କୋଲକାତା: ଉପନିର୍ବାଚନ ବେଳେ ହିଂସା । ପଶ୍ଚିମବଙ୍ଗରେ ଉପ ନିର୍ବାଚନ ପାଇଁ ଭୋଟିଂ ଜାରି ରହିଥିବା ବେଳେ କେତେକ ସ୍ଥାନରେ ଉତ୍ତେଜନା ଦେଖାଯାଇଛି । ଆସାନସୋଲ ଲୋକସଭା ନିର୍ବାଚନ ମଣ୍ଡଳୀ ଓ ୪ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟିଂ । ଆସାନସୋଲ ଲୋକସଭା ଆସନ ପାଇଁ ଟିଏମସିର ଶତ୍ରୁଘ୍ନ ସିହ୍ନା ଓ ବିଜେପିର ଅଗ୍ନିମିତ୍ର ପଲ୍ ପ୍ରାର୍ଥୀ ହୋଇଛନ୍ତି । ଭୋଟିଂ ବେଳେ ଆସାନସୋଲ ନିର୍ବାଚନ ମଣ୍ଡଳୀ ଅଧୀନ କିଛି ବୁଥରେ ଉତ୍ତେଜନା ଦେଖାଯାଇଛି । ବିଜେପି ପ୍ରାର୍ଥୀ ଅଗ୍ନିମିତ୍ର ପଲ୍ ନିଜ ସୁରକ୍ଷାକର୍ମୀଙ୍କ ସହ ବୁଥ ଭିତରକୁ ଜୋର ଜବରଦସ୍ତି ପ୍ରବେଶ କରିଥିଲେ । ଯାହାକୁ ନେଇ ଦୁଇ ଦଳର କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । କେତେଜଣ ଟେକା ପଥର ମାଡ଼ କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଉପରେ ନଜର ରଖିଛି ।
ଝାଡ଼ଖଣ୍ଡ ଦେଓଘର ରୋପ-ଓ୍ୱେ ଟ୍ରାଜେଡି, ୪୫ ଘଣ୍ଟା ପରେ ବି ଜାରି ରହିଛି ଅପରେସନ
ଝାଡ଼ଖଣ୍ଡ: ଝାଡ଼ଖଣ୍ଡ ଦେଓଘର ତ୍ରିକୂଟ ପର୍ବତ ରୋପଓ୍ବେ ଟ୍ରାଜେଡି । ୪୪ ଘଣ୍ଟା ପରେ ବି ଅପରେସନ ଜାରି । ଏହି ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪୦ ଲୋକଙ୍କୁ ଉଦ୍ଧାର କରାଗଲାଣି । ତଥାପି ଏବେବି ୬ ଜଣ ଲୋକ ଫସିଥିବା ସୂଚନା ମିଳିଛି । ଉଦ୍ଧାର କାର୍ଯ୍ୟରେ ବାୟୁସେନାର Mi-17 ଓ Mi-17 V5 ହେଲିକପ୍ଟର, ଆଇଟିବିପି, ବିଏସଏଫ, ଏନଡିଆରଏଫ ଟିମ୍ ନିୟୋଜିତ ହୋଇଥିଲେ ବି ଉଦ୍ଧାର କାର୍ଯ୍ୟ ବିଳମ୍ବିତ ହୋଇଛି । ଫସିଥିବା ଲୋକଙ୍କୁ ଡ୍ରୋନ ସହାୟତାରେ ଖାଦ୍ୟ ଓ ପାନୀୟ ଯୋଗାଇଦିଆଯାଉଛି ।
#WATCH | Ropeway accident in Deoghar, Jharkhand: Rescue operation resumes. 7 more people rescued, as per DC Deoghar
(Source: ITBP) pic.twitter.com/MXwBJC5Omz
— ANI (@ANI) April 12, 2022
ସେପଟେ ଗତକାଲି ଉଦ୍ଧାରବେଳେ ଜଣେ ବ୍ୟକ୍ତି ଶେଷ ମୁହୂର୍ତ୍ତରେ ହେଲିକପ୍ଟରରୁ ତଳକୁ ଖସିପଡ଼ି ପ୍ରାଣ ହରାଇଥିଲେ । ଦେଓଘର ଡେପୁଟି କମିଶନର ମଞ୍ଜୁନାଥ ଭଜାନ୍ତ୍ରି କହିଛନ୍ତି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଗତକାଲି ସନ୍ଧ୍ୟା ହୋଇଯିବା ପରେ ଉଦ୍ଧାର କାର୍ଯ୍ୟ ସ୍ଥଗିତ ରହିଥିଲା । ଆଜି ସକାଳୁ ପୁଣି ତାହା ଆରମ୍ଭ ହୋଇଥିଲା । ଅନ୍ୟପକ୍ଷରେ ରୋପ ଓ୍ୱ ଦୁର୍ଘଟଣା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ନିର୍ଦ୍ଦେଶ ଦେଇଛନ୍ତି ।
ଲୋୟର ପିଏମଜିରେ ଯୁବକଙ୍କୁ ହତ୍ୟା ଘଟଣାରେ କାର୍ଯ୍ୟାନୁଷ୍ଠାନ, ୨ ଅଭିଯୁକ୍ତଙ୍କୁ ଅଟକ ରଖିଛି ପୋଲିସ
ଭୁବନେଶ୍ୱର: ଲୋୟର ପିଏମଜିରେ ବବଲୁ ବେହେରାଙ୍କୁ ହତ୍ୟା ଘଟଣାରେ କାର୍ଯ୍ୟାନୁଷ୍ଠାନ । ଏହି ହତ୍ୟା ଘଟଣାରେ ୨ ଅଭିଯୁକ୍ତଙ୍କୁ ଅଟକ ରଖିଛି ପୋଲିସ । ଖାରବେଳନଗର ଥାନା ପୋଲିସ ୨ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି । ଗତକାଲି ରକ୍ତ ଜୁଡୁବୁଡୁ ଅବସ୍ଥାରେ ବବଲୁ ବେହେରାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ୨ ଅଭିଯୁକ୍ତ ଶ୍ରମିକ ଶ୍ରେଣୀର ହୋଇଥିବା ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି । ସାମାନ୍ୟ ବଚସାରୁ ଏହି ହତ୍ୟାକାଣ୍ଡ ହୋଇଥିଲା ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି । ୨ ଦିନ ପୂର୍ବରୁ ୨ ଅଭିଯୁକ୍ତଙ୍କ ସହ ମୃତ ବବୁଲର ଝଗଡା ହୋଇଥିଲା । ଝଗଡ଼ା କାରଣରୁ ଗତକାଲି ସକାଳୁ ଲୋୟର ପିଏମଜି ଅଫିସ ନିକଟରୁ ବବଲୁର ମୃତଦେହ ଜବତ କରିଥିଲା ପୋଲିସ । ବବଲୁଙ୍କ ମୃତଦେହ ଜବତ କରିବା ସହ ବବଲୁଙ୍କ ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ପାରିବାରିକ ବିବାଦର କରୁଣ ପରିଣତି, ସ୍ତ୍ରୀକୁ ହତ୍ୟା ଉଦ୍ୟମ କରି ଥାନାରେ ଆତ୍ମସମର୍ପଣ କଲେ ସ୍ୱାମୀ
ପୁରୀ: ପାରିବାରିକ ବିବାଦର କରୁଣ ପରିଣତି । ସ୍ତ୍ରୀକୁ ହତ୍ୟା ଉଦ୍ୟମ ପରେ ଥାନାରେ ଆତ୍ମସମର୍ପଣ କରିଛି ସ୍ୱାମୀ । ଏଭଳି ଘଟଣା ଘଟିଛି ପୁରୀ ଜିଲ୍ଲା ଗୋପ ଥାନା ଅଧୀନ ବେଗୁନିଆ ଛକରେ । କୌଣସି କାରଣରୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା । ଉଭୟଙ୍କ ମଧ୍ୟରେ ହୋଇଥିବା ବଚସାରେ ଉତ୍ତ୍ୟକ୍ତ ହୋଇ ସ୍ୱାମୀ ବୈରାଗୀ ବେହେରା ସ୍ତ୍ରୀ ମନ୍ଦାକିନୀଙ୍କୁ କଟୁରୀରେ ହାଣି ହତ୍ୟା ଉଦ୍ୟମ କରିଥିଲା । ମନ୍ଦାକିନୀଙ୍କୁ ପ୍ରଥମେ ଗୋପ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥଲା । ପରେ ତାଙ୍କୁ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ସ୍ତ୍ରୀକୁ ହାଣିବା ପରେ ଗୋପ ଥାନାରେ ପହଞ୍ଚି ଆତ୍ମସମର୍ପଣ କରିଛି ବୈରାଗୀ । ପୋଲିସ ବୈରାଗୀକୁ ଅଟକ ରଖି ଅଧିକ ପଚରାଉଚରା କରୁଛି ।
ଭାରତ-ଆମେରିକା ମଧ୍ୟରେ ବଢ଼ିବ ପ୍ରତିରକ୍ଷା ଓ ଦ୍ୱିପାକ୍ଷିକ ସମ୍ପର୍କ
ନୂଆଦିଲ୍ଲୀ: ଭାରତ-ଆମେରିକା ମଧ୍ୟରେ ବଢ଼ିବ ପ୍ରତିରକ୍ଷା ଓ ଦ୍ୱିପାକ୍ଷିକ ସମ୍ପର୍କ । ବିଶ୍ୱରେ ସ୍ଥିରତା ନେଇ ଉଭୟ ରାଷ୍ଟ୍ର କାର୍ଯ୍ୟ କରିବେ । ଆମେରିକା ଗସ୍ତରେ ଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ସହ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଲିଡ୍ ଅଷ୍ଟିନ ଓ ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନଙ୍କ ମଧ୍ୟରେ ହୋଇଛି ହାଇପ୍ରୋଫାଇଲ ଆଲୋଚନା । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭର୍ଚୁଆଲ ମିଟ୍ ପରେ ଏହି ୨ ପ୍ଲସ ୨ ଆଲୋଚନା ହୋଇଛି । ଜୟଶଙ୍କର କହିଛନ୍ତି, ଏହି ଆଲୋଚନା ଭାରତ ଓ ଆମେରିକା ମଧ୍ୟରେ ଥିବା ସମ୍ପର୍କକୁ ଅଧିକ ମଜବୁତ କରିବ ।
ପ୍ରତିରକ୍ଷା, ନିରାପତ୍ତା, ବୈଦେଶିକ ନୀତି ଲାଗି ପ୍ରଶସ୍ତ ମାର୍ଗ ଉନ୍ମୋଚିତ ହୋଇଛି । ୧୬୦ ବିଲିୟନ ଡଲାରର ବାଣିଜ୍ୟିକ ସମ୍ପର୍କ, ଆମେରିକାରେ ଅଧ୍ୟୟନରତ ପ୍ରାୟ ୨ ଲକ୍ଷ ଛାତ୍ରଛାତ୍ରୀ, ନିବେଶ, ଶକ୍ତି କ୍ଷେତ୍ରରେ ନିବେଶ ଆଦି ପ୍ରସଙ୍ଗରେ ଆଲୋଚନା ହୋଇଛି । କୋଭିଡ ମୁକାବିଲାରେ ବି ଭାରତ ଓ ଆମେରିକା ମିଳିତ ଭାବେ କାର୍ଯ୍ୟ କରିବେ ବୋଲି କହିଛନ୍ତି ଜୟଶଙ୍କର । ସେହିପରି ବ୍ଲିଙ୍କେନ କହିଛନ୍ତି, ଏହି ଆଲୋଚନା ବେଳେ ଋଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗ, କୋଭିଡ ମୁକାବିଲା, ଭାରତ-ପ୍ରଶାନ୍ତ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା, ମହାକାଶ ସମ୍ପର୍କ, ଉଚ୍ଚ ଶିକ୍ଷା ପ୍ରତିଷ୍ଠାନ ମଧ୍ୟରେ ସହଭାଗିତା ଆଦି ପ୍ରସଙ୍ଗରେ ଆଲୋଚନା ହୋଇଛି ।
ସେହିପରି ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଅଷ୍ଟିନ ମଧ୍ୟ ଭାରତ-ପ୍ରଶାନ୍ତ ଅଞ୍ଚଳରେ ନିରାପତ୍ତା ସମେତ ପ୍ରତିରକ୍ଷା ସହଭାଗିତା ଉପରେ ଗୁରୁତ୍ୱ ଦେଇଥିଲେ । ଯେ କୌଣସି ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ଆମେରିକା ପ୍ରସ୍ତୁତ ବୋଲି ସେ କହିଥିଲେ । ସେହିପରି ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସମ୍ପର୍କ ଭାରତ-ଆମେରିକା କୌଶଳଗତ ସମ୍ପର୍କକୁ ଶକ୍ତିଶାଳୀ କରିବ ବୋଲି କହିଥିଲେ ରାଜନାଥ । ଭାରତରେ ଅଧିକରୁ ଅଧିକ ଆମେରିକୀୟ କମ୍ପାନୀ ନିବେଶ କରିବାକୁ ରାଜନାଥ ଆହ୍ୱାନ ଦେଇଛନ୍ତି ।
ରାଜ୍ୟରେ ଖରା ବର୍ଷାର ଲୁଚକାଳି ଖେଳ, ଆସନ୍ତା ୧୬ ପର୍ଯ୍ୟନ୍ତ ଜାରି ରହିବ ପ୍ରବଳ ତାତି
ଭୁବନେଶ୍ୱର: ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଜାରି ରହିବ ଖରା ବର୍ଷାର ଲୁଚକାଳି ଖେଳ । ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ବଢ଼ିବ ହେଲେ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା । ଘଡ଼ଘଡ଼ି ବିଜୁଳି ସହ ବର୍ଷା ପାଇଁ ୧୫ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ନୂଆପଡ଼ା, ବଲାଙ୍ଗିର, ଯାଜପୁର, ଭଦ୍ରକ, ବାଲେଶ୍ୱର, ଗଞ୍ଜାମ ଏବଂ ଗଜପତି ଜିଲ୍ଲାକୁ କାଳବୈଶାଖୀ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି ।
ଏବେ ଉପକୂଳ ଓଡ଼ିଶାରେ ସ୍ୱାଭାବିକ ତାପମାତ୍ରା ଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଆସନ୍ତା ୨ ଦିନ ମଧ୍ୟରେ ଆହୁରି ତାତି ବଢ଼ିବ ବୋଲି ପାଣିପାଗ କେନ୍ଦ୍ର ସ୍ପଷ୍ଟ କରିଛି । ସ୍ୱାଭାବିକଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ବଢ଼ିବ । ତେଣୁ ଦିନ ୧୨ଟାରୁ ୩ଟା ପର୍ଯ୍ୟନ୍ତ ଜରୁରୀ କାମ ନ ଥିଲେ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଅପରାହ୍ନରେ ଆକାଶ ମେଘାଛନ୍ନ ରହିବା ସହ ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ସର୍ବାଧିକ ୩୮ ଡିଗ୍ରୀ ପର୍ଯ୍ୟନ୍ତ ଯାଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
ଗଞ୍ଜାମ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କର ଦର୍ଶନ କଲେ ୫-ଟି ସଚିବ
ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କର ଚାଲିଛି ଚୈତ୍ର ଯାତ୍ରା । ଆଜି ମା’ଙ୍କ ଚୈତ୍ର ଯାତ୍ରାର ଶେଷ ମଙ୍ଗଳବାର । ଏହି ଅବସରରେ ମା’ଙ୍କୁ ଦର୍ଶନ କରିଛନ୍ତି ୫-ଟି ସଚିବ ଭି.କେ ପାଣ୍ଡିଆନ । ୫-ଟି ସଚିବଙ୍କ ସହ ତାଙ୍କ ଧର୍ମପତ୍ନୀ ମଧ୍ୟ ମା’ଙ୍କୁ ଦର୍ଶନ କରିଛନ୍ତି । ୫-ଟି ସଚିବଙ୍କ ଗସ୍ତ ସମୟରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଗଞ୍ଜାମ ଏସପି ବ୍ରିଜେଶ ରାୟଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।
ୟୁକ୍ରେନରେ ଋଷ ପ୍ରୟୋଗ କରିପାରେ ରାସାୟନିକ ଅସ୍ତ୍ର, ଖୁବଶୀଘ୍ର ପୋର୍ଟସିଟି ମାରିୟୁପୋଲକୁ କରିପାରେ କବଜା
କିଭ୍: ୟୁକ୍ରେନରେ ଋଷ ପ୍ରୟୋଗ କରିପାରେ ରାସାୟନିକ ଅସ୍ତ୍ର । ଏନେଇ ସତର୍କ ସୂଚନା ଜାରି କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ଏନେଇ ତୁରନ୍ତ ଋଷ ବିରୋଧରେ କଡ଼ା କଟକଣା ଜାରି କରିବାକୁ ପାଶ୍ଚାତ୍ୟ ରାଷ୍ଟ୍ର ନିକଟରେ ଦାବି କରିଛନ୍ତି ଜେଲେନସ୍କି । ସେପଟେ ବିଭିନ୍ନ ପର୍ଯ୍ୟାୟ ଆଲୋଚନା ଜାରି ରହିଥିଲେ ବି ୟୁକ୍ରେନ ଉପରେ ଆଟାକ୍ ଜାରି ରହିବ ବୋଲି ଘୋଷଣା କରିଛି ଋଷ । ଖୁବଶୀଘ୍ର ପୋର୍ଟସିଟି ମାରିୟୁପୋଲକୁ ଋଷ ଅକ୍ତିଆର କରିପାରେ ବୋଲି ସୂଚନା ମିଳିଛି ।
ମାରିୟୁପୋଲରେ ଋଷ ରାସାୟନିକ ଅସ୍ତ୍ର ପ୍ରୟୋଗ କରିଥିବା ନେଇ ମଧ୍ୟ ଅସମର୍ଥିତ ସୂଚନା ମିଳିଛି । ତେବେ ପ୍ରକୃତରେ ରାସାୟନିକ ଅସ୍ତ୍ର ପ୍ରୟୋଗ ହୋଇଛି କି ନାହିଁ ସେନେଇ ତଦନ୍ତ କରୁଛି ବ୍ରିଟେନ । ଏକ ଭିଡିଓ ବାର୍ତ୍ତାରେ ଜେଲେନସ୍କି ଏହି ଆଶଙ୍କା ବ୍ୟକ୍ତ କରିଥିବା ସତ୍ତ୍ୱେ ବର୍ତ୍ତମାନ ସୁଦ୍ଧା ରାସାୟନିକ ଅସ୍ତ୍ର ପ୍ରୟୋଗ ହୋଇଥିବା ସମ୍ପର୍କରେ କିଛି ଉଲ୍ଲେଖ କରିନାହାନ୍ତି । ସେପଟେ ଯୁଦ୍ଧର ୪୮ ଦିନରେ ବି ଜାରି ରହିଛି ଆକ୍ରମଣ । ପୋର୍ଟସିଟି ମାରିୟୁପୋଲରେ ଋଷ ଆକ୍ରମଣ ଜାରି ରହିଥିବା ବେଳେ ପୂର୍ବ ୟୁକ୍ରେନରେ ଆକ୍ରମଣ ଜୋରଦାର କରିଛି ।
ସେପଟେ ଯୁଦ୍ଧ ବନ୍ଦ କରିବା ଲାଗି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ମସ୍କୋରେ ଆଲୋଚନା କରିଛନ୍ତି ଅଷ୍ଟ୍ରିଆ ଚାନସେଲର କାର୍ଲ ନେହମ୍ମର । ତୁରନ୍ତ ଯୁଦ୍ଧ ବନ୍ଦ କରି ୟୁକ୍ରେନରେ ଯେପରି ଶାନ୍ତି ଫେରିବ, ସେଥିଲାଗି ସେ ବିଭିନ୍ନ ପ୍ରସ୍ତାବ ଦେଇଛନ୍ତି । ଫେବ୍ରୁଆରୀ ୨୪ରେ ଯୁଦ୍ଧ ଆରମ୍ଭ ପରଠାରୁ ପ୍ରଥମ ଥର ଲାଗି ହାଇପ୍ରୋଫାଇଲ ଭେଟଘାଟ କ୍ରମେ ପୁଟିନଙ୍କୁ ଭେଟିଛନ୍ତି ପ୍ରଥମ ୟୁରୋପୀୟ ନେତା ନେହମ୍ମର । ସେପଟେ କେବଳ ମାରିୟୁପୋଲ ସହରରେ ୧୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଲାଣି ବୋଲି କହିଛନ୍ତି ମେୟର । ଏବେ ବି ସହରର ବିଭିନ୍ନ ସ୍ଥାନରେ ଅନେକ ଶବ ପଡ଼ିରହିଛି । ଏସବୁକୁ ମିଶାଇଲେ ମୃତ୍ୟୁ ସଂଖ୍ୟା ୨୦ ହଜାର ଟପିବ ବୋଲି ସେ ଆଶଙ୍କା ବ୍ୟକ୍ତ କରିଛନ୍ତି ।
କେନ୍ଦୁଝରରେ ସମସ୍ତ ନେଟଓ୍ୱର୍କର ଇଣ୍ଟରନେଟ୍ ସେବା ବନ୍ଦ, ଯୋଡ଼ା ମାର୍କେଟ ଅଞ୍ଚଳରେ ୧୪୪ ଧାରା ଜାରି
କେନ୍ଦୁଝର: କେନ୍ଦୁଝରରେ ସମସ୍ତ ନେଟଓ୍ୱର୍କର ଇଣ୍ଟରନେଟ୍ ସେବା ବନ୍ଦ । ଯୋଡ଼ା ମାର୍କେଟ ଅଞ୍ଚଳରେ ଜାରି ହୋଇଛି ୧୪୪ ଧାରା । ଉତ୍ତେଜନାକୁ ଦୃଷ୍ଟିରେ ରଖି ୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଯୋଡ଼ା ସହର ଉପରେ ଛାଉଣୀ ହୋଇଛି ପୋଲିସ । ଗତକାଲି ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ଗଣ୍ଡଗୋଳକୁ ନେଇ ପଦକ୍ଷେପ ନେଇଛି ପୋଲିସ । ଗୋଟିଏ ଗୋଷ୍ଠୀର ଲୋକେ ପତାକା ଧରି ଯାଉଥିବା ବେଳେ ଅନ୍ୟ ଗୋଷ୍ଠୀର ଲୋକେ ବିରୋଧ କରିବାରୁ ଗଣ୍ଡଗୋଳ ହୋଇଥିଲା । ଟେକା ପଥର ମାଡ଼ରେ ଉଭୟ ପକ୍ଷରୁ ଏକାଧିକ ବ୍ୟକ୍ତି ହୋଇଥିଲେ ଆହତ । ଉତ୍ତେଜନା ନିୟନ୍ତ୍ରଣ ପାଇଁ ପୋଲିସକୁ ଫାଙ୍କା ଗୁଳି ଚାଳନା କରିବାକୁ ପଡିଥିଲା । ଚମ୍ପୁଆ ଉପଜିଲ୍ଲାପାଳ, ବଡ଼ବିଲ ଏସଡିପିଓ, ତହସିଲଦାରଙ୍କ ସମେତ ପୋଲିସ୍ ଫୋର୍ସ ସ୍ଥିତି ଉପରେ ନଜର ରଖିଛନ୍ତି ।
IPL ୨୦୨୨: ଗୁଜୁରାଟର ବିଜୟରେ ବ୍ରେକ ଲଗାଇଲା ହାଇଦ୍ରାବାଦ
ମୁମ୍ବାଇ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗରେ ଗତକାଲି ଖେଳାଯାଇଥିବା ମ୍ୟାଚରେ ବିଜୟ ଲାଭ କରିଛି ସନରାଇଜର୍ସ ହାଇଦ୍ରାବାଦ । ଗୁଜୁରାଯ ଟାଇଟନ୍ସର ବିଜୟ ଧାରା ଉପରେ ବ୍ରେକ୍ ଲଗାଇଛି ସନରାଇଜର୍ସ ହାଇଦ୍ରାବାଦ । ଗତକାଲି ଆଇପିଏଲରେ ୨୧ ତମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ସନରାଇଜର୍ସ ହାଇଦ୍ରାବାଦ ଓ ଗୁଜୁରାଟ ଟାଇଟନ୍ସ । ଏହି ମ୍ୟାଚରେ ଟସ୍ ହାରି ବ୍ୟାଟିଂ କରିଥିଲା ଗୁଜୁରାଟ ଟାଇଟନ୍ସ । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ଗୁଜୁରାଟ ୭ ଓ୍ୱିକେଟ ବିନିମୟରେ ୧୬୨ ରନ କରିଥିଲା । ଗୁଜୁରାଟ ପକ୍ଷରୁ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୫୦ ରନ କରିଥିବାବେଳେ ଅଭିନବ ମନୋହର ୩୫ ରନ କରିଥିଲେ । ହାଇଦ୍ରାବାଦ ପକ୍ଷରୁ ଭୁବନେଶ୍ୱର କୁମାର ଓ ଟି ନଟରାଜନ ଦୁଇଟି ଲେଖାଏଁ ଓ୍ୱିକେଟ ଅକ୍ତିଆର କରିଥିଲେ ।
Kane Williamson is the Player of the Match for his match winning knock of 57 off 46 deliveries.
Scorecard – https://t.co/phXicAbLCE #SRHvGT #TATAIPL pic.twitter.com/5NKiEv7XVw
— IndianPremierLeague (@IPL) April 11, 2022
୧୬୩ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ସନରାଇରଜର୍ସ ହାଇଦ୍ରାବାଦ ୫ଟି ବଲ ବାକି ଥାଇ ଏହି ବିଜୟ ଲାଭ କରିଥିଲା । ହାଇଦ୍ରାବାଦ ପକ୍ଷରୁ ଅଧିନାୟକ କେନ୍ ଓ୍ୱିଲିୟମସନ ୫୭ ରନ, ଅଭିଶେକ ଶର୍ମା ୪୨ ରନ ଓ ନିକୋଲାସ ପୁରନ ୩୫ ରନ କରିଥିଲେ । ଏହି ବିଜୟ ସହ ହାଇଦ୍ରାବାଦ ଗୁଜୁରାଟ ଟାଇଟନ୍ସର ବିଜୟ ଧାରା ଉପରେ ବ୍ରେକ ଲଗାଇଛି ।

