spot_img
Home Blog Page 4436

ବିଧାନସଭାରେ ୨୦୨୨-୨୩ ଆର୍ଥିକ ବର୍ଷର କାମଚଳା ବଜେଟ: ୪ ମାସ ପାଇଁ ୧ ଲକ୍ଷ ୬ ହଜାର କୋଟି

ଭୁବନେଶ୍ୱର: ୨୦୨୨-୨୩ଆର୍ଥିକ ବର୍ଷର କାମଚଳା ବଜେଟ ଆଗତ । ପ୍ରଥମ ୪ମାସ ପାଇଁ କାମଚଳା ବଜେଟ୍ ଆଗତ କରୁଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ମୋଟ ୧ଲକ୍ଷ ୬ହଜାର ୪ଶହ୯୮କୋଟି ଟଙ୍କାର ବଜେଟ । ମହାମାରୀ ଓ ଯୁଦ୍ଧ ବିଶ୍ୱ ଅର୍ଥନୀତିକୁ ପ୍ରଭାବିତ କରିଛି । ତେବେ ୨୦୨୨-୨୩ରେ ଦେଶର ଜିଡିପି ୭.୮ପ୍ରତିଶତ ରହିବା ଆକଳନ । ଜାତୀୟ ହାରଠୁ ଓଡ଼ିଶା ଅଭିବୃଦ୍ଧି ହାର ଅଧିକ ରହିବା ଆକଳନ । ଓଡ଼ିଶାର ଅଭିବୃଦ୍ଧି ୯ରୁ ୯.୫ପ୍ରତିଶତ ରହିପାରେ । ଖଣି ରାଜସ୍ୱ ବଢ଼ିଛି, କେନ୍ଦ୍ର ସହାୟତା ଉପରେ ନିର୍ଭରଶୀଳତା କମିଛି । ରାଜ୍ୟରେ ମେଡିକାଲ କଲେଜ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି ।

ନିଶୁଳ୍କ ଓ ଗୁଣାତ୍ମକ ସ୍ୱାସ୍ୱ୍ୟ ସେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ଥିବା ବେଳେ BSKY ପାଇଁ ୧୮୬୪କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ସେହିଭଳି । ମିଶନଶକ୍ତିରେ SHGରେ ୭୦ଲକ୍ଷ ମହିଳା ଯୋଡ଼ି ହୋଇଛନ୍ତି । ମିଶନଶକ୍ତି ପାଇଁ ୨ହଜାର କୋଟି ଟଙ୍କାର ବ୍ୟୟ ବରାଦ, ଶିକ୍ଷା ବିଭାଗ ପାଇଁ ୨୬ହଜାର ୪୯୨କୋଟି ବ୍ୟୟ ବରାଦ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ଯୋଜନା ପାଇଁ ୨୦ହଜାର ୩୪୪କୋଟି, କାଳିଆ ଯୋଜନା ପାଇଁ ୧ହଜାର ୮ଶହ ୭୪କୋଟି, ସାର ଓ ବିହନ ପାଇଁ ସୁଧମୁକ୍ତ ରଣ ବାବଦକୁ ୧୦୦କୋଟି ଟଙ୍କା, ଶସ୍ୟ ଉତ୍ପାଦନ ପରିଚାଳନା ବାବଦକୁ ୬ଶହ ୮୮କୋଟି ଟଙ୍କା,  ଉଦ୍ୟାନ କୃଷି ବିକାଶ ଯୋଜନା ପାଇଁ ୧୫୭କୋଟି ଟଙ୍କା, OUATରେ ଗବେଷଣା ଓ ଶିକ୍ଷା ପାଇଁ ୧୦୬ କୋଟି, ପଶୁ ସମ୍ପଦର ସ୍ୱାସ୍ଥ୍ୟ ଏବଂ ରୋଗ ନିୟନ୍ତ୍ରଣ ପାଇଁ ୨୭୩କୋଟି ଟଙ୍କା, ସଘନ ଓ ଆଭ୍ୟନ୍ତରୀଣ ମତ୍ସ୍ୟଚାଷ ବିକାଶ ପାଇଁ ୧୮୨କୋଟି, କୁକୁଡା ଚାଷ ପାଇଁ ୮୭କୋଟି, ଦୁଗ୍ଧ ଉତ୍ପାଦନ ବୃଦ୍ଧି ଲାଗି ୩୧କୋଟି, କୃଷକଙ୍କୁ ସୁଧ ରିହାତି ବାବଦକୁ ୨୦୧କୋଟି ଟଙ୍କା, ଫସଲ ବୀମା ପ୍ରିମିୟମ ସବସିଡି ବାବଦକୁ ୧୦୦କୋଟି, ସମବାୟ ବ୍ୟାଙ୍କଗୁଡ଼ିକୁ ଅଂଶଧନ ସହାୟତା ପାଇଁ ୧୫୦କୋଟି, ଜଳସେଚନ କ୍ଷେତ୍ରରେ ବିଭିନ୍ନ ଯୋଜନା ପାଇଁ ୫୫୨୩କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।

ଗ୍ରୀଷ୍ମ ପ୍ରବାହ ଯୋଗୁଁ ଏପ୍ରିଲ ୨ତାରିଖରୁ ସକାଳୁଆ ସ୍କୁଲ

ଭୁବନେଶ୍ୱର: ଏପ୍ରିଲ ୨ତାରିଖରୁ ସକାଳୁଆ ସ୍କୁଲ । ଗ୍ରୀଷ୍ମ ପ୍ରବାହ ଦୃଷ୍ଟିରୁ ସକାଳୁଆ ହେବ ସ୍କୁଲ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସାଢ଼େ ୬ରୁ ୧୦ଟା । ନବମରୁ ଦଶମ ଶ୍ରେଣୀ ସକାଳ ୭ଟାରୁ ୧୧ଟା । ଏ ନେଇ  ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ସମ୍ପ୍ରତି ରାଜ୍ୟ ତମାମ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଏବଂ ଆଗକୁ ମଧ୍ୟ ଗ୍ରୀଷ୍ମ ପ୍ରବାହ ବଢିବ । ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ-ଉତ୍ତପ୍ତ ପବନ ବୋହିବା ସମ୍ଭାବନା ରହିଛି । ଯାହା ଫଳରେ ସାରା ରାଜ୍ୟରେ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ । ଆଭ୍ୟନ୍ତରୀଣ ଓଡ଼ିଶାରେ କିଛି ସ୍ଥାନରେ ତାପମାତ୍ରା ୪୩ ଡିଗ୍ରୀ ଛୁଇଁବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ବଲାଙ୍ଗିର ସମେତ ରାଜ୍ୟର ୭ ସହରରେ ଦିନ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ଡେଇଁଛି । ଏସବୁ ଅଞ୍ଚଳରେ ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରୀ ତାପମାତ୍ରା ଅଧିକ ରହିଛି । ଗଜପତି, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ ସୋମବାର ବଲାଙ୍ଗିର ପଛକୁ ବାରିପଦା ତାପମାତ୍ରା ୪୦.୮ ଡିଗ୍ରୀ ସେଲସିୟସ, ଅନୁଗୁଳ ୪୦.୧ ଡିଗ୍ରୀ, ତାଳଚେର ୪୦.୨ ଡିଗ୍ରୀ, ଟିଟିଲାଗଡ଼ ୪୦.୫ ଡିଗ୍ରୀ, ସୋନପୁର ୪୦.୧ ଡିଗ୍ରୀ, ବୌଦ୍ଧ ୪୦ ଡିଗ୍ରୀ, ବାରିପଦା ୪୦.୮ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଥିଲା । ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଭବାନୀପାଟଣା, ମାଲକାନଗିରିରେ ତାପମାତ୍ରା ୩୯ ଡିଗ୍ରୀ ଉପରେ ଥିଲା । ଉପକୂଳ ଓଡ଼ିଶାର ଭୁବନେଶ୍ୱର, କଟକ, ଚାନ୍ଦବାଲିରେ ତାପମାତ୍ରା ୩୭ ଡିଗ୍ରୀ ଉପରେ ରହିଥିଲା ତାପମାତ୍ରା । ଏ ସବୁକୁ ଆଖି ଆଗରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

ଏଥିସହିତ ପଢ଼ନ୍ତୁ: ନଳବଣରେ ଲାଗିଛି ନିଆଁ: ଡଙ୍ଗା ନେଇ ଚିଲିକା କୂଳକୁ ମଧ୍ୟ ଫେରିପାରୁନାହାନ୍ତି ନାଉରିଆ

ନଳବଣରେ ଲାଗିଛି ନିଆଁ: ଡଙ୍ଗା ନେଇ ଚିଲିକା କୂଳକୁ ମଧ୍ୟ ଫେରିପାରୁନାହାନ୍ତି ନାଉରିଆ

ଚିଲିକା: ଚିଲିକାର ନଳ ବଣରେ ଲାଗିଛି ନିଆଁ । ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା କାଳୁପଡ଼ା ଘାଟ ଜେଟି ନିକଟରେ ହୁତୁହୁତୁ ହୋଇ ଜଳୁଛି ନିଆଁ । ନିଆଁର ତୀବ୍ରତା ଏତେ ଅଧିକ ହୋଇଛି ଯେ କୂଳକୁ ନାଉରିଆ ଡଙ୍ଗା ନେଇ ଆସିବାରେ ମଧ୍ୟ ଅସୁବିଧା ହେଉଛି । ଚିଲିକାରେ ଥିବା ନଳ ଘାସ ସବୁ ଖରା ଦିନେ ଶୁଖି ଯାଇଥିବାରୁ କୌଣସି ଦୁବୃର୍ତ୍ତ ନିଆଁ ଲଗାଇ ଫେରାର ହୋଇ ଯାଇଥିବା ଅନୁମାନ କରାଯାଉଛି ।

ଏକର ଏକର ଅଞ୍ଚଳକୁ ବ୍ୟାପୁଛି ନିଆଁ । ନିଆଁ ବ୍ୟାପିବା ଫଳରେ ଚିଲିକାର ନଳ ଘାସ ଜଙ୍ଗଲରେ ରହୁଥିବା ବିରଳ ପ୍ରଜାତିର ପ୍ରାଣୀ ଫିସିଙ୍ଗ୍ କ୍ୟାଟ ପ୍ରତି ଦେଖା ଦେଇଛି ବିପଦ ।ଏ ପର୍ଯ୍ୟନ୍ତ ଚିଲିକା ଡେଭଲପମେଣ୍ଟ ଅଥୋରିଟି (CDA)ର କୌଣସି ଅଧୀକାରୀ ଘଟଣା ସ୍ଥଳରେ ପହଞ୍ଚି ନଥିବା ବେଳେ ନିଆଁ ଲିଭାଇବା ପାଇଁ କୌଣସି ପ୍ରୟାସ କରାଯାଉନାହିଁ । ତେଣୁ ଚିଲିକାରେ ଥିବା ବିରଳ ପ୍ରାଣୀ ଫିସିଙ୍ଗ କ୍ୟାଟ୍ ଜୀବନ ପ୍ରତି ବିପଦ ଦେଖା ଦେଇଛି ।

ସୂଚନା ଯୋଗ୍ୟ ଗତକାଲି  ଏସିଆର ଦ୍ୱିତୀୟ ବୃହତ୍ତମ ଜୈବ ମଣ୍ଡଳ ଶିମିଳିପାଳରେ ଲାଗିଛି ନିଆଁ । ଶିମିଳିପାଳ ଅଭୟାରଣ୍ୟରେ ଚଳିତ ବର୍ଷ ପ୍ରଥମ ନିଆଁ ଲାଗିବା  ଦେଖିବାକୁ ମିଳିଛି । ଶିମିଳିପାଳ ଅଭୟାରଣ୍ୟର ଗୁରୁଗୁଡ଼ିଆ, ତାଳବନ୍ଧ ଓ ଚହଲା ରେଞ୍ଜର ୭ଟି ସ୍ଥାନରେ ନିଆଁ ଲାଗିଛି । ଗତ ବର୍ଷ ଶିମିଳିପାଳ ଅଭୟାରଣ୍ୟ ବିଭିନ୍ନ ଜାଗାରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ନିଆଁକୁ ଆୟତ୍ତ କରିବା ପାଇଁ ଓଡ୍ରାଫ ଟିମ ସହିତ ଅଗ୍ନିଶମ ବିଭାଗ ନିୟୋଜିତ ହୋଇଥିଲେ । ତେବେ ଚଳିତ ବର୍ଷ ଜଙ୍ଗଲ ନିଆଁକୁ ଆୟତ୍ତ କରିବା ପାଇଁ ପୂର୍ବରୁ ବିଭିନ୍ନ ସମୟରେ ୬୦୦ ଟି ସଚେତନତା ରାଲି ଏବଂ ୧୦୦ରୁ ଉର୍ଦ୍ଧ୍ୱ ମିଳିତ ମକଡ୍ରିଲ କରିଥିଲା ବନବିଭାଗ ।

ଏଥିସହିତ ପଢ଼ନ୍ତୁ: ସ୍ୱାମୀ ସାଜିଲା ସୈତାନ, ସ୍ତ୍ରୀକୁ ଜୀଅନ୍ତା ଜାଳିଦେଲା

ଆଇପିଏଲ ୨୦୨୨: ଆଜି ବାଙ୍ଗାଲୋର-କୋଲକାତା ଟକ୍କର, ପ୍ରଥମ ବିଜୟ ଲକ୍ଷ୍ୟରେ ଆରସିବି

ମୁମ୍ବାଇ: ଆଜି ଇଣ୍ଡିଆନ ପ୍ରିମିୟର ଲିଗର ଷଷ୍ଠ ମ୍ୟାଚରେ ମୁହାଁମୁହିଁ ହେବେ କୋଲକାତା ନାଇଟ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଏହି ମ୍ୟାଚ ମୁମ୍ବାଇର ଡି ଓ୍ୱାଇ ପାଟିଲ୍ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ । ଆଇପିଏଲ ସିଜିନ୍-୧୫ର ପ୍ରଥମ ମ୍ୟାଚରେ ଡିଫେଣ୍ଡିଂ ଚମ୍ପିଆନ ଚେନ୍ନାଇକୁ ପରାସ୍ତ କରି ବିଜୟ ସ୍ୱାଦ ଚାଖିଛି । ଆଜିର ମ୍ୟାଚରେ ମଧ୍ୟ କେକେଆର ଏହି ବିଜୟ ଧାରା ଜାରି ରଖିବାକୁ ଚେଷ୍ଟା କରିବ । ଅନ୍ୟପକ୍ଷରେ ପ୍ରଥମ ମ୍ୟାଚରେ ପରାଜୟ ପରେ ଆଜିର ମ୍ୟାଚରେ ବିଜୟ ଲାଭ କରି ଟ୍ରାକକୁ ଫେରିବାକୁ ଚେଷ୍ଟା କରିବ ବାଙ୍ଗାଲୋର ।

ଆଜିର ମ୍ୟାଚରେ ଆଉ ଏକ ଅଲରାଉଣ୍ଡର ପ୍ରଦର୍ଶନ କରି ବିଜୟ ଧାରା ବଜାୟ ରଖିବାକୁ ପ୍ରୟାସ କରିବ କେକେଆର । କୋଲକାତା ନାଇଟ ରାଇଡର୍ସ କଥା ଯଦି କହିବା ତାହାଲେ କେକେଆରର ବୋଲିଂ ବିଭାଗ ବେଶ ସନ୍ତୁଳିତ ରହିଛି । ବିଶେଷ କରି ଦୁଇ ସ୍ପିନର ସୁନିଲ ନାରିନ ଓ ବରୁଣ ଚକ୍ରବର୍ତ୍ତୀ ଘାତକ ସାବ୍ୟସ୍ତ ହୋଇପାରନ୍ତି । ସେହିପରି ଚଳିତ ସିଜିନରେ ବ୍ୟାଟିଂ ବିଭାଗ ମଧ୍ୟ ଶକ୍ତିଶାଳୀ ରହିଛି । ମଧ୍ୟଭାଗରେ ଆନ୍ଦ୍ରେ ରସେଲ, ଶ୍ରେୟସ ଆୟରଙ୍କ ଭଳି ବିସ୍ଫୋରକ ବ୍ୟାଟ୍ସମ୍ୟାନ ରହିଛନ୍ତି । ତେବେ ଆଜିର ମ୍ୟାଚକୁ ନିଶ୍ଚିତ ଜିତିବା ଲକ୍ଷ୍ୟରେ ଫୁଲ ପ୍ରସ୍ତୁତ ରହିଛି କେକେଆର ।

ସେପଟେ ଆରସିବି କଥା ଯଦି କହିବା ତାହାଲେ ବାଙ୍ଗାଲୋର ପ୍ରଥମ ମ୍ୟାଚରେ ୨୦୫ ରନର ବିଶାଳ ସ୍କୋର କରିବା ପରେ ବି ପରାଜୟର ସ୍ୱାଦ ଚାଖିଥିଲା । ପଞ୍ଜାବଠାରୁ ୫ ୱିକେଟରେ ପରାସ୍ତ ହୋଇଥିଲା ଆରସିବି । ବୋଲିଂରେ ଖରାପ ପ୍ରଦର୍ଶନ ପାଇଁ ଆରସିବି ହାତରୁ ବିଜୟ ଛଡାଇ ନେଇଥିଲା ପଞ୍ଜାବ । ତେବେ ଆଜିର ମ୍ୟାଚରେ ପୂର୍ବ ତ୍ରୁଟିକୁ ସୁଧାରିବା ଦଳ ପାଇଁ ଅତ୍ୟନ୍ତ ଜରୁରୀ । ଆଜିର ମ୍ୟାଚରେ ବିଜୟ ଲାଭ କରି ଚଳିତ ସିଜିନରେ ପ୍ରଥମ ବିଜୟ ହାସଲ କରିବାକୁ ଚେଷ୍ଟା କରିବ ବାଙ୍ଗାଲୋର ।

ଚଳିତ ବର୍ଷ ଆଡ଼ମ୍ବରରେ ପାଳନ ହେବ ଉତ୍କଳ ଦିବସ, ପ୍ରତି ଜିଲ୍ଲାରେ ଆୟୋଜନ ହେବ ସଭା ସମିତି

ଭୁବନେଶ୍ୱର: ଚଳିତ ବର୍ଷ ଆଡ଼ମ୍ବରରେ ପାଳନ ହେବ ଉତ୍କଳ ଦିବସ । ଉତ୍କଳ ଦିବସକୁ ଆଡ଼ମ୍ବରରେ ପାଳନ କରିବେ ରାଜ୍ୟ ସରକାର । ଏପ୍ରିଲ ୧ ତାରିଖରେ ପ୍ରତି ଜିଲ୍ଲାରେ ସଭା ସମିତି ଆୟୋଜନ କରାଯିବ । ପ୍ରତି ଜିଲ୍ଲାରେ ସଭା ସମିତି ଆୟୋଜନର ଦାୟିତ୍ୱ ଜିଲ୍ଲା ପରିଷଦର ସଭାପତିମାନେ ନେବେ । ସେହିଦିନ ସନ୍ଧ୍ୟାରେ ସାରା ରାଜ୍ୟରେ ସମୂହ ଭାବରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯିବ ନେଇ ସରକାର କାର୍ଯ୍ୟକ୍ରମ ସ୍ଥିର କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସୂଚନା ଅନୁସାରେ କରୋନା ମହାମାରୀ ପାଇଁ ଦୀର୍ଘ ଦୁଇ ବର୍ଷ ହେବ ନିରଡ଼ାମ୍ବରରେ ପାଳନ ହୋଇ ଆସୁଥିଲା ଉତ୍କଳ ଦିବସ । ତେବେ ଚଳିତ ବର୍ଷ ରାଜ୍ୟରେ କରୋନା ମହାମାରୀରେ ସାମାନ୍ୟ ସୁଧାର ଆସିଥିବାରୁ ଚଳିତ ବର୍ଷ ଉତ୍କଳ ଦିବସକୁ ଆଡ଼ମ୍ବରର ସହ ପାଳନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।

ବିଜେପିର ଗୁଣ୍ଡା କେଜ୍ରିୱାଲଙ୍କ ଘର ଉପରେ ଆକ୍ରମଣ କରିଛନ୍ତି: ମନୀଷ ସିସୋଦିଆ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘର ଉପରେ ଆକ୍ରମଣ ।  ଡେପୁଟି ସିଏମ୍ ମନୀଷ ସିସୋଦିଆ ଟ୍ୱିଟ୍ କରି ଏନେଇ ସୂଚନା ଦେଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ, କିଛି ଅସାମାଜିକ ଲୋକ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଘର ଉପରେ ଆକ୍ରମଣ କରି ସିସିଟିଭି କ୍ୟାମେରା ଏବଂ ସୁରକ୍ଷା ବ୍ୟାରିକେଡ଼କୁ ଭାଙ୍ଗିଛନ୍ତି । ଏହା ବ୍ୟତୀତ ଗେଟରେ ଥିବା ବୁମ୍ ବ୍ୟାରିୟରକୁ ମଧ୍ୟ ଭାଙ୍ଗି ଦିଆଯାଇଛି ।

ମନୀଷ ସିସୋଦିଆ ଲେଖିଛନ୍ତି ଯେ, ବିଜେପିର ଗୁଣ୍ଡାମାନେ ଅରବିନ୍ଦ କେଜ୍ରିୱାଲଙ୍କ ଘରେ ଭଙ୍ଗାରୁଜା କରିଛନ୍ତି । କେବଳ ସେତିକି ନୁହେଁ, ବିଜେପି ପୋଲିସ ସେମାନଙ୍କୁ ଅଟକାଇବା ପରିବର୍ତ୍ତେ ଘର ପାଖକୁ ଆଣିଥିଲା।

୭୦ଜଣଙ୍କୁ ଗିରଫ କରାଯାଇଛି

ପୋଲିସର ସୂଚନା ଅନୁସାରେ, ବିଜେପି ଯୁବ ମୋର୍ଚ୍ଚାର ପ୍ରାୟ ୧୫୦-୨୦୦ କର୍ମୀ ସକାଳ ପ୍ରାୟ ସାଢେ ୧୧ଟାରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଦି କାଶ୍ମୀର ଫାଇଲ ଚଳଚ୍ଚିତ୍ର ସମ୍ପର୍କରେ ବିଧାନସଭାରେ କେଜ୍ରିୱାଲଙ୍କ ବିବୃତ୍ତିକୁ ବିରୋଧ କରି ଏହି ପ୍ରଦର୍ଶନ କରାଯାଇଥିଲା । ରାତି ପ୍ରାୟ ୧ଟା ବେଳେ କିଛି ବିକ୍ଷୋଭକାରୀ ବ୍ୟାରିକେଡ୍ ଭାଙ୍ଗି ସିଏମ୍ ବାସଭବନ ବାହାରେ ପହଞ୍ଚିଥିଲେ । ସେମାନେ ଗେଟରେ ରଙ୍ଗ ଫିଙ୍ଗିବା ସହ ଏଠାରେ ଥିବା ସିସିଟିଭି କ୍ୟାମେରା ମଧ୍ୟ ଭାଙ୍ଗିଥିଲେ  । ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ୭୦ ଜଣଙ୍କୁ ଗିରଫ କରିଥିଲା।

ଏନେଇ ଆପ୍ ବିଜେପିକୁ ଟାର୍ଗେଟ କରିଛି

ଆମ୍ ଆଦମୀ ପାର୍ଟି ଅଭିଯୋଗ କରିଛି ଯେ ବିଜେପି ନେତା ଓ କର୍ମୀମାନେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘର ଉପରେ ଆକ୍ରମଣ କରିବା ସହ ଭଙ୍ଗାରୁଜା କରିଛନ୍ତି । ବିଜେପି କର୍ମୀମାନେ ଆଜି ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିଜେପି କହିଛି ଯେ ଅରବିନ୍ଦ କେଜ୍ରିୱାଲ କାଶ୍ମୀର ପଣ୍ଡିତଙ୍କ ହତ୍ୟାକାଣ୍ଡକୁ ପରିହାସ କରିଛନ୍ତି । କୁହାଯାଉଛି ଯେ ଏହି ପ୍ରଦର୍ଶନ ପରେ ହିଁ କେଜ୍ରିୱାଲଙ୍କ ଘର ଉପରେ ଆକ୍ରମଣ ଓ ଭଙ୍ଗାରୁଜା ଘଟଣାର ସାମ୍ନାକୁ ଆସିଛି।

‘ଡାକ୍ତରଙ୍କୁ ହଇରାଣ କରିବା ବନ୍ଦ କରନ୍ତୁ’; ଏଭଳି ଲେଖି ଜୀବନ ହାରିଲେ ମହିଳା ଡାକ୍ତର

ଦୋସା: ରାଜସ୍ଥାନର ଦୋସାରେ ଚିକିତ୍ସାଧିନ ଅବସ୍ଥାରେ ପ୍ରସୂତିଙ୍କ ମୃତ୍ୟୁ ମାମଲା ଥମିବାର ନାଁ ନେଉନି । ଏହି ଘଟଣାରେ ଯେଉଁ ମହିଳା ଡାକ୍ତରାଣୀ ଅର୍ଚ୍ଚନା ଶର୍ମାଙ୍କ ନାଁରେ ମାମଲା ରୁଜୁ ହୋଇଥିଲା ସେ ଆତ୍ମହତ୍ୟା କରିଥିବା ଜଣାପଡିଛି। ଏହି ଘଟଣାକୁ ନେଇ ରାଜସ୍ଥାନର ଡାକ୍ତରମାନେ ଆଜି ଧର୍ମଘଟକୁ ଓହ୍ଲାଇଛନ୍ତି। ରାଜସ୍ଥାନ ବ୍ୟତୀତ ଦିଲ୍ଲୀର ଡାକ୍ତରମାନେ ମଧ୍ୟ କଳା ବ୍ୟାଜ୍ ବାନ୍ଧି ବିରୋଧ କରୁଛନ୍ତି।

ଦିଲ୍ଲୀ ଏମ୍ସର ଡାକ୍ତରମାନେ ମଧ୍ୟ କଳା ରଙ୍ଗର ବ୍ୟାଜ୍ ପିନ୍ଧି କାମ କରୁଛନ୍ତି। ଏନେଇ ଦୋସା ହସ୍ପିଟାଲର ସୁନୀତ ଉପାଧ୍ୟାୟ ନାମକ ଜଣେ ଡାକ୍ତର କହିଛନ୍ତି, ଜଣେ ୨୨ବର୍ଷୀୟ ବୟସ୍କା ପ୍ରସୂତି ଆଶା ବେରୱା ଡାକ୍ତରଖାନା ଆସିଥିଲେ, କିନ୍ତୁ ଅତ୍ୟଧିକ ରକ୍ତସ୍ରାବ ହେତୁ ଡାକ୍ତର ତାଙ୍କୁ ବଞ୍ଚାଇ ପାରିନଥିଲେ । ଏହି ଘଟଣାରେ କିଛି ସ୍ଥାନୀୟ କଂଗ୍ରେସ ନେତାଙ୍କ ଯୋଗୁଁ ଡା. ଅର୍ଚ୍ଚନା ଶର୍ମାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଥିଲା। ଅର୍ଚ୍ଚନାଙ୍କ ନାମରେ ମାମଲା ରୁଜୁ ପରେ ସେ ବହୁତ ଚିନ୍ତାରେ ରହୁଥିଲେ । ଏପରିକି ପୋଲିସକୁ ସବୁ କଥା କହିଥିଲେ ମଧ୍ୟ ପୋଲିସ ଅଧିକାରୀ ତାଙ୍କ କଥା ଶୁଣିନଥିଲେ। ଏହା ପରେ ଅର୍ଚ୍ଚନା ଶର୍ମା ଆତ୍ମହତ୍ୟା କରିଥିଲେ।

ଜୀବନ ହାରିବା ପୂର୍ବରୁ ଲେଖିଥିଲେ ସୁଇସାଇଡ୍ ନୋଟ୍-

ତେବେ ମୃତ୍ୟୁ ପୂର୍ବରୁ ଅର୍ଚ୍ଚନା ଲେଖିଥିବା ସୁଇସାଇଡ୍ ନୋଟ୍ ସାମ୍ନାକୁ ଆସିଛି । ଯେଉଁଥିରେ ସେ ଲେଖିଥିଲେ- ମୁଁ କିଛି ଭୁଲ୍ କରିନି, ମୁଁ କାହାକୁ ମାରିନି । ପିପିଏଚ୍ (Post-Partum Haemorrhage) ଏକ ଜଟିଳ ସମସ୍ୟା । ଏଥିପାଇଁ ଡାକ୍ତରଙ୍କୁ ପ୍ରତାଡିତ କରିବା ବନ୍ଦ କରନ୍ତୁ ।

ଆଉ ଶେଷରେ ଲେଖିଥିଲେ- ଦୟାକରି ମୋ ଛୁଆକୁ ମାଆର ଅଭାବ ହେବାକୁ ଦେବ ନାହିଁ। ଏଭଳି କିଛି ହୃଦୟ ବିଦାରକ କଥା ଲେଖି ଫାଶୀ ଲଗାଇ ଜୀବନ ହାରିଥିଲେ ଅର୍ଚ୍ଚନା । ଏହି ଘଟଣାରେ ଆଇଏମଏ ମଧ୍ୟ ଅସନ୍ତୋଷ ପ୍ରକାଶ କରିବା ସହ ରାଜ୍ୟର ସମସ୍ତ ଘରୋଇ ଓ ସରକାରୀ ହସ୍ପିଟାଲରେ ହଡତାଲ୍ ପାଇଁ ଘୋଷଣା କରିଛି । ଏହି ଆନ୍ଦୋଳନ ସମୟରେ ଇମରଜେନ୍ସି ସେବା ବ୍ୟତୀତ ବାକି ସବୁ ସେବା ବନ୍ଦ ରହିବ ବୋଲି ଆଇଏମଏ ସଚିବଙ୍କ ସୂଚନା।

ଆଗକୁ ସୌର ବିସ୍ଫୋରଣ: ପୃଥିବୀକୁ ମାଡ଼ ହେବ ଭୂଚୁମ୍ବକୀୟ ଝଡ

ନୂଆଦିଲ୍ଲୀ: ପୁଣି ସୌର ବିସ୍ଫୋରଣ । ଆସନ୍ତାକାଲି ଘଟିବାକୁ ଥିବା ଏହି ବିସ୍ଫୋରଣରେ ପୃଥିବୀକୁ ମାଡ଼ ହେବ ଭୂଚୁମ୍ବକୀୟ ଝଡ । ଘଣ୍ଟାପ୍ରତି ୨୧ ଲକ୍ଷ ୮୫ ହଜାର ୨୦୦ କିଲୋମିଟର ବେଗରେ ଝଡ଼ ଆସିବ ବୋଲି ସୂଚନା ଦିଆଯାଇଛି । ତେବେ ଏହି ଝଡ ପ୍ରଥମ ଥର ଲାଗି ନୁହେଁ, ଅତୀତରେ ମଧ୍ୟ ଏହି ଝଡ଼ ସୃଷ୍ଟି ହୋଇଥିଲା ।

କୋଲକାତା ସ୍ଥିତ ଭାରତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ଅନ୍ତର୍ଗତ ସେଣ୍ଟର ଫର ଏକ୍ସିଲେନ୍ସିର ବୈଜ୍ଞାନିକମାନେ କହିଛନ୍ତି- ସୌର ପ୍ରକ୍ରିୟାରେ ସୂର୍ଯ୍ୟ ଅଧିକ ସକ୍ରିୟ ହୋଇଛି ଏବଂ କୋରୋନାଲ ମାସ୍ ଇଜେକ୍ସନ ପ୍ରକ୍ରିୟାରେ ଏଥିରେ ବିସ୍ଫୋରଣ ଘଟୁଛି । ଏହାର ପ୍ରଭାବରେ ପ୍ରଚୁର ଶକ୍ତି ଓ ପ୍ଲାଜମା ପୃଥିବୀ ଅଭିମୁଖେ ଆସି ମାଡ଼ ହେବ ।

କୋରୋନାଲ ମାସ୍ ଇଜେକ୍ସନ ହେଉଛି ଏପରି ଏକ ପ୍ରକ୍ରିୟା ଯେଉଁଥିରେ ସୂର୍ଯ୍ୟର ପୃଷ୍ଠ ଦେଶରୁ ଶହ ଶହ କୋଟି ଟନ ଓଜନର ପଦାର୍ଥ ଉଦଗୀରଣ ହେବ ଏବଂ ଲକ୍ଷ ଲକ୍ଷ ମାଇଲ ବେଗରେ ଏହା ପୃଥିବୀକୁ ଆସି ମାଡ଼ କରିବ । ଏହାର ଗତି ରହିବ ସେକଣ୍ଟ ପିଛା ପ୍ରାୟ ୬୦୦ କିଲୋମିଟର ।

ରାଜ୍ୟ ବ୍ୟବସାୟୀ ମହାସଂଘର ଟାର୍ଗେଟ, କେନ୍ଦ୍ରର କର୍ପୋରେଟ୍ ପ୍ରୀତି ପାଇଁ ବଢ଼ୁଛି ଖାଇବା ତେଲ ଦର

ଭୁବନେଶ୍ୱର: କେନ୍ଦ୍ରର ତ୍ରୁଟିପୂର୍ଣ୍ଣ ନୀତି ଓ କର୍ପୋରେଟ୍‌ ପ୍ରୀତି ପାଇଁ ବଢ଼ୁଛି ଖାଇବା ତେଲ ଦର । ଏନେଇ କେନ୍ଦ୍ରକୁ ଟାର୍ଗେଟ୍‌ କରିଛନ୍ତି ରାଜ୍ୟ ବ୍ୟବସାୟୀ ମହାସଂଘ । ଗତ ୨ବର୍ଷ ଧରି ଯେଉଁ ଦେଶରୁ ତେଲ ଆମଦାନୀ କରାଯାଉଥିଲା, ସେଠାରେ ଉତ୍ପାଦନ କମ୍ ଥିଲା । ଦେଶରେ ବାର୍ଷିକ ୨ କୋଟି ଟନ୍‌ ତେଲର ଆବଶ୍ୟକତା ରହିଛି । ଓଡ଼ିଶାରେ ସାଢେ ୫ ଲକ୍ଷ ଟନରୁ ୬ ଲକ୍ଷ ଟନ ଖାଇବା ତେଲ ବର୍ଷକୁ ଆବଶ୍ୟକ ପଡୁଛି । ଦେଶକୁ ଆବଶ୍ୟକ ତେଲରୁ ୭୦ ପ୍ରତିଶତ ବିଦେଶରୁ ଆମଦାନୀ ହୁଏ । ସେଥିରୁ ୫୦ପ୍ରତିଶତ ପାମୋଲିନ ତେଲ ଆମଦାନୀ ହେଉଥିବା ବେଳେ ୨୦ପ୍ରତିଶତ ସୂର୍ଯ୍ୟମୁଖୀ ତେଲ ଆମଦାନୀ କରାଯାଉଥିଲା ।

ତୈଳ ଆମଦାନୀ ହେଉଥିବା ଦେଶରେ ମରୁଡ଼ି ଓ ଅନ୍ୟ ସମସ୍ୟା ରହିଥିଲା । ତେଣୁ ତେଲ ଦର ବଢିଥିଲା । ସେହିପରି ୟୁକ୍ରେନରୁ ୮୦ ପ୍ରତିଶତ ସୂର୍ଯ୍ୟମୁଖୀ ତେଲ ଆସୁଥିଲା, ଯୁଦ୍ଧ ପାଇଁ ଏହା ବାଧାପ୍ରାପ୍ତ ହୋଇଛି । ତେବେ ଦେଶରେ ସୋରିଷ ଉତ୍ପାଦନ ଦୁଇ ଗୁଣା ହୋଇଛି । ୬୦ଲକ୍ଷ ଟନରୁ ବଢି ୧ କୋଟି ୨୦ଲକ୍ଷ ଟନ୍‌ ଉତ୍ପାଦନ ହୋଇଛି । ସୂର୍ଯ୍ୟମୁଖୀ ଆମଦାନୀରେ ଅସୁବିଧା ହେଉଥିବାରୁ, ସୋରିଷ ତେଲ ତା’ର ବିକଳ୍ପ ଭାବେ ବ୍ୟବହାର କରାଯାଇପାରିବ । ହେଲେ ଆମଦାନୀକାରୀଙ୍କ ପ୍ରତି ଦାୟିତ୍ୱ ଠିକରେ ତୁଲାଉନି କେନ୍ଦ୍ର । ଫଳରେ କର୍ପୋରେଟ ସଂସ୍ଥା ମନଇଚ୍ଛା ଦର ନିର୍ଦ୍ଧାରଣ କରୁଛନ୍ତି ଓ ଖାଉଟି ହଇରାଣ ହେଉଛନ୍ତି।

ବାଣିଜ୍ୟ ନୀତି କେନ୍ଦ୍ର ସରକାର ନିର୍ଦ୍ଧାରଣ କରୁଥିବାରୁ ଏଥିରେ ରାଜ୍ୟ ସରକାରଙ୍କର କିଛି କରିବାର ନାହିଁ। କେନ୍ଦ୍ର ହିଁ ନିୟନ୍ତ୍ରଣ କରିପାରିବେ। ତେଲ କେତେ ମାତ୍ରାରେ ଆସୁଛି ଓ ବିକ୍ରି ହେଉଛି, ସେନେଇ କେନ୍ଦ୍ର ଦୈନିକ ତଦାରଖ କରିବା କଥା । ସୂର୍ଯ୍ୟମୁଖୀ ତେଲ ୧୨୫ ଟଙ୍କାରୁ ୧୯୦ରେ ପହଞ୍ଚିଛି । ଲିଟର ପିଛା ୬୦ରୁ ୬୫ ଟଙ୍କା ବଢିଛି । ପାମୋଲିନ ୧୨୦ ଟଙ୍କାରୁ ୨୫ ଟଙ୍କା ବଢି ୧୪୫ରେ ପହଞ୍ଚିଛି । ୟୁକ୍ରେନରୁ ସୂର୍ଯ୍ୟମୁଖୀ ତେଲ ଆସୁଥିବାରୁ ଦର ବଢିଛି । ହେଲେ ସୋରିଷ ତେଲ ଦର ଆଶାନୁରୂପ କମି ନାହିଁ । ଖୋଲା ବଜାରରେ ୧୪୦ରୁ ୧୪୫ ଟଙ୍କାରେ ବିକ୍ରି ହେବା କଥା । ହେଲେ ୧୮୦ରୁ ୧୯୦ ଟଙ୍କାର ଅବାସ୍ତବ ଦରରେ ବିକ୍ରି ହେଉଛି । କେନ୍ଦ୍ର ସରକାର ପ୍ରକୃତ ଦର ଆକଳନ କରିବାକୁ ବ୍ୟବସାୟୀ ମହାସଂଘ ମହାସଚିବ କହିଛନ୍ତି ।

କଳାହାଣ୍ଡିରେ ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା

କଳାହାଣ୍ଡି: ପ୍ରଥମ ଥର କଳାହାଣ୍ଡିରେ ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା। ଭୁବନେଶ୍ବରରୁ ଏକ ବିଶେଷଜ୍ଞ ଡାକ୍ତରୀ ଦଳ ହେଲିକେପ୍ଟର ଯୋଗେ କଳାହାଣ୍ଡିରେ ପହଞ୍ଚିଛନ୍ତି । ଆଉ ଏହି ୨ ଦିନିଆ ସ୍ବାସ୍ଥ୍ୟ ସେବାରେ କଳାହାଣ୍ଡି ବାସୀଙ୍କୁ ମିଳିଛି ସୁପର ସ୍ପେସାଲିଷ୍ଟ ଚିକିତ୍ସା ସେବା। ଭବାନୀପାଟଣା ସଦର ମୁଖ୍ୟ ଡାକ୍ତରଖାନାରେ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମ।

ଏହି କାର୍ଯ୍ୟକ୍ରମରେ ସବୁ ବିଭାଗର ବିଶେଷଜ୍ଞ ମାନେ ଆସି ରୋଗୀଙ୍କ ଚିକିତ୍ସା କରିଛନ୍ତି। ଆଜି ୧୨ ଜଣ ସୁପର ସ୍ପେସାଲିଷ୍ଟ ଡାକ୍ତର ୩୦୦ ଜଣ ରୋଗୀଙ୍କ ଚିକିତ୍ସା କରିଥିବା ସୂଚନା ମିଳିଛି। ୟୁରୋଲୋଜି, କାର୍ଡିଓଲୋଜି, ନେଫ୍ରୋଲୋଜି ଭଳି ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଇଛି । କେବଳ ଏତିକି ନୁହେଁ ପାଖାପାଖି ୪ ଜଣ ଗୁରୁତର ରୋଗୀଙ୍କ ଅସ୍ତ୍ରୋପଚାର ମଧ୍ୟ କରାଯାଇଥିଲା।

ସୂଚନା ଅନୁଯାୟୀ, ପ୍ରାଥମିକ ପର୍ଯ୍ୟାୟରେ ମାଲକାନଗିରି, ନବରଙ୍ଗପୁର, ନୂଆପଡା, କଳାହାଣ୍ଡିରେ ଏହି ଯୋଜନା ଆରମ୍ଭ ହୋଇଛି ।  ଅଧିକରୁ ଅଧିକ ଉପାନ୍ତ ଅଞ୍ଚଳରେ ଉନ୍ନତ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ ରହିଛି ।