍ରାଳୟ ଅତିରିକ୍ତ ସଚିବ ଭି.କେ. ତିୱାରୀ କହିଛନ୍ତି – ୪୫୦ ମିଲିୟନ ଟନ ବାର୍ଷିକ ଉତ୍ପାଦନ ପାଇଁ କୋଲ ବ୍ଲକ ଆବଣ୍ଟନ ହୋଇଛି। ହେଲେ ବ୍ଲକ ଚାଲୁ ପାଇଁ ୫ରୁ ୭ ବର୍ଷ ଲାଗିବ। ୨୦୧୮-୧୯ରୁ ଆବଣ୍ଟିତ କୋଲ ବ୍ଲକର ଅପରେସନ ଆରମ୍ଭ ହେଲେ କୋଲ ଇଣ୍ଡିଆ ୧ ବିଲିଅନ ଟନ ଉତ୍ପାଦନ କରିବ । ୨୦୨୬ ସୁଦ୍ଧା କୋଲ ଇଣ୍ଡିଆ ପାଖରେ ୧୪୦୦ ମିଲିୟନ ଟନ କୋଇଲା ରହିବ ।

ସାଇବର ସିକ୍ୟୁରିଟି ଅପରେସନ ସେଣ୍ଟର ଉଦଘାଟିତ

ଭୁବନେଶ୍ୱର:  ଓକାକ୍ ପରିସରରେ ଉଦଘାଟିତ ହୋଇଛି ସାଇବର ସିକ୍ୟୁରିଟି ଅପରେସନ ସେଣ୍ଟର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଇବର ସିକ୍ୟୁରିଟି ଅପରେସନ ସେଣ୍ଟରକୁ ଉଦଘାଟନ କରିଛନ୍ତି। ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ତଥ୍ୟକୁ ହ୍ୟାକରମାନଙ୍କ କବଳରୁ ସୁରକ୍ଷା କରିବା ଲାଗି ଏହି କେନ୍ଦ୍ର ପ୍ରତିଷ୍ଠା ହୋଇଛି । ଷ୍ଟେଟ ଡାଟା ସେଣ୍ଟର, ଷ୍ଟେ ଟଓ୍ବାଇଡ ଏରିଆ ନେଟଓ୍ବର୍କ ଓ ସରିବାଳୟ ନେଟଓ୍ବର୍କର ସମସ୍ତ ଗତିବିଧିକୁ ସାଇବର ସିକ୍ୟୁରିଟି ଅପରେସନ ସେଣ୍ଟର ମାଧ୍ୟମରେ ତଦାରଖ କରାଯାଉଛି ।

ଏହା ଏକ ସ୍ବୟଂସମ୍ପୂର୍ଣ୍ଣ ଭିତ୍ତିଭୂମି ଏବଂ ଭବିଷ୍ୟତରେ ଏଥିରେ ଅନେକ ପ୍ରକାର ସୂଚନା ପ୍ରଯୁକ୍ତି ପ୍ରକଳ୍ପ ଏକୀଭୂତ ହୋଇପାରିବ । ଏଥିରେ ବଗ୍ ବାଉଣ୍ଟି, ସମ୍ଭାବ୍ୟ ବିପତ୍ତିର ସମୟ ଉପଯୋଗୀ ସୂଚନା, ସ୍ବଂୟ ସମ୍ପୂର୍ଣ୍ଣ ମାନର ଭିତ୍ତିଭୂମି ଇତ୍ୟା ବ୍ୟବସ୍ଥା ରହିଛି । କାର୍ଯ୍ୟକ୍ରମରେ ଫାଇଭ- ଟି ସଚିବ ଭି.କେ ପାଣ୍ଡିଆନ, ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା, ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ସମେତ ଓକାକର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ କିଟ୍ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନା ପରୀକ୍ଷା ପାଇଁ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ କିଟ୍ ନିର୍ମାଣର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ବରରେ ଇନଫୋସିଟିରେ ଏହି ଆଣ୍ଟିଜେନ୍ ଟେଷ୍ଟ କିଟ୍ ନିର୍ମାଣର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।

୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଯେ କୌଣସି ଅଞ୍ଚଳରେ ଏହି କିଟ୍ ପହଂଚିପାରିବ । ଓଡିଶା ସ୍ଥିତ ବାୟୋଟେକ୍ କଂପାନି ଇମଜେନେକ୍ସ ଇଣ୍ଡିଆ ଏହି ରାପିଡ୍ ଆଂଟିଜେନ୍ କିଟ୍ ପ୍ରସ୍ତୁତ କରିବ । ପୂର୍ବ ଭାରତରେ ଏହା ପ୍ରଥମ ସ୍ବଦେଶୀ କିଟ୍ । ଏଥିପାଇଁ ଜୁନ୍ ୨୦୨୧ରେ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ଆରଏମ୍‌ଆରସି ପକ୍ଷରୁ ଏଥିପାଇଁ ବୈଷୟିକ ସହାୟତା ଯୋଗାଇ ଦେବା ସହ କିଟ୍‌କୁ ଟେଷ୍ଟିଂ କରାଯାଇଥିଲା ।

କିଟକୁ ଆଇସିଏମ୍‌ଆର ଅନୁମୋଦନ କରିଛି । ଗୋଟିଏ କିଟ୍‌ର ମୂଲ୍ୟ ୫୦ଟଙ୍କା ରହିବ। ବଜାରରେ ମିଳୁଥିବା ଅନ୍ୟ ଟେଷ୍ଟ କିଟ୍‌ ଠାରୁ ଏହା ଶସ୍ତା। ଏଥିସହ ୧୫ ମିନିଟରେ ଟେଷ୍ଟର ରେଜଲ୍ଟ ଆସିଯିବ। ଗୋଟିଏ ବାକ୍ସରେ ୨୫ଟି କିଟ୍ ରହୁଛି । ଓଡ଼ିଶା ବାହାରକୁ ମଧ୍ୟ ଏହାକୁ ପଠାଇବାକୁ ଲକ୍ଷ୍ୟ ରଖିଛି ଇମେଜେନେକ୍ସ ଇଣ୍ଡିଆ । ୨୦୦୪ ମସିହାରେ ଭୁବନେଶ୍ବରରେ ଇମେଜେନେକ୍ସ ପ୍ରତିଷ୍ଠା ହୋଇଥିଲା ।

କଟକରେ ପାଣି ବି ନକଲି, ୪ ହଜାର ବୋତଲ ଜବତ

କଟକ: ହୋଟେଲ ଭିତରେ ମୃଦୁପାନୀୟ କାରଖାନା । ଜଗତପୁର ଅଞ୍ଚଳରେ ସିଏମସି ସ୍ବାସ୍ଥ୍ୟ ବିଭାଗ ଓ କମିଶନରେଟ ପୋଲିସର ମିଳିତ ଚଢ଼ାଉ । କାରଖାନାରୁ 4 ହଜାର ବୋତଲ ମୃଦୁ ପାନୀୟ ସିଜ କରିବା ସହିତ ସ୍ବାସ୍ଥ୍ୟ ବିଭାଗ 4 ଟି ଭିନ୍ନ ଭିନ୍ନ ବ୍ରାଣ୍ଡର ମୃଦୁପନୀୟକୁ ଜବତ କରି ପରୀକ୍ଷା ପାଇଁ ନେଇଛି । କାରଖାନାର ମାଲିକ ଜିତେନ୍ଦ୍ର ସାହୁ ଗତ କିଛିବର୍ଷ ହେବ ଜଗତପୁର ଡିଗି ସାହିରେ ଏହି କାରଖାନା କରିଥିଲେ । ତେବେ ଗତ ଏକମାସ ହେବ ସେ ତରୋଳରେ ଏକ ହୋଟେଲ କଡ଼ରେ ଏହି କାରଖାନା କରିଥିଲେ ।

ମୃଦୁ ପାନୀୟ କରିବାର କୌଣସି ନୀତି ନିୟମ ମାନୁ ନଥିବା ଜଣାପଡିଛି । କାରଖାନାର ପରିବେଶ ମଧ୍ୟ ଅସ୍ବାସ୍ଥ୍ୟକର ବୋଲି ସ୍ୱାସ୍ଥ୍ୟ ଅଧିକାରୀ ଜଣାଇଛନ୍ତି । ଏସବୁ ମୃଦୁ ପାନୀୟ ଜଗତପୁର ସମେତ ଯାଜପୁର, କେନ୍ଦ୍ରାପଡାକୁ ବିକ୍ରି ପାଇଁ ପଠାଯାଉଥିଲା । ବଜ଼ାରରୁ ଚିନି ଆଣି ଏହାକୁ ସିରାରେ ପରିଣତ କରିବା ପରେ କେମିକାଲ ଓ ପାଣି ମିଶାଇ ବଟଲିଂ କରାଯାଉଥିଲା । ଏକ ନାମୀ ବ୍ରାଣ୍ଡକୁ ଅନୁକରଣ କରି ଠିକ ସେହିପରି ଦେଖାଯାଉଥିବା ବୋତଲରେ ପ୍ୟାକିଙ୍ଗ କରାଯାଇ ଏହା ବଜ଼ାରକୁ ଛଡା ଯାଉଥିଲା । ପୋଲିସ କାରଖାନାକୁ ସିଲ୍ କରିବା ସହିତ ଜିତେନ୍ଦ୍ରକୁ ଅଟକ ରଖିଛି ।

ନନ୍ଦନକାନନରେ ରାଜ୍ୟର ପ୍ରଥମ ମଲ୍ଟି ଲେବଲ ପାର୍କିଂ

ଭୁବନେଶ୍ୱର: ଏଣିକି ଭୁବନେଶ୍ବର-ନନ୍ଦନକାନନ ରାସ୍ତାରେ କମିବ ଭିଡ଼। ଦୂର ହେବ ପାର୍କିଂ ଚିନ୍ତା । ଆଜି ନନ୍ଦନକାନନରେ ଉଦଘାଟିତ ହେଲା ରାଜ୍ୟର ପ୍ରଥମ ମଲ୍ଟି ଲେବଲ ପାର୍କିଂ । ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୩୫କୋଟିରୁ ଅଧିକ ବଜେଟରେ ନିର୍ମିତ କରାଯାଇଛି ଏହି ମଲ୍ଟି ପାର୍କିଂ ସ୍ଥଳ । ୪ମହଲା ବିଶିଷ୍ଟ ପାର୍କିଂ ସ୍ଥଳରେ ୫୮୩ଟି ଚାରିଚକିଆ ଯାନ ଓ ୨ହଜାର ଦୁଇଚକିଆ ଯାନ ରହିବାର ସୁବିଧା କରାଯାଇଛି ।

ପ୍ରତ୍ୟେକ ପାର୍କିଂ ମହଲା ୫ହଜାର ୬୦୦ ବର୍ଗ ମିଟରରେ ନିର୍ମିତ ହୋଇଛି । ସାଇକେଲ ୫ଟଙ୍କା, ବାଇକ ୨୦ଟଙ୍କା, କାର ୫୦ଟଙ୍କା, ବସ ୭୦ଟଙ୍କା ଟିକେଟ ମୂଲ୍ୟ ସ୍ଥିର କରାଯାଇଛି । ଏହି ଦର ୬ଘଣ୍ଟା ସମୟ ସୀମା ପର୍ଯ୍ୟନ୍ତ ଲାଗୁ ହେବ । ସିସିଟିଭି ଫୁଟେଜ ନିରୀକ୍ଷଣ ରହିବ ପାର୍କିଂ ସ୍ଥଳ । ଅଚାନକ ଅଗ୍ନିକାଣ୍ଡ ହେଲେ ସ୍ଥିତିକୁ ଆୟତ୍ତ କରିବା ପାଇଁ ସମସ୍ତ ମହଲାରେ ଅଗ୍ନିନିର୍ବାପକ ଯନ୍ତ୍ରର ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱର ନନ୍ଦନକାନନର ମୁଖ୍ୟ ରାସ୍ତାର ଯାନବାହାନ ଭିଡ଼ କମାଇବା ପାଇଁ ଓ ଟ୍ରାଫିକ ନିୟନ୍ତ୍ରଣ ଏହି ପ୍ରକଳ୍ପର ଲକ୍ଷ୍ୟ ।

ପ୍ରତ୍ୟେକ ମହଲା ୫୬୦୦ ବର୍ଗମିଟରର ଏବଂ ଏହି ପାର୍କିଂରେ ସମୁଦାୟ ୫୮୩ଟି ଚାରିଚକିଆ ଯାନ ରହିପାରିବ । ପାର୍କିଂ ନିକଟରେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଟିକଟ ଘର, ପାନୀୟ ଜଳ ସୁବିଧା, ଶୌଚାଳୟ, ଡ୍ରାଇଭର ପ୍ରତୀକ୍ଷା ଗୃହ, ଅଗ୍ନିନିର୍ବାପକ ସୁବିଧା, ସିସିଟିଭି ସହିତ ସୌନ୍ଦର୍ଯ୍ୟକରଣ ପାଇଁ ବଗିଚା ଓ ପୁଷ୍କରିଣୀ ଆଦି କରାଯାଇଛି । ତଳେ ୨୦୦୦ ଦୁଇଚକିଆ ଯାନ ରହିବା ଭଳି ମଧ୍ୟ ସୁବିଧା କରାଯାଇଛି  । ଏହି ଅବସରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଭୁବନେଶ୍ୱର ଉତ୍ତରର ବିଧାୟକ ସୁଶାନ୍ତ କୁମାର ରାଉତ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ମୋନା ଶର୍ମା, ପ୍ରମୁଖ ମୁଖ୍ୟ ବନସଂରକ୍ଷକ ତଥା ବନବାହିନୀ ମୁଖ୍ୟ ଶିଶିର କୁମାର ରଥ ପ୍ରମୁଖ ଉପସ୍ଥିତ ଥିଲେ ।