ଚିଲିକା: ଚିଲିକା ଡଙ୍ଗା ବୁଡ଼ି ଘଟଣାରେ ମିଳିଲା ନିଖୋଜ ରାଜକିଶୋରଙ୍କ ମୃତଦେହ । ଖାରିବନ୍ଧ ନିକଟରୁ ରାଜକିଶୋରଙ୍କ ମୃତଦେହ ଉଦ୍ଧାର କରିଛି ଟିମ୍ । ଭାରତୀୟ ନୌସେନା, ଓଟିଡିସି, ବାଲୁଗାଁ ପୋଲିସ୍ ଓ ଅଗ୍ନିଶମ ବାହିନୀ ପକ୍ଷରୁ ମିଳିତ ଭାବେ ଚିଲିକାରେ ଚାଲିଥିଲା ଉଦ୍ଧାର କାର୍ଯ୍ୟ । ନିଖୋଜ ହେବାର ୧୯ ଘଣ୍ଟା ପରେ ମିଳିଲା ରାଜକିଶୋରଙ୍କ ମୃତଦେହ । ନିଖୋଜ ରାଜକିଶୋର କାଳିଜାଇ ପୀଠରେ ଏକ ଦୋକାନ କରିଥିଲେ । ଗତକାଲି ୧୨ ଜଣ ଯାତ୍ରୀଙ୍କୁ ନେଇ କାଳିଜାଇରୁ ଫେରୁଥିଲା ଡଙ୍ଗା । କାଳବୈଶାଖୀ ଝଡ଼ରେ ଡଙ୍ଗାଟି ବୁଡ଼ି ଯାଇଥିଲା । ଡଙ୍ଗାରେ ୮ ଜଣ ପର୍ଯ୍ୟଟକଙ୍କ ସମେତ ତିନି ଜଣ ନୌକା ଚାଳକ ଓ ଦୋକାନୀ ରାଜକିଶୋର ଡଙ୍ଗାରେ ଫେରୁଥିଲେ । ମୃତ୍ୟୁ ମୁଖରୁ ୧୧ ଜଣଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସମସ୍ତ ପର୍ଯ୍ୟଟକ ବାଲେଶ୍ୱରର ବୋଲି ଜଣାପଡ଼ିଛି ।
ମାଛକୁଣ୍ଡ ପୋଲିସକୁ ବଡ଼ ସଫଳତା, ଚାଲାଣ ବେଳେ ସାଢ଼େ ୭ କୁଇଣ୍ଟାଲ ଗଞ୍ଜେଇ ଜବତ
ଲମତାପୁଟ: ପୁଣି ମାଛକୁଣ୍ଡ ପୋଲିସକୁ ବଡ଼ ସଫଳତା । ଚାଲାଣ ବେଳେ ଧରାପଡ଼ିଲା ସାଢ଼େ ସାତ କୁଇଣ୍ଟାଲ ଗଞ୍ଜେଇ । ୩ ଘଣ୍ଟାର ଅପରେସନ ପରେ ମାଛକୁଣ୍ଡ ଓ ଲମତାପୁଟ ପୋଲିସକୁ ମିଳିଛି ବଡ଼ ସଫଳତା । କଣ୍ଟାଗାଁ ନିକଟ ଜଙ୍ଗଲରୁ ମାଛକୁଣ୍ଡ ପୋଲିସ ସାଢ଼େ ୭ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି । ଯାହାର ମୂଲ୍ୟ ପ୍ରାୟ ୮୦ ଲକ୍ଷ ଟଙ୍କା ହେବ । ପୋଲିସକୁ ଦେଖି ମାଫିଆମାନେ ଜଙ୍ଗଲ ଦେଇ ଫେରାର ହୋଇଯାଇଥିଲେ । ୨୯ଟି ବସ୍ତାରେ ଥିବା ଗଞ୍ଜେଇକୁ ପୋଲିସ ଜବତ କରିଥିଲା । ଜବତ ଗଞ୍ଜେଇ ବାହାର ରାଜ୍ୟକୁ ଚୋରା ଚାଲାଣ କରାଯାଉଥିବା କହିଛି ପୋଲିସ ।
ଧାର୍ମିକ ସ୍ଥଳରୁ ଲାଉଡସ୍ପିକର ହଟାଇବା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତିରେ ମୋହର ଲଗାଇଲେ ଆଲାହାବାଦ ହାଇକୋର୍ଟ
ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଧାର୍ମିକ ସ୍ଥଳରୁ ଲାଉଡସ୍ପିକର ହଟାଇବା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତିରେ ଆଲାହାବାଦ ହାଇକୋର୍ଟ ମୋହର ମାରିଛନ୍ତି । ଲାଉଡସ୍ପିକର ଜରିଆରେ ଅଜାନ ମୌଳିକ ଅଧିକାର ନୁହେଁ ବୋଲି ହାଇକୋର୍ଟ କହିଛନ୍ତି । ଲାଉଡସ୍ପିକର ହଟାଇବା ନିଷ୍ପତ୍ତି ବିରୋଧରେ ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି ହାଇକୋର୍ଟ । ଯୋଗୀ ସରକାରଙ୍କ ଆଦେଶରେ ଉତ୍ତର ପ୍ରଦେଶର ଅନେକ ଧାର୍ମିକ ସ୍ଥଳରେ ଏଯାଏଁ ଏକ ଲକ୍ଷରୁ ଅଧିକ ଲାଉଡସ୍ପିକର ହଟାଯାଇଛି । ବଦାୟୁନର ଜଣେ ମୌଲବୀ ଲାଉଡସ୍ପିକର ପ୍ରସଙ୍ଗରେ ହାଇକୋର୍ଟରେ ଆବେଦନ କରିଥିଲେ ।
ବିବାହ ପୂର୍ବରୁ ଭାବି ସ୍ୱାମୀଙ୍କୁ ଗରିଫ କଲେ ମହିଳା ସବ ଇନସ୍ପେକ୍ଟର
ଆସାମ: ମହିଳା ପୋଲିସଙ୍କ ସାହସିକତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସେ ନିଜ ବିବାହ ପୂର୍ବରୁ ତାଙ୍କ ଭାବି ସ୍ୱାମୀଙ୍କୁ ଗରିଫ କରି ହାଜତକୁ ପଠାଇଛନ୍ତି । ଅଭିଯୋଗ ହେଉଛି ନକଲି ପ୍ରମାଣପତ୍ର ଦେଇ ସେ ମହିଳା ଇନସ୍ପେକ୍ଟରଙ୍କୁ ବିବାହ କରିବାକୁ ଚେଷ୍ଟା କରିଥିଲେ । କେବଳ ସେତିକି ନୁହେଁ ସେ ଅନ୍ୟ ଲୋକଙ୍କୁ ଚାକିରି ପ୍ରଲୋଭନ ଦେଖାଇ ଠକି ଥିବା ମଧ୍ୟ ସାମ୍ନାକୁ ଆସିଛି । ଆସାମର ନଗାଓଁ ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି । ଏଠାରେ ନିଯୁକ୍ତ ମହିଳା ସବ ଇନସ୍ପେକ୍ଟର ଜୋନମାଇ ରାଭା ନିଜର ଭାବି ସ୍ୱାମୀ ରାଣା ପଗାଗଙ୍କୁ ଜାଲିଆତି ମାମଲାରେ ଗିରଫ କରିଛନ୍ତି ।
ସୂଚନା ଅନୁସାରେ ରାଣା ପଗାଗ ମିଛ ପରିଚୟ ଦେଇ ଚାକିରି ଦେବାର ପ୍ରଲୋଭନ ଦେଖାଇ ଲୋକଙ୍କଠାରୁ ଟଙ୍କା ଲୁଟିଥିବା କଥିତ ଅଭିଯୋଗ ହୋଇଛି। ଏହାକୁ ନେଇ ପୀଡିତ ଲୋକେ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ। ଅଭିଯୋଗକୁ ଆଧାର କରି ପୋଲିସ ମାମଲା ରୁଜୁ କରିଥିଲା। ପରେ ଜୋନମାଇ ନିଜ ଭାବି ସ୍ୱାମୀଙ୍କୁ ଗିରଫ କରିଥିଲେ । ରିପୋର୍ଟ ଅନୁସାରେ, ଜନୋମଇଙ୍କ ଭାବି ସ୍ୱାମୀ ରାଣା ଅୟଲ ଇଣ୍ଡିଆ ଲିମିଟେଡର ଜଣେ ପିଆର ଅଧିକାରୀ ଭାବେ ନିଜର ମିଛ ପରିଚୟ ଦେବା ସହ କମ୍ପାନୀରେ ଚାକିରି ଦେବା ପ୍ରଲୋଭନ ଦେଖାଇ କୋଟି କୋଟି ଟଙ୍କା ହଡ଼ପ କରିଥିଲେ ।
ଜୋନମାଇ କହିଛନ୍ତି ଯେ, ଜାନୁଆରୀ ୨୦୨୧ରେ ମଜୁଲିରେ ପୋଷ୍ଟିଂ ସମୟରେ ସେ ରାଣାଙ୍କୁ ଭେଟିଥିଲେ । ଏହି ସମୟରେ, ରାଣା ନିଜକୁ ONGC ର ଜନସମ୍ପର୍କ ଅଧିକାରୀ ଭାବରେ ପରିଚୟ ଦେଇଥିଲେ । କିଛି ଦିନର ସମ୍ପର୍କ ପରେ ରାଣା ଜୋନମାଇଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ, ଯାହାକୁ ଜୋନମାଇ ଗ୍ରହଣ କରିଥିଲେ । ଏହା ପରେ, ଉଭୟ ଅକ୍ଟୋବର ୨୦୨୧ରେ ନିର୍ବନ୍ଧ ସରିଥିଲା । ଏବଂ ଚଳିତ ବର୍ଷ ନଭେମ୍ବରରେ ସେମାନଙ୍କର ବିବାହ ସ୍ଥିର ହୋଇଥିଲା ।
ଜୋନମାଇ ଆଉ ମଧ୍ୟ କହିଛନ୍ତି ଯେ, ବାସ୍ତବତା ଜାଣିବା ପରେ ମୁଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସେ ଅନେକ ନକଲି ଆଇଡି ପ୍ରୁଫ୍, ଅପରାଧୀକ ଡକ୍ୟୁମେଣ୍ଟ୍ , ଲାପଟପ୍, ଅନେକ ମୋବାଇଲ୍ ଫୋନ୍ ଏବଂ ଚେକ୍ ବୁକ୍ ଜବତ କରିଛୁ । ମୁଁ ଭଗବାନଙ୍କୁ ଧନ୍ୟବାଦ ଦେଉଛି ଏବଂ ମୋର କୌଣସି ଦୁଃଖ ନାହିଁ । ମୁଁ ଆସାମର ଲୋକଙ୍କୁ ଏକ ବାର୍ତ୍ତା ଦେବାକୁ ଚାହୁଁଛି ଯେ ଯଦି ସେମାନେ କିଛି ଭୁଲ୍ କରନ୍ତି ତେବେ ମୁଁ କାହାକୁ ଛାଡିବି ନାହିଁ, ସେ ମୋର ପରିବାରର ସଦସ୍ୟ ହୁଅନ୍ତୁ ନା କାହିଁକି ।

