spot_img
Home Blog Page 4422

ଗିନିଜ୍ ବୁକ୍ ଅଫ୍ ଓ୍ୱାର୍ଲଡ ରେକର୍ଡରେ ସ୍ଥାନ ପାଇଲା କେନ୍ଦୁଝର ରଥ

କେନ୍ଦୁଝର: ଗିନିଜ୍ ବୁକରେ କେନ୍ଦୁଝରର ରଥ । କେନ୍ଦୁଝର ଶ୍ରୀ ବଳଦେବଜୀଉଙ୍କ ନନ୍ଦିଘୋଷ ରଥକୁ ମିଳିଛି ବିଶ୍ୱର ସର୍ବବୃହତ ରଥର ମାନ୍ୟତା । ଚଳିତ ବର୍ଷ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଆସିଛି ଖୁସି ଖବର । ଏଥିସହ ପୁରୀ ବଡ଼ଦାଣ୍ଡ ପରି ଝଲସିବ କେନ୍ଦୁଝର ଶ୍ରୀ ବଳଦେବଜୀଉଙ୍କର ବଡ଼ଦାଣ୍ଡ । ଜିଲ୍ଲା ପ୍ରଶାସନ ପକ୍ଷରୁ ବଡ଼ଦାଣ୍ଡରେ ଏକ କାର୍ଯ୍ୟକ୍ରମରେ ଘୋଷଣା କରାଯାଇଛି । ବଡ଼ଦାଣ୍ଡରେ ହେବ ଆକର୍ଷଣୀୟ ପୁଷ୍ପଚିତ୍ରର ସାଜସଜ୍ଜା । ଏହାସହ ବଡ଼ଦାଣ୍ଡରେ ଶ୍ରୀଜିଉଙ୍କର ବିଭିନ୍ନ ପଟ୍ଟଚିତ୍ର ସ୍ଥାପନ ଓ ବଡ଼ଦାଣ୍ଡ ପାର୍ଶ୍ୱରେ ଏକକ କଳାକୃତି ଆଦି ସ୍ଥାପନ କରାଯିବ । ବଡ଼ଦାଣ୍ଡର ସୌନ୍ଦର୍ଯ୍ୟକରଣ ପ୍ରକ୍ରିୟା ଆଗାମୀ ରଥଯାତ୍ରା ପୂର୍ବରୁ ସମ୍ପନ୍ନ କରାଯିବ ବୋଲି ପୁରୁଣା ବଜାର ଶ୍ରୀବଳଦେବଜୀଉ ମନ୍ଦିର ସମ୍ମୁଖରେ ଏକ କାର୍ଯ୍ୟକ୍ରମରେ ଘୋଷଣା କରିଛନ୍ତି ଜିଲ୍ଲାପାଳ ।

 

୪ ଶହ ବର୍ଷରୁ ଅଧିକ ପୁରୁଣା ଆଦିବାସୀ ପରମ୍ପରାର ଏହି ରଥଯାତ୍ରା ଆଜି ବିଶ୍ୱଦରବାରରେ ତା’ର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ୫ଟି ସଂସ୍ଥା ଏହି ସ୍ବୀକୃତି ପ୍ରଦାନ କରିଛନ୍ତି । ୭୨ଫୁଟ ଉଚ୍ଚତାର ଏହି କାଠ ରଥର ଓସାର ଓ ପ୍ରସ୍ତ ୪୫ ଫୁଟ ଏଥିରେ ୧୬ଟି ଚକ ରହିଛି । କେନ୍ଦୁଝର ବଳଦେବଜୀଉ ମନ୍ଦିରର ମୁକ୍ୟ ଦେବତା ପ୍ରଭୁ ବଳଭଦ୍ର ହୋଇଥିଲେ ବି ଏହି ରଥର ନାମ ରହିଛି ନନ୍ଦିଘୋଷ । ଏଠାରେ ରଥ ଟାଣିବାକୁ ବ୍ୟବହୃତ ହେଉଥିବା ଦଉଡ଼ି ଆଦିବାସୀ ସମ୍ପ୍ରଦାୟର ଭୂୟାଁମାନେ କରନ୍ତି । ସିଆଡି ଲତାରେ ପ୍ରସ୍ତୁତ ହୁଏ । ଗତ ଅକ୍ଷୟ ତୃତୀୟାରୁ ରଥ କାମ ଆରମ୍ଭ ହୋଇଥିବା ବେଳେ ୨୦ରୁ ଅଧିକ ମହାରଣା ଓ ଶ୍ରମିକ ନିୟୋଜିତ ଅଛନ୍ତି । ସବୁଠାରୁ ବଡ଼କଥା, କେନ୍ଦୁଝରରେ ରଥଯାତ୍ରାରେ ରଥ ଖୋଲାଯାଏନି । ବର୍ଷତମାମ ବଡ଼ଦାଣ୍ଡରେ ସେମିତି ଦଣ୍ଡାୟମାନ ଥାଏ ଏହି ରଥ ।

ମାତ୍ର ୨୩ ବର୍ଷ ବୟସରେ ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇଥିଲେ ରହମାନ୍

ମୁମ୍ବାଇ: ବଲିଉଡର ଲୋକପ୍ରିୟ ସଂଗୀତକାର ଏ ଆର୍ ରହମାନଙ୍କ ଗୀତଗୁଡିକ କେବଳ ଦେଶରେ ନୁହେଁ, ପୂରା ବିଶ୍ୱରେ ପସନ୍ଦ କରାଯାଏ । ସେ ଭାରତୀୟ ସିନେମାର ସଙ୍ଗୀତକୁ ଏକ ଭିନ୍ନ ଦିଗକୁ ନେଇଯାଇଛନ୍ତି । ଆଉ ଏଥି ପାଇଁ ତାଙ୍କୁ ଖିବ୍ ପସନ୍ଦ ମଧ୍ୟ କରାଯାଏ । ଦେଶ ପାଇଁ ଓସ୍କାର ଏବଂ ଗ୍ରାମି ପୁରସ୍କାର ଜିତିଥିବା ରହମାନଙ୍କ ବୃତ୍ତିଗତ ଜୀବନ ସହ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି । କିନ୍ତୁ ଆପଣ ଜାଣନ୍ତି କି ଆର୍ ରହମାନଙ୍କ ଅର୍ଥାତ୍ ଆଲ୍ଲାହା ରଖା ରହମାନଙ୍କ ପ୍ରକୃତ ନାମ ଦିଲ୍ଲୀପ କୁମାର ଥିଲା ।

ଆର୍ ରହମାନଙ୍କ ଜନ୍ମ ୧୯୬୭ମସିହା ଜାନୁଆରୀ ୬ରେ ତାମିଲନାଡୁର ମାଡ୍ରାସରେ ହୋଇଥିଲା । ତାଙ୍କ ବାପା ଆର.କେ ଶେଖର ଫିଲ୍ମର ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ ପ୍ରସ୍ତୁତ କରନ୍ତି । ଏ ଆର୍ ରହମାନ ମାତ୍ର ଚାରି ବର୍ଷ ବୟସରେ ପିଆନୋ ଶିଖିବା ଆରମ୍ଭ କରିଥିଲେ ।

ଯେତେବେଳେ ରହମାନଙ୍କ ବାପାଙ୍କର ମୃତ୍ୟୁ ହୋଇଥିଲା, ସେତେବେଳେ ତାଙ୍କୁ ମାତ୍ର ୯ ବର୍ଷ ହୋଇଥିଲା । ଆଉ ତାଙ୍କ ବାପାଙ୍କ ଦେହାନ୍ତ ପରେ ରହମାନଙ୍କ ପରିବାର ଘରେ ଥିବା ବାଦ୍ୟଯନ୍ତ୍ରକୁ ଭଡା କରି ରୋଜଗାର କରିବା ଆରମ୍ଭ କରିଥିଲେ । ସେହି ସମୟରେ ପାଠ ପଢୁଥିବା ରହମାନଙ୍କ ଉପରେ ପରିବାର ଭରଣ ପୋସଣର ଦାୟିତ୍ୱ ଆସିଯାଇଥିଲା । ଯେଉଁଥିପାଇଁ ସେ ଆଉ ପାଠ ପଢିପାରି ନଥିଲେ ଏବଂ ପରୀକ୍ଷାରେ ଫେଲ ହୋଇଥିଲେ । ଆଉ ଏହା ପରେ ସ୍କୁଲର ପ୍ରିନ୍ସପାଲ ତାଙ୍କୁ ଏବଂ ତାଙ୍କ ମାଙ୍କୁ ଅପମାନିତ କରିଥିଲେ । ଆଉ କହିଥିଲେ ଯେ, ମା ପୁଅ ଯଆଇ ରାସ୍ତାରେ ଭିକ ମାଗ ଆଉ ସ୍କୁଲକୁ ଆସିବା ଦରକାର ନାହିଁ । ୨୦୧୨ରେ ଏକ ସାକ୍ଷାତକାରରେ ଆର୍ ରହମାନ୍ ନିଜେ ଏ କଥା କହିଥିଲେ ।

ଆଉ ଏହା ପରେ ଏ ଆର୍ ରହମାନ ଅନ୍ୟ ଏକ ସ୍କୁଲରେ ପଢିଥିଲେ, ଯେଉଁଠାରେ ସେ ତାଙ୍କ ଉଚ୍ଚ ବିଦ୍ୟାଳୟର ସହପାଠୀମାନଙ୍କ ସହିତ ଏକ ବ୍ୟାଣ୍ଡପାର୍ଟି ତିଆରି କରିଥିଲେ । ଏହା ପରେ, ସେ ତାଙ୍କ ମା ସହିତ ଆଲୋଚନା କରିବା ପରେ ପାଠ ପଢା ଛାଡି ପୂରା ସମୟ ସଂଗୀତରେ ବତାଇ ଥିଲେ ଏବଂ ଏହି କ୍ଷେତ୍ରରେ ନିଜର କ୍ୟାରିଅର୍ କରିବାକୁ ନିଷ୍ପତ୍ତି ନେଇଥିଲେ । ସେ ତାଙ୍କ ପିଲାଦିନର ସାଙ୍ଗମାନଙ୍କ ସହିତ ଏକ ବ୍ୟାଣ୍ଡ ପାର୍ଟି କରିଥିଲେ । ସେ ଅନେକ ବାଦ୍ୟଯନ୍ତ୍ର ବଜାଇବାରେ ପାରଙ୍ଗମ ଥିଲେ । ଆଉ ତା’ପରେ ତାଙ୍କର କଠିନ ସଂଘର୍ଷ ପରେ ସେ ସଫଳତା ହାସଲ କଲେ ।

ରହମାନଙ୍କ ଧର୍ମ ପରିବର୍ତ୍ତନ ସହ ଜଡିତ ଅନେକ କାହାଣୀ ଅଛି, କିନ୍ତୁ କୁହାଯାଏ ଯେ ୧୯୮୪ରେ ତାଙ୍କ ଭଉଣୀର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ସେହି ସମୟରେ ସେ କାଦ୍ରିଙ୍କୁ ଭେଟିଥିଲେ । ୨୩ବର୍ଷ ବୟସରେ ସେ ନିଜ ପରିବାର ସହିତ ଇସଲାମ ଧର୍ମ ଗ୍ରହଣ କରିଥିଲେ ଏବଂ ଦିଲୀପ କୁମାରଙ୍କ ନାମ ଆଲ୍ଲାହା ରଖା ରେହମାନରେ ପରିବର୍ତ୍ତନ କରିଥିଲେ ।

କୋଟାକ୍ ସିକ୍ୟୁରିଟି ନାଁରେ ୭୦ ଲକ୍ଷରୁ ଅଧିକ ଟଙ୍କା ଠକେଇ, ଥାନାରେ ଏତଲା ଦେଲେ ୩୦ ନିବେଶକାରୀ

ସାଲେପୁର: କୋଟାକ ସିକ୍ୟୁରିଟି ନାଁରେ ୭୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଟଙ୍କା ଠକେଇ ଅଭିଯୋଗ । ଏଭଳି ଘଟଣା ଘଟିଛି କଟକ ସାଲେପୁରରେ । ସାଲେପୁର ରୋଧପୁର ଅଞ୍ଚଳର ହିତେଶ ଷଡ଼ଙ୍ଗୀ କୋଟାକ ସିକ୍ୟୁରିଟି ସଂସ୍ଥାରେ ଟଙ୍କା ରଖି ଅଧିକରୁ ଅଧିକ ଫେରସ୍ତ କରିବା କହି ଲୋଭ ଦେଖାଇଥିଲେ । ଏମିତି କହି ବହୁ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଆଣିଥିଲେ । କିନ୍ତୁ ଏହି ଟଙ୍କା ଲୋକଙ୍କୁ ନ ଫେରେଇବାରୁ ସାଲେପୁର ଥାନାରେ 30ରୁ ଅଧିକ ନିବେଶକାରୀ ଏତଲା ଦେଇଛନ୍ତି ।

ଏତଲା ଆଧାରରେ ପୋଲିସ ହିତେଶଙ୍କ ସମେତ ଏହି ସଂସ୍ଥାର ଫ୍ରାଞ୍ଚାଇଜ ଆଣିଥିବା ଅକ୍ଷୟ କୁମାର ପତି ଓ ତାଙ୍କ ସ୍ତ୍ରୀ ରାଜଶ୍ରୀ ଦାଶଙ୍କୁ ମଧ୍ୟ ପୋଲିସ ଉଠାଇ ଆଣିଛି । ଅନ୍ୟ ହିତାଧିକାରୀଙ୍କୁ ମଧ୍ୟ ପୋଲିସ ପାଖରେ ଆସି ଅଭିଯୋଗ କରିବା ପାଇଁ ଅତିରିକ୍ତ ଏସପି ଜଣାଇଛନ୍ତି । ଏନେଇ ସାଲେପୁର ଥାନାରେ ଏକ ମାମଲା ରୁଜୁ ହେବା ସହ ହିତେଶ ଷଡ଼ଙ୍ଗୀ ଓ ଅକ୍ଷୟ ପତିଙ୍କୁ ଗିରଫ କରାଯାଇଛି ବୋଲି ମଧ୍ୟ ସେ ଜଣାଇଛନ୍ତି । ଆଗକୁ ଏହି ମାମଲାରେ ଆଉ ଯାହାର ସମ୍ପୃକ୍ତି ଆସିବ ତାଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଜଣାପଡ଼ିଛି ।

 

ରୋଷେଇ ଘରେ ମହଙ୍ଗା ମାଡ଼, ଆହୁରି ୫୦ ଟଙ୍କା ବଢ଼ିଲା ଘରୋଇ ଗ୍ୟାସ ସିଲିଣ୍ଡର ଦାମ୍

ଭୁବନେଶ୍ୱର: ରୋଷେଇ ଘରେ ମହଙ୍ଗା ମାଡ଼ । ଆହୁରି ୫୦ ଟଙ୍କା ବଢ଼ିଲା ଘରୋଇ ଗ୍ୟାସ ସିଲିଣ୍ଡର ଦାମ୍ । ଆଜିଠୁ ଏହି ନୂଆ ଦର ଲାଗୁ ହୋଇଛି । ନୂଆ ଦର ଲାଗୁ ହେବା ପରେ ଘରୋଇ ସିଲିଣ୍ଡର ଦର ୯୯୯.୫୦ ଟଙ୍କା ହୋଇଛି । ଏହା ପୂର୍ବରୁ ୨୦୨୨ ମାର୍ଚ୍ଚରେ ଘରୋଇ ସିଲିଣ୍ଡର ଦର ୫୦ ଟଙ୍କାର ବୃଦ୍ଧି ହୋଇଛି । ଚଳିତ ମାସ ୧ ତାରିଖରେ ତୈଳ କମ୍ପାନୀ ଏଲପିଜି ଗ୍ୟାସ ଦର ୧୦୨.୫୦ ଟଙ୍କା ବୃଦ୍ଧି ହୋଇଥିଲା । ଏହି ଦର ୧୯ କିଲୋଗ୍ରାମ କମର୍ଶିଆଲ ସିଲିଣ୍ଡର ଉପରେ ପଡ଼ିଥିଲା । ଦର ବଢ଼ିବା ପରେ ୧୯ କେଜି ଗ୍ୟାସ ସିଲିଣ୍ଡର ମୂଲ୍ୟ ୨୩୫୫.୫୦ ଟଙ୍କା ହୋଇଛି ।

ତେବେ ବର୍ତ୍ତମାନ ଘରୋଇ ସିଲିଣ୍ଡର ମୂଲ୍ୟ ବୃଦ୍ଧି ହେବା ପରେ ଭୁବନେଶ୍ବରରେ ଘରୋଇ ଗ୍ୟାସ ସିଲିଣ୍ଡର ପିଛା ଦେବାକୁ ପଡ଼ିବ ୧୦୨୬ ଟଙ୍କା । ବାରମ୍ବାର ଦର ବଢ଼ୁଥିବାରୁ କେମିତି ଚାଲିବ ପରିବାର ତାକୁ ନେଇ ଚିନ୍ତାରେ ପଡ଼ିଲେଣି ଖାଉଟି । ଏହସହ ଦର ବୃଦ୍ଧିକୁ ନେଇ ବଢ଼ିଲାଣି ଅସନ୍ତୋଷ ।

ଋଷ-ୟୁକ୍ରେନ ଯୁଦ୍ଧ: ଶାନ୍ତିପୂର୍ଣ୍ଣ ସମାଧାନ ଲାଗି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କ ଉଦ୍ୟମ

କିଭ୍: ଋଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗ । ଶାନ୍ତିପୂର୍ଣ୍ଣ ସମାଧାନ ଲାଗି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କ ଉଦ୍ୟମକୁ ପ୍ରଥମ ଥର ଲାଗି ନିରାପତ୍ତା ପରିଷଦ ସମର୍ଥନ କରିଛି । ନରଓ୍ବେ ଓ ମେକ୍ସିକୋ ଦ୍ବାରା ପ୍ରସ୍ତୁତ ଏହି ଘୋଷଣାକୁ ଅନ୍ୟ ସମସ୍ତ ସଦସ୍ୟ ରାଷ୍ଟ୍ର ସମର୍ଥନ କରିଛନ୍ତି । ଶାନ୍ତିପୂର୍ଣ୍ଣ ସମାଧାନ ଲାଗି ଜାତିସଂଘ ଚାହେଁ ଏବଂ ଜାତିସଂଘ ଘୋଷଣାନାମା ଅନୁସାରେ ଏହି ପ୍ରସ୍ତାବକୁ ସହମତି ଭିତ୍ତିରେ ସମର୍ଥନ କରାଗଲା ବୋଲି ୧୫ ସଦସ୍ୟ ବିଶିଷ୍ଟ ନିରାପତ୍ତା ପରିଷଦ ଘୋଷଣା କରିଛି ।

ଏହି ପ୍ରସ୍ତାବ କ୍ରମେ ଜାତିସଂଘ ମହାସଚିବ ଶାନ୍ତି ପ୍ରତିଷ୍ଠା ଲାଗି ପୂର୍ଣ୍ଣ ଉଦ୍ୟମ କରିବେ । ଗତ ଫେବ୍ରୁଆରୀ ୨୪ରେ ଯୁଦ୍ଧ ଆରମ୍ଭ ପରେ ପ୍ରଥମ ଥର ଲାଗି ଏହି ପ୍ରସ୍ତାବ ଗୃହୀତ ହୋଇଛି । ସେପଟେ ଏହି ପ୍ରସ୍ତାବ ଗୃହୀତ ହେବା ପରେ ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ନିନ୍ଦା ତଥା ସୈନ୍ୟ ପ୍ରତ୍ୟାହ୍ୟାର ନେଇ ଆଗତ ଏକ ପ୍ରସ୍ତାବ ଉପରେ ଭିଟୋ ପ୍ରୟୋଗ କରିଛି ଋଷ ।

ସେପଟେ ୟୁକ୍ରେନକୁ ପୁଣି ୧୫୦ ନିୟୁତ ଡଲାରର ସାମରିକ ପ୍ୟାକେଜ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଏହି ପ୍ୟାକେଜ ଅନୁସାରେ ୨୫ ହଜାର ଗୋଳା, କାଉଣ୍ଟର ଆର୍ଟିଲେରି ରାଡାର, ଇଲେକ୍ଟ୍ରୋନିକ ଜାମିଂ ସିଷ୍ଟମ ଆଦି ଅସ୍ତ୍ର ଓ ସାମଗ୍ରୀ ୟୁକ୍ରେନ ପାଇବ । ପୂର୍ବରୁ ୟୁକ୍ରେନକୁ ଆମେରିକା ୩ ଦଶମିକ ୪ ବିଲିୟନ ଡଲାରର ଯୁଦ୍ଧାସ୍ତ୍ର ପ୍ରଦାନ କରିସାରିଛି ।

ଖଣି ସଚିବଙ୍କ ଘରୁ କୋଟି କୋଟି ଟଙ୍କା ଜବତ !

ରାଞ୍ଚି: ଖଣି ସଚିବଙ୍କ ଘରୁ ପୁଳା ପୁଳା ଟଙ୍କା ଜବତ । ଟଙ୍କା ଏତେ ଏହାକୁ ଗଣିବାକୁ ମେସିନର ସାହାଯ୍ୟ ନେବାକୁ ପଡ଼ିଛି । ଝାଡ଼ଖଣ୍ତର ବରିଷ୍ଠ ଆଇଏଏସ ଅଧିକାରୀ ପୂଜା ସିଙ୍ଘଲ ଏବଂ ତାଙ୍କ ସହ ଜଡ଼ିତ ଥିବା ୨୫ଟି ସ୍ଥାନରେ ଶୁକ୍ରବାର ଦିନ ଇଡି ଟିମ୍ ଏକାବେଳେ ଚଢଉ କରିଛି । ଏହି ସମୟରେ ତାଙ୍କ ପାଖରୁ ନଗଦ ୧୯ କୋଟି ଟଙ୍କା ଜବତ ହୋଇଛି । ଆଉ ଏହି ଟଙ୍କାକୁ ଇଡି ଜବତ କରିବା ସହିତ ଏହାକୁ ଗଣିବା ଲାଗି ଦୁଇଟି ଟଙ୍କା ଗଣା ମେସିନ୍‌ର ସହାୟତା ନେଇଥିବା ଜଣାପଡିଛି ।

ଏହି ଅଭିଯୁକ୍ତ ଆଇଏଏସ୍ ଅଧିକାରୀ ହେଉଛନ୍ତି ପୂଜା ସିଙ୍ଘଲ। ମନରେଗା ଯୋଜନାରେ ଦୁର୍ନୀତି କରିବା ନେଇ ପୂଜାଙ୍କ ବିରୋଧରେ ଅଭିଯୋଗ ହୋଇଛି। ପୂଜା ଏବେ ଝାଡ଼ଖଣ୍ଡ ସରକାରରେ ଖଣି ସଚିବ ଅଛନ୍ତି । ଜବତ ୧୯କୋଟି ମଧ୍ୟରୁ ପୂଜାଙ୍କ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ସୁମନ୍‌ କୁମାରଙ୍କ ଘରୁ ୧୭ କୋଟି ମିଳିଛି । ଅବଶିଷ୍ଟ ୨ କୋଟିରୁ ଅଧିକ ଟଙ୍କା ପୂଜାଙ୍କ ଘରୁ ମିଳିଛି ।

ନିକଟରେ ଇଡି ଜଣେ ବିଭାଗୀୟ ଅଧିକାରୀ ରାମ ବିନୋଦ ପ୍ରସାଦ ସିହ୍ନା ନାମକ ବ୍ୟକ୍ତିଙ୍କୁ ଗିରଫ କରିଥିଲା । ଏହା ପୂର୍ବରୁ ଏହି ବିଭାଗୀୟ ଅଧିକାରୀଙ୍କ ବିରୋଧରେ ଝାଡଖଣ୍ଡ ଭିଜିଲାନ୍ସ ଦୁର୍ନୀତି ଅଭିଯୋଗରେ ୧୬ଟି ମାମଲା ରୁଜୁ କରିଥିଲ। । ବିଭାଗୀୟ ଅଧିକାରୀଙ୍କୁ ଜେରା କରିବା ବେଳେ ଆଇଏଏସ୍‌ ପୂଜା ସିଙ୍ଗଲଙ୍କ ନାମ ସାମ୍ନାକୁ ଆସିଥିଲା।

ଏହି ଦୂର୍ନୀତି ଅଭିଯୁକ୍ତ ଆଇଏଏସ ଅଫିସରଙ୍କ ଝାଡଖଣ୍ଡ, ବିହାର, ରାଜସ୍ଥାନ, ପଶ୍ଚିମବଙ୍ଗ ଏବଂ ମୁମ୍ବାଇରେ ଥିବା ଫାର୍ମ ହାଉସରେ ଇଡି ରେଡ୍ କରିଥିବା ସୂଚନା ରହିଛି । ସୂଚନାଯୋଗ୍ୟ, ନିକଟରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ନିର୍ବାଚନ କମିସନ ଖଣି ସମ୍ପର୍କିତ ଲାଇସେନ୍ସ ନେବା ଘଟଣାରେ ନୋଟିସ କରିଛନ୍ତି।

ଆଜି ସରୁଛି ମାଟ୍ରିକ୍ ପରୀକ୍ଷା, ଶେଷ ଦିନରେ ସାମାଜିକ ବିଜ୍ଞାନରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଆଜି ସରୁଛି ମାଟ୍ରିକ ପରୀକ୍ଷା । ଦୁଇ ବର୍ଷ ପରେ କ୍ଲାସରେ ବସି ଅଫଲାଇନରେ ପରୀକ୍ଷା ଦେଉଛନ୍ତି ପରୀକ୍ଷାର୍ଥୀ । ଆଜି ସମ୍ମେଟିଭ୍-୨ ମାଟ୍ରିକ ପରୀକ୍ଷା ସରୁଥିବା ବେଳେ, ଆସନ୍ତା ୧୦ ତାରିଖରେ ମଧ୍ୟମା ଓ ଓପନ୍ ସ୍କୁଲର ପରୀକ୍ଷା ଶେଷ ହେବ । ୩୫୪୦ଟି କେନ୍ଦ୍ରରେ ମୋଟ ୫ ଲକ୍ଷ ୮୫ ହଜାର ୭୩୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ୩୨୦୩ ପରୀକ୍ଷା କେନ୍ଦ୍ରରେ ୫ ଲକ୍ଷ ୭୧ ହଜାର ୯୦୯ ଜଣ ପରୀକ୍ଷାର୍ଥୀ ସମ୍ମେଟିଭ୍-୨ ପରୀକ୍ଷା ଦେଉଛନ୍ତି । ୯୩୭୮ ଜଣ ଓପନ୍ ସ୍କୁଲରେ ଓ ୪୪୪୩ ଜଣ ପରୀକ୍ଷାର୍ଥୀ ମଧ୍ୟମା ପରୀକ୍ଷା ଦେଉଛନ୍ତି । ପ୍ରତିଦିନ ଗୋଟିଏ ଲେଖାଏଁ ପେପରରେ ପରୀକ୍ଷା ଚାଲିଛି ।

ଶ୍ରୀଲଙ୍କାରେ ପୁଣି ଜରୁରିକାଳୀନ ପରିସ୍ଥିତି ଜାରି

କଲମ୍ବୋ: ଶ୍ରୀଲଙ୍କାରେ ପୁଣି ଜରୁରିକାଳୀନ ପରିସ୍ଥିତି ଜାରି । ଦ୍ବିତୀୟ ଥର ଲାଗି ଏହି ପଦକ୍ଷେପ ନେଇଛନ୍ତି ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ । ନିରାପତ୍ତା ବାହିନୀ କବଳକୁ ଯାଇଛି ଦେଶର କ୍ଷମତା । ସାରାଦେଶରେ ସରକାର ବିରୋଧୀ ଆନ୍ଦୋଳନ ନିୟନ୍ତ୍ରଣ ବାହାରକୁ ଯିବାରୁ ରାଷ୍ଟ୍ରପତି ନେଇଛନ୍ତି ଏହି ପଦକ୍ଷେପ । ରାଷ୍ଟ୍ରପତିଙ୍କ ଇସ୍ତଫା ଦାବିରେ ଦେଶର ଶତାଧିକ ଟ୍ରେଡ୍ ୟୁନିୟନ ଦେଶବ୍ୟାପୀ ହରତାଳ କରିବା ପରେ ରାଷ୍ଟ୍ରପତି ବାଧ୍ୟ ହୋଇ ଜରୁରିକାଳୀନ ପରିସ୍ଥିତି ଜାରି କରିଛନ୍ତି ।

ସଂସଦ ଭବନ ଆଗରେ ଚାଲିଥିବା ଆନ୍ଦୋଳନକୁ ଦମନ କରିବା ଲାଗି ପୋଲିସ ଲୁହବୁହା ଗ୍ୟାସ ଓ ଜଳତୋପ ପ୍ରୟୋଗ କରିଛି । ସେପଟେ ସାରା ଦେଶରେ ଖାଦ୍ୟ, ଇନ୍ଧନ, ମେଡିସିନର ଅଭାବ ଅଧିକ ଘନୀଭୂତ ହୋଇଛି । ୧୯୪୮ରେ ସ୍ବାଧୀନତା ପରେ ସବୁଠାରୁ ଗୁରୁତର ଆର୍ଥିକ ସଂକଟ ବଳୟକୁ ଠେଲି ହୋଇଯାଇଥିବା ଶ୍ରୀଲଙ୍କାର ସ୍ଥିତି ଦିନକୁ ଦିନ ଅଧିକ ଉଦବେଗଜନକ ହେବାରେ ଲାଗିଛି ।

ଗତକାଲି ହୋଇଥିବ ଦେଶବ୍ୟାପୀ ଧର୍ମଘଟରେ ଲକ୍ଷ ଲକ୍ଷ କର୍ମଚାରୀ ଓ ଶ୍ରମିକ ଯୋଗ ଦେଇଥିବାରୁ ଉତ୍ପାଦନ ପ୍ରକ୍ରିୟା ଠପ୍ ହେବା ସହ ଯାନବାହନ ଚଳାଚଳ ବନ୍ଦ ହୋଇଯାଇଥିଲା । ସେପଟେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ଇସ୍ତଫା ଦେବାକୁ ଅଗ୍ରାହ୍ୟ କରିଛନ୍ତି ।

ପୁରୀରେ 5T ସଚିବ ଭି.କେ ପାଣ୍ଡିଆନ

ପୁରୀ: ପୁରୀରେ 5T ସଚିବ ଭି.କେ ପାଣ୍ଡିଆନ । ଆଜି ସେ ସପତ୍ନୀଙ୍କ ସହ ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି । ପତ୍ନୀ ତଥା ମିଶନ ଶକ୍ତିର ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟ ପାଣ୍ଡିଆନ ପୁରୀରେ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି । ସକାଳୁ ପୁରୀରେ ପହଞ୍ଚି ଶ୍ରୀମନ୍ଦିରକୁ ଯାଇ ବେଢ଼ା ପରିକ୍ରମା କରିବା ସହ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ।  ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ ପରେ ସେ ଭୁବନେଶ୍ୱର ଫେରିଛନ୍ତି ।

 

ଆଜି ଅବପାତର ରୂପ ନେବ ଲଘୁଚାପ, ସମ୍ଭାବ୍ୟ ବାତ୍ୟା ନେଇ ଆଜି ଆସିବ ସ୍ପଷ୍ଟ ଚିତ୍ର

ଭୁବନେଶ୍ୱର: ଆଜି ଅବପାତର ରୂପ ନେବ ଲଘୁଚାପ । ଉତ୍ତର ପଶ୍ଚିମ ଦିଗରେ ଗତି କରି ଆଜି ଅବପାତ ଓ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ବାତ୍ୟାରେ ପରିଣତ ହେବା ନେଇ ଆଶଙ୍କା ରହିଛି । ଏହା ପୂର୍ବରୁ ଆଜି ସମ୍ଭାବ୍ୟ ବାତ୍ୟା ନେଇ ସ୍ପଷ୍ଟ ଚିତ୍ର ଆସିବ । ୧୦ ତାରିଖ ବେଳକୁ ଉତ୍ତର ଆନ୍ଧ୍ର ଓ ଓଡ଼ିଶା ଉପକୂଳର ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବ । ୧୦ ତାରିଖରେ ପ୍ରବଳ ବର୍ଷା ନେଇ ଗଂଜାମ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁରକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

କେନ୍ଦ୍ରୀୟ ବଙ୍ଗୋପସାଗରରେ ୯ ତାରିଖରେ ଘଣ୍ଟା ପ୍ରତି ୬୫ରୁ ୭୫ କିମି ବେଗରେ ପବନ ବହିବ । ୧୦ତାରିଖ ବେଳକୁ ପବନର ବେଗ ବଢ଼ି ୭୦ରୁ ୮୦ କିମି ଓ ଝଟକା ପବନ ଘଣ୍ଟାକୁ ୯୦କିମି ରହିବ । ତେଣୁ ଗଭୀର ସମୁଦ୍ରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ସତର୍କ କରାଯାଇଛି । ତେବେ ବାତ୍ୟା ଏତେଟା ଶକ୍ତିଶାଳୀ ହେବନାହିଁ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି । ଯଦି ଓଡିଶା ଉପକୂଳ ଦେଇ ଏହା ଗତି କରେ କିମ୍ବା ଓଡିଶାରେ ଲ୍ୟାଣ୍ଡଫଲ୍ କରେ, ସେତେବେଳେ ଏହା ଦୁର୍ବଳ ହୋଇଯାଇଥିବ । ଏବେ କାଳବୈଶାଖୀ ପ୍ରଭାବରେ ଜଳବାୟୁ ଥଣ୍ଡା ରହୁଛି । ବାତ୍ୟା ଶକ୍ତିଶାଳୀ ହେବା ପାଇଁ ଯେଉଁ ଉଷ୍ଣତା ଆବଶ୍ୟକ ତାହା କମିଛି । ତେଣୁ ଓଡିଶା ଉପକୂଳ ପାଖେଇବା ସମୟରେ ଏହା ଦୁର୍ବଳ ହୋଇ କେବଳ ଲଘୁଚାପ ହୋଇ ରହିଯିବ ।

ତେବେ ଲଘୁଚାପ ପ୍ରଭାବରେ ୯ ତାରିଖ ରାତିରୁ ରାଜ୍ୟରେ ବର୍ଷା ହେବ । ପ୍ରଥମେ ଦକ୍ଷିଣ ଓଡ଼ିଶା ଓ ୧୦ ତାରିଖରେ ଉପକୂଳରେ ବର୍ଷା ହେବ । ଏହାର ପ୍ରଭାବରେ ଜଳୀୟବାଷ୍ପ ବାୟୁମଣ୍ଡଳକୁ ଆସିବ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।