ଭୁବନେଶ୍ୱର: ଆଜି ବିଧାନସଭାରେ ଆଗତ ହେବ କାମଚଳା ବଜେଟ୍ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ୍ ଉପସ୍ଥାପନ କରିବେ । କାମଚଳା ବଜେଟ ପରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ହେବ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପ୍ରଥମେ ବାର୍ଷିକ ବଜେଟ ଆକଳନ ଗୃହରେ ଉପସ୍ଥାପନ କରିବେ । ଏହା ପରେ ଅନ୍ୟ ଏକ ପ୍ରସ୍ତାବରେ ଅର୍ଥମନ୍ତ୍ରୀ ୧ ଲକ୍ଷ ୬ ହଜାର ୪୯୭ କୋଟିର ଭୋଟ ଅନ୍ ଆକାଉଣ୍ଟ ଗ୍ରାଣ୍ଟ ଗୃହରେ ଅନୁମତି ପାଇଁ ଉପସ୍ଥାପନ କରିବେ । ଏହା ଆସନ୍ତାକାଲି ବ୍ୟୟ ମଞ୍ଜୁର ବିଲ୍ ଆକାରରେ ଅନମୋଦନ ଲାଭ କରିବ । ତେବେ ଆସନ୍ତା ଆର୍ଥିକ ବର୍ଷ ପାଇଁ ଦୁଇ ଲକ୍ଷ କୋଟିର ବଜେଟ ଆକଳନ କରାଯାଇଛି । ପାଖାପାଖି ଏକ ଲକ୍ଷ କୋଟିର କାମଚଳା ବଜେଟ ସରକାର ଆଣିବେ । ୩୧ତାରିଖରେ ଗୃହରେ ବ୍ୟୟ ମଞ୍ଜୁରୀ ବିଲ ପାରିତ କରାଯିବ । ଅନ୍ୟପକ୍ଷରେ ଆଜି ପ୍ରଶ୍ନକାଳରେ କୃଷି ଓ କୃଷକ ସଶକ୍ତି କରଣ, ଯୋଗାଣ ଓ ଖାଉଟି କଲ୍ୟାଣ, ଗଣଶିକ୍ଷା, ଉଚ୍ଚଶିକ୍ଷା, ଶକ୍ତି, ଶିଳ୍ପ, ସମବାୟ, ସୂକ୍ଷ୍ମ,କ୍ଷୁଦ୍ର ଓ ମାଧ୍ୟମ ଉଦ୍ୟୋଗ ବିଭାଗର ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ରହିଛି ।
ତୈଳ ଦର ପାଇଁ ୟୁପିଏ ସରକାରଙ୍କୁ ଦାୟୀ କଲେ ଅର୍ଥମନ୍ତ୍ରୀ
ନୂଆଦିଲ୍ଲୀ: ପେଟ୍ରୋଲ ଡିଜେଲ ଦର ଲଗାତାର ବଢିବାରେ ଲଗିଛି । ଆଉ ଏହି ଦର ବୃଦ୍ଧି ପାଇଁ ସରକାର ଋଷ ଓ ୟୁପିଏ ସରକାରଙ୍କୁ ଦାୟୀ କରିଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ୟୁପିଏ ସରକାର ତେଲ ନେଇ ଯେଉଁ ଚୁକ୍ତି କରିଥିଲା ଏବଂ ଋଷ ଓ ଯୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ କାରଣରୁ ପେଟ୍ରୋଲ ଡିଜେଲ ଦର ଲଗାତାର ଭାବେ ବୃଦ୍ଧି ପାଉଛି ।
ଅର୍ଥମନ୍ତ୍ରୀ ରାଜ୍ୟସଭାରେ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ, ବିଶ୍ୱ ବଜାରରେ ଯୋଗାଣରେ ବଧା ହେଉଥିବାରୁ କିଛି ସପ୍ତାହ ଧରି ତୈଳ ଦର ବୃଦ୍ଧି ପାଉଛି । ଏହା ବ୍ୟତୀତ ପୂର୍ବ ୟୁପିଏ ସରକାର ଦେଇଥିବା ୨ ଲକ୍ଷ କୋଟି ଟଙ୍କାର ତୈଳ ବଣ୍ଡ ବା ଚୁକ୍ତି କାରଣରୁ ପେଟ୍ରୋଲ ଏବଂ ଡିଜେଲର ଖୁଚୁରା ମୂଲ୍ୟ ଉପରେ ମଧ୍ୟ ପ୍ରଭାବ ପଡୁଛି । ତେବେ ଏହାର ମୁକାବିଲା ପାଇଁ ସରକାର ନିରନ୍ତର ପଦକ୍ଷେପ ନେଉଛନ୍ତି।
୨୦୨୬ ସୁଦ୍ଧା ପ୍ରଭାବ ପଡ଼ିବ
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ତୈଳ ଚୁକ୍ତି ଅନୁସାରେ ୨୦୨୬ ସୁଦ୍ଧା ସମସ୍ତ ସୁଧ ଦେବାକୁ ପଡିବ । ଆଉ ଏହାର ସିଧାସଳଖ ପ୍ରଭାବ କରଦାତା ଉପରେ ପଡ଼ିବ । ଏକ ଦଶନ୍ଧି ପୂର୍ବରୁ ୟୁପିଏ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ତୈଳ ଚୁକ୍ତି କାରଣରୁ ଗ୍ରାହକମାନଙ୍କୁ ଏବେ ବି ଏହାଇ ଭରଣା କରିବାକୁ ପଡ଼ୁଛି । ଫଳସ୍ୱରୂପ ଖୁଚୁରା ବଜାରରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପାଉଛି ।
ସନ୍ରାଇଜର୍ସ ହାଇଦରାବାଦକୁ ୬୧ ରନ୍ରେ ପରାସ୍ତ କଲା ରାଜସ୍ଥାନ ରାୟାଲସ
ପୁଣେ: ମଙ୍ଗଳବାର ମଇଦାନରେ ରାଜସ୍ଥାନ ରାୟାଲସ ଓ ସନରାଇଜର୍ସ ହାଇଦରାବାଦ ସାମ୍ନାସାମ୍ନୀ ହୋଇଛନ୍ତି । ଆଇପିଏଲ୍ର ୪ର୍ଥ ଦିନରେ ବିପୁଳ ବିଜୟ ହାସଲ କରିଛି ରାଜସ୍ଥାନ ରୟାଲ୍ସ। ସନ୍ରାଇଜର୍ସ ହାଇଦରାବାଦକୁ ୬୧ ରନ୍ର ବଡ଼ ବ୍ୟବଧାନରେ ପରାସ୍ତ କରି ରାଜସ୍ଥାନ ତା’ର ଅଭିଯାନ ଆରମ୍ଭ କରିଛି । ଅଧିନାୟକ ସଞ୍ଜୁ ସାମ୍ସନଙ୍କ ଅର୍ଦ୍ଧଶତକ ସହ ଆଉ କିଛି ଉପଯୋଗୀ ଇନିଂସ ବଳରେ ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ ୬ ୱିକେଟରେ ୨୧୦ ରନ୍ କରିଥିଲା। ୩୭ ରନ୍ରେ ୫ଟି ୱିକେଟ ହରାଇଥିବା ସନ୍ରାଇଜର୍ସ ଶେଷରେ ୭ ୱିକେଟ ହରାଇ ୧୪୯ ରନ୍ କରିବା ରେ ସଫଳ ହୋଇଥିଲା ।

ସନ୍ରାଇଜର୍ସର ଐଡେନ୍ ମାର୍କରାମ ଓ ୱାଶିଂଟନ ଶେଷଆଡ଼କୁ ଭଲ ବ୍ୟାଟିଂ କରିଥିଲେ ବି ଏହା ଟିମକୁ ଜିତାଇ ପାରିନଥିଲା । ୨୧୧ ରନ୍ ଲକ୍ଷ୍ୟ କରି ଖେଳ ଆରମ୍ଭ କରିଥିବା ସନରାଇଜର୍ସ ୫ମ ଓଭରରେ ମାତ୍ର ୯ ରନ୍ ସ୍କୋର୍ରେ ୩ଟି ପ୍ରମୁଖ ୱିକେଟ ହରାଇଥିଲା । ଅଧିନାୟକ କେନ୍ ୱିଲିୟମ୍ସନ ୨ ରନ୍କରି ଆଉଟ ହୋଇଥିବା ବେଳେ ରାହୁଲ ତ୍ରିପାଠୀ ଓ ନିକୋଲାସ୍ ପୁରନ୍ ଖାତା ଖୋଲି ପାରିନଥିଲେ ।
ତେବେ ଏହି ମ୍ୟାଚରେ ସାମ୍ସନ ବ୍ୟାଟିଂ କରି ୨୭ ବଲ୍ରୁ ୫ଟି ଛକା ଓ ୩ଟି ଚୌକା ସହ ୫୫ ରନ୍ କରିଥିଲେ। ଶେଷଆଡ଼କୁ ସିମ୍ରନ୍ ହେତ୍ମେୟର ମାତ୍ର ୧୩ ବଲ୍ରୁ ୩ଟି ଛକା ଓ ୨ଟି ଚୌକା ସହ ୩୨ ରନ୍ କରିଥିଲେ । ରିୟାନ୍ ପରାଗ ୧୨ ରନ୍ କରିଥିଲେ। ଶେଷ ୩ ଓଭରରୁ ୪୦ ରନ୍ ହୋଇଥିଲା। ଏହାସହ ଉମ୍ରାନ୍ ମାଲିକ୍ ଓ ଟି. ନଟରାଜନ୍ ୨ଟି ଲେଖାଏଁ ୱିକେଟ ନେଇଥିଲେ। ସଞ୍ଜୁ ସାମ୍ସନ ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।
ଆରମ୍ଭ ହୋଇଯାଇଛି ଶୈବପୀଠ ମହାବିନାୟକର ପୁନଃରୁଦ୍ଧାର କାର୍ଯ୍ୟ
ଭଦ୍ରକ: ଏବେ ଆହୁରି ମନୋରମ ହେବ ଯାଜପୁର ଜିଲ୍ଲାର ପ୍ରସିଦ୍ଧ ମହାବିନାୟକ ଶୈବପୀଠ । ପୀଠର ସୌନ୍ଦର୍ଯ୍ୟ ବଢାଇବା ପାଇଁ ଅନେକ ଉନ୍ନତିମୂଳକ କାର୍ଯ୍ୟ ହାତକୁ ନେଇଛନ୍ତି ରାଜ୍ୟ ସରକାର । ଓଳାସୁଣି ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ମଧ୍ୟ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ପୀଠର ସୌନ୍ଦର୍ଯୀକରଣକୁ ଗୁରୁତ୍ବ ଦେଇଛି ପର୍ଯ୍ୟଟନ ବିଭାଗ ।
ବଦଳିବାକୁ ଯାଉଛି ମହାବିନାୟକର ଚେହେରା । ପରିତ୍ୟକ୍ତ ହୋଇ ପଡ଼ିରହିଥିବା ଯାଜପୁର ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ମହାବିନାୟକର ପୁନଃରୁଦ୍ଧାର କାର୍ଯ୍ୟ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ପୀଠ ପରିସରରେ ସୁନ୍ଦର ପାର୍କ ସହିତ ପାଦଚଲା ରାସ୍ତା, ଘାସ ଗାଲିଚା, ଆଲୋକୀକରଣ ଓ ଛୋଟ ପିଲାଙ୍କ ପାଇଁ ଅନେକ ଆମୋଦପ୍ରମାଦର ବ୍ୟବସ୍ଥା ହେଉଛି । ପାହାଡ଼କୁ ଆହୁରି ମନଲୋଭା କରିବାକୁ କରାଯାଇଛି କୃତ୍ରିମ ଝରଣା । ମନରେଗା ଯୋଜନାରେ ଶ୍ରମିକମାନଙ୍କୁ କାମ ଯୋଗାଇ ଦେଇ ସେମାନଙ୍କୁ ରୋଜଗାର ମଧ୍ୟ ପ୍ରଦାନ କରାଯାଇଛି ।
କେବଳ ମହାବିନାୟକ ନୁହେଁ, ଓଳାଶୁଣୀ ଇକୋ ଟୁରିଜିମ କ୍ଷେତ୍ରର ମଧ୍ୟ ପୁନଃରୁଦ୍ଧାର କାର୍ଯ୍ୟ ଜାରି ରହିଛି । ଏଠାରେ ମଧ୍ୟ ପାହାଡ଼ ଉପରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜାରି ରହିଛି । ଫନି ବାତ୍ୟା ପରଠୁ ଓଳାସୁଣି ପାହାଡ଼ ଅବହେଳିତ ଅବସ୍ଥାରେ ପଡ଼ିରହିଥିଲା । ଏବେ ଏହାର ବିକାଶ ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛି ପର୍ଯ୍ୟଟନ ବିଭାଗ ।
ଅଗ୍ନିପରୀକ୍ଷା ପୂର୍ବରୁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଗୋଟିଚାଳନା
ଇସଲାମାବାଦ: ପାକିସ୍ତାନ ରାଜନୀତିରେ ଘଡ଼ିକେ ଛୁଟୁଛି ଘୋଡ଼ା । ଅଗ୍ନିପରୀକ୍ଷା ପୂର୍ବରୁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଗୋଟିଚାଳନା । ଅନାସ୍ଥା ଭୋଟରେ ଅନୁପସ୍ଥିତ ରହିବା ଲାଗି ପାକିସ୍ତାନ ତେହରିକ-ଇ-ଇନସାଫ ବା ପିଟିଆଇର ସମସ୍ତ ସାଂସଦଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଇମ୍ରାନ । ଇମ୍ରାନଙ୍କ ବିରୋଧରେ ପାକ୍ ସଂସଦରେ ଅନାସ୍ଥା ପ୍ରସ୍ତାବ ଆଗତ ହେବା ପରଠାରୁ ଉଭୟ ସରକାର ଓ ବିରୋଧୀଙ୍କ ଜାରି ରହିଛି ଗେମପ୍ଲାନ ।

ଦୁଇ ଦିନ ତଳେ ବିରୋଧୀ ଦଳ ନେତା ତଥା ପିଏମଏଲ-ଏନ୍ ସଭାପତି ଶେହବାଜ ସରିଫଙ୍କ ଦ୍ବାରା ଏହି ପ୍ରସ୍ତାବ ଆଗତ ହୋଇଥିଲା । ଅନାସ୍ଥା ପ୍ରସ୍ତାବ ଆଗତ ହେବା ପରେ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ସଂସଦକୁ ରଖାଯାଇଥିଲା ମୁଲତବୀ । ଆସନ୍ତା ଏପ୍ରିଲ ୩ ତାରିଖରେ ହିଁ ସଂସଦରେ ଅନାସ୍ଥା ଭୋଟ ହୋଇପାରେ ବୋଲି ଆଶା କରାଯାଉଛି । ୩୪୨ ସଦସ୍ୟ ବିଶିଷ୍ଟ ପାକ୍ ସାଂସଦରେ ମ୍ୟାଜିକ ନମ୍ବର ରହିଛି ୧୭୨ ।

ଏହାପୂର୍ବରୁ ପଞ୍ଜାବ ପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ପାକିସ୍ତାନ-ତେହରିକ-ଇ-ଇନସାଫ ସଦସ୍ୟ ଉସମାନ ବଜାଦାର ଓ ଗୃହ ନିର୍ମାଣମନ୍ତ୍ରୀ ତଥା ସହଯୋଗୀ ପାକିସ୍ତାନ ମୁସଲିମ ଲିଗ କ୍ୟାଦର ନେତା ତାରିକ ବାସିର ସୀମା ଇସ୍ତଫା ଦେଇଛନ୍ତି । କୁହାଯାଉଛି ଇମ୍ରାନ ନିଜର ଗାଦି ବଞ୍ଚାଇବାକୁ ପଞ୍ଜାବ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବଳିଦାନ ଦେଇଛନ୍ତି ।

