spot_img
Home Blog Page 4426

ଯୁଦ୍ଧର ୭୨ ଦିନରେ ପୂର୍ବ ଓ ଦକ୍ଷିଣ ପୂର୍ବ ୟୁକ୍ରେନରେ ଋଷ ଚଳାଇଛି ଧ୍ବଂସଲୀଳା

କିଭ୍: ଋଷ ବିରୋଧରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ଗୁରୁତର ଅଭିଯୋଗ । ଆକ୍ରମଣରେ ଦେଶରେ ଧ୍ୱଂସ ହେଲାଣି ୪୦୦ରୁ ଅଧିକ ହସ୍ପିଟାଲ ଓ ପ୍ରତିଷ୍ଠାନ । ଏହାମଧ୍ୟରେ ରହିଛି ହସ୍ପିଟାଲ, ମାତୃକାଳୀନ କେନ୍ଦ୍ର, ଓପିଡି ଇତ୍ୟାଦି । ଡାକ୍ତରମାନେ ହସ୍ପିଟାଲ ଛାଡ଼ି ଅନ୍ୟତ୍ର ଚାଲିଗଲେଣି । ଋଷ ଅଧିକୃତ ଅଞ୍ଚଳରେ ସ୍ବାସ୍ଥ୍ୟ ସଂକଟ ଅତି ଗୁରୁତର ଆକାର ଧାରଣ କଲାଣି ବୋଲି କହିଛନ୍ତି ଜେଲେନସ୍କି ।

ଚିକିତ୍ସା ଅଭାବରୁ କ୍ୟାନସର, ମଧୁମେହ ରୋଗୀଙ୍କ ଅବସ୍ଥା ଜଟିଳ ହୋଇଛି । ଇନସୁଲିନଠାରୁ ଆରମ୍ଭ କରି ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ମେଡିସିନର ଅଭାବ ଯୋଗୁ ହଜାର ହଜାର ରୋଗୀ ଜୀବନ ମରଣ ସମସ୍ୟାରେ ରହିଥିବା ସେ କହିଛନ୍ତି । ଅନ୍ୟପଟେ କ୍ରେମଲିନ କହିଛି, କେବଳ ସାମରିକ ସ୍ଥଳଗୁଡିକ ଉପରେ ହିଁ ହମଲା କରାଯାଇଛି ।

ସେପଟେ ଯୁଦ୍ଧର ଅବସାନ ଲାଗି ପୁଣି ଥରେ ଆହ୍ବାନ ଦେଇଛନ୍ତି ଜାତିସଂଘ, ଆମେରିକା, ଆୟାରଲ୍ୟାଣ୍ଡ, ଫ୍ରାନ୍ସ ଓ ମେକ୍ସିକୋ । ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ କହିଛନ୍ତି, ୟୁକ୍ରେନବାସୀଙ୍କ ସ୍ବାର୍ଥ ଦୃଷ୍ଟିରୁ ଯୁଦ୍ଧ ବନ୍ଦ ହେବା ଆବଶ୍ୟକ । ପୋର୍ଟସିଟି ମାରିୟୁପୋଲରେ ତୃତୀୟ ପର୍ଯ୍ୟାୟ ରେସକ୍ୟୁ ଅପରେସନ ଜାରି ରହିଛି । ଆଜଭୋସ୍ତାଲ ଷ୍ଟିଲ ପ୍ଲାଣ୍ଟ ଓ ଅନ୍ୟାନ୍ୟ ସ୍ଥାନରେ ଜାତିସଂଘ ଓ ରେଡକ୍ରସ ପକ୍ଷରୁ ଉଦ୍ଧାର କାର୍ଯ୍ୟ ପୁଣି ଥରେ ଆରମ୍ଭ ହୋଇଛି ।

ଯୁଦ୍ଧର ୭୨ ଦିନରେ ପୂର୍ବ ଓ ଦକ୍ଷିଣ ପୂର୍ବ ୟୁକ୍ରେନରେ ଋଷ ଚଳାଇଛି ଧ୍ବଂସଲୀଳା । ୟୁକ୍ରେନ ବୈଦେଶିକ ମନ୍ତ୍ରୀ ଦିମିତ୍ରି କୁଲେବା କହିଛନ୍ତି, ୟୁକ୍ରେନରେ ଋଷ କ୍ଷେପଣାସ୍ତ୍ର ଆତଙ୍କବାଦ ଚଳାଇଛି । କ୍ଷେପଣାସ୍ତ୍ର ମାଡରେ ୟୁକ୍ରେନର ବହୁ ବିଦ୍ୟୁତ ଷ୍ଟେସନ, ରେଳ ଷ୍ଟେସନ, ଇନ୍ଧନ ଡିପୋ, ଗୋଳବାରୁଦ ଗୋଦାମ ନଷ୍ଟ ହୋଇଛି ବୋଲି ସେ କହିଛନ୍ତି ।

ସରୁନି ପ୍ରାଣୀଧନ ନିରୀକ୍ଷକଙ୍କର ସମ୍ପତ୍ତି ହିସାବ, କୁବେରଙ୍କ କଳା ସମ୍ପତ୍ତି ଦେଖି ଭିଜିଲାନ୍ସ ଟେରା

ଭୁବନେଶ୍ୱର: ସରୁନି ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତଙ୍କର ସମ୍ପତ୍ତି ହିସାବ । କଳାରଙ୍ଗର କୁବେରଙ୍କ କଳା ସମ୍ପତ୍ତି ଦେଖି ଭିଜିଲାନ୍ସ ଟେରା । ଜଗନ୍ନାଥ ରାଉତଙ୍କୁ ଅଟକ ରଖି ଚାଲିଛି ଅଧିକ ଖୋଳତାଡ଼ । ପ୍ରଶ୍ନ ଉଠୁଛି, ଜଗନ୍ନାଥ ଏତେ ସମ୍ପତ୍ତିର ମାଲିକ ହେଲେ କେମିତି? ଚାକିରି ଟଙ୍କା ବ୍ୟତୀତ ଆଉ କ’ଣ ଥିଲା ଇନକମ ସୋର୍ସ ? ଯାହାର ଖୋଳତାଡ଼ ପାଇଁ ଗିରଫ ପରେ କୋର୍ଟ ଚାଲାଣ କରିପାରେ ଭିଜିଲାନ୍ସ । ଏହା ପରେ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରିପାରେ ଭିଜିଲାନ୍ସ ।

ଏପର୍ଯ୍ୟନ୍ତ ଜଗନ୍ନାଥଙ୍କର ୭ କୋଟି ୨୧ ଲକ୍ଷ ଟଙ୍କାର ସଂପତ୍ତି ଠାବ ହୋଇଛି । ଏଥିରେ ରହିଛି ୯୦ଟି ପ୍ଲଟ, ୪ଟି ବଡ଼ କୋଠା ଓ ୩ଟି ଫ୍ଲାଟ । କେବଳ ଭୁବନେଶ୍ୱରରେ ରଘୁନାଥପୁରରେ ରହିଛି ୮ଟି ଫ୍ଲାଟ । ଏହା ସହିତ ୩୨ ଲକ୍ଷ ଟଙ୍କାର ୧୦ ଗ୍ରାମ ହୀରା, ୨୦ ଲକ୍ଷ ଟଙ୍କାର ଅଧ କିଲୋ ସୁନା ଅଳଙ୍କାର, ୨୫ ହଜାର ଟଙ୍କାର ରୁପା ଠାବ ହୋଇଛି । ଠାକୁର ଘରେ ଚାନ୍ଦିର ମୂର୍ତ୍ତି ଓ ହାତୀ, ୯୨ ହଜାର ଟଙ୍କାର ଘଣ୍ଟା ସହ ଘରେ ବିଳାସପୂର୍ଣ୍ଣ ଇଣ୍ଟେରିୟର୍ ଡିଜାଇନ୍ କରାଯାଇଛି । ବିଭିନ୍ନ ବ୍ୟାଙ୍କରେ ୧୭ ଲକ୍ଷ ଟଙ୍କାର ଜମା ସଂପର୍କିତ କାଗଜପତ୍ର ଜବତ ହୋଇଛି ।

ଚିଲିକା ଡଙ୍ଗା ବୁଡ଼ି ଘଟଣା, ଏବେ ବି ଜଣେ ନିଖୋଜ

ଟାଙ୍ଗୀ: କାଳିଜାଇରେ କଳା ଗୁରୁବାର। କାଳ ହୋଇ ଛକିଥିଲା କାଳବୈଶାଖୀ । ଦର୍ଶନସାରି ଫେରିବା ବେଳେ ବୁଡ଼ିଗଲା ଡଙ୍ଗା । ମୃତ୍ୟୁକୁ ମାତ ଦେଇ ଅଳ୍ପକେ ବଞ୍ଚିଗଲେ ୧୧ ଯାତ୍ରୀ । ହେଲେ ଏବେ ବି ଜଣେ ନିଖୋଜ ଅଛନ୍ତି । ନିଖୋଜ ବ୍ୟକ୍ତି ହେଉଛନ୍ତି ବାଲୁଗାଁ ଥାନା କୋଦପୁର ଗାଁର ରାଜକିଶୋର ଖୁଣ୍ଟିଆ । ସେ ମା’ କାଳିଜାଇଙ୍କ ପୀଠରେ ଏକ ଦୋକାନ କରିଥିଲେ । ପ୍ରତିଦିନ ପରି ଗତକାଲି ମଧ୍ୟ ଫେରୁଥିଲେ । ଅଧାବାଟରେ ଅଘଟଣ ଘଟି ଏଯାଏ ନିଖୋଜ ଅଛନ୍ତି । ବିଳମ୍ବିତ ରାତି ଯାଏ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ଆଜି ସକାଳୁ ପୁଣି ଖୋଜାଖୋଜି କାର୍ଯ୍ୟ ଜାରି ରହିଛି । ଗତକାଲି ୧୨ଜଣ ଯାତ୍ରୀଙ୍କୁ ନେଇ କାଳିଜାଇରୁ ଫେରୁଥିଲା ଡଙ୍ଗା । ୮ଜଣ ପର୍ଯ୍ୟଟକଙ୍କ ସମେତ ତିନି ଜଣ ନୌକା ଚାଳକ ଓ ଦୋକାନୀ ରାଜକିଶୋର ଡଙ୍ଗାରେ ଫେରୁଥିଲେ ।  ପର୍ଯ୍ୟଟକମାନେ ସମସ୍ତେ ବାଲେଶ୍ୱରର । କାଳବୈଶାଖୀ ଝଡ଼ରେ ଅଧାବାଟରେ ଅଘଟଣ ଘଟି ଡଙ୍ଗା ବୁଡ଼ି ଯାଇଥିଲା । ଉପସ୍ଥିତ ବୁଦ୍ଧି ଖଟାଇ କିଛି ଯାତ୍ରୀ ପୋଲିସକୁ ସହାୟତା ପାଇଁ ଯୋଗାଯୋଗ କରିଥିଲେ। ପରେ ସେମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସମସ୍ତେ ଏବେ ସୁସ୍ଥ ଥିବା ଜଣାପଡ଼ିଛି ।

ସେପଟେ ଡଙ୍ଗା ବୁଝିବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ଚିଲିକା ତହସିଲଦାର ସୁରେଶ ଚନ୍ଦ୍ର ପଣ୍ଡାଙ୍କୁ ଏହି ଘଟଣାର ତଦନ୍ତ କରିବା ନେଇ ଦାୟିତ୍ୱ ଦିଆଯାଇଛି।

ଦୀର୍ଘ ଦିନର ଅପେକ୍ଷାର ଘଟିଲା ଅନ୍ତ, ଖୋଲିଲା କେଦାରନାଥ ମନ୍ଦିରର ଦ୍ୱାର

ନୂଆଦିଲ୍ଲୀ: ଦୀର୍ଘ ଦିନର ଅପେକ୍ଷାର ଅନ୍ତ ହୋଇଛି । ଆଜି ଖୋଲିଛି ବିଶ୍ୱପ୍ରସିଦ୍ଧ କେଦାରନାଥ ମନ୍ଦିରର ଦ୍ୱାର । ଆଜି ସକାଳ ୬ଟା ୨୫ରେ ମନ୍ଦିରର ଦ୍ୱାର ଫିଟାଯାଇଛି । ଭକ୍ତଙ୍କ ଭିଡ଼ ମଧ୍ୟରେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ମଧ୍ୟ ବାବାଙ୍କୁ ଦର୍ଶନ କରିବାକୁ ଉପସ୍ଥିତ ଥିଲେ । ତେବେ ଏହି ଅବସରରେ ମନ୍ଦିରକୁ ୧୫ କ୍ୱିଣ୍ଟାଲ ଫୁଲରେ ସଜାଯାଇଥିଲା । ତେବେ ପ୍ରାୟ ୨୦ ହଜାର ଭକ୍ତ ଦ୍ୱାର ଖୋଲିବା ବେଳେ ଉପସ୍ଥିତ ଥିଲେ ।

ଦ୍ୱାର ଫିଟା ନୀତିର ଆରମ୍ଭ କେମିତି ହୁଏ ?

ପ୍ରଥମେ ସକାଳୁ ସକାଳୁ କେଦାରନାଥର ପୂଜାରୀଙ୍କୁ ଥାଟପାଟରେ ମନ୍ଦିରକୁ ଅଣାଯାଇଥିଲା । ଏହାପରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା ଏବଂ କିଛି ସମୟ ପରେ ଦ୍ୱାର ଖୋଲାଯାଇଥିଲା । ତେବେ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଦୈନିକ ୧୨ ହଜାର ଶ୍ରଦ୍ଧାଳୁ ଦର୍ଶନ କରିପାରିବାର ଅନୁମତି ରହିଛି । ସେହିପରି ବଦ୍ରିନାଥରେ ୧୫ ହଜାର ଓ ଗଙ୍ଗୋତ୍ରୀରେ ୭ ହଜାର ଭକ୍ତଙ୍କୁ ଦର୍ଶନ କରିବା ପାଇଁ ଅନୁମତି ମିଳିବ ।

ତେବେ ଏହାପୂର୍ବରୁ ଗଙ୍ଗୋତ୍ରୀ ଓ ଯମୁନେତ୍ରୀରେ ଭକ୍ତଙ୍କ ଦର୍ଶନ ପାଇଁ ଦ୍ୱାର ଖୋଲିସାରିଛି । ଏହାସହ ମେ ୮ରେ ବଦ୍ରିନାଥର ଦ୍ୱାର ଫିଟାଯିବ । କବାଟ ଖୋଲିବା ପରେ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁ  ଭଗବାନଙ୍କୁ ଦର୍ଶନ କରିବା ପାଇଁ ଅପେକ୍ଷା କରିଛନ୍ତି । କାରଣ ସେମାନେ ପୂର୍ବରୁ ପଞ୍ଜୀକରଣ ମଧ୍ୟ କରିଛନ୍ତି ।

STF ପଞ୍ଝାରେ ହାତୀଦାନ୍ତ ତସ୍କର, ବଲାଙ୍ଗୀରରୁ ୬ ହାତୀଦାନ୍ତ ଜବତ

ବଲାଙ୍ଗୀର: ଏସଟିଏଫ ପଞ୍ଝାରେ ହାତୀଦାନ୍ତ ତସ୍କର । ବଲାଙ୍ଗୀର ମାଳପଡାରୁ ପ୍ରାୟ ୯ କିଲୋଗ୍ରାମ ଓଜନର ୬ଟି ହାତୀଦାନ୍ତ ଜବତ କରିଛି ଏସଟିଏଫ । ଘଟଣାରେ ମାଳପଡ଼ା ଗ୍ରାମରୁ ବେପାରୀ ନୁରେନ ସେଠକୁ ଗିରଫ କରିଛି ଭୁବନେଶ୍ୱର ସ୍ୱତନ୍ତ୍ର ଟାସ୍କଫୋର୍ସ । ବଲାଙ୍ଗୀର ବନ ଅଧିକାରୀଙ୍କ ସହାୟତାରେ STFର ଏକ ଟିମ୍ ମାଳପଡ଼ା ଗାଁ ନିକଟରେ ଚଢ଼ାଉ କରିଥିଲା । ୨୦୨୦ ପରଠାରୁ, STF ୨୭ଟି ଚିତାବାଘ ଚମଡ଼ା, ୨୪ଟି ହାତୀଦାନ୍ତ, ୭ଟି ହରିଣ ଛାଲ, ୧୩ଟି ଜୀବନ୍ତ ପାଙ୍ଗୋଲିନ୍, ୩୦ କେଜି ୪୦୦ ଗ୍ରାମ ବଜ୍ରକାପ୍ତା କାତି ଓ ୨୭ଟି ଚିତାବାଘ ଛାଲ ଜବତ କରିଛି । ୨ଟି ଚିତାବାଘ ଦାନ୍ତ, ୨୯ଟି ଚିତାବାଘ ନଖ, ୪୬ଟି ଶୁଆ ସହିତ ୬୭ ଜଣ ବନ୍ୟଜନ୍ତୁ ବେପାରୀଙ୍କୁ ଗିରଫ କରିଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ରିପୋର୍ଟ: କରୋନାରେ ଭାରତର ସର୍ବାଧିକ ରୋଗୀଙ୍କର ମୃତ୍ୟୁ ହୋଇଛି

ନୂଆଦିଲ୍ଲୀ: ମହାମାରୀ କରୋନାରେ ଭାରତର ସର୍ବାଧିକ ରୋଗୀଙ୍କର ମୃତ୍ୟୁ ହୋଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଏହି ରିପୋର୍ଟକୁ ଚାଲେଞ୍ଜ କରିଛି ଭାରତ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଜାରି କରିଥିବା ତଥ୍ୟର ସତ୍ୟତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କେନ୍ଦ୍ର ସରକାର । କୋଭିଡ୍ ମୃତକଙ୍କ ରିପୋର୍ଟ ଜାରି କରି ଡବ୍ଲୁଏଚଓ କହିଛି ଯେ, ମହାମାରୀରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ବିଶ୍ୱରେ ୧୪.୯ ମିଲିଅନ ଲୋକେ ପ୍ରାଣ ହରାଇଛନ୍ତି । ସେଥିରୁ ଭାରତର କେବଳ ୪.୭ ମିଲିଅନ ରହିଛି ।

ତେବେ ଏହି ରିପୋର୍ଟକୁ ଅସ୍ୱୀକାର କରିଛି ଭାରତ। ନିକଟରେ ଭାରତ ସରକାର କରୋନା ମୃତକଙ୍କ ତଥ୍ୟ ଜାରି କରିଥିଲେ । ହେଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କୋଭିଡରେ ମୃତକଙ୍କର ଯେଉଁ ତଥ୍ୟ ଜାରି କରିଛି ଏଥିରେ ଓ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟରେ ଆକାଶ ପାତାଳ ତଫାତ୍ ରହିଛି ।

ଡବ୍ଲୁଏଚଓ ମୁତାବକ ୧ ଜାନୁୟାରୀ ୨୦୨୦ରୁ ୩୧ ଡିସେମ୍ୱର ୨୦୨୧ ମଧ୍ୟରେ ୪୭ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଛି । ଯାହକୁ ଅସ୍ବିକାର କରିଛି ଭାରତ । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର କହିବା ଅନୁସାରେ, ସାରା ବିଶ୍ବରେ ହୋଇଥିବା ମୃତକଙ୍କ ସଂଖ୍ୟା ସଠିକ ଗଣନା ହୋଇନାହିଁ । ଭାରତରେ ମଧ୍ୟ ମୃତ୍ୟୁ ସଂଖ୍ୟା ଅଧିକ ରହିଛି ।

ସମ୍ଭାବ୍ୟ ବାତ୍ୟା ନେଇ ଆଜି ଆସିବ ସ୍ପଷ୍ଟ ଚିତ୍ର

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ନେଇ ଆଜି ଆସିବ ସ୍ପଷ୍ଟ ଚିତ୍ର । ଆଜି ଦକ୍ଷିଣ ଆଣ୍ଡାମାନ ସାଗର ଓ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର । ପରେ ଉତ୍ତର ପଶ୍ଚିମ ଦିଗରେ ଏହା ଗତି କରି ୮ ତାରିଖରେ ଅବପାତରେ ପରିଣତ ହେବ । ଏହାର ପ୍ରଭାବରେ ଦକ୍ଷିଣ ପୂର୍ବ ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଶାନ୍ତ ରହିବ । ଏହା ପ୍ରଭାବରେ ୭୦ରୁ ୮୦ କିଲୋମିଟର ବେଗରେ ପବନ ବହିପାରେ । ଲଘୁଚାପ ବାତ୍ୟାର ରୂପ ନେବ କି ନାହିଁ, ଯଦି ବାତ୍ୟା ହେବ ତେବେ କେଉଁଠି ସ୍ଥଳଭାଗ ଛୁଇଁବ, ଲ୍ୟାଣ୍ଡଫଲ୍ ସମୟରେ ଏହାର ପ୍ରକୋପ କେତେ ରହିବ, ସେନେଇ ଆଜି ସନ୍ଧ୍ୟା ସୁଦ୍ଧା ସ୍ପଷ୍ଟ ଚିତ୍ର ମିଳିବ । ଘୂର୍ଣ୍ଣିବଳୟ ଯୋଗୁଁ ଏବେ ଅଶାନ୍ତ ରହିଛି ସମୁଦ୍ର । ସାଟେଲାଇଟ୍ ଚିତ୍ରରୁ ଏନେଇ ସଂକେତ ମିଳୁଛି । ସମୁଦ୍ର ଭିତରେ ହଲଚଲ୍ ନେଇ ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ।

ଗ୍ୟାସ ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ, ଗ୍ୟାସ ଲିକ୍ ହେବାରୁ ୟାତାୟତ ବାଧାପ୍ରାପ୍ତ

ନୟାଗଡ଼: ଖୋର୍ଦ୍ଧା-ବଲାଙ୍ଗୀର 57ନମ୍ବର ଜାତୀୟ ରାଜପଥ ନୟାଗଡ଼ ନିକଟରେ ଉପରେ ଗ୍ୟାସ ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ  । ଟାଙ୍କିରୁ ଲିକ ହେଉଛି ଅଙ୍ଗାରକାମ୍ଳ ଗ୍ୟାସ୍‌ । ବୌଦ୍ଧରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଏକ ହାଇୱାକୁ ପଛ ପଟୁ ଧକ୍କା ଦେଇଥିଲେ ଏହି ଗ୍ୟାସ ବୋଝେଇ ଟ୍ରକ । ଯାତାୟତ ବହୁଳ ଏହି ଜାତୀୟ ରାଜପଥରେ ଅତ୍ୟଧିକ ଗ୍ୟାସ ଲିକ ଯୋଗୁଁ ନିଶ୍ୱାସ ନେବାରେ ଅସୁବିଧା ହେଉଥିବା ଲୋକେ ଅଭିଯୋଗ କରିଛନ୍ତି ।

ଯେଉଁଭଳି ଭାବେ ଟାଙ୍କିରୁ ଗ୍ୟାସ ନିର୍ଗତ ହେବାରେ ଲାଗିଛି  । ତାହା ବଡ ଧରଣର ଦୁର୍ଘଟଣା ଘଟାଇବା ଅନୁମାନ କରିହେଉଛି  । ଅର୍ଥାତ ଟାଙ୍କିଟି ଫାଟି ଯିବାର ମଧ୍ୟ ଭୟ ରହିଛି  । ତେବେ ଏପର୍ଯ୍ୟନ୍ତ ଘଟଣା ସ୍ଥଳରେ ପୋଲିସ କିମ୍ବା ଦମକଳ କର୍ମଚାରୀ ମାନେ ପହଞ୍ଚି ନାହାନ୍ତି   । ସେପଟେ ରାସ୍ତା ଉପରେ ଏଭଳି ଦୁର୍ଘଟଣା ଘଟିଥିବାରୁ ଯାତାୟତରେ ମଧ୍ୟ ବାଧା ସୃଷ୍ଟି ହୋଇଛି  ।

 

 

ତାଣ୍ଡବ ରଚିଲା କାଳବୈଶାଖୀ: ଜୀବନ ନେଲା, ଘର ଭାଙ୍ଗିଲା

ଢେଙ୍କାନାଳ: କାଳ ବୈଶାଖୀ ତାଣ୍ଡବ ରଚିଲା  । ଜୀବନ ନେଲା, ଗଛ ଭାଙ୍ଗିଲା  । ଘରଦ୍ୱାର ଉଡ଼ାଇ ନେଲା  ।  କାମାକ୍ଷାନଗରରେ ବଜ୍ରାଘାତରେ ଶଳା ଭିଣେଇଙ୍କ ମୃତ୍ୟୁ ହୋଇଛି । ବଜ୍ରାଘାତରେ ଅନ୍ୟଜଣେ ମହିଳା ଗୁରୁତର ହୋଇଛନ୍ତି । ମୃତକ ମାନେ ହେଲେ କାମାକ୍ଷାନଗର ଥାନା ଚକାପାଳ ଗାଁର ପ୍ରକାଶ ପ୍ରଧାନ ଏବଂ କଙ୍କଡାହାଡ଼ ଥାନା ମକୁଆକାଟେଣୀ ଗାଁର ଦେବଦତ୍ତ ପଧାନ ।

ଉଭୟେ କାଜୁ ଗୋଟାଇବା ପାଇଁ ନିକଟସ୍ଥ ଜଙ୍ଗଲକୁ ଯାଇଥିବା ବେଳେ ବଜ୍ରାଘାତର ଶିକାର ହୋଇଥିଲେ । ସେହିପରି ମାର୍ଥାପୁର ଗାଁ ଶବରସାହିରେ ଗଛ ପଡିଯିବାରୁ ଗୋବର୍ଦ୍ଧନ ବାରିକଙ୍କ ସ୍ତ୍ରୀ ଶାନ୍ତିଲତା ଗୁରୁତର ହୋଇଛନ୍ତି । ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ସେହିପରି ଅନ୍ୟ କେତେକ ସ୍ଥାନରେ ମଧ୍ୟ କାଳବୈଶାଖୀ ତାଣ୍ଡବ ରଚିଛି  ।

ନୟାଗଡ଼, ନୂଆଗାଁ ଏବଂ ଓଡଗାଁ ବ୍ଲକରେ ଗଛ ଏବଂ ଛପର ଆଜବେଷ୍ଟ ପଡି 6 ବ୍ୟକ୍ତି ଆହତ ହୋଇଛନ୍ତି । ଶରଣକୁଳ ବଜାର ଅଞ୍ଚଳରେ ଥିବା BSNL ମୋବାଇଲ ଟାଓ୍ବାର ଭାଙ୍ଗି ପଡିଛି । ଅନେକ ସ୍ଥାନରେ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ପଡିବାରୁ ବିଦ୍ୟୁତ୍ ସରବରାହ ବନ୍ଦ ରହିଛି ।  ସୋର ପୌରପାଳିକା ଇଟୁଆ ଅଞ୍ଚଳର ସେଖ୍ ନୁର ମହମ୍ମଦଙ୍କ ପୁଅ ସେଖ୍ ହୋସେନଙ୍କ ଘରର ଆଜବେଷ୍ଟ ଛପର ଉଡାଇ ୧୦୦ମିଟର ଦୂରରେ ଫିଙ୍ଗିଦେଇଛି । ଅଳ୍ପକେ ବର୍ତ୍ତି ଯାଇଛନ୍ତି ପରିବାର ଲୋକେ ।

ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେପିର ବୈଠକ

ଭୁବନେଶ୍ୱର: ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେପିର ବୈଠକ । ରାଜ୍ୟ ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରାର୍ଥୀ ଚୟନ ଓ ପ୍ରସ୍ତୁତି ନେଇ ଆଲୋଚନା ହୋଇଛି । ପ୍ରାର୍ଥୀ ହେବା ପାଇଁ ବିଜେପିରେ ବହୁ ଆଶାୟୀ ଅଛନ୍ତି । ପ୍ରାର୍ଥୀ ଚୂଡ଼ାନ୍ତ କରିବା ପାଇଁ ମନୋନୟନ ପ୍ରକ୍ରିୟା ଆରମ୍ଭ ହୋଇଛି । ଦଳର 3 ଜଣ ପ୍ରତିନିଧି ବ୍ରଜରାଜନଗର ଯାଇଥିଲେ ।

ଉକ୍ତ ପ୍ରତିନିଧି ଗ୍ରାଉଣ୍ଡରୁ ମତାମତ ନେଇଛନ୍ତି । ଏ ସମ୍ପର୍କରେ ସୂଚନା ଦେଇ ବରଗଡ଼ ସାଂସଦ ସୁରେଶ ପୂଜାରୀ କହିଛନ୍ତି, ସହମତି ଭିତ୍ତିରେ ପ୍ରାର୍ଥୀ ଦିଆଯିବ । ଆଶାୟୀ ପ୍ରାର୍ଥୀଙ୍କ ନାଁ ସେଣ୍ଟ୍ରାଲ ଇଲେକ୍ସନ କମିଟିକୁ ପଠାଯିବ । ସେମାନେ ପ୍ରାର୍ଥୀ ଚୂଡ଼ାନ୍ତ କରିବେ ପ୍ରାର୍ଥୀଙ୍କ ନାମ  । ବିଜେପି ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରସ୍ତୁତ ଅଛି । ଦଳ ଭୋଟରଙ୍କ ସହ ରହିଛି  ଏବଂ ନିର୍ବାଚନରେ ଭଲ ପ୍ରଦର୍ଶନ ମଧ୍ୟ କରିବ  ।