spot_img
Home Blog Page 4358

ଆଜି ଆକାଶରେ ଦେଖାଯିବ ଗୋଲାପୀ ଜହ୍ନ

ଭୁବନେଶ୍ୱର: ଆଜି ପୂର୍ଣ୍ଣିମା ଅବସରରେ ଆକାଶରେ ଚମକିବ ଗୋଲାପୀ ଜହ୍ନ । ଏଥିରେ କିଛି ସତ୍ୟତା ରହିଛି ନା ଆଉ କିଛି । ଏନେଇ ପଠାଣୀ ସାମନ୍ତ ପ୍ଲାନେଟୋରିୟମର ଉପ-ନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ ଏହା ପଛର ସତ୍ୟତା ଦର୍ଶାଇଛନ୍ତି । କ’ଣ ଏହି ଗୋଲାପୀ ଜହ୍ନ । ଏହା କେବଳ ଏକ ନାମକରଣ ଯାହାକି ଉତ୍ତର ଆମେରିକାର ଅଧିବାସୀମାନେ ଚଳିତ ମାସରେ ପୂର୍ଣ୍ଣଚନ୍ଦ୍ରକୁ ଏପରି ନାମକରଣ କରିଥିଲେ । ହିନ୍ଦୁମାନେ ଏହି ପୂର୍ଣ୍ଣିମାକୁ ହନୁମାନ ଜୟନ୍ତୀ ରୂପେ ପାଳନ କରୁଥିବାବେଳେ ବୌଦ୍ଧଧର୍ମୀଙ୍କ ପାଇଁ ଏହା ଶ୍ରୀଲଙ୍କାରେ ବକ୍ ପୋୟା ନାମରେ ପରିଚିତ । ଏହି ଦିନ ବୁଦ୍ଧଦେବ ଶ୍ରୀଲଙ୍କା ଯାଇ ଅନେକ ଦିନ ଧରି ଲାଗିଥିବା ଯୁଦ୍ଧ ରୋକିଥିଲେ ।

ବସନ୍ତ ଋତୁର ଆଗମନ ହୋଇଥିବାରୁ ଉତ୍ତର ଆମେରିକାରେ ମସ୍ ଫ୍ଲକ୍ସ ନାମକ ଲତାରେ ଗୋଲାପୀ ରଙ୍ଗର ଫୁଲ ଫୁଟି ସବୁଆଡ଼େ ଗୋଲାପୀ ଗୋଲାପୀ ହୋଇଯାଏ । ସେଥିପାଇଁ ଆମେରିକାବାସୀ ଏପ୍ରିଲ ପୂର୍ଣ୍ଣଚନ୍ଦ୍ରକୁ ପିଙ୍କ୍ ମୁନ୍ ବା ଗୋଲାପୀ ଚନ୍ଦ୍ର ବୋଲି ନାମକରଣ କରାଯାଇଛି । ଯାହା ଏବେ କିଛି ସ୍ଥାନରେ ପ୍ରଚଳିତ ରହିଛି । ଏହା ଚନ୍ଦ୍ରର ରଙ୍ଗ ସହ କୌଣସି ସମ୍ପର୍କ ନାହିଁ । ତେଣୁ ଆଜିର ଦିନରେ ଆକାଶରେ ଗୋଲାପୀ ଜହ୍ନ ଦେଖାଯିବାର କୌଣସି ସତ୍ୟତା ନଥିବା ପଠାଣୀ ସାମନ୍ତ ପ୍ଲାନେଟୋରିୟମର ଉପ-ନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି ।

 

ରାଜ୍ୟରେ ଉପର ମୁହାଁ ପାରଦ, ଆହୁରି ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ବଢ଼ି ଚାଲିଛି ତାତି । ପଶ୍ଚିମ ଓଡ଼ିଶାରେ ଉପରମୁହାଁ ହୋଇଛି ପାରଦ । କେବଳ ରାଜ୍ୟ ନୁହେଁ ଦେଶର ଉତ୍ତପ୍ତ ସହର ପାଲଟୁଛି ଆଭ୍ୟନ୍ତରୀଣ ଓଡ଼ିଶା । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ତାତି ଆହୁରି ବଢ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ସ୍ବାଭାବିକଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ । ଏଥିପାଇଁ ଦିନ ୧୨ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଜରୁରୀ କାମ ନଥିଲେ ବାହାରକୁ ନବାହାରିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ଅନ୍ୟପଟେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଜାରି ରହିଛି କାଳବୈଶାଖୀର ତାଣ୍ଡବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ପାଇଁ ୭ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ୧୮ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ, ଉପକୂଳ, ଉତ୍ତର ଓଡ଼ିଶାରେ ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବ ।

 

ଥମୁନି ଋଷ-ୟୁକ୍ରେନ ଯୁଦ୍ଧ, ରାଜଧାନୀ କିଭରେ ମିଳିଲାଣି ୯୦୦ରୁ ଅଧିକ ଶବ

କିଭ୍: ୫୨ ଦିନରେ ଋଷ-ୟୁକ୍ରେନ ଯୁଦ୍ଧ । ପୋର୍ଟ ସିଟି ମାରିୟୁପୋଲକୁ ନେଇ ଜୋରଦାର ସଂଘର୍ଷ ଜାରି । ତେବେ ଋଷ ବାହିନୀକୁ ସହାୟତା କରିବା ଲାଗି ଆଗେଇ ଆସିଛନ୍ତି ଚେଚେନ ବିଦ୍ରୋହୀ । ଏହି ସହର କାହା ହାତକୁ ଯିବ ତାହାକୁ ନେଇ ସସପେନ୍ସ ଜାରି ରହିଥିବା ବେଳେ ଚେଚେନ ବିଦ୍ରୋହୀ ସାମିଲ ହେବା ଘଟଣା ୟୁକ୍ରେନକୁ ଚିନ୍ତିତ କରିଛି । ରମଜାନ କାଦିରୋଭ ନେତୃତ୍ବାଧୀନ ଏହି ସୈନ୍ୟମାନେ ନିକଟସ୍ଥ ମେଲିଟିପୋଲରେ ରହିଥିବା ସୂଚନା ମିଳିଛି ।

ସେପଟେ ରାଜଧାନୀ କିଭରେ ୯୦୦ରୁ ଅଧିକ ଶବ ମିଳିଲାଣି ବୋଲି ଦାବି କରିଛି ୟୁକ୍ରେନ । କିଭରୁ ଋଷ ସୈନ୍ୟ ହଟିବା ପରେ ବିଭିନ୍ନ ଅଞ୍ଚଳରେ ଶବ ଠାବ ପ୍ରକ୍ରିୟା ଜାରିରହିଛି । ସେମାନଙ୍କ ମଧ୍ୟରୁ ୯୫ ପ୍ରତିଶତଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ସୂଚନା ମିଳିଛି । ଖାରକିବରେ ହୋଇଥିବା ଗୁଳିମାଡରେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି ।

ଅନ୍ୟପକ୍ଷରେ ଚଳିତ ବର୍ଷ ଶେଷ ପର୍ଯ୍ୟନ୍ତ ଯୁଦ୍ଧ ଚାଲିପାରେ ବୋଲି କହିଛନ୍ତି ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ । ନିକଟ ଭବିଷ୍ୟତରେ ଯୁଦ୍ଧ ଥମିବାର ସମ୍ଭାବନା ନାହିଁ ବୋଲି ସେ କହିଛନ୍ତି । ଋଷ ଆଣବିକ ଅସ୍ତ୍ର ପ୍ରୟୋଗ କରିବାର ଅଧିକ ସମ୍ଭାବନା ରହିଛି ଏବଂ ଏଥିଲାଗି ବିଶ୍ବ ପ୍ରସ୍ତୁତ ରହିବା ଆବଶ୍ୟକ ବୋଲି କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ଋଷ ବାହିନୀ ଆଗରେ ଜୀବନ କିଛି ନୁହେଁ ଏବଂ ସେମାନେ ରାସାୟନିକ ବା ଆଣବିକ ଅସ୍ତ୍ର ବ୍ୟବହାର କରିପାରନ୍ତି ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ଜେଲେନସ୍କି । ଆସନ୍ତା ସପ୍ତାହରେ ୟୁକ୍ରେନ ପ୍ରଧାନମନ୍ତ୍ରୀ ଦେନିସ ସିମାଲ, ଅର୍ଥମନ୍ତ୍ରୀ ଓ ମନ୍ତ୍ରାଳୟର ବରିଷ୍ଠ ପ୍ରତିନିଧିମାନେ ଓ୍ବାଶିଂଟନ ଯିବା ନେଇ କୁହାଯାଇଛି । ସେଠାରେ ସେମାନ ଗ୍ରୁପ-୭ ନେତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

OUTRରେ 5T ସଚିବ ଭି.କେ. ପାଣ୍ଡିଆନ, ଭିତ୍ତିଭୂମି ବିକାଶର କଲେ ସମୀକ୍ଷା

ଭୁବନେଶ୍ୱର: ଭୁବନେଶ୍ବର ଘାଟିକିଆସ୍ଥିତ କଲେଜ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ବା ସିଇଟିର ନାମ ପରିବର୍ତ୍ତନ ହୋଇଛି । କ୍ୟାବିନେଟ୍ ଅନୁମୋଦନ କ୍ରମେ ଏହାର ନାମ ଓଡ଼ିଶା ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ରିସର୍ଚ୍ଚ ବା OUTR କରାଯାଇଛି । ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ OUTR ଦ୍ବାରା ପରିଚାଳିତ ହେବେ । ଏହି ନୂଆ ବିଶ୍ବବିଦ୍ୟାଳୟର ପ୍ରସ୍ତାବିତ ମାଷ୍ଟରପ୍ଲାନର ସମୀକ୍ଷା କରିଛନ୍ତି 5T ସଚିବ ଭି.କେ ପାଣ୍ଡିଆନ । ଆବଶ୍ୟକୀୟ ଭିତ୍ତିଭୂମିର ସମୀକ୍ଷା କରିଛନ୍ତି 5T ସଚିବ । 5T ସଚିବଙ୍କ ସହ ବିଭାଗୀୟ ସଚିବ ହେମନ୍ତ ଶର୍ମା ମଧ୍ୟ ଉପସ୍ଥିତ ଅଛନ୍ତି । ବିଶ୍ୱବିଦ୍ୟାଳୟର ଭିତ୍ତିଭୂମିର ବିକାଶ ପାଇଁ ଆଜି ସମୀକ୍ଷାରେ ଅର୍ଥ ଅନୁଦାନ ସମ୍ପର୍କରେ ଓ ଅଧ୍ୟାପକ ନିଯୁକ୍ତି ସଂପର୍କରେ ହୋଇପାରେ ଆଲୋଚନା । ବର୍ତ୍ତମାନ ବିଶ୍ୱବିଦ୍ୟାଳୟରେ ୨୬ଟି ବିଭାଗରେ ମୋଟ ୫ ହଜାର ଛାତ୍ରଛାତ୍ରୀ ଅଛନ୍ତି ।

ଦିଲ୍ଲୀରେ ଉପରମୁହାଁ କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୩୬୬ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦିଲ୍ଲୀରେ ଉପରମୁହାଁ କରୋନା ଗ୍ରାଫ୍ । ଦିଲ୍ଲୀରେ ପ୍ରତିଦିନ ବଢ଼ିଚାଲିଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩୬୬ ନୂଆ ସଂକ୍ରମିତ । ପଜିଟିଭିଟି ହାର ୩.୯୫କୁ ବୃଦ୍ଧି ପାଇଛି । ଗତ ଫେବ୍ରୁଆରୀ ୩ ତାରିଖଠାରୁ ଏହି ସଂଖ୍ୟା ସର୍ବାଧିକ । ଗୁରୁବାର ଦିଲ୍ଲୀରେ ୩୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଅର୍ଥାତ ପଜିଟିଭିଟି ହାର ଥିଲା ୨.୩୯ । ତେବେ କରୋନା ସ୍ଥିତିର ମୁକାବିଲା କରିବା ପାଇଁ ସମସ୍ତଙ୍କୁ ବୁଷ୍ଟର ଡୋଜ ଦେବାକୁ ଘୋଷଣା କରିଛନ୍ତି ଦିଲ୍ଲୀ ସରକାର ।

ସାରା ଦେଶରେ ୧୮ରୁ ଅଧିକ ବୟସର ଲୋକଙ୍କୁ ଘରୋଇ କେନ୍ଦ୍ରରେ ଟିକା ଦେବା ବ୍ୟବସ୍ଥା ଆରମ୍ଭ ହୋଇଥିବା ବେଳେ ଦିଲ୍ଲୀରେ ଏହି ପ୍ରକ୍ରିୟା ଜୋରସୋର ଚାଲିଛି । ଦିଲ୍ଲୀରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସ୍କୁଲ ଯାଉଥିବା ଛାତ୍ରଛାତ୍ରୀଙ୍କ ଲାଗି ଚିନ୍ତାର କାରଣ ହୋଇଛି । ସେପଟେ ଦେଶରେ XE ଭାରିଆଣ୍ଟର ଆଧିପତ୍ୟ ବଢ଼ୁଛି କି ନାହିଁ ତାହାର ସ୍ପଷ୍ଟ ସୂଚନା ମିଳିନାହିଁ । ବର୍ତ୍ତମାନ ଯେଉଁମାନେ ନୂଆ ସଂକ୍ରମିତ ହେଉଛନ୍ତି ସେମାନେ XE ଦ୍ବାରା ଆକ୍ରାନ୍ତ ହେଉଛନ୍ତି କି ନାହିଁ ତାହାର ବି ସୂଚନା ମିଳିନାହିଁ ବୋଲି କହିଛନ୍ତି ବାୟୋମେଡିକାଲ ବୈଜ୍ଞାନିକ ଡାକ୍ତର ଗଙ୍ଗଦୀପ କାଙ୍ଗ । XE ଭାରିଆଣ୍ଟ ଓମିକ୍ରନର ଏକ ଉପଭାରିଆଣ୍ଟ ଏବଂ ଏହା ଉପର ନିଶ୍ବାସ ପ୍ରଶ୍ବାସ ନଳୀରେ ବିଶେଷତଃ ରହିଥାଏ । ତେଣୁ ଜ୍ବର, ହାଲିଆ ଲାଗିବା ଆଦି ପରିଲକ୍ଷିତ ହୋଇଥାଏ । ତେବେ ଏହା ରୋଗୀକୁ ଗୁରୁତର କରି ନଥାଏ ବୋଲି କହିଛନ୍ତି ଡାକ୍ତର କାଙ୍ଗ । ଏହା ସହ ୧୨ ବର୍ଷରୁ କମ୍ ବୟସର ଦୁର୍ବଳ ପିଲାଙ୍କୁ ତୁରନ୍ତ ଟିକା ଦେବାକୁ ସେ ପରାମର୍ଶ ଦେଇଛନ୍ତି ।

କେମିତି ରାଜଧାନୀରେ ଚାଲିଥିଲା କୋକେନ୍ କାରବାର, ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ STF

ଭୁବନେଶ୍ୱର: ରାଜଧାନୀରୁ କୋକେନ୍ ମିଳିବା ଘଟଣା । ରିମାଣ୍ଡରେ ହଟିବ କୋକେନ୍ ଲିଙ୍କ ଉପରୁ ପରଦା । ଗିରଫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଖୋଳତାଡ଼ କରିବ ଏସଟିଏଫ । ଆଜି ମିଳିପାରେ ରିମାଣ୍ଡ ଅନୁମତି । ଦୁଇ ଅଭିଯୁକ୍ତ ରବି ଓ ସନ୍ନିଙ୍କୁ ୫ ଦିନ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ ହୋଇଛି । ଅନୁମତି ମିଳିବା ପରେ ସେମାନଙ୍କଠାରୁ ସତ ଉଗାରିବ କ୍ରାଇମବ୍ରାଞ୍ଚ ଏସଟିଏଫ । ରାଜଧାନୀରେ କାହା ଜରିଆରେ କୋକେନ୍ ବିକ୍ରି କରୁଥିଲେ ? କିଏ କିଏ ଥିଲେ ବଡ଼ ଗ୍ରାହକ ? କୋକେନ୍ ସିଣ୍ଡିକେଟରେ ଆଉ କିଏ ରହିଛି ? ପରଦା ପଛରେ କାହାର ରହିଛ ବଡ଼ ହାତ ? ଏପରି ଅନେକ ପ୍ରଶ୍ନର ଉତ୍ତର ଆଦାୟ କରିବ ଏସଟିଏଫ ।

ସେପଟେ ପଦାକୁ ଆସିଲା ଦାମୀ ନିଶାର ବିଦେଶୀ ଲିଙ୍କ । କୋକେନ୍ ମାଫିଆଙ୍କ ରବିର ଟାର୍ଗେଟରେ ରହିଥିଲା ୨୦୨୩ ହକି ବିଶ୍ବକପ । ବେପାର ପାଇଁ ଏବେଠୁ କରିଥିଲେ ରୋଡ ମ୍ୟାପ୍ । ରେଭ ପାର୍ଟିରେ ଡିମାଣ୍ଡ ଥିଲା ଆମେରିକାନ କୋକେନ୍ । ଏହି ରେଭ ପାର୍ଟି ଗ୍ରାହକଙ୍କୁ ଟାର୍ଗେଟ କରି କୋକେନକୁ ଭୁବନେଶ୍ୱର ବଜାରରେ ପ୍ରବେଶ କରାଇଥିଲା ମାଷ୍ଟର ମାଇଣ୍ଡ ରବି । ମାମୁ ପୁଅ ଶନିକୁ ମାଧ୍ୟମ କରି ବଜାରର ଡିମାଣ୍ଡ ବୁଝୁଥିଲା । ଗତ ୧୦ ତାରିଖରେ ଶନିକୁ ଧରି କୋକେନ ପାଇଁ ଡିଲ କରିଥିଲା । ଦିଲ୍ଲୀରେ ତୁର୍କମାନ ଗେଟରେ ରବିର ବିଗବସ୍ ରହୁଥିଲା । ବିଗବସକୁ ଧରିବାକୁ ଦିଲ୍ଲୀ ଏସଟିଏଫ ସହ ଯୋଗଯୋଗ କରିଛି ଓଡ଼ିଶା ଏସଟିଏଫ । ଏପରିକି ଏବେ ଏଫଆଇଏଚ ହକି ପ୍ରୋ ଟୁର୍ଣ୍ଣାମେଣ୍ଟ ଚାଲିଥିବା ବେଳେ ରବି ଭୁବନେଶ୍ବର ଆସିବା  ଏସଟିଏଫର ସନ୍ଦେହ ବଢ଼ାଇଛି । ଦୁଇ ଅଭିଯୁକ୍ତଙ୍କ ପାଖରୁ ଦକ୍ଷିଣ ଆଫ୍ରିକାର କରେନ୍ସି ମିଳିବା ପରେ କୋକେନ୍ କାରବାର ପଛରେ ଦକ୍ଷିଣ ଆଫ୍ରିକାର ଲିଙ୍କ ଥିବା ସ୍ପଷ୍ଟ ହୋଇଛି ।

ବିଧାୟକ ସୁରେଶ ରାଉତରାୟଙ୍କୁ ଆମ୍ବେଦକର ସମ୍ମାନ

ଭୁବନେଶ୍ୱର: ଓଡ଼ିଶା ଅନୁସୂଚିତ ଜାତି ଓ ଜନଜାତି ପରିବାର ଆନୁକୂଲ୍ୟରେ ଭାରତ ରତ୍ନ ବାବା ସାହେବ ଆମ୍ବେଦକରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ଖୋର୍ଦ୍ଧା ସହିଦ ଜୟୀ ରାଜଗୁରୁ ଭବନ (ଟାଉନ ହଲ) ଠାରେ  ଅନୁଷ୍ଠିତ ହୋଇଯାଇଛି । ସାମାଜିକ କର୍ମୀ ସଞ୍ଜୟ ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି, ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ମୁଖ୍ୟବକ୍ତା, ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର, ବିଧାୟକ ସୁରେଶ କୁମାର ରାଉତରାୟ ଏବଂ ଖୋର୍ଦ୍ଧା ବ୍ଲକ ଉପାଧ୍ୟକ୍ଷ ପ୍ରକାଶ ସାମନ୍ତରାୟ ଅତିଥି ଭାବେ ଯୋଗଦେଇ ଆମ୍ବେଦକରଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ । ଦଳିତମାନେ ଆମ୍ବେଦକରଙ୍କୁ ନେଇ ଗର୍ବ କରନ୍ତୁ ବୋଲି ଅତିଥିମାନେ ମତ ରଖିଥିଲେ । ସୁରେଶ ରାଉତରାୟଙ୍କୁ ଏ ଅବସରରେ ଆମ୍ବେଦକର ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏଥିସହ ଖୋର୍ଦ୍ଧା ଉପ ନିବନ୍ଧକ ବିଜୟ ସେଠୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଅନୁଷ୍ଠାନର ସଭାପତି ମୋହନ ନାୟକ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ । ମେହେନ୍ତର ଓ ଶବର ସାଙ୍ଗିଆାଧାରୀଙ୍କୁ ଜାତି ପ୍ରମାଣପତ୍ର ମିଳିବା ସମସ୍ୟାର ସମାଧାନ ସହ ଖାେର୍ଦ୍ଧାରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ଶ୍ରୀ ନାୟକ ଅତିଥିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଇଂ.ଅଞ୍ଜଳି ନାୟକ ସଂଯୋଜନା କରିଥିବାବେଳେ ଆଇନଜୀବୀ ରଞ୍ଜିତ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ ।

ବିଳମ୍ବିତ ରାତିରେ ଜଳିଲା ଭୁବନେଶ୍ବର କେଶରୀ ମଲ୍, ସର୍ଟ ସର୍କିଟରୁ ଲାଗିଥିଲା ନିଆଁ

ଭୁବନେଶ୍ୱର: ଅଗ୍ନିକାଣ୍ଡରେ ଜଳି ପୋଡ଼ି ପାଉଁଶ ହୋଇଗଲା ୪୪ ଲକ୍ଷ ଟଙ୍କାର ସମ୍ପତ୍ତି । ଭୁବନେଶ୍ବର ବିଏମସି କେଶରୀ ମଲରେ ଘଟିଥିବା ଅଗ୍ନିକାଣ୍ଡରେ ହୋଇଛି ବ୍ୟାପକ କ୍ଷୟକ୍ଷତି । ବିଳମ୍ବିତ ରାତିରେ ହୁତୁ ହୁତୁ ହୋଇ ଜଳିଲା ଭୁବନେଶ୍ବର କେଶରୀ ମଲ । ଧୂଆଁମୟ ହୋଇଗଲା ଚାରିପାଖ । ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ବେଳେ, ମଲର ୬ରୁ ୭ଟି ସୋ ରୁମରେ ନିଆଁ ଲାଗିଥିଲା । ଘଟଣାସ୍ଥଳରେ ତୁରନ୍ତ ଅଗ୍ନିଶମ ବାହିନୀ ପହଞ୍ଚି ମଲର କାଚ ଭାଙ୍ଗି ଭିତରେ ପଶିଥିଲେ । ୩ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ ଅଗ୍ନିଶମ ବାହିନୀ । ଅଜୟ ଗାର୍ମେଣ୍ଟସରୁ ପ୍ରଥମେ ନିଆଁ ଲାଗିଥିଲା । ଏହି ଭୟାବହ ଅଗ୍ନିକାଣ୍ଡରେ ଅଜୟ ଗାର୍ମେଣ୍ଟ ସୋ’ ରୁମରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବିଳମ୍ବିତ ରାତିରେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ ଭୁବନେଶ୍ବର ମେୟର ସୁଲୋଚନା ଦାସ ।

ମାହାଙ୍ଗା ଗଣହତ୍ୟା ମାମଲା, ଆଜି ସରୁଛି ଅଭିଯୁକ୍ତ ଶିବ ସାହୁର ରିମାଣ୍ଡ ଅବଧି

ମାହାଙ୍ଗା: ଆଜି ସରୁଛି ମାହାଙ୍ଗା ଗଣହତ୍ୟାର ଅଭିଯୁକ୍ତ ଶିବର ରିମାଣ୍ଡ ଅବଧି । ହତ୍ୟାକାଣ୍ଡର ବିଭିନ୍ନ ଦିଗକୁ ନେଇ ଅଭିଯୁକ୍ତ ଶିବ ପ୍ରସାଦ ସାହୁକୁ ମାରାଥନ୍ ଜେରା କରୁଛି ପୋଲିସ । ପ୍ରାଥମିକ ତଦନ୍ତରୁ ଶିବ ଏକା ହତ୍ୟା କରିଥିବା ପୋଲିସ କହୁଥିଲେ ମଧ୍ୟ ଏନେଇ ତନାଘନା କରାଯାଉଛି । ତେବେ ଆଜି ରିମାଣ୍ଡର ଶେଷ ଦିନରେ ଅଭିଯୁକ୍ତକୁ କ୍ରସ ଇଣ୍ଟୋରୋଗେସନ୍ କରିବ ପୋଲିସ । ଗତକାଲି କ୍ରାଇମସ୍ପଟକୁ ଯାଇ ମର୍ଡରର ଡେମୋ ଦେଖାଇଥିଲା ଶିବପ୍ରସାଦ । ନିଜ ମୁହଁରେ କହିଥିଲା ଗଣହତ୍ୟାର ପୂରା କାହାଣୀ ।

କେମିତି ଜଣକ ପରେ ଜଣଙ୍କୁ ହାଣିଥିଲା ଶିବ ? କ୍ରାଇମସ୍ପଟରେ ପୂରା ହତ୍ୟାକାଣ୍ଡର ଡେମୋ ଦେଖାଇଛି ଅଭିଯୁକ୍ତ । ଘର ଲାଇଟ ବନ୍ଦ କରି ମୋବାଇଲ୍ ଟର୍ଚ୍ଚରେ ହତ୍ୟା କରିଥିଲା ଅଭିଯୁକ୍ତ । ପ୍ରଥମେ ଭାଇ ଓ ଭାଉଜଙ୍କୁ ମାରିଥିଲା । ପରେ ଝିଆରୀ ପୁତୁରାଙ୍କୁ ହତ୍ୟା କରିଥିଲା । ହତ୍ୟା ପରେ ୫ ଜଣଙ୍କ ହାତ, ଗୋଡ଼ର ଶିରା କାଟିଥିଲା । ସମସ୍ତ ୫ ଜଣଙ୍କୁ ହତ୍ୟା କରିବା ପରେ ସମସ୍ତଙ୍କ ମୃତଦେହକୁ ଘୋଷାଡ଼ି ଆଣି ଗୋଟିଏ ଘରେ ପକାଇଥିଲା ଶିବ । ଘରୁ ଶାବଳ ଓ ମାରଣାସ୍ତ୍ର ଜବତ କରିଛି ପୋଲିସ। ପ୍ରାଥମିକ ତଦନ୍ତରୁ ଶିବ ଏକା ସଂପୃକ୍ତ ଥିବା ପୋଲିସ କହିଛି ।

ଆଜି କୋଟିଆ ଯିବେ ସିଏସ ସୁରେଶ ମହାପାତ୍ର, ବିକାଶମୂଳକ କାର୍ଯ୍ୟର କରିବେ ସମୀକ୍ଷା

କୋରାପୁଟ: ଓଡ଼ିଶା ପ୍ରଶାସନିକ ଇତିହାସରେ ପ୍ରଥମ । ସଡ଼କ ପଥରେ ଲାଲଗଡ଼ରେ ପାଦ ରଖି ଉନ୍ନୟନ କାର୍ଯ୍ୟର ସମୀକ୍ଷା କରୁଛନ୍ତି ମୁଖ୍ୟ ଶାସନ ସଚିବ । ସିଏସଙ୍କ ୩ ଦିନିଆ ଅବିଭକ୍ତ କୋରାପୁଟ ଗସ୍ତର ଆଜି ଶେଷ ଦିନ । ଶେଷ ଦିନରେ କୋଟିଆ ଓ ଦେଓମାଳି ଗସ୍ତ କରିବେ ମୁଖ୍ୟ ଶାସନ ସଚିବ । କୋଟିଆକୁ ନେଇ ଆନ୍ଧ୍ରର ଷଡ଼ଯନ୍ତ୍ର ଜାରି ରହିଛି । ବାରମ୍ବାର ବିଫଳ ହେବା ପରେ ବି ଲୋଭ ଛାଡ଼ିନି ଆନ୍ଧ୍ର । ସବୁ ସମୟରେ ଆନ୍ଧ୍ରକୁ କଡ଼ା ଜବାବ ଦେଉଛି ଓଡ଼ିଶା । ଏଭଳି ସମୟରେ ସିଏସଙ୍କ କୋଟିଆ ଗସ୍ତ ଅନେକ ଗୁରୁତ୍ୱ ବହନ କରୁଛି । ରାଜ୍ୟ ସରକାରଙ୍କ ତରଫରୁ କୋଟିଆରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଜାରି ରହିଛି ।

ଆଜି ସେସବୁର ସମୀକ୍ଷା କରିବେ ମୁଖ୍ୟ ଶାସନ ସଚିବ । କୋଟିଆ ସହିତ ଦେଓମାଳି ଓ କୋରାପୁଟ ମେଡିକାଲ କଲେଜ ପରିଦର୍ଶନ କରିବେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଗତକାଲି ମାନକାନଗିରିର ସ୍ୱାଭିମାନ ଅଞ୍ଚଳରେ ସେ ସମୀକ୍ଷା କରିଛନ୍ତି । ସ୍ୱାଭିମାନ ଅଞ୍ଚଳରେ ପାନୀୟ ଜଳ ଯୋଗାଣ, ସଡ଼କ ନିର୍ମାଣ, ସ୍ୱାସ୍ଥ୍ୟସେବା, ଟେଲିକମ ସେବା, ଚାଷୀଙ୍କ ରୋଜଗାର ବୃଦ୍ଧି, ବିକଳ୍ପ ରୋଜଗାର ପନ୍ଥା, ଶିକ୍ଷା, ଜଳସେଚନ, ପର୍ଯ୍ୟଟନ, ବିଦ୍ୟୁତ ସଂଯୋଗ ଆଦି ସବୁ ପ୍ରକାର ବିକାଶମୂଳକ କାର୍ଯ୍ୟ କିଭଳି ତ୍ୱରାନ୍ୱିତ ହୋଇପାରିବ ସେନେଇ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।