spot_img
Home Blog Page 4461

୨୦୨୫ ସୁଦ୍ଧା ଯକ୍ଷ୍ମାରୋଗକୁ ନିର୍ମୂଳ କରାଯିବା ଲକ୍ଷ୍ୟ

ଭୁବନେଶ୍ୱର: ପ୍ରତିବର୍ଷ ମାର୍ଚ୍ଚ ୨୪ ତାରିଖ ଦିନ ବିଶ୍ୱବ୍ୟାପୀ ଟିବି ଡେ ପାଳିତ ହେଉଛି । ଚଳିତ ବର୍ଷ ମାର୍ଚ୍ଚ ୨୪ ତାରିଖ ଦିନ ରାଜ୍ୟରେ ପୌର ନିର୍ବାଚନ ଅନୁଷ୍ଠିତ ହେଉଥିବା ଯୋଗୁଁ ମାର୍ଚ୍ଚ ୨୩ ତାରିଖ ଦିନ ରାଜ୍ୟ ସରକାରଙ୍କ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପକ୍ଷରୁ ଯକ୍ଷ୍ମା ଦିବସର ଅବ୍ୟବହିତ ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।

ସୂଚନା ମୁତାବକ ୨୦୨୫ ମସିହା ସୁଦ୍ଧା ଯକ୍ଷ୍ମାରୋଗ ନିର୍ମୂଳ ଲକ୍ଷ୍ୟନେଇ ରାଜ୍ୟରେ ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟ କରୁଛି । ଏଥି ପାଇଁ ରାଜ୍ୟରୁ ଅଧିକରୁ ଅଧିକ ଯକ୍ଷ୍ମାରୋଗୀ ନିୟମିତ ଚିହ୍ନଟ କରି ସେମାନଙ୍କୁ ସଫଳତାର ସହିତ ଚିକିତ୍ସା ପ୍ରଦାନ କରାଯାଉଛି । ରାଜ୍ୟରେ ୩୦ଟି ଜିଲ୍ଲାରେ ଏଥି ନିମନ୍ତେ ‘ଟିବି ଫୋରମ୍‌’ ଗଠନ କରାଯାଇଛି । ୨୦୧୬ ମସିହାରେ ରାଜ୍ୟରେ ମୋଟ ୫୧.୪୩୪ ଜଣ ରୋଗୀ ଚିକିତ୍ସିତ ହେଉଥିବାବେଳେ ସମୁଦାୟ ସଫଳତା ହାର ଥିଲା ୭୧.୪ ପ୍ରତିଶତ । ସେହିପରି ୨୦୨୧ ମସିହାରେ ମୋଟ ୫୨.୩୪୬ ଜଣ ଯକ୍ଷ୍ମାରୋଗୀ ଚିକିତ୍ସିତ ହୋଇଥିବାବେଳେ ସଫଳତା ହାର ୮୮.୫% ଅଟେ ।

ଜାତୀୟ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ ଏନଟିଇପି ଅଧୀନରେ ଚିହ୍ନଟ ଓ ଚିକିତ୍ସିତ ହେଉଥିବା ସମସ୍ତ ରୋଗୀଙ୍କୁ ‘ସିଧାସଳଖ ପ୍ରାପ୍ୟ ହସ୍ତାନ୍ତରଣ’ ପ୍ରକ୍ରିୟା ଅଧୀନରେ ‘ନିକ୍ଷୟ ପୋଷଣ ଯୋଜନା’ରେ ବିଭିନ୍ନ ପ୍ରକାର ଆର୍ଥିକ ପ୍ରୋତ୍ସାହନ ଦିଆଯାଉଛି ।

World TB Day Observed In Odisha

ପୁଷ୍ଟିକର ଖାଦ୍ୟ ପାଇଁ ରୋଗୀର ଚିକିତ୍ସା ସଂପୂର୍ଣ୍ଣ ହେବା ପର୍ଯ୍ୟନ୍ତ ପ୍ରତି ମାସରେ ୫୦୦ ଟଙ୍କା ସିଧାସଳଖ ରୋଗୀଙ୍କ ବ୍ୟାଙ୍କ ଖାତାରେ ଜମା କରାଯାଏ । ଯକ୍ଷ୍ମାରୋଗୀ ଚିହ୍ନଟ ପାଇଁ ସୂଚନା ପ୍ରଦାନକାରୀଙ୍କୁ ୫୦୦ ଟଙ୍କା ଦିଆଯାଏ । ଚିକିତ୍ସା ସହାୟକମାନଙ୍କୁ ‘ଡ୍ରଗ୍ ସେନସିଟିଭ୍ ଟିବି’ ରୋଗୀଙ୍କ ଚିକିତ୍ସା ସଂପୂର୍ଣ୍ଣ ପରେ ୧୦୦୦ ଟଙ୍କା ଏବଂ ‘ଡ୍ରଗ୍ ରେସିଷ୍ଟାଣ୍ଟ ଟିବି’ ରୋଗୀଙ୍କ ଚିକିତ୍ସା ସଂପୂର୍ଣ୍ଣ ପରେ ୫୦୦୦ ଟଙ୍କା ପ୍ରଦାନ କରା ଯାଇଥାଏ । ଜନଜାତି ଓ ଦୁର୍ଗମ ଅଞ୍ଚଳରେ ଚିକିତ୍ସାଧୀନ ପ୍ରତି ରୋଗୀଙ୍କ ଯିବା ଆସିବାରେ ସୁବିଧା ପାଇଁ ଏକକାଳୀନ ୭୫୦ ଟଙ୍କା ପ୍ରଦାନ କରାଯାଏ । ଜନସମୁଦାୟରୁ ସମ୍ଭାବିତ ଯକ୍ଷ୍ମାରୋଗୀଙ୍କୁ ଚିହ୍ନଟ କରିବା ପାଇଁ ଆଶାକର୍ମୀଙ୍କୁ ଆର୍ଥିକ ପ୍ରୋତ୍ସାହନର ବ୍ୟବସ୍ଥା କରାଯାଇଛି ।

ଔଷଧ କାଟୁ କରୁନଥିବା ‘ଡ୍ରଗ୍ ରେସିଷ୍ଟାଣ୍ଟ ଟିବି’ ରୋଗୀମାନଙ୍କ ନିମନ୍ତେ ‘ସର୍ଟର ଓରାଲ୍’  ଏବଂ ‘ଲଙ୍ଗର ଓରାଲ ରେଜିମେନ’ ଔଷଧ ପ୍ରଣାଳୀରେ ଚିକିତ୍ସା କରାଯାଉଛି । ବେସରକାରୀ ସୂତ୍ରରୁ ଅଧିକରୁ ଅଧିକ ଯକ୍ଷ୍ମାରୋଗୀ ଚିହ୍ନଟ ପାଇଁ ଭାରତ ସରକାରଙ୍କ ‘ପେସେଣ୍ଟ ପ୍ରୋଭାଇଡର ସପୋର୍ଟ ଏଜେନ୍ସି (ପିପିଏସଏ’ କାର୍ଯ୍ୟକ୍ରମ ଅଧୀନରେ ୬ଟି ଜିଲ୍ଲା ଯଥା: ଖୋର୍ଦ୍ଧା(ଭୁବନେଶ୍ୱରକୁ ମିଶାଇ)/ କଟକ/ ଗଞ୍ଜାମ/ ମୟୂରଭଞ୍ଜ/ ସୁନ୍ଦରଗଡ଼/ ସମ୍ବଲପୁରରେ ଏନ୍‌ଜିଓମାନେ କାର୍ଯ୍ୟ କରୁଛନ୍ତି ।

World TB Day Observed In Odisha

‘ଟିବି ପ୍ରିଭେଣ୍ଟିଭ୍ ଥେରାପି(TPT)’ ସାରା ରାଜ୍ୟରେ କାର୍ଯ୍ୟକାରୀ ହେଉଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ନୂତନ ଭାବେ ଚିହ୍ନିତ ଛାତି ଯକ୍ଷ୍ମାରୋଗୀଙ୍କ ନିକଟ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କର ଚିକିତ୍ସା ବ୍ୟବସ୍ଥା କରାଯାଉଛି । ଆଇଏମ୍, ଆଇଏପି, ଏଫଓଜିଏସ୍ଆଇ ଇତ୍ୟାଦି ସଂଗଠନମାନଙ୍କ ଜରିଆରେ ଅଧିକରୁ ଅଧିକ ଯକ୍ଷ୍ମାରୋଗୀ ଚିହ୍ନଟ ପାଇଁ କାର୍ଯ୍ୟକ୍ରମ କରାଯାଉଛି । ଟିବି ଚିହ୍ନଟ ପ୍ରକ୍ରିୟାର ଉନ୍ନତି ପାଇଁ ‘ସିବିଏନ୍ଏଏଟି’ ଓ ‘ଟ୍ରୁନଟ୍’ ଯନ୍ତ୍ରମାନ ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କରେ ସ୍ଥାପିତ କରାଯାଉଛି । ଯକ୍ଷ୍ମା ନିବାରଣ ଔଷଧ ଓ ଉପକରଣଗୁଡ଼ିକର ନିରନ୍ତର ଯୋଗାଣ ଉପରେ ଗୁରୁତ୍ୱ ଦିଆଯାଉଛି । ‘ଆକ୍ଟିଭ୍ କେସ୍ ଫାଇଣ୍ଡିଂ’ କାର୍ଯ୍ୟକ୍ରମ ବର୍ଷକୁ ଦୁଇଥର କାର୍ଯ୍ୟକାରୀ କରାଯାଉଛି । ଯକ୍ଷ୍ମାରୋଗରୁ ସଫଳତା ସହିତ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କ ମଧ୍ୟରୁ କେତେକଙ୍କୁ ଯକ୍ଷ୍ମା ସମ୍ବନ୍ଧରେ ତାଲିମ ଦିଆଯାଇ ଓ କାର୍ଯ୍ୟକ୍ରମର ସହାୟତା ପାଇଁ ‘ଟିବି ଚାମ୍ପିଅନ୍’ ଭାବରେ ନିୟୋଜିତ କରାଯାଇଛି ।

ଚଳିତ ବର୍ଷ ଯକ୍ଷ୍ମା ଦିବସର ସ୍ଳୋଗାନ ରହିଛି ‘ଇନ୍‌ଭେଷ୍ଟ ଟୁ ଏଣ୍ଡ ଟିବି, ସେଭ୍‌ ଲାଇଭସ୍‌’ । ଏହି ଅବସରରେ ଜନସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ଡା. ଅଜିତ କୁମାର ମହାନ୍ତି, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର, ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡା. ବିଜୟ କୁମାର ମହାପାତ୍ର, ଅତିରିକ୍ତ ନିର୍ଦ୍ଦେଶକ(ଟିବି) ଡା. ପ୍ରଶାନ୍ତ କୁମାର ହୋତା, ଅତିରିକ୍ତ ନିର୍ଦ୍ଦେଶକ ଡା. ପ୍ରଦୀପ କୁମାର ପାଢ଼ୀ, ଯୁଗ୍ମ ନିର୍ଦ୍ଦେଶକ(ଟିବି) ଅର୍ଘ୍ୟ ପ୍ରଧାନ ଓ ବିଭାଗର ଅନ୍ୟ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଗାନ୍ଧୀଜୀଙ୍କ ନୀତି ଓ ଆଦର୍ଶକୁ ବାସ୍ତବ ଜୀବନରେ ପ୍ରୟୋଗ କଲେ ଯୁବକମାନଙ୍କ ବ୍ୟକ୍ତିତ୍ୱ ପ୍ରସ୍ଫୁଟିତ ହେବ

ଭୁବନେଶ୍ୱର: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନୀତି ଓ ଆଦର୍ଶ ସମ୍ପର୍କିତ ତଥ୍ୟ ପୁସ୍ତକରୁ ପଢ଼ି ଜାଣିବା ଏବଂ ବାସ୍ତବ ଜୀବନରେ ଏହାର ପ୍ରୟୋଗ କରିବା ମଧ୍ୟରେ ଅନେକ ପାର୍ଥକ୍ୟ ଅଛି । ଗାନ୍ଧୀଜୀଙ୍କ ନୀତି ଓ ଆଦର୍ଶକୁ ଯୁବ ସମାଜ ଜୀବନର ଅଭିଜ୍ଞତା ମାଧ୍ୟମରେ ଅନୁଧ୍ୟାନ ଓ ଅନୁଶୀଳନ କରି ଜୀବନରେ ପ୍ରୟୋଗ କଲେ ନିଜ ବ୍ୟକ୍ତିତ୍ୱର ପରିସ୍ଫୁଟନ ସହିତ ସମାଜରେ ସ୍ନେହ, ସମ୍ପ୍ରୀତି ଓ ସୌହାର୍ଦ୍ଦ୍ୟ ପ୍ରତିଷ୍ଠା ହୋଇପାରିବ ବୋଲି ମହାତ୍ମା ଗାନ୍ଧୀଙ୍କ ପ୍ରଥମ ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ପାଳନ ଅବସରରେ ରାଜ୍ୟ ଅଭିଲେଖାଗାର ସମ୍ମିଳନୀ କକ୍ଷରେ ଆୟୋଜିତ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ରଞ୍ଜନ କୁମାର ଦାସ ପ୍ରକାଶ କରିଛନ୍ତି ।

Workshop On Mahatma Gandhi's Odisha Visits

ଗାନ୍ଧୀଜୀ କେବଳ ଜଣେ ବ୍ୟକ୍ତି ନଥିଲେ, ସେ ଥିଲେ ଏକ ବିଚାର । ସତ୍ୟ ଓ ଅହିଂସାର ପରୀକ୍ଷାଗାରରେ ତାଙ୍କ ବିଚାର ଉତ୍ତୀର୍ଣ୍ଣ ହେଲା ପରେ ଯାଇ ସେ ତା’ର ପ୍ରୟୋଗ ସମାଜରେ କରୁଥିଲେ । ବାସ୍ତବରେ ସେ ଥିଲେ ସୃଷ୍ଟି, ସୃଜନଶୀଳତା ଓ ସନ୍ତୁଳନର ପ୍ରତୀକ ବୋଲି ମୁଖ୍ୟବକ୍ତା ବିଶିଷ୍ଟ ଗାନ୍ଧୀବାଦୀ ଲେଖକ ଗୌରାଙ୍ଗ ଚରଣ ପରିଡ଼ା ପ୍ରକାଶ କରିଥିଲେ । ସାଧାରଣ ମଣିଷଙ୍କ ଭଳି ଗାନ୍ଧୀଜୀଙ୍କ ଜୀବନରେ ମଧ୍ୟ ଅନେକ ଦ୍ୱନ୍ଦ୍ୱ ଉତ୍ପନ୍ନ ହୋଇଛି ଏବଂ ସେ ତା’ର ସମାଧାନର ବାଟ ମଧ୍ୟ କାଢ଼ିଛନ୍ତି ଓ ତାହା ପରବର୍ତ୍ତୀ ସମୟରେ ଯୁବସମାଜକୁ ଅନୁପ୍ରାଣିତ କରିଛି ବୋଲି ଶ୍ରୀ ପରିଡ଼ା ପ୍ରକାଶ କରିଥିଲେ । ଆଜିର ଆଲୋଚନା ଚକ୍ରର ବିଷୟବସ୍ତୁ ଥିଲା ‘ଆଧୁନିକ ଯୁବସମାଜର ଆଦର୍ଶ-ମହାତ୍ମା ଗାନ୍ଧୀ’ । ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଡ. ଶେଖ୍‌ ସୁଲେମାନ୍‌ ଅଲ୍ଲୀ ସ୍ୱାଗତ ଭାଷଣ ଦେଇଥିଲାବେଳେ ଶ୍ରୀ ଉପେନ୍ଦ୍ର କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

ବଜେଟ୍ ଅଧିବେଶନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ପରଖିଲେ ପୋଲିସ ଡିଜି

ଭୁବନେଶ୍ୱର: ଆସନ୍ତା ୨୫ରୁ ବିଧାନସଭାର ବଜେଟ ଅଧିବେଶନ । ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ ଡିଜି ସୁନିଲ ବଂଶଲ । ବିଧାନସଭା ବାହାର ଓ ଭିତର ବୁଲି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି ଡିଜିପି । ସବୁ ଅଧିବେଶନ ଭଳି ଏଥର ମଧ୍ୟ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଡିସିପିଙ୍କ ନେତୃତ୍ୱରେ ୩୦ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହେବେ । ୬ ଜଣ ଅତିରିକ୍ତ ଡିସିପି, ୧୧ ଜଣ ଏସପି, ୧୩ ଜଣ ଇନ୍ସପେକ୍ଟର ଏବଂ ୬୨ ଜଣ ଅଫିସର ସୁରକ୍ଷା ଦାୟିତ୍ୱରେ ରହିବେ ।

Odisha DGP Reviews Security Arrangements Ahead Of Assembly Budget Session

ହଠାତ୍ କୌଣସି ଅଘଟଣ ପାଇଁ ୨ଟି ସ୍ପେଶାଲ ଟାକ୍ଟିକାଲ ୟୁନିଟ୍ ମୁତୟନ ରହିବେ । ପ୍ରଥମ ଦିନରେ ରାଜ୍ୟପାଳ ବିଧାନସଭା ଆସିବାକୁ ଥିବାରୁ ତାଙ୍କ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ରାଲି, ଧାରଣା ଏବଂ ବିକ୍ଷୋଭ ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ବିଧାନସଭାକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ୍ କରାଯାଇଛି । କେବଳ ଅନୁମତି ପ୍ରାପ୍ତ ବ୍ୟକ୍ତି ନିଜ ଆଇଡି ଦେଖାଇ ଯାଇପାରିବେ । ଟ୍ରାଫିକ୍ ମ୍ୟାନେଜମେଣ୍ଟ ପାଇଁ ଡିସିପି ଟ୍ରାଫିକଙ୍କୁ ଦାୟିତ୍ୱ ଦିଆଯାଇଛି ।

Municipal Elections: କାଲି ସକାଳ ୮ଟାରୁ ୪ ହଜାରରୁ ଅଧିକ ବୁଥରେ ଭୋଟ୍ ଗ୍ରହଣ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟରେ ପୌର ନିର୍ବାଚନ । ୨୬ରେ ଗଣତି । ଏଥିପାଇଁ ରାଜ୍ୟ ନିର୍ବାଚନ ଆୟୋଗ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଏନଏସି, ପୌର ଏବଂ ମହାନଗର ନିଗମର ୧୭ ଶହ ୩୭ ୱାର୍ଡରେ ହେବ ନିର୍ବାଚନ । ୪ ହଜାର ୩ ଶହ ୭୩ ବୁଥରେ ମୋଟ ୪୦ ଲକ୍ଷ ୫୫ ହଜାର ଭୋଟର ନିଜର ମତଦାନ ସାବ୍ୟସ୍ତ କରିବେ । ପୌର ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସେପଟେ ଯେଉଁ ଜାଗାରୁ ପ୍ରାର୍ଥୀମାନେ ଭୋଟରଙ୍କୁ ଟଙ୍କା ବାଣ୍ଟିବାର ଅଭିଯୋଗ ଆସିଛି, ତଦନ୍ତ କରିବାକୁ ନିର୍ବାଚନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Odisha Municipal Elections To Be Held Tomorrow In 1737 Ward

ସହର ପାଇଁ କାଲି ପଡ଼ିବ ଭୋଟ୍‌ । ପୌର ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ପ୍ରସ୍ତୁତ । ୫୯ଟି ଏନଏସି, ୪୭ଟି ପୌର ପରିଷଦ ଏବଂ ୩ଟି ମହାନଗର ନିଗମର ମୋଟ ୧୭ ଶହ ୩୭ ୱାର୍ଡରେ ହେବ ଭୋଟିଂ । ୪ ହଜାର ୩୭୩ ବୁଥରେ ନିର୍ବାଚନ ହେବ, ପ୍ରତି ବୁଥରେ ରହିବ ଦୁଇଟି ଇଭିଏମ୍ ରହିବ । ଗୋଟିଏ କାଉନସିଲର ବା କର୍ପୋରେଟରଙ୍କ ପାଇଁ ଏବଂ ଅନ୍ୟଟି ଅଧ୍ୟକ୍ଷ ବା ମେୟରଙ୍କ ପାଇଁ । କଟକର ମେୟର, ବାରିପଦାର ଅଧ୍ୟକ୍ଷ ପଦ ପାଇଁ ୧୬ ଜଣ ଏବଂ ଜୟପୁରର ଅଧ୍ୟକ୍ଷ ପଦ ପାଇଁ ୧୮ ଜଣ ପ୍ରାର୍ଥୀ ଥିବାରୁ ଏହିସବୁ ଜାଗାରେ ଗୋଟିଏ ଲେଖାଏଁ ଅତିରିକ୍ତ ବାଲଟ୍ ୟୁନିଟ୍ ଇଭିଏମ୍ ଲାଗିବ ।

Odisha Municipal Elections To Be Held Tomorrow In 1737 Ward

ପୌର ନିର୍ବାଚନରେ ଅଧ୍ୟକ୍ଷ ପଦ ପାଇଁ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା ହେଉଥିବାରୁ ସବୁଠି ନିର୍ବାଚନୀ ମାହୋଲ ସରଗରମ ରହିଛି । କିଛି ଜାଗାରେ ନିର୍ବାଚନୀ ହିଂସା ମଧ୍ୟ ଦେଖିବାକୁ ମିଳିଛି । ଏହାକୁ ନଜରରେ ରଖି ନିର୍ବାଚନ ଦିନ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି । ୧୯୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ଭୁବନେଶ୍ୱରରେ ୩୦, କଟକରେ ୨୦ ଏବଂ ବ୍ରହ୍ମପୁର ମହାନଗର ନିଗମ ପାଇଁ ୧୦ ପ୍ଲାଟୁନ ଫୋର୍ସ ରହିବେ । ଏହା ସହ ୩୦୦ ମୋବାଇଲ ପାର୍ଟି ମଧ୍ୟ ନିୟୋଜିତ ରହିବେ । ନିର୍ବାଚନ ହେଉଥିବା ପ୍ରତ୍ୟେକ ପୌର ପରିଷଦର ପୋଲିସ ଷ୍ଟେସନରେ ଗୋଟିଏ ଲେଖାଏ ଷ୍ଟ୍ରାଇକିଂ ଫୋର୍ସ ରହିବେ । ଜିଲ୍ଲାରେ ଜରୁରୀ ପରିସ୍ଥିତି ପାଇଁ ଗୋଟିଏ କିମ୍ବା ଦୁଇ ପ୍ଲାଟୁନ ଫୋର୍ସ ରହିବେ ।

Odisha Municipal Elections To Be Held Tomorrow In 1737 Ward

ସହରାଞ୍ଚଳରେ ଗୋଟିଏ ଲେଖାଏ ମହିଳାଙ୍କ ଦ୍ୱାରା ପରିଚାଳିତ ପିଙ୍କ ବୁଥ୍ ଏବଂ ଆଦର୍ଶ ବୁଥ ରହିବ । ପ୍ରତି ମହାନଗର ନିଗମରେ ୫ଟି ଲେଖାଏ ପିଙ୍କ୍ ଓ ମଡେଲ ବୁଥ୍ ରହିବ । ନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କୁ ପୋଷ୍ଟାଲ ବାଲଟ୍ ଜରିଆରେ ଭୋଟ୍ ଦେବାର ସୁଯୋଗ ମିଳିବ । ଆସନ୍ତାକାଲି ସକାଳ ୮ଟାରୁ ଅପରାହଣ ୫ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ହେବ । ୨୬ ତାରିଖ ଦିନ ସକାଳ ୮ଟାରୁ କଡ଼ା ସୁରକ୍ଷା ମଧ୍ୟରେ ଭୋଟ୍ ଗଣତି କରାଯିବ ।

https://www.youtube.com/watch?v=11YrhtLug-4

ମାନସଙ୍କୁ ମାରିବା ପରେ ଘୁରି ବୁଲୁଥିଲେ ଶର୍ମିଷ୍ଠା, ମିଛ କହି ଶାଶୂଘରେ ଥିଲେ ୨ ଦିନ

ଯାଜପୁର: କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କୁ ଖୋଜୁଛି ପୋଲିସ । ଶର୍ମିଷ୍ଠା ଫେରାର୍ ଥିବାବେଳେ ଦିନ ଗଡ଼ିବା ସହ ଦିନକୁ ଦିନ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଓ ତାଙ୍କ ସହଯୋଗୀ ଝୁନା ଭୋଇ ଯାଜପୁର ଜିଲ୍ଲା କାଳିଆପାଣି ଅଞ୍ଚଳରେ ୩ ଦିନ ଲୁଚି ରହିଥିଲେ । ଶର୍ମିଷ୍ଠା ତାଙ୍କ ଶାଶୂ ଓ ବଡ଼ ଯାଆ ରହୁଥିବା ଘରେ ଲୁଚି ରହିଥିଲେ ।

Cameraman Manas Swain Murder Case Sarmistha Rout In Jajpur

ଏନେଇ ଖବର ଜଣାପଡ଼ିବା ପରେ ଶର୍ମିଷ୍ଠାଙ୍କ ଶାଶୂଙ୍କୁ ତଦନ୍ତକାରୀ ଟିମ୍ ପଚରାଉଚରା କରି ଫେରିଥିବା ଜଣାପଡ଼ିଛି । ଗତ ୭ ତାରିଖ ବିଳମ୍ବିତ ରାତିରେ ଯାଜପୁର ଜିଲ୍ଲା କାଳିଆପାଣି ଥାନା ଅନ୍ତର୍ଗତ କୋଳିପସି ଗାଁରେ ତାଙ୍କ ଶାଶୂ ଓ ଯାଆ ରହୁଥିବା ଘରେ ପହଞ୍ଚିଥିଲେ । ଶାଶୂଙ୍କୁ ମିଛ କହି ସେଠାରେ ୨ ଦିନ ରହିଥିଲା । ପରେ ୧୦ ତାରିଖ ସକାଳେ ସେଠାରୁ ସେ ଚାଲି ଯାଇଥିଲେ ।

Cameraman Manas Swain Murder Case Sarmistha Rout In Jajpur

ଶର୍ମିଷ୍ଠା ସେଠାରେ ରହିବା କଥା ଜଣାପଡ଼ିବା ପରେ ଗତ ୧୯ ତାରିଖ ଦିନ ତଦନ୍ତକାରୀ ଅଧିକାରୀ କାଳିଆପାଣିରେ ପହଞ୍ଚି ଶର୍ମିଷ୍ଠାଙ୍କ ଶାଶୂଙ୍କୁ ପଚରାଉଚରା କରିଛନ୍ତି । ଶର୍ମିଷ୍ଠାଙ୍କ ଶାଶୂ କହିଛନ୍ତି ବୋହୂ ମାନସିକ ନିର୍ଯାତନା ଦେଉଥିଲା । ଯେଉଁଥିପାଇଁ ୨୦୧୮ ମସିହାରୁ ଶାଶୂଘର ସହିତ ଶର୍ମିଷ୍ଠାଙ୍କ କୌଣସି ସମ୍ପର୍କ ନାହିଁ ।

ଓଡ଼ିଶାରେ ଦ୍ରୁତଗତିରେ ହ୍ରାସ ପାଉଛି ବେକାରୀ, ଟ୍ୱିଟରରେ ଟ୍ରେଣ୍ଡ କରୁଛି #OdishaLowestUnemployment

ଭୁବନେଶ୍ୱର: ରାଜ୍ୟରେ ହ୍ରାସ୍ ପାଉଛି ବେକାରୀଙ୍କ ସଂଖ୍ୟା । ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ୍ ଇକୋନୋମି (CMIE) ପକ୍ଷରୁ ଏହି ତଥ୍ୟ ପ୍ରକାଶ ପାଇଛି । ସର୍ବଭାରତୀୟ ସ୍ତରରେ ମାର୍ଚ୍ଚ ମାସରେ ବେକାରୀ ହାର ୭.୫ ପ୍ରତିଶତ ରହିଥିବା ବେଳେ ରାଜ୍ୟରେ ଏହି ହାର ମାତ୍ର ୧ ପ୍ରତିଶତ । ସମଗ୍ର ଦେଶରେ ଓଡ଼ିଶା ବେକାରୀ ହାର ହ୍ରାସରେ ଶୀର୍ଷରେ ରହିଛି । ଦେଶର ସବୁ ବିକଶିତ ଏବଂ ପ୍ରଭାବଶାଳୀ ରାଜ୍ୟକୁ ପଛରେ ପକାଇ ଓଡ଼ିଶା ସରକାର ଅଧିକରୁ ଅଧିକ ସଂଖ୍ୟାରେ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ସକ୍ଷମ ହୋଇଛନ୍ତି ।

Odisha Lowest Unemployment In India Trends In Twitter

ଫେବ୍ରୁଆରୀ ମାସ ତଥ୍ୟ ଅନୁଯାୟୀ, ରାଜସ୍ଥାନରେ ବେକାରୀ ହାର ସମଗ୍ର ଦେଶରେ ସର୍ବାଧିକ । ରାଜସ୍ଥାନରେ ବେକାରୀ ହାର ୩୨.୩ ପ୍ରତିଶତ ରହିଥିବା ବେଳେ ତା ତଳକୁ ରହିଛି ବିଜେପି ଶାସିତ ହରିୟାଣା । ହରିୟାଣାରେ ୩୧ ପ୍ରତିଶତ, ଝାଡ଼ଖଣ୍ଡରେ ୧୫ ପ୍ରତିଶତ, ବିହାରରେ ୧୪ ପ୍ରତିଶତ, ଗୋଆରେ ୧୨ ପ୍ରତିଶତ, ଆସାମରେ ୧୦.୨ ପ୍ରତିଶତ ରହିଛି ।

ଦ୍ରୁତଗତିରେ ଓଡ଼ିଶାରୁ ବେକାରୀ ହ୍ରାସ ପାଉଥିବାରୁ ସମଗ୍ର ଦେଶରେ ପୁଣିଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଶୈଳୀକୁ ପ୍ରଶଂସା କରାଯାଇଛି । ମାଇକ୍ରୋ ବ୍ଲଗିଙ୍ଗ୍ ସାଇଟ୍ ଟ୍ୱିଟରରେ ଟ୍ରେଣ୍ଡ କରୁଛି #OdishaLowestUnemployment । ଶିକ୍ଷିତ ଯୁବକ ଯୁବତୀଙ୍କ ଦକ୍ଷତା ବିକାଶକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବାଧିକ ଗୁରୁତ୍ୱ ଦେଉଥିବା ବେଳେ ଗତ କିଛି ବର୍ଷ ମଧ୍ୟରେ ସବୁ ବର୍ଗର ଲୋକ ଏପରିକି ମହିଳାଙ୍କ ପାଇଁ ସୃଷ୍ଟି ହୋଇଥିବା ପର୍ଯ୍ୟାପ୍ତ ଆତ୍ମନିଯୁକ୍ତି ସୁଯୋଗ ବେକାରୀ ସଂଖ୍ୟାକୁ ୧ ପ୍ରତିଶତକୁ ହ୍ରାସ କରିପାରିଛି ।

ଏଥିସହିତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ ଗାଁର ମହିଳାମାନେ ବି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । ନିଯୁକ୍ତି ସୁଯୋଗ ସୃଷ୍ଟିରେ ଗୁଜରାଟ, ମଧ୍ୟପ୍ରଦେଶ, ଦିଲ୍ଲୀ ଭଳି ରାଜ୍ୟମାନେ ଓଡ଼ିଶାଠାରୁ ବହୁ ପଛରେ ରହିଛନ୍ତି ।

ମନ୍ତ୍ରିମଣ୍ଡଳ ସହ ଶପଥ ନେଲେ ପୁଷ୍କର ସିଂହ ଧାମି, କାଲି ବସିବ କ୍ୟାବିନେଟ୍ ବୈଠକ

ଡେରାଡୁନ୍: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଡେରାଡୁନର ପରେଡ୍ ଗ୍ରାଉଣ୍ଡରେ ଶପଥ ନେଇଛନ୍ତି ପୁଷ୍କର ସିଂହ ଧାମି । ପଦ ଓ ଗୋପନୀୟତାର ଶପଥ ପାଠ ପରେ ଆସନ୍ତାକାଲି କ୍ୟାବିନେଟ୍ ବୈଠକ ବସିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଆଗାମୀ ଦଶନ୍ଧି ଉତ୍ତରାଖଣ୍ଡର ହେବ, ଏଥିପାଇଁ ଆମେ ପ୍ରତିବଦ୍ଧ । ଆମେ ଆଜିଠୁ ରାଜ୍ୟର ବିକାଶ ପାଇଁ କାମ କରିବୁ ବୋଲି କହିଛନ୍ତି ଧାମି ।

CM Pushkar Singh Dhami Says Upcoming Decade Is Of Uttarakhand

ଶପଥ ଗ୍ରହଣ ପରେ ପ୍ରଧାନମନ୍ତ୍ରୀ ମୋଦି, ୟୁପି ସିଏମ୍ ଯୋଗୀ ଆଦିତ୍ୟନାଥ ସମେତ ଅନେକ ନେତା ଧାମିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପିଏମ୍ ମୋଦି କହିଛନ୍ତି, ବିଗତ ୫ ବର୍ଷରେ ଦେବଭୂମି ଉତ୍ତରାଖଣ୍ଡର ବିକାଶ ଦ୍ରୁତଗତିରେ ହୋଇଛି । ମୋର ବିଶ୍ୱାସ ରହିଛି ଧାମିଙ୍କ ମନ୍ତ୍ରିମଣ୍ଡଳ ବିକାଶର ଧାରାକୁ ଆହୁରି ତ୍ୱରାନ୍ୱିତ କରିବେ । ଲୋକଙ୍କ ଆଶା ଅନୁସାରେ ଉତ୍ତରାଖଣ୍ଡର ବିକାଶ ଧାରାକୁ ଆଗେଇ ନେବେ ।

CM Pushkar Singh Dhami Says Upcoming Decade Is Of Uttarakhand

ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କ ସହ କ୍ୟାବିନେଟର ଅନ୍ୟ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ଗଣେଶ ଜୋଶୀ, ରେଖା ଆର୍ଯ୍ୟ, ସୁବୋଧ ଉନିୟାଲ, ପ୍ରେମଚନ୍ଦ୍ର ଅଗ୍ରୱାଲ, ସୌରଭ ବହୁଗୁଣା, ସତପାଲ ମହାରାଜ, ଧନ ସିଂହ ରାୱତ ଓ ଚନ୍ଦନ ରାମଦାସ ଧାମିଙ୍କ କ୍ୟାବିନେଟରେ ସାମିଲ୍ ହୋଇଛନ୍ତି । ତେବେ ଉତ୍ତରାଖଣ୍ଡର ନୂଆ କ୍ୟାବିନେଟରେ ସମସ୍ତଙ୍କୁ କ୍ୟାବିନେଟ ପାହ୍ୟା ମିଳିବ କେହି ରାଷ୍ଟ୍ରମନ୍ତ୍ରୀ ହେବେ ନାହିଁ ।

ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ, ଆଉ ୬ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର: ସାଧାରଣ ଜୀବନରେ ଉଚ୍ଚ ନୈତିକତା ଓ ସାଧୁତା ବଜାୟ ରଖିବା ଉପରେ ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ସବୁବେଳେ ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟ ଉପରେ ଜୋର ଦେଇ ଆସିଛନ୍ତି । ଜନସାଧାରଣଙ୍କୁ ସ୍ୱଚ୍ଛ, ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି ।

ରାଜ୍ୟ ସରକାରଙ୍କ ଏହି ଆଭିମୁଖ୍ୟ ଅନୁଯାୟୀ ଏବେ ଆଉ ୬ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଏଥିରେ ବିଭିନ୍ନ କ୍ଷେତ୍ରରେ ଥିବା ଅଧିକାରୀଙ୍କ ମଧ୍ୟରେ ଜଣେ ମୁଖ୍ୟଯନ୍ତ୍ରୀ, ୩ ଜଣ ଏକଜିକ୍ୟୁଟିଭ୍ ଇଞ୍ଜିନିୟର ଓ ୨ ଜଣ  ବ୍ଲକ ଶିକ୍ଷା ଅଧିକାରୀ ରହିଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୬୪ ଜଣ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ ବା ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ଏହି ୬ ଜଣଙ୍କ ମଧ୍ୟରୁ ସମ୍ବଲପୁର ଇଲେକ୍ଟ୍ରିକାଲ ମୁଖ୍ୟଯନ୍ତ୍ରୀ ସୁନିଲ୍ କୁମାର ପଣ୍ଡାଙ୍କ ନାମରେ ଗୋଟିଏ ଦୁର୍ନୀତି ମାମଲା ଅଛି । ତାଙ୍କ ପାଖରେ ୩.୨୬ କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଥିଲା । ଏଥିପାଇଁ ତାଙ୍କୁ ନିଲମ୍ବିତ ମଧ୍ୟ କରାଯାଇଥିଲା । ଅସାଧୁତା କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ବ୍ରହ୍ମପୁର ରୁରାଲ ୱାର୍କ୍ସ ଇଲେକ୍ଟ୍ରିକାଲ୍ ଡିଭିଜନର ଏକ୍‌ଜିକ୍ୟୁଟିଭ୍ ଇଞ୍ଜିନିୟର ଜଗନ୍ନାଥ ସେଠୀଙ୍କ ନାମରେ ଗୋଟିଏ ଦୁର୍ନୀତି ମାମଲା ଥିଲା । ତାଙ୍କ ପାଖରେ ୭.୬୩ କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଥିଲା ଏବଂ ଏଥିପାଇଁ ତାଙ୍କୁ ନିଲମ୍ବିତ କରାଯାଇଥିଲା । ଅସାଧୁତା କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ସେହିପରି ଭୁବନେଶ୍ୱରର ଏକଜିକ୍ୟୁଟିଭ୍ ଇଞ୍ଜିନିୟର ତଥା ଡେପୁଟି ଇଲେକ୍ଟ୍ରିକାଲ ଇନ୍ସପେକ୍ଟର ଦୀପକ କୁମାର ଭୁୟାଁଙ୍କ ନାମରେ ଦୁଇଟି ଦୁର୍ନୀତି ମାମଲା ରହିଛି । ଅସାଧୁତା କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଭୁବନେଶ୍ୱରର ଏକଜିକ୍ୟୁଟିଭ୍ ଇଞ୍ଜିନିୟର ତଥା ଡେପୁଟି ଇଲେକ୍ଟ୍ରିକାଲ ଇନସପେକ୍ଟର ପ୍ରଶାନ୍ତ କୁମାର ମିଶ୍ରଙ୍କ ନାମରେ ଗୋଟିଏ ଦୁର୍ନୀତି ଅଭିଯୋଗ ରହିଛି । ଅସାଧୁତା କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ରାୟଗଡ଼ା ଜିଲ୍ଲା ଗୁଣୁପୁରସ୍ଥିତ ବ୍ଲକ ଶିକ୍ଷା ଅଧିକାରୀ ଅନ୍ତର୍ଯ୍ୟାମୀ ବେହେରାଙ୍କ ନାମରେ ଗୋଟିଏ ଦୁର୍ନୀତି ମାମଲା ଅଛି । ସେ ୧୦ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରିଥିଲେ । ତାଙ୍କୁ ୨୦୨୨ ମାର୍ଚ୍ଚ ୨ ତାରିଖ ଦିନ ଗିରଫ କରାଯାଇ ତା ପରଦିନ କୋର୍ଟକୁ ପଠା ଯାଇଥିଲା । ଅସାଧୁତା କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ସେହିପରି ଗଜପତି ଜିଲ୍ଲାର ନୂଆଗଡ଼ସ୍ଥିତ ବ୍ଲକ ଶିକ୍ଷା ଅଧିକାରୀ ବ୍ରଜ କୁମାର ନାୟକଙ୍କ  ନାମରେ ଗୋଟିଏ ଦୁର୍ନୀତି ମାମଲା ରହିଛି । ତାଙ୍କ ଅଫିସ ଭିତରେ ୩୦ ହଜାର ଟଙ୍କାର ଲାଞ୍ଚ ଗ୍ରହଣ କରୁଥିବା ବେଳେ ସେ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଧରା ପଡ଼ିଥିଲେ । ଅସାଧୁତା କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୬୪ ଜଣ ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର ବା ବାଧ୍ୟତାମୂଳକ ଅବସର ଦିଆଯାଇଛି ବା ପେନସନ ବନ୍ଦ କରାଯାଇଛି ।

ସକାଳ ୭ଟା ୩୦ରୁ ୯ଟା ୩୦ ପର୍ଯ୍ୟନ୍ତ ଖୋଲା ରହିବ ଅଙ୍ଗନୱାଡ଼ି କେନ୍ଦ୍ର

ଭୁବନେଶ୍ୱର: ଆସନ୍ତା ୨୮ ତାରିଖରୁ ଖୋଲିବ ଅଙ୍ଗନୱାଡ଼ି କେନ୍ଦ୍ର । ଏନେଇ ମହିଳା ଓ ଶିଶୁବିକାଶ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଭାଗୀୟ ସଚିବ ସମସ୍ତ ଜିଲ୍ଲାପାଳଙ୍କୁ ଏନେଇ ଚିଠି ଲେଖିଛନ୍ତି । ଅଙ୍ଗନୱାଡ଼ି ଖୋଲିବା ନେଇ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଛି । କରୋନା ପାଇଁ ଗତ ବର୍ଷ ଏପ୍ରିଲ ୧୯ ତାରିଖରୁ ଅଙ୍ଗନୱାଡି କେନ୍ଦ୍ରକୁ ରାଜ୍ୟ ସରକାର ବନ୍ଦ କରିଥିଲେ । ଏହି ସମୟରେ ପିଲାମାନଙ୍କୁ ରନ୍ଧା ଖାଦ୍ୟ ବଦଳରେ ଶୁଖିଲା ରାସନ ଏବଂ ଅଣ୍ଡା ଘରେ ଦିଆ ଯାଉଥିଲା ।

ସକାଳ ସାଢେ ୭ଟାରୁ ସାଢେ ୯ଟା ପର୍ଯ୍ୟନ୍ତ ଅଙ୍ଗନୱାଡ଼ି କେନ୍ଦ୍ର ଖୋଲା ରହିବ । ଶିଶୁମାନଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ କରାଯାଇଛି । ଯେଉଁଠି କେନ୍ଦ୍ର ବନ୍ଦ ରହିବ ସେଠାରେ ପିଲାମାନଙ୍କୁ ଘରେ ରାସନ ପ୍ରଦାନ କରାଯିବ । ପିଲାଙ୍କ ପାଠପଢ଼ା ପାଇଁ ଘରେ ଘରେ ଅରୁନିମା ଏବଂ କୁନି କ୍ୟାଲେଣ୍ଡର ପ୍ରଦାନ କରାଯିବ । ପ୍ରତିଦିନ ପିଲାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ପୁଷ୍ଟିକର ଖାଦ୍ୟ ଏବଂ ସ୍ୱାସ୍ଥ୍ୟ ଶିକ୍ଷା ଜାରି ରହିବ । ଅଙ୍ଗନୱାଡି କେନ୍ଦ୍ରକୁ ପରିଷ୍କାର ଏବଂ ସାନିଟାଇଜ୍ କରାଯିବ ।

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା, କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଡିଜିପିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା । ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି । ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ୨ଟି ଟିମ୍ ଗଠନ କରିଛି । ଭଦ୍ରକରେ ଗୋଟିଏ ଟିମ୍ ଓ ଆଉ ଗୋଟିଏ ଟିମ୍ ଅନ୍ୟ ସ୍ଥାନରେ ତଦନ୍ତ କରିବ । ଖୁବଶୀଘ୍ର କ୍ରାଇମବ୍ରାଞ୍ଚ ଟିମ୍ ଭଦ୍ରକର ଚାନ୍ଦବାଲି ଯିବ । ଜଣେ ଡିଏସପି ଟିମର ନେତୃତ୍ୱ ନେବେ ।

ଶର୍ମିଷ୍ଠାଙ୍କୁ ଧରିବାକୁ ଗୋଟିଏ ଟିମ୍ କାମ କରିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା । ଅନ୍ୟପଟେ ଚାନ୍ଦବାଲି ଥାନାରେ ଶ୍ରମିଷ୍ଠା ରାଉତର ଭାଇ ପରମେଶ୍ୱରକୁ ପୋଲିସ ପଚରାଉଚରା କରୁଛି । ପରେମଶ୍ୱର ଆକାଉଣ୍ଟରୁ ଶର୍ମିଷ୍ଠାଙ୍କ ଆକାଉଣ୍ଟକୁ ୧୦ ହଜାର ଟଙ୍କା ପଠା ଯାଇଛି । କ୍ରାଇମବ୍ରାଞ୍ଚ ପକ୍ଷରୁ ଡିଏସପି କଳ୍ପନା ସାହୁ ତଦନ୍ତକାରୀ ଅଧିକାରୀ ରହିଛନ୍ତି ।

DGP Ordered Crime Branch Investigation On Cameraman Manas Swain Murder Case

ମାନସ ମାମଲାର ମାଷ୍ଟରମାଇଣ୍ଡ ଶର୍ମିଷ୍ଠାଙ୍କୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ରେଡ୍ କରିଛି । ଶର୍ମିଷ୍ଠା ରହୁଥିବା ଆପାର୍ଟମେଣ୍ଟରୁ ତାଙ୍କ ଗାଡ଼ିକୁ ଜବତ କରାଯାଇଛି । ସନ୍ଦେହ କରାଯାଉଛି ଜବତ କରାଯାଇଥିବା କାରରେ ହିଁ ମାନସକୁ ଅପହରଣ କରାଯାଇଥିଲା । କାର ଜବତ ପରେ ସେହି ଆପାର୍ଟମେଣ୍ଟର ସିକ୍ୟୁରିଟି ଗାର୍ଡ ଦେଇଛନ୍ତି ବିସ୍ଫୋରକ ବୟାନ । ସେ କହିଛନ୍ତି, ଅବସରପ୍ରାପ୍ତ ଓଆଇଏସ୍ ଅଧିକାରୀ ନିରଂଜନ ସେଠୀ ସେଠାକୁ ବାରମ୍ବାର ଆସୁଥିଲେ । କିନ୍ତୁ ସେ ରେଜିଷ୍ଟରରେ ସ୍ୱାକ୍ଷର କରୁନଥିଲେ । ସମ୍ପୂର୍ଣ୍ଣ ଅଫିସର ସେ ଚେୟାରମ୍ୟାନ ତେଣୁ ତାଙ୍କର ସ୍ୱାକ୍ଷର ଦରକାର ନାହିଁ ବୋଲି ଶର୍ମିଷ୍ଠା ତାଗିଦ କରିଥିଲେ ବୋଲି କହିଛନ୍ତି ସିକ୍ୟୁରିଟି ଗାର୍ଡ ।