spot_img
Home Blog Page 4359

ମାଟି ପାଇଁ ଦେଶ ଭ୍ରମଣ, ଦେଢ଼ ବର୍ଷରେ ଯାତ୍ରା କରିବେ ୨୫ ହଜାର କିଲୋମିଟର

ଭୁବନେଶ୍ୱର: ମାଟି ପାଇଁ ଦେଶ ଭ୍ରମଣ । ଦେଢ଼ ବର୍ଷରେ ୨୫ ହଜାର କିଲୋମିଟର ସାଇକେଲ ଯାତ୍ରା ଲକ୍ଷ୍ୟ । ମାଟିକୁ ବଞ୍ଚାଇବା ପାଇଁ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରିବା ଏହାର ଉଦ୍ଦେଶ୍ୟ । ଏମିତି ଏକ ନିଆରା ଉଦ୍ୟମ ଆରମ୍ଭ କରିଛନ୍ତି କୋଲକାତାର ସାହିଲ ଝା । ୧୬ ବର୍ଷିୟ ସାହିଲ ଝା ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଛନ୍ତି । ପରୀକ୍ଷା ସରିବା ପରେ ଗତ ୧ ତାରିଖରୁ ଆରମ୍ଭ କରିଛନ୍ତି ’SAVE SOIL’ ଅଭିଯାନ । ବୃକ୍ଷ ରୋପଣ ସହ ଆମ ମାଟିକୁ ବିଷ କବଳରୁ କେମିତି ବଞ୍ଚାଇହେବ ସେନେଇ ସାଇକେଲରେ ବୁଲି ବୁଲି ଲୋକଙ୍କୁ ସଚେତନ କରୁଛନ୍ତି ସାହିଲ ।

୨୫ ଦିନ ମଧ୍ୟରେ ସାହିଲ ୧୨ ଶହ କିଲୋମିଟର ଅତିକ୍ରମ କରିଥିବାବେଳେ, ଆଗାମୀ ଦେଢ଼ ବର୍ଷ ଭିତରେ ସେ ମୋଟ ୨୫ ହଜାର କିଲୋମିଟର ବୁଲି ଲୋକଙ୍କୁ ସଚେତନ କରିବାକୁ ଲକ୍ଷ୍ୟ ରଖିଛନ୍ତି । କୋଲକତାରୁ ବାହାରି ସାହିଲ ଏବେ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଆଜି ଭୁବନେଶ୍ୱରରେ ପହଞ୍ଚିବା ପରେ ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କୁ ଭେଟି ’SAVE SOIL’ ସମ୍ପର୍କରେ ଆଲୋଚନା କରିଥିଲେ । ସାହିଲଙ୍କ ଏହି ଉଦ୍ୟମକୁ ବିଧାୟକ ପ୍ରଶଂସା କରିବା ସହ ସମସ୍ତେ ମାଟିକୁ ରକ୍ଷା କରିବା ପାଇଁ ମିଳିତ ଉଦ୍ୟମ କରିବା ଆବଶ୍ୟକ ବୋଲି କହିଛନ୍ତି ।

ଋଷ-ୟୁକ୍ରେନ ଯୁଦ୍ଧର ପ୍ରଭାବ, ହଙ୍ଗେରୀରେ ଜରୁରୀକାଳୀନ ପରିସ୍ଥିତି ଜାରି କଲେ ପ୍ରଧାନମନ୍ତ୍ରୀ

କିଭ୍: ଋଷ-ୟୁକ୍ରେନ ଯୁଦ୍ଧ କାରଣ ଦର୍ଶାଇ ହଙ୍ଗେରୀରେ ଜାରି ହୋଇଛି ଜରୁରୀକାଳୀନ ପରିସ୍ଥିତି । ଦେଶରେ ଆର୍ଥିକ ସଂକଟ ତୀବ୍ର ହୋଇଥିବାରୁ ସରକାର ଏହି ପଦକ୍ଷେପ ନେଇଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ଭିକ୍ଟର ଓର୍ବାନ । କୋଭିଡ କାରଣରୁ ଦେଶରେ ଜାରି ରହିଥିବା ଜରୁରୀକାଳୀନ ପରିସ୍ଥିତି ଶେଷ ହୋଇଥିବାବେଳେ, ପୁଣି ଥରେ ଏହି ପରିସ୍ଥିତି ଘୋଷଣା କରାଯାଇଛି । ଦେଶର ଆର୍ଥିକ ନିରାପତ୍ତାରକ୍ଷା ଲାଗି ଏହି ପଦକ୍ଷେପ ନିଆଯାଇଥିବା ସେ କହିଛନ୍ତି ।

ସେପଟେ ୟୁକ୍ରେନ ଲୁହାନସ୍କରେ ଜାରି ରହିଛି ଜୋରଦାର ଆକ୍ରମଣ । ଏହି ସହରର ଅବସ୍ଥା ପ୍ରତି ଘଣ୍ଟାରେ ବଦଳୁଛି ଏବଂ ସହରକୁ ସମ୍ପୂର୍ଣ୍ଣ ଧ୍ୱଂସ କରି ଦିଆଗଲାଣି ବୋଲି କହିଛନ୍ତି ଗଭର୍ଣ୍ଣର ସର୍ଗେଇ ଗିଦାଇ । ଋଷ ସୈନ୍ୟବାହିନୀ ପ୍ରତିଟି ସ୍ଥାନରେ ଗୋଳାବର୍ଷଣ କରିବା ସହ ଏହି ଅଞ୍ଚଳର ପ୍ରମୁଖ ଶିଳ୍ପଭିତ୍ତିକ ସହର ସେଭେରୋ ଡୋନେସ୍କକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବା ଲାଗି ଅଭିଯାନ ଚଳାଇଛନ୍ତି । ସହର ଉପରେ ରକେଟ, ଟ୍ୟାଙ୍କ ଆଦି ଜରିଆରେ ଆକ୍ରମଣ ଚାଲିଛି ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ପୂର୍ବ ୟୁକ୍ରେନରେ ଋଷ ସୈନ୍ୟ ଆଗକୁ ମାଡ଼ି ଚାଲିଥିବା ବେଳେ ଧ୍ୱଂସଲୀଳା ଘଟାଇ ଚାଲିଥିବା ନେଇ ସୂଚନା ଦେଇଛନ୍ତି ରାଷ୍ଟ୍ରପତି ଜେଲେନସ୍କି । ଋଷ ଆକ୍ରମଣରେ ହଜାର ହଜାର ୟୁକ୍ରେନୀୟ ବାସିନ୍ଦା ବେଘର ହୋଇଛନ୍ତି । ଅନେକ ଲୋକ ନିଖୋଜ ହେବାରେ ଲାଗିଛନ୍ତି । ତେବେ ସହଯୋଗୀ ରାଷ୍ଟ୍ରଙ୍କଠାରୁ ସହାୟତା ଲାଭ କରି ଋଷ ବିରୋଧରେ ଲଢେଇ ଜାରି ରହିବ ବୋଲି କହିଛନ୍ତି ଜେଲେନସ୍କି ।

ପୁରୀରେ ଛୁରାମାଡ଼ ଘଟଣା, ୩ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ପୁରୀ: ପୁରୀରେ ଗୁଳିମାଡ଼ ପରେ ଛୁରା ମାଡ଼ ଘଟଣା । ଏହି ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସହ ୩ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଦିପୁ ବେହେରା, ବାବୁନା ଭୋଇ ଓ ଶିବୁନା ପାତ୍ର । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଛୁରା ମାଡ଼ ହୋଇଥିବା କହିଛନ୍ତି ପୁରୀ ଏସପି କେ.ଭିଶାଲ ସିଂ । ତେବେ ଗିରଫ ହୋଇଥିବା ୩ ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯିବା ବୋଲି ସୂଚନା ମିଳିଛି ।

ସୂଚନା ଅନୁସାରେ ଗତକାଲି ରାତିରେ ବଳଗଣ୍ଡି ଛକ ନିକଟରେ ଛୁରାମାଡ଼ରେ ସତ୍ୟନାରାୟଣ ତ୍ରିପାଠୀ ଗୁରତର ଆହତ ହୋଇଥିଲେ । ପରେ ସତ୍ୟଙ୍କୁ ପୁରୀ ସଦର ଡାକ୍ତରଖାନାରୁ ଅଧିକ ଚିକତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଥିଲା । ଏହି ଘଟଣା ପରେ କୁମ୍ଭାରପଡା ଥାନା ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା ।

ଗୋରୁ ବ୍ୟବସାୟକୁ କେନ୍ଦ୍ର କରି ଗୁଳିକାଣ୍ଡ, ଗୁଳି କରି ଲୁଟିନେଲେ ୨୦ ଲକ୍ଷ

ବାରିପଦା: ପୁଣି ଗୋରୁ ବ୍ୟବସାୟକୁ କେନ୍ଦ୍ର କରି ଗୁଳିକାଣ୍ଡ । ପଶ୍ଚିମବଙ୍ଗର ୨ ବ୍ୟବସାୟୀଙ୍କୁ ଗୁଳି କରି ୨୦ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ଘଟଣାରେ ଜଣେ ବ୍ୟବସାୟୀଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି । ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ ଥାନା ଅଧୀନ ହାଟବାଦଡା ଗୋରୁହାଟରେ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି ।

ସୂଚନା ଅନୁସାରେ ବୁଧବାର ସାପ୍ତାହିକ ଗୋରୁ ହାଟ ଚାଲୁଥିବାବେଳେ ୪ ଜଣ ଦୁର୍ବୃତ୍ତ ଆସି ହଠାତ ୩ ରାଉଣ୍ଡ ଫାୟାରିଂ କରିଥିଲେ । ଏହା ପରେ ତାଙ୍କଠାରୁ ୨୦ ଲକ୍ଷ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ । ତେବେ ଏହି ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ସୀମାବର୍ତ୍ତି ଅଞ୍ଚଳରେ ତନାଘନା ଚାଲିଛି । ପୂର୍ବରୁ ଯଶିପୁର ଟୋଲଗେଟରେ ମାଫିଆ କରିଥିଲେ ଫାୟାରିଂ ।

 

ଆଜି ବସିବ ଛତିଶା ନିଯୋଗ ବୈଠକ, ଶ୍ରୀଗୁଣ୍ଡିଚା ଯାତ୍ରା ସହ ଶ୍ରୀଜିଉଙ୍କ ନୀତିକାନ୍ତିରେ ବାଜିବ ମୋହର

ପୁରୀ: ଆଜି ବସିବ ଛତିଶା ନିଯୋଗ ବୈଠକ । ନୀଳାଦ୍ରି ଭକ୍ତ ନିବାସରେ  ଦିନ ୧୨ଟାରେ ଏହି ବୈଠକ ବସିବ । ପ୍ରଥମେ ବିଶେଷକରି ରାଜେନ୍ଦ୍ରା ଭିଷେକ, ରୁକ୍ମିଣୀ ହରଣ ଏକାଦଶୀ, ଚମ୍ପକ ଦ୍ୱାଦଶୀ, ଦଇତାପତି ପ୍ରବେଶ, ସେନାପଟା ଲାଗି, ଦେବସ୍ନାନ ପୂର୍ଣ୍ଣିମା, ଚକାବିଜେ, ଖଳିଲାଗି ଏକାଦଶୀ, ରାଜପ୍ରସାଦ ବିଜେ, ଘଣାଲାଗି ଓ ବନକଲାଗି, ନବଯୌବନ ଦର୍ଶନ ସହ ଶ୍ରୀଗୁଣ୍ଡିଚା ଯାତ୍ରା, ସନ୍ଧ୍ୟା ଦର୍ଶନ, ବାହୁଡ଼ା ଯାତ୍ରା, ସୁନାବେଶ ଓ ନୀଳାଦ୍ରି ବିଜେ ନୀତିରେ ଛତିଶା ନିଯୋଗ ମାରିବ ମୋହର । ଯେହେତୁ ଦୁଇବର୍ଷ ପରେ ରଥଯାତ୍ରାରେ ଭକ୍ତ ସାମିଲ ହେବାକୁ ଯାଉଛନ୍ତି । ନୀତି ଶୃଙ୍ଖଳିତ ସାଙ୍ଗକୁ ଯାତ୍ରାକୁ ଶୃଙ୍ଖଳିତ କରିବା ପ୍ରସଙ୍ଗରେ ହେବ ଆଲୋଚନା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବାକୁ ଥିବା ବେଳେ ଜିଲ୍ଲାପାଳ, ଏସପି, ଶ୍ରୀମନ୍ଦିର ପ୍ରଶାସନିକ କର୍ମଚାରୀ ଓ ଛତିଶା ନିଯୋଗର ସମସ୍ତ ସଦସ୍ୟ ଉପସ୍ଥିତ ରହିବେ ।

ଅନ୍ୟପଟେ ଆଜି ଜ୍ୟେଷ୍ଠ କୃଷ୍ଣ ଦଶମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ । ଦତ୍ତ ମହାପାତ୍ର ସେବକ ଏହି ନୀତି ସମ୍ପାଦନ କରିବେ । ପାରମ୍ପରିକ ରଙ୍ଗ ଯଥା ହରିତାଳ, ପ୍ରିୟଙ୍ଗୁ, ହିଙ୍ଗୁଳ, କଳା, ଧଳା, ନାଲି ଆଦି ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ । ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଦ୍ୱିତୀୟ ଭୋଗମଣ୍ଡପ ପରେ ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ ।

 

ରାଜସ୍ଥାନ ରୟାଲ୍ସକୁ ହରାଇ ଫାଇନାଲରେ ଗୁଜରାଟ ଟାଇଟନ୍ସ

କୋଲକାତା: ଚଳିତ ଆଇପିଏଲରେ ପ୍ରଥମ ଦଳ ଭାବରେ ଗୁଜରାଟ ଟାଇଟନ୍ସ ଫାଇନାଲରେ ପ୍ରବେଶ କରିଛି । ମିଲରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଗୁଜରାଟ ଏହି ମ୍ୟାଚକୁ ନିଜ ନାମରେ କରିଥିଲା । ପ୍ରଥମ କ୍ୱାଲିଫାୟର ମୁକାବିଲାରେ ରାଜସ୍ଥାନ ରୟାଲ୍ସକୁ ୭ ଓ୍ୱିକେଟରେ ପରାସ୍ତ କରିଛି ଗୁଜରାଟ ଟାଇଟନ୍ସ । ଏହି ବିଜୟ ସହ ପ୍ରଥମ ଦଳ ଭାବରେ ଫାଇନାଲରେ ପ୍ରବେଶ କରିଛି ଗୁଜରାଟ ।

ଗତକାଲି କୋଲକାତାର ଇଡେନ ଗାର୍ଡେନ୍ସରେ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଗୁଜରାଟ ଟାଇଟନ୍ସ । ଟସ୍ ହାରି ବ୍ୟାଟିଂ କରିଥିବା ରାଜସ୍ଥାନ ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରିଥିଲା । ଜୋଶ୍ ବଟଲର ଓ ଅଧିନାୟକ ସଞ୍ଜୁ ସାମସନଙ୍କ ଧୁଆଁଧାର ବ୍ୟାଟିଂ ଫଳରେ ରାଜସ୍ଥାନ ରୟାଲ୍ସ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ୱିକେଟରେ ୧୮୮ ରନ କରିଥିଲେ । ରାଜସ୍ଥାନ ପକ୍ଷରୁ ସଞ୍ଜୁ ସାମସନ ୪୭ ରନ କରିଥିବାବେଳେ ଜୋଶ୍ ବଟଲର ୮୯ ରନ କରିଥିଲେ ।

୧୮୯ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଗୁଜରାଟ ପ୍ରଥମ ଓଭରରେ ଓ୍ୱିକେଟ ହରାଇ ବ୍ୟାକଫୁଟରେ ରହିଥିଲା । କିନ୍ତୁ ଏହା ପରେ ଓପନର ଶୁଭମନ ଗିଲ୍ ଓ ମାଥ୍ୟୁ ଓ୍ୱେଡ ଆକ୍ରମଣାତ୍ମକ ବ୍ୟାଟିଂ କରି ୭୨ ରନ୍ ସଂଗ୍ରହ କରିଥିଲେ । ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ଆଉଟ ହେବା ପରେ ପାଳି ସମ୍ଭାଳିଥିଲେ ଅଧିନାୟକ ହାର୍ଦ୍ଦିକ ପଣ୍ଡ୍ୟା ଓ ଡେଭିଡ ମିଲର । ଉଭୟ ବ୍ୟାଟ୍ସମ୍ୟାନ ୧୦୬ ରନର ପାର୍ଟନରସିପ୍ କରି ଦଳକୁ ବିଜୟ ଭେଟି ଦେଇଥିଲେ । ଗୁଜରାଟ ପକ୍ଷରୁ ମିଲର ୩୮ ବଲରୁ ୩ ଚୌକା ଓ ୫ ଛକା ବଳରେ ୬୮ ରନ କରିଥିଲେ । ସେହିପରି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଅପରାଜିତ ୪୦ ରନ କରିଥିଲେ ।

ଜିଲ୍ଲାର ନାଁ ପରିବର୍ତ୍ତନକୁ ବିରୋଧ, ପରିବହନ ମନ୍ତ୍ରୀଙ୍କ ଘରେ ନିଆଁ ଲଗାଇଲେ ଦୁର୍ବୃତ୍ତ

ହାଇଦ୍ରାବାଦ: ଆନ୍ଧ୍ର ପ୍ରଦେଶର ଅମଲାପୁରମରେ ଜୋରଦାର ହିଂସା । କୋନାସୀମା ଜିଲ୍ଲାର ନାଁ ପରିବର୍ତ୍ତନକୁ ବିରୋଧ କରି ପ୍ରଦର୍ଶନକାରୀ ହିଂସା କରିଛନ୍ତି । ନିକଟରେ ରାଜ୍ୟ ସରକାର କୋନାସୀମା ଜିଲ୍ଲାର ନାଁ ପରିବର୍ତ୍ତନ କରି ବିଆର ଆମ୍ବେଦକର କୋନାସୀମା କରିବାକୁ ଘୋଷଣା କରିଥିଲେ । ରାଜ୍ୟ ସରକାରଙ୍କ ଏହି ପ୍ରସ୍ତାବକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଥିଲେ ପ୍ରଦର୍ଶନକାରୀ । ଜିଲ୍ଲା ମୁଖ୍ୟାଳୟରେ ପ୍ରଦର୍ଶନକାରୀଙ୍କ ଉପରେ ପୋଲିସ ଲାଠି ଚାର୍ଜ କରିବା ପରେ ସହରରେ ହିଂସା ସୃଷ୍ଟି ହୋଇଥିଲା ।

ପୋଲିସ କାର୍ଯ୍ୟାନୁଷ୍ଠାନରେ ଉତକ୍ଷିପ୍ତ ହୋଇ ପ୍ରଦର୍ଶନକାରୀ ଶାସକ ଦଳ ବିଧାୟକ ପି.ସତିସ୍ ଏବଂ ପରିବହନ ମନ୍ତ୍ରୀ ପି.ବିଶ୍ୱଋପୁଙ୍କ ଘରେ ନିଆଁ ଲଗାଇ ଦେଇଥିଲେ । ପୋଲିସ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲା । ଅନ୍ୟପଟେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଯାଇ ପ୍ରଦର୍ଶନକାରୀ ଆକ୍ରୋଶର ଶିକାର ହୋଇଛନ୍ତି ପୋଲିସକର୍ମୀ । ଏହି ହିଂସାରେ ଅନେକ ପୋଲିସକର୍ମୀ ମଧ୍ୟ ଆହତ ହୋଇଛନ୍ତି । ଏହାସହ ପୋଲିସ ଗାଡିରେ ମଧ୍ୟ ପ୍ରଦର୍ଶନକାରୀ ନିଆଁ ଲଗାଇ ଦେଇଥିଲେ ।

ଟେକ୍ସାସର ଏକ ସ୍କୁଲରେ ଭୟାନକ ଗୁଳିକାଣ୍ଡ, ୧୮ ଛାତ୍ରଛାତ୍ରୀ ମୃତ

ଟେକ୍ସାସ: ଆମେରିକା ଟେକ୍ସାସରେ ପୁଣି ଭୟାନକ ଗୁଳିକାଣ୍ଡ । ଜଣେ ୧୮ ବର୍ଷ ବୟସ୍କଙ୍କ ଆଖିବୁଜା ଗୁଳିମାଡ଼ରେ ପ୍ରାଣ ହରାଇଛନ୍ତି ୧୮ ଛାତ୍ରଛାତ୍ରୀ ଓ ୩ ଜଣ ଶିକ୍ଷକ ଓ କର୍ମଚାରୀ । ଟେକ୍ସାସ ଉଭାଲଡେ ଅନ୍ତର୍ଗତ ରବ୍ ଏଲିମେଣ୍ଟାରୀ ସ୍କୁଲରେ ଘଟିଥିବା ଏହି ଲୋମହର୍ଷକ କାଣ୍ଡରେ ଆତତାୟୀ ସାଲଭାଡର ରାମୋସକୁ ଗୁଳି କରି ହତ୍ୟା କରାଯାଇଥିବାବେଳେ ତା ନିକଟରୁ ଏକ ହ୍ୟାଣ୍ଡଗନ ଓ ଏକ ରାଇଫଲ ଜବତ ହୋଇଛି । ଜଣେ ଆତତାୟୀ ଏହି ସ୍କୁଲ ଭିତରେ ପଶିଥିବା ନେଇ ରିପୋର୍ଟ ପ୍ରକାଶ ପାଇବା ପରେ ଉଭାଲଡେ ସ୍କୁଲ ଡିଷ୍ଟ୍ରିକ୍ଟର ସମସ୍ତ ସ୍କୁଲକୁ ବନ୍ଦ କରି ଦିଆଯାଇଥିଲା ।

ତେବେ ସୁଯୋଗ ଦେଖି ଆତତାୟୀ ଜଣକ ଏହି ସ୍କୁଲରେ ନାରକୀୟ କାଣ୍ଡ ଘଟାଇବାକୁ ସକ୍ଷମ ହୋଇଥିଲା । ଏହି ସ୍କୁଲରେ ୬୦୦ରୁ ଅଧିକ ଦୁର୍ବଳ ବର୍ଗର ଛାତ୍ରଛାତ୍ରୀ ଶିକ୍ଷାଲାଭ କରୁଥିଲେ । ଏହି ଘଟଣା ପରେ ରାଷ୍ଟ୍ରପତି ଜୋ ବାଇଡେନ ଘଟଣାର ସମୀକ୍ଷା କରିଥିବା ବେଳେ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଗତ ୨୦୧୮ରେ ଫ୍ଲୋରିଡାର ପାର୍କଲାଣ୍ଡରେ ମଧ୍ୟ ସମଧରଣର ଗୁଳିକାଣ୍ଡ ଘଟିଥିଲା । ଏଥିରେ ୧୪ ଛାତ୍ରଛାତ୍ରୀ ଓ ୩ ଜଣ କର୍ମଚାରୀ ପ୍ରାଣ ହରାଇଥିଲେ । ସେହିପରି ୨୦୧୨ରେ କନେକ୍ଟିକଟର ସାଣ୍ଡି ହୁକରେ ଘଟିଥିବା ଗୁଳିକାଣ୍ଡରେ ୨୦ ଛାତ୍ରଛାତ୍ରୀ ଓ ୬ କର୍ମଚାରୀ ପ୍ରାଣ ହରାଇଥିଲେ । ଗତ ମେ ୧୪ରେ ନ୍ୟୁୟର୍କ ବଫାଲୋରେ ଜଣେ ଯୁବକଙ୍କ ଗୁଳିରେ ୧୦ ଜଣ ପ୍ରାଣ  ହରାଇଥିଲେ । ତେବେ  ବିଗତ କିଛି ବର୍ଷ ଧରି ଆମେରିକାରେ ବନ୍ଧୁକ ସଂସ୍କୃତି ବୃଦ୍ଧି ପାଇବାରେ ଲାଗିଛି ।

ବ୍ରଜରାଜନଗର ବ୍ୟାଟେଲରେ ଜମୁଛି ଲଢ଼େଇ, ବାଜି ମାରିବାକୁ ସବୁ ଦଳର ସ୍ୱତନ୍ତ୍ର ରଣନୀତି

ବ୍ରଜରାଜନଗର: ବ୍ରଜରାଜନଗର ବ୍ୟାଟେଲରେ ଜମୁଛି ଲଢ଼େଇ । ବାଜି ମାରିବାକୁ ସବୁ ଦଳର ସ୍ୱତନ୍ତ୍ର ରଣନୀତି । ନିର୍ବାଚନ ତାରିଖ ପାଖଉଥିବା ବେଳେ ଭୋଟରଙ୍କ ମନ ଜିତିବାକୁ ଚାଲିଛି କସରତ୍ । ବିକାଶ ଆଉ ପ୍ରତିଶ୍ରୁତିର ନିକିତିରେ ନେତାଙ୍କୁ ତଉଲୁଛନ୍ତି ଭୋଟର । ବ୍ରଜରାଜନଗର ଉପନିର୍ବାଚନର ପ୍ରଚାର ମଇଦାନରେ ବିଜେଡି ଆଗରେ ଥିବାବେଳେ ଘରକୁ ଘର ବୁଲି ଭୋଟ ମାଗୁଛନ୍ତି ହେଭିଓ୍ୱେଟ୍ ।

ରାଜ୍ୟ ସରକାରଙ୍କ ବିକାଶକୁ ଆଧାର କରି ନିର୍ବାଚନ ଲଢୁଛି ଶାସକ ଦଳ । ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଶାସନ ଓ ସରକାରଙ୍କ ସଫଳତାକୁ ନେଇ ଲୋକଙ୍କ ପାଖକୁ ଯାଉଛନ୍ତି ନେତା । ପଞ୍ଚାୟତ ଓ ପୌର ନିର୍ବାଚନର ରେକର୍ଡକୁ କାଟି ନୂଆ ରେକର୍ଡରେ ବିଜୟ ପାଇଁ ଦଳ କରିଛି ବ୍ଲୁପ୍ରିଣ୍ଟ । ସେପଟେ ମଇଦାନରେ ଶାସକ ଦଳକୁ ଟକ୍କର ଦେବାକୁ ଲାଗି ପଡ଼ିଛନ୍ତି ବିରୋଧୀ । ପ୍ରତିଶ୍ରୁତି ଦେଇ ଲୋକଙ୍କ ମନ ଜିତିବାକୁ ଉଦ୍ୟମ କରୁଛନ୍ତି ଉଭୟ କଂଗ୍ରେସ ଓ ବିଜେପି । ଉଭୟ ଦଳ କେନ୍ଦ୍ରୀୟ ଓ ପଡ଼ୋଶୀ ନେତାଙ୍କ ଉପରେ ଭରସା କରିଛନ୍ତି । କିନ୍ତୁ ଏହା ତାଙ୍କ ପାଇଁ ବୁମେରାଂ ହେବ ବୋଲି କହିଛି ବିଜେଡି ।

କଳିଙ୍ଗାଘାଟିରେ ଓଲଟିଲା ଟୁରିଷ୍ଟ ବସ୍; ୬ ମୃତ, ୩୦ ଆହତ

ଭଞ୍ଜନଗର: ଭଞ୍ଜନଗର ଥାନା ଦୁର୍ଗାପ୍ରସାଦରେ ମର୍ମନ୍ତୁଦ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ଟୁରିଷ୍ଟ ବସ୍‌  । ଏହି ବସରେ ମୋଟ ୭୦ ଜଣ ଯାତ୍ରୀ ଥିଲେ । ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୪ ମହିଳା ଓ ୨ ପୁରୁଷ ଥିବା ଜଣାପଡ଼ିଛି । ତେବେ ଏହି ଦୁର୍ଘଟଣାରେ ଆହତ ହୋଇଥିବା ସମସ୍ତ ଯାତ୍ରୀଙ୍କୁ ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁସାରେ ଏହି ଟୁରିଷ୍ଟ ବସଟି ଦାରିଙ୍ଗବାଡିରୁ କଳିଙ୍ଗାଘାଟି ଦେଇ ଆସୁଥିବା ବେଳେ ଦୁର୍ଗାପ୍ରସାଦଠାରେ ବିଳମ୍ବିତ ରାତିରେ ଦୁର୍ଘଟଣାର ଶିକାର ହୋଇଛି । ବସର ବ୍ରେକ ପାଇପ ଫାଟିଯିବାରୁ ଭାରସାମ୍ୟ ହରାଇ ରାସ୍ତା କଡ଼ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ଓଲଟି ପଡ଼ିଥିଲା ବସ୍‌ । ଖବର ପାଇ ଘଟଣାସ୍ଥଳରେ ଭଞ୍ଜନଗର ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ହାଇଡ୍ରା ମେସିନ ସହାୟତାରେ ସମସ୍ତଙ୍କୁ ଉଦ୍ଧାର କରାଯାଇଛି । ଏହି ବସରେ ଥିବା ସମସ୍ତ ଯାତ୍ରୀ ପଶ୍ଚିମବଙ୍ଗ ହାୱଡା ଜିଲ୍ଲା ଉଦନପୁର ଥାନା ଅଞ୍ଚଳର ହୋଇଥିବା ସୂଚନା ମିଳିଛି ।