spot_img
Home Blog Page 4479

ରକ୍ତମୁଖା ପଡୋଶୀ: ସ୍ବାମୀ, ଦିଅରଙ୍କୁ ପିଟିବା ପରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ !

ପାଟକୁରା: ଜମିବାଡି ବିବାଦରୁ କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅଞ୍ଚଳରେ ରକ୍ତମୁଖା ପଡୋଶୀ । ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିବା ସହ ସ୍ବାମୀ ଓ ଦିଅରଙ୍କୁ ଲୁହା ରଡରେ ପିଟି ଲହୁଲୁହାଣ କରିଥିବା ଅଭିଯୋଗ । ଘଟଣା ବେଳର ଭିଡିଓ ସୋସିଆଲ ମିଡିଆରେ ହେଲା ଭାଇରାଲ । ଥାନାରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଅଭିଯୋଗ ଅନୁସାରେ, ଜମିଜମା ବିବାଦକୁ କେନ୍ଦ୍ର କରି ଦିବାକର ସାହୁ, ଧନେଶ୍ବର ସାହୁ, ଗଦାଧର ସାହୁ ଏବଂ ତାଙ୍କ ସହଯୋଗୀ ପଡୋଶୀଙ୍କୁ ଆକ୍ରମଣ କରିଥିଲେ । ଏଥିରେ ଦୁଇ ଭାଇ ଆହତ ହୋଇଛନ୍ତି । ଘର ତିଆରିକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।

ଦୁଇ ଭାଇ ଘର ନିର୍ମାଣ କରୁଥିବା ବେଳେ ଅଭିଯୁକ୍ତମାନେ ବିରୋଧ କରିଥିଲେ । ଶ୍ରମିକମାନଙ୍କୁ ଅଶ୍ଳୀଳ ଭାଷାରେ ଗlଳି ଗୁଲଜ କରି କାମ ବନ୍ଦ କରିବାକୁ ଚେଷ୍ଟା କରିଥିଲେ । ଏହାର ପ୍ରତିବାଦ କରିବାରୁ ଦୁଇ ଭାଇଙ୍କୁ [ଭିଯୁକ୍ତମାନେ ଆକ୍ରମଣ କରିଥିଲେ । ଘରର ମହିଳା ସ୍ବାମୀଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିବାରୁ ତାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି । ଏହାସହ ପୀଡିତଙ୍କ ସମ୍ପର୍କୀୟ ଖୁଡିଙ୍କ ହାତକୁ ଅଭିଯୁକ୍ତମାନେ ବାଡେଇ ଭାଙ୍ଗି ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି ।

ଇମ୍ରାନଙ୍କ ରାଜୁତି ଶେଷ: ପୁଣି ପାକିସ୍ତାନରେ ଚାଲିବ ସେନା ଶାସନ !

ଲାହୋର: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଆସନ ଟଳମଳ । ନିଜ ଦଳରୁ ହିଁ ଉଠିଲାଣି ତୀବ୍ର ବିରୋଧ । ଆସନ୍ତା ୨୮ରେ ସଂସଦରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ହେବ । ପାଖାପାଖି ୨୪ ଜଣ ସାଂସଦ ଇମ୍ରାନଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି । ଦେଶରେ ଦରଦାମ, ମୁଦ୍ରାସ୍ପିତି ଏବଂ ବୈଦେଶିକ ନୀତିରେ ଇମ୍ରାନ୍‌ ସମ୍ପୂର୍ଣ୍ଣ ଫେଲ୍‌ ମରିଥିବା ବେଳେ ଏହାକୁ ପ୍ରସଙ୍ଗ କରି ବିରୋଧୀ ଦଳ ସରକାର ଭାଙ୍ଗିବାକୁ ଉଦ୍ୟମ ଚଲାଇଛନ୍ତି ।

ଗାଦି ସମ୍ଭାଳି ପାରୁନାହାନ୍ତି ଇମ୍ରାନ । ଇମ୍ରାନଙ୍କ ବିରୋଧରେ ବଡ଼ ଧରଣର ବିଦ୍ରୋହ । ନିଜ ଦଳ ପାକିସ୍ତାନ ତେହରିକ-ଇ-ଇନସାଫର 24 ସାଂସଦ ଯୁଦ୍ଧଂ ଦେହି ଡାକରା ଦେଇଛନ୍ତି । ଇମ୍ରାନଙ୍କ ବିରୋଧରେ ପାକିସ୍ତାନ ମୁସଲିମ ଲିଗ୍ ନଓ୍ବାଜ ଓ ପାକିସ୍ତାନ ପିପୁଲସ ପାର୍ଟି ପକ୍ଷରୁ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି । ଆସନ୍ତା 21ରେ ନ୍ୟାସନାଲ ଆସେମ୍ବଲି ଅଧିବେଶନ ଆରମ୍ଭ ହେବାକୁ ଯାଉଥିବା ବେଳେ, 28ରେ ଅନାସ୍ଥା ପ୍ରସ୍ତାବ ନେଇ ଭୋଟ ହେବ । ତେବେ ତା’ ପୂର୍ବରୁ ଦଳୀୟ ବିଦ୍ରୋହ ଇମ୍ରାନଙ୍କ ଲାଗି ସଙ୍କଟ ସୃଷ୍ଟି କରିଛି । ଏପଟେ ଏଭଳି ଅଶାନ୍ତି ଭିତରେ ସେନା ମୁଖ୍ୟଙ୍କୁ ଭେଟିଛନ୍ତି ଇମ୍ରାନ୍‌ । ବାଲୁଚିସ୍ତାନ ଏବଂ ଓଆଇସି ବୈଠକ ନେଇ ଆଲୋଚନା ହୋଇଛି । ବାଲୁଚିସ୍ତାନରେ ଅସନ୍ତୋଷ ବଢୁଥିବା ବେଳେ ଇମ୍ରାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାରିତ ହେବାର ସମ୍ଭାବନା ମଧ୍ୟ ବଢିଛି । ଏମିତି ସ୍ଥିତିରେ ପାକିସ୍ତାନ ସେନା ପୁଣି ଥରେ କ୍ଷମତା ହାତକୁ ନେବା ନେଇ ଚର୍ଚ୍ଚା ଜୋର ଧରିଛି ।

ଏପଟେ ବିଦ୍ରୋହୀ ସାଂସଦଙ୍କ ନେତୃତ୍ବ ନେଉଛନ୍ତି ରାଜା ରିଆଜ ଓ ନୁର ଆଲାମ ଖାଁ । ଏହି ଅସନ୍ତୁଷ୍ଟ ସାଂସଦମାନେ ଇସଲାମାବାଦର ସିନ୍ଧ ହାଉସରେ ରହୁଛନ୍ତି । ଯାହାକି ପାକିସ୍ତାନ ପିପୁଲ୍ସ ପାର୍ଟି ଦ୍ବାରା ପରିଚାଳିତ ସିନ୍ଧ ସରକାରଙ୍କ ଅନ୍ତର୍ଗତ । ପାକିସ୍ତାନ ସରକାର କହିଛନ୍ତି ଯେ, ଏହି ସାଂସଦଙ୍କୁ ସିନ୍ଧ ସରକାର ଅପହରଣ କରି ନେଇଛନ୍ତି । ପ୍ରଚୁର ଅର୍ଥ ଦେଇ ସେମାନଙ୍କୁ ହାତେଇବାରେ ସକ୍ଷମ ହୋଇଛନ୍ତି । ସେମାନଙ୍କୁ ଜବାବ୍‌ ଦେବାକୁ ସିନ୍ଧରେ ରାଜ୍ୟପାଳ ଶାସନ ଲାଗୁ କରିବାକୁ ଇମ୍ରାନ ସରକାର ଚିନ୍ତା କରୁଛନ୍ତି  । ନିଜର ଦବଦବା ପ୍ରମାଣ କରିବାକୁ ଆସନ୍ତା 27ରେ ଇମ୍ରାନ ଇସଲାମାବାଦରେ 10 ଲକ୍ଷ ଲୋକଙ୍କୁ ନେଇ ସମାବେଶ କରି ବିରୋଧୀଙ୍କୁ ଶକ୍ତି ଦେଖାଇବାକୁ ଯାଉଛନ୍ତି ।

ତେବେ ଇମ୍ରାନଙ୍କ ସମାବେଶ ପୂର୍ବରୁ 25 ତାରିଖରେ ଆସେମ୍ବଲି ସମ୍ମୁଖରେ ଥିବା ଡି-ଚୌକକୁ ସମ୍ପୂର୍ଣ୍ଣ କବଜା କରିବାକୁ ବିରୋଧୀ ଦଳ ଯୋଜନା କରୁଛନ୍ତି । ଏହି ଅସ୍ଥିରତା ମଧ୍ୟରେ ପାକିସ୍ତାନ ସେନା ନିରପେକ୍ଷ ରହିବ ବୋଲି କହିଛନ୍ତି ସେନା ମୁଖପାତ୍ର ।

ଚମକିଲେ ଓଡ଼ିଆ ବଡି ବିଲ୍ଡର

ଭୁବନେଶ୍ବର: ପୁଣି ଥରେ ଚମକିଛନ୍ତି ଓଡିଆ ବଡିବିଲଡର। ମାର୍ଚ୍ଚ ୧୧, ୧୨ ଓ ୧୩ ତାରିଖରେ ସିକିମ ଗାଙ୍ଗଟକଠାରେ ଅନୁଷ୍ଠିତ ଫେଡେରେସନ କପ୍ ବଡି ବିଲ୍ଡିଂ ଚାମ୍ପିୟାନସିପରେ ଭୁବନେଶ୍ୱରର ୩ ଜଣ ବଡି ବିଲ୍ଡର ପଦକ ହାସଲ କରି ରେକର୍ଡ କରିଛନ୍ତି।

୮୫ କେଜି ବର୍ଗରେ ରଶ୍ମିରଞ୍ଜନ ସାହୁ ଗୋଲଡ ମେଡାଲ ହାସଲ କରିଛନ୍ତି । ଏହି କ୍ୟାଟେଗୋରୀରେ ୫ମ ଥର ପାଇଁ ସେ ଗୋଲଡ ହାତେଇଛନ୍ତି । ଜଗନ୍ନାଥ ଖୁଣ୍ଟିଆ 75 କେଜି କ୍ୟାଟେଗୋରୀରେ ଗୋଲଡ଼ ମେଡାଲ ଜିତିଥିବା ବେଳେ ଅମିତ କୁମାର ଭୂୟାଁ ଏହି କ୍ୟାଟେଗୋରୀରେ ବ୍ରୋଞ୍ଜ ଜିତିଛନ୍ତି।

କେବଳ ଏତିକି ନୁହେଁ ଏହି ପ୍ରତିଯୋଗିତାରେ ଓଡିଶା ଟିମ ଆକର୍ଷଣୀୟ ପ୍ରଦର୍ଶନ କରି ରନର୍ସପ ହୋଇଛି। ଓଡିଶାରୁ ଏହି ପ୍ରତିଯୋଗିତାରେ 16 ଜଣ ବଡି ବିଲ୍ଡର ଯାଇଥିବା ବେଳେ ଭୁବନେଶ୍ୱରରୁ 3 ଜଣ ମେଡାଲ ହାସଲ କରିଛନ୍ତି। ପଦକ ଜିତି ଫେରିବା ବେଳେ ଭୁବନେଶ୍ୱରରେ ସେମାନଙ୍କୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି ।

୧୨ ଘଣ୍ଟାରେ ଅବପାତର ରୂପ ନେବ ଲଘୁଚାପ, ଏପଟେ ଜଳୁଛି ଓଡ଼ିଶା

ଭୁବନେଶ୍ୱର: ସେପଟେ ବାତ୍ୟା, ଏପଟେ ତାତି । ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ତତସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ସ୍ପଷ୍ଟଚିହ୍ନତ ଲଘୁଚାପ କ୍ଷେତ୍ର ସ୍ଥିର ରହିଛି । ଏହା କ୍ରମଶଃ ଉତ୍ତର ଦିଗକୁ ଗତି କରି ଆଣ୍ଡାମାନ ଏବଂ ନିକୋବର ମୁହାଁ ହେବ । ୨୦ ମାର୍ଚ୍ଚ ସକାଳ ସୁଦ୍ଧା ଏହା ଅବପାତରେ ପରିଣତ ହେବ । ପରବର୍ତ୍ତୀ ୨୪ ଘଣ୍ଟାରେ ଅବପାତ ବାତ୍ୟାର ରୂପ ନେଇ ୨୨ ତାରିଖରେ ମିଆଁମାର ଓ ବାଂଲାଦେଶ ଉପକୂଳ ଅତିକ୍ରମ କରିବ ।

ବାତ୍ୟାର ସିଧାସଳଖ କୌଣସି ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ । ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆସନ୍ତା ୪ରୁ ୫ ଦିନ ଯାଏ ଦିନ ତାପମାତ୍ରାରେ କୌଣସି ବିଶେଷ ପରିବର୍ତ୍ତନ ହେବ ନାହିଁ । ସକାଳେ ଆଂଶିକ କୁହୁଡ଼ି ରହିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଅନ୍ୟପଟେ ଦୁଇ ଦିନ ଟିଟିଲାଗଡ଼ ତତଲାଗଡ଼ ପାଲଟିଛି । ଗତକାଲି ରାଜ୍ୟରେ ସବୁଠୁ ଉତ୍ତପ୍ତ ସହର ଥିବା ଟିଟିଲାଗଡ଼ ଆଜି ବି ଶୀର୍ଷରେ ରହିଛି । ଗତକାଲି ଟିଟିଲାଗଡ଼ର ତାପମାତ୍ରା ୪୧.୪ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଆଜି ୪୧ ଡିଗ୍ରୀ ରେକର୍ଡ କରାଯାଇଛି । ଟିଟିଲାଗଡ଼କୁ ମିଶାଇ ଆଜି ରାଜ୍ୟର ୪ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ରହିଛି । ବଲାଙ୍ଗିରରେ ପାରଦ ୪୦.୫ ଡିଗ୍ରୀ, ସୋନପୁରରେ ୪୦.୨ ଡିଗ୍ରୀ ଥିବାବେଳେ ବାରିପଦାରେ ୪୦ ଡିଗ୍ରୀ ରେକର୍ଡ କରାଯାଇଛି ।

ବିଜେଡି କର୍ମୀଙ୍କୁ କଂଗ୍ରେସ କର୍ମୀଙ୍କ ଆକ୍ରମଣ

ବାସୁଦେବପୁର: ପଞ୍ଚାୟତ ନିର୍ବାଚନ ସରିଥିଲେ ବି ବିରୋଧୀଙ୍କ ହିଂସାତ୍ମକ ଆଚରଣ ଶେଷ ହେଉନାହିଁ । ବିଭିନ୍ନ ସ୍ଥାନରେ ନିର୍ବାଚନ ପୂର୍ବରୁ ଦେଖା ଦେଇଥିବା ରାଜେନୖତିକ ହିଂସା ନିର୍ବାଚନ ପରେ ବି ଜାରି ରହିଛି । ଭଦ୍ରକ ବାସୁଦେବପୁର ଲକ୍ଷ୍ମୀଦାସପୁର ପଞ୍ଚାୟତ ବନ୍ଧସାହିରେ ଦେଖିବାକୁ ମିଳିଛି ରାଜନୈତିକ ହିଂସା ।

ଏଠାରେ ବିଜେଡି କର୍ମୀଙ୍କୁ କଂଗ୍ରେସ କର୍ମୀ ସଂଘବଦ୍ଧ ଆକ୍ରମଣ କରିଛନ୍ତି । ଆକ୍ରମଣରେ ୪ ଜଣ ବିଜେଡି କର୍ମୀ ଆହତ ହୋଇଛନ୍ତି । ଆହତମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଅଭିଯୋଗ ଅନୁସାରେ, ଆଜି କଂଗ୍ରେସ କର୍ମୀ ବନ୍ଧସାହିରେ ପଶିଥିଲେ । ଏହାପରେ ଆରମ୍ଭ କରି ଦେଇଥିଲେ ଭଙ୍ଗାରୁଜା । ଆଖି ଆଗରେ ଯାହା ଦେଖିଲେ ଭାଙ୍ଗିବାକୁ ଲାଗିଲେ । ଯିଏ ହାବୁଡରେ ପଡିଲା ତାକୁ କଲେ ଆକ୍ରମଣ । କଂଗ୍ରେସ କର୍ମୀଙ୍କ ଆକ୍ରମଣରେ ୪ ବିଜେଡି କର୍ମୀ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି ।

ବ୍ରହ୍ମଗିରିରେ ସିରିଜ୍ ବୋମା ମାଡ଼

ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରି ଦଣ୍ଡୁଆସିପଡ଼ା ଗାଁରେ ଘନ ଘନ ବୋମା ଓ ଗୁଳିମାଡ଼ । ପୂର୍ବ ରାଜନୈତିକ ଶତ୍ରୁତାରୁ  ଘଟିଛି ଏହି ହିଂସାକାଣ୍ଡ ।  ଦୁଇ ଗୋଷ୍ଠୀ ମଧ୍ୟରେ ୩୦ରୁ ଅଧିକ ବୋମାମାଡ଼ ସହ ୧୦ ରାଉଣ୍ଡ ଗୁଳି ମାଡ଼ ହୋଇଥିବା ଜଣାପଡିଛି ।

ପୂର୍ବରୁ ଫେବୃଆରୀ ୧୦ ତାରିଖରେ ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୮ଜଣ ଗୁରୁତର ହୋଇଥିଲେ । ସେମାନଙ୍କ ମଧ୍ୟରୁ ପୋଲିସ ଉଭୟ ପଟୁ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ବ୍ରହ୍ମଗିରିରେ ନିର୍ବାଚନ ଶେଷ ପରେ ଫେବୃଆରୀ ୧୮ ତାରିଖରେ ଉଭୟ ୬ ଜଣ କୋର୍ଟରୁ ସର୍ତ୍ତ ମୂଳକ ଜାମିନ ଆସିଥିଲେ ।

ଫେବୃଆରୀ ୨୪ ରେ ପୁଣି ଉଭୟ ଗୋଷ୍ଠୀ ମଧ୍ୟରେ ପ୍ରାୟ ୪୦ ରୁ ଅଧିକ ବୋମା ମାଡ଼ କରାଯାଇଥିଲା । ପୋଲିସ ଗାଁରେ ଚଢ଼ାଉ କରି ଉଭୟ ପକ୍ଷର ୨୧ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ଆଜି ଅପରାହ୍ନରେ ପୁଣି ଘଟିଛି ଗୋଷ୍ଠୀ ସଂଘର୍ଷ ।

ହୋଲି ଖେଳ ପରେ ଗୋଟିଏ ଦଳର ଦୁଇ ଜଣ ଯୁବକ ଅନ୍ୟ ଗାଁରୁ ଚିକେନ କିଣି ଫେରିବା ବେଳେ ଅଚାନକ ଆକ୍ରମଣ କରିଥିଲେ ଅପରପକ୍ଷ ।  ଏହାକୁ ନେଇ ଉପୟ ପକ୍ଷଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ମହାଭାରତ । ଦଣ୍ଡୁଆସିପଡ଼ା ପାଲଟିଥିଲା ରଣକ୍ଷେତ୍ର । ଗାଁ ମୁଣ୍ଡରେ ପୋଲିସ ପହଞ୍ଚି ଘଟଣାରେ ଅନୁଧ୍ୟାନ କରୁଥିବା ସୂଚନା ମିଳିଛି ।

ମାସକର ପିଲାକୁ ବଞ୍ଚାଇବାକୁ ଋଷ ଗୁଳି ଆଗରେ ଛିଡା ହୋଇଗଲେ ୟୁକ୍ରେନ ମାଆ

କିଭ୍: ମାଆ ମମତାମୟୀ । ମାଆର ପଣତ ସ୍ବର୍ଗପୁର । ମାଆ ପାଖରେ ଥିଲେ ପିଲା ପାଖକୁ କୌଣସି ବିପଦ ଆସିପାରିବ ନାହିଁ । କାରଣ ବିପଦ ଆଗରେ ଅଭେଦ୍ୟ ପାଚେରୀ ପରି ଛିଡ଼ା ହୋଇଥାଏ ମାଆ । ସ୍ବୟଂ ଯମରାଜଙ୍କ ପାଖରୁ ପୁଅକୁ ଫେରାଇ ଆଣିବାର ଶକ୍ତି ଥାଏ ମାଆ ପାଖରେ । ଆମେ ଏମିତି କହିବାର ଅର୍ଥ ହେଉଛି, ଋଷ-ୟୁକ୍ରେନ୍ ଯୁଦ୍ଧ ମଧ୍ୟରୁ ଆସିଛି ଏମିତି କିଛି ଖବର । ନିଜ ମାସକର ପିଲାକୁ ବଞ୍ଚାଇବାକୁ ଋଷ ସେନାର ଗୁଳି ଆଗରେ ପିଠି କରି ଛିଡା ହୋଇଯାଇଛନ୍ତି ଜଣେ ମାଆ ।

ଖବର ଅନୁସାରେ ରାଜଧାନୀ କିଭ୍ ଦଖଲ ପାଇଁ ପୂରା ଦମ ଲଗାଇ ଦେଇଛି ଋଷ । ଆକାଶରୁ ବର୍ଷୁଛି ଘନ ଘନ ମିଜାଇଲ । ନାଁ ସ୍କୁଲ, ନା ହସ୍ପିଟାଲ, ନା ନିରୀହ ଲୋକଙ୍କ ଘର ଦେଖୁଛି ଋଷ ସେନା । ଯେଉଁଠି ଚାହୁଁଛି ସେଠି ମିଜାଇଲ ଓ ବୋମା ବର୍ଷା କରୁଛି । ଏମିତି ଗୁଳି ମାଡ କିଭର ଜଣେ ମହିଳାଙ୍କ ଘର ଉପରେ ହୋଇଥିଲା । ଋଷ ସେନା ପକ୍ଷରୁ ଚାଲୁଥିଲା ଆଖିବୁଜା ଗୁଳି । ଘରେ ମହିଳାଙ୍କ ସହ ଏକ ମାସର ପିଲା ଓ ପତି ଥିଲେ । ମହିଳା ଜଣଙ୍କ ପିଲାକୁ କୋଳରେ ଜାବୁଡି ଧରି ଋଷ ସେନାର ଗୁଳି ଆଗକୁ ପିଠି କରି ଦେଇଥିଲେ । ତାଙ୍କ ଶରୀରରେ ବାଜିଥିଲା ଏକାଧିକ ଗୁଳି । ହେଲେ ପିଲାକୁ ସାମାନ୍ୟ ଆଘାତ ହେବାକୁ ବି ଦେଇ ନଥିଲେ । ପିଲା ସମେତ ପୂରା ପରିବାରକୁ ମେଡିକାଲରେ ଭର୍ତ୍ତି କରାଯାଇଛି । ମହିଳା ଓ ତାଙ୍କ ପତିଙ୍କ ଅପରେସନ କରାଯାଇ ଗୁଳି ବାହାର କରାଯାଇଛି । ଏବେ ବି ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି ।

ଯୁଦ୍ଧ ବଳୟ ଭିତରେ ଫସିଛନ୍ତି ଦେଢ ଲକ୍ଷ ଲୋକ

ଋଷର ଆକ୍ରମଣ ପରଠାରୁ ୟୁକ୍ରେନରୁ ପଳାୟନ ଜାରି ରହିଛି । ଲକ୍ଷ ଲକ୍ଷ ୟୁକ୍ରେନ ଛାଡ଼ି ପଡୋଶୀ ଦେଶକୁ ଶରଣାର୍ଥୀ ଭାବେ ଚାଲି ଯାଉଛନ୍ତି । ୟୁଏନ ମାଇଗ୍ରେସନ ଏଜେନ୍ସି ଅନୁସରେ ୟୁକ୍ରେନରେ ପ୍ରାୟ ୬୫ ଲକ୍ଷ ଲୋକ ବିସ୍ଥାପିତ ହୋଇଛନ୍ତି । ଦେଢ ଲକ୍ଷରୁ ଅଧିକ ଲୋକ ଏବେ ବି ଯୁଦ୍ଧ ଚାଲିଥିବା ଅଞ୍ଚଳରେ ଫସି ରହିଛନ୍ତି ।

ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ, ଅଗଷ୍ଟରେ ଶ୍ରୀଲଙ୍କାରେ ଖେଳାଯିବ ଏସିଆ କପ୍

ନୂଆଦିଲ୍ଲୀ: ଅଗଷ୍ଟ ୨୭ରୁ ସେପ୍ଟେମ୍ବର ୧୧ ଯାଏ ଶ୍ରୀଲଙ୍କାରେ ଖେଳାଯିବ ଏସିଆ କପ୍ । ଟୁର୍ଣ୍ଣାମେଣ୍ଟରେ ମୁହାଁମୁହିଁ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ । ଚଳିତଥର ଏସିଆ କପ୍ ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ୍ ଟି-ଟ୍ୱେଣ୍ଟି ଫର୍ମାଟରେ ଖେଳାଯିବ । ଏଥିପାଇଁ ଅଗଷ୍ଟ ୨୦ କ୍ୱାଲିଫାୟର ମ୍ୟାଚ୍ ଅନୁଷ୍ଠିତ ହେବ ।

ଏସିଆ କପ୍ ଇତିହାସରେ ଟିମ୍ ଇଣ୍ଡିଆ ସବୁଠୁ ସଫଳ ଟିମ୍ । ୧୯୮୪ରେ ପ୍ରଥମ ଥର ଲାଗି ଏସିଆ କପ୍ ଆୟୋଜନ କରାଯାଇଥିଲା । ସେବେଠାରୁ ଭାରତ ୭ ଥର ଟ୍ରଫି ଜିତିଲାଣି । ଭାରତୀ ଦଳ ୧୯୮୪, ୧୯୮୮, ୧୯୯୦-୯୧, ୧୯୯୫, ୨୦୧୦, ୨୦୧୬ ଓ ୨୦୧୮ରେ ଚାମ୍ପିଅନ୍ ହୋଇଥିଲା ।

ସେହିଭଳି ଶ୍ରୀଲଙ୍କା ୫ ଥର ଟ୍ରଫି ଜିତିଛି । ୧୯୮୬, ୧୯୯୭, ୨୦୦୪, ୨୦୦୮ ଓ ୨୦୧୪ରେ ଶ୍ରୀଲଙ୍କା ଚାମ୍ପିଅନ୍ ହୋଇଥିଲା । ପାକିସ୍ତାନ ୨୦୦୦ ମସିହା ଓ ୨୦୧୨ରେ ଟୁର୍ଣ୍ଣାମେଣ୍ଟ ହାତେଇ ଥିବାବେଳେ ଏସିଆ କପ୍ ଇତିହାସରେ ସବୁଠୁ ଅଧିକ ୧୪ ଥର ଶ୍ରୀଲଙ୍କା କ୍ରିକେଟ୍ ଟିମ୍ ଭାଗ ନେଇଛି । ଭାରତ, ପାକିସ୍ତାନ ଓ ବାଂଲାଦେଶ ୧୩ ଥର ଲେଖାଏଁ ଏସିଆ କପ୍ ଖେଳିଛନ୍ତି ।

ଚଳିତଥର ଅନୁଷ୍ଠିତ ହେବାକୁ ଥିବା ଏସିଆ କପ୍ ଟୁର୍ଣ୍ଣାମେଣ୍ଟରେ ୬ଟି ଦଳ ଭାଗ ନେବେ । ଆୟୋଜକ ଶ୍ରୀଲଙ୍କା ସମେତ ଭାରତ, ପାକିସ୍ତାନ, ବାଂଲାଦେଶ, ଆଫଗାନିସ୍ତାନ ଓ ଏକ କ୍ୱାଲିଫାୟର ସାମିଲ୍ ହେବେ । କ୍ୱାଲିଫାୟର ମୁକାବିଲା ୟୁଏଇ, କୁଏତ, ସିଙ୍ଗାପୁର ଓ ହଂକଂ ମଧ୍ୟରେ ଖେଳାଯିବ ।

ପ୍ରତି ୨ ବର୍ଷରେ ଥରେ ଏସିଆ କପ୍ ଖେଳାଯାଏ । କରୋନା ପାଇଁ ୨୦୨୦ ମସିହାରେ ଏସିଆ କପ୍ ରଦ୍ଦ କରା ଯାଇଥିଲା । ୨୦୨୧ ଜୁନରେ ଶ୍ରୀଲଙ୍କା ମ୍ୟାଚ୍ ଆୟୋଜନ କରିବାକୁ ଚାହୁଁଥିଲା । କିନ୍ତୁ କରୋନା ପାଇଁ ଟୁର୍ଣ୍ଣାମେଣ୍ଟ ଆୟୋଜନ ଉପରେ ରୋକ୍ ଲଗାଇଥିଲା ଏସିଆ କ୍ରିକେଟ ପରିଷଦ ।

ମଦ ପିଇବାକୁ ଟଙ୍କା ନଦେବାରୁ ବାପାଙ୍କୁ ପିଟି ପିଟି ମାରିଦେଲା ପୁଅ

ଉଜ୍ଜୟନ: ମଦ ପିଇବାକୁ ବାପାଙ୍କୁ ଟଙ୍କା ମାଗିଲା । ବାପା ଟଙ୍କା ନଦେବାରୁ ହେଲା ତୁମୁଳ କାଣ୍ଡ । ହିତାହିତ ଜ୍ଞାନ ଭୁଲି ବାପାଙ୍କୁ ପିଟି ପିଟି ହତ୍ୟା କଲା ନିଶାଡି ପୁଅ । ଏମିତି ଘଟଣା ଘଟିଛି ମଧ୍ୟପ୍ରଦେଶ ଉଜ୍ଜୟନର ବେଦନଗର ଅଞ୍ଚଳରୁ । ମୃତ ବ୍ୟକ୍ତି ଜଣଙ୍କ ହେଲେ ମୂଲଚନ୍ଦ ବର୍ମା ।

ଅଭିଯୋଗ ଅନୁସାରେ, ବେଦନଗରର ମୂଲଚନ୍ଦ ଶିକ୍ଷା ବିଭାଗର ଜଣେ ଅବସରପ୍ରାପ୍ତ କର୍ମଚାରୀ । ଶୁକ୍ରବାର ସନ୍ଧ୍ୟା ପ୍ରାୟ ସାଢେ ୭ଟାରେ ପୁଅ ଅଜୟ ମଦ ପିଇବାକୁ ଟଙ୍କା ମାଗିଥିଲେ । ହେଲେ ନିଶାଡି ପୁଅକୁ ଟଙ୍କା ଦେବାକୁ ମୂଲଚନ୍ଦ ମନା କରିଦେଇଥିଲେ । ଏହାକୁ ନେଇ ବାପପୁଅଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ଅଜୟ ପାଖରେ ପଡିଥିବା ଏକ ଠେଙ୍ଗାରେ ନିର୍ଧୁମ ପିଟିଥିଲେ । ଗୁରୁତର ଅବସ୍ଥାରେ ମୂଲଚନ୍ଦଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଖବର ପାଇବା ପରେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରିବା ସହ ଅଜୟଙ୍କୁ ଗିରଫ କରିଛି ।

ରକ୍ତରେ ଭିଜିଲା ହୋଲି ଉତ୍ସବ: ବୁଲିଲା ଫାର୍ସା, କଟୁରୀ

ଭୁବନେଶ୍ବର: ଆଜି ରାଜ୍ୟରେ ରଙ୍ଗର ପର୍ବ ହୋଲି ଖେଳାଯାଇଛି । ଏହାକୁ ନେଇ ରାଜ୍ୟବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ସକାଳୁ ସକାଳୁ ପିଲାଙ୍କଠାରୁ ବୟସ୍କ ପରସ୍ପରକୁ ରଙ୍ଗ ବୋଳି ଅଭିନନ୍ଦନ ଜଣାଇଥିଲେ । ହେଲେ ରାଜ୍ୟର କିଛି ସ୍ଥାନରେ ହୋଲି ଉତ୍ସବ ରଣକ୍ଷେତ୍ରରେ ପରିଣତ ହୋଇଥିଲା । କେଉଁଠି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ ତ ଆଉ କେଉଁଠି ଫାର୍ସା ଓ କଟୁରୀ ବୁଲିଥିଲା । ଏମିତି ଘଟଣାରେ ୧୯ ଜଣ ଗୁରୁତର ଆହତ ହୋଇଛନ୍ତି ।

ଅଭିଯୋଗ ଅନୁସାରେ ପିପିଲିରେ ଖେଳା ଯାଇଛି ରକ୍ତର ହୋଲି । କଣାସ ବ୍ଲକ ଗଡ଼ିଶାଗଦା ଥାନା ଜାଗୁଳାଇପଦର ଗାଁରେ ଘଟିଛି ଗୋଷ୍ଠୀ ସଂଘର୍ଷ । ଫାର୍ସାରେ ଗୋଡେଇ ଗୋଡେଇ ଆକ୍ରମଣ କଲେ ଦୁର୍ବୃତ୍ତ । ଏଥିରେ ୩ ଜଣ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ଟାଙ୍ଗୀରେ ହୋଲି ବେଳେ ଅଷ୍ଟପ୍ରହରୀ ଚାନ୍ଦା ଦେବାକୁ କେନ୍ଦ୍ର କରି ଯୁବକଙ୍କୁ କଟୁରୀରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଯୁବକଙ୍କ ଅବସ୍ଥା ଗୁରୁତର ରହିଛି । ଆହତ ଯୁବକ ଜଣଙ୍କ ହେଲେ ଅଭିମାନପୁର ଗାଁର ଦୀପକ କୁମାର ସ୍ବାଇଁ । ଆକ୍ରମଣ କରିଥିବା ଦୁର୍ବୃତ୍ତଙ୍କ ନାଁ ବାବୁ ସ୍ବାଇଁ । ଗୁରୁତର ଦୀପକଙ୍କୁ ଟାଙ୍ଗୀ  ମେଡିକାଲରୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । ଟାଙ୍ଗୀ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି ।

ହୋଲି ଖେଳ ବେଳେ ବାଲେଶ୍ବର ଜିଲ୍ଲା ସୋର ଥାନା ଗୋବିନ୍ଦପୁର ଗାଁରେ ଘଟିଛି ଗୋଷ୍ଠୀ ସଂଘର୍ଷ । ଦୁଇ ଗୋଷ୍ଠୀ ମଧ୍ୟରେ ମାଡ଼ ମରାମରି ହେବାରୁ ଉଭୟ ପକ୍ଷରୁ ୨ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ସୋର ମେଡିକାଲରେ ଭର୍ତ୍ତି କରାଯାଇଛି । ଗୋଷ୍ଠୀ ସଂଘର୍ଷ ବେଳର ଭିଡିଓ ଭାଇରାଲ ହୋଇଛି । ଘଟଣାସ୍ଥଳରେ ସୋର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗୋବିନ୍ଦପୁର ଗାଁର ଶମ୍ଭୁନାଥ ମଲ୍ଲିକଙ୍କ ପୁଅ କ୍ଷିତୀଶ ବାଡ଼ିରେ ଖେଳୁଥିଲେ । ସେହି ରାସ୍ତରେ ଡିଜେ ବଜାଇ ଏକ ଗୋଷ୍ଠୀ ରଙ୍ଗ ଖେଳି ଯାଉଥିବା ବେଳେ ନିର୍ବାଚନ ରାଗ ରଖି କ୍ଷିତୀଶଙ୍କୁ ମାଡ ମାରିଥିଲେ । ଶମ୍ଭୁନାଥଙ୍କ ବାପାମାଆ ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି ।

ସେହିପରି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଡବାନ୍ଦୋଗଡା ଗାଁରେ ୨ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ପରସ୍ପରର ଆକ୍ରମଣରେ ୩ ଜଣ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି । ସମସ୍ତଙ୍କୁ ନିକଟସ୍ଥ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଗୁରୁତରଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଉଭୟ ଗୋଷ୍ଠୀ ମଧ୍ୟରେ ପୂର୍ବରୁ ବିବାଦ ଲାଗି ରହିଥିଲା । ଆଜି ରଙ୍ଗ ଖେଳ ବେଳେ ଗୋଟିଏ ଗୋଷ୍ଠୀ ଅନ୍ୟ ଉପରେ ଆକ୍ରମଣ କରିଥିଲେ । ପୋଲିସ୍ ଘଟଣାସ୍ଥଳରେ ପହଁଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଛି ।

ହୋଲି ଖେଳକୁ ନେଇ ଗଞ୍ଜାମ ଜିଲ୍ଲା ଆସିକା ଥାନା ପାଟଳୀଗୁଡା ଗ୍ରାମରେ ରକ୍ତାକ୍ତ ଗୋଷ୍ଠୀ ସଂଘର୍ଷ ଘଟିଛି । ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷରୁ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆହତମାନଙ୍କୁ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି l ସଂଘର୍ଷ ନେଇ ଥାନାରେ ଏତଲା ହେବା ପରେ ପୋଲିସ ତଦନ୍ତ ଜାରି ରଖିଛି ।